ରହସ୍ୟମୟ ଖ୍ରୀଷ୍ଟମାସ ତାରକା
ରହସ୍ୟମୟ ଖ୍ରୀଷ୍ଟମାସ ତାରକା
ନିକୁଞ୍ଜ ବିହାରୀ ସାହୁ
ବାଇବେଲର ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଯୀଶୁଙ୍କ ଜନ୍ମ ସମୟରେ ଆକାଶରେ ଏକ ଅଦ୍ଭୁତ ତାରକା ଦୄଶ୍ୟ ହୋଇଥିଲା I ଏହି ତାରାକୁ ଲକ୍ଷ୍ୟ କରି 'ମେଜି' ବୋଲି କୁହା ଯାଉଥିବା ତିନି ଜଣ ବିଜ୍ଞ ବ୍ୟକ୍ତି ଯୀଶୁଙ୍କ ସନ୍ଧାନ ନିମନ୍ତେ ସମ୍ଭବତଃ ବାବିଲୋନିଆ କିମ୍ବା ପର୍ସିଆଠାରୁ ଯାତ୍ରାରମ୍ଭ କରିଥିଲେ I ସେମାନେ ଏହି ତାରକା ଦ୍ୱାରା ପଥପ୍ରଦର୍ଶିତ ହୋଇ ପଶ୍ଚିମ ଦିଗକୁ ଯାତ୍ରା କରିଥିଲେ ଏବଂ ଶେଷରେ ଯିଶୁଙ୍କ ଜନ୍ମସ୍ଥାନ ବେଥେଲହାମଠାରେ ପହଞ୍ଚି ଶିଶୁ ଯୀଶୁଙ୍କୁ ଦର୍ଶନ ପୂର୍ବକ ସାଙ୍ଗରେ ଆଣିଥିବା ଉପହାର ପ୍ରଦାନ କରିଥିଲେ I ତେବେ ଏହି ବହୁଚର୍ଚ୍ଚିତ ତାରକାର ଇତ୍ତିବୄତ୍ତ ଏବେ ସୁଦ୍ଧା ରହସ୍ୟାବୄତ୍ତ ଏବଂ ଏହାର ପ୍ରକୄତ ପରିଚୟ ସମ୍ପର୍କରେ ଅନେକ ମତପାର୍ଥକ୍ୟ ରହି ଆସିଛି I ଏହି ରହସ୍ୟମୟ ତାରକାକୁ ସଧାରଣତଃ 'ଖ୍ରୀଷ୍ଟମାସ ତାରକା' କିମ୍ବା 'ବେଥେଲହାମ ତାରକା' ବୋଲି କୁହାଯାଏ I
ବୈଜ୍ଞାନିକମାନଙ୍କ ମତରେ, ଏହା ହୁଏତ ଏକ ଶକ୍ତିଶାଳୀ ତାରକା ବିସ୍ଫୋରଣ (ନୋଭା କିମ୍ବା ସୁପରନୋଭା) ,ଉଲକାବର୍ଷା କିମ୍ବା ଧୂମକେତୁ ହୋଇପାରେ I ତେବେ ଏ କ୍ଷେତ୍ରରେ ଏକ ଅସୁବିଧା ହେଉଛି, ଯୀଶୁଙ୍କ ଜନ୍ମର ପ୍ରକୄତ ସମୟକାଳ ନିରୂପଣ I ଏ ନେଇ ଅନେକ ମତପାର୍ଥକ୍ୟ ରହିଥିଲେ ସୁଦ୍ଧା ଯୀଶୁଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ 6 ରୁ ଖ୍ରୀଷ୍ଟପୂର୍ବ 4 ମଧ୍ୟରେ ଘଟିଥିବା ଅଧିକାଂଶ ଐତିହାସିକଙ୍କ ମତ I ଚୀନ୍ ଦେଶର ଐତିହାସିକମାନେ ଖ୍ରୀଷ୍ଟପୂର୍ବ 5 ରେ ଆକାଶରେ ଏକ ତାରକା ବିସ୍ଫୋରଣ ଦେଖିଥିବାର ବର୍ଣ୍ଣନା କରିଛନ୍ତି I ତେବେ ଏହାକୁ ବହୁଚର୍ଚ୍ଚିତ ଖ୍ରୀଷ୍ଟମାସ ତାରକା ରୂପେ ଧରିନେବା କେତେ ଦୂର ଯୁକ୍ତିଯୁକ୍ତ ତାହା କହିବା କଷ୍ଟକର I
