ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ MOBILE APP

 

                                 ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ

 ନିକୁଞ୍ଜ ବିହାରୀ ସାହୁ

 

        ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ୍, ଇଣ୍ଟରନେଟ ଓ ଆପ୍ପର ବ୍ୟବହାର ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଛି । ଟଙ୍କା ନେଣଦେଣ, ବ୍ୟାଙ୍କିଙ୍ଗ, ସ୍ୱାସ୍ଥ୍ୟସେବା, ସରକାରୀ ସେଵାଗୁଡିକର ଉପଲବ୍ଧତା, ବଜାର,  ଟ୍ରେଡିଙ୍ଗ, ଶିକ୍ଷା, ପାଣିପାଗ ସୂଚନା ଓ ମନୋରଞ୍ଜନ ଭଳି ଜୀବନର ଅଧିକାଂଶ କ୍ଷେତ୍ର  ପ୍ପ  ମାଧ୍ୟମରେ ଘରେ ବସି ଅତି ସୁବିଧାରେ ସମ୍ପାଦିତ  ହୋଇ ପାରୁଥିବାରୁ ସମାଜରେ ଆପ୍ପର ଲୋକପ୍ରିୟତା ବୃଦ୍ଧି ପାଇଛି । କିନ୍ତୁ ଏବେ ଏହି ଆପ୍ସମାନଙ୍କ ଅନିୟନ୍ତ୍ରିତ ବ୍ୟବହାର  ବିଶେଷକରି ଶିଶୁମାନଙ୍କ ମାନସିକ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିଛିଏହାଦ୍ୱାରା ସେମାନଙ୍କ ବୌଦ୍ଧିକ ବିକାଶ ଗୁରୁତର ବାଧାପ୍ରାପ୍ତ ହୋଇ ସମଗ୍ର ବିଶ୍ୱରେ ଏକ ଗୁରୁତର ସାମାଜିକ ସମସ୍ୟା ରୂପେ ମୁଣ୍ଡ ଟେକିଛି I

       ଭାରତ ଓ ବିଶ୍ୱରେ ଆପ୍ପ ଦୁରୂପଯୋଗର ଅନେକ ଦୄଷ୍ଟାନ୍ତ ରହିଛି I  ଅତୀତରେ ଭାରତରେ ପବ୍‌ଜି (PUBG) ଆପ୍ପର ଆସକ୍ତିରୁ ବହୁ ଶିଶୁ ଓ  ଅଭିଭାବକ ଦୁର୍ଦ୍ଦଶାର ସମ୍ମୁଖୀନ୍ନ  ହୋଇଛନ୍ତି । ଗତ 2020 ମସିହାରେ ଲୁଧିଆନାର ଜଣେ 16 ବର୍ଷୀୟ ଛାତ୍ର ଏହି ପବ୍‌ଜି ଆପ୍ପରେ ଖେଳ ଖେଳିବା ପାଇଁ ପିତାମାତାଙ୍କ ବ୍ୟାଙ୍କଖାତାରୁ 16 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ସେହିପରି, ଉତ୍ତର ପ୍ରଦେଶର ଜଣେ କିଶୋର ଏହି ଆପ୍ପର ଆସକ୍ତିରୁ ପରିବାରରେ ହିଂସା ଘଟାଇଥିବା ଖବର ମଧ୍ୟ ପ୍ରଚାରିତ ହୋଇଛି । ବିଶ୍ୱସ୍ତରରେ ଟିକ ଟୋକ୍ ଆପ୍ପରେ "ଚ୍ୟାଲେଞ୍ଜ" କାର୍ଯ୍ୟକଳାପ  ସମୟରେ ଅନେକ ଶିଶୁ ପ୍ରାଣ ହରାଇଛନ୍ତି। ଅତୀତରେ, ବ୍ରିଟେନ୍ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆପ୍ପର  ବ୍ଲାକ୍‌ଆଉଟ୍‌ ଚ୍ୟାଲେଞ୍ଜଗତିବିଧିରେ କିଛି କିଶୋର କିଶୋରୀଙ୍କ ମୃତ୍ୟୁ ଘଟିଥିବାର ଦୃଷ୍ଟାନ୍ତ ରହିଛି। ସେହିପରି, ସ୍ନାପ୍ ଚାଟ୍ ଆପ୍ପ ମାଧ୍ୟମରେ ନିଶାଦ୍ରବ୍ୟ  ବିକ୍ରି ସାଇବର୍ ବୁଲିଂ ଭଳି ଘଟଣାମାନ ବୃଦ୍ଧି ପାଇଛି। ହ୍ୱାଟସ୍‌ଆପ୍ ଓ ଟେଲିଗ୍ରାମ୍ ପରି ଲୋକପ୍ରିୟ ସୋସିଆଲ ମିଡିଆ  ଆପ୍ସରେ ଫିଶିଙ୍ଗ (Phishing), ମୋଡ୍‌ ଆପ୍ସ (MOD App), ନକଲି ଲିଙ୍କ୍ (Fake Link) ଇତ୍ୟାଦି ଅନୈତିକ କାର୍ଯ୍ୟକଳାପ  ମାଧ୍ୟମରେ ଠକାମୀ, ପାସୱାର୍ଡ ଚୋରି, ଓ ବ୍ୟାଙ୍କ ଖାତାରୁ ଟଙ୍କାଲୁଟ  ଭଳି  ସାଇବର ଅପରାଧ ଭଳି ଘଟଣା  ବିଶ୍ୱସାରା ଚାଞ୍ଚଲ୍ୟ ସୄଷ୍ଟି କରିଛି I

