ଭାରତର ପ୍ରତିରକ୍ଷା କବଚ ଏସ୍. 400/ S 400

                                             ଭାରତର ପ୍ରତିରକ୍ଷା କବଚ ଏସ୍. 400

 

ନିକୁଞ୍ଜ ବିହାରୀ ସାହୁ

 

   ପଡୋଶୀ ଦେଶ ପାକିସ୍ଥାନ ଗତ ମେ’ ମାସ  7 ଓ 8 ତାରିଖରେ  ଅପରେସନ୍ ସିନ୍ଦୁରର ପ୍ରତିଶୋଧ ନିମନ୍ତେ ଅନେକ ଭାରତୀୟ ସହର ଓ ସାମରିକ ଘାଟୀ ଉପରେ କ୍ଷେପଣାସ୍ତ୍ର, ରକେଟ ଓ ଡ୍ରୋନ୍ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା I ମାତ୍ର ଭାରତର ରୁଷିଆ ନିର୍ମିତ ଏସ୍. 400 (S 400) ଅମୋଘ ପ୍ରତିରକ୍ଷା ପ୍ରଣାଳି  ସେସବୁକୁ ଆକାଶମାର୍ଗରେ ହିଁ ନଷ୍ଟକରି ଦେଇ ଭାରତୀୟ ଘାଟୀ ତଥା ଧନ ଜୀବନକୁ  ସୁରକ୍ଷିତ ରଖିଥିଲା I ଏହିସବୁ ସହରଗୁଡିକ ମଧ୍ୟରେ ଥିଲେ, ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ,  ପଠାଣକୋଟ, ଅମୄତସର,  କପୁରତାଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭତିଣ୍ଡା, ଚଣ୍ଡୀଗଡ, ନାଲ, ଫ଼ଲୋଦି, ଉତ୍ତରଲାଈ ଏବଂ ଭୁଜ I ତେବେ ପ୍ରଶ୍ନ ଉଠେ : ଏହି ପ୍ରତିରକ୍ଷା ପ୍ରଣାଳୀ  ଏସ୍. 400 କ’ଣ ଏବଂ ଏହା କାର୍ଯ୍ୟ କରେ କିପରି ?

           ଏସ୍. 400 ମୁଖ୍ୟତଃ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ଆକାଶମାର୍ଗରେ ହେଉଥିବା ସମସ୍ତ ଶତ୍ରୁ ଆକ୍ରମଣକୁ ପ୍ରତିହତ  କରିଥାଏ I ଏହା ଶତ୍ରୁପକ୍ଷର ବାଲଷ୍ଟିକ  କିମ୍ବା କ୍ରୁଜ୍ କ୍ଷେପଣାସ୍ତ୍ର, ଡୋନ୍, ରକେଟ ତଥା ଲଢୁଆ ବିମାନ ଆଦିକୁ ଆକାଶମାର୍ଗରେ ରୋକିବାରେ ସକ୍ଷମ ହୋଇଥାଏ I ଏହି ପ୍ରଣାଳିକୁ ରୁଷିଆର ଏଲମାଜ୍ ସେଣ୍ଟ୍ରାଲ ଡିଜାଇନ୍ ବ୍ୟୁରୋ ବିକଶିତ କରିଛି ଏବଂ ଏହାକୁ ବିଶ୍ୱର ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟରୁ ଅନ୍ୟତମ ବୋଲି ପରିଗଣିତ କରା ଯାଉଛି I ଏଭଳି 5ଟି ପ୍ରଣାଳୀ ଯୋଗାଣ କରିବା ପାଇଁ ଭାରତ ଓ ରୁଷିଆ ମଧ୍ୟରେ ଗତ 2018 ମସିହାରେ 40,000 କୋଟି ଟଙ୍କା ବିନିମୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା I ସେଥି ମଧ୍ୟରୁ 3ଟି ପ୍ରଣାଳୀ ଯୋଗାଣ ହୋଇ ସାରିଥିଲାବେଳେ ଆଉ 2ଟି ର ଯୋଗାଣ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପାଇଁ ବିଳମ୍ବ ଘଟିଛି I  ଭାରତ ବ୍ୟତୀତ ଏହି ପ୍ରଣାଳୀ ବିଶ୍ୱର ଅନ୍ୟ କେତେକ  ଦେଶ ଯଥା ଚାଇନା, ତୁର୍କୀୟେ, ଆଲଜେରିଆ, ବେଲାରୁଷ  ଓ ସିରିୟା ପାଖରେ ମଧ୍ୟ ଉପଲବ୍ଧ ଅଛି I

