କୄତ୍ତିମ ବୁଦ୍ଧିମତା: ଆଶା ଓ ଆଶଙ୍କା
କୄତ୍ତିମ ବୁଦ୍ଧିମତା: ଆଶା ଓ ଆଶଙ୍କା
ନିକୁଞ୍ଜ ବିହାରୀ ସାହୁ
ପୂର୍ବରୁ ଗୋଟିଏ କମ୍ପୁଟର କେବଳ ପ୍ରଦତ୍ତ କିଛି ତଥ୍ୟ ଓ ତର୍କ ସଙ୍ଗତ
ଗାଣିତିକ ଧାରା
(Algorithm)କୁ ଆଧାର କରି କାର୍ଯ୍ୟ କରୁଥିଲା ଏବଂ ଆବଶ୍ୟକୀୟ ଫଳାଫଳ ପ୍ରଦାନ
କରୁଥିଲା I ଏହା ପକ୍ଷରେ କୌଣସି ପରିସ୍ଥିତିରେ କିଛି
ନିଷ୍ପତ୍ତି ଗ୍ରହଣ କରିବା ସମ୍ଭବ ନଥିଲା I ମାତ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଫଳରେ
ଏବେ ଯନ୍ତ୍ରରେ ମଧ୍ୟ କିଛି ବୁଦ୍ଧିମତା ପ୍ରଦାନ କରାଯାଇ ପାରୁଛି ଯାହା ଫଳରେ ତାହା ମନୁଷ୍ୟ ଭଳି
ନିଜେ ଶିକ୍ଷଣ (Learning), ତାର୍କିକ ଚିନ୍ତାଧାରା (Reasonong) ପରିପ୍ରକାଶ, ସମସ୍ୟାର ସମାଧାନ (Problem Solving) ତଥା ନିଷ୍ପତ୍ତି (Decission making) ଗ୍ରହଣ ଭଳି ପ୍ରକ୍ରିୟା ସୂଚାରୁ ରୂପେ
ସମ୍ପାଦନ କରି ପାରୁଛି I ଏହା ହିଁ
କୄତ୍ତିମ ବୁଦ୍ଧିମତା I ଏହା ଜରିଆରେ ଯନ୍ତ୍ର ନିଜର ପରିପାର୍ଶ୍ୱିକ ଅବସ୍ଥାର ଅବଧାରଣା କରିବା
ପୂର୍ବକ ଶିକ୍ଷଣ ଓ ବୁଦ୍ଧିମତାର ମିଳିତ ସହଯୋଗରେ କିଛି କାର୍ଯ୍ୟ ସମ୍ପାଦନ କରିଥାଏ ଯାହା ଫଳରେ ଆମର
ଇପ୍ସିତ ଲକ୍ଷ୍ୟ ହାସଲର ଅଧିକ ସମ୍ଭାବନା ସୄଷ୍ଟି ହୁଏ I ଏହା ମଧ୍ୟ ପୂର୍ବ ତ୍ରୁଟିରୁ ଶିକ୍ଷା ଗ୍ରହଣ
କରି ପରବର୍ତ୍ତୀ ପଦକ୍ଷେପରେ ମନୁଷ୍ୟ ଭଳି ନିଜକୁ ସୁଧାରି ନିଏ।
ଆଜିର ଯୁଗରେ କୄତ୍ତିମ ବୁଦ୍ଧିମତା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଯୁକ୍ତି ରୂପେ ପରିଗଣିତ ହେଉଛି , ଯାହା ଆଗାମୀ ଦିନରେ ବ୍ୟକ୍ତିଗତ ଜୀବନରୁ ଆରମ୍ଭ କରି ସଂସ୍ଥାଗତ ଓ ସମାଜର ଅନେକ କ୍ଷେତ୍ରରେ ପ୍ରବେଶ କରି ଯୁଗାନ୍ତକାରୀ ପରିବର୍ତ୍ତନ ଘଟାଇବ । କୄତ୍ତିମ ବୁଦ୍ଧିମତା ଆଧାରିତ ପ୍ରଣାଳୀ ଦ୍ୱାରା ଦୂର ଦୁରାନ୍ତ ଅଞ୍ଚଳରେ ଶିକ୍ଷା, ଚିକିତ୍ସା, ପ୍ରବନ୍ଧନ ଓ ସେବା ପ୍ରଦାନ ସୁବିଧାଗୁଡିକ ସହଜରେ ମିଳିପାରୁଛି। ଏହା ଆଧୁନିକ ବିଜ୍ଞାନର ସୁବିଧା ସୁଯୋଗକୁ ସମାଜର ବିଭିନ୍ନ ସୋପାନକୁ ସମ୍ପ୍ରସାରିତ କରିବାରେ ସହାୟକ ହୋଇଛି । ଏହା ନୂତନ ଅବସର ସୃଜନ , ସୁବିଧା ସୁଯୋଗର ଉପଲବ୍ଧତା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅଗ୍ରଗତି ଆଣିଛି ସତ, ମାତ୍ର ଏହାର ତୃଟିପୁର୍ଣ୍ଣ କାର୍ଯ୍ୟପଦ୍ଧତି ଓ ଅପବ୍ୟବହାର ଦ୍ୱାରା ଏହା ମଧ୍ୟ ବହୁ ସଙ୍କଟକୁ ଆମନ୍ତ୍ରଣ କରିଛି।
ଶିକ୍ଷା
ଓ ଶିକ୍ଷାର୍ଥୀ ସହାୟତା
କୄତ୍ତିମ ବୁଦ୍ଧିମତା
ଆଧାରିତ ବ୍ୟବସ୍ଥାର ପ୍ରୟୋଗ ଜରିଆରେ ଅନଲାଇନ୍ ଶିକ୍ଷା,
ପାଠ୍ୟକ୍ରମ ପ୍ରସ୍ତୁତି, ବିଦ୍ୟାର୍ଥୀ ଅନୁକୁଳନ (personalised) ଶିକ୍ଷା ସେବା ଯୋଗାଣ, ଗଣନା
ଓ ତଥ୍ୟ ସଂଗ୍ରହ , ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ
କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଇତ୍ୟାଦି ବ୍ୟବସ୍ଥାକୁ ସୁଗମ କରିଛି। ଏହା ମଧ୍ୟ ଏକ ଅନୁବାଦକର ଭୂମିକା ଗ୍ରହଣ କରି ଜଣେ ଲେଖକର ଲେଖାକୁ ସଙ୍ଗେ ସଙ୍ଗେ ଅନ୍ୟ ଯେକୌଣସି ଭାଷାରେ ଅନୁବାଦ
କରି ପାରୁଛି I କୄତ୍ତିମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ଛାତ୍ରର ପଠନ ତଥା ପରୀକ୍ଷା ପାଇଁ
ପ୍ରସ୍ତୁତି ସମୟ ଓ ପରିଶ୍ରମ ହ୍ରାସ ପାଇଛି I
ସ୍ୱାସ୍ଥ୍ୟ
କ୍ଷେତ୍ରରେ ପ୍ରୟୋଗ
କୄତ୍ତିମ ବୁଦ୍ଧିମତା ସ୍ୱାସ୍ଥ୍ୟକ୍ଷେତ୍ରରେ
ପ୍ରୟୋଗ ହୋଇ ରୋଗ ପୂର୍ବାନୁମାନ, ଚିକିତ୍ସା ବ୍ୟବସ୍ଥାରେ ସହାୟତା ପ୍ରଦାନ, ନୂତନ ଔଷଧ ଆବିଷ୍କାର
ଓ ରୋଗୀସେବା ପ୍ରବନ୍ଧନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ
ଭୂମିକା ଗ୍ରହଣ କରିଛି। ଏହା ମଧ୍ୟ ଚିକିତ୍ସକଙ୍କର
ସହାୟକ ରୂପରେ କାର୍ଯ୍ୟକରି, ରୋଗ ନିର୍ଣ୍ଣୟ ଓ ପ୍ରବନ୍ଧନ ବ୍ୟବସ୍ଥାକୁ ସହଜସାଧ୍ୟ କରିପାରିଛି । କୄତ୍ତିମ ବୁଦ୍ଧିମତାର
ପ୍ରୟୋଗ ଜରିଆରେ ପାର୍କିନସନ୍ ରୋଗ ଭଳି ବହୁ
ଦୂରାରୋଗ୍ୟ ବ୍ୟାଧିର ନିରାକରଣ ନିମନ୍ତେ ନୂତନ ଡ୍ରଗ୍ କିମ୍ବା ଔଷଧର ସନ୍ଧାନରେ ଅଗ୍ରଗତି ମିଳିଛି
