ସବୁଜର ସ୍ୱାକ୍ଷର,ଜୀବନର ସମ୍ଭାର

                                                                     ସବୁଜର ସ୍ୱାକ୍ଷର,ଜୀବନର ସମ୍ଭାର

                                                                                  ନିକୁଞ୍ଜ ବିହାରୀ ସାହୁ

   ରଙ୍ଗକୁ ଜୀବନର ମହକ ବୋଲି କୁହାଯାଏ I ରଙ୍ଗ ବିନା ପୄଥିବୀ ନିଷ୍ପ୍ରାଣ, ନୀରସ ଓ ମାଦକତାଶୂନ୍ୟ I ଆଦିମ ମଣିଷ ପାଇଁ ପ୍ରକୃତି ଥିଲା ରଙ୍ଗର ଗନ୍ତାଘର I ଇନ୍ଦ୍ରଧନୁର ବର୍ଣ୍ନବିଭା, ମୟୂରର ଛବିଳ ଚନ୍ଦ୍ରିକା, ପ୍ରଜାପତିର ବର୍ଣ୍ଣିଳ ପକ୍ଷ, ଫୁଲର ମତୁଆଲା ରଙ୍ଗ, ଆକାଶ ଓ ସମୁଦ୍ରର  ନୀଳିମା- ତା’ ନିସଙ୍ଗ ଜୀବନରେ ଦିନେ ପ୍ରୀତି ଓ ପୁଲକ ସଞ୍ଚାର କରିଥିଲା I ମାତ୍ର ପ୍ରକୃତିର ସର୍ବାଧିକ ରଙ୍ଗ ସୁବୁଜିମା  ପାଇଁ ତା’ ମନରେ ଥିଲା ଦୁର୍ବାର ଆକର୍ଷଣ I  ଦିଗନ୍ତ ବିସ୍ତାରୀ ଶ୍ୟାମଳ ଶସ୍ୟକ୍ଷେତ୍ର, ଶାଗୁଆ ତୄଣଭୂମି, ସକାଳର ଶିଶିରଭିଜା କଅଁଳ ଘାସ  ତା’ର ଦୄଷ୍ଟି ଆକର୍ଷଣ କରିଥିଲା I  ସେ କେଉଁ ଆବାହମାନ କାଳରୁ ରଙ୍ଗର ପୂଜାରିଣୀ ସାଜି  ସବୁଜିମାକୁ ନିଜ ଜୀବନର ସହାରା ରୂପେ ଆପଣେଇ ନେଇଛି I  ତା’ର ଚିତ୍ରକଳାରେ ଶିଳ୍ପୀର କାନଭାସ୍ ଉପରେ ତୂଳୀର ସ୍ପର୍ଶ ହେଉ ଅଥବା ଖିଆଲୀ ନାୟିକାର ଶାଗୁଆ ଶାଢୀର ଛିଟା ହେଉ- ସବୁଠି ସେ ଖୋଜିଚି ଜୀବନର ରଙ୍ଗ, ପ୍ରାଣାର ପ୍ରାଚୁର୍ଯ୍ୟ ଓ ବଞ୍ଚିବାର ରାହା I

