ରିମ୍ ଝିମ୍ ମୌସୁମୀ RIM JHIM MOUSUMI

                                                      ରିମ୍ ଝିମ୍ ମୌସୁମୀ

ନିକୁଞ୍ଜ ବିହାରୀ ସାହୁ

 

    ମେଘୁଆ, ଭାରାକ୍ରାନ୍ତ ଆକାଶ ଓ ରିମ୍ ଝିମ୍ ବର୍ଷା – ସଙ୍ଗୀତର ସୁର ଭଳି । ବର୍ଷାର ଶୀତଳ ଓ ସଲ୍ଲିଳ ପଦପାତରେ ଚତୁର୍ଦ୍ଦିଗ ପ୍ଲାବିତ ହୁଏ ଓ ତାପକ୍ଲିଷ୍ଟ ଧରଣୀ ଆନନ୍ଦ ଓ ଆଶ୍ୱସ୍ତି ଲାଭ କରେ । ବର୍ଷାର ମାଦକ ସ୍ପର୍ଶରେ ଧରା ବକ୍ଷ ହୁଏ ପୁଲକିତ ଓ ପଲ୍ଲବିତ । ନାଲି ଟୁକୁଟୁକୁ ସାଧବବୋହୂ ତା’ର ଚିରାଚରିତ ଅଜ୍ଞାତବାସ ତ୍ୟାଗ କରି ବାହାରି ଆସେ ଓ ସତେ ଅବା ଶ୍ୟାମଳୀ ପ୍ରକୃତି କନ୍ୟାର ଶାଢ଼ୀକୁ ବିଚିତ୍ର ରଙ୍ଗରେ ଚିତ୍ରିତ କରେ । ଗଡ଼ିଆ, ପୋଖରୀ କିନ୍ତୁ ପାଣିରେ ଭରିଯାଏ । ରାସ୍ତାଘାଟ ସବୁ କାଦୁଅରେ ପଚ୍ ପଚ୍ ଓ ବେଙ୍ଗମାନଙ୍କର କେଁ କଟର ରଡ଼ି - ପରିବେଷ୍ଟନୀକୁ ଏକ ଅପୂର୍ବ ରୂପ  ଓ ରଙ୍ଗରେ ଗଢ଼ି ତୋଳେ । ଏହା ହିଁ ଆମ ପୁରପଲ୍ଲୀରେ ବର୍ଷାଋତୁ- ମୌସୁମୀର ଆଗମନୀ । ତେବେ ପ୍ରଶ୍ନ ଉଠେ, ଏହି ମୌସୁମୀ କ’ଣ, କେଉଁଠି ଓ କିପରି ଏହା ସୃଷ୍ଟି ହୁଏ, ମୌସୁମୀ ଆଜି ମାଦକତାଶୂନ୍ୟ କାହିଁକି ଇତ୍ୟାଦି, ଇତ୍ୟାଦି?

    ମୌସୁମୀ ପ୍ରକୃତରେ ଏକ ବାୟୁପ୍ରବାହ । କୌଣସି ଦୁଇଟି ସ୍ଥାନ ମଧ୍ୟରେ ଚାପର ପାର୍ଥକ୍ୟ ରହିଲେ ବାୟୁ ଗୁରୁଚାପ ମଣ୍ଡଳରୁ ଲଘୁଚାପ ମଣ୍ଡଳକୁ ପ୍ରବାହିତ ହୋଇଥାଏ । ପୃଥିବୀପୃଷ୍ଠରେ କେତେକ ବାୟୁପ୍ରବାହ ବର୍ଷସାରା ଲାଗି ରହୁଥିବାବେଳେ ମୌସୁମୀ କିନ୍ତୁ ବର୍ଷର ଏକ ନିର୍ଦ୍ଧିଷ୍ଟ ସମୟରେ ସ୍ୱଳ୍ପ କାଳ ପାଇଁ ପ୍ରବାହିତ ହୋଇଥାଏ ।

