ଜଳ ଗ୍ରହରେ ଜଳ ସଙ୍କଟ WORLD WATER DAY
ଜଳ ଗ୍ରହରେ ଜଳ ସଙ୍କଟ
ନିକୁଞ୍ଜ ବିହାରୀ ସାହୁ
ପ୍ରତି ବର୍ଷ ମାର୍ଚ୍ଚ 22 ତାରିଖକୁ ‘ବିଶ୍ୱ ଜଳ ଦିବସ’ ରୂପେ ପାଳନ କରାଯାଏ । ଏ ବର୍ଷ ବିଶ୍ୱ ଜଳ ଦିବସ ଅଭିଯାନର ଶୀର୍ଷକ ହେଉଛି 'ଜଳ ଏବଂ ଲୈଙ୍ଗିକ ସମାନତା: ଯେଉଁଠାରେ ଜଳ ପ୍ରବାହିତ ହୁଏ, ସେଠାରେ ସମାନତା ବୃଦ୍ଧି ପାଏ'। ଏହା ଜଳ ପରିଚାଳନାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କର ସମାନ ପ୍ରତିନିଧିତ୍ୱ ଏବଂ ଜଳ ପାଇଁ ସେମାନଙ୍କର ସୁରକ୍ଷିତ ଭାଗିଦାରୀର ଆବଶ୍ୟକତାକୁ ରେଖାଙ୍କିତ କରେ। ଏବେ ବିଶ୍ୱରେ, 100 କୋଟିରୁ ଉର୍ଦ୍ଧ୍ୱ ମହିଳା (ଯାହା ସମସ୍ତ ମହିଳାଙ୍କର ଏକ ଚତୁର୍ଥାଂଶରୁ ଅଧିକ) ସୁରକ୍ଷିତ ଭାବରେ ପରିଚାଳିତ ପାନୀୟ ଜଳ ସେବାର ସୁବିଧାରୁ ବଞ୍ଚିତ । ଏକ ଆକଳନ ଅନୁଯାୟୀ, ସେମାନଙ୍କ ମଧ୍ୟରୁ 20.5 କୋଟି ମହିଳା ଅନୁନ୍ନତ ଜଳଉତ୍ସ କିମ୍ବା ଭୂପୃଷ୍ଠରେ ପ୍ରବାହିତ ଅପରିଷ୍କାର ଜଳରୁ ପାଣି ପିଅନ୍ତି। ପ୍ରାୟ 38 କୋଟି ମହିଳା ଏବଂ ବାଳିକା (ଯାହା ବିଶ୍ୱର ମୋଟ ମହିଳା ଜନସଂଖ୍ୟାର 9%) ଗୁରୁତର ଜଳ ଜନିତ ଚାପ ବା ସମସ୍ୟା ମଧ୍ୟରେ ଜୀବନ ଧାରଣ କରିଥାନ୍ତି I ଏହି ସଂଖ୍ୟା ଆଗାମୀ 2050 ମସିହା ସୁଦ୍ଧା 33ଟି ଦେଶରେ 67.4 କୋଟିକୁ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। ବିଶ୍ୱ ସ୍ତରରେ 10 ରୁ19 ବର୍ଷ ବୟସର ପ୍ରାୟ 15.6 କୋଟି ବାଳିକା ଏବେ ବି ମୌଳିକ ପରିଚ୍ଛନ୍ନତା ସେବା ସୁବିଧାରୁ ବଞ୍ଚିତ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ, ସମ୍ମାନ ଏବଂ ଶିକ୍ଷାକୁ ଅସୁରକ୍ଷିତ କରିଥାଏ। ଏକ ଆକଳନ ଅନୁଯାୟୀ, ବିଶ୍ୱ ସ୍ତରରେ 150 କୋଟି ମହିଳା ଏବଂ ବାଳିକା ଉଚ୍ଚ କିମ୍ବା ଅତି ଉଚ୍ଚ ମରୁଡ଼ିପ୍ରବଣ ଦେଶଗୁଡ଼ିକରେ ବାସ କରନ୍ତି।
ଏ ପରିପ୍ରେକ୍ଷୀରେ ଆମେ ପ୍ରକୄତିରେ ଜଳର ଇପଲବ୍ଧତା , ଜଳ ସଙ୍କଟ ଓ ଏହାର ପ୍ରତିକାର ଉପରେ ଆଲୋଚନା କରିବା ।