ସବୁଜିମାର ସୃଷ୍ଟି

 ବିଜ୍ଞାନରେ  ସବୁଜ ଏକ ରଙ୍ଗ ଯାହାର ଅବଧାରଣା ଧଳା ଆଲୋକର ବର୍ଣ୍ଣାଳୀରେ ଥିବା 500 ରୁ 570 ନାନୋମିଟର  ତରଙ୍ଗଦୈର୍ଘ୍ୟ  ପରିସରରେ ସୃଷ୍ଟି  ହୋଇଥାଏ I  ଏହା ଆଲୋକର ତିନୋଟି ପ୍ରାଥମିକ ବର୍ଣ୍ଣ (ଯଥା ଲାଲ, ନୀଳ ଓ ସବୁଜ) ମଧ୍ୟରୁ  ଅନ୍ୟତମ ; ଅର୍ଥାତ ଏ ତିନୋଟି ବର୍ଣ୍ନର ସମ୍ମିଶ୍ରଣରେ ଦୁନିଆର ଅନ୍ୟ ଯେକୌଣସି ବର୍ଣ୍ଣ ସୄଷ୍ଟି ହୋଇଥାଏ I ମାତ୍ର  ରଙ୍ଗ କଣିକା ମିଶ୍ରଣରେ  ସବୁଜକୁ ଏକ ପ୍ରାଥମିକ ରଙ୍ଗ ବୋଲି ଧରାଯାଏ ନାହିଁ ; ବରଂ ଏହାକୁ ହଳଦି  ଓ ନୀଳ ରଙ୍ଗର ମିଶ୍ରଣ ଦ୍ୱାରା ଏକ ଦ୍ୱିତୀୟକ ରଙ୍ଗ ରୂପେ ସୄଷ୍ଟି କରାଯାଏ I ଚିତ୍ରକଳାରେ ବ୍ୟବହୄତ  ବର୍ଣ୍ଣଚକ୍ରରେ ସବୁଜର ପରିପୂରକ ରଙ୍ଗ ହେଉଛି ଲାଲ; ଅର୍ଥାତ ଏ ଦୁଇଟି ରଙ୍ଗର ମିଶ୍ରଣରେ କଳା ରଙ୍ଗ ସୄଷ୍ଟି ହୋଇଥାଏ I  ଦୃଶ୍ୟମାନ ଆଲୋକର ବର୍ଣ୍ଣାଳୀର ରଙ୍ଗସବୁ ମଧ୍ୟରୁ ସବୁଜ ସର୍ବାଧିକ ପରିସର ଅଧିକାର କରିଥାଏ I

ସଂସ୍କୄତିର ସବୁଜିମା

ଆମର କଥାକାହାଣୀରେ ସବୁଜିମାକୁ ପ୍ରକୃତି ତଥା ଏହାର ବିଭିନ୍ନ ପରିପ୍ରକାଶ ଯଥା ଜୀବନ, ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଓ ଯୌବନ ସହିତ ସଂଶ୍ଳିଷ୍ଟ କରାଯାଏ I  ପ୍ରାଚୀନ ଇଜିପ୍ଟୀୟ ସଂସ୍କୃତିରେ  ସବୁଜିମାକୁ ପୁନର୍ଜନ୍ମ ଓ ଅମରତ୍ୱ  ପ୍ରାପ୍ତିର ରଙ୍ଗ ବୋଲି ବିଚାର କରାଯାଏ I ଏହାକୁ ମଧ୍ୟ ପତ୍ର ସମ୍ଭାର, ସମୁଦ୍ର ଓ ପ୍ରକୃତିର ପ୍ରତୀକ ବୋଲି  ବିବେଚନା କରା ଯାଇଥାଏ I ଅନ୍ୟ କେତେକ  ସଭ୍ୟତାରେ ବିରୋଧାଭାସ ରୂପେ ସବୁଜିମାକୁ ମୃତ୍ୟୁ, ବ୍ୟାଧି, ଇର୍ଷ୍ୟା ଓ ଶୟତାନର ପ୍ରତୀକ ରୂପେ ଧରାଯାଏ I

