ଊତ୍ତପ୍ତ ପରିବେଶ, ଉଦାସ ପୃଥିବୀ UTTAPTA PARIBESHA, UDASA PRUTHIBI

                                                  ଊତ୍ତପ୍ତ ପରିବେଶ, ଉଦାସ ପୃଥିବୀ

                                                                                                                  ନିକୁଞ୍ଜ  ବିହାରୀ ସାହୁ

  ଦିନ ଥିଲା ପ୍ରକୄତି ମନୁଷ୍ୟ ପାଇଁ ଥିଲା ସବୁ କିଛି I ପ୍ରକୄତି ତାକୁ ଯୋଗାଇ ଥିଲା ରହିବା ପାଇଁ ବାସଗୃହ, ଭୋଜନ ପାଇଁ ଶସ୍ୟପିଇବା ପାଇଁ ନଦୀର ଜଳ ଏବଂ ବିହଙ୍ଗର ସଙ୍ଗୀତରେ ବଞ୍ଚିବାର ରାହା I ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି I ମନୁଷ୍ୟର ହସ୍ତକ୍ଷେପ ଯୋଗୁଁ ପ୍ରକୄତି ପାଲଟି ଯାଇଛି କଠୋର  ଓ ନିଷ୍ଠୁର  ଏହା ବିଶ୍ୱସାରା ଲୋକଙ୍କ ଜୀବନ ଓ ଜୀବିକାକୁ ଗୁରୁତର ପ୍ରଭାବିତ କରିଛି I ଏହା ନିମ୍ନୋକ୍ତ କେତୋଟି ଉଦାହରଣରୁ ସ୍ପଷ୍ଟ  ବୁଝା ପଡେ :

ମାଲଡିଭିସ୍ ଦେଶର ଲୋକଙ୍କୁ ସମୁଦ୍ର ପତ୍ତନ ବୄଦ୍ଧି ଯୋଗୁଁ ନିଜର ଭିଟାମାଟି ଛାଡି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପଡୁଛି; ନାଇଜେର୍  ନଦୀର ଜଳରୁ ମାଛମାନେ ବିଲୁପ୍ତ ହୋଇ ଯିବାରୁ  ମତ୍ସ୍ୟଜୀବିମାନଙ୍କର ଜାଲ ଆଉ ମାଛରେ ଭରୁନାହିଁ  ତଥା ବନ୍ୟା ଓ ବାତ୍ୟାରେ ବିଧ୍ୱସ୍ତ ବଙ୍ଗଳାଦେଶରେ ମହିଳାମାନଙ୍କୁ ପାନୀୟ ଜଳ ସଂଗ୍ରହ ନିମନ୍ତେ ମାଇଲ୍ ମାଇଲ୍ ବାଟ ପାଦରେ ଚାଲିଚାଲି ଯିବାକୁ ପଡୁଛି I ଏପରିକି ଜୀବଜନ୍ତୁମାନେ ମଧ୍ୟ ପ୍ରକୃତିର ଏହି କ୍ରୁର ବଳୟରୁ ମୁକ୍ତ ନୁହନ୍ତି ଉତ୍ତର ମେରୁରେ ବରଫ ବିଗଳନ କାରଣରୁ ମେରୁ ଭାଲୁକୁ ସ୍ଥଳଭାଗରେ ବିଚରଣ  ପାଇଁ ଚଟାଣ ମିଳୁନାହିଁ; ଭାରତର ସୁନ୍ଦରବନର  ହେନ୍ତାଳ ଅରଣ୍ୟର ଅବକ୍ଷୟ ଯୋଗୁଁ ମହାବଳ ବାଘ ମଧ୍ୟ ବିଲୁପ୍ତିର ଦ୍ୱାରଦେଶରେ; ଉତ୍ତର ଆଟଲାଣ୍ଟିକ ମାହାସାଗରର ତିମି ମାଛ ନିଜର ଚିରାଚରିତ ଖାଦ୍ୟ ପ୍ଲାଙ୍କଟନ୍ ଅଭାବରୁ ଏବେ ସଙ୍କଟାପନ୍ନ ଏବଂ ଇଣ୍ଡୋନେସିଆରେ ଜଙ୍ଗଲନିଆଁ ଯୋଗୁଁ ଉରାଙ୍ଗ ଉଟାଙ୍ଗ ବାନରାକାୟ ଜୀବର ସ୍ଥିତି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଲାଣି  I  

