ଉତ୍ତପ୍ତ ଗ୍ରୀଷ୍ମ ରୁତୁ ଏବଂ ଏଲ୍ ନିନୋ EL NINO

 

                                                ଉତ୍ତପ୍ତ ଗ୍ରୀଷ୍ମ ରୁତୁ ଏବଂ ଏଲ୍ ନିନୋ

 

      ନିକୁଞ୍ଜ ବିହାରୀ ସାହୁ

 

          ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି ଗ୍ରୀଷ୍ମ ରୁତୁରେ  ବିଶ୍ୱ ସାରା ଅସହ୍ୟ ଗରମ ଅନୁଭୂତ ହେଉଛି  I ଏହା ପଛରେ ଏଲ ନିନୋର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପ୍ରକାଶ କରୁଛନ୍ତି I ଦ୍ରୁତ ଗତିରେ ବିକଶିତ ହେଉଥିବା ଏବେକାର ଅଭୂତପୂର୍ବ ଏଲ୍ ନିନୋ ଘଟଣା  ବାୟୁମଣ୍ଡଳୀୟ  ତାପମାତ୍ରା ବୃଦ୍ଧିକୁ ତ୍ୱରାନିତ  କରୁଛି। ଏହି ଜଳବାୟୁ ଚକ୍ର  ସାଧାରଣତଃ ଉଷ୍ମ ସମୁଦ୍ର ଜଳକୁ ସଞ୍ଚାଳନ  କରୁଥିବା ବାଣିଜ୍ୟ ପବନକୁ ଦୁର୍ବଳ କରି ବାୟୁମଣ୍ଡଳକୁ ବିପୁଳ ପରିମାଣର କ୍ରାନ୍ତିମଣ୍ଡଳୀୟ ଅଞ୍ଚଳର ତାପ  ସ୍ଥାନାନ୍ତରିତ କରୁଛି I  ଏହା ଫଳରେ ସମଗ୍ର ବିଶ୍ୱରେ ତାପମାତ୍ରା ଆଶାତୀତ ବୄଦ୍ଧି ପାଇବା ସାଙ୍ଗକୁ  ଭୟଙ୍କର ତାପ ଲହରୀ ଅନୁଭୂତ ହେଉଛି I ତେବେ ପ୍ରଶ୍ନ ହେଉଛି: ଏଲ୍ ନିନୋ କ’ଣ ଏବଂ ବୈଶ୍ୱିକ ତାପମାତ୍ରା ବୄଦ୍ଧି ପଛରେ ଏହାର ଭୂମିକା କ’ଣ I

