ରକେଟ୍ ଚଢି, ଲାଲ ରାଇଜକୁ ଯିବାରେ ଉଡି

 

  ରକେଟ୍ ଚଢି, ଲାଲ ରାଇଜକୁ ଯିବାରେ ଉଡି

                                                                                           ନିକୁଂଜ ବିହାରୀ ସାହୁ

        ଲୋହିତ ଗ୍ରହ ମଙ୍ଗଳ ଜଳ ଓ ଜୀବନର ଉପସ୍ଥିତି ଦୄଷ୍ଟିକୋଣରୁ ମଣିଷ ପାଇଁ ସର୍ବଦା ଏକ ରହସ୍ୟ ରୋମାଂଚ ଘେରା ରାଇଜ ହୋଇ ରହି ଆସିଛି I ପୄଥିବୀ ସହିତ ଏହି ଗ୍ରହର ଅନେକ ସାମଞ୍ଜସ୍ୟ ରହିଛି I ପୄଥିବୀ ସଦୄଶ ଏହି ଗ୍ରହର ଅକ୍ଷ 23.5 ଡିଗ୍ରୀ କୋଣରେ ଢଳି କରି ରହିଛି ; ଫଳରେ ଆମ ଗ୍ରହଟି ଭଳି ଏଠାରେ ମଧ୍ୟ ରୁତୁଚକ୍ରର ମଧୁର ରାସଲୀଳା ଦେଖିବାକୁ ମିଳେ I ମଙ୍ଗଳ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଅସିବା ପାଇଁ 24 ଘଣ୍ଟା 39 ମିନିଟ 35 ସେକେଣ୍ଡ ସମୟ ନେଇଥାଏ ଯାହା ପୄଥିବୀର ଦୈନିକ ଘୂର୍ଣ୍ଣନକାଳ ସଙ୍ଗେ ପ୍ରାୟ ସମାନ I ଫଳରେ ମଙ୍ଗଳରେ ପ୍ରତି ପ୍ରାୟ 12 ଘଣ୍ଟା ଅନ୍ତରରେ ଦିନ ଓ ରାତିର ପରିବର୍ତ୍ତନ ଘଟିଥାଏ I ମଙ୍ଗଳରେ ପୄଥିବୀ ଭଳି ଏକ ବାୟୁମଣ୍ଡଳ ମଧ୍ୟ ରହିଛି ଯାହା ବିଭିନ୍ନ ଗ୍ୟାସର ମିଶ୍ରଣ; ଅବଶ୍ୟ ଏହି ବାୟୁମଣ୍ଡଳ ଅତି ପତଳା ଓ ଜୀବନ ଉପଯୋଗୀ ନୁହେଁ I ପୄଥିବୀ ଭଳି ମଙ୍ଗଳର ଦୁଇ ମେରୁରେ ମଧ୍ୟ ପ୍ରଚୁର ବରଫ ଗଛିତ ଅଛି I

        ମଣିଷ ମଙ୍ଗଳ ଗ୍ରହରେ ସିଧା ସଳଖ ପହଂଚିବା ପରିବର୍ତ୍ତେ ପ୍ରଥମେ ଏହାର ଦୁଇ ଚନ୍ଦ୍ରରେ ପଦାର୍ପଣ କରି ସେଠାରୁ ଗ୍ରହ ପୄଷ୍ଠରେ ଅବତରଣ କରିବା ସୁବିଧାଜନକ ହେବ I ମଙ୍ଗଳର ଦୁଇଟି ଛୋଟ ଛୋଟ ଚନ୍ଦ୍ର ରହିଛି ଯଥା ଡିମୋସ୍ ଓ ଫୋବୋସ୍ I ସେଥି ମଧ୍ୟରୁ ଫୋବୋସ୍ ଆକାରରେ ବଡ; ଏହାର ବିସ୍ତୄତି ଅତି ବେଶୀରେ 27 କିଲୋମିଟର ଏବଂ ଏହା ଗ୍ରହଠାରୁ 5989 କି.ମି. ଉର୍ଦ୍ଧ୍ବରେ ରହି ଗ୍ରହକୁ ପରିକ୍ରମା କରୁଛି I ଏହାକୁ ମଙ୍ଗଳ ଚାରିପଟେ ଥରେ ପରିକ୍ରମା ସମ୍ପାଦନା କରିବା ପାଇଁ 7 ଘଣ୍ଟା 39 ମିନିଟ ସମୟ ଲାଗେ I ସେହିପରି, ଡିମୋସର ସର୍ବାଧିକ ବିସ୍ତୄତି ମାତ୍ର 15 କି.ମି. ଏବଂ ଏହା ଗ୍ରହଠାରୁ ପ୍ରାୟ 23,460 କି.ମି. ଉର୍ଦ୍ଧ୍ବରେ ରହି ଗ୍ରହକୁ ପ୍ରତି 30 ଘଣ୍ଟା ଅନ୍ତରାଳରେ ଥରେ ପରିକ୍ରମା କରୁଛି I

