ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

 

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ନିକୁଞ୍ଜ  ବିହାରୀ ସାହୁ

 

    ଗତ 25 ତାରିଖ: ଆମେରିକୀୟ  ଅନ୍ତରୀକ୍ଷ ସଂସ୍ଥା ନାସାର କେନେଡି ଅନ୍ତରୀକ୍ଷ କେନ୍ଦ୍ରର କଣ୍ଟ୍ରୋଲ୍ ରୁମ୍ ରେ  ବିଳମ୍ବିତ ରାତ୍ରିର ଏକ ଭାରାକ୍ରାନ୍ତ ଉତ୍କଣ୍ଠାପୂର୍ଣ୍ଣ   ମୁହୂର୍ତ୍ତ I ବୈଜ୍ଞାନିକମାନେ ଏକ୍ସିଅମ୍ ମିଶନ୍ 4 ର ଉତକ୍ଷେପଣ ପାଇଁ ଉତ୍ସାହର ସହିତ ପ୍ରତୀକ୍ଷା କରିଥାନ୍ତି ଇତି ମଧ୍ୟରେ ରକେଟ  ପ୍ରସ୍ତୁତିରେ ବିଳମ୍ବ, ପାଣିପାଗ ପରିସ୍ଥିତି, ରକେଟ୍‌ରେ ତରଳ ଅମ୍ଳଜାନ ଲିକ୍ ଏବଂ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରରେ ସେବା ମଡ୍ୟୁଲରେ ତ୍ରୁଟି ସମେତ ଅନେକ ସମସ୍ୟା ଯୋଗୁଁ ଏହି ଅଭିଯାନକୁ ପାଞ୍ଚ ପାଞ୍ଚ ଥର ବାତିଲ  କରାଯାଇ ସାରିଥାଏ କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ସାରିଥାଏ I ସବୁରି ମନରେ  ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ: ଏଥର ଉତକ୍ଷେପଣ ସଫଳ ହେବ ତ ? ଇତି ମଧ୍ୟରେ  ପାଣିପାଗ ବିଭାଗ ପକ୍ଷରୁ ପ୍ରକ୍ଷେପଣ ସମୟରେ  ପାଗ ଅନୁକୂଳ ପ୍ରାୟ  : କାଉଣ୍ଟ ଡାଉନ୍ର ମନିଟରରେ ’00:00:00’ ସମୟ ବୋଲି ପ୍ରଦର୍ଶିତ ହେଲା I ସମସ୍ତଙ୍କର ନଜର ଥାଏ ଲଞ୍ଚ ପାଡ୍ ରେ ସଂଯୁକ୍ତ ଫାଲକନ୍ 9 ରକେଟ୍ ଉପରେ I ଅଚାନକ ଚତୁପାର୍ଶ୍ୱକୁ ବିପୁଳ ଧୂଆଁ ନିକ୍ଷେପ କରି ରକେଟ ଇନ୍ଧନର ଦହନ ପ୍ରକ୍ରିୟା ଆରମ୍ଭ ହେଲା ଏବଂ ରକେଟଟି ଉର୍ଦ୍ଧ୍ୱକୁ ଉଠିବା ଆରମ୍ଭ କଲା I କ୍ରମଶଃ ରକେଟ୍ ଲଞ୍ଚ ପାଡ୍ ତ୍ୟାଗକରି ଆକାଶକୁ ଆରୋହଣ କଲା ଏବଂ ଦୂରନ୍ତ ଗତିରେ ଛୁଟି ଯାଇ ଦୄଷ୍ଟିପଟ୍ଟରୁ ଅନ୍ତର୍ହିତ ହୋଇଗଲା I ଅଭିଯାନର ଏହି ସଫଳତାରେ ଉଲ୍ଲସିତ ହୋଇ  ଉପସ୍ଥିତ ବୈଜ୍ଞାନିକମାନେ  କରତାଳି  ତଥା କରମର୍ଦ୍ଦନ କରି ପରସ୍ପରକୁ ଅଭିବାଦନ ଜଣାଇଲେ I

