ଚାଇନାର ଚନ୍ଦ୍ର ଅଭିଯାନ
ଚାଇନାର ଚନ୍ଦ୍ର ଅଭିଯାନ
ନିକୁଞ୍ଜ ବିହାରୀ ସାହୁ
ଆମର ପଡୋଶୀ ଦେଶ ଚାଇନା ଗତ ମଇ 3 ତାରିଖରେ ଚନ୍ଦ୍ର
ଅଭିମୁଖେ ଏକ ଅଭିଯାନ ପ୍ରେରଣ କରିଛି I ଏହା ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ ପୂର୍ବକ
ଚନ୍ଦ୍ରପୃଷ୍ଠରୁ କିଛି ମାଟି ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବାର ଆଶା ରଖିଛି
I ଏହି ଅଭିଯାନର ନାମ ଚେଙ୍ଗ'ଇ 6 I ଏହି ଅଭିଯାନକୁ ହୈନାନ୍ ଦ୍ବୀପର ୱେଞ୍ଚାଙ୍ଗ୍ ଅନ୍ତରୀକ୍ଷ
କେନ୍ଦ୍ରରୁ ଲାଙ୍ଗ ମାର୍ଚ୍ଚ 5 ରକେଟ ଜରିଆରେ ଉତକ୍ଷେପଣ କରା ଯାଇଛି
I ଏହି ଅଭିଯାନ ସଫଳ ହେଲେ ଚାଇନା, ଆମେରିକା,
ରୁଷିଆ ଓ ଭାରତକୁ ପଛରେ ପକାଇ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରି ପୃଥିବୀକୁ
ନମୁନା ଫେରାଇ ଆଣିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ରୂପେ ପରିଗଣିତ ହେବ I ଚାଇନାର ଏହି
ଅଭିଯାନ 53 ଦିନ କାଳ କାର୍ଯ୍ୟ
କରି ଆଗାମୀ ଜୁନ୍ 23 ତାରିଖରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବ
I ଚାଇନା ଆଗାମୀ 2030 ମସିହା ସୁଦ୍ଧା ଚନ୍ଦ୍ରକୁ ମଣିଷ
ପଠାଇଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏକ ସ୍ଥାୟୀ ଘାଟୀ ନିର୍ମାଣ କରିବାର ଯୋଜନା ରଖିଛି I ଚାଇନାର ଏହି ଚଳିତ ଅଭିଯାନ ସେହି
ମହତ୍ୱାକାଂକ୍ଷୀ ଲକ୍ଷ୍ୟର ଏକ ଅଂଶବିଶେଷ ବୋଲି ଜଣା ପଡିଛି I
ଏପର୍ଯ୍ୟନ୍ତ ଦୁନିଆଁର
ସମସ୍ତ 10ଟି ଚନ୍ଦ୍ର ଅଭିଯାନ ଚନ୍ଦ୍ରର ନିକଟତମ ପାର୍ଶ୍ଵକୁ ଲକ୍ଷ୍ୟ
କରି କରାଯାଇଛି; ଅର୍ଥାତ ଚନ୍ଦ୍ରର ଦୂରତମ ପାର୍ଶ୍ୱ ଅଭିମୁଖେ କୌଣସି ସଫଳ ଅଭିଯାନ ପ୍ରେରଣ
କରାଯାଇ ପାରିନାହିଁ I ଚନ୍ଦ୍ରର ଏହି ରହସ୍ୟମୟ ପାର୍ଶ୍ଵ ସର୍ବଦା ପୃଥିବୀଠାରୁ
ଦୂରରେ ରହିଥାଏ I ଏହାକୁ ମଧ୍ୟ ଚନ୍ଦ୍ରର 'ଅନ୍ଧକାରାଛନ୍ନ'
ପାର୍ଶ୍ଵ କହନ୍ତି I ଏହାର ଅର୍ଥ ନୁହେଁ ଯେ, ଏହି ପାର୍ଶ୍ଵ ସଦାସର୍ବଦା ଅନ୍ଧକାରମୟ ରହିଥାଏ; ବରଂ ଏହି ପାର୍ଶ୍ଵ
