ନାସାର ପରମାଣୁ ଚାଳିତ ଅନ୍ତରୀକ୍ଷ ଅଭିଯାନ NASA'S SPACE NUCLEAR REACTOR SR-1 FREEDOM

                        ନାସାର ପରମାଣୁ ଚାଳିତ ଅନ୍ତରୀକ୍ଷ  ଅଭିଯାନ

ନିକୁଞ୍ଜ  ବିହାରୀ ସାହୁ

ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ବହୁ ଦଶନ୍ଧିର ଗବେଷଣା ପରେ  ପ୍ରୟୋଗଶାଳାରୁ ମହାକାଶକୁ ପରମାଣୁ ଶକ୍ତିର ପ୍ରୟୋଗକୁ  ସମ୍ପ୍ରସାରିତ କରିବା ନିମନ୍ତେ ନିକଟରେ ଏକ  ପ୍ରମୁଖ ଯୋଜନା ଘୋଷଣା କରିଛି ।  ଏହି ଯୋଜନା ମୁତାବକ, ନାସା ଆଗାମୀ  ଡିସେମ୍ବର 2028 ରେ ଅନ୍ତରୀକ୍ଷକୁ ନିଜର ଏକ ପରମାଣୁ  ରିଆକ୍ଟର ସମ୍ବଳିତ  ଅଭିଯାନ ‘ଏସ୍. ଆର୍. -1 ଫ୍ରିଡମ୍’ ପ୍ରେରଣ  କରିବ ଏହା  ଅନ୍ତରୀକ୍ଷରେ ରକେଟ ଚାଳନକ୍ରିୟା ନିମନ୍ତେ ରିଆକ୍ଟରର ପରମାଣୁ ବିଖଣ୍ଡନ ପ୍ରକ୍ରିୟାରୁ ଆହରିତ  ଶକ୍ତି ବ୍ୟବହାର କରିବ  ।    ନାସାର ଏହି ଉଦ୍ୟମ ସଫଳ ହେଲେ ଏହା ବିଶ୍ୱ  ଅନ୍ତରୀକ୍ଷ ଉଡ଼ାଣର ଦୀର୍ଘ 60 ବର୍ଷ ଇତିହାସରେ  ପ୍ରଥମ ଉପଲବ୍ଧି ହେବ । ଏହି ଅଭିଯାନ ମଧ୍ୟ  ମଙ୍ଗଳ ଗ୍ରହ ପୄଷ୍ଠର ବିସ୍ତୄତ ଅନୁସନ୍ଧାନ ନିମନ୍ତେ   ତିନୋଟି ହେଲିକପ୍ଟର ବହନ କରି ନେବ। ଏହି ପଥପ୍ରଦର୍ଶକ ଅଭିଯାନ  ମଙ୍ଗଳ ବ୍ୟତୀତ ଚନ୍ଦ୍ର ଏବଂ ଆମ ସୌରମଣ୍ଡଳର ବାହ୍ୟ ପରିସର ଅନୁସନ୍ଧାନ ପାଇଁ ଗ୍ରହପୃଷ୍ଠରୁ ଆହରିତ  ଶକ୍ତି ସମେତ ଭବିଷ୍ୟତର ଉପଯୋଗିତା  ନିମନ୍ତେ  ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟାର ଭିତ୍ତିଭୂମି ସ୍ଥାପନ  କରିବ ।