  ତେବେ ପ୍ରଶ୍ନ ଉଠେ : ଏବେ ପ୍ରକୃତିର ଏଭଳି ବିପୁଳ ଅଧୋଗତି କାହିଁକି ? ଏହା କେବଳ ଆମ ରାଜ୍ୟ କିମ୍ବା ଦେଶର ସମସ୍ୟା ନୁହେଁ, ବରଂ ଏକ  ବୈଶ୍ବିକ ସଙ୍କଟ ଏହା ପାଇଁ ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନ ଏବଂ  ସମୁଦ୍ର ପତ୍ତନ ବୃଦ୍ଧି ଭଳି କିଛି ମନୁଷ୍ୟକୄତ କାରଣକୁ  ଦାୟୀ କରା  ଯାଉଛି I

ବିଶ୍ୱ ତାପନ ଓ ଊତ୍ତପ୍ତ ଗ୍ରୀଷ୍ମରୁତୁ

 ବିଶ୍ୱ ତାପନ ଅର୍ଥାତ ବୈଶ୍ୱିକ ତାପମାତ୍ରା ବୃଦ୍ଧି ଚଳିତ ଶତାବ୍ଦୀର ସବୁଠାରୁ ବଡ ପରିବେଶୀୟ ସଙ୍କଟ ରୂପେ ମୁଣ୍ଡ ଟେକିଛି I  IPCC  ର  ଏକ ରିପୋର୍ଟ ଅନୁଯାୟୀ  ଆମର ଗ୍ରହ ବିଗତ ଶତାବ୍ଦୀରେ 0.6% ଅଧିକ ଉତ୍ତପ୍ତ ହୋଇଛି ଏବଂ ଆଗମୀ 2100 ଖ୍ରୀଷ୍ଟାବ୍ଦ ବେଳକୁ ତାପମାତ୍ରା 2.4 ରୁ 4.8 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୄଦ୍ଧି ପାଇବାର ଆଶଙ୍କା ରହିଛି I ଏହାର ପ୍ରଭାବରେ ଗତବର୍ଷ ଗ୍ରୀଷ୍ମଋତୁରେ ବିଶ୍ୱସାରା ଜାପାନ୍‍ ରୁ ଆରମ୍ଭକରି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା,  ଦକ୍ଷିଣ ୟୁରୋପ୍ ଏବଂ ଉତ୍ତର ଆଫ୍ରିକାରେ ତାପମାତ୍ରା  ସମସ୍ତ ପୂର୍ବ ରେକର୍ଡକୁ ଭଙ୍ଗ କରିଥିଲାବେଳେ ଇଟାଲୀର କେତେକ ସ୍ଥାନରେ ତାପମାତ୍ରା  47 ଡିଗ୍ରୀ ସେଲସିୟସ୍  ସୀମା ଛୁଇଁଥିଲା I

   ଗିଗତ 2003 ମସିହାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ୟୁରୋପରେ  ସମୁଦାୟ 35,000 ଲୋକଙ୍କ ମୄତ୍ୟୁ ଘଟିଥିଲାବେଳେ  ଏକାକୀ ଫ୍ରାନ୍ସ୍ ରେ 15,000 ଜଣ ଲୋକଙ୍କ ପ୍ରାଣହାନି ଘଟିଥିଲା I ଆମ ଦେଶରେ ବିଶ୍ୱ ତାପନ  ପ୍ରଭାବରୁ କୄଷି, ଜଙ୍ଗଲ, ମତ୍ସ୍ୟଚାଷ ଭଳି ଜଳବାୟୁ ସ୍ପର୍ଶକାତର କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ 70 କୋଟି ଲୋକ ସିଧାସଳଖ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଏ I ବିଶ୍ୱ ତାପନର ଏକ ସଦ୍ୟତମ ଉଦାହରଣ ହେଉଛି  ଗତ ବର୍ଷ (2024 ମସିହାରେ) ଦୁବାଇରେ ଘଟିଥିବା ନାହିଁନଥିବା ବନ୍ୟା ଦୁବାଇ ଚିରାଚରିତ ଭାବେ  ସ୍ୱଳ୍ପ ବୃଷ୍ଟିପାତ ତଥା ଶୁଷ୍କ ମରୁ ଜଳବାୟୁ ନିମନ୍ତେ ଜଣାଶୁଣା I ମାତ୍ର ଏଠାରେ ପ୍ରବଳ ବୄଷ୍ଟିପାତ ଘଟି ଜଳ ନିଷ୍କାସନ ଅଭାବରୁ ସହରର ଭିତ୍ତିଭୂମି ବ୍ୟବସ୍ଥା ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା ଏବଂ କିଛି ଲୋକଙ୍କର ମଧ୍ୟ ମୄତ୍ୟୁ ଘଟିଥିଲା I ଏହା ଛଡା, ଗରମ ସମ୍ବନ୍ଧୀୟ ପାଣିପାଗ ଘଟଣାଗୁଡ଼ିକ ବିଶ୍ୱର ଜଳଯୋଗାଣ ଏବଂ ପଶୁମାନଙ୍କ ଚାରଣଭୂମିର ସଂପ୍ରସାରଣକୁ  ମଧ୍ୟ ବାଧାପ୍ରାପ୍ତ କରିଛି  ଯାହା ଫଳରେ ଫସଲ ଉତ୍ପାଦନ ତଥା ପଶୁପାଳନ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ଅତ୍ୟଧିକ ଗରମ ଓ  ତାପଲହରୀ ଯୋଗୁଁ ପଦାରେ କାମଦାମ କରିବା ମଧ୍ୟ  କଷ୍ଟକର ହୋଇଛି  ଯାହା ଫଳରେ  ବ୍ୟକ୍ତି ଓ ସମାଜର ଉତ୍ପାଦନଶୀଳତା ହ୍ରାସ ଘଟିଛି I  

