ସ୍ୱପ୍ନ ଓ ସାଧନାର ପ୍ରତୀକ ଶୁଭାଂଶୁ ଶୁକ୍ଳା
ସ୍ୱପ୍ନ ଓ ସାଧନାର ପ୍ରତୀକ ଶୁଭାଂଶୁ ଶୁକ୍ଳା
ନିକୁଞ୍ଜ ବିହାରୀ ସାହୁ
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ନିକଟ ଭବିଷ୍ୟତରେ ଆମେରିକୀୟ ସ୍ପେସ୍-ଏକ୍ସ କମ୍ପାନୀର ଫାଲ୍କନ-9 ଅନ୍ତରୀକ୍ଷ ଯାନରେ ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚନା କରିବାକୁ ଯାଉଛନ୍ତି
I ଏହି ଅଭିଯାନ ସଫଳ ହେଲେ ପୃଥିବୀକୁ ପ୍ରଦକ୍ଷିଣରତ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ
କେନ୍ଦ୍ରକୁ ଯାତ୍ରା କରିବାରେ ସେ ହେବେ ପ୍ରଥମ ଭାରତୀୟ ଏବଂ ମହାକାଶରେ ପୄଥିବୀକୁ ପ୍ରଦକ୍ଷିଣ କରିବା କ୍ଷେତ୍ରରେ ରାକେଶ
ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ମହାକାଶଯାତ୍ରୀ I ସୁଚନାଯୋଗ୍ୟ ଯେ, ରାକେଶ
ଶର୍ମା ଗତ 1984 ମସିହାରେ ରୁଷିଆର ସୋୟୁଜ ଯାନ ଜରିଆରେ ଅନ୍ତରୀକ୍ଷ
ଯାତ୍ରା କରି ସାଲ୍ୟୁଟ-7 ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚି ଥିଲେ ଓ ଅନ୍ତରୀକ୍ଷରେ
8 ଦିନ କାଳ ଅବସ୍ଥାନ କରିଥିଲେ I ସୁତରାଂ ରାକେଶ
ଶର୍ମାଙ୍କ ଯାତ୍ରାର ଦୀର୍ଘ 41 ବର୍ଷ ପରେ ଅନ୍ୟ ଜଣେ ଭାରତୀୟ ନାଗରିକ
ଏବେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି I ସେ ଅନ୍ତରୀକ୍ଷରେ ନିଜର 14
ଦିନ କାଳ ରହଣି ମଧ୍ୟରେ ସେଠାକାର ମାଧ୍ୟାକର୍ଷଣ ରହିତ ପରିସ୍ଥିତିରେ କୄଷି
ବିଜ୍ଞାନ , ଜୈବ ପ୍ରଯୁକ୍ତି , ସ୍ୱାସ୍ଥ୍ୟ ଓ
ପୋଷଣ ସମ୍ପର୍କୀୟ ବିଶ୍ୱର 31 ଦେଶର ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ସମୁଦାୟ 60ଟି ଉଚ୍ଚକୋଟୀର ପରୀକ୍ଷା ନିରୀକ୍ଷା
ସମ୍ପାଦନ କରିବେ I
ଏହି ଅଭିଯାନ ଭାରତର ମହତ୍ତ୍ୱାକାଂକ୍ଷୀ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ
ରୂପେ ସାବ୍ୟସ୍ତ ହେବ I ଏହି ଅଭିଯାନ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ
କେନ୍ଦ୍ର ପରିବେଶ ମଧ୍ୟରେ କାର୍ଯ୍ୟ କରିବାର ଅନୁଭୂତି, ମାଧ୍ୟାକର୍ଷଣ ରହିତ
ପରିସ୍ଥିତି ସହିତ ଖାପ ଖୁଆଇ ଜୀବନ ବଞ୍ଚିବାର
ଶୈଳୀ , ମାଧ୍ୟାକର୍ଷଣ ରହିତ ପରିସ୍ଥିତିରେ ଜଟିଳ ବୈଜ୍ଞାନିକ ପରୀକ୍ଷଣ ସମ୍ପାଦନ ନିମନ୍ତେ ଦକ୍ଷତା ହାସଲ ଏବଂ ଆନ୍ତର୍ଜାତୀୟ
ମହାକାଶ ନୀତିନିୟମ ମଧ୍ୟରେ କାର୍ଯ୍ୟ କରିବାରେ ବହୁମୂଲ୍ୟ ଅଭିଜ୍ଞତା ପ୍ରଦାନ କରିବ। ଏହି ପ୍ରାପ୍ତ
ଜ୍ଞାନ ଆଗାମୀ 2030 ଦଶକ ସୁଦ୍ଧା ଭାରତର ନିଜସ୍ୱ ମହାକାଶଚାରୀଙ୍କୁ
କକ୍ଷପଥରେ ଅବସ୍ଥାପିତ କରିବା ତଥା ସ୍ୱଦେଶୀ ଜ୍ଞାନକୌଶଳରେ ମହାକାଶ ଷ୍ଟେସନ ନିର୍ମାଣ କରିବା
