ମଧ୍ୟପ୍ରାଚ୍ୟରେ ପ୍ରଳୟଙ୍କରୀ ଭୂମିକମ୍ପ
ମଧ୍ୟପ୍ରାଚ୍ୟରେ ପ୍ରଳୟଙ୍କରୀ ଭୂମିକମ୍ପ
ନିକୁଞ୍ଜ ବିହାରୀ ସାହୁ
ଗତ 6 ତାରିଖ ସୋମବାର ଭୋରୁ ମଧ୍ୟ-ପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇ ଯାଇଛି I ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 7.8 I ଏହାର 9 ଘଣ୍ଟା ପରେ 7.5 ତୀବ୍ରତାର ଆଉ ଏକ ବଡ ପରକମ୍ପନ (Aftershock) ମଧ୍ୟ ନିକଟବର୍ତ୍ତୀ ଅଂଚଳରେ ଅନୁଭୂତ ହୋଇଥିଲା I ଏହି ବିନାଶକାରୀ ଭୂମିକମ୍ପରେ ଏପର୍ଯ୍ୟନ୍ତ 33,000 ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲାବେଳେ ମୃତ୍ୟୁସଂଖ୍ୟା 50,000 କୁ ଟପିଯାଇ ପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି I ଏହି ଭୂମିକମ୍ପର ପ୍ରଭାବ ପଡୋଶୀ ରାଷ୍ଟ୍ର ଲେବାନନ ଓ ଇସ୍ରାଏଲ ଯାଏ ମଧ୍ୟ ଦେଖିବାକୁ ମିଳିଥିଲା I ଏହା ତୁର୍କୀରେ ବିଗତ ଶହେ ବର୍ଷ ମଧ୍ୟରେ ଅନୁଭୂତ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା I ଭୂମିକମ୍ପର ଉପକେନ୍ଦ୍ର (Epicentre) ଥିଲା ତୁର୍କୀର ଗାଜିଆଣ୍ଟେପ ପ୍ରଦେଶର ନୁରଡେଗି ସହରର ପୂର୍ବକୁ ପ୍ରାୟ 23 କି.ମି. ଦୂରବର୍ତ୍ତୀ ଇଲାକା I ଏହି ଭୂମିକମ୍ପର କେନ୍ଦ୍ର (Focus) ଭୁପୃଷ୍ଠର ପ୍ରାୟ 24.1 କି.ମି. ଗଭୀରତାରେ ଥିଲା I ଗତ 1939 ମସିହାରେ ତୁର୍କୀରେ ସମତୀବ୍ରତାର ଅନ୍ୟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେଉଁଥିରେ ପ୍ରାୟ 30,000 ଲୋକ ପ୍ରାଣ ହରେଇଥିଲେ I ପୃଥିବୀରେ ଏଭଳି ଉଚ୍ଚ ତୀବ୍ରତାର ଭୂମିକମ୍ପ ଅତି ବିରଳ ଯାହା ବର୍ଷକୁ ସାଧାରଣତଃ ପାଞ୍ଚରୁ କମ ଥର ସଂଘଟିତ ହୋଇଥାଏ I ତୁର୍କୀରେ ବିଗତ 25 ବର୍ଷ ମଧ୍ୟରେ 7 କିମ୍ବା ଅଧିକ ତୀବ୍ରତାର ସମୁଦାୟ ସାତୋଟି ଭୂମିକମ୍ପ ଅନୁଭୂତ ହୋଇ ସାରିଛି I
ରିକ୍ଟର ସ୍କେଲ୍ କ'ଣ?
