ସୁନିତା ଉଇଲିୟମ୍ସ୍ ଙ୍କ ଦୀର୍ଘ ଅନ୍ତରୀକ୍ଷ ଯାତ୍ରା Sunita William's Long Space journey

 

                                              ସୁନିତା ଉଇଲିୟମ୍ସ୍ ଙ୍କ ଦୀର୍ଘ ଅନ୍ତରୀକ୍ଷ ଯାତ୍ରା

 ନିକୁଞ୍ଜ ବିହାରୀ ସାହୁ

         ଭାରତୀୟ ବଂଶୋଦ୍ଭବ ଆମେରିକୀୟ  ମହିଳା ମହାକାଶଚାରୀ  ସୁନିତା ଉଇଲିୟମସ୍ ଗତ 2024 ମସିହା  ଜୁନ୍ 5 ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗ୍   ଷ୍ଟାରଲାଇନର୍ଅନ୍ତରୀକ୍ଷ ଯାନରେ ପୄଥିବୀକୁ ପ୍ରଦକ୍ଷିଣ କରୁଥିବା  ଇଣ୍ଟରନେସେନାଲ ସ୍ପେସ୍ ଷ୍ଟେସନ୍ (ଆଇ.ଏସ୍. ଏସ୍.) କୁ ଯାତ୍ରା କରିଥିଲେ  I ତାଙ୍କ ସହିତ ଅନ୍ୟ ଜଣେ ମହାକାଶଯାତ୍ରୀ ଥିଲେ ବୁଚ୍ ୱିଲମୋର୍ I  ମାତ୍ର ଯାନର ଇଞ୍ଜିନ୍ରୁ ହିଲିୟମ୍ ଲିକ୍ ଘଟି ଯାନର ସମୁଦାୟ 28 ଥ୍ରଷ୍ଟର୍ ରୁ  5ଟି ରେ ତ୍ରୁଟି ପରିଲକ୍ଷିତ ହେବାରୁ ଇଞ୍ଜିନ୍ ତାପମାତ୍ରା ଆଶାତୀତ ଭାବେ  ବୃଦ୍ଧି ପାଇଥିଲା I ଫଳରେ ଯାନର ତାପନିରିଧକ ଟେଫଲୋନ୍ ଆବରକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଥିଲା ଯାହା ପ୍ରତ୍ୟାବର୍ତ୍ତନ ସମୟରେ ବାୟୁମଣ୍ଡଳ ମଧ୍ୟରେ ଘର୍ଷଣ ଜନିତ ପ୍ରଚଣ୍ଡ  ତାପମାତ୍ରାରୁ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ I  ଆହୁରି ମଧ୍ୟ,  ଯାନରୁ ନିର୍ଗତ ଗ୍ୟାସ୍ ବେଗ ହ୍ରାସ ପାଇ ଏହାର ଦିକ୍-ଚାଳନା ନିୟନ୍ତ୍ରଣ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଥିଲା I ସୁତରାଂ ଷ୍ଟାରଲାଇନର୍ ସେହି  ଅନ୍ତରୀକ୍ଷ ଯାନରେ ମହାକାଶଚାରୀ ମାନଙ୍କୁ ନିରାପଦରେ ପୄଥିବୀ ଫେରାଇ ଆଣିବାରେ ସମସ୍ୟା ଉପୁଜି ଥିଲା  ଏବଂ ସେମାନଙ୍କ ପୄଥିବୀ ପ୍ରତ୍ୟାବର୍ତ୍ତନ ନେଇ ଘୋର ଅନିଶ୍ଚିତତା ପ୍ରକାଶ ପାଇଥିଲା I  ଯେହେତୁ  ନାସା ନିକଟରେ ସେମାନଙ୍କୁ ତୁରନ୍ତ ପୄଥିବୀ ଫେରାଇ ଆଣିବା ନିମନ୍ତେ  କୌଣସି ମହାକାଶଯାନ କିମ୍ବା ଯୋଜନା ନଥିଲା ସେ ଦୁହେଁ ମହାକାଶଚାରୀ ସେହି ଦିନଠୁଁ ସ୍ପେସ୍ ଷ୍ଟେସନ୍ ରେ ଦୀର୍ଘ ଦିନ ଅଟକି ରହିଥିଲେ I ଏଇ କିଛି ଦିନ ତଳେ  ଉଭୟ ମହାକାଶଚାରୀଙ୍କୁ ଗତ ମାର୍ଚ୍ଚ 18 ତାରିଖରେ ଶିଳ୍ପପତି ଆଲାନ ମସ୍କ ଙ୍କ କମ୍ପାନୀ ସ୍ପେସ୍ ଏକ୍ସ୍ ର ଏକ ମହାକାଶ ଯାନକ୍ରୁ-9’ ଜରିଆରେ ସଫଳତାର ସହ ପୄଥିବୀ ଫେରାଇ ଅଣାଯାଇଛି I  