ଏଲ୍ ନିନୋର ଇତିବୄତ୍ତ

       ପ୍ରତ୍ୟେକ ବର୍ଷର ଶେଷ ଆଡ଼କୁ, ଦକ୍ଷିଣ ଆମେରିକାର ଇକୁଏଡର ଏବଂ ଉତ୍ତର ପେରୁ ଉପକୂଳରେ ବାସ କରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଏକ ବିଚିତ୍ର  ଘଟଣା ଲକ୍ଷ୍ୟ କରୁଥିଲେ: ଏହି ସମୟରେ ସମୁଦ୍ର ଜଳ ଉଷ୍ମୀୟ ପାଲଟି ଯିବା  ସହିତ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧି ପାଉଥିଲା। ପ୍ରାଚୀନ କାଳରୁ, ସ୍ଥାନୀୟ ବାସିନ୍ଦାମାନେ ଏହି ବାର୍ଷିକ ଉଷ୍ମତା ଘଟଣାକୁ ‘ଏଲ୍ ନିନୋ’ ବୋଲି କହୁଥିଲେ ଯାହା ସ୍ପେନୀୟ  ଭାଷାରେ ‘ବାଳକ ଯୀଶୁ’ ବୋଲି ବୁଝାଏ, ଯେହେତୁ ଏହା ସାଧାରଣତଃ ବର୍ଷର ଖ୍ରୀଷ୍ଟମାସ ଋତୁରେ ହିଁ ପରିଲକ୍ଷିତ ହୋଇଥାଏ। ପାରମ୍ପାରିକ ଭାବେ, ପେରୁର ମତ୍ସ୍ୟଜୀବୀମାନଙ୍କ ପାଇଁ ଏଲ୍ ନିନୋର ଆବିର୍ଭାବ ମାଛ ଧରିବା ଋତୁର ପରିସମାପ୍ତି ଏବଂ ନିଜର ଡଙ୍ଗା ତଥା ଅନ୍ୟ ମତ୍ସ୍ୟଧରା ଉପକରଣର  ମରାମତି ଓ ରକ୍ଷଣାବେକ୍ଷଣ ସମୟର ଆଗମନକୁ ସୂଚନା କରିଥାଏ। ଆହୁରି ମଧ୍ୟ, ପ୍ରତି ଦୁଇରୁ ସାତ  ବର୍ଷରେ ଥରେ, ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳର ଜଳରାଶିରେ ଏକ ଅଧିକ ଶକ୍ତିଶାଳୀ ଉଷ୍ମୀୟ ପ୍ରଭାବ ପ୍ରକାଶ ପାଇଥାଏ । ଏହା ମାସ ମାସ ଧରି ଅନୁଭୂତ ହୋଇଥାଏ ଯାହାର ପ୍ରଭାବରେ ସାଧାରଣତଃ  ଇକୁଏଡର ଏବଂ ଉତ୍ତର ପେରୁର ଶୁଷ୍କ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବୄଷ୍ଟିପାତ  ଘଟିଥାଏ। ସମୟକ୍ରମେ, ପୂର୍ବର ସ୍ୱଳ୍ପ ବାର୍ଷିକ ଉଷ୍ମତା ଘଟଣା ପରିବର୍ତ୍ତେ କେବଳ ଏହି ବୃହତ ଉଷ୍ମତା ଚକ୍ରକୁ ସୂଚନା କରିବା ପାଇଁ  ‘ଏଲ୍ ନିନୋ’ ଶବ୍ଦ ବ୍ୟବହାର କରାଗଲା। ବିଗତ 1960 ଦଶକରେ, ବୈଜ୍ଞାନିକମାନେ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳର ଏହି ବିଚିତ୍ର  ଉଷ୍ମୀୟ ଜଳକୁ ବିଷୁବରେଖା ନିକଟବର୍ତ୍ତୀ  କେନ୍ଦ୍ରୀୟ ଏବଂ ପୂର୍ବ-କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଅସାଧାରଣ ଉଷ୍ମୀୟ ଜଳ ସହିତ ଜଡିତ  କରାଗଲା । ଏବେ ଜଳବାୟୁ ବିଜ୍ଞାନୀମାନେ ଏଲ୍ ନିନୋକୁ ବିଶ୍ୱବ୍ୟାପୀ ପାଣିପାଗ ଏବଂ ଜଳବାୟୁକୁ ପ୍ରଭାବିତ କରୁଥିବା ଏକ ପ୍ରମୁଖ କାରକ ବୋଲି ବିବେଚନା କରୁଛନ୍ତି।

        ସୁତରାଂ  ଏଲ୍ ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବାଞ୍ଚଳ ଭାଗରେ ସମୁଦ୍ର ଜଳର ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ଘଟିବାର ଏକ ପ୍ରାକୃତିକ ଘଟଣା। ସାଧାରଣତଃ ଏହା ପ୍ରତି ଦୁଇରୁ ସାତ ବର୍ଷ ମଧ୍ୟରେ ଥରେ ଘଟିଥାଏ। ଏଲ୍ ନିନୋ ସୃଷ୍ଟି ହେଲେ ବିଶ୍ୱର ବିଭିନ୍ନ ଅଞ୍ଚଳର ପାଣିପାଗ ଗୁରୁତର ଭାବେ ପ୍ରଭାବିତ ହୁଏ। ଏହା ବାୟୁମଣ୍ଡଳରେ ପ୍ରଚୁର ପରିମାଣର ସାମୁଦ୍ରିକ ତାପ ନିର୍ମୁକ୍ତ କରି ବିଶ୍ୱ ତାପମାତ୍ରା ବୃଦ୍ଧି କରେ, ଯାହା ବିଶ୍ୱବ୍ୟାପୀ ଅତି ଚରମ  ପାଣିପାଗ ଅବସ୍ଥା ଏବଂ ତାପ ଲହରୀ ସୄଷ୍ଟି କରେ। ଭାରତରେ ଏହା ମୌସୁମୀ ବର୍ଷାକୁ ଦୁର୍ବଳ କରିବା ସହ ତାପମାତ୍ରା ବୃଦ୍ଧିରେ ମୂଖ୍ୟ ଭୂମିକା ଗ୍ରହଣ କରେ।