ଭୂମିକମ୍ପର ତୀବ୍ରତାକୁ ସାଧାରଣତଃ ରିକ୍ଟର୍ ସ୍କେଲ୍ ଏକକରେ ମପାଯାଏ I ଏହି ସ୍କେଲରେ 4 ଅଙ୍କରୁ ଉର୍ଦ୍ଧ୍ୱ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନଶକାରୀ ହୋଇଥାଏ I ଭୂମିକମ୍ପର ତୀବ୍ରତା 4 ରୁ 4.9 ଅଙ୍କ ମଧ୍ୟରେ ରହିଲେ ଘରର ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍ ତଳେ ଖସି ପଡିପାରେ I ଭୂମିକମ୍ପର ତୀବ୍ରତା 5 ରୁ 5.9 ଅଙ୍କ ମଧ୍ୟରେ ରହିଲେ ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର ହଲି ଯାଇପାରେ I ଭୂମିକମ୍ପର ତୀବ୍ରତା 6 ରୁ 6.9 ଅଙ୍କ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକାର ଭିତ୍ତି ହଲି ଯାଇପାରେ ଏବଂ ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ I ଭୂମିକମ୍ପର ତୀବ୍ରତା 7 ରୁ 7.9 ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭୁଷୁଡି ପଡିପାରେ ଏବଂ ଭୂତଳ ପାଣି ପାଇପ୍ ଫାଟି ଯାଇପାରେ I ଭୂମିକମ୍ପର ତୀବ୍ରତା 8 ରୁ 8.9 ଅଙ୍କ ମଧ୍ୟରେ ରହିଲେ ବଡ ବଡ ପୋଲ ମଧ୍ୟ ଭାଙ୍ଗିଯାଇପାରେ I ଭୂମିକମ୍ପର ତୀବ୍ରତା 9.0 ଅଙ୍କରୁ ଅଧିକ ହେଲେ ସମସ୍ତ ନିର୍ମାଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ I ଏଭଳି ପରିସ୍ଥିତିରେ କୌଣସି ଖୋଲା ସ୍ଥାନରେ ଛିଡା ହେଲେ ଭୂମିରେ ସମୁଦ୍ର ଭଳି ଲହଡିମାନ ତରଙ୍ଗାୟିତ ହେଉ ଥିବାର ଦେଖାଯାଏ ଏବଂ ସମୁଦ୍ରରେ ସୁନାମି ଭଳି ଉଚ୍ଚା ଉଚ୍ଚା ଲହଡିମାନ ସୄଷ୍ଟି ହୋଇ ସ୍ଥଳଭାଗରେ ପ୍ରଳୟ ରଚନା କରେ I
ବିଶ୍ୱର ପ୍ରଳୟଙ୍କରୀ ଭୂମିକମ୍ପ
ପୄଥିବୀରେ ପ୍ରତି ବର୍ଷ ପ୍ରାୟ 5 ଲକ୍ଷ ଭୂମିକମ୍ପ ଅନୁଭୂତ ହୋଇଥାଏ I ଏଥି ମଧ୍ୟରୁ ଆମେ କେବଳ 1 ଲକ୍ଷ ଭୂମିକମ୍ପକୁ ଅନୁଭବ କରିପାରୁ I ପ୍ରାୟ 100ଟି ଭୂମିକମ୍ପ ବିନାଶକାରୀ ହୋଇଥାଏ I ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ 1960 ମସିହାରେ ଚିଲିରେ ଅନୁଭୂତ ହୋଇଥିଲା I ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ଥିଲ 