ନିଜ ସହିତ ନିଜେ ଭୋଜନ କର

 

ବିଜ୍ଞାନ ଯାଦୁ :

ନିଜ ସହିତ ନିଜେ ଭୋଜନ କର 


ନିକୁଞ୍ଜ ବିହାରୀ ସାହୁ



ମୁନା ସେଦିନ ବାପାଙ୍କ ସାଙ୍ଗରେ ବିଜ୍ଞାନ କେନ୍ଦ୍ର ବୁଲି ଯାଇଥିଲା I ସେ ବୁଲୁବୁଲୁ ଗୋଟିଏ ପ୍ରଦର୍ଶନୀ ପାଖରେ ହଠାତ ଅଟକି ଗଲା I ପ୍ରଦର୍ଶନୀର ନାମ ଥିଲା 'ନିଜ ସହିତ ନିଜେ ଭୋଜନ କର 

' I ପ୍ରଦର୍ଶନୀର କେନ୍ଦ୍ରଭାଗରେ ଏକ ଟେବୁଲ ଉପରେ ଗୋଟିଏ ଖାଦ୍ୟ ଥିବା ଥାଳି ରଖା ଯାଇଥାଏ I ସାମନାରେ ତୀର୍ଯ୍ୟକ ଅବସ୍ଥାରେ ଦୁଇଟି ସମତଳ ଦର୍ପଣ ଖଞ୍ଜା ଯାଇଥାଏ I

ମୁନା ସେଇଠୁ ଯାଇ ଦର୍ପଣକୁ ସାମନା କରି ଖାଦ୍ୟ ଥାଳି ଆଗରେ ବସିଲା I ସେ ସମ୍ମୁଖ ଦର୍ପଣରେ ନିଜର ଅନେକ ପ୍ରତିବିମ୍ବ ଦେଖି ଆଶ୍ଚର୍ଯ୍ୟ ହୋଇଗଲା I ସେ ଉକ୍ତ ଦର୍ପଣଦ୍ବୟରେ ନିଜର ସମୁଦାୟ ସାତୋଟି ପ୍ରତିବିମ୍ବ ଦେଖିଲା I ସେ ନିଜେ ଖାଦ୍ୟଥାଳିରେ ଭୋଜନ କରିବାର ଭଙ୍ଗୀ କରନ୍ତେ ଦେଖାଗଲା ଯେ, ସେ  ନିଜର ସାତୋଟି ପ୍ରତିବିମ୍ବ ସହିତ ଏକ

ସଙ୍ଗରେ ଭୋଜନ କରୁଛି I 


ଏହା ଦେଖି ତା'ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ I 

ସେ ବାପାଙ୍କୁ ପଚାରିଲା, " ବାପା, "ଏହା କିପରି ସମ୍ଭବ ହେଲା? ସାମନାରେ ତ ମାତ୍ର ଦୁଇଟା ଦର୍ପଣ ଅଛି, ଅଥଚ ମୋର ଏକାବେଳକେ ସାତୋଟି ପ୍ରତିବିମ୍ଭ ସୃଷ୍ଟି ହେଲା କିପରି? ପୁଣି, ମୁଁ ଏକସଙ୍ଗରେ ମୋର ସାତୋଟି ଚେହେରା ସହିତ ଭୋଜନ କରୁଥିବାର ଦେଖାଗଲି କିପରି? "


ବାପା ହସିହସି କହିଲେ, " 

ମୁଁ ବୁଝାଇ କହୁଛି ଶୁଣ I ଏହା ପ୍ରକୃତରେ ଆଲୋକର ବହୁପ୍ରତିଫଳନ ନିୟମ ଉପରେ ପର୍ଯ୍ୟବେସିତ I ବସ୍ତୁ ସମ୍ମୁଖରେ ଦୁଇଟି ସମତଳ ଦର୍ପଣକୁ କିଛି କୋଣରେ ଆନତ ଅବସ୍ଥାରେ ରଖା ଯାଇଥିଲେ, ପ୍ରଥମେ ଦର୍ପଣଦ୍ବୟରେ ବସ୍ତୁର ଦୁଇଟି ପ୍ରତିବିମ୍ବ ଗଠିତ ହୁଏ I ମାତ୍ର ଗୋଟିଏ ଦର୍ପଣରେ ସୃଷ୍ଟ ପ୍ରତିବିମ୍ବ ଅନ୍ୟ ଦର୍ପଣ ପାଇଁ ଏକ ବସ୍ତୁ ସଦୃଶ ଆଚରଣ କରେ I ଏହାଦ୍ୱାରା କ୍ରମାନ୍ୱୟରେ ପ୍ରତିବିମ୍ବର ପ୍ରତିବିମ୍ବମାନ ସୃଷ୍ଟି ହୋଇ ପରିଶେଷରେ ଅନେକ ପ୍ରତିବିମ୍ବ ଗଠିତ ହୁଏ I ଏହା ହିଁ ଆଲୋକର ବହୁପ୍ରତିଫଳନ ନିୟମ I "


ମୁନା ସେଇଠୁ ପଚାରିଲା, " ବାପା, ଆପଣଙ୍କ କଥା ମୁଁ ବୁଝି ପାରିଲି I ହେଲେ, ଏକ ନିର୍ଦ୍ଦିଷ୍ଟ କୋଣରେ ଥିବା ଦୁଇଟି ଆନତ ଦର୍ପଣରେ ପ୍ରତିବିମ୍ବ ଗଠନର କିଛି ଗାଣିତିକ ନିୟମ ଅଛି କି?"


ବାପା କହିଲେ, "ଭଲ କଥା ପଚାରିଲୁ, କହୁଛି ଶୁଣ I ଦୁଇଟି ଆନତ ଦର୍ପଣ ମଧ୍ୟରେ କୋଣ 'Θ' ଡିଗ୍ରୀ ହେଲେ ଦର୍ପଣରେ ଗଠିତ ପ୍ରତିବିମ୍ବ ସଂଖ୍ୟା ପାଇଁ ଏକ ସୂତ୍ର ରହିଛି I ତାହା ହେଲା :

ପ୍ରତିବିମ୍ବ ସଂଖ୍ୟା = 360/Θ - 1

ବୁଝି ପାରିଲୁ ତ?" , ବାପା ପଚାରିଲେ I


ମୁନା ମୁଣ୍ଡ ଟୁଙ୍ଗାରି 'ହଁ ' ମାରିବାରୁ ବାପା ପୁଣି ପଚାରିଲେ, "ଏବେ କହ, ଦୁଇଟି ଦର୍ପଣ ମଧ୍ୟରେ କୋଣ 45 ଡିଗ୍ରୀ ହେଲେ ଆମେ ସେଥିରେ ସମୁଦାୟ କେତୋଟି ପ୍ରତିବିମ୍ବ ଦେଖିବା? "

ମୁନା ଚତାପଟ ଗଣନା କରି ' ସାତୋଟି ' ବୋଲି ଉତ୍ତର ଦେଲା I


ବାପା କହିଲେ, "ସାବାସ, ଠିକ ଉତ୍ତର ଦେଇଛୁ I ଏବେ ମନେ ପକା, ତୁ ଯେଉଁ ଦର୍ପଣ ଦୁଇଟାରେ ତୋର ସାତୋଟି ପ୍ରତିବିମ୍ବ ଦେଖିଥିଲୁ, ସେ ଦୁଇଟି ମଧ୍ୟରେ କୋଣ 45 ଡିଗ୍ରୀ ହିଁ ଥିଲା I"


ମୁନା ପୁଣି ପଚାରିଲା, "ସାତୋଟି ପ୍ରତିବିମ୍ବ ସଂଖ୍ୟା ତ ବୁଝି ପାରିଲି I ହେଲେ, ମୁଁ କିପରି ନିଜ ପ୍ରତିବିମ୍ବ ସଙ୍ଗେ ଖାଉ ଥିବାର ଦେଖାଗଲି ?"


ବାପା ହସି ହସି କହିଲେ, "ଏହା ପ୍ରକୃତରେ ଏକ ଦୃଷ୍ଟି ବିଭ୍ରମତା I ପ୍ରତିଫଳନର ନିୟମ ଅନୁସାରେ, ଏକ ସମତଳ ଦର୍ପଣରେ ଗଠିତ କୌଣସି ବସ୍ତୁର ପ୍ରତିବିମ୍ବ ଆଭାସୀ ଓ ବସ୍ତୁର ଆକାର ସଙ୍ଗେ ସମାନ ହେଉଥିଲାବେଳେ ଦର୍ପଣଠାରୁ ପ୍ରତିବିମ୍ବର ଦୂରତା ଦର୍ପଣଠାରୁ ବସ୍ତୁର ଦୂରତା ସଙ୍ଗେ ସମାନ ହୋଇଥାଏ I ଏହି କାରଣରୁ ଗୋଟିଏ ସମତଳ ଦର୍ପଣରେ ଗଠିତ ଜଣେ ଲୋକର ପ୍ରତିବିମ୍ବ ନିଜ ଚେହେରା ସହିତ ଅବିକଳ ମିଶିଯାଏ I ଫଳରେ ଜଣେ ଲୋକ ଏକ ସମତଳ ଦର୍ପଣ ସମ୍ମୁଖରେ ରହି ଖାଉ ଥିବାର ଭଙ୍ଗୀ କଲେ ନିଜେ ନିଜ ସହିତ ଭୋଜନ କରୁଥିବାର ଏକ ଭ୍ରମଧାରଣା ସୃଷ୍ଟି ହୁଏ I ଏହି ତତ୍ତ୍ୱକୁ ଭିତ୍ତି  କରି ବିଜ୍ଞାନ କେନ୍ଦ୍ରରେ ଉକ୍ତ ପ୍ରଦର୍ଶନୀଟିକୁ ପ୍ରସ୍ତୁତ କରା ଯାଇଛି I" ବାପା ବୁଝାଇ କହିଲେ I 


ବାପାଙ୍କ ଉତ୍ତରରେ ମୁନା ଏଥର କୁହୂକ ଦର୍ପଣ ପଛରେ ଥିବା ଅସଲ ବୈଜ୍ଞାନିକ କାରଣ ବୁଝି ପାରିଥିଲା I

ତେଣୁ ଘରକୁ ଫେରିଲା ବେଳକୁ ତା'ର ମନ ଭାରି ଖୁସି ଥିଲା ସେଦିନ I


ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ 


To read the same article published in Pilanka Dharitri (dtd

03.06.23), please click the following link: https://dharitriepaper.in/m/409447/647a6b3316c36








Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?