ଅନ୍ତରୀକ୍ଷରେ ପରମାଣୁ ଶକ୍ତି ଉତ୍ସର ଆବଶ୍ୟକତା

 ପୃଥିବୀ ନିକଟରେ ପ୍ରଚୁର ସୌରଶକ୍ତି ଉପଲବ୍ଧ ହେଉଥିବାରୁ ଏହା ଉପରେ ନିର୍ଭରଶୀଳ ଯନ୍ତ୍ରାବଳି ସଠିକ ରୂପେ କାର୍ଯ୍ୟ କରିଥାଏ  । ମାତ୍ର ଚନ୍ଦ୍ର କିମ୍ବା ଅନ୍ୟ ଗ୍ରହରେ, ସୌରଶକ୍ତି ସ୍ୱଳ୍ପ ମତ୍ରାରେ ଉପଲବ୍ଧ ହୋଇଥାଏ ଏବଂ ଏହା ପୁଣି  ଦର୍ଶକର ସ୍ଥାନ ଉପରେ  ନିର୍ଭର କରେ ଉଦାହରଣ ସ୍ୱରୂପ,  ଚନ୍ଦ୍ରର  ଧ୍ରୁବୀୟ ସ୍ଥାନଗୁଡ଼ିକରେ ସ୍ୱଳ୍ପ ସୂର୍ଯ୍ୟକିରଣ ପଡୁଥିବାରୁ  ସେଗୁଡିକ  ସର୍ବାଧିକ କାଳ   ଅନ୍ଧକାରଛନ୍ନ ରହିଥାନ୍ତି  ।   ଏପରିକି ଚନ୍ଦ୍ର ପୄଷ୍ଠରେ  ଅନେକ   ସ୍ଥାୟୀ ଛାୟାଯୁକ୍ତ ଗଭୀର ଗର୍ତ୍ତ  ରହିଛି ଯେଉଁଠାରେ ବର୍ଷସାରା ଆଦୌ  ସୂର୍ଯ୍ୟକିରଣ ପଡେ ନାହିଁ, ଫଳରେ ଏହିସବୁ ସ୍ଥାନର ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବହୁତ ତଳେ ଏବଂ ସଦାସର୍ବଦା ବରଫରେ ପୂର୍ଣ୍ଣ ରହିଥାଏ । ସେହିପରି,  ମଙ୍ଗଳ ଗ୍ରହରେ ଉଠୁଥିବା ଅଶାନ୍ତ  ଧୂଳିଝଡ଼ସବୁ ସପ୍ତାହ ସପ୍ତାହ  ବ୍ୟାପୀ ସୂର୍ଯ୍ୟକିରଣକୁ ଅବରୋଧ କରେ। ଅନ୍ତରୀକ୍ଷର ଏଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଚନ୍ଦ୍ରରେ ନିଜର  ଉପସ୍ଥିତି ବଜାୟ ରଖିବା, ମଙ୍ଗଳ ଗ୍ରହକୁ ମନୁଷ୍ୟ  ପ୍ରେରଣ କରିବା  ଏବଂ ସୌରଜଗତର ବାହ୍ୟ ପରିସୀମା ଅନୁସନ୍ଧାନ କରିବାର ଦୀର୍ଘ ଅନ୍ତରୀକ୍ଷ ଯାତ୍ରା ନିମନ୍ତେ ନାସା ଏପରି ଶକ୍ତିଉତ୍ସ ଖୋଜୁଛି ଯାହା ସୂର୍ଯ୍ୟାଲୋକର ବିନା ଉପସ୍ଥିତିରେ  ଦୀର୍ଘ ଦିନ ସବୁଠି କାର୍ଯ୍ୟ କରି ପାରିବ। ପରମାଣୁ ବିଖଣ୍ଡନ ହେଉଛି ସେହିଭଳି ଏକ ଦକ୍ଷତାପୂର୍ଣ୍ଣ  ଶକ୍ତି ଉତ୍ସ ଯାହାକୁ  ବ୍ୟବହାର କରି ନାସା ଦୂର ଓ ଦୀର୍ଘସ୍ଥାୟୀ ଅନ୍ତରୀକ୍ଷ ଅଭିଯାନ ନିମନ୍ତେ  ନିଜର ଫ୍ରିଡମ୍ ଅଭିଯାନ ପ୍ରେରଣ କରିବାକୁ ଯାଉଛି  ।  

  ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ପରମାଣୁ ଶକ୍ତିଉତ୍ସର  ପ୍ରୟୋଗ ଗଭୀର ମହାକାଶରେ ଯାତ୍ରୀ ଓ ସାମଗ୍ରୀ  ପରିବହନ ନିମନ୍ତେ ଏକ ବରଦାନ ରୂପେ ସାବ୍ୟସ୍ତ ହେବ   ।   ଏହା ମଧ୍ୟ  ବୃହସ୍ପତି ଗ୍ରହ ବାହାର ପରିସୀମାରେ ଉଚ୍ଚ ଶକ୍ତି ଚାହିଦା ବିଶିଷ୍ଟ  ଅଭିଯାନର ସ୍ୱପ୍ନକୁ  ବାସ୍ତବତାରେ ରୂପାୟନ କରିବାରେ ସହାୟକ ହେବ,  ଯେଉଁଠାରେ ସୌରଫଳକ  ପ୍ରଭାବଶାଳୀ ଉପାୟରେ କାର୍ଯ୍ୟ କରିପାରେ ନାହିଁ।

  ତରଳ ଇନ୍ଧନ ଭଳି ପାରମ୍ପାରିକ ଶକ୍ତି ଉତ୍ସ ବ୍ୟବହାର କରି ଦୂର ଗ୍ରହ ରାଇଜକୁ ଅନ୍ତରୀକ୍ଷ ଯାନ ପ୍ରେରଣ କରିବା ସମ୍ଭବପର ନୁହେଁ  ।  ଏହର କାରଣ,  ଏଥି ନିମନ୍ତେ ବିପୁଳ  ଇନ୍ଧନ ଆବଶ୍ୟକ ହୋଇଥାଏ ଏବଂ ରକେଟରେ ଇନ୍ଧନ ଭାର ବଢିଗଲେ ଏହାର ଅଗ୍ରଗାମୀ ତ୍ୱରଣ ଓ ଚାଳନ କ୍ଷମତା ହ୍ରାସ ପାଇଥାଏ । ସୁତରାଂ ସମଗ୍ର ଯାତ୍ରକାଳର ଆବଶ୍ୟକତା ପୂରଣ ନିମନ୍ତେ ଏଭଳି ବିପୁଳ ଇନ୍ଧନ ବହନ କରିନେବା କୌଣସି ଅନ୍ତରୀକ୍ଷ ଯାନ ପକ୍ଷରେ ବାସ୍ତବରୂପେ  ସମ୍ଭବପର ନୁହେଁ  ।    ଅତୀତରେ  କେବଳ ବ୍ୟାଟେରୀ କିମ୍ବା ସୌରଚାଳିତ ଶକ୍ତି ବ୍ୟବହାର କରି  ‘ଭଏଜର’ କିମ୍ବା ‘ଜୁନୋ’ ଭଳି ନାସାର କିଛି ଛୋଟ ଅନ୍ତରୀକ୍ଷଯାନ ଆମ ସୌରମଣ୍ଡଳର ସୀମା ଅତିକ୍ରମ କରି ଚାଲି ଯାଇଛନ୍ତି, ମାତ୍ର ବଡ ଯାନ ଗୁଡିକ କ୍ଷେତ୍ରରେ ଦୂର ଓ ଦୀର୍ଘ ଅନ୍ତରୀକ୍ଷ ଅଭିଯାନ ନିମନ୍ତେ ପାରମ୍ପାରିକ ଶକ୍ତିଉତ୍ସ ଯଥେଷ୍ଟ ନୁହେଁ ଏବଂ ଏଥି ନିମନ୍ତେ ପରମାଣୁ ଉତ୍ସ ଭଳି ଦକ୍ଷ ଶକ୍ତି ଉତ୍ସ ହିଁ ଏକ ମାତ୍ର ବିକଳ୍ପ  । 

କୌଣସି ପରମାଣୁ ବିଖଣ୍ଡନ ପ୍ରକ୍ରିୟାରେ ଏକ ଭାରି ନାଭିକକୁ ଧୀରଗାମୀ ନିଉଟ୍ରନ ଦ୍ୱାରା ଆଘାତ କରି ବିଭାଜିତ କରାଯାଏ। ଏହି ପ୍ରକ୍ରିୟାରେ କିଛି ବସ୍ତୁତ୍ୱର ବିଲୋପନ ଘଟେ ଯାହା ଶକିରେ ପରିଣତ ହୋଇ ପ୍ରଚନ୍ଦ ଶକ୍ତି ନିର୍ମୁକ୍ତ କରେ।

ଅନ୍ତରୀକ୍ଷରେ ପରମାଣୁ ଅଭିଯାନ   କିପରି କାର୍ଯ୍ୟକାରୀ ହେବ?