ପ୍ରେମର ରଙ୍ଗ ସବୁଜ

ରୋମୀୟ ସଭ୍ୟତାରେ ପ୍ରେମ ଓ ସୌନ୍ଦର୍ଯ୍ୟରେ ଦେବୀ ଭେନସ୍ ଙ୍କ ରଙ୍ଗ ସବୁଜ ହୋଇଥିବାରୁ ସେ ଦେଶରେ ସବୁଜକୁ  ପ୍ରେମର ପ୍ରତୀକ ବୋଲି ଧରାଯାଏ I ମଧ୍ୟଯୁଗୀୟ କଥାକାହାଣୀରେ  ସବୁଜ ରଙ୍ଗକୁ  ପ୍ରେମର ସନ୍ତକ ରୂପେ ବିବେଚନା କରାଯାଏ I ପାର୍ସି ଓ ସୁଦାନୀୟ କବିତାରେ ସାଧାରଣତଃ  ସବୁଜ ଆଝ୍ୟା ଦିଆ ଯାଉଥିବା କୃଷ୍ଣକାୟ ଯୁବତୀମାନଙ୍କୁ ପ୍ରେମ ନିବେଦନ କରାଯାଇଥାଏ I ଚୀନା ଭାଷାରେ  ପରସ୍ତ୍ରୀ କିମ୍ବା ପରପୁରୁଷ ଆସକ୍ତ ନରନାରୀମାନଙ୍କୁ‘ ସବୁଜ ଟୋପି ପିନ୍ଧିବାକୁ‘ କୁହା ଯାଇଥାଏ ; କାରଣ ସେ ଦେଶରେ କୌଣସି ଲୋକ ଶାଗୁଆ ଟୋପି ପିନ୍ଧି ନଥାନ୍ତି; କାରଣ  ପ୍ରେମରେ ସବୁଜ ରଙ୍ଗକୁ ମଧ୍ୟ ଇର୍ଷ୍ୟା ଓ କାତରତା ଭାବନା ସହିତ ଜଡିତ କରାଯାଇଥାଏ I  

ଧର୍ମ ଓ ପୁରାଣରେ ସବୁଜ

  ବିଶ୍ୱର ଅଧିକାଂଶ ଧର୍ମରେ ସବୁଜ ରଙ୍ଗ  ପୁନର୍ଜନ୍ମ ଓ ପୁନର୍ଜୀବନକୁ ବୁଝାଇଥାଏ I  ଇସଲାମ ଧର୍ମ ସହିତ  ସବୁଜ ରଙ୍ଗର ସମ୍ପର୍କ ଅତି ନିବିଡ; କାରଣ ସ୍ୱର୍ଗ ସବୁଜ  ରଙ୍ଗରେ ପରିପୂର୍ଣ୍ଣ ବୋଲି ଏହା ବିଶ୍ୱାସ କରିଥାଏ I  ମହାପୁରୁଷ ମହମ୍ମଦ ସବୁଜ ରଙ୍ଗର ପୋଷାକ ଓ ଟୋପି  ପରିଧାନ କରୁଥିଲେ I  ସେହିପରି, ଖ୍ରୀଷ୍ଟ ଧର୍ମରେ  ଲାଲ ରଙ୍ଗ ସହିତ  ସବୁଜ ରଙ୍ଗକୁ ଏହି ଧର୍ମର ରଙ୍ଗ ବୋଲି  ବିଚାର କରାଯାଏI  କ୍ୟାଥୋଲିକ୍ ସମ୍ପ୍ରଦାୟର ଗୀର୍ଜାଘରଗୁଡିକରେ  ରବିବାରର ରଙ୍ଗ ସବୁଜ ବୋଲି ବିଶ୍ୱାସ କରୁଥିଲାବେଳେ  ସେହିଦିନ ଉପାସନା ବେଦୀରେ ସବୁଜ ରଙ୍ଗର କପଡା  ଢଙ୍କା ଯାଇଥାଏ I ଆୟାରଲାଣ୍ଡ ଦେଶରେ ଖ୍ରିଷ୍ଟୀୟାନ୍ କ୍ୟାଥୋଲିକ୍  ସମ୍ପ୍ରଦାୟକୁ ‘ସବୁଜ’ ଆଖ୍ୟା ଦିଆ ଯାଉଥିଲାବେଳେ ବିରୋଧୀ ପ୍ରୋଟେଷ୍ଟାଣ୍ଟମାନଙ୍କୁ ‘କମଳା’ ରଙ୍ଗରେ ଚିହ୍ନଟ କରା ଯାଇଥାଏ I 

