ବବଲୁର ଓଦା କପଡା ଶୁଖିଲା କିପରି?
ବବଲୁ ସେଦିନ ବିଦ୍ୟାଳୟରୁ
ଫେରିଲାବେଳେ ବର୍ଷାରେ ବହୁତ ଓଦା ହୋଇ ଯାଇଥିଲା I ତା'ର ସାର୍ଟ ପ୍ୟାଣ୍ଟ
ସବୁ ଓଦା ହୋଇ ଯାଇଥାଏ I ମା' ତା'ର ଏ ଅବସ୍ଥା ଦେଖି ତା'କୁ
ସଙ୍ଗେସଙ୍ଗେ ଶୁଖିଲା ପୋଷାକ ପିନ୍ଧିବାକୁ ଦେଲେ I ବବଲୁ କହିଲା, '
ମା, ମୋ ସାର୍ଟ ପ୍ୟାଣ୍ଟ ଆଗ ଜଲଦି ଶୁଖାଇ ଦିଅ,
କାରଣ ମୋର ଗୋଟିଏ ହଳ ସ୍କୁଲ୍ ପୋଷାକ I କାଲି ପରୀକ୍ଷା ଅଛି I ସାର୍ଟ ପ୍ୟାଣ୍ଟ ନ ଶୁଖିଲେ କାଲି ପରୀକ୍ଷା ଦେବି କିପରି?'
ମା' କହିଲେ, 'ତୁ ଜମା ବ୍ୟସ୍ତ ହୁଅ ନା I ବାହାରେ ତ ପ୍ରବଳ ବର୍ଷା ହେଉଛି I ମୁଁ ଏବେ ସାର୍ଟ ପ୍ୟାଣ୍ଟସବୁ ଘରେ ହ୍ୟାଙ୍ଗରରେ ଟାଙ୍ଗି ଶୁଖାଇ ଦେଉଛି I କାଲି ସକାଳକୁ ଶୁଖିଯାଇଥିବ I ' ଏତିକି କହି ମା' ସାର୍ଟ ପ୍ୟାଣ୍ଟସବୁ ହ୍ୟାଙ୍ଗରରେ ଟାଙ୍ଗି ଘରେ ଶୁଖାଇ ଦେଲେ I
ବବଲୁ ସେଉଠୁ ଖାଇ କିଛି ସମୟ ପରେ ପଢିବାକୁ ଗଲା I ପଢା ସରିଲା ପରେ ରାତ୍ରି ଭୋଜନ ଖାଇ ସେ ଶୋଇବାକୁ ଗଲା I ଶୋଇବାକୁ ଯାଉ ଯାଉ ତା' ହାତ ଅକସ୍ମାତ ଶୁଖା ଯାଇଥିବା ସାର୍ଟ ପ୍ୟାଣ୍ଟସବୁରେ ବାଜିଗଲା I ଏ କ'ଣ? ସାର୍ଟ ପ୍ୟାଣ୍ଟସବୁ ତ ଏବେ ବି ଓଦା ଅଛି I ସେ ସଙ୍ଗେ ସଙ୍ଗେ ବଡ ପାଟିରେ ମା'ଙ୍କୁ ଡାକ ପକେଇଲା , " ମା', ସାର୍ଟ ପ୍ୟାଣ୍ଟସବୁ ତ ଏବେ ବି ଓଦା ଅଛି I ଟିକେ ବି ଶୁଖି ନାହିଁ I ମୁଁ କାଲି କ'ଣ ପିନ୍ଧି ପରୀକ୍ଷା ଦେବାକୁ ଯିବି ?'
