ଜହ୍ନ ରାଇଜକୁ ଯାତ୍ରା ARTEMIS MISSION ODIYA
ଜହ୍ନ ରାଇଜକୁ ଯାତ୍ରା
ନିକୁଞ୍ଜ ବିହାରୀ ସାହୁ
ଯୁକ୍ତରାଷ୍ଟ୍ର ଆମେରିକା ଚନ୍ଦ୍ରକୁ ତା’ର ଶେଷ ମାନବଯୂକ୍ତ ଅଭିଯାନ
‘ଆପୋଲୋ -17’ ବିଗତ 1972 ମସିହାରେ ପ୍ରେରଣ କରିଥିଲା I ଏହାର ଠିକ 50 ବର୍ଷ ପରେ
ଆମେରିକୀୟ ଅନ୍ତରୀକ୍ଷ ସାଙ୍ଗଠନ ‘ନାସା’ ଚନ୍ଦ୍ରକୁ ଆଉ ଏକ
ମାନବଯୁକ୍ତ ଅଭିଯାନ ପ୍ରେରଣ କରିଛି l ଏହି ଅଭିଯାନର ନାମ ଆର୍ଟେମିସ୍ (Artemis)
l ଏହି ଅଭିଯାନ ଜରିଆରେ ଚନ୍ଦ୍ରପୃଷ୍ଠର ବିସ୍ତୃତ ଅନୁସନ୍ଧାନ ବ୍ୟତୀତ ସୁଦୂର ଅନ୍ତରୀକ୍ଷର ଦୂର ତାରାଗ୍ରହକୁ ଯାତ୍ରା କରିହେବ ବୋଲି ନାସା ଆଶା ବାନ୍ଧିଛି I ଏହି ଶୃଙ୍ଖଳାର ଦ୍ୱିତୀୟ ଅଭିଯାନ ଆର୍ଟେମିସ୍-2କୁ ଗତ ଅପ୍ରେଲ
1 ତାରିଖରେ ଫ୍ଲୋରିଡା ସ୍ଥିତ କେନେଡି ଅନ୍ତରିକ୍ଷ
କେନ୍ଦ୍ରରୁ
ଉତକ୍ଷେପଣ କରାଯାଇଛି I ଏହି ଅଭିଯାନ ଅନ୍ତରୀକ୍ଷରେ ଦୀର୍ଘ ଦଶ ଦିନ ଯାତ୍ରା କଲା ପରେ ଏବେ ଚାରି ଜଣ ମହାକାଶଚାରୀଙ୍କୁ
ନେଇ ସୁରକ୍ଷିତ ପୄଥିବୀ ପ୍ରତ୍ୟବର୍ତ୍ତନ କରିଛି I ଏହି ଅଭିଯାନରେ ମହାକାଶଚାରୀମାନେ
ଅନ୍ତରୀକ୍ଷରେ ଜୀବନ ବଞ୍ଚିବା ପ୍ରକ୍ରିୟା ଉପରେ ଅନେକ ପରୀକ୍ଷା ନିରୀକ୍ଷା ସମ୍ପାଦନ ପୂର୍ବକ ମାନବ ନିମନ୍ତେ ଅନ୍ତରୀକ୍ଷରେ ସବୁଠାରୁ ଦୂରପଥ ଯାତ୍ରା କରି
ଏକ ଅନନ୍ୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି I ନାସାର ଏହି ଆର୍ଟେମିସ୍ ଅଭିଯାନ ଦ୍ୱାରା ରୂପେଲି ଜହ୍ନ ରାଇଜର ଅନେକ ରହସ୍ୟ ରୋମାଞ୍ଚଭରା ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଆଶା କରାଯାଏ I
ଏହି ଅଭିଯାନକୁ ଗ୍ରୀକ ପୁରାଣର ଚନ୍ଦ୍ର ତଥା ବନ୍ୟଶିକାରର ଦେବୀ ‘ଆର୍ଟେମିସ୍ ’ଙ୍କ ନାମ ଅନୁସାରେ ନାମିତ କରା ଯାଇଛି I ଗ୍ରୀକ ପୂରାଣରେ ଆର୍ଟେମିସ୍ ଙ୍କୁ ସୂର୍ଯ୍ୟ, ଆଲୋକ ତଥା ଜ୍ଞାନର ଦେବତା ଆପୋଲୋ (Apollo) ଙ୍କ ଯମଜ ଭଗିନୀ ତଥା ଶିକାରୀ ପୁରୂଷ ଓରିଓନ (Orion) ର ସାଥୀ ରୂପେ ବର୍ଣ୍ଣନା କରାଯାଏ I ସୂଚନାଯୋଗ୍ୟ୍ୟ ଯେ, ନାସାର ପ୍ରଥମ ଚନ୍ଦ୍ର ଅଭିଯାନ ଗ୍ରୀକ୍ ଦେବତା ଆପୋଲୋଙ୍କ ନାମ