     ମାର୍ଚ୍ଚଠାରୁ ମଈ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ ଓ ସୂର୍ଯ୍ୟ କ୍ରମଶଃ ବିଷୁବରେଖାଠାରୁ ଉତ୍ତରକୁ ବିସ୍ଥାପିତ ହୁଅନ୍ତି  । ଫଳରେ ସେହି ସ୍ଥାନଗୁଡ଼ିକ ଉପରେ ସୂର୍ଯ୍ୟଙ୍କର ସଳଖରଶ୍ମି ପତିତ ହୁଏ ଏବଂ ତାପମାତ୍ରା ବୃଦ୍ଧିପାଏ । ଏହା ହିଁ ଗ୍ରୀଷ୍ମ ଋତୁ । ମଈ ମାସ ବେଳକୁ ସୂର୍ଯ୍ୟ ଭାରତର ମଧ୍ୟଭାଗ ଅତିକ୍ରମ କରି ଉତ୍ତରସ୍ଥ ସ୍ଥାନଗୁଡ଼ିକ ଉପରେ ସଳଖ କିରଣ ପ୍ରଦାନ କରେ । ଭାରତର ତ୍ରିଭୁଜାକୃତି ଆକାର ଯୋଗୁଁ ମଧ୍ୟ ଉତ୍ତରାୟଣ ଗତି ଦ୍ୱାରା ଦେଶର ଭୂଭାଗ ଅଧିକରୁ ଅଧିକ ଅଞ୍ଚଳ ଉତ୍ତପ୍ତ ହୋଇଥାଏ । ଫଳରେ ଏହି ସ୍ଥାନଗୁଡ଼ିକର ତାପମାତ୍ରା ଯଥେଷ୍ଟ ବୃଦ୍ଧିପାଏ । ବାୟୁ ଗରମ ହୋଇ ଉପରକୁ ଉଠେ ଏବଂ ଏକ ଲଘୁଚାପ ମଣ୍ଡଳ ସୃଷ୍ଟି କରେ । ମଈ ମାସର ଶେଷ ବେଳକୁ ଉତ୍ତର ଭାରତ ଉପରେ ଏକ ପୂର୍ଣ୍ଣାଙ୍ଗ ଲଘୁଚାପ ମଣ୍ଡଳ ପ୍ରତିଷ୍ଠା ହୋଇ ସାରିଥାଏ ।

     ମଈ ପରେ ଆସେ ଜୁନ୍ । ଏହି ଲଘୁଚାପ ବଳୟ ଆହୁରି ସକ୍ରିୟ ଓ ଶକ୍ତିଶାଳୀ ହେବାରୁ ଆଉ ସ୍ଥିର ହୋଇ ରହିପାରେ ନାହିଁ । ଶୂନ୍ୟସ୍ଥାନ ପୂରଣ ନିମନ୍ତେ ଏହି ଲଘୁଚାପ ମଣ୍ଡଳ ଆଡ଼କୁ ଦେଶ ବାହାରୁ ଦକ୍ଷିଣ ପଶ୍ଚିମ ପଟୁ ଯଥେଷ୍ଟ ବାୟୁ ଶୋଷି ହୋଇଆସେ । ଏହି ବାୟୁ ସମୁଦ୍ରର ବିସ୍ତୀର୍ଣ୍ଣ ଜଳଭାଗ ଦେଇ ଯାତ୍ରା କଲାବେଳେ ଯଥେଷ୍ଟ ଜଳୀୟବାଷ୍ପ ସଂଗ୍ରହ କରେ । ଜଳୀୟବାଷ୍ପ ଭରା ଏଭଳି ଭଷ୍ମ ଓ ଆର୍ଦ୍ର ବାୟୁ ପ୍ରଥମେ ଜୁନ୍ ମାସର ପ୍ରାରମ୍ଭରେ ଭାରତର ଦକ୍ଷିଣ ଉପକୂଳକୁ ସ୍ପର୍ଶକରେ । ପରବର୍ତ୍ତୀ ଜୁଲାଇ ମାସ ବେଳକୁ ମାତ୍ର କେଇ ସପ୍ତାହର ବ୍ୟବଧାନ ମଧ୍ୟରେ ଏହା ସମଗ୍ର ଉତ୍ତର ଭାରତକୁ ସଂପ୍ରସାରିତ ହୋଇ ସାରିଥାଏ । ଏହା ହିଁ ମୌସୁମୀ ବାୟୁ । ସୁତରାଂ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସମଗ୍ର ଦେଶ ମୌସୁମୀର କରାଳ କବଳରେ ରହିଥାଏ । ସମୟକ୍ରମେ ଏହି ଉଷ୍ମ, ଆର୍ଦ୍ର ବାୟୁ ଘନୀଘୂତ ହେଲେ ସମୁଦ୍ରରୁ ସଂଗ୍ରହ କରିଥିବା ବିପୁଳ ଜଳକଣା ବର୍ଷା ଆକାରରେ ନିର୍ଗତ କରେ । ଏହା ହିଁ ଆମ ପୁରପଲ୍ଲୀରେ ବର୍ଷା ଋତୁ ।