ପ୍ରକୃତିରେ ଜଳ
ପୃଥିବୀ ଏକ ଜଳ ଗ୍ରହ ହୋଇଥିଲେ ସୁଦ୍ଧା ପୃଥିବୀରେ ଜଳର ଭଣ୍ଡାର ସୀମିତ I ପୃଥିବୀର ପ୍ରାୟ 97.5% ଜଳ ସମୁଦ୍ରରେ ଗଛିତ ଯାହା ଲୁଣିଆ ଓ ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ I ଅବଶିଷ୍ଟ 2.5% ମଧୁର ଜଳ ମଧ୍ୟରୁ ଏକ ବଡ଼ ଭାଗ ମେରୁ ଅଞ୍ଚଳର ହିମବାହ ଓ ତୁଷାରବୃତ୍ତ ଶୃଙ୍ଗରେ ଗଛିତ ଯାହା ମଧ୍ୟ ମଣିଷର ହାତ ପାଆନ୍ତାରେ ନାହିଁ I ପୃଥିବୀରେ ଉପଲବ୍ଧ ମଧୁର ଜଳର ଅନ୍ୟ ଏକ ବଡ଼ ଭାଗ ଭୁତଳ କିମ୍ବା ବାୟୁମଣ୍ଡଳର ଜଳୀୟବାଷ୍ପ ଆକାରରେ ଥାଏ ଯାହା ମଧ୍ୟ ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ I ଅବଶିଷ୍ଟ ମାତ୍ର 0.3% ଅଂଶ ମଧୁର ଜଳ ନଦୀ, ହ୍ରଦ ଆକାରରେ ଭୁପୃଷ୍ଠରେ ପ୍ରବାହିତ ଯାହା ମନୁଷ୍ୟର ଦୈନନ୍ଦିନ କାମରେ ଲାଗେ I ସୁତରାଂ ପୃଥିବୀ ଏକ ଜଳ ଗ୍ରହ ହେଲେ ସୁଦ୍ଧା ଏଠାରେ ଉପଲବ୍ଧ ମନୁଷ୍ୟର ବ୍ୟବହାର ନିମନ୍ତେ ଜଳର ଭଣ୍ଡାର ଅତି ସୀମିତ I ତେଣୁ ଦୈନନ୍ଦିନ ଜୀବନରେ ଜଳ ବ୍ୟବହାର କ୍ଷେତ୍ରରେ ମିତବ୍ୟୟତା ସାଙ୍ଗକୁ ଜଳ ସଂରକ୍ଷଣର ଆବଶ୍ୟକତା ରହିଛି I
ଜଳର ଧର୍ମ
ଜଳ ପ୍ରକୄତିର ଏକମାତ୍ର ପଦାର୍ଥ ଯାହା ପୃଥିବୀର ତାପମାତ୍ରା ପରିସରରେ ନିଜର ସମସ୍ତ ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରେ I ଏହାର ଘନତ୍ଵ 1 ଗ୍ରାମ ଘନ ସେ. ମି. ପ୍ରତି ଏବଂ ଏହାର ଗଳନାଙ୍କ ଓ ସ୍ଫୁଟନାଙ୍କ ଯଥାକ୍ରମେ 0 ଓ 100 ଡିଗ୍ରୀ ସେଲସିୟସ୍ I ପ୍ରତି ଜଳ ଅଣୁରେ ହାଇଡ୍ରୋଜେନ୍ ଓ ଆକ୍ସିଜେନ୍ ପରମାଣୁ ଦ୍ୱୟର ବସ୍ତୁତ୍ୱର ଅନୁପାତ 1:8 ଏବଂ ଏ ପରମାଣୁ ଦୁହେଁ ଏକ ସହ-ସଂଯୋଜୀ ରାସାୟନିକ ବନ୍ଧ ଦ୍ୱାରା ପରସ୍ପର ସହିତ ସଂଯୁକ୍ତ ହୋଇଥାନ୍ତି I ଜଳର ଗୁପ୍ତ ତାପ ଅନ୍ୟ ସମତୁଲ୍ୟ ତରଳମାନଙ୍କଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଏହା ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାରେ ପରିଣତ ହେଲେ ବିପୁଳ ତାପ ଗ୍ରହଣ କରିଥାଏ ଏବଂ ବାଷ୍ପୀୟ ଅବସ୍ଥାରୁ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହେଲେ ବିପୁଳ ତାପ ଉତ୍ସର୍ଜନ କରେ I ବିଶୁଦ୍ଧ ଜଳର ପି.