I 2023 ମସିହାର ଏକ ଗବେଷଣାରୁ ଜଣା ପଡେ ଯେ, କୄତ୍ତିମ ବୁଦ୍ଧିମତାର ପ୍ରୟୋଗ ଫଳରେ
ଏପରି କିଛି ଜୀବାଣୁନାଶକ ପଦାର୍ଥ ବିକଶିତ କରା ଯାଇ ପାରିଛି ଯାହା ପୂର୍ବର ଦୁଇଟି ଡ୍ରଗ୍
ପ୍ରତିରୋଧକ ବ୍ୟାକ୍ଟେରିଆ କ୍ଷେତ୍ରରେ ମଧ୍ୟ
କାର୍ଯ୍ୟକାରୀ ହୋଇ ପାରୁଛି I କେତେକ କୄତ୍ତିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ମେଡିକାଲ ଗବେଷଣା
କ୍ଷେତ୍ରରେ ପ୍ରୟୋଗ ହେବା ଦ୍ୱାରା ଡ୍ରଗ୍ ଚିହ୍ନଟ ପ୍ରକ୍ରିୟାର ସମୟକୁ 10 ଗୁଣ ବୄଦ୍ଧି କରିବା
ସଙ୍ଗେ ସଙ୍ଗେ ଗବେଷଣାର ଖର୍ଚ୍ଚକୁ 1000 ଗୁଣ ହ୍ରାସ କରି ପାରିଛି I
ବ୍ୟବସାୟ ଓ ବାଣିଜ୍ୟ
କୄତ୍ତିମ ବୁଦ୍ଧିମତା ବ୍ୟବସାୟ,
ବାଣିଜ୍ୟ ଓ ଉତ୍ପାଦନ କ୍ଷେତ୍ରରେ ପ୍ରୟୋଗ ହୋଇ ସାମଗ୍ରୀର ଗୁଣବତ୍ତା ନିୟନ୍ତ୍ରଣ, ବିପଣନ, ଗ୍ରାହକଙ୍କୁ ଦୂରଭାଷ ଆଧାରିତ
ସେବା ପ୍ରଦାନ ତଥା ଠକାମି
ଚିହ୍ନଟ ତଥା ନିରାକରଣ କ୍ଷେତ୍ରରେ ସହାୟକ ହୋଇଛି।ଏହା ବିଶାଳ ପରିମାଣର ଡାଟାସେଟ୍ ବିଶ୍ଳେଷଣ କରି ସେଥିରୁ ଏକ
ପ୍ୟାଟର୍ନ କିମ୍ବା ଶୄଙ୍ଖଳା ନିର୍ଯ୍ୟାସ କରେ, ଯାହା ବ୍ୟବସାୟରେ
ସ୍ମାର୍ଟ ନିଷ୍ପତ୍ତି ନେବା, ବିପଣନ ବୃଦ୍ଧି କରିବା ଏବଂ କାର୍ଯ୍ୟ ସମ୍ପାଦନ ପରିସରକୁ
ଅଧିକ ଦକ୍ଷ ଓ ମାର୍ଜିତ କରିବାରେ ସାହାଯ୍ୟ କରେ। ଏବେ ବିଭିନ୍ନ କମ୍ପାନୀ ନିଜର ଗ୍ରାହକ ସହାୟତା
ସେବାକୁ ସ୍ୱୟଂଚାଳିତ କରିବା, ଉତ୍ତମ ନିଷ୍ପତ୍ତି ଗ୍ରହଣ ପାଇଁ ତଥ୍ୟ ବିଶ୍ଳେଷଣ କରିବା ଏବଂ କାର୍ଯ୍ୟ
ସମ୍ପାଦନକୁ ସୁଗମ କରି ଗ୍ରାହକଙ୍କ ଆସ୍ଥା
ଭାଜନ ହେବା ନିମନ୍ତେ ପାଇଁ କୄତ୍ତିମ ବୁଦ୍ଧିମତାକୁ ବ୍ୟାପକ ରୂପେ ବ୍ୟବହାର କରନ୍ତି।
କୄତ୍ତିମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ନୂତନ ଉତ୍ପାଦ, ସେବା, ବ୍ୟବସାୟ ମଡେଲିଂ ପ୍ରସ୍ତୁତ କରାଯାଇ ପାରିଛି। ଏହି ନବାଚାର ସାମଗ୍ରୀ ଓ ସେବା ଗୁଡିକ
ଆମ ଜୀବନକୁ ସହଜସାଧ୍ୟ କରିଥିଲାବେଳେ ସମାଜର ବିକାଶକୁ ତ୍ୱରାନ୍ୱିତ କରିଛି।