ଖେଳକୁଦ

କୋଣସି କାର୍ ରେସିଙ୍ଗ୍‍ ପ୍ରତିଯୋଗିତାରେ ସବୁଜ ପତାକାର ପ୍ରଦର୍ଶନ ଦୌଡ ଆରମ୍ବର ସୂଚନା ଦିଏ I ସେହିପରି, ଜୁଡୋ ପ୍ରତିଯୋଗିତାରେ  ‘ସବୁଜ ବେଲ୍ଟ’ ସବୁଜ ଗଛର ପ୍ରତିନିଧିତ୍ୱ କରେ I ଏହା ଡେଙ୍ଗା ସବୁଜ ଗଛ ସଦୃଶ ଖେଳାଳୀକୁ ପ୍ରଦର୍ଶନରେ ଚରମ ପରାକାଷ୍ଠା ଓ ମହତ୍ତର ଉପଲବ୍ଧି ପାଇଁ ପ୍ରେରିତ କରିଥାଏ I

କଥାସାହିତ୍ୟରେ ସବୁଜ

କଥାସାହିତ୍ୟରେ  ସବୁଜ ଉଭୟ ସକାରାତ୍ମକ ଓ ନକରାତ୍ମକ ଅର୍ଥରେ ପ୍ରୟୋଗ ହୁଏ I   ସବୁଜ ସଙ୍କେତ (Green Signal) କହିଲେ ଯେକୌଣସି କାର୍ଯ୍ୟରେ ଅଗ୍ରସର ହେବା ନିମନ୍ତେ ଅନୁମତି ପ୍ରଦାନକୁ ବୁଝାଏ I  ସବୁଜ ଗୄହ ବା ଗ୍ରୀନ୍ରୁମ୍‍ କହିଲେ ପ୍ରେକ୍ଷାଳୟରେ କଳାକାରମନଙ୍କ ସାମୟିକ ବିଶ୍ରାମସ୍ଥଳୀକୁ ବୁଝାଏ I  ସେହିପରି, କୌଣସି ବ୍ୟକ୍ତିଙ୍କ ଗଛ ଲଗେଇବାର ଶ୍ରଦ୍ଧା ଥିଲେ ତା’ଙ୍କୁ ‘ସବୁଜ ଆଙ୍ଗୁଠି’ ବୋଲି କୁହାଯାଏ I ନକାରାତ୍ମକ ଭାଷାରେ, ‘ଶାଗୁଆ ଚକ୍ଷୁ ଦାନବ’ କହିଲେ ଇର୍ଷ୍ୟା ଜର୍ଜରିତ ବ୍ୟକ୍ତି’ଙ୍କ ଅବସ୍ଥାକୁ ବୁଝାଏ I କୌଣସି ବ୍ୟକ୍ତି ନିଜ ପେଷାରେ ଅନଭିଜ୍ଞ ବା  ଅପରିପକ୍ୱ ଥିଲେ ତା’ଙ୍କ ଉଦ୍ଦେଶ୍ୟରେ  ସବୁଜ ଶବ୍ଦ (କଞ୍ଚା ଫଳର ପ୍ରତୀକ)  ପ୍ରୟୋଗ କରାଯାଏ I 

