ସମୁଦ୍ରର ପାଣି ଲୁଣିଆ ହେଲା କିପରି

                                           ସମୁଦ୍ରର ପାଣି ଲୁଣିଆ ହେଲା କିପରି


ମୁନା ବାପାଙ୍କ ସାଙ୍ଗରେ ପୁରୀ ବୁଲି ଯାଇଥିଲା I ସେ  ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିସାରି ସମୁଦ୍ର ବୁଲିବାକୁ ଗଲା I ବେଳାଭୂମିରେ ସମୁଦ୍ରର ଉଚ୍ଚା ଉଚ୍ଚା ଲହଡିମାଳା ତା'କୁ ମୁଗ୍ଧ କଲା I ସେ ଦଉଡି ଯାଇ ସମୁଦ୍ର ଲହଡିକୁ ଛୁଇଁ ପାଣିକୁ ଟିକେ ପାଟିରେ ପୁରାଇଲା I ସେ ସଙ୍ଗେ ସଙ୍ଗେ ଚିତ୍କାର  କରି ଉଠିଲା, ' ଇସ୍, କି ଲୁଣିଆ' ! ଏହା କହି ସେ କୁଳି କରି ପାଣିକୁ ବାହାର କରି ଦେଲା I ସେ ସେଇଠୁ ବାପାଙ୍କୁ ପଚାରିଲା, 'ବାପା, ସମୁଦ୍ରରେ କ'ଣ କିଏ ଲୁଣ ବସ୍ତାସବୁ ଢାଳି ଦେଇଛି କି ?'

ବାପା ଉତ୍ତର ଦେଲେ , 'ନାହିଁରେ ବୋକା; ସମୁଦ୍ର ତ ବିଶାଳ, ସେଥିରେ କେତେ ବସ୍ତା ଲୁଣ ମିଶାଇଲେ ତା' ପାଣି ଲୁଣିଆ ହେବ?'

ମୁନା ସେଇଠୁ ପଚାରିଲା , 'ତେବେ ସମୁଦ୍ରର ପାଣି ଲୁଣିଆ ହେଲା କିପରି ?'

ବାପା କହିଲେ, 'ଭଲ କଥାଟିଏ ପଚାରିଲୁ; କହୁଛି ମନ ଦେଇ ଶୁଣ I ସୂର୍ଯ୍ୟ କିରଣ ଦ୍ୱାରା ସମୁଦ୍ରରୁ ଜଳ ବାଷ୍ପ ହୋଇ ଆକାଶରେ ବାଦଲ ସୄଷ୍ଟିକରେ I ତାହା ପୁଣି ବର୍ଷା ଆକାରରେ ତଳକୁ ଖସି ନଦୀରେ ପ୍ରବାହିତ ହୋଇ ସମୁଦ୍ରକୁ ଫେରିଆସେ ଏବଂ ଏହିପରି ଭାବରେ ପ୍ରକୄତିରେ  ଜଳଚକ୍ର ପ୍ରକ୍ରିୟା ଗଡିଚାଲେ I ନଦୀ ମାଟିରୁ ଜଳୀୟ ଅଂଶ ଧୋଇନେଇ ସମୁଦ୍ରରେ ମିଶାଏ I ମାତ୍ର ଏତିକିରେ କଥା ସରିଯାଏ ନାହିଁ I ସମୟକ୍ରମେ, ପୁଣି ସମୁଦ୍ରର ଜଳ ବାଷ୍ପ ହୋଇ ବର୍ଷା ଆକାରରେ ନଦୀ ଜରିଆରେ ପ୍ରବାହିତ ହୁଏ ଓ  ମାଟିରୁ ଅଧିକ ଲୁଣିଆ ଅଂଶ ଧୋଇ ନେଇ ସମୁଦ୍ରରେ ମିଶାଏ I ଏହି  ପ୍ରକ୍ରିୟା ବର୍ଷ ପରେ ବର୍ଷ ଗଡି ଚାଲେ ଏବଂ ନଦୀରୁ ଅଧୁକରୁ ଅଧିକ ଲବଣ ଅଂଶ ସ୍ଥାନାନ୍ତରିତ ହୋଇ କ୍ରମାଗତ ସମୁଦ୍ରରେ ମିଶେ I ଲକ୍ଷେ ଲକ୍ଷେ ବର୍ଷର ଅନ୍ତରାଳରେ କ୍ରମାଗତ ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା     ସମୁଦ୍ରର ଲବଣ ଅଂଶ  ଆଖିଦୄଶିଆ ଭାବେ ବୄଦ୍ଧି ପାଇଛି I ଏହି କାରଣରୁ ସମୁଦ୍ରର ପଣି ଲୁଣିଆ ପାଲଟି ଯାଇଛି I'

ମୁନା ପଚାରିଲା, 'ଯଦି ଏହି କାରଣ ପାଇଁ ସମୁଦ୍ର ଲୁଣିଆ ପାଲଟି ଯାଇଛି, ତେବେ,  ସବୁ ନଦୀ କିମ୍ବା ପୋଖରୀର ଜଳ ମଧ୍ୟ  ଲୁଣିଆ ପାଲଟି ଯିବା କଥା I '

ବାପା ହସି ହସି କହିଲେ, 'ନାହିଁରେ ବୋକା, ପ୍ରକୄତିରେ ସେପରି ହୁଏ ନାହିଁ I ନଦୀର ଜଳ ସ୍ଥିର ନୁହେଁ, ପ୍ରବହମାନ I ତେଣୁ ଏହାର ପାଣିରେ ଲବଣ ଅଂଶ କ୍ରମାଗତ ଜମା ହେବାର ପ୍ରଶ୍ନ ଉଠୁ ନାହିଁ I ସେହିପରି ପୋଖରୀ କିମ୍ବା ଗଡିଆରେ ପାଣି ଯଥେଷ୍ଟ କମ୍  ଥିବାରୁ ଏହାର  ମଧ୍ୟ ଆଖିଦୄଶିଆ ଲବଣାକ୍ତ ସୄଷ୍ଟିହୁଏ ନାହିଁ I

ସେଇଠୁ ମୁନା ପଚାରିଲା , ' ବାପା,   ସବୁ ସମୁଦ୍ରର ପାଣି କ'ଣ ସମାନ ଲୁଣିଆ ?'

ବାପା ଉତ୍ତର ଦେଲେ, ' ନା ; ସବୁ ସମୁଦ୍ରର ପାଣି ସମାନ ଭାବେ ଲୁଣିଆ ନୁହେଁ I କେଉଁ ସମୁଦ୍ରର ପାଣି କେତେ ଲୁଣିଆ ହେବ, ତାହା ସେଠାକାର ତାପମାତ୍ରା, ବାଷ୍ପୀଭବନର ପରିମାଣ, ମିଶିଥିବା  ନଦୀର ସଂଖ୍ୟା ଆଦି କାରଣ ଉପରେ ନିର୍ଭର କରେ I '

ମୁନା ପୁଣି ପଚାରିଲା , 'ବାପା, କେଉଁ ସମୁଦ୍ରର ପାଣି ସବୁଠାରୁ ବେଶୀ ଲୁଣିଆ?'

ବାପା କହିଲେ, 'ମଧ୍ୟ-ଏସିଆରେ ଥିବା ମରୁ ସାଗରର ପାଣି ସବୁଠାରୁ ବେଶୀ ଲୁଣିଆ I ଏହାର ପାଣିରେ ଅଧିକ ଲୁଣ ଦ୍ରବୀଭୂତ ଥିବାରୁ ଏହି ଜଳର ଘନତା ମଧ୍ୟ ସବୁଠାରୁ  ବେଶୀ I ଏହାର ଘନତା ଏତେ ବେଶୀ ଯେ, ଜଣେ ଲୋକ ଏହାର ଜଳରେ ବୁଡିଯାଏ ନାହିଁ I'

ବାପାଙ୍କ ଉତ୍ତରରେ ମୁନା  ସମୁଦ୍ରର  ପାଣି କାହିଁକି ଲୁଣିଆ ହେଲା  ବୁଝି ପାରିଥିଲା I ସୁତରାଂ ଘରକୁ ଫେରିଲା ବେଳକୁ ତା' ମନ ଭାରି ଖୁସି ଥାଏ ସେଦିନ I  

ନିକୁଂଜ ବିହାରୀ ସାହୁ

                                                      ଏଜୁକେଶନ୍ ଅଫିସର

                                                                                                ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                                                ଭୋପାଲ

                                                                                                     ଫୋନ୍ : 8018708858



ପିଲାଙ୍କ ଧରିତ୍ରୀ ( ତାରିଖ : 06.05.23) ରେ ପ୍ରକାଶିତ ଏହି ଲେଖାକୁ ପଢିବା ପାଇଁ ହେଲେ ନିମ୍ନ ଲିଙ୍କ କୂ କ୍ଲିକ କରନ୍ତୁ :




Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?