ବିଲୁପ୍ତିର ପଥେ କାଳବୈଶାଖୀ
ବିଲୁପ୍ତିର ପଥେ କାଳବୈଶାଖୀ
ନିକୁଞ୍ଜ
ବିହାରୀ ସାହୁ
ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ I ଧୁ
ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ I
ପିଲାମାନେ ଯାଇଥା'ନ୍ତି ଆମ୍ବ ତୋଟାକୁ
ଆମ୍ବ ଖାଇବାକୁ I ହଠାତ
ପବନ ସୁ ସୁ ବହିବାକୁ ଆରମ୍ଭ କରେ I ଚାରିଆଡ ଧୂଳି ଉଡାଇ ମାଡି ଆସେ ଧୂମାଳ ଓ ପ୍ରଚଣ୍ଡ କଳାହାଣ୍ଡିଆ ମେଘ I
ଚାହୁଁ ଚାହୁଁ ପାଗ ସମ୍ପୂର୍ଣ୍ଣ ବଦଳି ଯାଏ I ପ୍ରଚଣ୍ଡ ଘଡଘଡି ଓ ବିଜୁଳି
ସହିତ ପ୍ରବଳ ବର୍ଷା ବର୍ଷିବାକୁ ଲାଗେ I କୁଆପଥର ବି
ପଡିଥାଏ I ପିଲାମାନେ ଭୟରେ ଆମ୍ବ ତୋଟାରୁ ଘରକୁ ଦୌଡିବାକୁ ଲାଗନ୍ତି I
ଗଛ ଡାଳସବୁ ମଡମଡ ହୋଇ ଭାଙ୍ଗି ପଡେ I କିଛି ସମୟ ପରେ
ବର୍ଷା ସମ୍ପୂର୍ଣ୍ଣ ଛାଡିଯାଏ , ପବନ ବି ଥମିଯାଏ ଓ ପାଗ ପୁଣି ସାଧାରଣ ଅବସ୍ଥାକୁ ଫେରିଆସେ I ଏହା
ହିଁ ଆମ ଗାଁ ଗହଳିରେ ଅଦିନିଆ ଝଡ ଯାହା ସାଧାରଣତଃ 'କାଳବୈଶାଖୀ' ନାମରେ ପରିଚିତ I ପବନ
ଛାଡିଯିବା ପରେ ଲୋକମାନେ ଆମ୍ବତୋଟାକୁ ଯାଇ ଝଡି ପଡିଥିବା ଆମ୍ବ ତୋଳିବାର ଦୄଶ୍ୟର ସ୍ମୄତି ଏବେ
ବି ଆମ ଗାଁ ଗହଳିରେ ଉଜ୍ଜୀବିତ I
କାଳବ୍ବୈଶାଖୀର କାୟା
କାଳବୈଶାଖୀ
ଏକ ସ୍ଥାନୀୟ ବାୟୁପ୍ରବାହ ଏବଂ ଏକ ଝଡ ଯାହା ସାଧାରଣତଃ ଝରାଦିନେ କିଛି ଉତ୍ତର-ପୂର୍ବାଞ୍ଚଳ
ରାଜ୍ୟ ଯଥା ଛତିଶଗଡ, ବିହାର, ଝାଡଖଣ୍ଡ, ଓଡିଶା, ତ୍ରିପୁରା , ଆସାମ ଓ ପଶ୍ଚିମବଙ୍ଗ ଆଦି
ରାଜ୍ୟରେ ପ୍ରବାହିତ ହୋଇଥାଏ I ଏହା ଆମ ଓଡିଶାରେ ସାଧାରଣତଃ ବୈଶାଖ ମାସରେ ପ୍ରବାହିତ ହେଉଥିବାରୁ
ଏହାକୁ 'କାଳବୈଶାଖୀ' ବୋଲି କୁହାଯାଏ I ଏହିସବୁ ଅଞ୍ଚଳ ଅପ୍ରେଲ୍ ମାସରୁ ଆରମ୍ଭ କରି ଜୁନ୍ ମାସର ପ୍ରାରମ୍ଭ ପର୍ଯ୍ୟନ୍ତ କାଳବୈଶାଖୀର