 ବିଶେଷତା

  ଏହି ପ୍ରଣାଳୀର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହାର  ଗତିଶୀଳତା I ସମଗ୍ର ପ୍ରଣାଳୀ ଏକ  ଗତିଶୀଳ ଗାଡି ସମୂହ  ଉପରେ ଅବସ୍ଥାପିତ ହୋଇ ଥିବାରୁ ଏହାକୁ ଯେକୌଣସି ସ୍ଥାନକୁ ସହଜରେ ସ୍ଥାନାନ୍ତରିତ କରି  ଲକ୍ଷ୍ୟସ୍ଥଳୀ ଅଭିମୁଖେ  ପ୍ରସ୍ତୁତ କରାଯାଇ ପାରିବ I ଏଥିରେ  ଖଞ୍ଜା ଥିବା ରାଡାର ଏକସମୟରେ 600 କି.ମି. ଦୂରରେ ଥିବା ଶତ୍ରୁପକ୍ଷର ଏକାଧିକ ବସ୍ତୁକୁ ଠାବ କରିପାରେ I ନିର୍ଦ୍ଦେଶ ମିଳିବାର ମାତ୍ର 5 ରୁ 10 ମିନିଟ ସମୟ ମଧ୍ୟରେ ଏହି ପ୍ରଣାଳୀ କାର୍ଯ୍ୟକ୍ଷମ ହୋଇଯାଏ I ଏହା ଏକସମୟରେ ଶତ୍ରୁ ପକ୍ଷର 160 ଟି ବାୟୁ ବାହିତ ବସ୍ତୁକୁ ଠାବ କରିପାରେ I ଏଥିରୁ ଶତ୍ରୁପକ୍ଷର ପ୍ରତିଟି  ବସ୍ତୁ ପାଇଁ 2ଟି  ଅସ୍ତ୍ର  ପ୍ରୟୋଗ କରି ତାହାକୁ ଧ୍ୱଂସ କରି ଦିଆଯାଏ I  ଏହା ଏକସମୟରେ ଶତ୍ରୁ ପକ୍ଷର 36 ଟି ବାୟୁ ବାହିତ ବସ୍ତୁ ସହିତ ନିୟୋଜିତ ହୋଇ ସେଗୁଡିକୁ ମାରି ଖସାଇବା ପାଇଁ 72ଟି ଅସ୍ତ୍ର ପ୍ରୟୋଗ  କରିପାରେ I ଭାରତକୁ ଯେଉଁ ପ୍ରଣାଳୀ ମିଳିଛି ତା’ର ରେଞ୍ଜ ଅର୍ଥାତ ମାରକସୀମା  400 କି.ମି. ଅଟେ ; ଅର୍ଥାତ ଏହା 400 କି.ମି. ପର୍ଯ୍ୟନ୍ତ ଦୂରତାରେ ଥିବା ତଥା ସର୍ବାଧିକ 17,000 କି.ମି. ପ୍ରତି ଘଣ୍ଟା ବେଗରେ ଆକାଶମାର୍ଗରେ ଧାବମନ  ଶତ୍ରୁପକ୍ଷର କୌଣସି ବସ୍ତୁକୁ ଠାବ କରି ଅସ୍ତ୍ର  ପ୍ରୟୋଗ ଦ୍ୱାରା ନଷ୍ଟ କରିପାରେ I ଏହା ମଧ୍ୟ  30 କି.ମି. ଉଚ୍ଚତା ପର୍ଯ୍ୟନ୍ତ ଉଡୁଥିବା କୌଣସି ବସ୍ତୁକୁ ଆକ୍ରମଣ କରି ଧ୍ବଂସ  କରିପାରେ I ସମୁଦାୟ ପ୍ରଣାଳୀ ଅବସ୍ଥାପିତ ଥିବା ଯାନସମୂହର ବେଗ ସଡକମାର୍ଗରେ 60 କି.ମି. ପ୍ରତି ଘଣ୍ଟା ହୋଇଥିଲାବେଳେ ଦୁର୍ଗମ ପଥରେ 25 କି.ମି. ପ୍ରତି ଘଣ୍ଟା ହୋଇଥାଏ I

