କୁହୂକ ଦର୍ପଣ
କୁହୂକ ଦର୍ପଣ
ନିକୁଞ୍ଜ ବିହାରୀ ସାହୁ
ମୁନା ସେଦିନ ବାପାଙ୍କ ସାଙ୍ଗରେ ବିଜ୍ଞାନ କେନ୍ଦ୍ର ବୁଲି ଯାଇଥିଲା I ସେ ବୁଲୁବୁଲୁ ଗୋଟିଏ ପ୍ରଦର୍ଶନୀ ପାଖରେ ହଠାତ ଅଟକି ଗଲା I ପ୍ରଦର୍ଶନୀର ନାମ ଥିଲା 'କୁହୂକ ଦର୍ପଣ' I ପ୍ରଦର୍ଶନୀର କେନ୍ଦ୍ରଭାଗରେ ଏକ ଟେବୁଲ ଉପରେ ଗୋଟିଏ ଫଳ ଥିବା ଥାଳି ରଖା ଯାଇଥାଏ I ଥାଳିକୁ ଲାଗି ତଳୁ ମୁଣ୍ଡ ଗଳେଇ ଛିଡା ହେବା ପାଇଁ ଟେବୁଲ ପୃଷ୍ଠରେ ଏକ ଛିଦ୍ର ଥାଏ I
ଏତିକିବେଳେ ଜଣେ ଝିଅ ପ୍ରକଳ୍ପ ନିକଟକୁ ଯାଇ ଛିଦ୍ରରେ ନିଜର ମୁଣ୍ଡ ଗଳେଇ ଉପରେ ଥିବା ଫଳ ଥାଳି ଉପରେ ମୁଣ୍ଡ ରଖିଲା I ଦେଖାଗଲା ଯେ, ଝିଅଟିର ଶରୀର ଯେପରି ଅଦୃଶ୍ୟ ହୋଇ ଯାଇଛି! ଆଉ ଯେପରି ଏକ ଗଣ୍ଡି ବିହୀନ ମୁଣ୍ଡ ଫଳଥାଳିରୁ ଫଳ ଖାଉଛି I
ଏହା ଦେଖି ମୁନା ଆଶ୍ଚର୍ଯ୍ୟ ହୋଇଗଲା I ସେ ବାପାଙ୍କୁ ପଚାରିଲା, " ବାପା, ଏହା କିପରି ହେଲା? ଝିଅଟିର ଶରୀର ଅଦୃଶ୍ୟ ହୋଇଗଲା କିପରି? ସତରେ ସେ କ'ଣ ଶରୀର ବିହୀନ ହୋଇଗଲା? "
ବାପା ହସି ହସି କହିଲେ, "ନାହିଁରେ ବୋକା, ଏହା ପ୍ରକୃତରେ ଏକ ଦୃଷ୍ଟି ବିଭ୍ରମ I ଦୁଇଟି ସମତଳ ଦର୍ପଣ ବ୍ୟବହାର କରାଯାଇ ଏଭଳି ଦୃଷ୍ଟିବିଭ୍ରମତା ସୃଷ୍ଟି କରା ଯାଇଛି I ସମତଳ ଦର୍ପଣରେ ଆଲୋକରଶ୍ମିର ପ୍ରତିଫଳନର ଏକ ନିୟମ ଅନୁସାରେ, ଦର୍ପଣ ସମ୍ମୁଖରେ ଗୋଟିଏ ବସ୍ତୁ ଯେତେ ଦୂରରେ ରହିଥାଏ, ଦର୍ପଣ ମଧ୍ୟରେ ଠିକ ସେତିକି ଦୂରତାରେ ବସ୍ତୁର ପ୍ରତିବିମ୍ବ ସୃଷ୍ଟି ହୁଏ I ପୁଣି, ଦର୍ପଣରେ ସୃଷ୍ଟ ପ୍ରତିବିମ୍ବ ସିଧା, ଆଭାସୀ ଓ ବସ୍ତୁର ଆକାର ସଙ୍ଗେ ସମାନ ହୋଇଥାଏ I"
ବାପା କହି ଚାଲିଲେ, "ପ୍ରକୃତରେ ଟେବୁଲର ଦର୍ଶକଙ୍କ ସମ୍ମୁଖରେ ଥିବା ଦୁଇ ପାର୍ଶ୍ୱକୁ ତୀର୍ଯ୍ୟକ ଅବସ୍ଥାରେ ଥିବା ଦୁଇଟି ସମତଳ ଦର୍ପଣ ଦ୍ୱାରା ଢାଙ୍କି ରଖା ଯାଇଛି I ସୁତରାଂ ଜଣେ ପିଲା ଏହି ଦର୍ପଣ ପଛରେ ଛିଡା ହେଲେ ତା'ର ଶରୀର ଆମକୁ ଦେଖାଯାଏ ନାହିଁ I ବରଂ ଦର୍ପଣ ଉପରେ ଥିବା କେବଳ ତାର ମୁଣ୍ଡଟି ଆମକୁ ଦେଖାଯାଏ I ପୁଣି, ଟେବୁଲର ତିନି ପାର୍ଶ୍ୱକୁ ଏକ ସୁନ୍ଦର ପର୍ଦ୍ଦା ଦ୍ୱାରା ଢାଙ୍କି ରଖା ଯାଇଛି I ତେଣୁ ଜଣେ ଦର୍ଶକକୁ ଟେବୁଲର ଦୁଇ ପାର୍ଶ୍ୱରେ ଲାଗିଥିବା ଦର୍ପଣରେ ପାର୍ଶ୍ୱ ପର୍ଦ୍ଦାର ପ୍ରତିବିମ୍ବ ଦେଖାଯାଏ, ଯାହା ପଛରେ ଥିବା ପ୍ରକୃତ ପର୍ଦ୍ଦା ସହିତ ମିଶି ଯାଉଥିବାରୁ ଦର୍ଶକ ପ୍ରକୃତ ପର୍ଦ୍ଦା ଓ ଏହାର ପ୍ରତିବିମ୍ବ ମଧ୍ୟରେ ଫରକ ଜାଣିପାରେ ନାହିଁ I ଟେବୁଲର ପଛପଟେ ମଧ୍ୟ ସମାନ ଡିଜାଇନର ପର୍ଦ୍ଦା ଲାଗିଥିବାରୁ ଏହି ବିଭ୍ରମତା ଅଧିକ ସ୍ପଷ୍ଟ ହୋଇଥାଏ ଏବଂ ଦର୍ଶକ ଅଧିକ ବଣା ହୋଇଯାଏ I ସୁତରାଂ ଜଣେ ଦର୍ଶକ ଝିଅଟିର ମୁଣ୍ଡ ତଳକୁ ଥିବା ଦର୍ପଣ ଦେଖି ନପାରି ସେଠାରେ କେବଳ ଏକ ଶୂନ୍ୟସ୍ଥାନ ଦେଖିଥାଏ I ଆଉ ଏହିପରି ଭାବରେ ତା'ର କେବଳ ଶୂନ୍ୟରେ ଝୁଲୁଥିବା ମୁଣ୍ଡ ଦେଖାଯାଏ I "
ବାପାଙ୍କ ଉତ୍ତରରେ ମୁନା ଏଥର କୁହୂକ ଦର୍ପଣ ପଛରେ ଥିବା ଅସଲ ବୈଜ୍ଞାନିକ କାରଣ ବୁଝି ପାରିଥିଲା I
ତେଣୁ ଘରକୁ ଫେରିଲା ବେଳକୁ ତା'ର ମନ ଭାରି ଖୁସି ଥିଲା ସେଦିନ I
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
Comments
Post a Comment