 ଜଳବାୟୁ ପରିବର୍ତ୍ତନ

          ପ୍ରକୄତିର ଏହି କ୍ରୁର ମନୋଭାବ  ବୈଶ୍ୱିକ ପାଣିପାଗ ଓ ଜଳବାୟୁ ବ୍ୟବସ୍ଥାରେ ଘୋର ପରିବର୍ତ୍ତନ ଆଣି ଦେଇଛି ଯାହାର ପରିଣାମସବୁ ଏବେ ପରିଲକ୍ଷିତ ହେଲାଣି ହିମବାହସବୁରେ ବରଫ ବିଗଳନ   ଏବଂ ତଜ୍ଜନିତ ସମୁଦ୍ର ପତ୍ତନର ବୄଦ୍ଧି, ଅନିୟମିତ ବୄଷ୍ଟିପାତ, ଛନ୍ଦହରା ମୌସୁମୀ , ଦାରୁଣ ଗ୍ରୀଷ୍ମପ୍ରବାହ  ତଥା କ୍ରାନ୍ତିମଣ୍ଡଳୀୟ ଘୂର୍ଣ୍ଣିଝଡର ସଂଖ୍ୟା ବୄଦ୍ଧି ଭଳି  ଚରମ ପାଣିପାଗ ଅବସ୍ଥାର ପ୍ରବଳତା, କୃଷି ଉତ୍ପାଦନର ପରିମାଣ ହ୍ରାସ ଏବଂ ଡେଙ୍ଗୁ ମେଲେରିଆ ଭଳି ବାହକ ଜନିତ ସଂକ୍ରାମକ ରୋଗର ସଂଖ୍ୟା ବୃଦ୍ଧି ଆଦି ଘଟଣା ଏହାର କିଛି ଦୄଶ୍ୟମାନ ପରିଣାମ I   

ଭାରତୀୟ କୄଷିର ମୂଳାଧାର ମୌସୁମୀ ବାୟୁପ୍ରବାହ ଅଜି ଅନିୟମିତ ଓ ଛନ୍ଦହରା ସ୍ୱଳ୍ପ ଓ ଅନିୟମିତ ବୄଷ୍ଟିପାତ ହେତୁ ଭାରତୀୟ କୄଷି ଗୁରୁତର ବାଧାପ୍ରାପ୍ତ ହୋଇଛି ଓ  କୄଷକମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି I   ବିଶ୍ୱର ପଣିପାଗ ଧାରା ବଦଳି ଯାଇ ଅଧିକାଂଶ ସ୍ଥାନରେ ମୃଦୁ ତାପମାତ୍ରା ପରିବର୍ତ୍ତେ ଚରମ ପାଣିପାଗ ଘଟଣାବଳି ପରିଲକ୍ଷିତ ହେଉଛି I ଉଷ୍ମ ସମୁଦ୍ର ଜଳର ପ୍ରଭାବରେ ଘୂର୍ଣ୍ଣିବାତ୍ୟା, ଟାଇଫୁନ୍ , ହରିକେନ୍ ଭଳି  କ୍ରାନ୍ତିମଣ୍ଡଳୀୟ ଝଡର ସଂଖ୍ୟା ଓ ତୀବ୍ରତା  ବୃଦ୍ଧି ପାଇଛି I ବିଶ୍ୱ ପାଣିପାଗ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଏଲ ନିନୋଆଜି  ବିଶୄଂଖଳିତ I ଜଳବାୟୁ ପରିବର୍ତ୍ତନ ଫଳରେ ବିଶ୍ୱସାରା ଜଳର ଉପଲବ୍ଧତାରେ ଘୋର ଅନିୟମିତତା ପରିଲକ୍ଷିତ ହେଉଛି I ଏହାଦ୍ୱାରା ବିଶ୍ୱର ବହୁ ଅଞ୍ଚଳରେ ପାନୀୟ ଓ କୄଷି କାର୍ଯ୍ୟ ପାଇଁ ଜଳର ଘୋର ଅଭାବ ଦେଖା ଦେଇଛି ଏବଂ ବିଶ୍ୱର ଅନେକ  ଦେଶରେ ମରୁଡିର ପ୍ରାଦୁର୍ଭବ ବଢିଛି ତଥା ମରୁଭୂମିର ବିସ୍ତାରକରଣ ଘଟିଛି I