9.5 I ଏଥିରେ ପ୍ରାୟ 6000 ଲୋକଙ୍କ ପ୍ରାଣହାନୀ ଘଟିଥିଲା I ଆମ ଦେଶରେ ସବୁଠାରୁ ପ୍ରଳୟଙ୍କରୀ ଭୂମିକମ୍ପ 1934 ମସିହାରେ ବିହାର ରାଜ୍ୟରେ ଅନୁଭୂତ ହୋଇଥିଲା ଯେଉଁଥିରେ ପ୍ରାୟ 30, 000 ଲୋକ ମୄତ୍ୟୁମୁଖରେ ପଡିଥିଲେ I ରିକ୍ଟର ସ୍କେଲ୍ ରେ ଏହର ତୀବ୍ରତା ଥିଲ 8.1 I ଗତ 1811 ମସିହାରେ ଉତ୍ତର ଆମେରିକାରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଏହାର ପ୍ରଭାବରେ ମିସିସିପି ନଦୀ ଓଲଟା ବହିବାକୁ ଲାଗିଥିଲା I ଭୂମିକମ୍ପ ପ୍ରଭାବରେ ସବୁଠାରୁ ବିପଜ୍ଜନକ ହିମସ୍ଖଳନ 1970 ମସିହାରେ ପେରୁରେ ଦେଖା ଯାଇଥିଲା ଯାହା ଘଣ୍ଟା ପ୍ରତି 400 କି.ମି. ଭଳି ଦୂରନ୍ତ ବେଗରେ ଗତି କରିଥିଲା I ଭୂମିକମ୍ପ ପ୍ରଭାବରେ ସବୁଠାରୁ ଭୟଙ୍କର ହିମସ୍ଖଳନ 1920 ମସିହାରେ ଚୀନ୍ ର କାଂସୁ ପ୍ରଦେଶରେ ଘଟିଥିଲା ଯେଉଁଥିରେ ପ୍ରାୟ 2 ଲକ୍ଷ ଲୋକଙ୍କ ମୄତ୍ୟୁ ଘଟିଥିଲା I ଗତ 2004 ମସିହା ଡିସେମ୍ବର 26 ତାରିଖରେ ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଘଟିଥିବା ଭୂମିକମ୍ପରେ ପ୍ରଳୟଙ୍କରୀ ସୁନାମୀର ଲହଡିମାନ ସୄଷ୍ଟି ହୋଇଥିଲା ଯେଉଁଥିରେ ପ୍ରାୟ 2.30 ଲକ୍ଷ ଲୋକଙ୍କ ମୄତ୍ୟୁ ଘଟିଥିଲା I ଏହି ଭୂମିକମ୍ପର ଝଟକା ସର୍ବାଧିକ 10 ମିନିଟ୍ ଧରି ଅନୁଭୂତ ହୋଇଥିଲା I
ଭୂମିକମ୍ପର କାରଣ:
ଆମର ପୄଥିବୀପୄଷ୍ଠ ଅନେକ ସୁଦୄଢ ପ୍ଲେଟ୍ ଉପରେ ପର୍ଯ୍ୟବେସିତ ଯାହାକୁ ଟେକଟୋନିକ ପ୍ଲେଟ୍ କୁହଯାଏ I ଏହି ପ୍ଲେଟ୍ ଗୁଡିକ ସଦାସର୍ବଦା ଗତିଶୀଳ I ଅବଶ୍ୟ ଏହି ପ୍ଲେଟ୍ ଗୁଡିକର ଗତି ଅତି ସ୍ୱଳ୍ପ ଏବଂ ବର୍ଷକୁ ମାତ୍ର 4 ସେ.ମି. I ଏହି ଚଳନ ଯୋଗୁଁ ବେଳେବେଳେ ପ୍ଲେଟ୍ ଗୁଡିକ ମଧ୍ୟରେ ସଂଘର୍ଷ ଘଟେ ଏବଂ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ୍ ଉପରେ ପ୍ରଚଣ୍ଡ ପାର୍ଶ୍ୱଚାପ ପ୍ରୟୋଗ କରେ I ଏହି ଚାପ ଅତ୍ୟଧିକ ହେବାରୁ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ୍ ଉପରେ ଚଢିଯାଏ I ଏହି ଅଞ୍ଚଳରେ ହିଁ ପୄଥିବୀପୄଷ୍ଠ ଦୋହଲି ଉଠି ଭୂମିକମ୍ପ ସୄଷ୍ଟି ହୁଏ I ସୁତରାଂ ପ୍ଲେଟ୍ ଗୁଡିକର ଦୁର୍ବଳ ପ୍ରାନ୍ତ ଭାଗ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ I