କରାଳ ପରିଧି ମଧ୍ୟରେ ଥାଏ I
ଏହା ବିହାର ଓ ଝାଡଖଣ୍ଡ ରାଜ୍ୟ ମଧ୍ୟରେ ଥିବା ଛୋଟନାଗପୁର ମାଳଭୂମି ଅଞ୍ଚଳରୁ ଉତ୍ପତ୍ତି
ହୋଇଥାଏ ଯାହା ସମୟକ୍ରମେ ଶକ୍ତିଶାଳୀ ହୋଇ ଉତ୍ତରପୂର୍ବ ଦିଗରେ ଗତି କରି ଓଡିଶା, ପଶ୍ଚିମବଙ୍ଗ ଓ
ଆସାମ ଦିଗରେ ଅଗ୍ରସର ହୋଇଥାଏ I ଝଡରେ ପବନର ବେଗ ସାଧାରଣତଃ 50 ରୁ 60 କି.ମି. ହୋଇଥିଲାବେଳେ
ବେଳେବେଳେ ଏହା ବୄଦ୍ଧି ପାଇ ଘଣ୍ଟା ପ୍ରତି 100 କି.ମି. ପର୍ଯ୍ୟନ୍ତ ଦୂରନ୍ତ ବେଗରେ ପ୍ରବାହିତ ହୋଇଥାଏ I
ପ୍ରବଳ ବୄଷ୍ଟିପାତ ସହିତ କୁଆପଥର ବି ପଡିଥାଏ I ଏହା ମଧ୍ୟ
ବଙ୍ଗଳାଦେଶରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ I
କ୍ଷୟକ୍ଷତି ଓ ଉପକାର
କାଳବୈଶଖୀର ପ୍ରଭାବରେ ଧନଜୀବନର ଅନେକ
କ୍ଷୟକ୍ଷତି ଘଟିଥାଏ I ପବନରେ ଗାଁ ଗହଳିର ପୁରୁଣା
ଚାଳଘରସବୁର ଛପର ଉଡିଯାଏ ତଥା ବାଡିବଗିଚାର ବୁଢା ଗଛ ସବୁ ଭାଙ୍ଗି ପଡନ୍ତି I ଏହି
ସମୟର ଏକ ପ୍ରାକୃତିକ ବିତ୍ପାତ ହେଉଛି ବଜ୍ରପାତ I କାଳବୈଶଖୀର
ଏନ୍ତୁଡିଶାଳ କଳାହାଣ୍ଡିଆ ବାଦଲର ସ୍ୱଳ୍ପ ଉଚ୍ଚତା ହେତୁ ଏଥିରୁ ବଜ୍ରପାତ ସୄଷ୍ଟି ହୋଇ
ଭୂପୄଷ୍ଠରେ ପଡି ଧନଜୀବନର ହାନି ଘଟାଇବା ଏକ
ସାଧାରଣ ଘଟଣା I ସୁତରାଂ
କାଳବୈଶଖୀର ପ୍ରଭାବରେ ବଜ୍ରପାତ କିମ୍ବା ଗଛ ,
ଘର ଭାଙ୍ଗି ପଡିବା ହେତୁ ଜୀବନହାନି ଘଟିବାର
ଆଶଙ୍କା ରହିଥାଏ I ମାତ୍ର ଝଡର ଏପରି
ପ୍ରଳୟଙ୍କରୀ ରୂପ ସତ୍ତ୍ୱେ ଏହା ପାଗ ଥଣ୍ଡା ରଖି ପରିବେଶର ତାପମାତ୍ରା ହ୍ରାସ କରିବାରେ ସହାୟକ
ହୋଇଥାଏ ଯାହାଦ୍ୱାରା ଖରାଦିନର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ I
କାଳବୈଶାଖୀର ବୄଷ୍ଟିପାତ ଧାନ, ଝୋଟ ଭଲି ଖରିଫ
ଫସଲ ନିମନ୍ତେ ବେଶ ଲାଭକାରୀ ପ୍ରମାଣିତ ହୋଇଥାଏ I ଅବଶ୍ୟ