ଓଡିଶା ଉପରେ ପ୍ରଭାବ

      ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଅତ୍ୟଧିକ ତାପମାତ୍ରା ପଛରେ ଏଲ୍ ନିନୋ  ଏକ ପ୍ରମୁଖ ଭୂମିକା ରହିଛି  ବୋଲି ପାଣିପାଗ ବିଜ୍ଞାନୀମାନେ ମତପ୍ରକାଶ କରିଛନ୍ତି । ଏଲ୍ ନିନୋର ପ୍ରଭାବରେ, ଭାରତ ତଥା ଆମ ରାଜ୍ୟରେ  ଗ୍ରୀଷ୍ମ ଋତୁ ସମୟରେ   ତାପମାତ୍ରା ଅଧିକ ବଢ଼ିଯାଏ ଏବଂ ତାପପ୍ରବାହର ଅବଧି ଲମ୍ବା ହୋଇଥାଏ। ଏପରିକି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଏ । ଏହାଦ୍ୱାରା ଜନଜୀବନ ବିପର୍ଯ୍ୟସ୍ତ ହେବା ସାଙ୍ଗକୁ  ଜଳସଙ୍କଟ ଦେଖାଦିଏ ଏବଂ କୃଷିକାର୍ଯ୍ୟ ବାଧାପ୍ରାପ୍ତ  ହୁଏ। ଏବେ ବିଶ୍ୱ ତାପନ ଏବଂ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ  ଏହି ସମସ୍ୟାକୁ ଅଧିକ  ଗମ୍ଭୀର କରିଛି । ଜଙ୍ଗଲ ନଷ୍ଟ , ଶିଳ୍ପାୟନ, ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର ଏବଂ ମାତ୍ରାଧିକ ସବୁଜଘର ବାଷ୍ପର ନିର୍ଗମନ ଯୋଗୁଁ ପୃଥିବୀର ହାରାହାରି ତାପମାତ୍ରା କ୍ରମାଗତ ବଢ଼ୁଛି। ଏହା ସହ ଏଲ୍ ନିନୋର ପ୍ରଭାବ ମିଶି  ଓଡ଼ିଶା ଓ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ  ଅତ୍ୟଧିକ ଗରମ   ଅନୁଭୂତ ହେଉଛି ।