ନାସାର ବିରଳ ଇତିହାସ

        ନାସାର ଏହି ଅଭିଯାନ ଅନ୍ତରୀକ୍ଷ ଯାତ୍ରା କ୍ଷେତ୍ରରେ ଏକକାଳୀନ  ଦୁଇଟି ଯାନ ବ୍ୟବହାର  କରିବା ଦୄଷ୍ଟିରୁ  ଏକ ବିରଳ ଇତିହାସ ରଚନା କରିଛି I ସାଧାରଣତଃ ଯେଉଁ ଯାନ ମହାକାଶଚାରୀଙ୍କୁ ନେଇ  ଅନ୍ତରୀକ୍ଷ ଯାତ୍ରା କରିଥାଏ ସେହି ଯାନ ହିଁ ମହାକାଶଚାରୀଙ୍କୁ ନେଇ ପୄଥିବୀ ପ୍ରତ୍ୟାବର୍ତ୍ତନ କରିଥାଏ I ମାତ୍ର କ୍ଷେତ୍ରରେ, ମହାକାଶଚାରୀଙ୍କୁ ନେଇ ବୋଇଙ୍ଗ୍ ଷ୍ଟାରଲାଇନର୍ଯାନ ଯାଇଥିଲାବେଳେ ସେମାନଙ୍କୁ ପୃଥିବୀକୁ ଫେରାଇ ଆଣିବାରେ ଅନ୍ୟ ଏକ ମହାକାଶ ଯାନ ସ୍ପେସ୍ ଏକ୍ସ୍ କ୍ରୁ-9 ସହାୟତା ନିଆ ଯାଇଥିଲା I

