ରିମ୍ ଝିମ୍ ମୌସୁମୀ RIM JHIM MOUSUMI

                                                      ରିମ୍ ଝିମ୍ ମୌସୁମୀ

ନିକୁଞ୍ଜ ବିହାରୀ ସାହୁ

 

    ମେଘୁଆ, ଭାରାକ୍ରାନ୍ତ ଆକାଶ ଓ ରିମ୍ ଝିମ୍ ବର୍ଷା – ସଙ୍ଗୀତର ସୁର ଭଳି । ବର୍ଷାର ଶୀତଳ ଓ ସଲ୍ଲିଳ ପଦପାତରେ ଚତୁର୍ଦ୍ଦିଗ ପ୍ଲାବିତ ହୁଏ ଓ ତାପକ୍ଲିଷ୍ଟ ଧରଣୀ ଆନନ୍ଦ ଓ ଆଶ୍ୱସ୍ତି ଲାଭ କରେ । ବର୍ଷାର ମାଦକ ସ୍ପର୍ଶରେ ଧରା ବକ୍ଷ ହୁଏ ପୁଲକିତ ଓ ପଲ୍ଲବିତ । ନାଲି ଟୁକୁଟୁକୁ ସାଧବବୋହୂ ତା’ର ଚିରାଚରିତ ଅଜ୍ଞାତବାସ ତ୍ୟାଗ କରି ବାହାରି ଆସେ ଓ ସତେ ଅବା ଶ୍ୟାମଳୀ ପ୍ରକୃତି କନ୍ୟାର ଶାଢ଼ୀକୁ ବିଚିତ୍ର ରଙ୍ଗରେ ଚିତ୍ରିତ କରେ । ଗଡ଼ିଆ, ପୋଖରୀ କିନ୍ତୁ ପାଣିରେ ଭରିଯାଏ । ରାସ୍ତାଘାଟ ସବୁ କାଦୁଅରେ ପଚ୍ ପଚ୍ ଓ ବେଙ୍ଗମାନଙ୍କର କେଁ କଟର ରଡ଼ି - ପରିବେଷ୍ଟନୀକୁ ଏକ ଅପୂର୍ବ ରୂପ  ଓ ରଙ୍ଗରେ ଗଢ଼ି ତୋଳେ । ଏହା ହିଁ ଆମ ପୁରପଲ୍ଲୀରେ ବର୍ଷାଋତୁ- ମୌସୁମୀର ଆଗମନୀ । ତେବେ ପ୍ରଶ୍ନ ଉଠେ, ଏହି ମୌସୁମୀ କ’ଣ, କେଉଁଠି ଓ କିପରି ଏହା ସୃଷ୍ଟି ହୁଏ, ମୌସୁମୀ ଆଜି ମାଦକତାଶୂନ୍ୟ କାହିଁକି ଇତ୍ୟାଦି, ଇତ୍ୟାଦି?

    ମୌସୁମୀ ପ୍ରକୃତରେ ଏକ ବାୟୁପ୍ରବାହ । କୌଣସି ଦୁଇଟି ସ୍ଥାନ ମଧ୍ୟରେ ଚାପର ପାର୍ଥକ୍ୟ ରହିଲେ ବାୟୁ ଗୁରୁଚାପ ମଣ୍ଡଳରୁ ଲଘୁଚାପ ମଣ୍ଡଳକୁ ପ୍ରବାହିତ ହୋଇଥାଏ । ପୃଥିବୀପୃଷ୍ଠରେ କେତେକ ବାୟୁପ୍ରବାହ ବର୍ଷସାରା ଲାଗି ରହୁଥିବାବେଳେ ମୌସୁମୀ କିନ୍ତୁ ବର୍ଷର ଏକ ନିର୍ଦ୍ଧିଷ୍ଟ ସମୟରେ ସ୍ୱଳ୍ପ କାଳ ପାଇଁ ପ୍ରବାହିତ ହୋଇଥାଏ ।