 ପ୍ରଣାଳୀ ସଙ୍ଗଠନ  

    ଏହି ପ୍ରଣାଳୀର ପ୍ରତିଟି ସ୍କ୍ୱାର୍ଡନରେ 6ଟି  ଲଞ୍ଚର, ଗୋଟିଏ ରାଡାର, ଗୋଟିଏ କମାଣ୍ଡ  କେନ୍ଦ୍ର  ଓ 128ଟି ଅସ୍ତ୍ର ଥାଏ I ଏକ ସ୍କ୍ୱାର୍ଡନରେ ସମୁଦାୟ  16ଟି ସାମରିକ ଗାଡି ଥାଏ ଯେଉଁଥିରେ  କମାଣ୍ଡ ଏବଂ କଣ୍ଟ୍ରୋଲ ବିଭାଗ,  ଏକ ସର୍ବେଲାନ୍ସ ରାଡାର, ଏକ ଗାଇଡେନ୍ସ ରାଡାର ଏବଂ କ୍ଷେପଣାସ୍ତ୍ର ଲଞ୍ଚର୍ ମାନ  ଅନ୍ତର୍ଭୁକ୍ତ I  ଏକ ସମ୍ପୂର୍ଣ୍ଣ ବାଟାଲିୟନ୍ ରେ 12ଟି  କ୍ଷେପଣାସ୍ତ୍ର ଲଞ୍ଚର ଥାଏ ଯେଉଁଥିରୁ ଏକସମୟରେ ଲକ୍ଷ୍ୟସ୍ଥଳୀ ଅଭିମୁଖେ ସମୁଦାୟ  48ଟି ଅସ୍ତ୍ର ପ୍ରୟୋଗ କରା ଯାଇପାରେ I ପ୍ରତିଟି ଲଞ୍ଚର ଏକ  8x8  ଚକା ବିଶିଷ୍ଟ ମଜବୁତ ଚେସିସ୍ ଉପରେ ଅବସ୍ଥାପିତ I ପ୍ରତିଟି ଲଞ୍ଚରରେ 4ଟି କ୍ୟାନିଷ୍ଟର ବିଶିଷ୍ଟ ଲଞ୍ଚ୍ ନଳୀ ଥାଏ ଯେଉଁଥିରୁ  ପ୍ରତିକ୍ଷେପଣାସ୍ତ୍ରଗୁଡିକୁ ସହଜରେ ପ୍ରୟୋଗ କରାଯାଇପାରେ  I ଅସ୍ତ୍ରଗୁଡିକୁ ପ୍ରଥମେ ଗ୍ୟାସ୍ ଚାପ ଜରିଆରେ  ଭୂଲମ୍ବ ରୂପେ ଉର୍ଦ୍ଧ୍ୱକୁ ନିଷ୍କାସିତ  କରାଯାଏ, ଯାହାପରେ ସେଗୁଡିକର ମୂଳ ଇଞ୍ଜିନ୍ କାର୍ଯ୍ୟକାରୀ ହୋଇ ଅସ୍ତ୍ରକୁ ଦୂରନ୍ତ ଗତିରେ  ଲକ୍ଷ୍ୟସ୍ଥଳୀରେ ପହଞ୍ଚାଇବା ପାଇଁ ସହାୟକ ହୋଇଥାଏ I ଏହାଦ୍ୱାରା ବାହକ ଗାଡିର ପ୍ଲାଟଫର୍ମ ଉପରେ କମ୍ ଘାତ ପ୍ରଯୁକ୍ତ ହୋଇଥାଏ I ଏକ ଲଞ୍ଚରକୁ ମାତ୍ର 5 ମିନିଟ  ସମୟ ମଧ୍ୟରେ ପୁନଃ ନିୟୋଜିତ ଓ ପୁନଃ  ନିର୍ଦ୍ଧାରଣ କରା ଯାଇପାରେ I ଏହାର ରାଡାର ବ୍ୟବସ୍ଥା ବହୁସ୍ତର ବିଶିଷ୍ଟ ଏବଂ ପ୍ରତ୍ୟେକ ସ୍ତର କିଛି  ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଅଭିପ୍ରେତ I ପ୍ରଣାଳୀର ନିର୍ଦ୍ଦେଶ ବା କମାଣ୍ଡ କେନ୍ଦ୍ର  ‘55K6E’ ଏକ 6x 6  ସାମରିକ ଗାଡି ଉପରେ ଅବସ୍ଥାପିତ I ଏହା ପ୍ରଣାଳିର ମସ୍ତିଷ୍କ ସଦୄଶ I ଏହା ପ୍ରକୄତ ସମୟରେ ରାଡାରରୁ ତଥ୍ୟ ସଂଗ୍ରହ ଓ ତଥ୍ୟ ପରିଚାଳନା, ଅସ୍ତ୍ର ପ୍ରୟୋଗ ନିମନ୍ତେ ନିର୍ଦ୍ଦେଶ ଜାରି ତଥା ଏକାଧିକ ଲଞ୍ଚର ମଧ୍ୟରେ ସମନ୍ୱୟତା ରକ୍ଷା କରିଥାଏ I ଏହି ବ୍ବ୍ୟବସ୍ଥାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ, ଏହାର କୌଣସି ଗୋଟିଏ ବିଭାଗ କିଛି କାରଣରୁ କାର୍ଯ୍ୟ ନକଲେ ସୁଦ୍ଧା ସମୁଦାୟ କେନ୍ଦ୍ରର କାର୍ଯ୍ୟଦକ୍ଷତା ଅପରିବର୍ତ୍ତିତ ରହିଥାଏ I ଏହା ସମ୍ପୂର୍ଣ୍ଣ ରୂପେ ସ୍ୱୟଂଚାଳିତ, ଡିଜିଟାଲ ଭିତ୍ତିକ ଏବଂ ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ  ଜାମ୍ ନିରୋଧୀ I