ଅନୁସାରେ ନାମିତ କରା ଯାଇଥିଲା I
ଚନ୍ଦ୍ର ଅଭିଯାନର ଇତିହାସ
ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଉଭୟ ଋଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି I ରୁଷିଆର ଏକ ଯାନ ଲୁନା -2, 1959 ମସିହା ସେପ୍ଟେମ୍ବର 14 ତାରିଖରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା I ଏହି ସିରିଜର ପରବର୍ତ୍ତୀ ଯାନ ଲୁନା -3 ସେହି 1959 ମସିହା ଅକ୍ଟୋବର 7 ତାରିଖରେ ଚନ୍ଦ୍ର ଚାରିପଟେ ଘୁରିଘୁରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରିଥିଲା I ଋଷିଆର ଅନ୍ୟ ଦୁଇଟି ଯାନ ଲୁନା -9 ଓ ଲୁନା -17, 1966 ମସିହାରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୋଇଥିଲେ I ଚନ୍ଦ୍ର ଅଭିଯାନରେ ଏପର୍ଯ୍ୟନ୍ତ ପଛରେ ପଡ଼ିଥିବା ଯୁକ୍ତରାଷ୍ଟ୍ର ଆମେରିକା ଆପୋଲୋ କାର୍ଯ୍ୟକ୍ରମ ଭଳି ଏକ ମନୁଷ୍ୟ ଯୁକ୍ତ ଅଭିଯାନକୁ ହାତକୁ ନିଏ I ଏହାର ଏକ ଅଭିଯାନ ଆପୋଲୋ-8 ଜରିଆରେ ତିନି ଜଣ ମହାକାଶଚାରୀ 1968 ମସିହା ଡିସେମ୍ବର 24 ତାରିଖ ଦିନ ଚନ୍ଦ୍ରକୁ ସଫଳତା ପୂର୍ବକ ପରିକ୍ରମା କରିବାକୁ ସକ୍ଷମ ହୋଇଥିଲେ I ମାତ୍ର ଚନ୍ଦ୍ର ଅଭିଯାନ କ୍ଷେତ୍ରରେ
ଏକ ଯୁକ୍ତରାଷ୍ଟ୍ର
ଆମେରିକା ଓ ସମଗ୍ର ବିଶ୍ୱ ପାଇଁ ଏକ ଅବିସ୍ମରଣୀୟ
ଦିନ ଥିଲା 1969 ମସିହା ଜୁଲାଇ 20 ତାରିଖ: ଏହି ଦିନ ତିନି ଜଣ ମହାକାଶଚାରୀଙ୍କୁ ନେଇ ଯାଇଥିବା ଏକ ଅଭିଯାନ ‘ଆପୋଲୋ -11’ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଚନ୍ଦ୍ର କକ୍ଷରେ
ପ୍ରବେଶ ପୂର୍ବକ ସେଥିରୁ ବାହାରି ମହାକାଶଚାରୀ ନେଲ୍ ଆର୍ମଷ୍ଟ୍ରଙ୍ଗ ସର୍ବପ୍ରଥମ