ଭୂମିକମ୍ପ ପ୍ରବଣ ତୁର୍କୀ
ମଧ୍ୟପ୍ରାଚ୍ୟର ତୁର୍କୀ- ସିରିଆ ଅଞ୍ଚଳ ଭୁତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକ ସକ୍ରିୟ ଭୂଖଣ୍ଡ I ଏଠାରେ ତିନୋଟି ଟେକଟୋନିକ ପ୍ଲେଟ ଯଥା ଆନାଟୋଲିଆନ (Anatolian) ପ୍ଲେଟ, ଆରବୀୟ ପ୍ଲେଟ ଓ ଆଫ୍ରିକୀୟ ପ୍ଲେଟ ମିଳିତ ହୋଇଥାନ୍ତି I ଆରବୀୟ ପ୍ଲେଟ ଉତ୍ତର ଦିଗରେ ୟୁରୋପ ଆଡକୁ ଗତି କରୁଛି I ଫଳରେ ଆନାଟୋଲିଆନ ପ୍ଲେଟ ପଶ୍ଚିମ ଆଡକୁ କ୍ରମଶଃ ଠେଲିହୋଇ ଯାଉଛି I ପ୍ଲେଟମାନଙ୍କର ଏହି କ୍ରମାଗତ ଗତି ଯୋଗୁଁ ସେମାନଙ୍କ ମଧ୍ୟବର୍ତ୍ତୀ ସୀମାନ୍ତ ଅଂଚଳରେ ପ୍ରଚଣ୍ଡ ଚାପ ସୃଷ୍ଟି ହେଉଛି I ଫଳରେ ଗୋଟିଏ ପ୍ଲେଟ ଅଚାନକ ଅନ୍ୟ ପ୍ଲେଟ ଉପରେ ଚଢିଯାଇ ଚାପ ନିର୍ମୁକ୍ତ କରେ I ଏହାକୁ ହିଁ ଆମେ ଭୂମିକମ୍ପ କହିଥାଉ I ସାମ୍ପ୍ରତିକ ଭୂମିକମ୍ପଟି ଆନାଟୋଲିଆନ ପ୍ଲେଟ ଓ ଆରବୀୟ ପ୍ଲେଟ ଦ୍ବୟର ମଧ୍ୟବର୍ତ୍ତୀ ଦୁର୍ବଳ ଅଂଚଳରେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ I
ବନ୍ୟା ବାତ୍ୟା ଭଳି ଭଳି ଭୂମିକମ୍ପର ପୂର୍ବାନୁମାନ ନିମନ୍ତେ ଏବେ ସୁଦ୍ଧା କୌଣସି ସଠିକ ଓ ନିର୍ଭରଯୋଗ୍ୟ ପଦ୍ଧତି ବିକଶିତ ହୋଇପାରି ନାହିଁ I ପ୍ରକୄତିର କେତେକ ଜୀବଜନ୍ତୁ ନିଜର ବିଚିତ୍ର ଆଚରଣ ଜରିଆରେ ଭୂମିକମ୍ପର ପୂର୍ବସୂଚନା ଦେଇଥାନ୍ତି I ହାତୀମାନେ ନିଜର ବିଶାଳକାୟ କାନ ଦ୍ୱାରା ପୄଥିବୀ ଅଭ୍ୟନ୍ତରସ୍ଥ ପ୍ଲେଟ୍ ଗୁଡିକର ପରସ୍ପର ମଧ୍ୟରେ ଘଷି ହେବାର ସ୍ୱଳ୍ପ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଧ୍ୱନି ଶୁଣିପାରନ୍ତି ବୋଲି ବିଶ୍ୱାସ କରାଯାଏ I ଭୂମିକମ୍ପ ସହନଶୀଳ ଗୄହ ନିର୍ମାଣ, ତ୍ୱରାନିତ ସେବା ଓ ଉଦ୍ଧାରକାର୍ଯ୍ୟ ଏବଂ ସତର୍କ ରହିବା ହିଁ ଭୂମିକମ୍ପ ମୁକାବିଲର ଏକମାତ୍ର ଫଳପ୍ରଦ ଉପାୟ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
ଫୋନ୍ : 8018708858
Comments
Post a Comment