ସର୍ବଦା ଆମଠାରୁ ଦୂରରେ ରହିଥିବା ହେତୁ ସେ ସମ୍ପର୍କରେ ଆମର ସୀମିତ ଜ୍ଞାନ ଦୃଷ୍ଟିରୁ ଏହାର ଏପରି ନାମକରଣ କରାଯାଇଛି I
ଚେଙ୍ଗ୍'ଇ 6 ଚନ୍ଦ୍ରର ସବୁଠାରୁ ପୁରାତନ ଗହ୍ୱର
ସାଉଥ୍ ଏଟକିନ୍ ବେସିନ୍ ଠାରେ ଅବତରଣ କରିବ I ଏହିଁ ଗହ୍ୱରର ଓସାର 2500 କି.ମି. ଓ ବୟସ 400 କୋଟି
ବର୍ଷ I ସୁତରାଂ ଚାଇନାର ଏହି ଅଭିଯାନର ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଥେଷ୍ଟ
ମହତ୍ୱପୂର୍ଣ୍ଣ ଭୂମିକା ରହିଛି I ଚାଇନାର ଏହି ଅଭିଯାନରେ ନିଜସ୍ୱ ଉପକରଣ
ବ୍ୟତୀତ ଅନ୍ୟାନ୍ୟ କିଛି ରାଷ୍ଟ୍ର ଯେପରି ପାକିସ୍ତାନ, ଫ୍ରାନ୍ସ,
,ଇଟାଲୀ ଏବଂ ୟୁରୋପୀୟ ସମୂହର ଭାର ମଧ୍ୟ ସ୍ଥାନିତ ଅଛି I
ଚେଙ୍ଗ୍'ଇ 6 ଗତ 2020 ମସିହାରେ ପ୍ରେରଣ କରା ଯାଇଥିବା ଚେଙ୍ଗ୍'ଇ 5 ଅଭିଯାନର ଏକ ସହାୟକ
ଉପକ୍ରମ ଯାହା ଚନ୍ଦ୍ରପୃଷ୍ଠରୁ 1.7 କି.ଗ୍ରା. ଓଜନର ମାଟି ଓ ପଥର ପୃଥିବୀକୁ
ସଫଳତାର ସହିତ ଆଣି ପାରିଥିଲା I ଚଳିତ ଚେଙ୍ଗ୍'ଇ 6 ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ
2 କି.ଗ୍ରା. ଓଜନର ମାଟି ସଂଗ୍ରହ
କରି ପୃଥିବୀ ଆଣିବ ବୋଲି ଲକ୍ଷ୍ୟ ରଖା ଯାଇଛି I ଚାଇନା ଚନ୍ଦ୍ରର ଦୂରତମ
ପାର୍ଶ୍ୱକୁ ସର୍ବପ୍ରଥମେ 2019 ମସିହାରେ ନିଜର ପ୍ରଥମ ଅଭିଯାନ ଚେଙ୍ଗ୍'ଇ 4 ପ୍ରେରଣ କରିଥିଲା I ଏଥିରୁ ଏକ ଅବତରକ ଯାନ ବା ଲ୍ୟାଣ୍ଡର ଅଲଗା
ହୋଇ ସଫଳତାର ସହିତ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରିଥିଲା I ଚନ୍ଦ୍ରର
ଦୂରତମ ପାର୍ଶ୍ୱରେ ଏକ ଯାନକୁ ସଫଳତାର ସହିତ ଅବତରଣ କରାଇବାରେ ଚାଇନା ଥିଲା ବିଶ୍ୱର ସର୍ବପ୍ରଥମ
ରାଷ୍ଟ୍ର I ଏହି ଯାନରୁ ବାହାରି ଏକ ରୋବୋଟ୍ (ନାମ : ୟୁତି-2) ଚନ୍ଦ୍ରପୄଷ୍ଠରେ ବିଚରଣ ପୂର୍ବକ ଅନୁଧ୍ୟାନ କରିଥିଲା
I ସେବେଠାରୁ ଏହି ରୋବୋଟ୍ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟରତ
ବିଶ୍ୱର ସବୁଠାରୁ ଦୀର୍ଘସ୍ଥାୟୀ ରୋବୋଟ୍ ରୂପେ ସକ୍ରିୟ ଅଛି I
ତେବେ ପ୍ରଶ୍ନ ଉଠେ : କୋଟି କୋଟି ଟଙ୍କା ବିନିମୟରେ ଚନ୍ଦ୍ର ପ୍ରତି ଚାଇନାର
ଏଭଳି ଦୁର୍ବାର ଆକର୍ଷଣ କାହିଁକି?