ଏଚ. ର ମୂଲ୍ୟ 7 I ଆହୁରି ମଧ୍ୟ, ଜଳର ଘନତ୍ଵ 4 ଡିଗ୍ରୀ ସେଲସିୟସ ତାପମାତ୍ରାରେ ସର୍ବାଧିକ ଏବଂ ତାପମାତ୍ରା ଅନୁସାରେ ଏହାର ଘନତ୍ବର ପରିଵର୍ତ୍ତନ ଅନ୍ୟ ତରଳମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ I ଜଳର ଏଭଳି କିଛି ଅଦ୍ଵିତୀୟ ଧର୍ମ ପାଇଁ ପୃଥିବୀ ପୃଷ୍ଠରେ ଜୀବନ ସମ୍ଭବ ହୋଇଛି I
ଜଳର ସଞ୍ଚରଣ
ପୃଥିବୀରେ ‘ଜଳଚକ୍ର’ ପ୍ରକ୍ରିୟା ଦ୍ୱାରା ଭୁପୃଷ୍ଠ ଓ ଆକାଶ ମଧ୍ୟରେ ଜଳର ନିରନ୍ତର ସଂଚରଣ ଘଟୁଛି I ପ୍ରକୃତିରେ ଜଳଚକ୍ର ପ୍ରକ୍ରିୟା ସୂର୍ଯ୍ୟ ଦ୍ୱାରା ପରିଚାଳିତ ହେଉଛି ଏବଂ ଏହାଦ୍ୱାରା ପୃଥିବୀର କୌଣସି ସ୍ଥାନରେ ଜଳର ସମୁଦାୟ ପରିମାଣ ସ୍ଥିର ରହୁଛି I ଆମ ଦେଶରେ ଅଧିକାଂଶ ବୃଷ୍ଟିପାତ ମୌସୁମୀବାୟୁ ଦ୍ୱାରା କେବଳ ଜୁନ୍ ରୂ ସେପ୍ଟେମ୍ବର ମାସ ମଧ୍ୟରେ ଅର୍ଥାତ ମାତ୍ର ଚାରି ମାସ ସମୟ ମଧ୍ୟରେ ପ୍ରାପ୍ତ ହୋଇଥାଏ I ବର୍ଷାଜଳ ମୃତ୍ତିକାରେ ଥିବା ଅସଂଖ୍ୟ ଛିଦ୍ର ଭେଦକରି ନିମ୍ନକୁ ଗତିକରେ ଏବଂ ପୃଥିବୀ ଅଭ୍ୟନ୍ତରରେ ଥିବା ଶିଳାସ୍ତରର ଅନେକ ଫାଟ ଓ ଫାଙ୍କ ମଧ୍ୟରେ ସଂଚିତ ହୋଇ ରହେ I ଏହା ହିଁ ଭୂତଳ ଜଳ ଏବଂ ଜଳ କଣିକା ବହନ କରୁଥିବା ଏଭଳି ଭୁତଳ ଶିଳାସ୍ତରକୁ ‘ଆକ୍ଵିଫର’ କହନ୍ତି I
ଜୀବନ ପାଇଁ ଜଳର ଆବଶ୍ୟକତା
ମନୁଷ୍ୟ ଶରୀରର ପ୍ରାୟ 70% ଅଂଶ ଜଳ I ଆମ ରକ୍ତରେ ଥିବା ପ୍ଲାଜମାର ପ୍ରାୟ 90% ଅଂଶ ଜଳରେ ଗଠିତ I ମନୁଷ୍ୟ ଶରୀରର ଅଧିକାଂଶ ଜୈବ-ରାସାୟନିକ ପ୍ରତିକ୍ରିୟା ଏହି ଜଳୀୟ ମାଧ୍ୟମରେ ହିଁ ସମ୍ପାଦିତ ହୋଇଥାଏ I ଆମ ଦୈନନ୍ଦିନ ଜୀବନରେ ଜଳର ଆବଶ୍ୟକତା ଅପରିହାର୍ଯ୍ୟ I ରୋଷେଇ, ବାସନ ଧୋଇବା, ଲୁଗାପଟା ସଫା, ଶୌଚ, ବଗିଚାକାର୍ଯ୍ୟ ତଥା ଜମିରେ ଜଳସେଚନ ନିମନ୍ତେ ଜଳର ଆବଶ୍ୟକତା ପଡିଥାଏ I ଏକ ଆକଳନରୁ ଜଣାଯାଏ ଯେ, ଆମ ଦେଶରେ ସର୍ବାଧିକ ମଧୁର ଜଳ କୃଷିକ୍ଷେତ୍ରରେ ଜଳସେଚନ ନିମନ୍ତେ ବ୍ୟବହୃତ ହୁଏ I