କୁଆପଥର ମାଡରେ କିଛି ଫସଲ ହାନି ମଧ୍ୟ ଘଟିଥାଏ I ଏହା
ମଧ୍ୟ ଶୁଖିଲା ମାଟିକୁ ଆର୍ଦ୍ର ରଖେ ଯାହା କୄଷିକାର୍ଯ୍ୟରେ ସହାୟକ ହୋଇଥାଏ I
ଆହୁରି ମଧ୍ୟ, ବାୟୁରେ ଉଡୁଥିବା ଧୂଳିକଣାସବୁ ବର୍ଷାରେ ତଳେ ପଡିଯିବାରୁ ଆକାଶ ନିର୍ମଳ ଓ
ସ୍ୱଛ ଦିଶିଥାଏ I ଝଡର ପବନରେ ବାୟୁରେ ଉଡୁଥିବା ଫସଲର ଅନିଷ୍ଟକାରୀ କୀଟପତଙ୍ଗସବୁ ମଧ୍ୟ
ମରିଯାଇଥାନ୍ତି I
କିପରି ସୄଷ୍ଟି ହୁଏ ?
ଗ୍ରୀଷ୍ମଦିନର ପ୍ରଚଣ୍ଡ ତାପମାତ୍ରାରେ ଉତ୍ତର ଓ ମଧ୍ୟ
ଭାରତର ବାୟୁ ଗରମ ହୋଇ କ୍ରମାଗତ ଉପରକୁ ଊଠୁଥାଏ I
ବିଶେଷକରି, ପାହାଡିଆ ମାଳଭୂମି ଅଞ୍ଚଳ ଅତ୍ୟଧିକ ଉତ୍ତପ୍ତ ହୋଇଥିବାରୁ ସେଠାରେ ଏହି ପ୍ରଭାବ
ତୀବ୍ରତର ହୋଇଥାଏ I ଫଳରେ ସେଠାକାର କିଛି
କିଛି ସ୍ଥାନରେ ବାୟୁସ୍ତରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୁଏ I ଏହି
ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଚତୁର୍ଦ୍ଦିଗରୁ ପବନ ଲଘୁଚାପର କେନ୍ଦ୍ର ଆଡକୁ ପ୍ରବାହିତ ହୁଏ ଯାହା ଘୂରିଘୂରି ଏକ ଖଣ୍ଡିଆଭୂତର ଭଉଁରୀର ରୂପ ନିଏ I
ନିମ୍ନସ୍ତରର ଉଷ୍ମ ଆର୍ଦ୍ର ଜଳୀୟବାଷ୍ପ ଭରା ବାୟୁ ଏହି ଭଉଁରୀରେ ଘୂରି ଘୂରି ଉପରକୁ ଉଠିବା ଦ୍ୱାରା ନିମ୍ନ ବାୟୁସ୍ତରରେ ଏକ ଉର୍ଦ୍ଧ୍ୱମୁଖୀ
ସ୍ରୋତ ( Convergence ) କାର୍ଯ୍ୟକାରୀ ହୁଏ I ଏହା ସମୟକ୍ରମେ ଉର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଶୀତଳ ଶୁଷ୍କ ବାୟୁସ୍ତର
ସହିତ ମିଳିତ ହେବା ଦ୍ୱାରା ଉପରର ବାୟୁ ଦ୍ରୁତଗତିରେ
ତଳ ଦିଗରେ ଅପସାରିତ (Divergence) ହୁଏ I ଏହି ଦୁଇ ବିପରୀତ ଉର୍ଦ୍ଧ୍ୱ
ଓ ନିମ୍ନ ମୁଖୀ ବାୟୁସ୍ରୋତ ମିଶିଯାଇ ବାୟୁସ୍ତରରେ ଏକ ବିଶୁଂଖଳା ସୄଷ୍ଟି କରେ ଯାହା ଫଳରେ
