ଛିଦ୍ର ବନ୍ଦ କରନ୍ତୁ PLUG THE HOLE

                                                             ଛିଦ୍ର ବନ୍ଦ କରନ୍ତୁ

ନିକୁଞ୍ଜ  ବିହାରୀ ସାହୁ

 

  ମୁନା ସେଦିନ ବାପାଙ୍କ ସାଙ୍ଗରେ ବିଜ୍ଞାନ କେନ୍ଦ୍ର ବୁଲି ଯାଇଥାଏ I ସେ ‘ଗଣିତ’ ଗ୍ୟାଲେରିରେ ବୁଲୁ ବୁଲୁ ଗୋଟିଏ ପ୍ରଦର୍ଶନ ପାଖରେ ଅଟକି ଗଲା I ପ୍ରଦର୍ଶନଟିର ଶୀର୍ଷକରେ  ଲେଖାଥିଲା ‘ଛିଦ୍ର ବନ୍ଦ କରନ୍ତୁ’ I  ସେହି ପ୍ରଦର୍ଶନରେ ଏକ ଭୂଲମ୍ବ ବୋର୍ଡ ସ୍ଥାନିତ ଥାଏ I  ବୋର୍ଡରେ ତିନୋଟି ଅଲଗା ଅଲଗା ଆକୄତିର ଛିଦ୍ର ଥାଏ I ଛିଦ୍ର ଗୁଡିକର ଆକୄତି ଥିଲା: ବର୍ଗାକୄତି , ତ୍ରିଭୁଜାକୄତି ଓ ଯୁକ୍ତ ଚିହ୍ନ ସଦୄଶ I ପ୍ରଦର୍ଶନରେ ଗୋଟିଏ କାଠଖଣ୍ଡ ମଧ୍ୟ ଦିଆ ଯାଇଥାଏ I

   ମୁନା ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ ପଚାରିଲା, ‘ବାପା, ଏ ପ୍ରଦର୍ଶନରେ ଏତେଗୁଡିଏ ଛିଦ୍ର କରା ଯାଇଛି କାହିଁକି? ଛିଦ୍ରଗୁଡିକର ଆକାର ପୁଣି ଅଲଗା ଅଲଗା ହୋଇଛି କାହିଁକି? ପାଖରେ ଏକ କାଠଖଣ୍ଡ ପ୍ରଦତ୍ତ ଅଛି କାହିଁକି? ପ୍ରଦର୍ଶନରେ ପୁଣି ଛିଦ୍ର ବନ୍ଦ କରନ୍ତୁ ଲେଖା ଯାଇଛି କାହିଁକି?‘

 ବାପା କହିଲେ, ‘ତୁ ଏତେ ଗୁଡାଏ ପ୍ରଶ୍ନ ପଚାରିଲୁ, ବୁଝାଇ କହୁଛି ଶୁଣ I ଏଠାରେ କିଛି ଅଲଗା ଅଲଗା ଆକୄତିର ଛିଦ୍ର ଦିଆ  ଯାଇଛି I ଏସବୁ ଗୋଟିଏ ଗୋଟିଏ ଜ୍ୟାମିତିକ ଆକୄତି I ପ୍ରଦତ୍ତ କାଠଖଣ୍ଡଟିକୁ ଲକ୍ଷ୍ୟକର I ଏହାର ତିନି ପାର୍ଶ୍ୱକୁ ଭିନ୍ନ ଭିନ୍ନ ଆକୄତିରେ କଟା ଯାଇଛି I ଏହାର ଗୋଟିଏ ପାର୍ଶ୍ୱର ପ୍ରସ୍ଥଛେଦ ବର୍ଗାକୄତି ହୋଇଥିଲାବେଳେ ଅନ୍ୟ ପାର୍ଶ୍ୱର ପ୍ରସ୍ଥଛେଦ ତ୍ରିଭୁଜାକୄତି ଓ ଯୁକ୍ତ ଚିହ୍ନ ଆକାରର I ଫଳରେ ଏ ଖଣ୍ଡଟି ଅଲଗା ଅଲଗା ପଟୁ ଅଲଗା ଅଲଗା ଆକୄତିର ଛିଦ୍ର ମଧ୍ୟରେ ପ୍ରବେଶ କରି ପାରିବ I ତୁ ନିଜେ ଏହା ଚେଷ୍ଟା କରି ଦେଖେ I ମୁଁ ପ୍ରଥମେ ତୋତେ କରି ଦେଖାଇ ଦେଉଛି I’ 

   ଏହା କହି ବାପା ସେହି କାଠଖଣ୍ଡଟିକୁ ବିଭିନ୍ନ ଆକୄତିର ଛିଦ୍ର ମଧ୍ୟରେ ଗଳେଇ ଦେଖାଇ ଦେଲେ I କେବଳ ଗୋଟିଏ ମାତ୍ର ଖଣ୍ଡ ତିନୋଟି ଅଲଗା ଅଲଗା ଆକୄତିର ଛିଦ୍ର ମଧ୍ୟରେ ଗଳିଯାଇ ଅନ୍ୟ ପଟେ ବାହାରିଗଲା I ଏହା ଦେଖି ମୁନା ଅଶ୍ଚର୍ଯ୍ୟ ହୋଇଗଲା I ସେ ମଧ୍ୟ ଛିଦ୍ରସବୁରେ କାଠଖଣ୍ଡଟିକୁ ଗଳେଇ ନିଜେ ପରୀକ୍ଷା କରି ଦେଖିଲା I