ଅନ୍ତରୀକ୍ଷରେ ମନୁଷ୍ୟର ଦୀର୍ଘଦିନ  ରହଣି

       ତେବେ ପ୍ରଶ୍ନ ହେଉଛି:  ଦୀର୍ଘ 9 ମାସ କାଳ ଅଟକି ରହିଥିବା ମହାକାଶଚାରୀଙ୍କ ରହଣିସ୍ଥଳୀ ସ୍ପେସ ଷ୍ଟେସନ୍ ରେ ଏତେ ଦିନ ପାଇଁ ଖାଦ୍ୟ , ପାନୀୟ ଜଳ, ଔଷଧ  ଆଦି ଅତ୍ୟାବଶ୍ୟକୀୟ ପଦାର୍ଥ  ମହଜୁଦ ଥିଲା କି ? ଉତ୍ତରହଁ, ଥିଲାବୋଲି ଧରାଯିବ; କାରଣ ନିୟମିତ ସମୟ ବ୍ୟବଧାନରେ ଉଭୟ ରୁଷିଆ ଆମେରିକାର ମହାକାଶଯାନ ଗୁଡିକ ପୄଥିବୀରୁ ବିଭିନ୍ନ ଯୋଗାଣ ସାମଗ୍ରୀ ବହନ କରି  ସ୍ପେସ୍ ଷ୍ଟେସନ୍ ସହିତ ସଂଲଗ୍ନ  ହୋଇଥାନ୍ତି I ନିକଟରେ ରୁଷିଆର ଏକ ମାଲବାହୀ ଯାନ ପ୍ରୋଗ୍ରେସ୍-28 ବୈକାନୁର ଅନ୍ତରୀକ୍ଷ କେନ୍ଦ୍ରରୁ ଉତକ୍ଷେପଣ ହୋଇ ପ୍ରାୟ 3 ଟନ୍ ଓଜନର ଖାଦ୍ୟସାମଗ୍ରୀ ଯନ୍ତ୍ରପାତି ନେଇ ସ୍ପେସ୍ ଷ୍ଟେସନ୍ଠାରେ ପହଞ୍ଚି ଥିଲା I ସେହିପରି, ସ୍ପେସ୍-ଏକସ୍ କମ୍ପାନୀର ଅନ୍ୟ ଏକ ଯାନସିଗ୍ନସ୍ନିଜର  ଫାଲ୍କନ୍ -9 ରକେଟ ଜରିଆରେ  ଫ୍ଲୋରିଡାର କାନାଭେରାଲ କେନ୍ଦ୍ରରୁ ଉତକ୍ଷେପଣ ହୋଇ ପ୍ରାୟ 8200 ପାଉଣ୍ଡ ଓଜନର ଖାଦ୍ୟସାମଗ୍ରୀ, ପାନୀୟ ଜଳ , ଔଷଧ ଯନ୍ତ୍ରପାତି ନେଇ ସ୍ପେସ୍ ଷ୍ଟେସନ୍ରେ ସଂଲଗ୍ନ  ହୋଇଥିଲା I  ସେଗୁଡିକ ଫେରନ୍ତା ପଥରେ ସ୍ପେସ୍ ଷ୍ଟେସନ୍ ରୁ ସଂଗୄହୀତ  ଯାତ୍ରୀମାନଙ୍କ  ବର୍ଜ୍ୟବସ୍ତୁ   ଆବର୍ଜନା ସାଙ୍ଗରେ ଧରି ପୄଥିବୀକୁ ଫେରିଛନ୍ତି I ଫେରନ୍ତା ଯାତ୍ରାବେଳେ ଏହି ଆବର୍ଜନାସବୁକୁ ପୄଥିବୀକୁ ନଆଣି ମହାକାଶରେ ନିରାପଦ ଭାବେ ଫିଙ୍ଗି ଦିଆଯାଏ ଯାହା ସମୟକ୍ରମେ ପୃଥିବୀ ଆଡକୁ ଗତିକରି ପୃଥିବୀର ବାୟୁମଣ୍ଡଳ ଘର୍ଷଣ ଜନିତ ତାତିରେ ସମ୍ପୂର୍ଣ୍ଣ ଜଳିଯିବ I ମହାକାଶଚାରୀମାନଙ୍କ ସୁଖଦ ରହଣି ନିମନ୍ତେ ସ୍ପେସ୍ ସ୍ଟେସନ୍ ରେ ଜିମ୍ ସମେତ ଅନେକ ସୁବିଧା ଉପଲବ୍ଧ ଅଛି I ଏହି ଜିମ୍ ରେ ସେମାନେ ନିୟମିତ ବ୍ୟାୟାମ କରି ନିଜ ଶରୀରକୁ ଫିଟ୍ ରଖି ପାରିବେ I ସ୍ପେସ୍ ଷ୍ତେସନ୍ ରେ ମଧ୍ୟ ଟେଲିଭିଜନ୍ ସୁବିଧା ରହିଛି ଯେଉଁଥିରେ ସେମାନେ ନିଜ ମନମୁତାବକ ଚଳଚ୍ଚିତ୍ର  ଦେଖି ପାରିବେ I ଏହାଛଡା ସେଠାରେ ମଧ୍ୟ ମ୍ୟୁଜକ୍ ସିଷ୍ଟମ୍ , ଡିଭିଡି ପ୍ଲେୟାର୍ , ୱାଇ ଫାଇ ଜରିଆରେ ଇଣ୍ଟରନେଟ୍ ସେବା  ଯୋଗାଣ ତଥା ଡିଜିଟାଲ  ଲାଇବ୍ରେରୀର  ମଧ୍ୟ ସୁବିଧା ଅଛି ଯାହା ଦ୍ୱାରା ମହାକାଶଯାତ୍ରୀମନେ ମହାକାଶରେ ଦୀର୍ଘ ଦିନ ରହଣିକାଳ ମଧ୍ୟରେ ମନୋରଞ୍ଜନ ଦ୍ୱାରା ନିଜର ମାନସିକ ସ୍ୱାସ୍ଥ୍ୟ ବଜାୟ ରଖି ପାରିବେ I