ସୂଚନାଯୋଗ୍ୟ ଯେ ଚନ୍ଦ୍ରର ପୃଷ୍ଠ ଅନେକ ଉଲକାପାତ ଆଘାତ ଜନିତ ଗହ୍ୱରରେ
ପରିପୂର୍ଣ୍ଣ I ସେଥିରୁ କିଛ ଗହ୍ୱର ଏତେ ଗଭୀର ଯେ ସେଗୁଡିକର ତଳ ସ୍ଥାୟୀ
ରୂପେ ଅନ୍ଧକାରଚ୍ଛନ୍ନ ଥାଏ ଯେଉଁଠି ସୁର୍ଯ୍ୟାଲୋକ ଏପର୍ଯ୍ୟନ୍ତ ପ୍ରବେଶ କରିପାରି ନାହିଁ
I ଏହା ସେଭଳି କିଛି ଗଭୀର ଗହ୍ୱର ତଳରୁ ବରଫ ଓ ମାଟି ସଂଗ୍ରହ କରିବ I ସେସବୁର ବୈଜ୍ଞାନିକ ବିଶ୍ଳେଷଣ ଦ୍ୱାରା ଦ୍ୱାରା ଆମ ସୌରଜଗତର ଗଠନ, ଅଭ୍ୟୁଦୟ ତଥା ବୟସ ଭଳି ବହୁ ଅସମାହିତ ରହସ୍ୟର ଉନ୍ମୋଚନ କରିହେବ I
ସଂପ୍ରତି ପରିବେଶୀୟ ପ୍ରଦୂଷଣ ତଥା ଜଳବାୟୁ ପରିବର୍ତ୍ତନ ଜନିତ କାରଣରୁ
ଆମର ସୁନ୍ଦର ଗ୍ରହ ପୄଥିବୀ ଏବେ ଅବକ୍ଷୟମୁଖୀ ଓ ଧ୍ୱଂସପଥର ଯାତ୍ରୀ I ଏହି
ଧାରା ଅବ୍ୟାହତ ରହିଲେ ଦିନ ଅସିବ, ଆମର ପୄଥିବୀ ଆଉ ଜୀବନୋପଯୋଗୀ ହୋଇ ରହିବ
ନାହିଁ I ସୁତରାଂ ଏହି ବିଶାଳ ବିଶ୍ୱରେ ମନୁଷ୍ୟଜାତିକୁ ବଞ୍ଚାଇ ରଖିବାକୁ
ହେଲେ ଆମକୁ ପୄଥିବୀ ଛାଡି ଅନ୍ୟ ଗ୍ରହ ଗ୍ରହାନ୍ତରରେ ସୁରକ୍ଷିତ ରାଇଜର ସନ୍ଧାନ କରିବାକୁ ପଡିବ
I ଆଉ ସେ କ୍ଷେତ୍ରରେ , ଆମର ପଡୋଶୀ ଚନ୍ଦ୍ର ହେବ ଆମର
ସର୍ବପ୍ରଥମ ଲକ୍ଷ୍ୟସ୍ଥଳୀ I ଦିନ ଆସିବ, ଯେବେ ପୄଥିବୀରୁ ନିୟମିତ ସଟଲ ଯାନମାନ ଚନ୍ଦ୍ର ଅଭିମୁଖେ
ଯାତ୍ରା କରିବ ଏବଂ ସେଥିରେ ବସି ଦଳଦଳ ପୁରୁଷ ଓ ସ୍ତ୍ରୀ ଚନ୍ଦ୍ର ଯାତ୍ରା କରି ଜହ୍ନ ରାଇଜରେ ନିଜର
ଘରସଂସାର ଗଢିବେ I ପୁଣି, ମଙ୍ଗଳ ଭଳି ବାସୋପଯୋଗୀ
ସୌରଜଗତର ଅନ୍ୟ ଗ୍ରହମାନଙ୍କୁ
ସହଜରେ ଏବଂ ସ୍ୱଳ୍ପ ଖର୍ଚ୍ଚରେ ଯାତ୍ରା କରିବାକୁ ହେଲେ ଚନ୍ଦ୍ର ମନୁଷ୍ୟ ପାଇଁ ଏକ ମଧ୍ୟବର୍ତ୍ତୀ