   ବାପା କହିଲେ , ‘ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାଠଖଣ୍ଡଟିର ବିଭିନ୍ନ ପାର୍ଶ୍ୱକୁ ଏହି ତିନି ଆକୄତିରେ କଟା ଯାଇଥିବାରୁ ତାହା ବିଭିନ୍ନ ପଟୁ  ଅଲଗା ଅଲଗା ଆକୄତିର ଛିଦ୍ର ଦେଇ ସହଜରେ ପ୍ରବେଶ କରିଯାଇ ପାରୁଛି I

ତା’ପରେ ବାପା ମୁନାକୁ ପାର୍ଶ୍ୱରେ ଥିବା ଅନ୍ୟ ଏକ ପ୍ରଦର୍ଶନ ଦେଖାଇଲେ I ସେ ପ୍ରଦର୍ଶନରେ ମଧ୍ୟ ଏକ ଭୂଲମ୍ବ ବୋର୍ଡ ସ୍ଥାନିତ ଥାଏ I ସେଥିରେ ପୁଣି ତିନୋଟି ଅଲଗା ଅଲଗା ଆକୄତି ଯଥା ତ୍ରିଭୁଜ, ବୃତ୍ତ ଓ ଏକ ‘Tଚିହ୍ନ ଆକୄତିର ଛିଦ୍ର ଥାଏ I ପାଖରେ ମଧ୍ୟ ଅନ୍ୟ ଏକ କାଠଖଣ୍ଡ ପ୍ରଦତ୍ତ ଥାଏ I ମୁନା ପୁଣି ସେ କାଠଖଣ୍ଡଟିକୁ ଅଲଗା ଅଲଗା ଆକୄତିର ଛିଦ୍ରସବୁ ମଧ୍ୟରେ ଗଳେଇ ଦେଖିଲା ଯେ କେବଳ ଗୋଟିଏ ମାତ୍ର ଖଣ୍ଡ ଅଲଗା ଅଲଗା ଆକୃତିର ଛିଦ୍ରସବୁ ମଧ୍ୟରେ ପଶି ଅନ୍ୟ ପଟରେ ବାହାରି ଯାଇ ପାରୁଛି I ସେ ବୁଝି ପରିଲା ଯେ, ଖଣ୍ଡଟିର ବିଭିନ୍ନ ପାର୍ଶ୍ୱକୁ ଅଲଗା ଅଲଗା ଆକାରରେ କଟାଯାଇ ଥିବାରୁ ତାହା ବିଭିନ୍ନ ପଟୁ ଛିଦ୍ରସବୁ ମଧ୍ୟରେ ଗଳି ଯାଇ ପାରୁଛି I

   ‘ଆକୃତି ଆମ ଦୈନନ୍ଦିନ ଜୀବନରେ ବିଶେଷ ଭୂମିକା ବହନ କରେ I ପ୍ରକୃତିରେ ଜୀବ କିମ୍ବା ବସ୍ତୁସବୁର ଆକୃତି ଭିନ୍ନ ଭିନ୍ନ I ଆକୄତି ଆମକୁ ବସ୍ତୁ କିମ୍ବା ଜୀବମାନଙ୍କୁ ସହଜରେ ଚିହ୍ନିବାକୁ ସାହାଯ୍ୟ କରିଥାଏ I ସୂର୍ଯ୍ୟ ଓ ଚନ୍ଦ୍ରର ଆକୃତି ବୃତ୍ତାକାର I ଚକର ଆକୄତି ବୄତ୍ତାକାର I  ଟ୍ରାଫିକ ସଙ୍କେତ ଫଳକର ଆକୃତି ତ୍ରିଭୁଜାକାର I ସୂର୍ଯ୍ୟ ଚାରିପଟେ ଗ୍ରହମାନଙ୍କର କକ୍ଷପଥର ଆକୄତି ଅଣ୍ଡାକାର I ବହି କିମ୍ବା ଫୁଟବଲ୍ ପଡିଆର  ଆକାର ଆୟତାକ୍ଷେତ୍ର ସଦୄଶ I ପିରାମିଡ୍, ପ୍ରିଜିମ୍ କିମ୍ବା ସିଲିଣ୍ଡର ଭଳି  ଅନ୍ୟ ଆକୄତିମାନ ରହିଛି I ଆମର ଆବଶ୍ୟକତା ଅନୁସାରେ ମେସିନ୍ ରେ ବିଭିନ୍ନ ଆକାରର ଉପକରଣ ନିର୍ମାଣ କରାଯାଇ ଆମର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୄତ ହୁଏ I’ ବାପା ବୁଝାଇ ଦେଲେ I

ବାପାଙ୍କ  ଉତ୍ତରରୁ ମୁନାର ସନ୍ଦେହ ଦୂର ହୋଇଗଲା I ସେ ଏବେ  ଛିଦ୍ର ବନ୍ଦ କରନ୍ତୁ’ ପ୍ରଦର୍ଶନ ପଛରେ ଥିବା ରହସ୍ୟ ବୁଝି ପାରିଥିଲା I ତେଣୁ ଘରକୁ ଫେରିଲାବେଳେ ତା’ର ମନ ଭାରି ଖୁସି ଥାଏ ସେଦିନ I

ନିକୁଞ୍ଜ  ବିହାରୀ ସାହୁ

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର-751013

ଫୋନ୍ : 8917637974





















Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ଭାରତର ପ୍ରତିରକ୍ଷା କବଚ ଏସ୍. 400/ S 400