ବାୟୁସ୍ତର ମଧ୍ୟରେ ଏକ ପରିଚଳନ ସ୍ରୋତ କାର୍ଯ୍ୟକାରୀ ହୁଏ I ଏହି ପରିଚଳନ ସ୍ରୋତ ଜରିଆରେ
ନିମ୍ନ ବାୟୁମଣ୍ଡଳର ଜଳୀୟବାଷ୍ଷ ଭରା ବାୟୁ ଉର୍ଦ୍ଧ୍ୱକୁ ଦ୍ରୁତ ସ୍ଥାନାନ୍ତରିତ ହୁଏ; ଏହା ପୁଣି ଶୀତଳ ହୁଏ ଏବଂ ଜମାଟ
ବାନ୍ଧି କଳାହାଣ୍ଡିଆ ମେଘର ବାଦଲ (Cumulonimbus Cloud) ସୄଷ୍ଟି କରେ I ଏହା ସମୟକ୍ରମେ ଘଡଘଡି ଓ ବିଜୁଳି ସହିତ ବର୍ଷା ଅକାରରେ ବର୍ଷିବାକୁ
ଲାଗେ I ଏହିପରି ଭାବରେ ଏକ କାଳବୈଶାଖୀ ସୄଷ୍ଟି ହୁଏ I
କାଳବୈଶାଖୀ ସମୟରେ ସତର୍କତା
କାଳବୈଶାଖୀ ପ୍ରବାହରେ ସମୟରେ ପବନ ଜୋର୍ ରେ ବହୁଥିବାରୁ ପୁରୁଣା ଚାଳଘର
ପରିବର୍ତ୍ତେ କୋଠାଘରେ ଆଶ୍ରୟ ନେବା ଉଚିତ I ପବନରେ ଗଛ ଡାଳ ଭାଙ୍ଗି ଯିବାର ସମ୍ଭାବନା ଥିବାରୁ ଏହି ସମୟରେ ମଧ୍ୟ
ଗଛତଳେ ଆଶ୍ରୟ ନେବା ଅନୁଚିତ I ଏହି ସମୟରେ ମଧ୍ୟ ବଜ୍ରପାତର ଆଶଙ୍କା ଥିବାରୁ ଟିଣ ଘରେ, ଗଛ ତଳେ
କିମ୍ବା ବିଜୁଳି ଖୁଣ୍ଟ ତଳେ ଆଶ୍ରୟ ନେବା ଅନୁଚିତ I ଝଡ ସମୟରେ ବିଜୁଳି ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ
ହେବାର ସମ୍ଭାବନା ଥିବାରୁ ସେଥିପାଇଁ ଆବଶ୍ୟକୀୟ
ସାମଗ୍ରୀ ସହିତ ପୂର୍ବରୁ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ I
ଛନ୍ଦହରା କାଳବୈଶାଖୀ
ମାତ୍ର ଏବେ
ପରିସ୍ଥିତି ବଦଳି ଯାଇଛି I କାଳବୈଶଖୀର ସଂଖ୍ୟା
ଏବେ ଆଶାତୀତ ହ୍ରାସ ପାଇଛି I କାଳବୈଶାଖୀର ପ୍ରଭାବରେ ପ୍ରଭାବିତ ଅଞ୍ଚଳରେ ଯେତିକି ବୄଷ୍ଟିପାତ
ହେବ କଥା, ଏବେ ତା'ଠାରୁ ଯଥେଷ୍ଟ କମ୍
ବୄଷ୍ଟିପାତ ହେଉଛି I ଏଥିପାଇଁ ଜଳବାୟୁ
ବିଜ୍ଞାନୀମାନେ ମୂଖ୍ୟତଃ ଜଳବାୟୁ ପରିବର୍ତ୍ତନ ତଥା ବାୟୁମଣ୍ଡଳୀୟ ପ୍ରଦୁଷଣକୁ ଦାୟୀ