ଭାରତୀୟ ମୌସୁମୀ ଉପରେ ପ୍ରଭାବ

       ସାଧାରଣତଃ, ଏଲ୍ ନିନୋ ସମୟରେ  ଭାରତରେ ମୌସୁମୀ ବୄଷ୍ଟିପାତ  ହ୍ରାସ ପାଇଥାଏ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହ  ସମୟରେ ଦକ୍ଷିଣ ଆମେରିକାରୁ ପ୍ରବାହିତ  ବାଣିଜ୍ୟ ପବନ ସାଧାରଣତଃ ପଶ୍ଚିମ ଦିଗରେ ଏସିଆ ମହଦେଶ ଆଡକୁ ଅଗ୍ରସର ହୁଏ। ଏହି ବାୟୁ ପ୍ରଶାନ୍ତ ମହାସାଗରର ଉପର ଦେଇ  ଅତିକ୍ରମ କରିବା ସମୟରେ ସମୁଦ୍ର ଜଳରୁ ଯଥେଷ୍ଟ ଉଷ୍ଣତା ଗ୍ରହଣ କରି  ଦୁର୍ବଳ ହୋଇଯାଏ। ଏହାଦ୍ୱାରା ପବନର ଆର୍ଦ୍ରତା ଏବଂ ତାପମାତ୍ରା ଯଥେଷ୍ଟ  ହ୍ରାସ ପାଏ ଯାହା ଫଳରେ ଭାରତୀୟ ଉପମହାଦେଶରେ ବର୍ଷାର ହ୍ରାସ ଏବଂ ବୃଷ୍ଟିପାତରେ ଅସମାନ ବଣ୍ଟନ ପରିଲକ୍ଷିତ ହୁଏ। ଏହା ଭାରତରେ ବ୍ୟାପକ ମରୁଡି ଏବଂ ଦୁର୍ଭିକ୍ଷ ସୃଷ୍ଟି କରେ। ଭାରତରେ ୧୮୭୧ ମସିହା ପରଠାରୁ ପ୍ରମୁଖ ମରୁଡିଗୁଡିକ ମଧ୍ୟରୁ କେବଳ   ୬ଟି  ଏଲ୍ ନିନୋ ଯୋଗୁଁ ବୋଲି ବିବେଚନା କରାଯାଇଛି, ଯାହା ମଧ୍ୟରେ ନିକଟ ଅତୀତର  ୨୦୦୨ ଏବଂ ୨୦୦୯ ବର୍ଷର ମରୁଡିମାନ ଅନ୍ତର୍ଭୁକ୍ତ। ବିଗତ  ୧୮୮୦ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ୧୩୫ ବର୍ଷର ପାଣିପାଗ ବିବରଣୀରୁ ଜଣାଯାଏ ଯେ,  ବିଗତ  ଏଲ୍ ନିନୋ ବର୍ଷ ଗୁଡିକ  ମଧ୍ୟରୁ ପ୍ରାୟ ୯୦% ବର୍ଷ ସାଧାରଣଠାରୁ ସ୍ୱଳ୍ପ  ବୄଷ୍ଟିପାତ ପ୍ରବଣ ପାଲଟିଥିଲାବେଳେ   ୬୫% ବର୍ଷରେ ଘୋର ମରୁଡି ପରିଲକ୍ଷିତ ହୋଇଛି । ସୁତରାଂ  ଏହା ସ୍ପଷ୍ଟ ଯେ, ଏଲ୍ ନିନୋ ଭାରତୀୟ କୄଷିର ମୂଳାଧାର  ମୌସୁମୀବାୟୁକୁ ଦୁର୍ବଳ କରି ଜଳବାୟୁ ଏବଂ ପାଣିପାଗ ବ୍ୟବସ୍ଥା ଉପରେ  ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହାର ଫଳସ୍ୱରୂପ, ଦେଶର ଫସଲ ଉତ୍ପାଦନ ଏବଂ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥାଏ।

