ନୂତନ କୋରୋନା ଭୂତାଣୁ IHUର ଆବିର୍ଭାବ
ଦୁନିଆରେ
କୋରୋନା ଭୂତାଣୁ ଓମିକ୍ରନର ଆତଙ୍କର କଳା ବାଦଲ ହଟି ନଥିଲାବେଳେ ଏବେ ଆଉ ଏକ ନୂତନ ଭୂତାଣୁର ଆବିର୍ଭାବ
ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି I
ଫ୍ରାନ୍ସ ରୁ ମିଳିଥିବା ଏହି ନୂଆ ପ୍ରକାର କୋରୋନା ଭୂତାଣୁର ନାମ IHU ଦିଆ ଯାଇଛି ଯାହା
ଭବିଷ୍ୟତରେ ଆଉ ଏକ ଲହରର ସୂତ୍ରପାତ କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି I ଏହି ନୂଆ ରୂପର ଜିନୋମରେ ପୂର୍ବ ସଂରଚନା ତୁଳନାରେ ଯଥେଷ୍ଟ ଅଧିକ ପ୍ରକାରର ଆକସ୍ମିକ ପରିବର୍ତ୍ତନ (Mutation) ଘଟିଥିବାରୁ ଏହା ଏକ ସମ୍ପୂର୍ଣ୍ଣ ନୂଆ ଭୂତାଣୁ ରୂପେ ମୁଣ୍ଡ
ଟେକିଛି I ମାତ୍ର
ଏହି ନୂଆ ରୂପର ସଂକ୍ରମଣ ହାର କିମ୍ବା ମାରକ କ୍ଷମତା ଉପରେ ଏବେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଜଣା
ପଡିନାହିଁ I
ଆବିଷ୍କାର ଓ ପ୍ରସାର
ଓମିକ୍ରନର ପ୍ରଥମ ମାମଲା ଗତ ବର୍ଷ
ନଭେମ୍ବର 24 ତାରିଖରେ ଦେଖିବାକୁ ମିଳିଥିଲବେଳେ IHU ର ପ୍ରଥମ ଶିକାର ଫ୍ରାନ୍ସର ଦକ୍ଷିଣ ଆଲପସ୍ ଅଞ୍ଚଳରୁ
ସାମାନ୍ୟ ପୂର୍ବରୁ ଅର୍ଥାତ ନଭେମ୍ବର ମଧ୍ୟଭାଗରେ
ନଜରକୁ ଆସିଥିଲା I ଏହି ରୋଗରେ ଆକ୍ରାନ୍ତ ହୋଇଥିବା ପ୍ରଥମ
ବ୍ୟକ୍ତି ଜଣକ ଟୀକା ନେଇଥିଲେ ଏବଂ ସେ ଆଫ୍ରିକା ( ଯେଉଁଠାରେ ଓମିକ୍ରନର ପ୍ରଥମ ସନ୍ଧାନ
ମିଳିଥିଲା ) ମହାଦେଶର କାମେରୁନ୍ ଦେଶରୁ ଫେରିଥିଲେ I ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ
କୋଭିଡ ପାଇଁ ପରୀକ୍ଷା କରାଯାଇଥିଲା ଏବଂ ସେଥିରେ ସେ କୋରୋନା ସଂକ୍ରମିତ ବୋଲି ଜଣା ପଡିଥିଲେ ଯେଉଁଥିରେ ଏହି ନୂତନ ରୂପର ପୁଷ୍ଟି କରାଯାଇଥିଲା I IHU ର ପ୍ରଥମ ଘଟଣା ମିଳିବା ପରେ ଦକ୍ଷିଣ-ପଶ୍ଚିମ
ଫ୍ରାନ୍ସ ର ସେହି ଏକା ଭୌଗଳିକ କ୍ଷେତ୍ରରେ ଆଉ
12ଟି ମାମଲା ଇତି ମଧ୍ୟରେ ସାମନାକୁ ଆସିଛି I
ନୂଆ ରୂପର ଚିହ୍ନଟ
ଫ୍ରାନ୍ସର ଗବେଷକମାନେ ଏହି IHU ପରିବର୍ତ୍ତିତ ରୂପକୁ B.1.640.2 ପ୍ରକାର ରୂପେ ଶ୍ରେଣୀଭୁକ୍ତ କରିଛନ୍ତି I ଏହାକୁ ଏବେ ପୂର୍ବରୁ ଜଣାଥିବା କୋରୋନା ଭୂତାଣୁର ଗୋଟିଏ ପରିବର୍ତ୍ତିତ
ବଂଶ B.1.640 ର ଏକ ଉପବଂଶ (Sublineage)
ରୂପେ ବିବେଚନା କରାଯାଉଛି I B.1.640 ବଂଶ କୋରୋନାର ଏକ ନୂଆ ରୂପ ନୁହେଁ , ବରଂ ଏହି ବଂଶର ଚିହ୍ନଟ
ସର୍ବପ୍ରଥମେ 2021 ମସିହା ଜାନୁଆରୀ ମାସରେ କରାଯାଇଥିଲା I ଏବେ ସାରା ବିଶ୍ୱରେ ଏହି ବଂଶର ଭୂତାଣୁ
ଦ୍ୱାରା 19ଟି ଦେଶରେ ମୋଟ 400 ରୁ ଅଧିକ ମାମଲା ନଜରକୁ ଆସିଲାଣି I ଆମ ଦେଶରେ ମଧ୍ୟ ଏହି ବଂଶର ଗୋଟିଏ ମାମଲା
ଚିହ୍ନଟ କରାଯାଇଛି I ଏହି ବଂଶର ସର୍ବାଧିକ ମାମଲା ଫ୍ରାନ୍ସ (287), କଙ୍ଗୋ (39), ଜର୍ମାନୀ
(17) ଏବଂ ବ୍ରିଟେନ୍ ଗଣରାଜ୍ୟ (16) ରେ ମିଳିଥିଲାବେଳେ ସର୍ବାଧିକ ପ୍ରସାର ହାର କଙ୍ଗୋରେ ପରିଲକ୍ଷିତ ହୋଇଛି ଯେଉଁଠାରେ 454 ଥର ଜିନୋମ୍ ବର୍ଗିକରଣରେ ( Genome Sequencing) ସମୁଦାୟ 39ଟି ମାମଲା ନଜରକୁ ଆସିଛି I
IHU ଚିନ୍ତାଜନକ
କାହିଁକି?
ଏହି ନୂତନ ରୂପର ଜିନୋମରେ ମୂଳ ସଂରଚନା ତୁଳନାରେ ପ୍ରାୟ 46
ପ୍ରକାରର ଆକସ୍ମିକ ପରିବର୍ତ୍ତନ (Mutation) ଏବଂ ଜିନ୍ ଗଠନର ମୂଖ୍ୟ ଉପାଦାନ ନ୍ୟୁକ୍ଲୀୟ ଏସିଡରେ 37 ଟି ଏକକର ( Nucleotide) ସମ୍ପୂର୍ଣ୍ଣ
ଅପସାରଣ (deletions) ଘଟିଛି ଯେଉଁଥିରୁ ଅଧିକାଂଶ
ପରିବର୍ତ୍ତନ କେବଳ ସ୍ପାଇକ୍ ପ୍ରୋଟିନରେ ହିଁ ଦେଖିବାକୁ ମିଳିଛି I ଏହାର ଏମିନୋ ଅମ୍ଳରେ 30 ଟି ପ୍ରତିସ୍ଥାପନ ( Substitution) ଏବଂ
12ଟି ଅପସାରଣ ପ୍ରକ୍ରିୟା ଯୋଗୁଁ ଭୂତାଣୁର ଜିନୀୟ ସଙ୍କେତରେ ଏଭଳି ଆକସ୍ମିକ ପରିବର୍ତ୍ତନମାନ
ଘଟିଛି I IHU ର ଜିନୀୟ ସଙ୍କେତରେ ଏହି ପରିବର୍ତ୍ତନ
ସଂଖ୍ୟା ସାରା ବିଶ୍ୱରେ ଆତଙ୍କ ରଚିଥିବା ଓମିକ୍ରନଠାରୁ ମଧ୍ୟ ଅଧିକ I ଉଲ୍ଲେଖଯୋଗ୍ୟ ଯେ, ଏହି ସ୍ପାଇକ୍ ପ୍ରୋଟିନ ଅଙ୍ଗ ଜରିଆରେ ଭୂତାଣୁ
ବ୍ୟକ୍ତି ଶରୀରର ଫୁସଫୁସ୍ କୋଷିକା ସହିତ ସଂଯୁକ୍ତ ହୋଇ ଶରୀର ମଧ୍ୟରେ ସହଜରେ ପ୍ରବେଶ କରିଥାଏ
ଏବଂ ଅଧିକାଂଶ ପ୍ରଚଳିତ ଟୀକା ମୂଳ ଚାଇନା ଭୂତାଣୁର ଏହି ସ୍ପାଇକ୍ ପ୍ରୋଟିନକୁ ହିଁ
ଟାରଗେଟ୍ କରିଥାନ୍ତି I ଭୂତାଣୁର ଏହି ନୂତନ ରୂପରେ ସ୍ପାଇକ୍ ପ୍ରୋଟିନର ଅନେକ ପରିବର୍ତ୍ତନ
ଘଟିସାରି ଥିବାରୁ ଏବେକାର ଅଧିକାଂଶ ଟୀକାଦ୍ୱାରା ସୄଷ୍ଟି ହେଉଥିବା ଶରୀରର ପ୍ରତିରୋଧକ
ବ୍ୟବସ୍ଥା ଭୂତାଣୁକୁ ମୁକାବିଲା କରିବାରେ ସକ୍ଷମ
ହେବେନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି I
ଏହି ନୂଆରୂପର ସ୍ପାଇକ୍ ପ୍ରୋଟିନରେ N501Y ଏବଂ E484K
ସମେତ 14ଟି ଏମିନୋ ଅମ୍ଳ ପ୍ରତିସ୍ଥାପନ
ଏବଂ 9ଟି ଅପସାରଣ ଘଟଣା ଦେଖିବାକୁ ମିଳିଛି I ସ୍ପାଇକ୍ ପ୍ରୋଟିନରେ N501Y ପ୍ରତିସ୍ଥାପନ ପ୍ରକ୍ରିୟା ଯୋଗୁଁ ଭୂତାଣୁ
ସହଜରେ ଫୁସଫୁସ୍ ସହିତ ସଂଯୋଗ ହୋଇ ଶରୀରରେ ପ୍ରବେଶ କରି ପାରିବ ; ଫଳରେ ଏହି ନୂତନ ରୂପର
ସଂକ୍ରମଣତା ହାର (Transmissibility) ଯଥେଷ୍ଟ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି I ସ୍ପାଇକ୍ ପ୍ରୋଟିନରେ E484K ପ୍ରତିସ୍ଥାପନ ଘଟଣା ଯୋଗୁଁ ଭୂତାଣୁ ସହଜରେ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରତିହତ
କରି ପାରିବ ଯାହା ଫଳରେ ଏହା ବିରୁଦ୍ଧରେ ଏବେକାର
ଅଧିକାଂଶ ଟୀକା କାର୍ଯ୍ୟ କରିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଏ I
ବିଶ୍ୱ ସ୍ୱାସ୍ଥ୍ୟ
ସଙ୍ଗଠନର ପ୍ରତିକ୍ରିୟା
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭୂତାଣୁର ଏଇ ନୂତନ ରୂପ IHUକୁ ଏପର୍ଯ୍ୟନ୍ତ କୌଣସି ଶ୍ରେଣୀ ଯଥା ଚିନ୍ତାଜନକ (Variant of Concern) କିମ୍ବା ଆଗ୍ରହଜନକ (Variant of Interest) ରୂପେ ଘୋଷଣା କରିନାହିଁ , ବରଂ ଏହାକୁ ଗମ୍ଭୀରତା ପୂର୍ବକ ଅନୁଧ୍ୟାନ କରୁଛି I ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗତ ନଭେମ୍ବର ମାସରେ ଏହି ଭୂତାଣୁର ମୂଳ
ବଂଶ B.1.640 କୁ ତଦାରଖରେ ରଖାଯାଇଥିବା ପରିବର୍ତ୍ତିତ
ରୂପ ( Variant of Monitoring) ରୂପେ ଘୋଷଣା କରିଛି I
ନୂତନ ପରିବର୍ତ୍ତିତ ରୂପ ଯୋଗୁଁ ବିପଦ
ଭୂତାଣୁର ଜିନୀୟ ସ୍ତରରେ ହେଉଥିବା
ଆକସ୍ମିକ ପରିବର୍ତ୍ତନକୁ ମ୍ୟୁଟେସନ୍ (Mutation) କହନ୍ତି I ଭୂତାଣୁ ମନୁଷ୍ୟ ଶରୀର ମଧ୍ୟରେ ପ୍ରବେଶ କରି ଯେତେ ଥର ବହୁଗୁଣିତ ( Multiply) ହେଉଥିବ , ମ୍ୟୁଟେସନ୍ ପ୍ରକ୍ରିୟା ଜରିଆରେ ନୂଆ ନୂଆ ରୂପ ସୄଷ୍ଟି ହେବାର ସମ୍ଭାବନା ସେତେ
ଅଧିକ ରହିଥାଏ I ଏହି ପ୍ରକ୍ରିୟା ଯୋଗୁଁ ଭୂତାଣୁର ନୂଆ
ନୂଆ ପରିବର୍ତ୍ତିତ ରୂପମାନ କ୍ରମାଗତ ସୄଷ୍ଟି ହେଉଛନ୍ତି I ସେଥି ମଧ୍ୟରୁ ଅଧିକାଂଶ ରୂପ ମଣିଷ ପାଇଁ
ବିପଦର ସଙ୍କେତ ବହନ କରୁ ନଥିଲାବେଳେ ଡେଲ୍ଟା ଓ ଓମିକ୍ରନ୍ ଭଳି କିଛି ଅବତାର ଘୋର ଘାତକ
ସାବ୍ୟସ୍ତ ହେଉଛନ୍ତି I ସୌଭଗ୍ୟକ୍ରମେ, IHU ର ଉପସ୍ଥିତି କେବଳ ଫ୍ରାନ୍ସ
ମଧରେ ସୀମିତ ରହିଛି ଏବଂ ସାରା ବିଶ୍ୱରେ ପ୍ରସାର ହୋଇପାରି ନାହିଁ I ଏବେ ଏହି ନୂତନ
ପ୍ରକାର ଭୂତାଣୁ ଉପରେ ଗବେଷଣା ଜାରି ରହିଛି ଏବଂ ଏହା ଆଗାମୀ ଦିନରେ ମଣିଷ ସମାଜ ପାଇଁ କେଉଁ
ରୂପରେଖ ନେବ ତାହା କେବଳ ସମୟ ହିଁ କହି ପାରିବ I ତେବେ, ଆଗାମୀ ଦିନରେ ଭୂତାଣୁର ନୂଆ ନୂଆ ନୂଆ ରୂପର
ଉତ୍ପତ୍ତିକୁ ପ୍ରତିହତ କରିବାକୁ ହେଲେ ତୁରନ୍ତ ଭୂତାଣୁର
ସଂକ୍ରମଣ ପ୍ରକ୍ରିୟା ଭଙ୍ଗ କରିବାକୁ ପଡିବ I
ଏଜୁକେଶନ୍
ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
Excellent Information.
ReplyDeleteThank You.
Nice ,useful post .sir Namaskar
ReplyDeleteNice post sir.Namaskar Sir🙏🏼🙏🏼🙏🏼
ReplyDeleteReally very informative article. Thanks a lot for the latest information.
ReplyDelete