ମାନବ ରୂପେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିଥିଲେ I ପରବର୍ତ୍ତୀ 1970 ମସିହା ନଭେମ୍ବର 17 ତାରିଖରେ, ଋଷିଆ ଚନ୍ଦ୍ର ପୃଷ୍ଠକୁ ଏକ ସଫଳ ଅଭିଯାନ ପ୍ରେରଣ କରିଥିଲା I ଏଥିରୁ ଏକ ଚକଲଗା ଗାଡି (ନାମ : ଲୁନାଖୋଡ଼-1) ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିଥିଲା I ଯୁକ୍ତରାଷ୍ଟ୍ର ଆମେରିକା 1972 ମସିହା ଡିସେମ୍ବର ମାସରେ ଆପୋଲୋ -17 ଯାନ ଜରିଆରେ ଚନ୍ଦ୍ରକୁ ନିଜର ଶେଷ ଅଭିଯାନ ପ୍ରେରଣ କରିଥିଲା I ଇତି ମଧ୍ୟରେ, ରୁଷିଆର ଅନ୍ୟ ତିନୋଟି ଅଭିଯାନ ଯଥା ଲୁନା -16, ଲୁନା - 20 ଓ ଲୁନା -24 ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ 6ଟି ଅଭିଯାନ (ଯଥା ଆପୋଲୋ -11 ରୂ ଆପୋଲୋ - 17: ଆପୋଲୋ-13 ବ୍ୟତୀତ) ଚନ୍ଦ୍ର ପୃଷ୍ଠରୁ ଶିଳାପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ସକ୍ଷମ ହୋଇଛନ୍ତି I ଆଗାମୀ 2039 ବେଳକୁ ଚାଇନା
ମଧ୍ୟ ଚନ୍ଦ୍ରକୁ ଏକ ମାନବଯୁକ୍ତ ଅଭିଯାନ ପ୍ରେରଣ କରିବାକୁ ଆଶା ରଖିଛି I
ଆର୍ଟେମିସ୍ ଅଭିଯାନର ଅଭିପ୍ରାୟ
ଆର୍ଟେମିସ୍ ଅଭିଯାନର ଅଭିପ୍ରାୟ ବିଗତ ଆପୋଲୋ ଅଭିଯାନଠାରୁ ସମ୍ପୂର୍ଣ ଭିନ୍ନ ହେବ: ଆପୋଲୋ ଅଭିଯାନ ଚନ୍ଦ୍ରପୃଷ୍ଠକୁ ସଂକ୍ଷିପ୍ତ ପରିଦର୍ଶନ ନିମନ୍ତ ଉଦ୍ଦିଷ୍ଟ ଥିଲାବେଳେ ଆର୍ଟେମିସ୍ ଅଭିଯାନ ଦ୍ୱାରା ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଦୀର୍ଘ ଦିନ ଅବସ୍ଥାନ କରି ଚନ୍ଦ୍ରର ବିସ୍ତୃତ ଅନୁସନ୍ଧାନ କରିବେ ବୋଲି ଆଶା କରାଯାଏ I ଏହି ଅଭିଯାନକୁ ଭିତ୍ତି କରି ମଙ୍ଗଳ
କିମ୍ବା ଅନ୍ୟ ଦୂର ଗ୍ରହକୁ ମଧ୍ୟ ମାନବଯୁକ୍ତ ଅଭିଯାନମାନ ପ୍ରେରଣ କରାଯାଇପାରିବ I ବୈଜ୍ଞାନିକ ଦୃଷ୍ଟିରୁ, ଏହି କାର୍ଯ୍ୟକ୍ରମ ମଧ୍ୟ ଚନ୍ଦ୍ର
ପୄଷ୍ଠରେ ଗଛିତ ବିରଳ ଖଣିଜ ଭଣ୍ଡାରର ସନ୍ଧାନ ଏବଂ ଉତ୍ତୋଳନ ନିମନ୍ତେ ପ୍ରୟାସ କରିବ । ଅର୍ଥନୈତିକ
ଦୃଷ୍ଟିରୁ, ଏହି କାର୍ଯ୍ୟକ୍ରମ ସ୍ପେସ-ଏକ୍ସ, ବ୍ଲୁ-ଅରିଜିନ୍ ଏବଂ ବୋଇଂ ଭଳି ବିଶ୍ୱସ୍ତରୀୟ ଘରୋଇ କମ୍ପାନୀ ମାନଙ୍କ ସହିତ ଅନ୍ତରୀକ୍ଷ ଅନୁସନ୍ଧାନ କ୍ଷେତ୍ରରେ ସହଭାଗିତାର ଭିତ୍ତିପ୍ରସ୍ତର ସ୍ଥାପନ କରିବ।