    ଜଳବାୟୁ ପରିବର୍ତ୍ତନ ସ୍ଥଳଭାଗ ଏବଂ ସମୁଦ୍ରରେ ଜୀବ ପ୍ରଜାତିମାନଙ୍କ ବଞ୍ଚିବା ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା  ଜୀବ ବିଲୁପ୍ତି ପ୍ରକ୍ରିୟା ତ୍ୱରାନିତ  ହୋଇଛି ଏବଂ  ମାନବ ଇତିହାସର ଅନ୍ୟ ଯେକୌଣସି ସମୟ ତୁଳନାରେ ଏବେ  ଜୀବ ପ୍ରଜାତି 1000 ଗୁଣ ଅଧିକ ହାରରେ ଲୋପ ପାଉଛନ୍ତି। ଆଗାମୀ କିଛି ଦଶନ୍ଧି ମଧ୍ୟରେ ଦଶ ଲକ୍ଷ ଜୀବ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି। ଜଙ୍ଗଲ ଅଗ୍ନିକାଣ୍ଡ, ଚରମ  ପାଣିପାଗ ପରିସ୍ଥିତି, ପ୍ରଜାତି ଆକ୍ରମଣାତ୍ମକ କୀଟପତଙ୍ଗ ମାନଙ୍କ ସଂଖ୍ୟା  ବୄଦ୍ଧି  ଏବଂ କିଛି ସଂକ୍ରମଣ ଜନିତ ବ୍ୟାଧିର ପ୍ରସାର   ମଧ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ  ତୀବ୍ରତର ହେଉଛି।

ଜଳବାୟୁରେ ପରିବର୍ତ୍ତନ ଏବଂ ଚରମ ପାଣିପାଗ ଘଟଣା ମଧ୍ୟ ବିଶ୍ୱର ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତର ପ୍ରଭାବିତ କରିଛି I ଏହାଦ୍ୱାରା  ବିଶ୍ୱରେ କ୍ଷୁଧା ଏବଂ ଅପପୁଷ୍ଟିର ପ୍ରସାର ଘଟିଛି । ମତ୍ସ୍ୟପାଳନ, ଫସଲ ଏବଂ ପଶୁପାଳନ ଭଳି କ୍ଷେତ୍ରଗୁଡ଼ିକ ନଷ୍ଟ ହେଉଛି କିମ୍ବା ସେଗୁଡିକ ସ୍ୱଳ୍ପ ଉତ୍ପାଦନଶୀଳ ପାଲଟି ଯାଉଛନ୍ତି । ସମୁଦ୍ରର ଜଳରାଶି  ଅଧିକ ଅମ୍ଳୀୟ ହେବା ଫଳରେ  କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ସାମୁଦ୍ରିକ ପ୍ରାଣୀମାନେ ଏବେ ବିଲୁପ୍ତିର ଦ୍ୱାରଦେଶରେ । ଆର୍କଟିକ୍ ଅଞ୍ଚଳରେ ସ୍ୱଳ୍ପ ତୁଷାରପାତ ଓ ବରଫ ବିଗଳନ ଯୋଗୁଁ ବରଫ ଆବରଣର ସଙ୍କୋଚନ ଘଟୁଛି ଯାହାଦ୍ୱାରା  ଗୋଷ୍ଠରେ ପଶୁପାଳନ, ଶିକାର ଏବଂ ମାଛ ଧରିବା ଭଳି କ୍ଷେତ୍ର ଗୁରୁତର କ୍ଷତିଗ୍ରସ୍ତ ହୋଇଛି।