ଜଳସଙ୍କଟ
ବିଭିନ୍ନ ପ୍ରକୃତି ବିରୋଧୀ ମନୁଷ୍ୟକୃତ କାର୍ଯ୍ୟକଳାପ ହେତୁ ଆମର ଜଳ ଗ୍ରହ ପୃଥିବୀରେ ଏବେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି I ଶିଳ୍ପ ସଂସ୍ଥାରୁ ନିର୍ଗତ ବିଭିନ୍ନ ରାସାୟନିକ ପଦାର୍ଥର ଉତ୍ସର୍ଜନ ତଥା ସହରର ଜୈବିକ ଆବର୍ଜନା ନଦୀ ଭଳି ଜଳଉତ୍ସକୁ ନିଷ୍କାସିତ ହେବା ଦ୍ୱାରା ଜଳ ପ୍ରଦୂଷଣ ଜନିତ ସମସ୍ୟା ସୃଷ୍ଟି ହେଉଛି I ଫଳରେ ଏଭଳି ଜଳ ଆଉ ପାନୀୟ ଉପଯୋଗୀ ହୋଇପାରୁ ନାହିଁ I ଏକ ଆକଳନରୁ ଜଣାପଡେ ଯେ, ନିଜର ପୁଣ୍ୟ ପାବନ ଜଳଧାରା ନିମନ୍ତେ ପୁରାଣ ପ୍ରସିଦ୍ଧ ଆମର ଗଙ୍ଗା ନଦୀ ଜଳ ପ୍ରଦୂଷଣ କାରଣରୁ ଏବେ ବିଶ୍ୱର ସର୍ବାଧିକ 10ଟି ପ୍ରଦୂଷିତ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ ପାଲଟି ଯାଇଛି I ସେହିପରି, ଆମ ଓଡ଼ିଶାରେ ମଧ୍ୟ ଜଳଉତ୍ସକୁ ଶିଳ୍ପସଂସ୍ଥାରୂ ରାସାୟନିକ ଆବର୍ଜନା ନିର୍ଗମନ କାରଣରୁ ପୂତ ପବିତ୍ର ବ୍ରାହ୍ମଣୀ ନଦୀ ମଧ୍ୟ ଏକ ପ୍ରଦୂଷିତ ଜଳଉତ୍ସ ପାଲଟି ଯାଇଛି I
ଜାତିସଂଘର ଆକଳନ ଅନୁସାରେ, ଏକ ସୁସ୍ଥ ଜୀବନ ଧାରଣ ପାଇଁ ଦୈନିକ ମୁଣ୍ଡ ପିଛା ପ୍ରାୟ ଅଢେଇ ବାଲଟି କିମ୍ବା 50 ଲିଟର ଜଳର ଆବଶ୍ୟକତା ରହିଛି I ମାତ୍ର ଏସିଆ, ଆଫ୍ରିକା, ଲାଟିନ ଆମେରିକା ଭଳି କିଛି ଦେଶର ଗାଁ ଗହଳିରେ ଲୋକଙ୍କ ନିକଟରେ ଏହି ସର୍ବନିମ୍ନ ଜଳ ମାତ୍ରା ମଧ୍ୟ ଉପଲବ୍ଧ ହୋଇପାରୁ ନାହିଁ ଯାହା ଘୋର ଉଦବେଗଜନକ ବିଷୟ I ସେହିପରି ଜନସଂଖ୍ୟା ବୃଦ୍ଧି ତଥା ଛତୁ ଭଳି ଫୁଟିଥିବା ଶିଳ୍ପସଂସ୍ଥାଗୁଡିକ ଯୋଗୁଁ ଭୁତଳ ଜଳଉତ୍ସ ଉପରେ ଅସମ୍ଭବ ଚାପ ସୃଷ୍ଟି ହେଉଛି ଯାହା ଫଳରେ ଭୁତଳ ଜଳସ୍ତର କ୍ରମଶଃ ନିମ୍ନକୁ ଗତି କରୁଛି I ଜଙ୍ଗଲ ନଷ୍ଟ ଯୋଗୁଁ ମୃତ୍ତିକାକ୍ଷୟ ଘଟି ମୃତ୍ତିକାର ଜଳଧାରଣ କ୍ଷମତା ଆଶାତୀତ ହ୍ରାସ ପାଉଛି I ଜଳବାୟୁ ପରିବର୍ତ୍ତନ କାରଣରୁ ମୌସୁମୀ ପ୍ରବାହ ଏବେ ଅନିଶ୍ଚିତ ଏବଂ ବୃଷ୍ଟିପାତ ଅତି ସୀମିତ I ଏହିସବୁ କାରଣରୁ ବିଶ୍ୱରେ ଏବେ ଜଳ ସଙ୍କଟ ପରିସ୍ଥିତି ଉତ୍କଟ ହୋଇଛି I