କରୁଛନ୍ତି I ବାୟୁମଣ୍ଡଳୀୟ ପ୍ରଦୁଷଣ କାରଣରୁ ଭୂପୄଷ୍ଠର ପ୍ରଦୂଷକ ପଦାର୍ଥସବୁ ଉର୍ଦ୍ଧ୍ୱମୁଖୀ
ତୀବ୍ର ବାୟୁସ୍ରୋତରେ ଉପରକୁ ଉଠି ନିମ୍ନ ଉଚ୍ଚତାରେ ଥିବା କଳାହାଣ୍ଡିଆ ବାଦଲସବୁରେ ପହଞ୍ଚି
ଯାଉଛନ୍ତି I ଏହାଦ୍ୱାରା କଳାହାଣ୍ଡିଆ ବାଦଲର ପରିସୀମା ସଙ୍କୁଚିତ ହୋଇ ସେଗୁଡିକର
ଜଳ ଧାରଣ କ୍ଷମତା କମି ଯାଉଛି I ଫଳରେ ସେଗୁଡିକ ସ୍ୱଳ୍ପ ବୄଷ୍ଟିପାତ ପ୍ରବଣ ପାଲଟି ଯାଉଛନ୍ତି I
ଆଉ ଏକ ମତବାଦ ଅନୁସାରେ, ଏହାର ଉତ୍ପତ୍ତି ଅଞ୍ଚଳରେ ସୂର୍ଯ୍ୟତାପ ଯୋଗୁଁ ଭୂମି ଯେତିକି ଉତ୍ତପ୍ତ
ହେବା କଥା , ସେତିକି ଉତ୍ତପ୍ତ ହେଉ ନାହିଁ I ଏହାର କାରଣ
ହେଉଛି ଏହାର ଉତ୍ପତ୍ତିସ୍ଥଳ ଛୋଟନାଗପୁର ମାଳଭୂମି ଅଞ୍ଚଳରେ ଲୋକମାନେ ଖାରାଦିନେ ଧାନ ଇତ୍ୟାଦି ଖରାଟିଆ
ଫସଲ ଚାଷ କରିବାରୁ ଭୂମି ଜଳରେ ପ୍ଳାବିତ
ହୋଇ ଅଧିକ ଉତ୍ତାପ ଗ୍ରହଣ କରି ପାରୁ ନାହିଁ I
ଫଳରେ ସେଠାରେ ଶକ୍ତିଶାଳୀ ଲଘୁଚାପମାନ ସୃଷ୍ଟି ହୋଇ ପାରୁନାହିଁ I କାଳବୈଶାଖୀର
ଅନୁପସ୍ଥିତିରେ ମଝିରେ ମଝିରେ ବର୍ଷା ହୋଇ ନପାରିବାରୁ
ଖରାଦିନର ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ମିଳୁନାହିଁ I
ସୁତରାଂ ପ୍ରାକୄତିକ କିମ୍ବା ମନୁଷ୍ୟକୄତ
କାରଣରୁ ହେଉ, ଏପରି ଧାରା ଅବ୍ୟାହତ ରହିଲେ, ଦିନ
ଆସିବ ପ୍ରକୄତିର ଏହି ବିଚିତ୍ର ଓ ବିରଳ ଘଟଣା କାଳବୈଶାଖୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବ ଏବଂ ଏହା
ଆମ ପିଲାଙ୍କ ପାଇଁ କେବଳ ଏକ ପରୀକଥା ହୋଇ ରହିଯିବ!
ଏଜୁକେଶନ୍
ଅଫିସର୍
ଆଞ୍ଚଳିକ
ବିଜ୍ଞାନ କେନ୍ଦ୍ର
ଭୋପାଳ
ଫୋନ୍
: 8917637974
To read the same article published in The Dharitri dated 13.05.24 , please click the following link :
Comments
Post a Comment