ବ୍ୟକ୍ତିତ୍ୱର ରଙ୍ଗ ସବୁଜ

କୌଣସି  କାରର ରଙ୍ଗ ମାଲିକଙ୍କ ବ୍ୟକ୍ତିତ୍ୱ ପ୍ରକାଶ କରେ I କାରର ରଙ୍ଗ ଗାଢ ସବୁଜ ଥିଲେ ଚାଳକ  ପରମ୍ପରାନୁଗତିକ, ରକ୍ଷଣଶୀଳ, ବିଶ୍ୱାସଯୋଗ୍ୟ ତଥା ନିୟନ୍ତ୍ରଣଯୁକ୍ତ ବୋଲି ଧରାଯା ଏ I ଅନ୍ୟପକ୍ଷରେ, କାରର ରଙ୍ଗ ନୀଳ ମିଶ୍ରିତ ସବୁଜ ରଙ୍ଗର ହୋଇଥିଲେ ବ୍ୟକ୍ତି ରୁଚି ସମ୍ପନ୍ନ, ଖିଆଲୀ ତଥା ପରିବର୍ତ୍ତନପ୍ରିୟ ବୋଲି ସୂଚନା ଦିଏ I

ଶରୀର ଓ ମନ ଉପରେ ସବୁଜର ପ୍ରଭାବ

ସବୁଜ ରଙ୍ଗ ଆମ ଆଖିକୁ ସୁହାଇ ଥାଏ I ସେଥିପାଇଁ ଗୃହସଜ୍ଜାରେ ସବୁଜ ରଙ୍ଗକୁ ଅଗ୍ରାଧିକାର ଦିଆ ଯାଇଥାଏ I ଏହି ରଙ୍ଗ କ୍ଳାନ୍ତ ମନ ଓ ଶରୀରକୁ ଆରାମ ପ୍ରଦାନ କରିବା ସଙ୍ଗେ ସଙ୍ଗେ  ଚିନ୍ତା, ଅବସାଦ, ଭୟ ଓ ମାନସିକ ଅସନ୍ତୁଳନତାକୁ ଦୂର କରିବାରେ ସହାୟକ ହୁଏ I ଏହା ଶରୀର ଓ ମନ ପାଇଁ ନବ ଉନ୍ମାଦନା, ଆତ୍ମବିଶ୍ୱାସ ଏବଂ ପରମ ତୄପ୍ତିର ବାର୍ତ୍ତା ବହନ କରେ I ସେଥିପାଇଁ କୋଣସି ଡାକ୍ତରଖାନାରେ ଜଣେ ସର୍ଜନ୍ ଅସ୍ତ୍ରୋପଚାର କରୁତିଲାବେଳେ ସବୁଜ ରଙ୍ଗର ପୋଷାକ  ପରିଧାନ  କରିଥା’ନ୍ତି I ଏହା ମଧ୍ୟ  ବନ୍ଧୁତ୍ୱ , ଆନ୍ତରିକତା ତଥା ସହାବସ୍ଥାନର ସନ୍ଦେଶ ବହନ  କରେ I 