ପ୍ରତିକାର
ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଘୋର ଜଳ ସଙ୍କଟ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆମକୁ ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ ଅଭ୍ୟାସ ଆପଣେଇ ନେବାକୁ ପଡିବ I ବିଭିନ୍ନ ଦୈନିକ କାର୍ଯ୍ୟକଳାପରେ ଜଳର ମିତବ୍ୟୟତା ସାଙ୍ଗକୁ ଅଯଥା ଜଳର ଅପଚୟକୁ ରୋକିବାକୁ ପଡିବ I ଏକ ଉଦାହରଣ ସ୍ୱରୂପ, ଆମେ ଶାଗଧୂଆ ଜଳକୁ ଫିଙ୍ଗି ନଦେଇ ତାକୁ ବଗିଚା କାର୍ଯ୍ୟରେ ବିନିଯୋଗ କରିବା ଆବଶ୍ୟକ I ସରକାରୀ କ୍ଷେତ୍ରରେ ଜଳର ଉତ୍ତମ ପରିଚାଳନା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ I ଜଳସେଚନ ନିମନ୍ତେ ଜଳର ମିତବ୍ୟୟତା ପାଇଁ ବୁନ୍ଦା ଜଳସେଚନ (Drip Irrigation) ପଦ୍ଧତି ଅବଲମ୍ବନ କରାଯିବା ଆବଶ୍ୟକ I ଆହୁରି ମଧ୍ୟ, ବର୍ଷାଜଳର ସଂରକ୍ଷଣ ପାଇଁ ଘରର ଛାତ ଉପରେ ବର୍ଷାଜଳ ଅମଳ ଟାଙ୍କି ସ୍ଥାପନ କରାଯିବା ଉଚିତ I ଘରର ବ୍ୟବହୃତ କିମ୍ବା ବଳକା ଜଳକୁ ନଷ୍ଟ ହେବାକୁ ନଦେଇ ଗଭୀର ଗର୍ତ୍ତ ଜରିଆରେ ମାଟିତଳକୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ ଯାହାଦ୍ୱାରା ଭୁତଳ ଜଳର ପୁନର୍ଭରଣ ହୋଇ ପାରିବ I
ଜଳ ପାଇଁ ଯୁଦ୍ଧ
ଜଣେ ଦାର୍ଶନିକ କହିଥିଲେ ଯେ, ଯଦି ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧ ଘଟେ, ତେବେ ତାହା ଜଳ ପାଇଁ ହେବ I ଏବେ ମଧ୍ୟ ନଦୀଜଳ ବଣ୍ଟନ ନେଇ ବିଭିନ୍ନ ଦେଶ ଯଥା ଭାରତ-ପାକିସ୍ତାନ, ଭାରତ-ବଙ୍ଗଳାଦେଶ , ଭାରତ-ଚାଇନା ତଥା ଓଡିଶା-ଛତିଶଗଡ କିମ୍ବା ଓଡିଶା ଆନ୍ଧ୍ରପ୍ରଦେଶ ମଧରେ ବିବାଦ ଉପୁଜୁଛି I