ପରିବହନ
ପରିବହନ କ୍ଷେତ୍ରରେ
କୄତ୍ତିମ ବୁଦ୍ଧିମତାର ଭୂମିକା ଉଲ୍ଲେଖଯୋଗ୍ୟ I ଚାଳକ-ବିହୀନ ଯାନ, ଡ୍ରୋନ୍ ସେବା ବ୍ୟବସ୍ଥା ଇତ୍ୟାଦି ଏହାର ପ୍ରମୁଖ ଅବଦାନ। ବ୍ୟକ୍ତି, ସାମଗ୍ରୀ ଏବଂ ଯାନବାହାନର ଗତିବିଧିକୁ ଅଧିକ ସ୍ମାର୍ଟ ଏବଂ ଦକ୍ଷ କରିବା ପାଇଁ ଏବେ ପରିବହନ କ୍ଷେତ୍ରରେ ମେସିନ୍ ଲର୍ଣ୍ଣିଂ, କମ୍ପ୍ୟୁଟର ଦୃଷ୍ଟିକୋଣ, ଭଳି
କୄତ୍ତିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ବହୁଳ ଭାବରେ ବ୍ୟବହୃତ ହେଉଛି । ଏହି ପ୍ରଣାଳୀଗୁଡ଼ିକ ସେମାନଙ୍କ ପାରିପାର୍ଶ୍ୱିକ ଅବସ୍ଥାକୁ ବୁଝିବାରେ, ଫଳାଫଳ ପୂର୍ବାନୁମାନ କରିବାରେ ଏବଂ ପରିବହନର ବିଭିନ୍ନ ପଦ୍ଧତିରେ ଉତ୍ତମ ଯାତ୍ରାପଥ କିମ୍ବା ସମୟସୂଚୀ ଯୋଜନାବଦ୍ଧ
ଭାବେ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛନ୍ତି । କୄତ୍ତିମ ବୁଦ୍ଧିମତା ଆଧାରିତ
ପ୍ରଣାଳୀ କ୍ୟାମେରା, LiDAR ଏବଂ ଟେଲିମାଟିକ୍ସରୁ ସଂଗୄହୀତ ଡାଟା ବ୍ୟବହାର କରି ଉତ୍ତମ ଯାତ୍ରାପଥ
ନିରୂପଣ,
ଯାତ୍ରୀ ସୁରକ୍ଷା ଏବଂ ସାମଗ୍ରିକ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା
ନିମନ୍ତେ ବାସ୍ତବ-ସମୟରେ ଦ୍ରୁତ ନିଷ୍ପତ୍ତି ନେଇଥାଏ। ରକ୍ଷଣାବେକ୍ଷଣ କ୍ଷେତ୍ରରେ, କୄତ୍ତିମ ବୁଦ୍ଧିମତା ଯାନ୍ତ୍ରିକ ସମସ୍ୟାଗୁଡ଼ିକର ପୂର୍ବାନୁମାନ କରିବା ପାଇଁ ଯାନ୍ତ୍ରିକ କିମ୍ବା ଟ୍ରେନରୁ ସେନ୍ସର ଜରିଆରେ ଗୄହୀତ
ତଥ୍ୟର ବିଶ୍ଳେଷଣ କରିଥାଏ ଯାହା ସମୟ ଅପଚୟ ଏବଂ ବ୍ୟୟବହୁଳ ମରାମତି
ପ୍ରକ୍ରିୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କୄତ୍ତିମ ବୁଦ୍ଧିମତା ଦ୍ୱାରା ଚାଳିତ ସ୍ମାର୍ଟ ଟ୍ରାଫିକ୍ ପ୍ରଣାଳୀଗୁଡ଼ିକ ସଙ୍କେତ
ବ୍ୟବସ୍ଥା କିମ୍ବା ସିଗନାଲିଙ୍ଗ୍ ପଦ୍ଧତି ଗୁଡ଼ିକୁ ସମାୟୋଜିତ ପୂର୍ବକ ରାସ୍ତା ଅବସ୍ଥା ନିରୀକ୍ଷଣ କରି
ଉପଯୁକ୍ତ ଟ୍ରାଫିକ ପରିଚାଲନା ନିମନ୍ତେ ମାର୍ଗଦର୍ଶନ କରିଥା’ନ୍ତି I ଏହା ମଧ୍ୟ ଟ୍ରାଫିକ ଭିଡ଼ ହ୍ରାସ କରିବା ଏବଂ ଯାତ୍ରୀସୁରକ୍ଷାକୁ