         ଏପର୍ଯ୍ୟନ୍ତ ମନୁଷ୍ୟ ମଙ୍ଗଳ ଗ୍ରହକୁ ସମୁଦାୟ 49ଟି  ଅଭିଯାନ ପ୍ରେରଣ କରିଛି ଯାହା ମଧ୍ୟରୁ କେବଳ 21 ଟି ଅଭିଯାନ ସୁରକ୍ଷିତ ରୁପେ ଗ୍ରହ ପୄଷ୍ଠରେ ଅବତରଣ କରିଛି I  ଆଜି ପର୍ଯ୍ୟନ୍ତ ବିଶ୍ବର କୌଣସି ଦେଶ ମଙ୍ଗଳକୁ ମାନବ ରହିଥିବା ଅଭିଯାନ ପ୍ରେରଣ କରିବକୁ ସକ୍ଷମ ହୋଇନାହିଁ I ଆଗାମୀ 2030 ମସିହା ସୁଦ୍ଧା ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ମାନବ ଥିବା ଏକ ଅଭିଯାନ ପ୍ରେରଣ କରିବା ପାଇଁ ଆଶା ବାନ୍ଧିଛି I ସେହିପରି, ଆଗାମୀ ଦିନରେ ଜାପାନର ଅନ୍ତରୀକ୍ଷ ସଂସ୍ଥା ଜାପାନ୍ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି  ମଙ୍ଗଳର ଦୁଇ ଚନ୍ଦ୍ରକୁ ଏକ ଅଭିଯାନ ପ୍ରେରଣ କରିବା  ପାଇଁ ଯୋଜନା କରିଛି I ଏହି ଅଭିଯାନର ନାମ ହେବ ମାର୍ସ୍  ମୁନ୍ ଏକ୍ସପ୍ଲୋରେସନ୍ ( MMX) ଯାହା ଫୋବୋସ୍ ପୄଷ୍ଠରେ ଅବତରଣ କରି ସେଠାରୁ କିଛି ମୄତ୍ତିକା ଓ ନମୁନା ସଂଗ୍ରହ ପୂର୍ବକ 2029 ମସିହାରେ ପୄଥିବୀକୁ ଫେରି ଆସିବ I

             ନାସାର ଯୋଜନା ଅନୁଯାୟୀ ମଙ୍ଗଳକୁ ମାନବଯୁକ୍ତ ଅଭିଯାନ ଚାରି ପର୍ଯ୍ୟାୟ ବିଶିଷ୍ଟ ହେବ ଏବଂ ଏଥି ନିମନ୍ତେ ଏହାର ଚନ୍ଦ୍ର ଫୋବୋସ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ  I ପ୍ରଥମ ଅଭିଯାନ ମଙ୍ଗଳ ଗ୍ରହକୁ ଆବଶ୍ୟକୀୟ ସାମଗ୍ରୀ ପରିବହନ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲାବେଳେ ଦ୍ବିତୀୟ ଅଭିଯାନରେ ଫୋବୋସକୁ ବାସୋପଯୋଗୀ କରିବା ଏବଂ ତୄତୀୟ ଅଭିଯାନରେ ମହାକାଶଚାରୀମାନଙ୍କୁ ପୄଥିବୀ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ବ୍ୟବହାର କରାଯିବ I ଚତୁର୍ଥ ଓ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସୋପାନରେ, ଚାରି ଜଣ ଅନ୍ତରୀକ୍ଷଚାରୀଙ୍କୁ ଫୋବୋସରୁ ନେଇ ଏକ କ୍ୟାପ୍ସୁଲ୍ ଜରିଆରେ  ମଙ୍ଗଳ ପୄଷ୍ଠରେ ସିଧାସଳଖ ଅବତରଣ କରାଯିବ I ନାସାର ଏହି ଉଦ୍ୟମ ସଫଳ ହେଲେ ଆଗାମୀ 2030 ରୁ 2040 ମସିହା ମଧ୍ୟରେ ପ୍ରଥମ ମନୁଷ୍ୟ ଦୂର ଆକାଶର ଏହି ଲୋହିତ ଗ୍ରହରେ ପଦାର୍ପଣ କରିବ ବୋଲି ଆଶା କରାଯାଏ I

        ପରିବେଶ ପ୍ରଦୂଷଣ ତଥା ବିଭିନ୍ନ ପ୍ରକୄତି ବିରିଧୀ କାର୍ଯ୍ୟକଳାପ ହେତୁ ଆମର ସୁନ୍ଦର ଗ୍ରହ ପୄଥିବୀ ଏବେ ଅବକ୍ଷୟମୂଖୀ ଏବଂ କ୍ରମଶଃ ଜୀବନ ଅନୁପଯୁକ୍ତ ପାଲଟି ଯାଉଛି I ଦିନ ଆସିବ, ମଣିଷକୁ ପୄଥିବୀ ଛାଡି ଅନ୍ୟ କୌଣସି ଗ୍ରହ ରାଇଜରେ ବସା ବାନ୍ଧିବାକୁ ପଡିବ I ମଣିଷର ଏହି ସୁଦୂର ଓ ଦୁର୍ବାର ଅନ୍ବେଷଣରେ ଲୋହିତ ଗ୍ରହ ମଙ୍ଗଳ ଯେ ଏକ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ I



                                                                             ଏଜୁକେଶନ୍ ଅଫିସର

                                                                            ଆଂଚଳିକ ବିଜ୍ଞାନ କେନ୍ଦ୍ର,

                                                                                    ଭୋପାଲ

                                                                         ଫୋନ୍ : 8018708858

 

 


Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?