ବିଭିନ୍ନ ଦେଶରେ ସବୁଜ

ବିଶ୍ୱସାରା ସବୁଜକୁ ଦୈନନ୍ଦିନ ଜୀବନରେ ନିରାପଦ ସଙ୍କେତ ରୂପେ ବ୍ୟବହାର କରାଯାଏ I ଯୁକ୍ତରାଷ୍ଟ୍ର ଆମେରିକାରେ ଆତଙ୍କବାଦୀ ମୁକାବିଲା ନିମନ୍ତେ ପ୍ରସ୍ତୁତିର ସ୍ତରକୁ ସୂଚନା କରିବା ପାଇଁ  ବିକଶିତ ସାଙ୍କେତିକ ବ୍ୟବସ୍ଥାରେ ସବୁଜର ଅର୍ଥ ‘ସ୍ୱଳ୍ପ ଆଶଙ୍କା ସମ୍ପନ୍ନ’ I ମେଜେବ୍ ଅଞ୍ଚଳରେ  କାହାରି ଘରେ ସବୁଜ ରଙ୍ଗ ବୋଳା ହୋଇଥିଲେ ଗୄହକର୍ତ୍ତା ମକ୍କା ତୀର୍ଥଭ୍ରମଣରେ ଯାଇଥିବାର ବୁଝାଯାଏ I ଇରାନ୍ ଦେଶରେ ସବୁଜ (ନୀଳ ସବୁଜ ଓ ନୀଳ) ରଙ୍ଗ  ସ୍ୱର୍ଗର ସୂଚନା କରୁଥିବାରୁ  ଏହାକୁ ଏକ ପବିତ୍ର ରଙ୍ଗ ହିସାବରେ ଧରାଯାଏ I  ସବୁଜ ରଙ୍ଗ ଆୟାରଲାଣ୍ଡ ଦେଶର  ଜାତୀୟ ସଙ୍କେତ ଏବଂ ଏହା ସେ ଦେଶର ବିସ୍ତୀର୍ଣ୍ଣ ଶାଗୁଆ ପାହାଡ ଓ ଉପତ୍ୟକାର ପ୍ରତିନିଧିତ୍ୱ କରେ I  ଜାପାନ୍ ଦେଶରେ, ସବୁଜିମାକୁ ଚିରଜୀବନ ଓ ଚିରଯୌବନ ରୂପେ ଧରାଯାଏ I ଲିବିଆ ବିଶ୍ୱର ଏକମାତ୍ର ଦେଶ ଯାହାର ଜାତୀୟ ପତାକା କେବଳ ଗୋଟିଏ ରଙ୍ଗ (ସବୁଜ) ରେ ଚିତ୍ରିତ I  ପର୍ତ୍ତୁଗାଲ ଦେଶରେ ସବୁଜ ରଙ୍ଗ ବସନ୍ତର ବାର୍ତ୍ତାବହ ହୋଇଥିବାରୁ  ଏହାକୁ ଆଶା ଓ ସମ୍ଭାବନାର ପ୍ରତୀକ ରୂପେ ବିବେଚନା କରାଯାଏ I ସ୍କଟଲାଣ୍ଡ  ଦେଶର ଉଚ୍ଚଭୂମି ଅଞ୍ଚଳର ଲୋକେ ସମ୍ମାନର ସ୍ମାରକୀ ରୂପେ ସବୁଜ ରଙ୍ଗର ପୋଷାକ ପରିଧାନ କରିଥାନ୍ତି I  ଚୀନ୍ ଦେଶରେ  ସବୁଜ ରଙ୍ଗର ପଥରକୁ ଜୀବନ, ପୁଣ୍ୟ ଓ ସୌନ୍ଦର୍ଯ୍ୟର ସନ୍ତକ ରୂପେ ବିଚାର କରାଯାଏ I ଉନ୍ନବିଂଶ ଶତାବ୍ଦୀରେ  ଶିକାରୀମାନେ ଶାଗୁଆ ରଙ୍ଗର ପୋଷାକ ପରିଧାନ କରୁଥିଲେ (ଯାହାକୁ କଲର୍ ସେଡ୍ ରେ ‘ହଣ୍ଟର୍ସ୍ ଗ୍ରୀନ୍’ ରୂପେ ଅଭିହିତ କରାଯାଏ ଏବଂ ଏହା ଏବେ ‘ଅଲିଭ୍ ଗ୍ରୀନ୍’ ରଙ୍ଗ ନାମରେ ପରିଚିତ) I