ଜଳ ଜୀବନ ବଞ୍ଚିବା ପାଇଁ ଏକ ଅତ୍ୟାବଶକୀୟ ପଦାର୍ଥ ହୋଇଥିବାରୁ ଜଳର ଉପଲବ୍ଧତା ମଣିଷର ଏକ ମୌଳିକ ଅଧିକାର I ମାତ୍ର ଏବେ ପୄଥିବୀର ପ୍ରାୟ 2200 କୋଟି ଲୋକେ ନିରାପଦ ପାନୀୟ ଜଳ ସୁବିଧାରୁ ବଞ୍ଚିତ ଯାହା ସେମାନଙ୍କ ଜୀବନରେ ଘୋର ଦୁର୍ଦ୍ଦିନ ଓ ଦୁର୍ଦ୍ଦଶା ଆଣି ଦେଇଛି I ଏବେବି ବିଶ୍ୱର ପ୍ରାୟ 11.5 କୋଟି ଲୋକ ଭୂପୄଷ୍ଠରେ ପ୍ରବାହିତ ଅପରିଷ୍କାର ଜଳଉତ୍ସ ଉପରେ ନିର୍ଭରଶୀଳ I ଏକ ଆକଳନ ଅନୁସାରେ, ପୄଥିବୀର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ବର୍ଷର କୌଣଦି ନା କୌଣସି ସମୟରେ ଜଳ ସଙ୍କଟ ପରିସ୍ଥିତିର ସମ୍ମୁଖୀନ୍ନ ହୋଇଥାନ୍ତି I ଗତ 50 ବର୍ଷ ମଧ୍ୟରେ ଘଟିଥିବା ସମୁଦାୟ ପ୍ରାକୄତିକ ବିପର୍ଯ୍ୟୟ ମଧ୍ୟରୁ ଜଳ ଜନିତ ବିତ୍ପାତ ହିଁ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ଏବଂ ଏକାକୀ ଜଳ ସମ୍ବନ୍ଧିତ ମୃତ୍ୟୁସଂଖ୍ୟା ସମୁଦାୟ ମୃତ୍ୟୁସଂଖ୍ୟାର ପ୍ରାୟ 70 ପ୍ରତିଶତ I ଆହୁରି ମଧ୍ୟ, ନଦୀ ହ୍ରଦ ଭଳି ବିଶ୍ୱର ସମୁଦାୟ ମଧୁର ଜଳପ୍ରବାହର ପ୍ରାୟ 60 ପ୍ରତିଶତ ଭାଗ ଏକାଧିକ ରାଷ୍ଟ୍ରଙ୍କ ପାରସ୍ପାରିକ ଅଧିକାରରେ ରହିଛି ଏବଂ 153ଟି ରାଷ୍ଟ୍ରର ପରିସୀମା ଦେଇ ସମୁଦାୟ 310ଟି ଆନ୍ତରାଷ୍ଟ୍ରୀୟ ନଦୀ ମଧ୍ୟରୁ କୌଣସି ନା କୌଣସି ନଦୀର ଗତିପଥ ଅତିକ୍ରମ କରୁଛି I ଏ ମଧ୍ୟରୁ ସଂଶ୍ଳିଷ୍ଟ ଅଧିକାଂଶ ରାଷ୍ଟ୍ରଙ୍କ ମଧ୍ୟରେ ନଦୀଜଳ ବଣ୍ଟନ ନେଇ କୌଣସି ସ୍ପଷ୍ଟ ବୁଝାମଣା ନଥିଲାବେଳେ କେବଳ 24 ଟି ରାଷ୍ଟ୍ରଙ୍କ କ୍ଷେତ୍ରରେ ପଡୋଶୀ ରାଷ୍ଟ୍ରଙ୍କ ସହିତ ପାରସ୍ପାରିକ ବୁଝାମଣା ଚୁକ୍ତି ସମ୍ପାଦିତ ହୋଇଛି I
ସୁତରାଂ ଜଳଗ୍ରହ ପୃଥିବୀରେ ଏହି ଉତ୍କଟ ଜଳସଙ୍କଟ ପରିସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ଆଗାମୀ ଦିନରେ ବ୍ୟକ୍ତିଗତ ଏବଂ ସାମୂହିକ ସ୍ତରରେ ପଦକ୍ଷେପ ନେବା ଅବଶ୍ୟକ I ଆମକୁ ମନେ ରଖିବାକୁ ପଡିବ : ଜଳ ହିଁ ଜୀବନ ଏବଂ ଜୀବନର ଅନ୍ୟ ନାମ ଜଳ I
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର
ଫୋନ୍ : 8917637974
Comments
Post a Comment