   ଏହି ଅଭିଯାନର ଚାଳକ ଦଳରେ  ସଦସ୍ୟ  ଥିଲେ ଜଣେ  ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା I ସେ ଏହି ଅଭିଯାନରେ ସ୍ପେସ୍-ଏକ୍ସ କମ୍ପାନୀର ଫାଲ୍କନ-9 ଅନ୍ତରୀକ୍ଷ ଯାନରେ  ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚନା କରିଛନ୍ତି I ଏହି ସଫଳତାରେ ସେ ପ୍ରଦକ୍ଷିଣରତ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ଯାତ୍ରା କରିବାରେ ପ୍ରଥମ ଭାରତୀୟ ଏବଂ ମହାକାଶରେ  ପୄଥିବୀକୁ ପ୍ରଦକ୍ଷିଣ କରିବା କ୍ଷେତ୍ରରେ ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ମହାକାଶଯାତ୍ରୀ ପାଲଟି ଯାଇଛନ୍ତି I  ସୁଚନାଯୋଗ୍ୟ ଯେ, ରାକେଶ ଶର୍ମା ଗତ 1984 ମସିହାରେ ରୁଷିଆର ସୋୟୁଜ ଯାନ ଜରିଆରେ ଅନ୍ତରୀକ୍ଷ ଯାତ୍ରା କରି ସାଲ୍ୟୁଟ-7 ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚି ଥିଲେ    ଅନ୍ତରୀକ୍ଷରେ 8 ଦିନ କାଳ ଅବସ୍ଥାନ କରିଥିଲେ I ସୁତରାଂ ରାକେଶ ଶର୍ମାଙ୍କ ଯାତ୍ରାର ଦୀର୍ଘ 41 ବର୍ଷ ପରେ ଅନ୍ୟ ଜଣେ ଭାରତୀୟ ନାଗରିକ ଏବେ ମହାକାଶ ଯାତ୍ରା କରିଛନ୍ତି I ସେ ଅନ୍ତରୀକ୍ଷରେ ନିଜର 14 ଦିନ କାଳ ରହଣି ମଧ୍ୟରେ ସେଠାକାର ମାଧ୍ୟାକର୍ଷଣ ରହିତ ପରିସ୍ଥିତିରେ   କୄଷି ବିଜ୍ଞାନ , ଜୈବ ପ୍ରଯୁକ୍ତି , ସ୍ୱାସ୍ଥ୍ୟ ପୋଷଣ ସମ୍ପର୍କୀୟ ବିଶ୍ୱର 31 ଦେଶର  ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ସମୁଦାୟ  60ଟି ଉଚ୍ଚକୋଟୀର ପରୀକ୍ଷା ନିରୀକ୍ଷା ସମ୍ପାଦନ କରିବେ I ଏହି ଅଭିଯାନରେ ଶୁଭାଂଶୁ ଅଭିଯାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଲଟ  (ଚାଳକ) ଦାୟିତ୍ୱ ନିର୍ବାହ କରୁଛନ୍ତି I

             ଶୁଭାଂଶୁ 1985 ମସିହା ଅକ୍ଟୋବର 10 ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କ ପିତାଙ୍କ ନାମ ଥିଲା ଶମ୍ଭୁ  ଦୟାଲ ଶୁକ୍ଳା ଯେ କି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ I ମାତା ଆଶା ଶୁକ୍ଳା ଜଣେ ଗୄହିଣୀ ଥିଲେ I ପିତାମାତାଙ୍କର ତିନି ସନ୍ତାନ ମଧ୍ୟରୁ ଶୁଭାଂଶୁ ସର୍ବକନିଷ୍ଠ ଥିଲେ I ପିଲା ଦିନରୁ ତାଙ୍କର ସାମରିକ କ୍ଷେତ୍ର ତଥା ସାହସିକତା ପ୍ରତି ଗଭୀର ଆଗ୍ରହ ଥିଲା I ସେ 1999 ମସିହାର କାରଗିଲ ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତ୍ୱ ତଥା ଭାରତର ବିଜୟଗାଥାରେ  ଅନୁପ୍ରାଣିତ  ହୋଇ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ପ୍ରବେଶିକାରେ ଭାଗ ନେଇଥିଲେ ସେ ସେଥିରେ  ଉତ୍ତୀର୍ଣ୍ଣ ହୋଇ ସେଠାରେ ଶିକ୍ଷାଲାଭ ନିମନ୍ତେ ଯୋଗଦାନ କରିଥିଲେ I ସେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ଅଧ୍ୟୟନ କରି 2005 ମସିହାରେ କମ୍ପୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ I  ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରୁ ଶିକ୍ଷା ସମାପ୍ତି ପରେ ସେ ଉଡ୍ଡାଣ ବିଭାଗରେ ମନୋନୀତ ହୋଇ  ଭାରତୀୟ ବାୟୁସେନା ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ I ପ୍ରଶିକ୍ଷଣ ସମାପ୍ତି ପରେ ସେ 2006 ମସିହାରେ ଭାରତୀୟ ବାୟୁସେନାର ଲଢୁଆ ବିମାନର ଫ୍ଲାଇଙ୍ଗ ଅଫିସର ରୂପେ ନିଯୁକ୍ତି ପାଇଥିଲେ I