ବ୍ୟବସ୍ଥିତ କରିବା ପାଇଁ ସହାୟକ ହୋଇଥାଏ
I
ସାମରିକ କ୍ଷେତ୍ରରେ ପ୍ରୟୋଗ
ବିଭିନ୍ନ ଦେଶ ଏବେ କୄତ୍ତିମ ବୁଦ୍ଧିମତା
ଭିତ୍ତିକ ସାମରିକ ପ୍ରଣାଳୀ ଗୁଡ଼ିକୁ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ କରୁଛନ୍ତି। ଏହି ମୁଖ୍ୟ ପ୍ରୟୋଗଗୁଡ଼ିକ ସେନାର ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ, ଯୋଗାଯୋଗ ବ୍ୟବସ୍ଥା, ସେନ୍ସର ପ୍ରଣାଳୀ, ସମନ୍ୱୟ ଏବଂ ଆନ୍ତଃକାର୍ଯ୍ୟକ୍ଷମତାକୁ ବୃଦ୍ଧି କରିଛନ୍ତି। ଏହା ସାମରିକ କ୍ଷେତ୍ରରେ ପ୍ରୟୋଗ ହୋଇ ଗବେଷଣା ଓ ବିକାଶ, ଗୁଇନ୍ଦା ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ, ଲଜିଷ୍ଟିକ୍ସ, ସାଇବର ଅପରେସନ୍, ସୂଚନା ବିନିମୟ, ଏବଂ ଅର୍ଦ୍ଧ ସ୍ୱୟଂଚାଳିତ କିମ୍ବା ପୂର୍ଣ୍ଣ ସ୍ୱୟଂଚାଳିତ
ଯାନଗୁଡ଼ିକର ଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ
ଭୂମିକା ବହନ କରୁଛି । କୄତ୍ତିମ ବୁଦ୍ଧିମତା ଭିତ୍ତିକ ଜ୍ଞାନକୌଶଳ ସମର କ୍ଷେତ୍ରରେ ସେନ୍ସର ଏବଂ ଇଫେକ୍ଟର
ମଧ୍ୟରେ ସମନ୍ୱୟ ରକ୍ଷା , ବିପଦ ଠାବ ଏବଂ ଶତ୍ରୁର ଅବସ୍ଥାନ ନିର୍ଦ୍ଧାରଣ , ଅଭିଯାନ ନିମନ୍ତେ ଲକ୍ଷ୍ୟସ୍ଥଳୀ
ସମ୍ପର୍କରେ ସୂଚନା ସଂଗ୍ରହ ଇତ୍ୟାଦି କ୍ଷେତ୍ରରେ ପ୍ରୟୋଗ ହୋଇ କୌଣସି
ଦେଶ ପାଇଁ ଏକ ବରଦାନ ରୂପେ ସାବ୍ୟସ୍ତ ହେଉଛି । ଏହି ଜ୍ଞାନକୌଶଳ ଏବେ ସିରିଆ, ଇସ୍ରାଏଲ
ଓ ଯୁକ୍ରେନର ସମରକ୍ଷେତ୍ରରେ ସଫଳତାର ସହିତ ପ୍ରୟୋଗ କରା ଯାଇଛି।
କୄତ୍ତିମ
ବୁଦ୍ଧିମତା ଜନିତ ସଙ୍କଟ:
ନିଯୁକ୍ତି ହାନି ଓ ଆର୍ଥିକ କ୍ଷତି
କୄତ୍ତିମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ଅନେକ
ସ୍ୱୟଂଚାଳିତ ବ୍ୟବସ୍ଥା ବିକଶିତ (Automation) ହୋଇ ଥିବାରୁ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯିବାର ଆଶଙ୍କା ରହିଛି ।