     ମାର୍ଚ୍ଚଠାରୁ ମଈ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ ଓ ସୂର୍ଯ୍ୟ କ୍ରମଶଃ ବିଷୁବରେଖାଠାରୁ ଉତ୍ତରକୁ ବିସ୍ଥାପିତ ହୁଅନ୍ତି  । ଫଳରେ ସେହି ସ୍ଥାନଗୁଡ଼ିକ ଉପରେ ସୂର୍ଯ୍ୟଙ୍କର ସଳଖରଶ୍ମି ପତିତ ହୁଏ ଏବଂ ତାପମାତ୍ରା ବୃଦ୍ଧିପାଏ । ଏହା ହିଁ ଗ୍ରୀଷ୍ମ ଋତୁ । ମଈ ମାସ ବେଳକୁ ସୂର୍ଯ୍ୟ ଭାରତର ମଧ୍ୟଭାଗ ଅତିକ୍ରମ କରି ଉତ୍ତରସ୍ଥ ସ୍ଥାନଗୁଡ଼ିକ ଉପରେ ସଳଖ କିରଣ ପ୍ରଦାନ କରେ । ଭାରତର ତ୍ରିଭୁଜାକୃତି ଆକାର ଯୋଗୁଁ ମଧ୍ୟ ଉତ୍ତରାୟଣ ଗତି ଦ୍ୱାରା ଦେଶର ଭୂଭାଗ ଅଧିକରୁ ଅଧିକ ଅଞ୍ଚଳ ଉତ୍ତପ୍ତ ହୋଇଥାଏ । ଫଳରେ ଏହି ସ୍ଥାନଗୁଡ଼ିକର ତାପମାତ୍ରା ଯଥେଷ୍ଟ ବୃଦ୍ଧିପାଏ । ବାୟୁ ଗରମ ହୋଇ ଉପରକୁ ଉଠେ ଏବଂ ଏକ ଲଘୁଚାପ ମଣ୍ଡଳ ସୃଷ୍ଟି କରେ । ମଈ ମାସର ଶେଷ ବେଳକୁ ଉତ୍ତର ଭାରତ ଉପରେ ଏକ ପୂର୍ଣ୍ଣାଙ୍ଗ ଲଘୁଚାପ ମଣ୍ଡଳ ପ୍ରତିଷ୍ଠା ହୋଇ ସାରିଥାଏ ।

     ମଈ ପରେ ଆସେ ଜୁନ୍ । ଏହି ଲଘୁଚାପ ବଳୟ ଆହୁରି ସକ୍ରିୟ ଓ ଶକ୍ତିଶାଳୀ ହେବାରୁ ଆଉ ସ୍ଥିର ହୋଇ ରହିପାରେ ନାହିଁ । ଶୂନ୍ୟସ୍ଥାନ ପୂରଣ ନିମନ୍ତେ ଏହି ଲଘୁଚାପ ମଣ୍ଡଳ ଆଡ଼କୁ ଦେଶ ବାହାରୁ ଦକ୍ଷିଣ ପଶ୍ଚିମ ପଟୁ ଯଥେଷ୍ଟ ବାୟୁ ଶୋଷି ହୋଇଆସେ । ଏହି ବାୟୁ ସମୁଦ୍ରର ବିସ୍ତୀର୍ଣ୍ଣ ଜଳଭାଗ ଦେଇ ଯାତ୍ରା କଲାବେଳେ ଯଥେଷ୍ଟ ଜଳୀୟବାଷ୍ପ ସଂଗ୍ରହ କରେ । ଜଳୀୟବାଷ୍ପ ଭରା ଏଭଳି ଭଷ୍ମ ଓ ଆର୍ଦ୍ର ବାୟୁ ପ୍ରଥମେ ଜୁନ୍ ମାସର ପ୍ରାରମ୍ଭରେ ଭାରତର ଦକ୍ଷିଣ ଉପକୂଳକୁ ସ୍ପର୍ଶକରେ । ପରବର୍ତ୍ତୀ ଜୁଲାଇ ମାସ ବେଳକୁ ମାତ୍ର କେଇ ସପ୍ତାହର ବ୍ୟବଧାନ ମଧ୍ୟରେ ଏହା ସମଗ୍ର ଉତ୍ତର ଭାରତକୁ ସଂପ୍ରସାରିତ ହୋଇ ସାରିଥାଏ । ଏହା ହିଁ ମୌସୁମୀ ବାୟୁ । ସୁତରାଂ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସମଗ୍ର ଦେଶ ମୌସୁମୀର କରାଳ କବଳରେ ରହିଥାଏ । ସମୟକ୍ରମେ ଏହି ଉଷ୍ମ, ଆର୍ଦ୍ର ବାୟୁ ଘନୀଘୂତ ହେଲେ ସମୁଦ୍ରରୁ ସଂଗ୍ରହ କରିଥିବା ବିପୁଳ ଜଳକଣା ବର୍ଷା ଆକାରରେ ନିର୍ଗତ କରେ । ଏହା ହିଁ ଆମ ପୁରପଲ୍ଲୀରେ ବର୍ଷା ଋତୁ ।