    ଜଳବାୟୁ ପରିବର୍ତ୍ତନ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଗୁରୁତର ପ୍ରଭାବିତ କରିଛି । ପ୍ରତିବର୍ଷ, ପରିବେଶଗତ କାରଣଗୁଡ଼ିକ ଦ୍ୱାରା ପ୍ରାୟ 130 ଲକ୍ଷ ଲୋକଙ୍କ ପ୍ରାଣହାନି ଘଟୁଛି। ପରିବର୍ତ୍ତନଶୀଳ ପାଣିପାଗ  ବ୍ୟବସ୍ଥା ଦ୍ୱାରା ବ୍ୟାଧିର ପ୍ରସାରଣ ଘଟୁଛି ଏବଂ  ବନ୍ୟା ବାତ୍ୟା ଭଳି ଚରମ ପାଣିପାଗ ଘଟଣା ଦ୍ୱାରା ଲୋକଙ୍କ ମୄତ୍ୟୁ ସଂଖ୍ୟା ବଢିଛି I ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟସେବା ଯୋଗଣ ସଂସ୍ଥାଗୁଡିକ ଦ୍ୱାରା ଲୋକମାନଙ୍କୁ  ସୂଚାରୁ ସ୍ୱାସ୍ଥ୍ୟସେବା ଯୋଗାଣ ବ୍ୟବସ୍ଥାରେ ମଧ୍ୟ ଗୁରୁତର ସମସ୍ୟା ସୄଷ୍ଟି ହୋଇଛି I

  ଜଲବାୟୁ ପରିବର୍ତ୍ତନର ଅନ୍ୟ ଏକ ପରିଣାମ ହେଉଛି ବନ୍ୟା ଓ ବାତ୍ୟା I ବନ୍ୟା ଗାଁ ଓ ସହରାଞ୍ଚଳରେ ଥିବା ଜନଜୀବନକୁ  ଉଜାଡ଼ି ଦେଇଛି  ଏବଂ  ବାସଗୄହ ଓ ଜୀବିକା ନଷ୍ଟ କରିଛି । ଗତ ଦଶନ୍ଧି (୨୦୧୦-୨୦୧୯) ମଧ୍ୟରେ, ପାଣିପାଗ ସମ୍ବନ୍ଧୀୟ ଘଟଣାଗୁଡ଼ିକ ପ୍ରତି ବର୍ଷ ହାରାହାରି ୨୩.୧ ନିୟୁତ ଲୋକଙ୍କୁ ବିସ୍ଥାପିତ କରିଛି, ଯାହା ଫଳରେ ଲୋକେ  ନାହିଁନଥିବା ଦାରିଦ୍ର୍ୟର ଶିକାର ହୋଇଛନ୍ତି ଏବଂ ଭିଟା ମାଟି  ଛାଡି ଅନ୍ୟ ଦେଶକୁ ପଳାୟନ କରିଛନ୍ତି । ଲୋକେ ମୂଖ୍ୟତଃ  ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ପାଇଁ ପ୍ରସ୍ତୁତ ନଥିବା ଦେଶକୁ ହିଁ ତ୍ୟାଗ କରି ଅନ୍ୟତ୍ର ବିସ୍ଥାପିତ ହୋଇ ଥାଆନ୍ତି I  

 ସମୁଦ୍ର ପତ୍ତନର ଅଭିବୄଦ୍ଧି

ମାନବକୄତ କାର୍ଯ୍ୟକଳାପ ଯୋଗୁଁ  ବିଶ୍ୱ ତାପନ କାରଣରୁ ମେରୁର ତୁଷାରବୃତ୍ତ ଶୄଙ୍ଗ ଓ ହିମବାହ ସବୁରେ କେଁଉ ଆବହମାନ କାଳରୁ  ଜମାଟ ବନ୍ଧିଥିବା ବରଫ ଏବେ ତରଳି ଯାଉଛି ଏହି ବିପୁଳ ଜଳରାଶି ନଦୀ ଦେଇ ସମୁଦ୍ରକୁ ପ୍ରବାହିତ ହେଉଛି I ସମୟକ୍ରମେ, ଏହି ଅତିରିକ୍ତ ଜଳ ସମୁଦ୍ରରେ ମିଶି ସମୁଦ୍ରର ଜଳ ପତ୍ତନ ବୃଦ୍ଧି କରୁଛି  I କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାରେ ସମୁଦ୍ରଜଳର ମଧ୍ୟ ତାପୀୟ ପ୍ରସାରଣ ଘଟି ସମୁଦ୍ର ପତ୍ତନ ବୄଦ୍ଧି ଘଟୁଛି I ବିଗତ ୧୯୦୧ ରୁ ୨୦୧୮  ମସିହା ସମୟକାଳ ମଧ୍ୟରେ, ହାରାହାରି ବୈଶ୍ୱିକ ସମୁଦ୍ରପତ୍ତନ ୫ ରୁ ୨୫ ସେ.ମି. ବୃଦ୍ଧି ପାଇଛି I ଏହି ବୄଦ୍ଧି  ୧୯୭୦ ଦଶକ ପରଠାରୁ ପ୍ରତିବର୍ଷ ୨.୩ ମି.ମି. ହାରରେ ଘଟୁଛି ଯାହା  ବିଗତ ୩୦୦୦ ବର୍ଷ ମଧ୍ୟରେ ସର୍ବାଧିକ। ବିଗତ ୨୦୧୩-୨୦୨୨ ଦଶକରେ ଏହି ହାର ବୄଦ୍ଧି ପାଇ ବାର୍ଷିକ ୪.୬୨ ମି.ମି. ମୂଲ୍ୟରେ  ପହଞ୍ଚିଲାଣି। ବିଗତ ୧୯୯୩ ରୁ ୨୦୧୮ ମସିହା ଅବଧି ମଧ୍ୟରେ, ସମୁଦାୟ ସମୁଦ୍ରପତ୍ତନ ବୃଦ୍ଧିର ୪୪% ଅଂଶ  ବରଫ ବିଗଳନ ଯୋଗୁଁ ହୋଇଥିଲାବେଳେ  ଜଳର ତାପୀୟ ପ୍ରସାରଣ ଜନିତ ପ୍ରଭାବ ସମୁଦ୍ର  ପତ୍ତନର ଆହୁରି ୪୨ଅଂଶ ବୃଦ୍ଧି ପାଇଁ  ଦାୟୀ ବୋଲି ଜଣା ପଡିଛି।

ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ତୁଭାଲୁ, ମାର୍ଶାଲ୍ ଦ୍ୱୀପପୁଞ୍ଜ, କିରିବାଟି ଏବଂ ମାଳଦ୍ୱୀପ ଭଳି କିଛି  ପ୍ରଶାନ୍ତ ମହାସାଗରୀୟ ଏବଂ ଭାରତ ମହାସାଗରୀୟ ଦ୍ୱୀପପୁଞ୍ଜର ଅଧିବାସୀମାନଙ୍କ  ପ୍ରତି ସଙ୍କଟ ସୃଷ୍ଟି ହୋଇଛି I କାର୍ଟେରେଟ୍ ଏବଂ ସୋଲୋମନ ଭଳି ଅନ୍ୟ କିଛି ଦ୍ୱୀପପୁଞ୍ଜର ଅଧିବାସୀମାନେ  ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ  ସ୍ଥଳଭାଗ କ୍ଷୟର  ପରିଣାମ ଭୋଗି ସାରିଲେଣି I ସମୁଦ୍ର ପତ୍ତନ ବୃଦ୍ଧି କାରଣରୁ ଉପକୂଳ ଅଞ୍ଚଳର  ଭୂମିର ଅବକ୍ଷୟ, ବନ୍ୟା ପ୍ରକୋପ ବୃଦ୍ଧି, ମଧୁର ଜଳଉତ୍ସରେ ଲୁଣିଆ ଜଳର ପ୍ରବେଶ ଏବଂ ଉପକୂଳ  ଅଧିବାସୀମାନଙ୍କର  ବିସ୍ଥାପନ ଭଳି ପରିଣାମମାନ ସୃଷ୍ଟି ହେଉଛି। ଏହା ମଧ୍ୟ ଭିତ୍ତିଭୂମି ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ସଙ୍ଗେ ସଙ୍ଗେ  ପ୍ରବାଳ ପ୍ରାଚୀର ଏବଂ ଆର୍ଦ୍ରଭୂମି ଭଳି ପରିବେଶୀୟ ସ୍ପର୍ଶକାତର ପରିସଂସ୍ଥାକୁ ପ୍ରଭାବିତ ତଥା ପର୍ଯ୍ୟଟନ ଭଳି ମାନବକୄତ କାର୍ଯ୍ୟକଳାପକୁ ବାଧାପ୍ରାପ୍ତ କରୁଛି।