ଫଳରେ ଏହା ସମାଜରେ ଆର୍ଥିକ ବୈଷମତା ବୃଦ୍ଧି କରିବାର ଆଶଙ୍କା ସୄଷ୍ଟି ହୋଇଛି। ଏହା ଏବେ ଛାତ୍ର ଛାତ୍ରୀ
ତଥା କବି ଲେଖକମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ତଥା ଲେଖା ପ୍ରସ୍ତୁତ କରିବାରେ ସାହଯ୍ୟ କରୁଥିବାରୁ
ଏହାର ପ୍ରୟୋଗ ଦ୍ୱାରା ବ୍ୟକ୍ତିର ସୃଜନଶୀଳତା ହ୍ରାସ ପାଇଛି। କୄତ୍ତିମ ବୁଦ୍ଧିମତା ଉପରେ କ୍ରମାଗତ
ନିର୍ଭର କରି ଚଳିବା ହେତୁ ବ୍ୟକ୍ତିର ବୁଦ୍ଧି ଓ ବିଚକ୍ଷଣତା ସ୍ତର ମଧ୍ୟ ହ୍ରାସ ପାଇବାର
ଆଶଙ୍କା ଉପୁଜିଛି । ଏହି ଧାରା ଅବ୍ୟାହତ ରହିଲେ ହୁଏତ ଦିନ ଆସିବ, ବ୍ୟକ୍ତିର ପ୍ରକୃତିଦତ୍ତ ବୁଦ୍ଧିମତ୍ତା
ବିଲୁପ୍ତ ହୋଇଯିବ ଏବଂ ମନୁଷ୍ୟ କୄତ୍ତିମ ବୁଦ୍ଧିମତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ଏହାର ଦାସ
ପାଲଟି ଯିବ।
କୄତ୍ତିମ ବୁଦ୍ଧିମତା
ପ୍ରଣାଳୀ ନିଜର କର୍ଯ୍ୟକାରିତା ନିମନ୍ତେ ଏକ ବିଶାଳ ଡାଟା
ଭଣ୍ଡାର ଓ ଆଲ୍ଗରିଦିମ୍ ଭିତ୍ତିକ
ଗଣନା ପଦ୍ଧତି ଉପରେ ନିର୍ଭର କରେ। ଏହା ମଧ୍ୟରେ ବ୍ୟକ୍ତିଗତ ତଥ୍ୟ, ପରିପାର୍ଶ୍ୱ
ସମ୍ପର୍କରେ ସୂଚନା ଓ ଫଳାଫଳ ଅନ୍ତର୍ଭୁକ୍ତ । ଏହି ତଥ୍ୟ ପରିଚାଳନାରେ ସାମାନ୍ୟ ତ୍ରୁଟି
ପରିଲକ୍ଷିତ ହେଲେ କୄତ୍ତିମ ବୁଦ୍ଧିମତା ପ୍ରମାଦପୁର୍ଣ୍ଣ ନିର୍ଣ୍ଣୟ ଓ ଫଳାଫଳ ଦେଇଥାଏ ଯାହା ସଂକଟଜନକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା
ରହିଛି । ଏହା ଦ୍ୱାରା
ବ୍ୟକ୍ତିର ଗୋପନୀୟତା ଓ ଡାଟା ସୁରକ୍ଷା ନଷ୍ଟ ହେବାର ବିପଦ ରହିଛି I
ଭ୍ରମାତ୍ମକ ନିଷ୍ପତ୍ତି
କୄତ୍ତିମ ବୁଦ୍ଧିମତା ପ୍ରଣାଳୀକୁ ସମ୍ପୂର୍ଣ୍ଣ ଓ ସଠିକ ତଥ୍ୟ ନମିଳିଲେ,
ତାହା ପ୍ରମାଦପୂର୍ଣ୍ଣ ନିଷ୍ପତ୍ତି ନେଇ ତୃଟିଯୁକ୍ତ ତଥା ପକ୍ଷପାତିତାପୂର୍ଣ୍ଣ
(Biased) ଫଳାଫଳ ପ୍ରଦାନ କରିଥାଏ । ଏହା ସମାଜର ଅନେକ ସମ୍ବେଦନଶୀଳ କ୍ଷେତ୍ର ଯଥା ନିଯୁକ୍ତି, ଋଣ, ଚିକିତ୍ସା,ବିତ୍ତ ଓ ବ୍ୟାଙ୍କିଙ୍ଗ୍
ଆଦି କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି କରିବାର ଅଶଙ୍କା ରହିଛି।