ରକେଟ୍ ଓ କ୍ୟାପସୁଲ୍
ଏହି ଅଭିଯାନରେ ଏକ ଶକ୍ତିଶାଳୀ ରକେଟ ଅନ୍ତର୍ଭୁକ୍ତ ଅଛି ଯାହା ମାନବ କିମ୍ବା ଯନ୍ତ୍ରାବଳି ସ୍ଥାନିତ ଥିବା ଏକ କ୍ୟାପସୁଲକୁ ନେଇ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରି ପାରିବ I ଏହି ରକେଟର ନାମ: ସ୍ପେଶ ଲଞ୍ଚ ସିଷ୍ଟମ (SLS) I ଏହାର ଊଚ୍ଚତା 332 ଫୁଟ ,ବ୍ୟାସ 27.6 ଫୁଟ ଏବଂ ଓଜନ : 210 ଟନ୍ I ଏହା ସର୍ବାଧିକ 27 ଟନ୍ ଓଜନର ଭାର ବହନ କରି ଯାତ୍ରା କରିବାରେ ସକ୍ଷମ I ଏହାକୁ ଗତି ପ୍ରଦାନ କରିବା ପାଇଁ ମୂଖ୍ୟ 4ଟି କ୍ରାୟୋଜେନିକ୍
ଇଂଜିନ ଖଞ୍ଜା ଅଛି ଯାହା ଅତି ଦକ୍ଷତାପୂର୍ଣ୍ଣ ଭାବରେ ମହାକାଶର ଅତି ଶୀତଳ ତାପମାତ୍ରାରେ କାର୍ଯ୍ୟ କରି ପାରିବ I ଏହା ବିଶ୍ୱର ସବୁଠାରୁ ଉଚ୍ଚା, ଶକ୍ତିଶାଳୀ ଓ ଅଧିକ ଭାର ବହନ କରି ପାରୁଥିବା ରକେଟ I
ଏହି ରକେଟ ନିଜର ଅଗ୍ରଭାଗରେ ମନୁଷ୍ୟ ଥିବା ଏକ କ୍ୟାପସୁଲକୁ ବହନ କରି ଚନ୍ଦ୍ର ଅଭିମୁଖେ ଯାତ୍ରା କରି ପାରିବ
I ଏହି କ୍ୟାପସୁଲର
ନାମ ଓରିଓନ (Orion) ରଖାଯାଇଛି ଯାହାର ଓଡ଼ିଆରେ ନାମ କାଳପୁରୁଷ I କ୍ୟାପସୁଲ୍ ମଧରେ ମନୁଷ୍ୟ ଅବସ୍ଥାନ କରି ମହାକାଶରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ସମସ୍ତ ବ୍ୟବସ୍ଥା ଅଛି I ଏହା ମଧ୍ୟ ଅନ୍ତରୀକ୍ଷରୁ ମହାକାଶଚାରୀଙ୍କୁ ନେଇ ପୃଥିବୀର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ସୁରକ୍ଷିତ ଅବତରଣ କରି ପାରିବ I ଏଥିରେ 6 ଜଣ ମହାକାଶଚାରୀ ଏକସମୟରେ ଆରୋହଣ କରି ଏକ ନିମ୍ନ ପୃଥିବୀୟ କକ୍ଷପଥ (Lower Earth Orbit) ରେ 21 ଦିନ କାଳ ଅବସ୍ଥାନ କରିପାରିବେ
I ଶକ୍ତି ଆହରଣ ନିମନ୍ତେ ଏଥିରେ ସୌରଫଳକ ଏବଂ ଗତି ପ୍ରଦାନ ନିମନ୍ତେ ମୂଖ୍ୟ ଇଂଜିନ ସମେତ ସମୁଦାୟ 8ଟି ସହାୟକ ଇଂଜିନ ସ୍ଥାନିତ ଅଛି I ଏହାର ଉତକ୍ଷେପଣ କାଳୀନ ଓଜନ 26,520 କି. ଗ୍ରା. I ଏହି କ୍ୟାପସୁଲକୁ ମଧ୍ୟ ଅନେକ ଥର ବ୍ୟବହାର କରି ଅଭିଯାନ ଖର୍ଚ୍ଚ ହ୍ରାସ କରାଯାଇପାରିବ I