 ଓଡିଶା ଉପରେ ପ୍ରଭାବ

         ବିଶ୍ୱ ତାପନର ପ୍ରଭାବ ଆମ ରାଜ୍ୟ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି ଲଘୁଚାପ, ଘୂର୍ଣ୍ଣିଝଡ ଏବଂ ଅବପାତ ଜନିତ ବୄଷ୍ଟିପାତ ଏବେ ଆମ ରାଜ୍ୟବାସୀଙ୍କ ପାଇଁ ଏକ ସାଧାରଣ ଘଟଣା ପାଲଟି ଗଲାଣି I ଅଦିନିଆ ଓ ଅନିୟମିତ  ବୄଷ୍ଟିପାତ ଫଳରେ ଚାଷୀମାନେ ଗୁରୁତର କ୍ଷତିଗ୍ରସ୍ତ ହେଉଛନ୍ତି I ଇତି ମଧ୍ୟରେ ଅନେକ ପ୍ରଳୟଙ୍କରୀ ବାତ୍ୟା ବଙ୍ଗୋପ ସାଗରରେ ଉଠି ଓଡିଶା ଉପକୂଳ ଦେଇ ଅତିକ୍ରମ କରିଛି ଓ ଧନଜୀବନର ବ୍ୟାପକ କ୍ଷୟକ୍ଷତି ଘଟାଇଛି ସେଥି ମଧ୍ୟରୁ 19711999 ମସିହାର ମହାବାତ୍ୟା, ଫାଇଲିନ୍ (2013), ତିତିଲି (2018), ଫନି (2019), ଜାୱ୍ୱଦ ଓ ୟଶ (2021), ମୋନ୍ଥା (2025)ଙ୍କ ନାମ ଉଲ୍ଲେଖଯୋଗ୍ୟ I    ଲୋକଙ୍କ ପ୍ରାଣ ପ୍ରବାହିକା ନଦୀମାନେ ଏବେ ଶୁଖିଲା ଓ ସମ୍ଭାବନାଶୂନ୍ୟା ବିଗତ 1998 ମସିହାରେ ଘଟିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ ତଥା 1999 ମସିହାର ମହାବାତ୍ୟାରେ  ଉଭୟ ଆଭ୍ୟନ୍ତରିଣ ତଥା ଉପକୂଳ ଓଡିଶାରେ ଶତାଧିକ ଲୋକଙ୍କର ପ୍ରାଣହାନି ଘଟିଥିଲା I ଲଗାଣ ବନ୍ୟା ଏବଂ ମରୁଡି  ରାଜ୍ୟ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଥିଲାବେଳେ  ଅଦିନିଆ ବର୍ଷା ଓ ଫସଲହାନି ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି I

    ଇତି ମଧ୍ୟରେ, ସମୁଦ୍ର ରାଜ୍ୟ ପାଇଁ ଏକ ବଡ ବିପଦ ରୂପେ ମୁଣ୍ଡ ଟେକିଛି I ବଙ୍ଗୋପ ସାଗର  ଦ୍ରୁତ ଗତିରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ଏବଂ ଅନେକ ସମୁଦ୍ରକୂଳିଆ ଉର୍ବର ଚାଷଜମି ଓ ଜନବସତି ଏହାର କରାଳ ଗର୍ଭରେ ଲୀନ ହୋଇ ସାରିଲାଣି I ଏହାଦ୍ୱାରା ରାଜ୍ୟ ଅର୍ଥନୀତି ତଥା ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି I ମିଳିଥିବା ଏକ ସୂଚନା ଅନୁଯାୟୀ, ବଙ୍ଗୋପ ସାଗରର ବୃଦ୍ଧି ପାଉଥିବା ଜଳସ୍ତର ଏବଂ ଉପକୂଳ ମୄତ୍ତିକାକ୍ଷୟ ଫଳରେ ୧୬ଟି ଗାଁ ସମୁଦ୍ର ଜଳରେ ସମ୍ପୁର୍ଣ୍ଣ ବୁଡ଼ି ସାରିଲାଣି ଏବଂ ଏହା ଯୋଗୁଁ  ସମୁଦାୟ ୨୪୭ ଜଣ ଲୋକଙ୍କୁ ବିସ୍ଥାପିତ କରାଯାଇଛି । ବିଶେଷକରି, ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ସାତଭାୟା  ଦ୍ୱୀପପୁଞ୍ଜ ସମୁଦ୍ର ପତନ ବୃଦ୍ଧିର ଶିକାରର ଏକ ଜ୍ୱଳନ୍ତ ଉଦାହରଣ I ସମୁଦ୍ର ପତ୍ତନ ବୃଦ୍ଧି ଫଳରେ, ଏହି ଅଞ୍ଚଳରୁ  କିଛି  ଗ୍ରାମ ଓ ଗ୍ରାମ ବାସିନ୍ଦାମାନଙ୍କୁ ଅନ୍ୟତ୍ର  ସ୍ଥାନାନ୍ତରିତ କରାଯାଇଛି । ସାତଭାୟାର ଏକ ବଡ଼ ଭୂଖଣ୍ଡ  ସମୁଦ୍ର ପତ୍ତନ ବୃଦ୍ଧି ଦ୍ୱାରା ସମୁଦ୍ରଗର୍ଭରେ ଲୀନ  ହୋଇଛି । ଏକଦା ସାତଟି ଗ୍ରାମର ଏକ ସମୂହ ବୋଲି ଜଣାଥିବା  ସାତଭାୟା ଭୂଖଣ୍ଡରେ ଏବେ କେବଳ ଗୋଟିଏ ଛୋଟିଆ ଅଂଶ ବାକି ରହି ଯାଇଛି, ଯାହା ମଧ୍ୟ  ବିଲୁପ୍ତିର ଦ୍ୱାରଦେଶରେ। ବଙ୍ଗୋପ ସାଗର ଅନ୍ୟ ଛଅଟି ଗ୍ରାମ ଯଥା ଗୋବିନ୍ଦପୁର, ମୋହନପୁର, ଚିନ୍ତାମଣିପୁର, ବଡ଼ଗହୀରାମଠ, କହ୍ନେଇପୁର ଏବଂ ଖାରିକୁଲାକୁ ସମ୍ପୂର୍ଣ୍ଣ ରୂପେ  ଗ୍ରାସ  କରି ସାରିଲାଣି ଗତ ୨୦୧୮ ମସିହାରେ, ଜିଲ୍ଲା ପ୍ରଶାସନ ସାତଭାୟା ଗ୍ରାମପଞ୍ଚାୟତରୁ ୫୭୧ଟି ପରିବାରକୁ ସମୁଦ୍ରତଟଠାରୁ ୧୨ କି.ମି. ଦୂରରେ ଥିବା ବାଗାପାଟିଆ ଗ୍ରାମର ଏକ ପୁନର୍ବାସ ଶିବିରକୁ ସ୍ଥାନାନ୍ତରିତ କରିଥିଲେ। ବର୍ତ୍ତମାନ, ବିସ୍ଥାପିତ ପରିବାରର ସମୁଦାୟ ୧୭,୦୪୯ ଜଣ ଲୋକ ଏହି ପୁନର୍ବାସ ଶିବିରରେ ଥଇଥାନ ହୋଇଛନ୍ତି । ମାତ୍ର ଅଧିକାଂଶ ଲୋକ ଏହି ନୂତନ ରହଣିସ୍ଥଳୀରେ ଏପର୍ଯ୍ୟନ୍ତ ଖୁସି ନୁହଁନ୍ତି I  