ଇତିହାସରେ  ଏଲ୍ ନିନୋ

  ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍ ନିନୋ ଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା  ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ, ପୂର୍ବ କ୍ରାନ୍ତିମଣ୍ଡଳୀୟ  ପ୍ରଶାନ୍ତ ମହାସାଗରରେ ସମୁଦ୍ରପୃଷ୍ଠର ତାପମାତ୍ରା ସାଧାରଣଠାରୁ ଅନେକ ଡିଗ୍ରୀ ଅଧିକ ଥିଲା। ତାପମାତ୍ରାର ଏହି ପ୍ରବଳ  ବୄଦ୍ଧି ଯୋଗୁଁ ଜଳବାୟୁରେ ଗୁରୁତର ପରିବର୍ତ୍ତନ ଘଟିଥିଲା ଯାହାର କେତୋଟି ଦୄଷ୍ଟାନ୍ତ ନିମ୍ନରେ ଦିଆଗଲା : ଅଷ୍ଟ୍ରେଲିଆର ଅଧିକାଂଶ ଅଞ୍ଚଳ ଦାରୁଣ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା; ଟାଇଫୁନ୍ ଭଳି ସାମୁଦ୍ରିକ ଝଡ  ତାହିତିରେ  ଧ୍ୱଂସର ତାଣ୍ଡବଲୀଳା ରଚନା କରିଥିଲା ​​ଏବଂ ଅଭୂତପୂର୍ବ ବର୍ଷା ଏବଂ ବନ୍ୟା ଯୋଗୁଁ  କେନ୍ଦ୍ରୀୟ ଚିଲିରେ ନାହିଁ ନଥିବା ସଙ୍କଟ ଦେଖା ଦେଇଥିଲା I ଉତ୍ତର ଆମେରିକାର ପଶ୍ଚିମ ଉପକୂଳରେ ଶୀତ ଋତୁରେ ମଧ୍ୟ ଅଶାନ୍ତ ଝଡମାନ ଉଠିଥିଲା  ଏବଂ ଚିଲିରୁ ଆଲାସ୍କା ପର୍ଯ୍ୟନ୍ତ ସବୁଠି ମତ୍ସ୍ୟ ଉତ୍ପାଦନ  ଗୁରୁତର ହ୍ରାସ ପାଇଥିଲା। ସେହିପରି, ୧୯୯୭-୯୮ର ଏଲ୍ ନିନୋକୁ ବିଂଶ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ଘଟଣା ଭାବରେ ବିବେଚନା କରାଯାଉଛି । ଏହା ସର୍ବପ୍ରଥମ ଏଲ୍ ନିନୋ ଘଟଣା ଥିଲା ଯାହାକୁ ବୈଜ୍ଞାନିକ ଦୄଷ୍ଟିକୋଣରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗଭୀର ପର୍ଯ୍ୟବେକ୍ଷଣ  କରାଯାଇଥିଲା। ଏହି ଏଲ୍ ନିନୋ ଘଟଣା ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଗୁରୁତର ମରୁଡ଼ି ପରିସ୍ଥିତି ସୃଷ୍ଟି କରିବା ସଙ୍ଗେ ସଙ୍ଗେ  ପେରୁରେ  ପ୍ରବଳ ବର୍ଷା ଏବଂ ଭୟଙ୍କର ବନ୍ୟାପ୍ଲାବନ ସଂଘଟିତ କରିଥିଲା। ଏହାର ପ୍ରଭାବରେ ଯୁକ୍ତରାଷ୍ତ୍ର ଆମେରିକାର କାଲିଫର୍ଣ୍ଣିଆରେ ଶୀତଦିନେ ପ୍ରବଳ ବୄଷ୍ଟିପ୍ଷାତ ଘଟିଥିଲା ଏବଂ ଦେଶର ମଧ୍ୟପଶ୍ଚିମ ଭାଗରେ ତାପମାତ୍ରା ଅସ୍ୱଭାବିକ ଭାବେ ବୄଦ୍ଧି ପାଇ ପୂର୍ବର ସମସ୍ତ ରେକଡକୁ ଭଙ୍ଗ କରିଥିଲା।

      ସୁତରାଂ ଏଲ୍ ନିନୋ ଓ ଜଳବାୟୁ ପରିବର୍ତ୍ତନର ମିଳିତ ପ୍ରଭାବ ଯେ ସମଗ୍ର ବିଶ୍ୱରେ ତାପପ୍ରବାହକୁ ଅଧିକ ତୀବ୍ର କରିଛି ଏଥିରେ ସନ୍ଦେହ ନାହିଁ । ଏହାଦ୍ୱାରା ମଧ୍ୟ କ୍ରାନ୍ତିମଣ୍ଡଳୀୟ ଝଡର ସଂଖ୍ୟା ଓ ତୀବ୍ରତା ବୄଦ୍ଧି ପାଇଛି । ଏଲ୍ ନିନୋ ଏକ ପ୍ରାକୃତିକ ଘଟଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବକୁ ହ୍ରାସ କରିବା  ପାଇଁ ଆମକୁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ହେବ। ବୃକ୍ଷରୋପଣ, ଜଳ ସଂରକ୍ଷଣ, ପ୍ରଦୂଷଣ ହ୍ରାସ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଅବଲମ୍ବନ   ଭଳି  ବ୍ୟକ୍ତିଗତ ଓ ସାମୂହିକ  ସ୍ତରର ପଦକ୍ଷେପମାନ ଏଲ୍ ନିନୋ ଦ୍ୱାରା ସଂଘଟିତ  ଜଳବାୟୁ ପରିବର୍ତ୍ତନର ଗତିକୁ ମନ୍ଦିତ କରିପାରିବ।

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର

ଫୋନ୍ : 8917637974

 

 



Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ MOBILE APP