ଡିପ୍ ଫେକ୍ (Deepfake) ଜନିତ ସମସ୍ୟା
କୄତ୍ତିମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ଦ୍ୱାରା ପ୍ରସ୍ତୁତ ହେଉଥିବା ଡିପ୍
ଫେକ୍ ଆଧାରିତ ଭିଡିଓ, ଛବି ଓ ଧ୍ୱନି ମାଧ୍ୟମରେ କୌଣସି ବ୍ୟକ୍ତିର ଧାରଣା
, ଚିନ୍ତାଧାରା ଓ ବିଶ୍ୱାସ ଗୁରୁତର ପ୍ରଭାବିତ ହୋଇଥାଏ । ଏହା ସାଧାରଣ ଲୋକଙ୍କୁ ମୋହିତ ଓ ଭ୍ରମିତ
କରିବା ତଥା ନିର୍ଣ୍ଣୟକୁ ପ୍ରଭାବିତ
କରିବା ସଙ୍ଗେସଙ୍ଗେ ବିଶ୍ୱସନୀୟତାକୁ ବିପଦଗ୍ରସ୍ତ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି
ଗତ 2024 ମସିହାର ଭାରତର ସାଧାରଣ
ନିର୍ବାଚନ। ଏହି ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ
କରିବା ପାଇଁ ଡିପ୍ ଫେକ୍ ଜ୍ଞାନକୌଶଳ ମାଧ୍ୟମରେ ଜୀବିତ ଓ ମୃତ ରାଜନେତାଙ୍କ ସ୍ୱର ଓ ଭାଷଣ
ସମ୍ବଳିତ ବହୁ କୄତ୍ତିମ ବୁଦ୍ଧିମତା ସୄଜିତ ଉପସ୍ଥାପନା ପ୍ରସ୍ତୁତ କରା ଯାଇଥିଲା।
ଅନିୟନ୍ତ୍ରଣ
ଗତି
ଯଦି କୄତ୍ତିମ ବୁଦ୍ଧିମତା
ପ୍ରଣାଳୀ ଉପରୁ କୌଣସି କାରଣରୁ ମାନବୀୟ ନିୟନ୍ତ୍ରଣ ହଟିଯାଏ କିମ୍ବା କୋହଳ
ହୋଇଯାଏ ତେବେ ଏହା ଅନିୟନ୍ତ୍ରିତ ହୋଇ ସମାଜର ଘୋର କ୍ଷତି ସାଧନ କରିବାର
ଆଶଙ୍କା ରହିଛି।
ସାମାଜିକ ଅସମାନତା ବୃଦ୍ଧି
କୄତ୍ତିମ ବୁଦ୍ଧିମତା ଆଧାରିତ ପ୍ରଣାଳୀ ଯଦି କେବଳ କୌଣସି
ମୁଷ୍ଟିମେୟ ଗୋଷ୍ଠୀ
କିମ୍ବା ସମୂହଙ୍କ ପାଇଁ ଉପଲବ୍ଧ ହୁଏ, ତେବେ ତାହା
ସମାଜରେ ଡିଜିଟାଲ୍ ଡିଭାଇଡ୍ (digital divide) ବୌଦ୍ଧିକ
ତଥା ଆର୍ଥିକ ସ୍ତରରେ ଅସମାନତା ପ୍ରସାର କରିବାର ଆଶଙ୍କା ରହିଛି।
ପ୍ରତିକାର
କୄତ୍ତିମ ବୁଦ୍ଧିମତାର ପ୍ରୟୋଗରେ ସୁଫଳତା ନିମନ୍ତେ ଏହାର ପରିଚାଳନାରେ ଉପଯୁକ୍ତ ନୀତି-ନିୟମ ପ୍ରଣୟନ, ପ୍ରଶାସନିକ ଅଙ୍କୁଶ ଓ ନୈତିକତା ଅବଲମ୍ବନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସୁତରାଂ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିବର୍ଗକୁ ଡିଜିଟାଲ୍ ସାକ୍ଷରତା