ଉତକ୍ଷେପଣ ପରେ ‘ଏସ୍.ଆର୍.-1 ଫ୍ରିଡମ୍’ ଅଭିଯାନ ପ୍ରଥମେ  ପୃଥିବୀର ଗୁରୁତ୍ୱାକର୍ଷଣ ବନ୍ଧନକୁ ଅତିକ୍ରମ କରିବ  ।  ଉତକ୍ଷେପଣର ମାତ୍ର 48 ଘଣ୍ଟା ସମୟ  ମଧ୍ୟରେ ଯାନସ୍ଥିତ  ଏକ ନାଭିକୀୟ  ବିଖଣ୍ଡନ  ରିଆକ୍ଟର କାର୍ଯ୍ୟକ୍ଷମ ହୋଇ  ବୈଦ୍ୟୁତିକ ଉପାୟରେ  ଯାନର ଥ୍ରଷ୍ଟରଗୁଡ଼ିକୁ ଅଗ୍ରଗାମୀ ଗତି ନିମନ୍ତେ ଚାଲନଶକ୍ତି ପ୍ରଦାନ କରିବ । ଏହା ପରେ ଯାନଟି ନିଜର ନାଭିକୀୟ- ବୈଦ୍ୟୁତିକ ଚାଳନଗତି ଅବ୍ୟାହତ ରଖି ମଙ୍ଗଳ ଗ୍ରହ ଅଭିମୁଖେ ଛୁଟିଯିବ   ।   ଲୋହିତ  ଗ୍ରହରେ ପହଞ୍ଚି ଗ୍ରହପୄଷ୍ଠର ଅଧିକ  ଅନୁସନ୍ଧାନ ନିମନ୍ତେ ଗ୍ରହ ପୄଷ୍ଠରେ ତିନୋଟି  ଇଞ୍ଜେନିଉଟି  (Ingenuity) ଶ୍ରେଣୀର ହେଲିକପ୍ଟର     ନିୟୋଜିତ କରିବ। ସୂଚନାଯୋଗ୍ୟ ଯେ, ଗତ 2021 ମସିହାରେ ନାସାର ଏକ ଯାନ ‘କ୍ୟୁରିଓସିଟି’ ମଙ୍ଗଳ ଗ୍ରହରେ ଅବତରଣ କରିଥିଲା ଏବଂ ଯାନରୁ ବାହାରି ଏହି ହେଲିକପ୍ଟର ସଫଳତର ସହ ଉଡ୍ଡାଣ ଭରିଥିଲା  ।   ମଙ୍ଗଳ ଗ୍ରହରେ ସମ୍ଭାବ୍ୟ ମାନବ ଅବତରଣ ପାଇଁ  ସ୍ଥାନ ଚିହ୍ନଟ , ଗ୍ରହପୃଷ୍ଠ ତଳେ ତରଳ ଜଳରାଶିର ସନ୍ଧାନ  ଏବଂ ଭବିଷ୍ୟତର କୌଣସି ଅବତରକ ଯାନ  ପାଇଁ ରିଲେ ନାଭିଗେସନ୍ ତଥ୍ୟ ସଂଗ୍ରହ ଆଦି କାର୍ଯ୍ୟକଳାପ ନିମନ୍ତେ ଏହି  ହେଲିକପ୍ଟରଗୁଡିକରେ  କ୍ୟାମେରା, ଭୂମି-ଭେଦନକାରୀ ରାଡାର ଏବଂ ରେଡିଓ ଭଳି ଉପକରଣମାନ ସ୍ଥାନିତ  ହେବ।