            ସେ ବାୟୁସେନାରେ ଲଢୁଆ ବିମାନର ଟେଷ୍ଟ ପାଇଲଟ ଭାବରେ   ବିଭିନ୍ନ ଲଢୁଆ ବିମାନ ଯଥା ସୁଖୋଇ 30 MKI, ମିଗ-21, ମିଗ-29 , ଜାଗୁଆର, ହକ୍, ଡ୍ରୋନିୟର, .ଏନ୍. 39 ଇତ୍ୟାଦିରେ 2000 ଘଣ୍ଟା କାଳ ଉଡ୍ଡାଣର ଅଭିଜ୍ଞତା ହାସଲ କରିଥିଲେ I ପରବର୍ତ୍ତୀ ସମୟରେ ତାଙ୍କର ଦକ୍ଷତାରେ  ସନ୍ତୁଷ୍ଟ  ହୋଇ ଭାରତୀୟ ବାୟୁସେନା ତରଫରୁ ତାଙ୍କୁ ଭାରତୀୟ ମାନବଯୁକ୍ତ ଅନ୍ତରୀକ୍ଷ ଉଡ୍ଡାଣ ଅଭିଯାନରେ ଅନ୍ତର୍ଭୁକ୍ତ କରା ଯାଇଥିଲା I ସମୟକ୍ରମେ, ଇସ୍ରୋ ତରଫରୁ ତାଙ୍କୁ ଏହି କାର୍ଯ୍ୟକ୍ରମର ଅନ୍ତିମ ଚାରିଜଣ ମହାକାଶଚାରୀ ରୂପେ  ମଧ୍ୟ ମନୋନୀତ କରା ଯାଇଥିଲା I ସେ 2020 ମସିହାରେ ରୁଷିଆ ଯାତ୍ରା କରିୟୁରି ଗାଗାରିନ୍ ମହାକାଶଚାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଅନ୍ତରୀକ୍ଷ ଉଡ୍ଡାଣ ସମ୍ବନ୍ଧୀୟ ମୌଳିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ I ପ୍ରଶିକ୍ଷଣ ସମାପ୍ତି ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ବେଙ୍ଗାଲୁରୁ ସ୍ଥିତ ମହାକାଶଯାତ୍ରୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ I ପରବର୍ତ୍ତୀ ସମୟରେ ସେ ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ପଦବୀକୁ ଉନ୍ନୀତ ହୋଇଥିଲେ I ଏହି ସମୟ ମଧ୍ୟରେ ସେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବେଙ୍ଗାଲୁରୁରେ ଏରୋସ୍ପେସ୍ ଇଂଜିନିୟରିଙ୍ଗ ପାଠ୍ୟକ୍ରମ ଅଧ୍ୟୟନ କରି   ସେଥିରେ ସ୍ନାତକୋତ୍ତର ଡିଗ୍ରୀ ଲାଭ  କରିଥିଲେ I  ଭାରତୀୟ ମାନବଯୁକ୍ତ ଗଗନଯାନ ଅଭିଯାନର ସଦସ୍ୟ ରୂପେ ତାଙ୍କର ନାମ ପ୍ରଥମ କରି ଫେବ୍ରୁଆରୀ 27 ରାରିଖରେ 2024 ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ I

            ଶୁଭାଂଶୁ ଏକ୍ସିୟମ ଅଭିଯାନ 4 ପାଇଲଟ  ରୂପେ ସ୍ପେସ୍ ଏକ୍ସ କମ୍ପାନୀର ଫାଲକନ-9 ଯାନରେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ଯାତ୍ରା କରିବା ନିମନ୍ତେ ମନୋନୀତ ହୋଇଥିଲେ I ସେ ସେଥି ନିମନ୍ତେ ନାସାର ଜନସନ୍ ଅନ୍ତରୀକ୍ଷ କେନ୍ଦ୍ରଠାରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ I  ଏହି ଅଭିଯାନ ନାସା, ସ୍ପେସ୍ ଏକ୍ସ ଏବଂ ଇସ୍ରୋର ଏକ ମିଳିତ ଉଦ୍ୟମ ଅଟେ I ଏହି ଅଭିଯାନରେ  ଶୁଭାଂଶୁଙ୍କ ସମେତ ସମୁଦାୟ ଚାରି ଜଣ ମହାକାଶ ଯାତ୍ରୀ ଅନ୍ତର୍ଭୁକ୍ତ ଅଛନ୍ତି I ସେମାନେ ହେଲେ : କମାଣ୍ଡର ଭୂମିକାରେ ଆମେରିକୀୟ ମହାକାଶଯାତ୍ରୀ ପେଗି ହ୍ୱିଟସନ, ଅଭିଯାନ ବିଶେଷଜ୍ଞ ଭୂମିକାରେ  ପୋଲାଣ୍ଡର ସ୍ଲାୱଜ ଉଜନାନସ୍କି  ୱିସ୍ନିୱିସ୍କି ହଙ୍ଗେରୀର ନାଗରିକ ଟିବର କପୁ I

    ଏହି ଅଭିଯାନ  ଭାରତର ମହତ୍ତ୍ୱାକାଂକ୍ଷୀ  ଗଗନଯାନ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ରୂପେ ସାବ୍ୟସ୍ତ ହେବ I  ଏହି ଅଭିଯାନ  ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର ପରିବେଶ ମଧ୍ୟରେ କାର୍ଯ୍ୟ କରିବାର ଅନୁଭୂତି, ମାଧ୍ୟାକର୍ଷଣ ରହିତ ପରିସ୍ଥିତି ସହିତ  ଖାପ ଖୁଆଇ ଜୀବନ ବଞ୍ଚିବାର ଶୈଳୀ , ମାଧ୍ୟାକର୍ଷଣ ରହିତ ପରିସ୍ଥିତିରେ  ଜଟିଳ ବୈଜ୍ଞାନିକ ପରୀକ୍ଷଣ ସମ୍ପାଦନ ନିମନ୍ତେ ଦକ୍ଷତା ହାସଲ ଏବଂ ଆନ୍ତର୍ଜାତୀୟ ମହାକାଶ ନୀତିନିୟମ ମଧ୍ୟରେ କାର୍ଯ୍ୟ କରିବାରେ ବହୁମୂଲ୍ୟ ଅଭିଜ୍ଞତା ପ୍ରଦାନ କରିବଏହି ପ୍ରାପ୍ତ ଜ୍ଞାନ ଆଗାମୀ 2030 ଦଶକ ସୁଦ୍ଧା ଭାରତର ନିଜସ୍ୱ ମହାକାଶଚାରୀଙ୍କୁ କକ୍ଷପଥରେ ଅବସ୍ଥାପିତ କରିବା ତଥା ସ୍ୱଦେଶୀ ଜ୍ଞାନକୌଶଳରେ ମହାକାଶ ଷ୍ଟେସନ ନିର୍ମାଣ କରିବା ପାଇଁ ପ୍ରସ୍ତୁତିରେ ବିଶେଷ ସହାୟକ ହେବ  

           

ନିକୁଞ୍ଜ  ବିହାରୀ ସାହୁ

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ

ଫୋନ୍ : 8917637974

 

 

 

 


 The Dharitri dated 30.06.25 : 

https://drive.google.com/file/d/1Tg6d96UlisAfz22kfzH1n_5zv-XYgCeU/view?usp=sharing




Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?