ଅଭିଯାନ
ପ୍ରଥମ ଆର୍ଟେମିସ୍ ଅଭିଯାନ ‘ଆର୍ଟେମିସ୍ -1’ ବିଗତ ନଭେମ୍ବର 16, 2022 ତାରିଖରେ ଉତକ୍ଷେପଣ ହୋଇ
ଅନ୍ତରୀକ୍ଷରେ 25.5 ଦିନ କାଳ ଉଡ଼ାଣ କରିଥିଲା I ଏହାର ଏକ ମାନବ ବିହୀନ କ୍ୟାପସୁଲ୍ ‘ଓରିଓନ’ ଚନ୍ଦ୍ରପୃଷ୍ଠରୁ ପ୍ରାୟ 70,000 କିଲୋମିଟର ଦୂରରେ ରହି ଚନ୍ଦ୍ରକୁ ପରିକ୍ରମା କରିଥିଲା। ଏହା ମଧ୍ୟ ଆଗାମୀ ଯାତ୍ରା
ପାଇଁ ଗଭୀର ଅନ୍ତରୀକ୍ଷରେ ଯାତ୍ରୀ ବିହୀନ ଓରିଅନ୍ କାପସୁଲର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ସମ୍ପର୍କରେ
ପରୀକ୍ଷା ନିରୀକ୍ଷା କରିଥିଲା। ଏହି କ୍ୟାପସୁଲ ଚନ୍ଦ୍ରକୁ ପରିକ୍ରମା କଲାପରେ ନିରାପଦରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଥିଲା I
ପ୍ରଥମ ଆର୍ଟେମିସ୍ ଅଭିଯାନ
ପରେ ଦ୍ଵିତୀୟ ଅଭିଯାନ ଆର୍ଟେମିସ୍ -2 ଗତ ଅପ୍ରେଲ 1 ତାରିଖରେ ଯାତ୍ରାରମ୍ଭ କରିଥିଲା I ଏହା ଚନ୍ଦ୍ର କକ୍ଷପଥରେ ମାନବ ଯୁକ୍ତ ଏକ ‘ଓରିଓନ୍’ କ୍ୟାପସୁଲ୍
ସ୍ଥାପନ ପୂର୍ବକ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଅବତରଣ
ନକରି ଚନ୍ଦ୍ରକୁ ପରିକ୍ରମା କରିଥିଲେ I ସେମାନେ ନିଜ ଯାତ୍ରାକାଳରେ ଚନ୍ଦ୍ରକୁ ଅତି ନିକଟ ଦୂରତାରେ
ଅତିକ୍ରମ କରି (ନିକଟତମ ଦୂରତା : 6513 କି.ମି.) ଚନ୍ଦ୍ରର ଦୂର ପାର୍ଶ୍ୱର ଉଚ୍ଚ ବିଭେଦନଶୀଳ ଫଟୋ ଉତ୍ତୋଳନ କରିଥିଲେ ଏବଂ ସେହି କ୍ୟାପସୁଲ ଜରିଆରେ ପୃଥିବୀକୁ ଫେରି ଆସିଥିଲେ I ଏହି ଶୃଙ୍ଖଳାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆର୍ଟେମିସ୍ -4 ଅଭିଯାନ 2028 ମସିହାରେ ଯାତ୍ରାରମ୍ଭ କରିବ I ଏଥିରେ ଜଣେ ମହିଳା ମହାକାଶଚାରୀଙ୍କ ସମେତ ସମୁଦାୟ ଚାରି ଜଣ ଯାତ୍ରୀ ସ୍ଥାନିତ
ହେବେ I ସେମାନେ ଓରିଓନ୍ କ୍ୟାପସୁଲ୍
ଜରିଆରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ I ସେମାନେ ଚନ୍ଦ୍ରପୃଷ୍ଠରେ ପ୍ରୟ 6 ଦିନ କାଳ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ସମ୍ପାଦନ ପୂର୍ବକ ସେହି ଓରିଓନ୍ କ୍ୟାପସୁଲ୍ ଜରିଆରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ I ପରବର୍ତ୍ତୀ ଆର୍ଟେମିସ୍ ଅଭିଯାନଗୁଡିକ ଜରିଆରେ ଚନ୍ଦ୍ରପୃଷ୍ଠରେ ମନୁଷ୍ୟର ଏକ ସ୍ଥାୟୀ ଘାଟୀ ପ୍ରତିଷ୍ଠା କରାଯିବ ଏବଂ ସେଠାକୁ ବିସ୍ତୃତ ଅନୁସନ୍ଧାନ
ନିମନ୍ତେ ବହୁସଂଖ୍ୟକ ଭାରୀ ଉପକରଣ, ଯନ୍ତ୍ରମାନବ ଓ ସେନ୍ସର ପୃଥିବୀରୁ ନିୟମିତ ଭାବେ ପ୍ରେରଣ କରାଯିବ I ଏହି ସୁବିଶାଳ ଭିତ୍ତିଭୂମିକୁ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ରକୁ ବିସ୍ତୃତ ଅନୁଧ୍ୟାନ କରିବା ସାଙ୍ଗକୁ ମଙ୍ଗଳ ତଥା ଅନ୍ତରୀକ୍ଷର ଅନ୍ୟ ଗଭୀରତମ ଇଲାକାକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେବେ I
ସୁତରାଂ ଆର୍ଟେମିସ୍ ଅଭିଯାନ କେବଳ
ଏକ ଯାତ୍ରା ନୁହେଁ; ଏହା ପ୍ରକୃତିର ରହସ୍ୟ ତଥା ମଣିଷ ସଭ୍ୟତା ନିମନ୍ତେ ପୄଥିବୀ ବାହାରେ ଏକ ନୂତନ ଦୁନିଆ
ଉନ୍ମୋଚନ ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ପ୍ରୟାସ ।
ଏ ବିଶାଳ ବିଶ୍ୱରେ ମାନବଜାତିର ନିରନ୍ତରତା ଏବଂ ବିଜୟଯାତ୍ରା ବଜାୟ ରଖିବା ପାଇଁ ଆମର ଜୀବନକ୍ଷେତ୍ରକୁ
ପୃଥିବୀର ସୀମା ବାହାରକୁ ଉତ୍ତରଣ କରାଯିବା ଉଚିତ । ଏହି ମହତ୍ତର ଲକ୍ଷ୍ୟରେ ଚନ୍ଦ୍ର କଦାପି ଆମର ଶେଷ ଗନ୍ତବ୍ୟସ୍ଥଳ ନୁହେଁ, ବରଂ ଏକ ନୂତନ ରାଇଜ ଯେଉଁଠାରୁ ଆମେ ଅନନ୍ତ ବ୍ରହ୍ମାଣ୍ଡର ଦୂର ତାରାଗ୍ରହମାନଙ୍କୁ ଯାତ୍ରା
କରି ପାରିବା। ଆର୍ଟେମିସ୍ ଶୃଙ୍ଖଳା ମଣିଷର ଏହି ସୁଦୂର
ଲକ୍ଷ୍ୟକୁ ବାସ୍ତବତାରେ ରୂପାୟନ ପୂର୍ବକ ଏକ ନୂତନ
ଦିଗନ୍ତ ପ୍ରଦାନ କରିବାର ପ୍ରତିଶ୍ରୁତି ବହନ କରେ !
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର
ଫୋନ୍ : 8917637974
The Nitidin dated 23.04.26





Comments
Post a Comment