ବିଶାଳ ବଟ ବୃକ୍ଷ Great Banyan Tree
ବିଶାଳ ବଟବୃକ୍ଷ
ନିକୁଞ୍ଜ ବିହାରୀ ସାହୁ
କଲିକତା ସହରର ଅନତି ଦୂରରେ ହାଓଡା ଶିବପୁର ସ୍ଥିତ ଆଚାର୍ଯ ଜଗଦୀଶ ଚନ୍ଦ୍ର ବୋଷ ଉଦ୍ଭିଦ ବିଜ୍ଞାନ ଉଦ୍ୟାନ ମଧ୍ୟରେ ଏକ ବିଶାଳ ଓ ବିରଳ ବର ଗଛ ଦେଖିବାକୁ ମିଳେ । କଳେବର ବିସ୍ତୃତିରେ ଏହା ସମ୍ଭବତଃ ଏସିଆ ମହାଦେଶର ବୃହତମ ବର ଗଛı ଦୂରରୁ ଦେଖିଲେ ଏହା ଗୋଟିଏ ବୃକ୍ଷ ପରିବର୍ତ୍ତେ ବିଶାଳ ଆକୃତି ହେତୁ ଜଙ୍ଗଲ ସଦୃଶ ଦେଖାଯାଏ । ଏବେ ଏହି ବୃକ୍ଷର କଳେବରର ପରିଧି ପ୍ରାୟ ଅଧ କିଲୋମିଟର ଏବଂ ଏହାର ସର୍ବୋଚ୍ଚ ଶାଖା ଭୂମିଠାରୁ 2୫ ମିଟର ଉଦ୍ଧ୍ୱର୍ରେ ଅବସ୍ଥିତ । ଏହାର ଛୋଟବଡ ସମୁଦାୟ ୩୩୦୦ଟି ଓହଳ (ବାୟବୀୟ ଚେର) ଶାଖା ପ୍ରଶାଖାର ବିଭିନ୍ନ ସ୍ଥାନରୁ ଲମ୍ବିଯାଇ ଭୂମିରେ ପ୍ରବେଶ ପୂର୍ବକ ବିଶାଳ ବୃକ୍ଷଟିକୁ ସାହାରା ଯୋଗାଉଛି । ବୃକ୍ଷଟି ସମୁଦାୟ ୧୪,୫୦୦ ବର୍ଗ ମିଟର ଅର୍ଥାତ ୪ ଏକର ଜମି ଉପରେ ଅବସ୍ଥିତ । ଏଥିରୁ ଏହି ଅଦ୍ୱିତୀୟ ବୃକ୍ଷର ବିଶାଳତା ସମ୍ପର୍କରେ ଅନୁମାନ କରାଯାଇପାରେı କଳେବରର ବିଶାଳ ବିସ୍ତୃତି ପାଇଁ କଲିକତାର ଏହି ବିରଳ ବଟବୃକ୍ଷଟି ‘ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ’ ପୁସ୍ତିକାରେ ସ୍ଥାନ ପାଇଛି ।
ଏହି ବିରଳ ଓ ବିସ୍ମୟ ବଟବୃକ୍ଷକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ଶହ ଶହ ଦର୍ଶକଙ୍କ ଭିଡ ଛୁଟେ ଏଠାକୁ । ଲୋକେ ଏହା ଚାରିପଟେ ବୁଲି ଦେଖିବା ସହିତ ଫଟୋ ନେଇ ଏହାର ସ୍ମୃତି ସାଇତି ରଖନ୍ତି ନିଜର ଆଲବମରେ । ହେଲେ ବହୁଚର୍ଚ୍ଚିତ ଏହି ବୃକ୍ଷଟିର ଇତିବୃତ୍ତ ଅସ୍ପଷ୍ଟ ଓ ରହସ୍ୟାବୄତ୍ତ । ଏହା କେବେ ଓ କିପରି ଜନ୍ମ ହେଲା ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ନ ଥିଲେ ସୁଦ୍ଧା ଏହା ସମ୍ଭବତଃ ବ୍ରିଟିଶ୍ ଅମଳର ଏବଂ ଅତି କମରେ ୫୦ ରୁ ୩୦୦ ବର୍ଷ ପ୍ରାଚୀନ ବୋଲି ଅନୁମାନ କରାଯାଏ । ଗତ ୧୮୮୪ ଓ ୧୮୮୬ ମସିହାର ପର ପର ଦୁଇଟି ପ୍ରଳୟଙ୍କରୀ ବାତ୍ୟାରେ ଏହା ମୂଖ୍ୟ ଗଣ୍ଡିର ବହୁ ଅଂଶ ନଷ୍ଟ ହୋଇଯାଇଛି । ପରେ, କବକ ଜନିତ ସଂକ୍ରମଣରେ ସଢି ଯିବାରୁ ସମୁଦାୟ ବୃକ୍ଷଟିକୁ ରକ୍ଷା କରିବା ପାଇଁ 1925 ମସିହାରେ ଏହାର ମୂଖ୍ୟ ଗଣ୍ଡିକୁ କାଟି ଗଛରୁ ବିଚ୍ଛିନ୍ନ କରାଯାଇଥିଲାı ସେତେବେଳେ ମୂଖ୍ୟ ଗଣ୍ଡିର ଗୋଲେଇ (ପରିଧି) ଥିଲା ୧.୭ ମିଟର ଯାହା ଭୂମିଠାରୁ ୧୫.୭ ମିଟର ଉଚ୍ଚତାରେ ଅବସ୍ଥିତ ଥିଲା ।
ସବୁଠାରୁ ଆଶ୍ଚର୍ଯଙ୍କ କଥା ଯେ, ମୁଖ୍ୟ ଗଣ୍ଡି ନ ଥାଇ ଇତି ମଧ୍ୟରେ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଶାଳ ବୃକ୍ଷଟି ଏବେ ମଧ୍ୟ ଉଦ୍ଦାମ ତଥା ସତେଜ ଅବସ୍ଥାରେ ଦର୍ଶକମାନଙ୍କ ପାଇଁ ଏକ ବିସ୍ମୟ ଓ ରହସ୍ୟର ସ୍ମାରକୀ ରୂପେ ସମୟର ଘାତ ପ୍ରତିଘାତ ସହି ଛିଡା ହୋଇଛି ।
ଏଜୁକେଶନ୍ ଅଫିସର୍
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର
ଢେଙ୍କାନାଳ
ବିଶାଳ ବଟବୃକ୍ଷ
ଏହି ଲେଖାଟିକୁ pdf ଫାଇଲ ରେ ପଢିବା ପାଇଁ
ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ ଓ ଲେଖାଟିକୁ ପଢି ନିଜର ମତାମତ ଦିଅନ୍ତୁ :
https://tinyurl.com/Bara-Gachha
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
Shiksha Srujanee July 2015 issue:
https://drive.google.com/file/d/1y_7n4vCNm79HKFUEdAa7O1Q1M4TNVpNV/view?usp=sharing
Comments
Post a Comment