    କିଛି ବର୍ଷ ପୂର୍ବେ ଚୀନା  ଆପ୍ପ ‘ଟିକ ଟୋକ  ନିଜର ଆକର୍ଷଣୀୟ ସାମଗ୍ରୀ ତଥା ମନୋରଞ୍ଜକ ପରିପାଟ୍ଟୀ ପାଇଁ ଭାରତରେ ବେଶ୍ ଲୋକପ୍ରିୟ ହୋଇଥିଲା। କିନ୍ତୁ ଏହି ଆପ୍ସରେ ଅଶ୍ଳୀଳ, ଅପରାଧ ପ୍ରବଣ  ତଥା ଆପତ୍ତି ଜନକ ସାମଗ୍ରୀ ପ୍ରଚାରିତ ହେବାରୁ ଭାରତ ସରକାର ଗତ 2020 ମସିହାରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ନିଷିଦ୍ଧ କରିଥିଲେ ଅତୀତରେ ଏହି ଆପ୍ପରେ  ଚ୍ୟାଲେଞ୍ଜ’ କାରଣରୁ ସମଗ୍ର ବିଶ୍ୱରେ  ଅନେକ ଦୁର୍ଘଟଣା  ଘଟିଛି ଭାରତରେ ଗତ 2020 ମସିହାରେ ମଦୁରାଇର  ଜଣେ 24 ବର୍ଷୀୟ ଯୁବକ ଏହି ଆପ୍ପରେ ଚ୍ୟାଲେଞ୍ଜ  ରୁଥିବାବେଳେ ଜୀବନ ହରାଇଥିଲେ ସେହିପରି, Helo, Likee, Bigo Live, Vigo Video ପରି ଅନ୍ୟ ଆପ୍ସଗୁଡିକୁ ମଧ୍ୟ ଅନୁରୂପ କାରଣରୁ ଦେଶରେ ପ୍ରତିବନ୍ଧିତ କରାଯାଇଛି। ଏଗୁଡିକୁ ବ୍ୟବହାର କରୁଥିବା ଅନେକ କିଶୋର-କିଶୋରୀ ଅହେତୁକ ଆତ୍ମପ୍ରଚାର, ମିଥ୍ୟା ସୌନ୍ଦର୍ଯ୍ୟବୋଧ ଲାଇକ୍ସ-କମେଣ୍ଟ୍ ପ୍ରାପ୍ତି ଜନିତ ଆସକ୍ତିର ଶିକାର ହେଉଛନ୍ତି ଏଥିରୁ ସେମାନଙ୍କର ଶିକ୍ଷାଜୀବନ, ମେଧା, ଚିନ୍ତନ କ୍ଷମତା, ସ୍ମରଣ ଶକ୍ତି ଚରିତ୍ର ଗଠନ ପ୍ରକ୍ରିୟା ଗୁରୁତର ପ୍ରଭାବିତ ହୋଇଛି