        ସୁନିତା ୱିଲମୋର୍ ମହାକାଶରେ ନିଜର ସଂପ୍ରସାରିତ ରହଣିକାଳ ମଧ୍ୟରେ ଖାଲି ନବସି  ମହାକାଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରିବା ସହିତ ସ୍ପେସ୍ ଷ୍ଟେସନ୍ ରକ୍ଷଣାବେକ୍ଷଣ କାର୍ଯ୍ୟରେ  ସହାୟତା ପ୍ରଦାନ କରିଥିଲେ I ପରୀକ୍ଷାଗୁଡିକ ମଧ୍ୟରେ ପ୍ରମୁଖ ଥିଲା ମହାକାଶର ଭାରଶୂନ୍ୟ ପରିସ୍ଥିତିରେ ମନୁଷ୍ୟର ସହନଶୀଳତା ଯାହା ପରବର୍ତ୍ତୀ ସମୟରେ ମହାକାଶରେ ମଣିଷର ସ୍ଥାୟୀ ବସତି ସ୍ଥାପନର ଯୋଜନାରେ ସହାୟକ ହେବ I ପୂର୍ବରୁ ସୁନିତାଙ୍କର ମହାକାଶରେ 300ରୁ ଉର୍ଦ୍ଧ୍ୱ ଦିନ ଅବସ୍ଥାନ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିବାର ଦୀର୍ଘ ଅନୁଭୂତି ରହିଥିଲା I

ସୁନିତା ଉଇଲିୟମସ୍ ଙ୍କ ଜୀବନ ଓ ଯାତ୍ରା

      ସୁନିତା ଉଇଲିୟମସ୍ 1965 ମସିହା ସେପ୍ଟେମ୍ବର 19 ତାରିଖରେ ଯୁକ୍ତରାଷ୍ଟ୍ର ଆମେରିଲାର ଓହିଓ ପ୍ରଦେଶର ୟୁକ୍ଲିଡ୍ ଠାରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କର ପିତା ଦୀପକ ପାଣ୍ଡିଆ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ଜଣେ ଭାରତୀୟ  ଯିଏ ବୄତ୍ତିରେ ଜଣେ ସ୍ନାୟୁ ଡାକ୍ତର ଥିଲେ I ସେ ଗୁଜରାଟ ରାଜ୍ୟର ମେହେସେନା ଜିଲ୍ଲାର ବାସିନ୍ଦା ଥିଲେ I  ତାଙ୍କ ମାଆ ୱିର୍ସିଲିନ୍ ବୋନି ପାଣ୍ଡିଆ  ଆମେରିକା ନାଗରିକତ୍ୱ ଗ୍ରହଣ କରିଥିବା ସ୍ଲୋଭାନିଆ ଦେଶର ଜଣେ ମହିଳା ଥିଲେ I ତାଙ୍କର ପରିବାର ମାସାଚ୍ୟୁସେଟସ୍ ରାଜ୍ୟର ଫାଲମାଉଥ୍ ଠାରେ ବାସ କରୁଥିଲେ I ସେ ପିତାମାତାଙ୍କର ତିନି ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠାରୁ କନିଷ୍ଠା ସଦସ୍ୟା  ଥିଲେ I ଆମେରିକାରେ ତାଙ୍କର ଡାକ ନାମ ଥିଲା ସୁନି’ I

     ସୁନିତାଙ୍କର ପିଲାଦିନରୁ ବିଜ୍ଞାନ ଓ ସାହସିକତା କ୍ଷେତ୍ରରେ ଗଭୀର ଆଗ୍ରହ ଥିଲା I ସୁନିତା 1987 ମସିହାରେ  ଯୁକ୍ତରାଷ୍ଟ୍ର ଆମେରିକାର  ନୌସେନା ଏକାଡେମୀରୁ ପଦାର୍ଥ ବିଜ୍ଞାନ ବିଷୟରେ ଶିକ୍ଷା ଗ୍ରହଣ କରି ସ୍ନାତକ ଡିଗ୍ରୀ ଲାଭ କରିଥିଲେ I ପରବର୍ତ୍ତୀ 1995 ମସିହାରେ, ସେ  ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ଅଫ ଟେକ୍ନୋଲଜିରୁ ଇଞ୍ଜିନିୟରିଙ୍ଗ ପରିଚାଳନା ବିଷୟରେ  ଅଧ୍ୟୟନ କରି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ I