ମାଧ୍ୟମରେ ସଶକ୍ତିକରଣ କରାଯିବା ଉଚିତ ଏବଂ ସେମାନଙ୍କୁ ଏହାର ବ୍ୟବହାର ଓ ଅପବ୍ୟବହାର ସମ୍ପର୍କରେ ସଚେତନ କରାଇବା ଅବଶ୍ୟକ। କୄତ୍ତିମ ବୁଦ୍ଧିମତା ଆଧାରିତ ପ୍ରଣାଳୀରେ ମାନବୀୟ ପର୍ଯ୍ୟବେକ୍ଷଣ ଓ ହସ୍ତକ୍ଷେପର ମଧ୍ୟ କିଛି ପରିମାଣରେ ଭୂମିକା ରହିବା ଉଚିତ । କୌଣସି କାରଣରୁ ଯନ୍ତ୍ରର ନିଷ୍ପତ୍ତି ପ୍ରମାଦପୂର୍ଣ୍ଣ ହେଲେ ବଡ କିଛି ସଙ୍କଟ ଘଟାଇବା ପୂର୍ବରୁ ତାହାକୁ ମାନବୀୟ ହସ୍ତକ୍ଷେପ ଦ୍ୱାରା ସୁଧାର କରିହେବ। କୄତ୍ତିମ ବୁଦ୍ଧିମତାର ପ୍ରୟୋଗ କ୍ଷେତ୍ରରେ ବ୍ୟକ୍ତିଗତ ଡାଟା ସୁରକ୍ଷା, ଗୋପନୀୟତା ରକ୍ଷା ଓ ନ୍ୟାୟସଙ୍ଗତ ପ୍ରକ୍ରିୟାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ଏହାଦ୍ୱାରା କୄତ୍ତିମ ବୁଦ୍ଧିମତା ବ୍ୟକ୍ତି ଓ ସମାଜରେ ଅଧିକ ଲୋକପ୍ରିୟ ଓ ଗ୍ରହଣୀୟ ହୋଇ ପାରିବ । କୄତ୍ତିମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସଙ୍କଟକୁ ଦୁରଦୃଷ୍ଟି ଦ୍ୱାରା ଏବେଠୁ ନିରୂପଣ କରି ଏହାର ସମାଧାନ ଓ ପ୍ରତିକାର ନିମନ୍ତେ ନିରାକରଣ ପ୍ରଣାଳୀ ବିକାଶ କରାଯିବା ଅବଶ୍ୟକ ।
ସୁତରାଂ କୄତ୍ତିମ ବୁଦ୍ଧିମତାର ବ୍ୟାପକ ପ୍ରସାର ଆମ ସମାଜ, ଅର୍ଥନୀତି, ପ୍ରବନ୍ଧନ ଓ ଦୈନନ୍ଦିନ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ। ମାତ୍ର ଏହାର ଅପବ୍ୟବହାର ଓ ନିୟନ୍ତ୍ରଣହୀନତା ଦ୍ୱାରା ବିପୁଳ ସଙ୍କଟର ଆଶଙ୍କା ରହିଛି । ସୁତରାଂ ଏହାର ଉପଯୁକ୍ତ ପରିଚାଳନା ଓ ନିୟନ୍ତ୍ରଣ ଦ୍ୱାରା ଆମେ ଏହାକୁ ନିଜର ଜଣେ ଶ୍ରେଷ୍ଠ ବନ୍ଧୁ ରୂପରେ ବ୍ୟବହାର କରି ମାନବ ସଭ୍ୟତାର କଲ୍ୟାଣ ସାଧନ କରିପାରିବା ।
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞନ କେନ୍ଦ୍ର
ଭୁବନେଶ୍ୱର-751013
The Sakala Sindura dated 09.11.25:
https://drive.google.com/file/d/1vvVX1drQa7AzrO_p8CclmK5dk6xK6oDz/view?usp=sharing



Comments
Post a Comment