    ସୁତରାଂ ମୌସୁମୀ ଆମ ଦେଶରୁ ଉଦ୍ଭବ ନୁହେଁ, ବରଂ କେଉଁ  ସୁଦୂର ରାଇଜରୁ ଆମ ଦେଶକୁ ବହିଆସୁଛି । କେଉଁ ଆବହମାନ କାଳରୁ ମୌସୁମୀ ପ୍ରବାହିତ ହୋଇଆସୁଛି । ପ୍ରାଚୀନ ଗ୍ରୀକ୍ ମାନେ ଏଭଳି ବାୟୁପ୍ରବାହ ବିଷୟରେ ଅବଗତ ଥିଲେ । ଆମର କବି ଓ କଥାକାରମାନେ ମଧ୍ୟ ବର୍ଷାଋତୁ ଓ ଧାବମାନ ମେଘଖଣ୍ଡ ସମ୍ପର୍କରେ ବର୍ଣ୍ଣନା କରି ଏଭଳି ବାୟୁ ପ୍ରବାହର ସୂଚନା ଦେଇଛନ୍ତି ।

    ମୌସୁମୀ ବିନା ଆମର ଦେଶ ଏକ ସମ୍ପୂର୍ଣ୍ଣ ଅଲଗା ଭୌଗଳିକ ଭୂଖଣ୍ଡ ତଥା ମରୁଭୂମିରେ ପରିଣତ ହୋଇଥା’ନ୍ତା । ଏହା ଆମର ନଦୀ, ନିର୍ଝର, ଜଙ୍ଗଲ, ବନସ୍ପତି ଓ ସର୍ବୋପରି ଜନଜୀବନକୁ ଗଭୀର ପ୍ରଭାବିତ କରିଛି । ଏତିକିବେଳେ ହିଁ ଆମ ଗାଁ ଗହଳିରେ ରାକ୍ଷୀ ପୂର୍ଣ୍ଣିମା  ଖୁଦୁରୁକୁଣୀ, ଜନ୍ମାଷ୍ଟମୀ ଆଦି ଓଷାବ୍ରତ ପାଳିତ ହୁଏ । ମୌସୁମୀର ଅନୁପସ୍ଥିତିରେ ଭାରତ ଏକ ଶୁଷ୍କ ମରୁଭୂମି ପାଲଟିଥା’ନ୍ତି । ମୌସୁମୀର ପ୍ରବଳ ବୃଷ୍ଟିପାତ ଯୋଗୁଁ ମଧ୍ୟ ନଦୀରେ ବନ୍ୟା ଆସେ ଏବଂ  ଧନ ଜୀବନର ବିପୁଳ କ୍ଷତି ସାଧନ କରେ । ତଥାପି ମୌସୁମୀ ଆମର ଅତି ପ୍ରିୟ ଓ ପ୍ରତୀକ୍ଷିତ । ଏହାକୁ ଆମର କୃଷକମାନେ ଆଗ୍ରହର ସହ ଅପେକ୍ଷା କରିଥା’ନ୍ତି କୃଷିକାର୍ଯ୍ୟର ଶୁଭାରମ୍ଭ ପାଇଁ । ସୁତରାଂ ମୌସୁମୀ ଆମ ପୁରପଲ୍ଲୀରେ ଏକ ବହୁଚର୍ଚ୍ଚିତ ତଥା ଘଟଣା ବହୁଳ ଅଧ୍ୟାୟ ।

    ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି  । ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ  ଭାରତୀୟ ମୌସୁମୀ ଆଜି ପାଲଟି ଯାଇଛି ଅନିୟମିତ ଏବଂ ଛନ୍ଦହରା  । ଏହା  ଫଳରେ ସ୍ଥାୟୀ  ଓ ବ୍ୟାପକ ବର୍ଷାର ମାତ୍ରା  ହ୍ରାସ ପାଇବା ସାଙ୍ଗକୁ ଦୀର୍ଘ କାଳୀନ  ଶୁଷ୍କ ଅବଧି ଏବଂ  ପ୍ରବଳ ବର୍ଷାର ସ୍ୱଳ୍ପ ପର୍ଯ୍ୟାୟମାନ ସୃଷ୍ଟି ହୋଇଛି । ମୌସୁମୀର ଏହି ବିଶୃଙ୍ଖଳିତ ଧାରା ସମଗ୍ର ଦେଶରେ କୃଷି, ଜଳ ସୁରକ୍ଷା ଏବଂ ସ୍ଥାନୀୟ ଅର୍ଥନୀତିକୁ ଗୁରୁତର  ପ୍ରଭାବିତ କରିଛି । ଉଷ୍ମ ବାୟୁ ଅଧିକ ଆର୍ଦ୍ରତା ଧାରଣ କରୁ ଥିବାରୁ ପ୍ରବଳ ବୄଷ୍ଟିପାତ ଜନିତ  ଆକସ୍ମିକ ବନ୍ୟା ଏବଂ ଗୁରୁତର ଭୂସ୍ଖଳନ ଭଳି ଘଟଣାର ସଂଖ୍ୟା ବୃଦ୍ଧି ପାଇଛି । ପାରମ୍ପରିକ ଶୁଷ୍କ ଅଞ୍ଚଳ ରୂପେ ଜଣାଥିବା  ରାଜସ୍ଥାନ ଏବଂ ଗୁଜରାଟରେ  ଋତୁକାଳୀନ ବର୍ଷାର ମାତ୍ରା  ଯଥେଷ୍ଟ ବୃଦ୍ଧି ପାଇଛି । କିଛି ଅଞ୍ଚଳରେ ବର୍ଷା ପରିମାଣ ବୃଦ୍ଧି ପାଇଥିଲେ ସୁଦ୍ଧା କୃଷି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଇଣ୍ଡୋ-ଗାଙ୍ଗେୟ ସମତଳ ଭୂମି, ଉତ୍ତର-ପୂର୍ବ ଭାରତ ଏବଂ ହିମାଳୟରେ ବର୍ଷାର ଘୋର ଅଭାବ ପରିଲକ୍ଷିତ ହୋଇଛି  । ଗତ ଦଶନ୍ଧି ମଧ୍ୟରେ, ଭାରତର ଅଧିକାଂଶ ତହସିଲରେ ଋତୁକାଳୀନ ବର୍ଷାରେ ୧୦% ବୃଦ୍ଧି କିମ୍ବା ହ୍ରାସ ରେକର୍ଡ କରାଯାଇଛି  । ଏହା ଫଳରେ ଶସ୍ୟ ବୁଣାବୁଣି ଏବଂ ଫସଲ ଉତ୍ପାଦନ ଯୋଜନା ବାଧାପ୍ରାପ୍ତ  ହୋଇଛି । ଭାରତ ମହାସାଗର ପୄଷ୍ଠର ଉଷ୍ଣତାବୄଦ୍ଧି ଏବଂ ଏଲ୍ ନିନୋ ଭଳି  ଘଟଣାଗୁଡିକ ଦ୍ୱାରା ବିଶ୍ୱ ପାଣିପାଗ ଧାରାର ପରିବର୍ତ୍ତନ ମୌସୁମୀର ଆଗମନ ସମୟକୁ ପରିବର୍ତ୍ତିତ କରିଛି । ଏହି ପରିବର୍ତ୍ତନଶୀଳ ସମୟସୀମା ଫସଲ ଚକ୍ରକୁ ପ୍ରଭାବିତ କରିବା କାରଣରୁ  କୃଷି ଉତ୍ପାଦନ ପାଇଁ ମଧ୍ୟ ବଡ ଆହ୍ୱାନ ସୃଷ୍ଟି ହୋଇଛି ।

ଏଜୁକେସନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ପଣ୍ଡିତ ଜବାହରଲାଲ ନେହେରୁ ମାର୍ଗ

ଭୁବନେଶ୍ୱର-୭୫୧୦୧୩

 

 

 

 

 

 

 


ରିମ୍ ଝିମ୍ ମୌସୁମୀ

ଏହି ଲେଖାଟିକୁ pdf ଫାଇଲ ରେ ପଢିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ ଓ ଲେଖାଟିକୁ ପଢି ନିଜର ମତାମତ ଦିଅନ୍ତୁ :


https://tinyurl.com/Rimjhim-Mousumi


ନିକୁଞ୍ଜ ବିହାରୀ ସାହୁ

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ



The Dharitri dated 20.07.26 :


The Nitidin dated 21.07.26





Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ MOBILE APP