 କ୍ଷେପଣାସ୍ତ୍ର ବ୍ୟବସ୍ଥା

  ଏହି ପ୍ରଣାଳୀରେ ଅଲଗା ଅଲଗା ମାର୍ଗଦୂରତାର ସମୁଦାୟ 4ଟି କ୍ଷେପଣାସ୍ତ୍ର ସାମିଲ ଥାଏ I ସେଗୁଡିକ ହେଲା : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର,  ମଧ୍ୟମ ଦୁରଗାମୀ କ୍ଷେପଣାସ୍ତ୍ର, ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅତି-ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର I  ସ୍ୱଳ୍ପ ଦୂରଗାମୀ (9M96E) କ୍ଷେପଣାସ୍ତ୍ରର ମାରକସୀମା 40 କି.ମି. ପର୍ଯ୍ୟନ୍ତ, ମଧ୍ୟମ ଦୁରଗାମୀ  ଅସ୍ତ୍ର (9M96E2) ର ମାରକସୀମା 120 କି.ମି. ପର୍ଯ୍ୟନ୍ତ, ଦୂରଗାମୀ   କ୍ଷେପଣାସ୍ତ୍ର (48N6DM) ର  ମାରକସୀମା 250 କି.ମି.  ପର୍ଯ୍ୟନ୍ତ ଏବଂ ଅତିଦୂରଗାମୀ କ୍ଷେପଣାସ୍ତ୍ର (40N6E)  ର ମାରକସୀମା 400 କି.ମି. ପର୍ଯ୍ୟନ୍ତ ହୋଇଥାଏ I ଏହି କ୍ଷେପଣାସ୍ତ୍ରସବୁ ଆବଶ୍ୟକତା ଅନୁସାରେ ଅର୍ଥାତ ଆକ୍ରମଣକାରୀ ବସ୍ତୁର ଦୂରତା ଓ ଉଚ୍ଚତା ଅନୁସାରେ କାର୍ଯ୍ୟକାରୀ ହୋଇଥାନ୍ତି ଏବଂ ସେଗୁଡିକ ଅତ୍ୟଧିକ ଉଚ୍ଚତାରେ ଦ୍ରୁତ ଧାବମାନ  ବାଲଷ୍ଟିକ କ୍ଷେପଣାସ୍ତ୍ରଠାରୁ ଆରମ୍ଭକରି ନିମ୍ନ ଉଚ୍ଚତାରେ ଉଡୁଥିବା  କ୍ରୁଜ କ୍ଷେପଣସ୍ତ୍ର କିମ୍ବା ଲୁଚି ଲୁଚି ଆସୁଥିବା ସ୍ଟିଲଥ  ବୋମାବର୍ଷୀ ବିମାନ ସହିତ ନିୟୋଜିତ ହୋଇ ପାରନ୍ତି I  