ସୋପାନ ହେବ I ଚନ୍ଦ୍ର ମଧ୍ୟ ଯେକୌଣସି ଦେଶ ପାଇଁ ଅର୍ଥନୈତିକ ତଥା ସାମରିକ
ଦୄଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ I ଚନ୍ଦ୍ରରେ ବିଭିନ୍ନ
ବିରଳ ଖଣିଜ ଯଥା ସିଲିକନ୍, ମାଙ୍ଗାନିଜ୍, ଟାଇଟାନିୟମ୍
ର ପ୍ରଚୁର ଭଣ୍ଡାର ଗଛିତ ଅଛି I ଏସବୁକୁ ଉତ୍ତୋଳନ କରି ରାଷ୍ଟ୍ରୀୟ ପ୍ରଗତି ନିମନ୍ତେ ପୄଥିବୀକୁ ସଫଳତାର ସହିତ ଆଣିବା ଉଦେଶ୍ୟରେ
ଏହି ଚନ୍ଦ୍ର ସମ୍ପଦ ଉପରେ
ଅଧିକାଂଶ ଦେଶର ଲୋଲୁପ ଦୃଷ୍ଟି ରହିଛି I ପୁନଶ୍ଚ, ଚନ୍ଦ୍ରରେ ଏକ ସାମରିକ ଘାଟୀ ସ୍ଥାପନ କରି ଅନ୍ତରୀକ୍ଷରୁ ସମରସଜ୍ଜା ପ୍ରସ୍ତୁତ କରିହେବ
ଯାହା ଯେକୌଣସି ଦେଶ ପାଇଁ ସମରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ I
ଚାଇନା ଆଗାମୀ ଦିନରେ ନିଜର ଆର୍ଥିକ ଓ ସାମରିକ ବିକାଶ ଦୄଷ୍ଟିକୋଣକୁ ଆଖି ଆଗରେ ରଖି ଚନ୍ଦ୍ରପୄଷ୍ଠରେ
ଏକ ସ୍ଥାୟୀ ଘାଟୀ ପ୍ରତିଷ୍ଥା କରିବାକୁ ଲକ୍ଷ୍ୟ ରଖିଛି I ଚାଇନାର ସଦ୍ୟତମ ଚେଙ୍ଗ୍'ଇ 6 ତଥା ସମୁଦାୟ ଚେଙ୍ଗ୍'ଇ ସିରିଜ୍ ଚନ୍ଦ୍ର ଅଭିଯାନ ଡ୍ରାଗନ୍ ରାଷ୍ଟ୍ରର ସେହି ସୁଦୂର ଓ ଦୁର୍ବାର
ଲକ୍ଷ୍ୟକୁ ବାସ୍ତବରେ ରୂପାୟିତ କରିବା ଉଦ୍ୟମରେ ଏକ ପଦକ୍ଷେପ ମାତ୍ର I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ ଫୋନ୍ : 8917637974
To read the same article published in The Dharitri dated 24.06.24, please click the following link :https://dharitriepaper.in/m/488352/6678bc2a0ce7a
Comments
Post a Comment