ରଜ ଦୋଳି
ରଜ ଦୋଳି
ଏହି ଲେଖାଟିକୁ pdf ଫାଇଲ ରେ ପଢିବା ପାଇଁ
ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ ଓ ଲେଖାଟିକୁ ପଢି ନିଜର ମତାମତ ଦିଅନ୍ତୁ :
https://tinyurl.com/Rajara-Doli
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ରଜ ଦୋଳି
ନିକୁଞ୍ଜ ବିହାରୀ ସାହୁ
କୁନି ମୁନି ଦି’ ଭଉଣୀ । ଦୁହେଁ ରଜ ଦିନ ରଜ ଦୋଳି ଖେଳିବାକୁ ବାଡ଼ିପଟକୁ
ଗଲେ । ବାଡ଼ିପଟ ଝଙ୍କାଳିଆ ଆମ୍ବ ଗଛରେ ଦଉଡ଼ି ବନ୍ଧାଯାଇ ଲାଗିଥାଏ ଦୁଇଟା ଦୋଳି – ଗୋଟିଏ ଲମ୍ବା ଓ
ଅନ୍ୟଟି ଛୋଟ । କୁନି ବଡ଼ ପିଲା ହୋଇଥିବାରୁ ଦଉଡ଼ିଯାଇ ଆଗ ବଡ଼ ଦୋଳିରେ ବସି ପଡ଼ିଲା । ତାହା ଦେଖି ମୁନି
ଜିଦ୍ କଲା ବଡ଼ ଦୋଳିରେ ବସିବା ପାଇଁ । ମାତ୍ର କୁନି ବଡ଼ ଦୋଳି ନଛାଡ଼ିବାରୁ ଦୁହେଁ ଝଗଡ଼ା କଲେ ।
ଦୁହିଁଙ୍କ ପାଟି ଶୁଣି ବାପା ଆସି ସେଠାରେ ପହଁଚିଲେ । ସେ ସବୁ
କଥା ଶୁଣି କହିଲେ, “ଦୋଳି ଛୋଟ
ହେଲେ ସୁଦ୍ଧା ତା’ର ମହତ୍ତ୍ୱ ଅଛି ।” ବାପା ଏହା କହି ବୋଉଙ୍କୁ ଡାକି କିଛି ପୋଡ଼ପିଠା ମଗାଇଲେ ।
ପୋଡ଼ପିଠା ଦେଖି କୁନି ଓ ମୁନିଙ୍କ ପାଟିରୁ ଲାଳ ବୋହିଲା । ଦୁହେଁ ପୋଡ଼ପିଠା ଖାଇବାକୁ ମାଗିଲେ । ବାପା
କହିଲେ, “ଥୟ ଧର । ପ୍ରଥମେ ଆମେ ଗୋଟିଏ ଖେଳ ଖେଳିବା । କିଏ କେତେଟା ପୋଡ଼ପିଠା
ଖାଇପାରିବ ଦେଖାଯିବ ।”
ଏହା କହି ବାପା ପୋଡ଼ପିଠାକୁ ଖଣ୍ଡ ଖଣ୍ଡ କରି ଦୋଳି ଆଗରେ ଛିଡ଼ା
ହୋଇ କହିଲେ, “ତୁମେ ଦୁହେଁ ପ୍ରଥମେ ଦୋଳିରେ ଝୁଲିବା ଆରମ୍ଭ କର । ପ୍ରତ୍ୟେକ
ଥର ମୋ ପାଖରେ ପହଁଚିଲେ ଖଣ୍ଡେ ଲେଖାଏଁ ପିଠା ନେଇଯାଉଥିବ । ମୋଠୁଁ କିଏ କେତେଟା ପିଠା ନେଉଛି ତା’ର
ହିସାବ କରିବା ।”
ସେଇଠୁ କୁନି ଓ ମୁନି ଜଲଦି ଜଲଦି ଦୋଳି ଖେଳିବା ଆରମ୍ଭ
କଲେ । ଖେଳର ନିୟମ ଅନୁସାରେ ସେମାନେ ପ୍ରତି ଥର ବାପାଙ୍କ ପାଖରେ ପହଁଚି ତା’ଙ୍କ ହାତରୁ ଖଣ୍ଡେ ଖଣ୍ଡେ
ପୋଡ଼ପିଠା ଝାମ୍ପି ନେଉଥା’ନ୍ତି । ମାତ୍ର ଦେଖାଗଲା ଯେ, ଛୋଟ ଦୋଳିରେ
ଝୁଲୁଥିବା ମୁନି ବାପାଙ୍କଠାରୁ ବେଶୀ ପୋଡ଼ପିଠା ସଂଗ୍ରହ କଲାବେଳକୁ ବଡ଼ ଦୋଳିରେ ଝୁଲୁଥିବା କୁନି କମ୍