ଫ୍ରେଡେରିକ ଲାର୍ସନ ନାମକ ଜଣେ ଆକାଶପ୍ରେମୀ ଆମେରିକୀୟ ଆଇନିଜୀବି ଏହି ତାରକାକୁ ଅନୁଧ୍ୟାନ କରି ଏହାର 9ଟି ପ୍ରମୁଖ ବୈଶିଷ୍ଟ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି I ପ୍ରଥମତଃ, ଏହା ମନୁଷ୍ୟ ଜନ୍ମର ସୂଚନା କରୁଥିଲା ; ଦ୍ୱିତୀୟତଃ, ଏହା ରାଜତ୍ୱର ପ୍ରତୀକ ଥିଲା; ତୄତୀୟତଃ ଏହା ଇହୁଦୀ ସମ୍ପ୍ରଦାୟ ସହିତ ସଂପୄକ୍ତ ଥିଲା; ଚତୁର୍ଥରେ, ଏହା ପୂର୍ବଦିଗରେ ଦୄଶ୍ୟ ହୋଇଥିଲା; ପଞ୍ଚମରେ, ରାଜା ହିରୋଦ ଏ ସମ୍ପର୍କରେ ଅବଗତ ନଥିଲେ; ଷଷ୍ଠରେ, ଏହା ସଠିକ ସମୟରେ ଦୄଶ୍ୟ ହୋଇଥିଲା; ସପ୍ତମରେ, ଏହା କିଛି ସୀମିତ ସମୟ ପାଇଁ ଆକାଶରେ ଦୄଶ୍ୟ ହୋଇଥିଲା; ଅଷ୍ଟମରେ, ବିଜ୍ଞବ୍ୟକ୍ତିମାନେ ଜେରୁଜେଲମରୁ ବେଥେଲହାମ ଆଡକୁ ଯାତ୍ରାକଲା ସମୟରେ ଏହି ତାରା ସର୍ବଦା ସେମାନଙ୍କ ସମ୍ମୁଖରେ ରହିଥିଲା ଏବଂ ନବମରେ, ବିଜ୍ଞବ୍ୟକ୍ତିମାନେ ବେଥେଲହାମରେ ପହଞ୍ଚିଲା ବେଳକୁ ଏହି ତାରା ଅନ୍ତର୍ହିତ ହୋଇ ଯାଇଥିଲା I ଲାର୍ସନ ଏକ ସଫ୍ଟଓୟେର୍ ବ୍ୟବହାର କରି ଖ୍ରୀଷ୍ଟପୂର୍ବ 3 ରୁ 2 ମଧ୍ୟରେ ଘଟିଥିବା ଉପରୋକ୍ତ ଆକାଶୀୟ ଘଟଣା, ରହସ୍ୟମୟ ଖ୍ରୀଷ୍ଟମାସ ତାରକା ସମ୍ପର୍କରେ ବର୍ଣ୍ଣିତ 9ଟି ବୈଶିଷ୍ଟ୍ୟ ସହିତ ପ୍ରାୟତଃ ମେଳ ଖାଇ ଯାଉବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ I
ଏବେ ବୈଜ୍ଞାନିକମାନେ ଖ୍ରୀଷ୍ଟମାସ ତାରକାର ରହସ୍ୟ ଉନ୍ମୋଚନ କରିବା ପାଇଁ ସାଧାରଣତଃ ଦୁଇଟି ମତବାଦ ଉପସ୍ଥପନା କରିଥା'ନ୍ତି :
ଆକାଶୀୟ ସମାବେଶ
ପ୍ରଥମ ମତବାଦ ଅନୁଯାୟୀ, ତିନି ଜଣ ବିଜ୍ଞ ବ୍ୟକ୍ତି ଦେଖିଥିବା ତାରକାଟି ସମ୍ଭବତଃ ଆକାଶରେ କେତେକ ଉଜ୍ଜ୍ୱଳ ତାରାଗ୍ରହଙ୍କ ଏକତ୍ର ସମାବେଶ (Conjunction) ଥିଲା I ଖ୍ରୀଷ୍ଟଯୁଗ ପ୍ରାରମ୍ଭର 10 ବର୍ଷ ମଧ୍ୟରେ ଏଭଳି ଅନେକ ତାରକା ସମାବେଶ ଘଟିଥିବାର ଜ୍ୟୋତିର୍ବିଜ୍ଞାନୀମାନେ ସ୍ୱୀକାର କରନ୍ତି I ବିଶେଷକରି, ଖ୍ରୀଷ୍ଟପୂର୍ବ 6 ରେ ତିନୋଟି ଉଜ୍ଜ୍ୱଳ ଗ୍ରହ ଯଥା ମଙ୍ଗଳ, ବୄହସ୍ପତି ଓ ଶନିଙ୍କ ଆକାଶରେ ଏଭଳି ବିଚିତ୍ର ସମାବେଶ ଘଟି ଏକ ଦର୍ଶନୀୟ ତ୍ରିଭୁଜ ସୄଷ୍ଟି ହୋଇଥିଲା I ତା' ପୂର୍ବରୁ ଅର୍ଥାତ ଖ୍ରୀଷ୍ଟପୂର୍ବ 7ରେ ବୄହସ୍ପତି ଓ ଶନି ଗ୍ରହଦ୍ୱୟ ପରସ୍ପରର ନିକଟବର୍ତ୍ତୀ ହୋଇ ଆଠ ମାସ କାଳ ମାତ୍ର 3 ଡିଗ୍ରୀ କୌଣୀୟ ଦୂରତା ମଧ୍ୟରେ ଅବସ୍ଥାନ କରିଥିଲେ ଏବଂ ସେହି ସମୟ ମଧ୍ୟରେ ସେମାନେ ତିନି ଥର ମାତ୍ର 1 ଡିଗ୍ରୀ ଦୂରତା ମଧ୍ୟରେ ରହି ପରସ୍ପରକୁ ଅତିକ୍ରମ କରିଥିଲେ I ଏହାର କିଛି ବର୍ଷ ପରେ ଅର୍ଥାତ ଖ୍ରୀଷ୍ଟପୂର୍ବ 2 ଜୁନ୍ 17 ତାରିଖ ମଧ୍ୟରେ ଆକାଶରେ କିଛି ଗ୍ରହଙ୍କ ଏକ ଅଭୂତପୂର୍ବ ସମାବେଶ ଦେଖିବାକୁ ମିଳିଥିଲା I ଆକାଶର ଦୁଇଟି ଉଜ୍ଜ୍ୱଳ ଗ୍ରହ ଯଥା ଶୁକ୍ର ଓ ବୄହସ୍ପତି ଅତି ପାଖକୁ ଲାଗିଆସି ପରସ୍ପର ସହ ପ୍ରାୟତଃ ମିଶିଯାଇ ଗୋଟିଏ ଅଦ୍ୱିତୀୟ ଉଲକାପିଣ୍ଡର ଦୄଶ୍ୟ ସୄଷ୍ଟି କରିଥିଲେ I ଏହା ଯେ ସେତେବେଳେ ରାତ୍ରି ଆକାଶରେ ଏକ ଅତି ବିରଳ ଓ ବିଚିତ୍ର ଦୄଶ୍ୟ ସୄଷ୍ଟି କରିଥିବ ଏଥିରେ ସନ୍ଦେହ ନାହିଁ I ସୁତରାଂ ଜ୍ୟୋତିର୍ବିଜ୍ଞାନର ଦୄଷ୍ଟିକୋଣରୁ ଏହି ଅଦ୍ଭୁତ ତାରକା ସମାବେଶକୁ ଖ୍ରୀଷ୍ଟମାସ ତାରକା ବୋଲି ଧରିନେବା ସବୁଠୁଁ ସମିଚୀନ ମନେହୁଏ I ମାତ୍ର ଯୀଶୁ ଯେ ଠିକ୍ ଏହି ଦିନ ଜନ୍ମ ହୋଇଥିଲେସେ ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ I
ତାରକା ପଂକ୍ତି
ନିକଟରେ ଚିକାଗୋସ୍ଥିତ ଏଡଲାର୍ ପ୍ଲାନେଟାରିୟମର 'ଜ୍ୟୋତିର୍ବିଜ୍ଞାନ ଇତିହାସ' ବିଭାଗର ନିର୍ଦ୍ଦେଶକ ମର୍ଭିନ୍ ବୋଲ୍ଟ ଏକ ଦ୍ୱିତୀୟ ମତବାଦ ଉପସ୍ଥାପନା କରିଛନ୍ତି I ତା'ଙ୍କ ମତରେ, ଏହି ଘଟଣାକୁ କେବଳ ଜ୍ୟୋତିର୍ବିଜ୍ଞାନ ସ୍ତରରେ ସୀମିତ ନରଖି ସେକାଳର ଧାର୍ମିକ ଓ ସାଂସ୍କୄତିକ ଭାବନାକୁ ମଧ୍ୟ ବିଚାରକୁ ନେବାପାଇଁ ପଡିବ I ତା'ଙ୍କ ମତବାଦ ଅନୁଯାୟୀ , ସେ କାଳର ଜ୍ୟୋତିର୍ବିଜ୍ଞାନୀ ଓ ଜ୍ୟୋତିଷମାନଙ୍କର