      ସେ 1987 ମସିହାରେ ଆମେରିକା ନୌସେନାରେ ଯୋଗଦାନ କରିଥିଲେ I ନୌସେନାରେ ନିଜର ଦୀର୍ଘ 30 ବର୍ଷ କାର୍ଯ୍ୟକାଳ  ମଧ୍ୟରେ ସେ ଅନେକ ଦାୟିତ୍ୱ ସମ୍ପନ୍ନ ପଦପଦବୀରେ କାର୍ଯ୍ୟକରି 30 ଟି ବିଭିନ୍ନ ବିମାନରେ ସମୁଦାୟ 30,000 ଘଣ୍ଟା କାଳ ଉଡ୍ଡାଣ କରିଥିଲେ I ସେ 1998 ମସିହାରେ ନାସା ଦ୍ୱାରା ମହାକାଶଚାରୀ ରୂପେ ମନୋନୀତ ହେବା ପୂର୍ବରୁ  ଆମେରିକା ନୌସେନାରେ ଜଣେ ସାମରିକ ହେଲିକପ୍ଟର ଚାଳକ ରୂପେ କାର୍ଯ୍ୟ କରୁଥିଲେ I ସେ 2017 ମସିହାରେ ନୌସେନାରୁ ଅବ୍ୟାହତି ନେଇଥିଲେ I

   ସେ 2006 ମସିହାରେ ନିଜର ପ୍ରଥମ ଅନ୍ତରୀକ୍ଷ ଯାତ୍ରାରେ ଏସ୍. ଟି.ଏସ୍. -116 କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଡିସ୍କଭରି ଅନ୍ତରୀକ୍ଷ ସଟଲ ଜରିଆରେ ଇଣ୍ଟରନେସେନାଲ ସ୍ପେସ୍ ଷ୍ଟେସନ୍ ଯାତ୍ରାକରି ସେଠାରେ ପୂର୍ବରୁ ଥିବା ଅଭିଯାନ 14 15 ର ମହାକାଶଚାରୀମାନଙ୍କ ସହିତ ମିଳିତ ହୋଇଥିଲେ I ଏହି ଯାତ୍ରା ସମୟରେ ସେ ଅନ୍ତରୀକ୍ଷରେ ପୄଥିବୀ ଚାରିପଟ କକ୍ଷପଥରେ ସମୁଦାୟ 195 ଘଣ୍ଟା କାଳ ଅବସ୍ଥାନ କରି ବିଶ୍ୱର ପ୍ରଥମ ମହିଳା ମହାକାଶଚାରୀ ରୂପେ ମହାକାଶଯାତ୍ରା କ୍ଷେତ୍ରରେ ଏକ ଅନନ୍ୟ କିର୍ତ୍ତୀମାନ ସ୍ଥାପନ  କରିଥିଲେ I ସେ ମଧ୍ୟ ଯାନ ବାହାରକୁ ଯାଇ ମହାକାଶରେ ସମୁଦାୟ 29 ଘଣ୍ଟା କାଳ ଶୂନ୍ୟରେ ପଦଚାଳନା କରିଥିଲେ I

        ପରବର୍ତ୍ତୀ 2012 ମସିହାରେ, ସୁନୀତା ଦ୍ୱିତୀୟ ଥର ପାଇଁ ମହାକାଶକୁ ଯାତ୍ରା କରିଥିଲେ I ସେ ସେତେବେଳେ   ଅଭିଯାନ 32/33 ର ଅଂଶ ଭାବେ ଅନ୍ତରୀକ୍ଷ କେନ୍ଦ୍ରକୁ  ଏକ  ରୁଷୀୟ ରକେଟ୍ ସୋୟୁଜଜରିଆରେ  ଯାତ୍ରା କରି ସେଠାରେ ପୂର୍ବରୁ କାର୍ଯ୍ୟରତ ଜଣେ ରୁଷୀୟ ଓ ଅନ୍ୟ ଜଣେ  ଜାପାନୀ  ମହାକାଶଚାରୀଙ୍କ ସହ 127 ଦିନ ମହାକାଶରେ ଅବସ୍ଥାନ  କରିଥିଲେ। ଏହି ଅଭିଯାନ କାଳରେ ସେ ପ୍ରଥମକରି  ଅନ୍ତରୀକ୍ଷ କେନ୍ଦ୍ରର କମାଣ୍ଡର୍ ଦାୟିତ୍ୱ  ନିର୍ବାହ କରିଥିଲେ ଏବଂ ଏ କ୍ଷେତ୍ରରେ ସେ ଥିଲେ ଦ୍ୱିତୀୟ ମହିଳା ମହାକାଶଚାରୀ I