ତା' ଡାକ ଶୁଣି ମା' ଦୌଡି ଆସି ଦେଖିଲେ ପ୍ରକୄତରେ ସାର୍ଟ ପ୍ୟାଣ୍ଟସବୁ ଟିକେ ବି ଶୁଖି ନାହିଁ I ସେ ବ୍ୟସ୍ତ ହୋଇ ପଡିଲେ I ସେତେବେଳେ ବାପା ଅଫିସ୍ ରୁ ଆସି ଯାଇଥିଲେ I ସେ ଏ ପରିସ୍ଥିତି ଦେଖି କହିଲେ, ' କିଛି ଚିନ୍ତା କରନି, ସାର୍ଟ ପ୍ୟାଣ୍ଟସବୁ ପଂଖା ଚଳେଇ ତା' ତଳେ ଶୁଖାଇ ଦିଅ I ଦେଖିବ, କାଲି ସକାଳକୁ ପୁରା ଶୁଖି ଯାଇଥିବ I '
ସେଇଠୁ ମା' ବାପାଙ୍କ କଥା ମାନି ସାର୍ଟ ପ୍ୟାଣ୍ଟସବୁ ହାଙ୍ଗରରୁ ଖୋଲି ପଂଖା ତଳେ ଶୁଖାଇ ଦେଲେ I ତାପରେ ବବଲୁ ଶୋଇବାକୁ ଗଲା I ସକାଳ ହେଲାରୁ ନିତ୍ୟ କର୍ମ ସାରି ଟିକେ ପଢି ବିଦ୍ୟାଳୟକୁ ବାହାରିଲା I ଏତିକିବେଳେ ତା'ର ଓଦା ସାର୍ଟ ପ୍ୟାଣ୍ଟ କଥା ମନେ ପଡିଗଲା I ସେ ଭାବିଲା ସାର୍ଟ ପ୍ୟାଣ୍ଟସବୁ ତ ଓଦା ଥିବ I ମୁଁ ଏବେ କ'ଣ ପିନ୍ଧି ବିଦ୍ୟାଳୟ ଯିବି? ସେ ବ୍ୟସ୍ତ ହୋଇ ପଡି ମା'ଙ୍କୁ ଡାକ ପକେଇଲା I ଏତିକିବେଳେ ମା' ସାର୍ଟ ପ୍ୟାଣ୍ଟସବୁ ହାତରେ ଧରି ଫେରିଲେ I କହିଲେ, ' ତୁ ଏବେ ଶାନ୍ତ ମନରେ ସାର୍ଟ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଯାଆ I '
ବବଲୁ କହିଲା, ' ମାତ୍ର ସାର୍ଟ ପ୍ୟାଣ୍ଟସବୁ ତ ଓଦା ଥିବ I ମୁଁ କ'ଣ ପିନ୍ଧି ବିଦ୍ୟାଳୟ ଯିବି?'
ମା' ହସି ହସି କହିଲେ ,' ନା ରେ ବୋକା, ସାର୍ଟ ପ୍ୟାଣ୍ଟସବୁ ପୁରା ଶୁଖି ଯାଇଛି I ବାପାଙ୍କ କଥାଟା ପୁରା କାମ ଦେଲା I ତୁ ହାତ ମାରି ଦେଖୁନୁ I ' ଏହା କହି ସେ ବବଲୁକୁ ସାର୍ଟ ପ୍ୟାଣ୍ଟ ବଢାଇ ଦେଲେ I ବବଲୁ ଦେଖେ ତ ସାର୍ଟ ପ୍ୟାଣ୍ଟସବୁ ସତରେ ଶୁଖି ଯାଇଛି I ତା'ର ଆଶ୍ଚର୍ଯ୍ୟର ସୀମା ନଥାଏ I ସେ ଖୁସିରେ ଶୁଖିଲା ସାର୍ଟ ପ୍ୟାଣ୍ଟ ପିନ୍ଧି ପରୀକ୍ଷା ଦେବାକୁ ଗଲା I ପୂର୍ବ ରାତିରେ ସେ ଭଲକରି ପଢି ଥିବାରୁ ସେଦିନ ସେ ପରୀକ୍ଷରେ ଭଲ ପ୍ରଦର୍ଶନ କଲା I
ବିଦ୍ୟାଳୟରୁ ଫେରି ଖାଇ ବସିଛି ତ ବାପା ଅଫିସରୁ ଆସି ଘରେ ପହଞ୍ଚିଲେ I ସେ ବବଲୁକୁ ପରୀକ୍ଷା କିପରି ହୋଇଛି ବୋଲି ପଚାରିଲେ I
ବବଲୁ କହିଲା, ' ପରୀକ୍ଷା ଅତି ଭଲ ହୋଇଛି I ହେଲେ ମୋତେ ଗୋଟିଏ କଥା ଟିକେ ବୁଝାଇ ଦିଅ I ଓଦା ସାର୍ଟ ପ୍ୟାଣ୍ଟସବୁକୁ ପଂଖା ତଳେ ଶୁଖାଇ ଦେବାରୁ ତାହା ଜଲଦି ଶୁଖିଗଲା କିପରି ?'