    ସୁତରାଂ ମୌସୁମୀ ଆମ ଦେଶରୁ ଉଦ୍ଭବ ନୁହେଁ, ବରଂ କେଉଁ  ସୁଦୂର ରାଇଜରୁ ଆମ ଦେଶକୁ ବହିଆସୁଛି । କେଉଁ ଆବହମାନ କାଳରୁ ମୌସୁମୀ ପ୍ରବାହିତ ହୋଇଆସୁଛି । ପ୍ରାଚୀନ ଗ୍ରୀକ୍ ମାନେ ଏଭଳି ବାୟୁପ୍ରବାହ ବିଷୟରେ ଅବଗତ ଥିଲେ । ଆମର କବି ଓ କଥାକାରମାନେ ମଧ୍ୟ ବର୍ଷାଋତୁ ଓ ଧାବମାନ ମେଘଖଣ୍ଡ ସମ୍ପର୍କରେ ବର୍ଣ୍ଣନା କରି ଏଭଳି ବାୟୁ ପ୍ରବାହର ସୂଚନା ଦେଇଛନ୍ତି ।

    ମୌସୁମୀ ବିନା ଆମର ଦେଶ ଏକ ସମ୍ପୂର୍ଣ୍ଣ ଅଲଗା ଭୌଗଳିକ ଭୂଖଣ୍ଡ ତଥା ମରୁଭୂମିରେ ପରିଣତ ହୋଇଥା’ନ୍ତା । ଏହା ଆମର ନଦୀ, ନିର୍ଝର, ଜଙ୍ଗଲ, ବନସ୍ପତି ଓ ସର୍ବୋପରି ଜନଜୀବନକୁ ଗଭୀର ପ୍ରଭାବିତ କରିଛି । ଏତିକିବେଳେ ହିଁ ଆମ ଗାଁ ଗହଳିରେ ରାକ୍ଷୀ ପୂର୍ଣ୍ଣିମା  ଖୁଦୁରୁକୁଣୀ, ଜନ୍ମାଷ୍ଟମୀ ଆଦି ଓଷାବ୍ରତ ପାଳିତ ହୁଏ । ମୌସୁମୀର ଅନୁପସ୍ଥିତିରେ ଭାରତ ଏକ ଶୁଷ୍କ ମରୁଭୂମି ପାଲଟିଥା’ନ୍ତି । ମୌସୁମୀର ପ୍ରବଳ ବୃଷ୍ଟିପାତ ଯୋଗୁଁ ମଧ୍ୟ ନଦୀରେ ବନ୍ୟା ଆସେ ଏବଂ  ଧନ ଜୀବନର ବିପୁଳ କ୍ଷତି ସାଧନ କରେ । ତଥାପି ମୌସୁମୀ ଆମର ଅତି ପ୍ରିୟ ଓ ପ୍ରତୀକ୍ଷିତ । ଏହାକୁ ଆମର କୃଷକମାନେ ଆଗ୍ରହର ସହ ଅପେକ୍ଷା କରିଥା’ନ୍ତି କୃଷିକାର୍ଯ୍ୟର ଶୁଭାରମ୍ଭ ପାଇଁ । ସୁତରାଂ ମୌସୁମୀ ଆମ ପୁରପଲ୍ଲୀରେ ଏକ ବହୁଚର୍ଚ୍ଚିତ ତଥା ଘଟଣା ବହୁଳ ଅଧ୍ୟାୟ ।

    ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି  । ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ  ଭାରତୀୟ ମୌସୁମୀ ଆଜି ପାଲଟି ଯାଇଛି ଅନିୟମିତ ଏବଂ ଛନ୍ଦହରା  । ଏହା  ଫଳରେ ସ୍ଥାୟୀ  ଓ ବ୍ୟାପକ ବର୍ଷାର ମାତ୍ରା  ହ୍ରାସ ପାଇବା ସାଙ୍ଗକୁ ଦୀର୍ଘ କାଳୀନ  ଶୁଷ୍କ ଅବଧି ଏବଂ  ପ୍ରବଳ ବର୍ଷାର ସ୍ୱଳ୍ପ ପର୍ଯ୍ୟାୟମାନ ସୃଷ୍ଟି ହୋଇଛି । ମୌସୁମୀର ଏହି ବିଶୃଙ୍ଖଳିତ ଧାରା ସମଗ୍ର ଦେଶରେ କୃଷି, ଜଳ ସୁରକ୍ଷା ଏବଂ ସ୍ଥାନୀୟ ଅର୍ଥନୀତିକୁ ଗୁରୁତର  ପ୍ରଭାବିତ କରିଛି । ଉଷ୍ମ ବାୟୁ ଅଧିକ ଆର୍ଦ୍ରତା ଧାରଣ କରୁ ଥିବାରୁ ପ୍ରବଳ ବୄଷ୍ଟିପାତ ଜନିତ  ଆକସ୍ମିକ ବନ୍ୟା ଏବଂ ଗୁରୁତର ଭୂସ୍ଖଳନ ଭଳି ଘଟଣାର ସଂଖ୍ୟା ବୃଦ୍ଧି ପାଇଛି । ପାରମ୍ପରିକ ଶୁଷ୍କ ଅଞ୍ଚଳ ରୂପେ ଜଣାଥିବା  ରାଜସ୍ଥାନ ଏବଂ ଗୁଜରାଟରେ  ଋତୁକାଳୀନ ବର୍ଷାର ମାତ୍ରା  ଯଥେଷ୍ଟ ବୃଦ୍ଧି ପାଇଛି । କିଛି ଅଞ୍ଚଳରେ ବର୍ଷା ପରିମାଣ ବୃଦ୍ଧି ପାଇଥିଲେ ସୁଦ୍ଧା କୃଷି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଇଣ୍ଡୋ-ଗାଙ୍ଗେୟ ସମତଳ ଭୂମି, ଉତ୍ତର-ପୂର୍ବ ଭାରତ ଏବଂ ହିମାଳୟରେ ବର୍ଷାର ଘୋର ଅଭାବ ପରିଲକ୍ଷିତ ହୋଇଛି  । ଗତ ଦଶନ୍ଧି ମଧ୍ୟରେ, ଭାରତର ଅଧିକାଂଶ ତହସିଲରେ ଋତୁକାଳୀନ ବର୍ଷାରେ ୧୦% ବୃଦ୍ଧି କିମ୍ବା ହ୍ରାସ ରେକର୍ଡ କରାଯାଇଛି  । ଏହା ଫଳରେ ଶସ୍ୟ ବୁଣାବୁଣି ଏବଂ ଫସଲ ଉତ୍ପାଦନ ଯୋଜନା ବାଧାପ୍ରାପ୍ତ  ହୋଇଛି । ଭାରତ ମହାସାଗର ପୄଷ୍ଠର ଉଷ୍ଣତାବୄଦ୍ଧି ଏବଂ ଏଲ୍ ନିନୋ ଭଳି  ଘଟଣାଗୁଡିକ ଦ୍ୱାରା ବିଶ୍ୱ ପାଣିପାଗ ଧାରାର ପରିବର୍ତ୍ତନ ମୌସୁମୀର ଆଗମନ ସମୟକୁ ପରିବର୍ତ୍ତିତ କରିଛି । ଏହି ପରିବର୍ତ୍ତନଶୀଳ ସମୟସୀମା ଫସଲ ଚକ୍ରକୁ ପ୍ରଭାବିତ କରିବା କାରଣରୁ  କୃଷି ଉତ୍ପାଦନ ପାଇଁ ମଧ୍ୟ ବଡ ଆହ୍ୱାନ ସୃଷ୍ଟି ହୋଇଛି ।

ଏଜୁକେସନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ପଣ୍ଡିତ ଜବାହରଲାଲ ନେହେରୁ ମାର୍ଗ

ଭୁବନେଶ୍ୱର-୭୫୧୦୧୩

 

 

 

 

 

 

 


ରିମ୍ ଝିମ୍ ମୌସୁମୀ

ଏହି ଲେଖାଟିକୁ pdf ଫାଇଲ ରେ ପଢିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ ଓ ଲେଖାଟିକୁ ପଢି ନିଜର ମତାମତ ଦିଅନ୍ତୁ :


https://tinyurl.com/Rimjhim-Mousumi


ନିକୁଞ୍ଜ ବିହାରୀ ସାହୁ

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ




Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ MOBILE APP