ପାଇଁ ପ୍ରସ୍ତୁତିରେ ବିଶେଷ ସହାୟକ ହେବ ।
ଶୁଭାଂଶୁ 1985 ମସିହା ଅକ୍ଟୋବର 10 ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କ ପିତାଙ୍କ ନାମ ଥିଲା ଶମ୍ଭୁ ଦୟାଲ ଶୁକ୍ଳା ଯେ କି ଜଣେ ଅବସରପ୍ରାପ୍ତ ସରକାରୀ
କର୍ମଚାରୀ ଥିଲେ I ମାତା ଆଶା ଶୁକ୍ଳା ଜଣେ ଗୄହିଣୀ ଥିଲେ I ପିତାମାତାଙ୍କର ତିନି ସନ୍ତାନ ମଧ୍ୟରୁ ଶୁଭାଂଶୁ ସର୍ବକନିଷ୍ଠ ଥିଲେ I ପିଲା ଦିନରୁ ତାଙ୍କର ସାମରିକ କ୍ଷେତ୍ର ତଥା ସାହସିକତା ପ୍ରତି ଗଭୀର ଆଗ୍ରହ ଥିଲା I
ସେ 1999 ମସିହାର କାରଗିଲ ଯୁଦ୍ଧରେ ଭାରତୀୟ
ସୈନିକଙ୍କ ବୀରତ୍ୱ ତଥା ଭାରତର ବିଜୟଗାଥାରେ ଅନୁପ୍ରାଣିତ
ହୋଇ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ
ପ୍ରବେଶିକାରେ ଭାଗ ନେଇଥିଲେ ଓ ସେ ସେଥିରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ଶିକ୍ଷାଲାଭ ନିମନ୍ତେ ଯୋଗଦାନ
କରିଥିଲେ I ସେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ଅଧ୍ୟୟନ କରି 2005
ମସିହାରେ କମ୍ପୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ I ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରୁ ଶିକ୍ଷା
ସମାପ୍ତି ପରେ ସେ ଉଡ୍ଡାଣ ବିଭାଗରେ ମନୋନୀତ ହୋଇ
ଭାରତୀୟ ବାୟୁସେନା ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ I ପ୍ରଶିକ୍ଷଣ ସମାପ୍ତି ପରେ ସେ 2006 ମସିହାରେ ଭାରତୀୟ
ବାୟୁସେନାର ଲଢୁଆ ବିମାନର ଫ୍ଲାଇଙ୍ଗ ଅଫିସର ରୂପେ ନିଯୁକ୍ତି ପାଇଥିଲେ I
ସେ ବାୟୁସେନାରେ ଲଢୁଆ ବିମାନର ଟେଷ୍ଟ
ପାଇଲଟ ଭାବରେ ବିଭିନ୍ନ ଲଢୁଆ ବିମାନ ଯଥା ସୁଖୋଇ 30 MKI, ମିଗ-21, ମିଗ-29 , ଜାଗୁଆର,
ହକ୍, ଡ୍ରୋନିୟର, ଏ.ଏନ୍. 39 ଇତ୍ୟାଦିରେ 2000 ଘଣ୍ଟା
କାଳ ଉଡ୍ଡାଣର ଅଭିଜ୍ଞତା ହାସଲ କରିଥିଲେ I ପରବର୍ତ୍ତୀ ସମୟରେ ତାଙ୍କର
ଦକ୍ଷତାରେ ସନ୍ତୁଷ୍ଟ ହୋଇ ଭାରତୀୟ ବାୟୁସେନା ତରଫରୁ ତା’ଙ୍କୁ ଭାରତୀୟ ମାନବଯୁକ୍ତ ଅନ୍ତରୀକ୍ଷ ଉଡ୍ଡାଣ ଅଭିଯାନରେ ଅନ୍ତର୍ଭୁକ୍ତ କରା ଯାଇଥିଲା
I ସମୟକ୍ରମେ, ଇସ୍ରୋ ତରଫରୁ ତାଙ୍କୁ ଏହି
କାର୍ଯ୍ୟକ୍ରମର ଅନ୍ତିମ ଚାରିଜଣ ମହାକାଶଚାରୀ ରୂପେ ମଧ୍ୟ ମନୋନୀତ କରା ଯାଇଥିଲା I ସେ 2020 ମସିହାରେ ରୁଷିଆ ଯାତ୍ରା କରି ‘ୟୁରି ଗାଗାରିନ୍ ମହାକାଶଚାରୀ ପ୍ରଶିକ୍ଷଣ କେନ୍ଦ୍ର’ରେ ଅନ୍ତରୀକ୍ଷ
ଉଡ୍ଡାଣ ସମ୍ବନ୍ଧୀୟ ମୌଳିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ I ପ୍ରଶିକ୍ଷଣ