ଏ କଥା ଶୁଣି ବାପା ହସିହସି କହିଲେ, ' ତୁ ଆଗ ଖାଇ ସାର, ମୁ ସବୁ ବୁଝାଇ ଦେବି I '
ବବଲୁ ଖାଇ ସାରିଲା ପରେ ବାପା ବୁଝାଇ କହିଲେ, ' ଶୁଣ, ବର୍ଷାଦିନେ ବାୟୁ ଜଳୀୟବାଷ୍ପରେ ଭରା ଥାଏ I ସୁତରାଂ ଏହି ବାୟୁ କୌଣସି ବାହାର ଉତ୍ସରୁ ଅଧିକ ଜଳୀୟବାଷ୍ପ ଧାରଣ କରିବା ଅବସ୍ଥାରେ ନଥାଏ I ଓଦା ସାର୍ଟ ପ୍ୟାଣ୍ଟସବୁ୍ରୁ ବାଷ୍ପ ହେଉଥିବା ବାୟୁ ଜଳୀୟବାଷ୍ପରେ ଭରା ହୋଇ ସେଇ ଓଦା ସାର୍ଟ ପ୍ୟାଣ୍ଟସବୁ ଉପରେ ହିଁ ଲାଖି ରହିଥାଏ I ଫଳରେ ଓଦା ସାର୍ଟ ପ୍ୟାଣ୍ଟରୁ ଅଧିକ ଜଳ ବାଷ୍ପ ହୋଇ ବାହାରି ଯାଇପାରେ ନାହିଁ I ସେଇଥିପାଇଁ ବର୍ଷା ଦିନେ ଓଦା ସାର୍ଟ ପ୍ୟାଣ୍ଟସବୁ ସାଧାରଣତଃ ସହଜରେ ଶୁଖିପାରେ ନାହିଁ I ମାତ୍ର ସେସବୁକୁ ପଂଖା ତଳେ ଟାଙ୍ଗି ଦେବା ଦ୍ୱାରା ପଂଖା ପବନରେ ସାର୍ଟ ପ୍ୟାଣ୍ଟସବୁ ଉପରେ ଜମିଥିବା ଜଳୀୟବାଷ୍ପ ଭରା ବାୟୁ ସ୍ଥାନନ୍ତରିତ ହୋଇ ଚାଲିଯାଏ I ଫଳରେ ଓଦା ସାର୍ଟ ପ୍ୟାଣ୍ଟସବୁରୁ ଓଦା ଜଳୀୟ ଅଂଶ ସହଜରେ ବାଷ୍ପ ହୋଇ ବାହାରି ବାୟୁରେ ମିଶିଯାଏ I ସୁତରାଂ ଓଦା ସାର୍ଟ ପ୍ୟାଣ୍ଟସବୁକୁ ବର୍ଷା ଦିନେ ଚଳନ୍ତା ପଂଖା ତଳେ ଶୁଖାଇଦେଲେ ତାହା ସହଜରେ ଶୁଖିଯାଏ I '
ବାପାଙ୍କ ଉତ୍ତରରୁ ବବଲୁ ଓଦା ସାର୍ଟ ପ୍ୟାଣ୍ଟସବୁ ଶୁଖିବାର ବୈଜ୍ଞାନିକ କାରଣ ବୁଝି ପାରିଥିବାରୁ ତା' ମନ ଭାରି ଖୁସି ଥିଲା ସେଦିନ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
ଫୋନ୍ :
8018708858
To read the same article published in The Dharitri dated 20.08.22, pl click the following link:
Comments
Post a Comment