ରସାୟନ ବିଜ୍ଞାନର ସବୁଜ

ଆମେ ବ୍ୟବହାର କରୁଥିବା ଅଧିକାଂଶ ସବୁଜ ରଙ୍ଗର ପଦାର୍ଥ  ପାଇଁ ଏଥିରେ ଥିବା କେତେକ ବର୍ଣ୍ଣକଣିକା ଦାୟୀ I ଏମାନେ ଆଲୋକରଶ୍ମିର ସମସ୍ତ ବର୍ଣ୍ଣ ଶୋଷି ନେଇ  କେବଳ ସବୁଜ ରଙ୍ଗକୁ ବିକିରଣ କରିଥାନ୍ତି I ମର୍କତମଣି  ବା ଏମରେଲ୍ଡ (Emerald) ଅତ୍ୟଧିକ କ୍ରୋମିୟମ୍  ଓ ଭାନାଡିୟମ୍ ର ଉପସ୍ଥିତି ପାଇଁ ସବୁଜ ଜଣାପଡେ I   ସେହିପରି, ଫେଲ୍ଡସ୍ପାର୍ (Feldspar)  ଖଣିଜ ପଥରରେ ସୀସା ଭାଗ ଏବଂ ମାଲାଚାଇଟ୍ ଖଣିଜରେ ତମ୍ବାର ଉପସ୍ଥିତି ପାଇଁ ଏମାନଙ୍କର ସ୍ୱଭାବସୁଲଭ ସବୁଜ ରଙ୍ଗ ସୄଷ୍ଟି ହୁଏ I ଚିତ୍ରଶିଳ୍ପୀମାନେ ତମ୍ବାର ଲବଣ ସହିତ ତାର୍ପିନ୍  ତେଲ ଓ ମହମ ମିଶାଇ ଶାଗୁଆ ରଙ୍ଗ ସୄଷ୍ଟି କରିଥାନ୍ତି I ଅଷ୍ଟାଦଶ ଶତାବ୍ଦୀରେ   ସବୁଜ ରଙ୍ଗ ପ୍ରସ୍ତୁତିରେ  ତମ୍ବା ଓ ଦସ୍ତାର ପ୍ରୟୋଗ କରାଯାଉଥିଲା I ବାଣରେ ସବୁଜ ରଙ୍ଗର ଶିଖା ସୄଷ୍ଟି କରିବା ପାଇଁ  ବେରିୟମ୍ ଧାତୁର ଲବଣ (ଯଥା ବେରିୟମ୍ କ୍ଲୋରେଟ୍, ବେରିୟମ୍ ନାଇଟ୍ରେଟ୍‍ , ବେରିୟମ୍ କ୍ଲୋରାଇଡ୍ ଇତ୍ୟାଦି) ବ୍ୟବହୄତ ହୁଏ I  ତମ୍ବାର ଅଧିକାଂଶ ଲବଣ  ନୀଳ ଶିଖା ପ୍ରଦାନ କରୁଥିବାବେଳେ  ତମ୍ବାର କ୍ଲୋରାଇଡ୍ (କ୍ୟୁପ୍ରିକ କ୍ଲୋରାଇଡ୍) ସବୁଜ ରଙ୍ଗର ଶିଖା ଉତ୍ସର୍ଜନ କରିଥାଏ I