   ପ୍ରକୄତି ଚିରଦିନ ମଧୁର ଓ ଉଦାର I ମାତ୍ର ପ୍ରକୄତି ସହିତ ହସ୍ତକ୍ଷେପ କଲେ ଏହା ପାଲଟି ଯାଏ ଉତ୍ତପ୍ତ ଓ ଉଦାସ I ତେବେ ଆଜିର ଏହି ବିପର୍ଯ୍ୟୟ ଓ ଅବକ୍ଷୟ ପ୍ରକୄତିର ମନୁଷ୍ୟ ପ୍ରତି ବିଦ୍ରୁପ ନୁହେଁ କି? ତେବେ ଆସନ୍ତୁ, ପ୍ରକୄତି ସହିତ ମିଳିମିଶି ବାସ କରିବା ଏବଂ ଏକ ପରିବେଶପ୍ରିୟ ଜୀବନଶୈଳୀ ଆପଣେଇ ନେବା I ତେବେ ଯାଇ, ବସନ୍ତର ବର୍ଣ୍ଣବିଭା ଓ କୋଇଲିର କୁହୂତାନ ପୁଣି ଫେରି ଅସିବ I ମୌସୁମୀ ପୁଣି ହୋଇଯିବ ଛନ୍ଦଭରା ଏବଂ ନଦୀମାନେ ପାଲଟିଯିବେ ପ୍ରଗଳଭା ଓ ସ୍ରୋତସ୍ୱିନୀ କୃଷକର ଶସ୍ୟକ୍ଷେତ୍ର ଏବଂ ଚାରଣଭୁମି ପୁଣି ସବୁଜିମାରେ ଭରିଯିବ ଏବଂ ଗୋମାତାମାନଙ୍କର ଚିର କ୍ଷୀରରେ ପୂର୍ଣ୍ଣ ହୋଇଯିବ I ଉଜୁଡା ଜଙ୍ଗଲ ସ୍ଥାନରେ ନୂତନ ଅରଣ୍ୟ  ଗଢି ଉଠିବ ଏବଂ ଝରଣାର ମୁର୍ଛନାରେ ଜଙ୍ଗଲ ପୁଣି ନିନାଦିତ ହେବ I ତେବେ ଯାଇ ପ୍ରକୄତିରାଣୀ ପଲଟିଯିବ  ମାଦକତାଭରା  ଓ ସମ୍ଭାବନାପୂର୍ଣ୍ଣା I   ଆଉ ଆମେ ମନୁଷ୍ୟ ପ୍ରକୄତିର ପୂଜାରୀ ସାଜି ଆବାହନ କରିବା ତାର ସେହି ସତ୍ୟ , ଶିବ ଓ ସୁନ୍ଦର ରୂପକୁ I

 

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର

ଫୋନ୍ : 8917637974




 

        The Sakala Sindura, dated 22.04.26 :

https://drive.google.com/file/d/1mJIXBu80lJRgSj47ltuehNUV78QciktL/view?usp=sharing


 


Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ MOBILE APP