ସୁଚିନ୍ତିତ ଅଭିଯାନ 

    ଏସ୍.ଆର୍.-1 ଫ୍ରିଡମ୍’ ପ୍ରକୄତରେ ନାସାର ଏକ ସୁଚିନ୍ତିତ ଅନ୍ତରୀକ୍ଷ ଯାତ୍ରାକ୍ରମର ପ୍ରଥମ ପଦକ୍ଷେପ । ଏହା  ଚନ୍ଦ୍ରପୄଷ୍ଠରେ ଅବତରଣ ନକରି ଚନ୍ଦ୍ର ରିଆକ୍ଟର-1 (LR-1) ସହିତ ସମ୍ପର୍କ ସ୍ଥାପନ କରି ଏହାକୁ  କାର୍ଯ୍ୟକ୍ଷମ କରିବ  ।  ଏହା    ମଧ୍ୟ ନିଜର ପରମାଣୁ ରିଆକ୍ଟର ଜରିଆରେ ଦୀର୍ଘ ଅନ୍ଧକାର  ସମୟରେ ତଥା ସୂର୍ଯ୍ୟାଲୋକ ପଡିପାରୁ ନଥିବା ସ୍ଥାନରେ  ଚନ୍ଦ୍ର ଘାଟୀକୁ ନିରନ୍ତର ଶକ୍ତି ଯୋଗାଣ କରିବ  ।  

        ଚନ୍ଦ୍ରରେ ଅବତରଣର ଜଟିଳତା ବିନା  ପ୍ରଥମେ ଏକ ରିଆକ୍ଟରକୁ  ଉଡ଼ାଣ କରି SR-1 ଯାତ୍ରା କାଳୀନ ପରମାଣୁ ଉତ୍ସର୍ଜନ ବିପଦକୁ ଦୂର କରିବ ଏହା ମଧ୍ୟ ଅନ୍ତରୀକ୍ଷରେ  ସାମଗ୍ରୀ  ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା ସଙ୍ଗେ ସଙ୍ଗେ  ଆବଶ୍ୟକୀୟ କର୍ମଶକ୍ତିର ଭିତ୍ତି ପ୍ରସ୍ତର ସ୍ଥାପନ କରିବଏହି ଅଭିଯାନ ଅନ୍ତରୀକ୍ଷରେ  ଉଚ୍ଚକୋଟୀର  ପରମାଣୁ ହାର୍ଡୱେୟାର ସ୍ଥାପନ କରିବା ସଙ୍ଗେସଙ୍ଗେ, ଅଭୂତପୂର୍ବ  ନିୟାମକ ଏବଂ ପ୍ରକ୍ଷେପଣ ଦୄଷ୍ଟାନ୍ତ ଉପସ୍ଥାପନା   କରିବ ଏହା ମଧ୍ୟ  ରକେଟ ଚାଳନା  ଏବଂ ଦୀର୍ଘ-ଅବଧି  ଯୁକ୍ତ ଅଭିଯାନ ନିମନ୍ତେ ପୃଷ୍ଠ ଆଧାରିତ   ଭବିଷ୍ୟତର ବିଖଣ୍ଡନ ନାଭିକୀୟ ଶକ୍ତି ପ୍ରଣାଳୀ ଭିତ୍ତିକ   ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରିବ। ଏହି ଅଭିଯାନ ଜରିଆରେ  ନାସା ଏବଂ ଏହାର ଅଂଶୀଦାର ଆମେରିକୀୟ  ଶକ୍ତି ବିଭାଗ ଚନ୍ଦ୍ରର ନିରନ୍ତର ଅନୁସନ୍ଧାନ ଏବଂ ସମୟକ୍ରମେ ମଙ୍ଗଳ ତଥା ବ ସୌରମଣ୍ଡଳର ବାହ୍ୟ ପରିସୀମାକୁ ଯାତ୍ରା ପାଇଁ ଆବଶ୍ୟକ ସୁବିଧାଗୁଡ଼ିକୁ କାର୍ଯ୍ୟକାରୀ  କରିବେ।

 

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର

ଫୋନ୍ : 8917637974


 


The Dharitri dated 27.04.26 :

https://drive.google.com/file/d/1e6ABIvnhM3quje9IneHVNuCpV1t_mNEi/view?usp=sharing




Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ MOBILE APP