       ବିଶେଷକରି  ଗେମିଙ୍ଗ ଆପ୍ସ ଗୁଡିକ  ଶିଶୁମାନଙ୍କ ପାଇଁ ଏକ ଗୁରୁତର ସଙ୍କଟ ରୂପେ ଉଭା ହୋଇଛି I  ଚିତ୍ତାକର୍ଷକ ମନୋରଞ୍ଜନ ସାମଗ୍ରୀ ଯୋଗାଉଥିବା ଅନଲାଇନ୍ ଗେମିଙ୍ଗ ଆପ୍ପ ଗୁଡିକ ଆଜିକାଲି ଶିଶୁ-କିଶୋରମାନଙ୍କ  ପ୍ରଧାନ ଆସକ୍ତି। PUBG, Free Fire, Call of Duty, Clash of Clans ପରି ଗେମ୍ ଗୁଡିକ ଆକର୍ଷଣୀୟ ତଥା ଆମୋଦଦାୟକ ସାମଗ୍ରୀ ପ୍ରଦାନ କରୁଥିଲେ ସୁଦ୍ଧା  ସେଗୁଡିକ ହିଂସାପ୍ରବଣତା, ସମୟ ଅପଚୟ, ମାନସିକ ଆସକ୍ତି ଅବସାଦର କାରଣ ପାଲଟୁଛି ଏହାର ସବୁଠୁ ଭୟଙ୍କର ଉଦାହରଣ ହେଉଛି ନୀଳ ତିମି (Blue Whale) ଚ୍ୟାଲେଞ୍ଜ , ଯାହା କିଛି ବର୍ଷ ପୂର୍ବରୁ ବିଶ୍ବ ସାରା ଶିଶୁମାନଙ୍କୁ ଆତ୍ମହତ୍ୟା ଭଳି ଜଘନ୍ୟ କାର୍ଯ୍ୟ କରିବା ପାଇଁ  ପ୍ରେରିତ କରିଥିଲା। ଭାରତ ସରକାର ପବ୍‍ଜି ଆପ୍ପକୁ 2020 ମସିହାରେ ନିଷିଦ୍ଧ କରିଥିଲେ ସୁଦ୍ଧା ଏହା  BGMI (Battlegrounds Mobile India) ନାମରେ  ପୁନର୍ବାର ବଜାରକୁ ଫେରିଥିଲା। ଦୀର୍ଘ ସମୟ ଏହିପରି ଗେମ୍ ରେ ବ୍ୟସ୍ତ ରହିବାରୁ ଶିଶୁମାନଙ୍କ ମଧ୍ୟରେ ଚକ୍ଷୁରୋଗ, ନିଦ୍ରାହୀନତା, ଏକୁଟିଆବୋଧ, ଚିଡ଼ିଚିଡାପଣ ହିଂସାପ୍ରବଣ ମାନସିକତା ବୃଦ୍ଧି ପାଉଛି।