     ତାଙ୍କର ଏ ଦୁଇଟି  ଅଭିଯାନରେ, ସେ ମୋଟ 322 ଦିନ ମହାକାଶରେ ଅତିବାହିତ କରି ପ୍ରଥମ ବ୍ୟକ୍ତି ଭାବେ ଏକ ବିରଳ  ରେକଡ ସ୍ଥାପନ କରିଥିଲେ I ସେ ସମୁଦାୟ 9 ଥର 62 ଘଣ୍ଟା 6 ମିନିଟ୍ କାଳ ଅନ୍ତରୀକ୍ଷରେ ପଦଚାଳନା କରିଥିଲେ। ପରବର୍ତ୍ତୀ କାଳରେ,  ସୁନୀତା ନାସାର କମର୍ସିଆଲ୍ ମହାକାଶଯାତ୍ରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ  ବୋଇଙ୍ଗ୍ ର ଷ୍ଟାରଲାଇନର୍ ଅଭିଯାନଗୁଡିକରେ କ୍ରୁ ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ସୁନିତା ତୄତୀୟ ଥର ପାଇଁ 2024 ମସିହା ଜୁନ୍ 5 ତାରିକରେ ବୋଇଙ୍ଗ୍   ଷ୍ଟାରଲାଇନର୍ଅନ୍ତରୀକ୍ଷ ଯାନରେ ଇଣ୍ଟରନେସେନାଲ ସ୍ପେସ୍ ଷ୍ଟେସନ୍ ଯାତ୍ରା କରି ଦ୍ୱିତୀୟ ଥର ଅନ୍ତରୀକ୍ଷ  କେନ୍ଦ୍ରର କମାଣ୍ଡର ଦାୟିତ୍ୱ ତୁଲାଇଥିଲେ I ଏହି ବିରଳ କୄତିତ୍ୱର ଅଧିକାରୀ ହେବା କ୍ଷେତ୍ରରେ ସେ ଥିଲେ ପ୍ରଥମ ମହିଳା ମହାକାଶଚାରୀ I ଆହୁରି ମଧ୍ୟ,  ସେ ଅନ୍ତରୀକ୍ଷକୁ ଯିବା କ୍ଷେତ୍ରରେ କଳ୍ପନା ଚାୱଲାଙ୍କ ପରେ ଥିଲେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ମହିଳା I

       ସୁନିତା ହିନ୍ଦୁ ଧର୍ମାବଲମ୍ବୀ ଏବଂ ସେ 2006 ମସିହାରେ ମହାକାଶ ଯାତ୍ରାବେଳେ ଅନ୍ତରୀକ୍ଷ  କେନ୍ଦ୍ରକୁ ନିଜ ସହିତ ଭଗବତ ଗୀତା ପୁସ୍ତକର ଏକ କପି ଏବଂ 2012 ମସିହାରେ ଓମ୍ଚିହ୍ନର ଏକ ପ୍ରତୀକ ତଥା ଉପନିଷଦର ଏକ କପି ସାଙ୍ଗରେ  ନେଇ  ଯାଇଥିଲେ I  ସେ 2007 ମସିହାରେ ଗୁଜରାଟର ସାବରମତୀ ଆଶ୍ରମ ଭ୍ରମଣ  ପୂର୍ବକ ନିଜର ପୈତୄକ ଗ୍ରାମ  ଝୁଲାସନ ପରିଦର୍ଶନ କରିଥିଲେ I ସେ ନିଜର ସମର୍ପଣ ଭାବ, ଧୈର୍ଯ୍ୟ , ସାହାସିକତା  ଏବଂ ମହାକାଶ ଅନୁସନ୍ଧାନରେ ଅଭୂତପୂର୍ବ ପାରଦର୍ଶିତା ନିମନ୍ତେ ସମଗ୍ର ବିଶ୍ୱର ଆକାଂକ୍ଷୀ ମହାକାଶଯାତ୍ରୀ ଓ ମହାକାଶପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି I ଗତ 2008 ମସିହାରେ ଭାରତ ସରକାରଙ୍କ ତରଫରୁ  ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରା ଯାଇଥିଲା I

     

 

                                                                                 ଏଜୁକେଶନ୍ ଅଫିସର

                                                                                  ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

                                                                                    ଭୋପାଳ

                                                                                        

           

           

 The Dharitri dated 21.04.25



Link: https://drive.google.com/file/d/1OSOEHtpUymyHaMWfPgHC81HiezIUBPOW/view?usp=sharing


 Bigyana Diganta  June 2025:

https://drive.google.com/file/d/1rkH5ReE9B6z_T07yF_VnIUOL4GrDOh8f/view?usp=sharing

 

 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା