ନୂଆ ରୂପରେ ଭୂତାଣୁ: ଓମିକ୍ରନ

          ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭୂତାଣୁର ଏକ ନୂଆ ପରିବର୍ତ୍ତିତ ରୂପ ନେଇ ବିଶ୍ୱରେ ଏବେ  ଆତଙ୍କ ସୄଷ୍ଟି ହୋଇଛି I  ଏହି ନୂତନ ପରିବର୍ତ୍ତିତ ରୂପ ଅତୀତର ଡେଲଟା ରୂପଠାରୁ ଅଧିକ ଭୟାନକ ଓ ସଂକ୍ରମଣଶୀଳ ବୋଲି ଜଣା ପଡିଛି I  ଏହି ରୂପକୁ  ଗ୍ରୀକ୍ ବର୍ଣ୍ଣମାଳାର ଅକ୍ଷର ନାମ ଅନୁସାରେ ଓମିକ୍ରନ (Omicron) ନାମକରଣ କରାଯାଇଛି  ଏବଂ ଏହାର ବୈଜ୍ଞାନିକ ନାମ  B.1.1.529 I  ଏହି ନୂତନ  ରୂପ  ଯୋଗୁଁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ସଖ୍ୟା  ଦୁଇ ଗୁଣ  ବୄଦ୍ଧି ପାଇଥିବା ବେଳେ ସେ ଦେଶରେ ସମୁଦାୟ 90%  ସଂକ୍ରମଣ ଏହି ନୂଆ ରୂପ ଦ୍ୱାରା ଘଟୁ ଥିବାର  ଜଣା ପଡିଛି I

       ଭୂତାଣୁର ଏହି ରୂପରେଖକୁ ସବୁଠାରୁ ଭୟାନକ  ପ୍ରଜାତି ବୋଲି  ବିବେଚନା କରା ଯାଉଛି I ଏହା ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସଂକ୍ରମଣଶୀଳ ବିଶ୍ୱାସ କରାଯାଉଥିବା ଡେଲଟା ରୂପଠାରୁ 7 ଗୁଣ ଶୀଘ୍ର ହାରରେ  ବ୍ୟାପୁ ଥିବାର ଜଣା ପଡିଛି I ଏ ନୂଆ ରୂପର ପ୍ରସାରକୁ ଜଲଦି ନିୟନ୍ତ୍ରିତ ନକଲେ, ତାହା ଆଗାମୀ ଦିନରେ ବିଶ୍ୱରେ ତୄତୀୟ କିମ୍ବା ଚତୁର୍ଥ ଲହରର ସୂତ୍ରପାତ କରିପାରେ ବୋଲି   ବୈଜ୍ଞାନିକମାନେ ଚେତାବନୀ ଦେଲେଣି I   ଇତି ମଧ୍ୟରେ ଅଧିକାଂଶ ଦେଶ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନ ଉଡାଣ ଉପରେ କଟକଣା ଜାରି କରିଛନ୍ତି I   ତେବେ ପ୍ରଶ୍ନ ଉଠେ : ଏହି ନୂତନ ରୂପ ଏତେ ଭୟାନକ କାହିଁକି ?

ଓମିକ୍ରନ୍ ଭୟାନକ  କାହିଁକି?

      ଏହି ରୂପର ଜିନୋମରେ ପୂର୍ବ ସଂରଚନା ତୁଳନାରେ  ପ୍ରାୟ 50 ପ୍ରକାରର ଆକସ୍ମିକ ପରିବର୍ତ୍ତନ (Mutation) ଘଟିଛି I କେବଳ ଏହାର ସ୍ପାଇକ୍ ପ୍ରୋଟିନରେ 30ଟି ପରିବର୍ତ୍ତନ ଘଟିଛି I ଏହି ସ୍ପାଇକ୍ ପ୍ରୋଟିନ ଅଙ୍ଗ ଜରିଆରେ ଭୂତାଣୁ ବ୍ୟକ୍ତି ଶରୀରର ଫୁସଫୁସ୍ କୋଷିକା ସହିତ ସଂଯୁକ୍ତ ହୋଇ ଶରୀର ମଧ୍ୟରେ ସହଜରେ ପ୍ରବେଶ କରିଥାଏ ଏବଂ ଅଧିକାଂଶ ପ୍ରଚଳିତ ଟୀକା ମୂଳ ଚାଇନା ଭୂତାଣୁର ଏହି ସ୍ପାଇକ୍ ପ୍ରୋଟିନକୁ ହିଁ ଟାରଗେଟ୍  କରିଥାନ୍ତି I ଭୂତାଣୁର ଏହି ନୂତନ ରୂପରେ ସ୍ପାଇକ୍ ପ୍ରୋଟିନର ଅନେକ ପରିବର୍ତ୍ତନ ଘଟିସାରି ଥିବାରୁ ଏବେକାର ଅଧିକାଂଶ ଟୀକାଦ୍ୱାରା ସୄଷ୍ଟି ହେଉଥିବା ଶରୀରର ପ୍ରତିରୋଧକ ବ୍ୟବସ୍ଥା  ଭୂତାଣୁକୁ ପ୍ରତିହତ କରିବାରେ ସକ୍ଷମ ହେବେନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି I ଆହୁରି ମଧ୍ୟ, ଏହି ନୂତନ ରୂପର ଗ୍ରାହକ ବନ୍ଧନ ସ୍ଥଳୀ ( Receptor Binding Domain) ଅଙ୍ଗରେ ମଧ୍ୟ 10 ପ୍ରକାରର ଆକସ୍ମିକ ପରିବର୍ତ୍ତନ ଘଟି ସାରିଛି I ଭୂତାଣୁ ନିଜର ଏହି ଅଙ୍ଗ ଜରିଆରେ ହିଁ  ସର୍ବପ୍ରଥମେ ଆମ ଶରୀରର କୋଷିକା ସହିତ ସମ୍ପର୍କରେ ଆସିଥାଏ I ଅନ୍ୟପକ୍ଷରେ, ଡେଲଟା ରୂପର ଗ୍ରାହକ ବନ୍ଧନ ସ୍ଥଳୀ ରେ ମାତ୍ର 2ଟି ପରିବର୍ତ୍ତନ ଘଟିଥିଲା I

 ଚିନ୍ତାଜନକ ପରିବର୍ତ୍ତିତ ରୂପ

     ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭୂତାଣୁର ଏଇ ନୂତନ ରୂପକୁ ଏକ ଚିନ୍ତାଜନକ ପରିବର୍ତ୍ତିତ ରୂପ (Variant of Concern) ବୋଲି ଘୋଷଣା କରିଛି I ଭୂତାଣୁର ଏଭଳି ଚିନ୍ତାଜନକ ରୂପସବୁ ବେଶୀ ମାରାତ୍ମକ ହୋଇଥାନ୍ତି ଏବଂ ଏମାନଙ୍କ ଦ୍ୱାରା ଭବିଷ୍ୟତରେ ବିଶ୍ୱରେ ବଡ ଧରଣର ସକ୍ରମଣ ଘଟିବାର ଆଶଙ୍କା ରହିଥାଏ I ଏ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମୁଦାୟ 4ଟି ରୂପକୁ ଚିନ୍ତାଜନକ ରୂପ ବୋଲି ଘୋଷଣା କରିଛି I ସେଗୁଡିକ ହେଲା : ଆଲଫା, ବିଟା, ଗାମା ଓ ଡେଲ୍ଟା I ଏହି ରୂପସବୁ ଅତୀତରେ ଅଲଗା ଅଲଗା ଦେଶରେ ଆବିର୍ଭୁତ ହୋଇ ଆତଙ୍କ ଖେଳାଇ ଦେଇଥିଲେ I ଆଲଫା ପରିବର୍ତ୍ତିତ ରୂପ ( B.1.1.7) ବ୍ରିଟେନରେ ଗତ 2020 ମସିହା ସେପ୍ଟେମ୍ବର ମାସରେ, ବିଟା ରୂପ ( B.1.351) ଦକ୍ଷିଣ ଆଫ୍ରିକାରେ 2020 ମସିହାରେ ମଈ ମାସରେ , ଗାମା ରୂପ ( P1) ବ୍ରାଜିଲରେ 2020 ନଭେମ୍ବର ମାସରେ ଏବଂ ଡେଲଟା ରୂପ ( B.1.617.2) ଭାରତରେ 2020 ମସିହା ଅକ୍ଟୋବର ମାସରେ ଆବିର୍ଭୁତ ହୋଇଥିଲା I ସୂଚନାଯୋଗ୍ୟ ଯେ, ଏହି ଡେଲଟା ରୂପ କାରଣରୁ ହିଁ  ଭାରତରେ ମହାମାରୀର ଦ୍ୱିତୀୟ ଲହରର ସୂତ୍ରପାତ ଘଟିଥିଲା I

     ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଆଉ କେତୋଟି ଅପେକ୍ଷାକୄତ ସ୍ୱଳ୍ପ ସଂକ୍ରମଣଶୀଳ ରୂପକୁ ଅଧିକ ଅନୁଧ୍ୟାନ ନିମନ୍ତେ  କଡା ନଜରରେ ରଖିଛି I ଏଭଳି ରୂପସବୁକୁ  ଆଗ୍ରହଜନକ ପରିବର୍ତ୍ତିତ ରୂପ ( Variant of Interest) ବୋଲି କୁହାଯାଇଛି I ଏପର୍ଯ୍ୟନ୍ତ ସମୁଦାୟ ଦୁଇଟି ରୂପ ଯଥା ପେରୁରେ 2020 ମସିହା ଡିସେମ୍ବର ମାସରେ  ମିଳିଥିବା ଲାମ୍ବଡା (C.37) ଏବଂ କଲମ୍ବିଆରେ 2021 ମସିହା ଜାନୁଆରୀ ମାସରେ ମିଳିଥିବା ମିଉ ( B.1.621) କୁ ଆଗ୍ରହଜନକ ରୂପ ଶ୍ରେଣୀଭୁକ୍ତ କରାଯାଇଛି I

ଆବିଷ୍କାର ଓ ପ୍ରସାର

     ପ୍ରଥମେ ଏହି ନୂଆ ଓମିକ୍ରନ୍ ରୂପର ସନ୍ଧାନ ଆଫ୍ରିକାର  ବୋତସୁଆନା ଦେଶରେ ଗତ ନଭେମ୍ବର 11 ତାରିଖରେ ମିଳିଥିଲା I  ପରେ ବୈଜ୍ଞାନିକମାନେ ଗବେଷଣାଗାରରେ  ଭୂତାଣୁର ଜିନୀୟ ଅନୁକ୍ରମ ( Genomic Sequence) ଅନୁଧ୍ୟାନ କରିବାରୁ ଏହି ନୂଆ ରୂପର ପରିଚୟ ଜଣା ପଡିଥିଲା I ଏହି ରୂପ ଅତି ସ୍ୱଳ୍ପ ଦିନ ମଧ୍ୟରେ  ଦକ୍ଷିଣ ଆଫ୍ରିକାର ସୀମା ଟପି ହଙ୍ଗକଙ୍ଗ,  ଇସ୍ରାଏଲ,   ଏବଂ ବେଲଜିୟମ ଦେଶ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଲାଣି I ଡେଲଟା ରୂପ  100 ଦିନ ମଧ୍ୟରେ ବିଶ୍ୱରେ ଯେତିକି ସଂକ୍ରମଣ କରିଥିଲା , ଓମିକ୍ରନ୍ ମାତ୍ର 15 ଦିନ ମଧରେ ସେତିକି ଶିକାର କରି ସାରିଛି I ଏଇଥିରୁ ଏହି ନୂତନ ରୂପର ତୀବ୍ର ସଂକ୍ରମଣଶୀଳତା ସମ୍ପର୍କରେ କଳ୍ପନା କରାଯାଇପାରେ !

 ଜିନୀୟ ସ୍ତରରେ ଆକସ୍ମିକ ପରିବର୍ତ୍ତନର କାରଣ

ଭୂତାଣୁର ଜିନୀୟ ସ୍ତରରେ ହେଉଥିବା ଆକସ୍ମିକ ପରିବର୍ତ୍ତନକୁ ‘ମ୍ୟୁଟେସନ୍’ କହନ୍ତି I ଭୂତାଣୁ ମନୁଷ୍ୟ ଶରୀର ମଧ୍ୟରେ ପ୍ରବେଶ କରି ଯେତେ ଥର ବହୁଗୁଣିତ ( Multiply)  ହେଉଥିବ , ମ୍ୟୁଟେସନ୍  ପ୍ରକ୍ରିୟା  ଜରିଆରେ ନୂଆ ନୂଆ ରୂପ ସୄଷ୍ଟି ହେବାର ସମ୍ଭାବନା ସେତେ ଅଧିକ ରହିଥାଏ I ସୁତରାଂ ଆଗାମୀ ଦିନରେ ଭୂତାଣୁର ନୂଆ ନୂଆ ନୂଆ ରୂପର ଉତ୍ପତ୍ତି ଉପରେ ରୋକ ଲଗାଇବାକୁ ହେଲେ ତୁରନ୍ତ  ଭୂତାଣୁର ସଂକ୍ରମଣ  ଚେନ୍  ଭଙ୍ଗ କରିବାକୁ ପଡିବ I


                                                                                          ନିକୁଂଜ ବିହାରୀ ସାହୁ

                                                                                                    ଏଜୁକେଶନ୍ ଅଫିସର

                                                                                                     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                                                ଭୋପାଲ

                                                                                                     ଫୋନ୍ : 8018708858




 

Comments

  1. ସାହୁ ସାର୍, ଭଲ ଲାଗିଲା। ତଥ୍ୟପୂର୍ଣ୍ଣ ହୋଇଛି।

    ReplyDelete

Post a Comment

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