 ମାର୍ଗନିର୍ଦ୍ଦେଶ  ଓ ଲକ୍ଷ୍ୟସ୍ତଳୀ ଠାବ :

 ଏହି ପ୍ରଣାଳୀରେ ଏକ ସର୍ବେଲାନ୍ସ  ରାଡାର ସ୍ଥାନିତ ଥାଏ ଯାହା ନିଜର କାର୍ଯ୍ୟକାରୀ କ୍ଷେତ୍ରର ଚତୁପାର୍ଶ୍ୱରେ ଏକ ସୁରକ୍ଷା ବଳୟ ନିର୍ଦ୍ଧାରଣ  କରିଥାଏ I  ଏହି ବଳୟ ମଧ୍ୟରେ ଶତ୍ରୁପକ୍ଷର କୌଣସି ବସ୍ତୁ ପ୍ରବେଶ କଲେ ଏହା ସଙ୍ଗେ ସଙ୍ଗେ ତାହାକୁ ଠାବ କରିଥାଏ I ତାହା ଏହି ସଙ୍କେତକୁ  କମାଣ୍ଡ ଗାଡିକୁ ପ୍ରେରଣ କରିଥାଏ I  ସଙ୍କେତ ମିଳିବା ମାତ୍ରେ  ଗାଇଡେନ୍ଷ  ରାଡାର ବସ୍ତୁର ଅବସ୍ଥିତି ନିର୍ଭୁଲ ରୂପେ ନିରୂପଣ କରି  ନିକଟତମ ଗାଡିରୁ ପ୍ରତିକ୍ଷେପଣାସ୍ତ୍ର ପ୍ରୟୋଗ ପୂର୍ବକ ଆକ୍ରମଣକାରୀ ବସ୍ତୁକୁ ବାୟୁରେ ହିଁ ନଷ୍ଟ  କରି ଦିଆଯାଏ I ଏଥିରେ ସ୍ଥାନିତ  L-ବ୍ୟାଣ୍ଡରେ କାର୍ଯ୍ୟ କରୁଥିବା 91N6E ବିଗ୍ ବାର୍ଡ ରାଡାର 600 କି.ମି. ଦୂରତା ପର୍ଯ୍ୟନ୍ତ ଶତ୍ରୁପକ୍ଷର ଟାର୍ଗେଟକୁ ଚିହ୍ନଟ କରିପାରେ I S-ବ୍ୟାଣ୍ଡରେ କାମ କରୁଥିବା ଅନ୍ୟ ଏକ 96L6E ରାଡାରକୁ ଆକ୍ରମଣକାରୀ ବସ୍ତୁର ଉଚ୍ଚତା ନିର୍ଣ୍ଣୟ ତଥା କମ୍ ଉଚ୍ଚତାରେ ଉଡୁଥିବା ବସ୍ତୁକୁ ଟ୍ରାକିଂ କରିବା ପାଇଁ ସକ୍ଷମ I ଏହା ବ୍ୟତୀତ,  ପ୍ରଣାଳୀର ଏକ ବିକଳ୍ପ VHF-ବ୍ୟାଣ୍ଡ ରାଡାର ମଧ୍ୟ ସ୍ଥାନିତ ଥାଏ ଯାହା ଶତ୍ରୁପକ୍ଷର ଲୁଚି ଲୁଚି ଆସୁଥିବା ଗୁପ୍ତ କିମ୍ବା ଷ୍ଟିଲ୍ଥ ବିମାନକୁ ସହଜରେ ଚିହ୍ନଟ କରି ପାରେ I