ସମାପ୍ତି ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ବେଙ୍ଗାଲୁରୁ ସ୍ଥିତ ମହାକାଶଯାତ୍ରୀ ପ୍ରଶିକ୍ଷଣ
କେନ୍ଦ୍ରରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ I ପରବର୍ତ୍ତୀ ସମୟରେ ସେ
ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ପଦବୀକୁ ଉନ୍ନୀତ ହୋଇଥିଲେ I ଏହି
ସମୟ ମଧ୍ୟରେ ସେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବେଙ୍ଗାଲୁରୁରେ ଏରୋସ୍ପେସ୍ ଇଂଜିନିୟରିଙ୍ଗ ପାଠ୍ୟକ୍ରମ
ଅଧ୍ୟୟନ କରି ସେଥିରେ ସ୍ନାତକୋତ୍ତର ଡିଗ୍ରୀ
ଲାଭ କରିଥିଲେ I ଭାରତୀୟ ମାନବଯୁକ୍ତ ଗଗନଯାନ ଅଭିଯାନର
ସଦସ୍ୟ ରୂପେ ତାଙ୍କର ନାମ ପ୍ରଥମ କରି ଫେବ୍ରୁଆରୀ 27 ରାରିଖରେ 2024
ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ I
ଶୁଭାଂଶୁ ଏକ୍ସିୟମ ଅଭିଯାନ 4 ର ପାଇଲଟ ରୂପେ ସ୍ପେସ୍ ଏକ୍ସ କମ୍ପାନୀର ଫାଲକନ-9 ଯାନରେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ଯାତ୍ରା କରିବା ନିମନ୍ତେ ମନୋନୀତ
ହୋଇଥିଲେ I ସେ ସେଥି ନିମନ୍ତେ ନାସାର ଜନସନ୍ ଅନ୍ତରୀକ୍ଷ କେନ୍ଦ୍ରଠାରେ
ପ୍ରଶିକ୍ଷଣ ଗ୍ରହଣ କରିଥିଲେI ଏହି ଅଭିଯାନ ନାସା, ସ୍ପେସ୍ ଏକ୍ସ ଏବଂ ଇସ୍ରୋର ଏକ ମିଳିତ
ଉଦ୍ୟମ ଅଟେ I ଏହି ଅଭିଯାନରେ
ଶୁଭାଂଶୁଙ୍କ ସମେତ ସମୁଦାୟ ଚାରି ଜଣ ମହାକାଶ ଯାତ୍ରୀ ଅନ୍ତର୍ଭୁକ୍ତ ଅଛନ୍ତି I
ସେମାନେ ହେଲେ : କମାଣ୍ଡର ଭୂମିକାରେ ଆମେରିକୀୟ ମହାକାଶଯାତ୍ରୀ
ପେଗି ହ୍ୱିଟସନ, ଅଭିଯାନ ବିଶେଷଜ୍ଞ ଭୂମିକାରେ ପୋଲାଣ୍ଡର ସ୍ଲାୱଜ ଉଜନାନସ୍କି ୱିସ୍ନିୱିସ୍କି ଓ ହଙ୍ଗେରୀର ନାଗରିକ ଟିବର କପୁ I ଏହି ଅଭିଯାନରେ ଶୁଭାଂଶୁ ପାଇଲଟ ଚାଳକ)ର ଭୂମିକା ନିର୍ବାହ କରିବେ ଯାହାକି ଅଭିଯାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା I ଏହି ଅଭିଯାନ ଗତ ଜୁନ୍ 11 ତାରିଖରେ ଅନ୍ତରୀକ୍ଷକୁ ପ୍ରେରିତ ହେବାକୁ ଥିଲା , ମାତ୍ର
ପ୍ରଯୁକ୍ତିଗତ ତ୍ରୁଟି କାରଣରୁ ଏହି ଅଭିଯାନକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖା ଯାଇଛି I
ଶୁଭାଂଶୁଙ୍କ ଅନ୍ତରୀକ୍ଷ ଯାତ୍ରା ଆମ ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ I
ତାଙ୍କ ଜୀବନ ଓ ଯାତ୍ରାରୁ ଶିଖିବାକୁ ମିଳେ, ମହତ୍ୱପୂର୍ଣ୍ଣ
ଉପଲବ୍ଧି ପାଇଁ କୌଣସି ଉଚ୍ଚ ପଦ ପଦବୀ, ପୄଷ୍ଠପୋଷକତା କିମ୍ବା ପ୍ରତିଷ୍ଠିତ ଭିତ୍ତିଭୂମିର ଆବଶ୍ୟକତା ନାହିଁ ;
ବରଂ ଲୋଡା ସ୍ୱପ୍ନ ଓ ସାଧନା I
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ଫୋନ୍ : 8917637974
Comments
Post a Comment