     ଆପ୍ସ ଗୁଡିକର  ମାତ୍ରାଧିକ ବ୍ୟବହାର ଫଳରେ ଶିଶୁମାନେ ବାହାରେ ଖେଳକୁଦ ଭଳି ଶାରୀରିକ ପରିଶ୍ରମ କରିବାକୁ ଭୁଲି ଯାଉଛନ୍ତି ଏବଂ ସେମାନଙ୍କ ଅଧିକାଂଶ ସମୟ ଘର ଭିତରେ ହିଁ କଟୁଛି ଏବଂ ସେମନେ ମଧ୍ୟ ଠିକ୍ ଭବେ ଖାଇବା ପିଇବା ଭୁଲି ଯାଉଛନ୍ତି ସେମାନଙ୍କ ସ୍କ୍ରିନ୍ ଟାଇମ୍‍ ମଧ୍ୟ ଅଶାତୀତ ଭାବେ ବୄଦ୍ଧି ପାଉଛି I ଫଳରେ ସେମାନଙ୍କ ମଧ୍ୟରେ ମେଦବହୁଳତା,  ମୋଟାପଣ, ପୁଷ୍ଟିହୀନତା,  ଦୃଷ୍ଟିଦୋଷ, ସାମାଜିକ ସମ୍ପର୍କର ଅଭାବ, ଓ ପାରିବାରିକ ଦୂରତ୍ୱ ବୃଦ୍ଧି ପାଉଛି। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଅତ୍ୟଧିକ ତଥା ନିୟମିତ ର୍ଚୁଆଲ୍ କିମ୍ବା ଅବାସ୍ତବିକ ଜଗତରେ ନିମଗ୍ନତା ଫଳରେ ଶିଶୁମାନଙ୍କ ମଧ୍ୟରେ  ଅବସାଦ ବା ଡିପ୍ରେସନ୍, ଉଦବେଗ ଓ ଆତ୍ମହତ୍ୟା ପ୍ରବଣତା ଭଳି ନକାରାତ୍ମକ ଚେତନା ବୄଦ୍ଧି ପାଇବାର  ଆଶଙ୍କା ରହିଛି ।

     ସାଇବର ଅପରାଧ ଓ ଗୋପନୀୟତା ରକ୍ଷା ଆପ୍ପ ଜନିତ ଦୁରୂପଯୋଗର ଏକ ମୂଖ୍ୟ ଆହ୍ୱାନ I ଆପ୍ସ ଦ୍ୱାରା ବ୍ୟକ୍ତିଗତ ସୂଚନା ପ୍ରଘଟକରଣ ବିଶ୍ୱସ୍ତରରେ ଏବେ ଏକ ବଡ଼ ସମସ୍ୟା ରୂପେ ଦେଖା ଦେଇଛି । ଗତ 2019 ମସିହାରେ କ୍ୟାମ୍ବ୍ରିଜ ଅନାଲିଟିକାଲ ସ୍କାଣ୍ଡା ସଂସ୍ଥା ଅନୁଯାୟୀ ଫେସବୁକ ଆପ୍ପ ଦ୍ୱାରା ଲକ୍ଷ ଲକ୍ଷ ୟୁଜରଙ୍କ ଡେଟା ଦୁରୁପଯୋଗ ହୋଇଥିଲା। ଅତୀତରେ ଭାରତରେ ଟିକ୍ ଟୋକ୍ ଲାଇକି ପରି ଆପ୍ସରୁ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା  ପ୍ରସଙ୍ଗ ନେଇ ଘୋର ପ୍ରଶ୍ନବାଚୀ ସୄଷ୍ଟି ହୋଇଥିଲା, ଯାହାର ପ୍ରତିକାର ସ୍ୱରୂପ  ସରକାର ପଦକ୍ଷେପ ଗ୍ରହଣ କରିଥିଲେ ।