ବିକାଶ

 ଏହି S -400 ପ୍ରଣାଳୀର ମୂଳ ନମ ଟ୍ରାୟାମ୍ଫ I ଏହାର ବିକାଶ ନିମନ୍ତେ ତତ୍କାଳୀନ ସୋଭିଏତ ରୁଷ୍  ସରକାର 1991 ମସିହାରେ  ସବୁଜ ସଙ୍କେତ ଦେଇଥିଲେ I ମାତ୍ର   ଅଳ୍ପ ଦିନ ମଧ୍ୟରେ   ସୋଭିଏତ୍ତ ରୁଷ ରାଷ୍ଟ୍ରସଂଘ   ଭୁଷୁଡି ପଡିବା ପରେ  ଏହି କାର୍ଯ୍ୟକ୍ରମକୁ ସାମୟିକ ସ୍ଥଗିତ ରଖା ଯାଇଥିଲା I 1993 ମସିହାରେ ରୁଷୀୟ ବାୟୁସେନା ଏହି କାର୍ଯ୍ୟକ୍ରମକୁ ପୁନରୁଦ୍ଧାର କରି 1999 ମସିହାରେ ସଫଳତାର ସହିତ ପରୀକ୍ଷଣ କରିଥିଲା I ପ୍ରାରମ୍ଭିକ ପର୍ଯ୍ୟାୟର  କିଛି ପ୍ରତିବନ୍ଧକ ସତ୍ତ୍ୱେ ଏହି ପ୍ରଣାଳୀକୁ 2007 ମସିହାରେ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇ ଯୁଦ୍ଧକ୍ଷେତ୍ରରେ ସଫଳତାର ସହ  ପ୍ରୟୋଗ କରାଯାଇ ଥିଲା  I

   ଏତେସବୁ ଜ୍ଞାନକୌଶଳ ଓ ମହତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ଏହି ଦୁର୍ଦ୍ଦଷ ଓ ଅପରାଜେୟ ଏସ.-400  ବ୍ୟବସ୍ଥାକୁ ‘ସୁଦର୍ଶନ ଚକ୍ର’ ବୋଲି ଆଖ୍ୟା ଦିଆ ଯାଇଛି I ଭଗବାନ ଶ୍ରୀକୄଷ୍ଣଙ୍କ ସୁଦର୍ଶନ ଚକ୍ର ଯେପରି ନ୍ୟାୟର ପ୍ରତୀକ, ଏହି ପ୍ରତିରକ୍ଷା ପ୍ରଣାଳୀ ସେହିପରି  ଶତ୍ରୁର ଅନ୍ୟାୟ ଆକ୍ରମଣରୁ ଦେଶ ଓ ବ୍ୟକ୍ତିକୁ ରକ୍ଷା କରି ଧର୍ମ ଓ ସୁଶାସନ ପ୍ରତିଷ୍ଥା  ନିମନ୍ତେ ସଦା ଚେଷ୍ଟିତ I ସୁତରାଂ  ଆମର ବାୟୁସେନାରେ ଏହି ପ୍ରଣାଳୀର ସାମିଲ ଦ୍ୱାରା ଦେଶର ପ୍ରତିରକ୍ଷା କବଚ କ୍ଷମତା  ଯେ ଆଶାତୀତ ବୄଦ୍ଧି ପାଇଛି ଏଥିରେ ସନ୍ଦେହ ନାହିଁ I

 

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

  ଭୋପାଳ

ଫୋନ୍ : 8018708858

 

 

 

 


 The Nitidin dated 24.05.25

https://drive.google.com/file/d/1weYIFOO80k5t5FJlocPo9jUQD2A7vx2Z/view?usp=sharing



The Sakala dated 26.05.25;



To read my article on S 400: India's Air Defence System  published in the Bigyana Diganta, June 2025, please click the link given below:

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?