ଧର୍ମବିଶ୍ୱାସକୁ ଗଭୀର ଭାବେ ପ୍ରଭାବିତ କରୁଥିବା କିଛି ମହାକାଶୀୟ ବସ୍ତୁ ଯଥା ଚନ୍ଦ୍ର ,ବୄହସ୍ପତି ଓ କେତେକ ତାରକା ଏକାଠି ଅବସ୍ଥାନ କରି ଆକାଶରେ ଏକ ବିରଳ 'ତାରକାପଂକ୍ତି' ସୃଷ୍ଟି କରିଥିଲେ I ଏହି ଦୄଶ୍ୟକ୍ରମ ଖ୍ରୀଷ୍ଟପୂର୍ବ 6 ରେ ବୄହସ୍ପତି ଗ୍ରହ ମେଷ ରାଶିରେ ପ୍ରବେଶ କରିବା ସହିତ ଆରମ୍ଭ ହୋଇଥିଲା I ପରବର୍ତ୍ତୀ କେଇ ମାସ ମଧ୍ୟରେ ବୄହସ୍ପତି ଗ୍ରହ ଚନ୍ଦ୍ରର ନିକଟବର୍ତ୍ତୀ ହୋଇ ଶନି ଗ୍ରହ ସହିତ ପ୍ରାୟ ମିଶି ଯାଇଥିଲା I ମେଷ ରାଶିକୁ ସାଧାରଣତଃ ଇହୁଦୀମାନଙ୍କର ସଙ୍କେତ ଧରା ଯାଉଥିଲାବେଳେ ଉପରୋକ୍ତ ତାରଲାପଂକ୍ତି ମଧ୍ୟରେ ବୄହସ୍ପତିର ଚଳନକୁ ପାରମ୍ପାରିକ ବିଶ୍ୱାସ ଅନୁସାରେ ରାଜ୍ୟାଭିଷେକ ସହିତ ତୁଳନା କରାଯାଏ I ସୁତରାଂ ବାଇବେଲ୍ ରେ ବର୍ଣ୍ଣିତ ବିଚିତ୍ର ଖ୍ରୀଷ୍ଟମାସ ତାରକାଟି ସମ୍ଭବତଃ ଏହିଭଳି ଏକ ତାରକାପଂକ୍ତି ହୋଇପାରେ ବୋଲି ଏହି ମତବାଦ ବିଶ୍ୱାସ କରେ I
ତେବେ ଖ୍ରୀଷ୍ଟମାସ ତାରକାର ଇତିବୄତ୍ତ ଏବେ ସୁଦ୍ଧା ମଧ୍ୟ ରହସ୍ୟାବୄତ୍ତ ଏବଂ ଯୀଶୁଙ୍କ ଜନ୍ମର ସଠିକ କାଳ ନିରୂପଣ ହୋଇ ପାରିଲେ ଯାଇ ଏହି ରହସ୍ୟର ପର୍ଦ୍ଦାଫାସ ହୋଇପାରିବ ବୋଲି ବିଶ୍ୱାସ କରାଯାଏ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ
ଫୋନ୍ : 8018708858
To read the same article in Odiya published in Pilanka Dharitri dtd 24.12.22 , please click the following link:
https://dharitriepaper.in/m/373450/63a1f7782c496Pl
To read the same article in Odiya published in The Samaja dtd 30.12.23 , please click the following link:
http://tinyurl.com/Rahasyamaya-Taraka
https://drive.google.com/file/d/1YaY_BxbAu7EVbtFi2lmqfM-9XH7zmK7e/view?usp=sharing
Comments
Post a Comment