ସଂଖ୍ୟକ ପୋଡ଼ପିଠା ନେଇ ପାରିଛି । ହିସାବ ଅନୁସାରେ, ମୁନି ସମୁଦାୟ
୧୦ଟି ପୋଡ଼ପିଠା ସଂଗ୍ରହ କରିଥିଲାବେଳେ କୁନି ସଂଗ୍ରହ କରିଥାଏ ମାତ୍ର ୬ଟି ।
ଖେଳ ସରିଲା ବେଳକୁ କୁନିର ମୁହଁ ଫିକା ପାଲଟି ଯାଇଥିଲାବେଳେ
ଅଧିକ ସଂଖ୍ୟକ ପୋଡ଼ପିଠା ପାଇଥିବାରୁ ମୁନିର ମନ ଭାରି ଖୁସିଥାଏ । କମ୍ ସଂଖ୍ୟକ ପୋଡ଼ପିଠା ପାଇଥିବା
କୁନି କାନ୍ଦକାନ୍ଦ ହେବାରୁ ବାପା ବୁଝେଇ କହିଲେ, “ଦେଖ, ଏଥିରେ ମନ ଦୁଃଖ କରିବା ଉଚିତ ନୁହେଁ । କାରଣ କାହାର ଦୋଳି ଏକ
ନିର୍ଦ୍ଦିଷ୍ଟ ସମୟରେ କେତେ ଥର ଝୁଲିବ ତାହା ଏକ ସରଳ ଦୋଳକ ବା ପେଣ୍ଡୁଲମ୍ ର ନିୟମ ଅନୁସାରେ ଦୋଳିର
ଦୈର୍ଘ୍ୟ ଉପରେ ନିର୍ଭର କରିଥାଏ । କୌଣସି ଦୋଳିର ଦୈର୍ଘ୍ୟ ବଢ଼ିଲେ ତା’ର ଦୋଳନ ସମୟ ବଢ଼ିଯିବାରୁ ତାହା
ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ କମ୍ ଥର ଝୁଲିଥାଏ । ଏକ ସରଳ ଦୋଳକର ଏହି କୌତୂହଳଜନକ ଧର୍ମ ଇଟାଲୀର
ବୈଜ୍ଞାନିକ ଗାଲିଲଓ ସର୍ବପ୍ରଥମେ ଆବିଷ୍କାର କରିଥିଲେ । ଦୋଳି ଏକ ସରଳ ଦୋଳକ ସଦୃଶ ଆଚରଣ କରୁଥିବାରୁ
ଦୋଳିର ଝୁଲଣ ମଧ୍ୟ ଏହି ନିୟମ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । କୁନିର ଦୋଳିର ଦୈର୍ଘ୍ୟ ଅଧିକ ହୋଇଥିବାରୁ
ତାହା କମ୍ ଥର ଝୁଲି ମୋଠୁଁ କମ୍ ସଂଖ୍ୟକ ପିଠା ସଂଗ୍ରହ କରିଥିଲା । ଅଥଚ ମୁନିର ଦୋଳିର ଦୈର୍ଘ୍ୟ
କମ୍ ହୋଇଥିବାରୁ ତାହା ଶୀଘ୍ର ଶୀଘ୍ର ଅର୍ଥାତ୍ ଅଧିକ ଥର ଝୁଲି ମୋଠୁଁ ବେଶୀ ସଂଖ୍ୟକ ପିଠା ସଂଗ୍ରହ
କରିପାରିଲା ।”
ବାପାଙ୍କ କଥା ଶୁଣି କୁନି ଓ ମୁନି ରାଗ ଦ୍ୱେଷ ଭୁଲିଯାଇ
ପୁଣି ଦୋଳି ଖେଳରେ ମାତିଲେ । ଦୋଳି ଖେଳର ମଜା ନେବା ସହିତ ଦୋଳି ପଛରେ ଥିବା ଅସଲି ରହସ୍ୟ ବୁଝି
ପାରିଥିବାରୁ ଦୁହିଁଙ୍କ ମନ ଭାରି ଖୁସି ଥିଲା ସେଦିନ ।
ଏଜୁକେସନ୍ ଅଫିସର (ଅବସରପ୍ରାପ୍ତ)
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ପଣ୍ଡିତ ଜବାହରଲାଲ ନେହେରୁ ମାର୍ଗ
ଭୁବନେଶ୍ୱର
Comments
Post a Comment