ଜୀବବିଜ୍ଞାନରେ ସବୁଜ

ପ୍ରକୃତିରେ ସବୁଜିମା ହେଉଛି ପ୍ରମୁଖ ରଙ୍ଗ I  ଉଦ୍ଭିଦର ପତ୍ରରେ କ୍ଲୋରୋଫିଲ୍ ନାମକ ଏକ ବର୍ଣ୍ଣକଣିକା ଥିବାରୁ  ଏହାର ସବୁଜ ରଙ୍ଗ ସୄଷ୍ଟି ହୁଏ I  ଏହି କ୍ଲୋରୋଫିଲ୍ କଣିକା ହିଁ ଆଲୋକ ସଂଶ୍ଳେଷଣ ପକ୍ରିୟା ଜରିଆରେ  ସୂର୍ଯ୍ୟାଲୋକର ଉପସ୍ଥିତିରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ଯାହାକୁ ସମସ୍ତ ଜୀବଜନ୍ତୁ ଖାଇ ବଞ୍ଚନ୍ତି I ପ୍ରକୄତିରେ ଅନେକ ପ୍ରାଣୀ (ଉଭୟଚର, ସରୀସୄପ, ପକ୍ଷୀ) ଯଥା ଲାଉଡଙ୍କିଆ ସାପ, ମାଛ, ବେଙ୍ଗ, ବହୁରୂପୀ ଏଣ୍ଡୁଅ , ଶୁଆ ଇତ୍ୟାଦିଙ୍କ ଶରୀର ରଙ୍ଗ ଶାଗୁଆ  ହୋଇ ଥିବାରୁ ସେମାନେ ଗଛଲତାର ଗହଳିରେ ସହଜରେ ଲୁଚିଯାଇ  ଶତ୍ରୁ ଆକ୍ରମଣରୁ ନିଜକୁ ରକ୍ଷା କରିଥାନ୍ତି I ଏମାନଙ୍କ ଚର୍ମରୁ ପ୍ରତିଫଳିତ ନୀଳ ଆଲୋକରଶ୍ମି  ଉପରିସ୍ଥ  ହଳଦୀ ଚର୍ମ ଆସ୍ତରଣ ଦେଇ ଅତିକ୍ରମ କରୁଥିବାରୁ   ସେମାନଙ୍କ ଶରୀରରେ ସବୁଜ ରଙ୍ଗ ସୄଷ୍ଟ ହୋଇଥାଏ I 

ସବୁଜ ଶକ୍ତିର ସନ୍ଧାନେ

ପ୍ରଦୂଷଣ ବିହୀନ ତଥା  ପରିବେଶପ୍ରିୟ ଶକ୍ତିଉତ୍ସକୁ ସାଧାରଣତଃ  ସବୁଜ ଶକ୍ତି କୁହାଯାଏ I ଜୀବାଶ୍ମ  ଇନ୍ଧନର ଦହନ ଦ୍ୱାରା ସୃଷ୍ଟି ହେଉଥିବା ସବୁଜଘର ବାଷ୍ପ  ପରିବେଶ ପ୍ରତି ଘୋର ସଙ୍କଟ ରୂପେ ମୁଣ୍ଡ ଟେକିଛି  ଯାହା ଏବେ ବିଶ୍ୱ ଉତ୍ତପ୍ତିକରଣ ଓ ଜଳବାୟୁ ପରିବର୍ତ୍ତନର ମୂଖ୍ୟ କାରଣ I ବୈଜ୍ଞାନିକମାନେ  ଏବେ  ଏଭଳି କିଛି ଶକ୍ତିଉତ୍ସର ସନ୍ଧାନରେ ଅଛନ୍ତି ଯାହା  ପରିବେଶକୁ ପ୍ରଦୂଷିତ ନକରି  ବିଶ୍ୱର ଶକ୍ତି ଚାହିଦା ପୂରଣ କରି ପାରିବ I ଏଭଳି କିଛି ଶକ୍ତିଉତ୍ସର ଉଦାହରଣ  ହେଲା: ସୌର ଶକ୍ତି,  ଜୁଆର ଶକ୍ତି, ଜୈବସମୂହରୁ ଆହରିତ ଶକ୍ତି, ଭୂତାପୀୟ ଶକ୍ତି, ପରମାଣବିକ ଶକ୍ତି ଇତ୍ୟାଦି I 

      ସୁତରାଂ ସବୁଜ ପ୍ରକୄତିର ଏକ ପ୍ରମୁଖ ରଙ୍ଗ ଏବଂ ଏହି ରଙ୍ଗର ବହୁଳ ପ୍ରୟୋଗ ଦ୍ୱାରା ମନୁଷ୍ୟର ଜୀବନ ମଧୁମୟ ଓ ପ୍ରାଣବନ୍ତ ହୋଇ ପାରିବ I   



                                                                                                     ଏଜୁକେଶନ୍ ଅଫିସର

                                                                                                     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                                                ଭୋପାଲ

                                                                                                  ଫୋନ୍ : 8018708858

                                                                                                                                                           




 

 





Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?