      ଆଧୁନିକ ସଭ୍ୟତାରେ ଟେକ୍ନୋଲଜି କ୍ଷେତ୍ରକୁ ଆପ୍ପଗୁଡିକର ପ୍ରଚଣ୍ଡ ଅବଦାନ କାରଣରୁ ଆମ ସାମାଜିକ ଜୀବନରେ ଏଗୁଡିକୁ ସମ୍ପୁର୍ଣ୍ଣ ନିଷିଦ୍ଧ କରାଯାଇ ପାରିବ ନାହିଁ  I ଆପ୍ପ ଗୁଡିକର ବ୍ୟବହାର ବିନା ସଭ୍ୟତାର ବିକାଶ ତଥା ଏବେକାର ବିଳସପୂର୍ଣ୍ଣ ଜୀବନଶୈଳୀ ଅସମ୍ଭବ I ଏଗୁଡିକର ସୁନିୟନ୍ତ୍ରିତ ବ୍ୟବହାର ହିଁ  ସମାଧାନର ଏକମାତ୍ର ପନ୍ଥା I ଏ କ୍ଷେତ୍ରରେ ପ୍ରତିକାର ସ୍ୱରୂପ ପ୍ରଥମେ ପିତାମାତାଙ୍କର ସଚେତନତା ଆବଶ୍ୟକ। ସେମାନେ ନିଜ ଶିଶୁମାନଙ୍କ ସ୍ମାର୍ଟଫୋନ୍ ବ୍ୟବହାରରେ ସମୟସୀମା ନିର୍ଦ୍ଧାରଣ କରିବା ଉଚିତ I  ବିଦ୍ୟାଳୟ ଓ ସମାଜରେ ଆପ୍ପର ବ୍ୟବହାରକୁ ନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ I ବିଶେଷକରି ଶ୍ରେଣୀଗୃହରେ ଶିକ୍ଷକ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ଏବଂ ସେମାନଙ୍କୁ ନିଜର ସ୍କ୍ରିନ୍ ଟାଇମ୍  ସଙ୍କୁଚିତ କରି ଖେଳକୁଦ  ଓ ଶାରୀରିକ ପରିଶ୍ରମ ଦିଗ ପ୍ରତି ପ୍ରୋତ୍ସାହିତ କରିବା ଉଚିତ I ସରକାରଙ୍କ ପକ୍ଷରୁ ଅପରାଧ ପ୍ରବଣ, ଉତ୍ତେଜନାପୂର୍ଣ୍ଣ ତଥା ନିଶା ପାଲଟୁଥିବା ଗେମ୍ ଆପଗୁଡିକୁ ତୁରନ୍ତ ନିଷିଦ୍ଧ କରାଯିବା ଉଚିତ I ଶିଶୁମାନେ କିପରି ଆପ୍ପର ବିକଳ୍ପ ଯଥା  ଶାରୀରିକ କ୍ରୀଡ଼ା, ଯୋଗାଭ୍ୟାସ, ପୁସ୍ତକ ପଠନ, ସଙ୍ଗୀତ ଓ ସାହିତ୍ୟରେ ନିୟୋଜିତ ହେବେ, ସେ ଦିଗରେ ପିତାମାତା, ଶିକ୍ଷକ ଓ ଅଭିଭାବକମାନେ ଧ୍ୟାନ ଦେବା ଉଚିତ I ଆପ୍ସଉପଯୋଗ କଦାପି ଖରାପ ନୁହେଁ; କିନ୍ତୁ ସେଗୁଡିକର ମାତ୍ରାଧିକ ଓ  ଅନିୟନ୍ତ୍ରିତ ବ୍ୟବହାର ହିଁ ବ୍ୟକ୍ତି ଓ ସମାଜ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରେ । ଶିଶୁମାନେ ଦେଶର ଭବିଷ୍ୟତ । ସୁତରାଂ ସେମାନଙ୍କୁ ଆପ୍ପର ଦୁରୂପଯୋଗ ଜନିତ   ର୍ଚୁଆଲ୍ ଜଗତର ଅନ୍ଧକାରରୁ ମୁକ୍ତକରି ଏକ ସୁରକ୍ଷିତ ତଥା ଶିକ୍ଷାପ୍ରଦ ଆପ୍ପ ବ୍ୟବହାରର   ଆଲୋକମୟ ବାସ୍ତବ ଦୁନିଆକୁ ଫେରାଇ  ଆଣିବା ଆମର ସାମୂହିକ ଦାୟିତ୍ୱ।

 

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର







The Sakala Sindura dated 07.09.25: 

https://drive.google.com/file/d/1F3Pz9q4dMnvrfV5XhgFg2lzYASbI-zme/view?usp=sharing





 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା