ବାୟୁ ପ୍ରଦୁଷଣ ବଳୟରେ ରାଜଧାନୀ ଦିଲ୍ଲୀ AIR POLLUTION IN DELHI (Updated as on 23.11.26)
ବାୟୁ ପ୍ରଦୁଷଣ ବଳୟରେ ରାଜଧାନୀ ଦିଲ୍ଲୀ ନିକୁଂଜ ବିହାରୀ ସାହୁ
ଇତି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୁଷଣର ମାତ୍ରା କ୍ରମାଗତ ବୄଦ୍ଧି ପାଇବାରେ ଲାଗିଛି I ମହାନଗରୀର ସମଗ୍ର ବାତାବରଣକୁ ସକାଳ ସମୟରେ ଘନ କୁହୁଡିର ଏକ ଆସ୍ତରଣ ଘେରି ରହୁ ଥିବାର ଦେଖା ଯାଉଛି I ଏହାଦ୍ୱାରା ବାତାବରଣର ଦୄଶ୍ୟତା (Visibility) ହ୍ରାସ ପାଇବା ସାଙ୍ଗକୁ ଶ୍ୱାସରୁଦ୍ଧ ପରିସ୍ଥିତି ସୄଷ୍ଟି ହେଉଛି I ଦିଲ୍ଲୀରେ ଦୀପାବଳି ପରଠାରୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇ ଏବେ ‘ବାୟୁ ଗୁଣବତ୍ତା ସୂଚକାଙ୍କ’ (Air Quality Index- AQI) ମୂଲ୍ୟ 400ରୁ ଉର୍ଦ୍ଧ୍ୱରେ ଅର୍ଥାତ ‘ଗୁରୁତର’ କିମ୍ବା ‘Severe’ ସୀମା ମଧ୍ୟରେ ରହୁଛି I ରାଜଧାନୀରେ ବାୟୁ ପ୍ରଦୁଷଣର ଏପରି ଅଧୋଗତି ପାଇଁ କିଛି ବର୍ଷ ତଳେ ମାନ୍ୟବର ସୁପ୍ରିମ କୋର୍ଟ ଘୋର ଉଦବେଗ ପ୍ରକାଶ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ଓ ଜରୁରୀକାଳୀନ ଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ I ଏହି ନିର୍ଦ୍ଦେଶକୁ ଅନୁପାଲନ କରି କରି ଦିଲ୍ଲୀ ସରକାର ବିଦ୍ୟାଳୟଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବା ସହିତ ସରକାରୀ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବା (Work From Home)କୁ ପରାମର୍ଶ ଦେଇଥିଲେ I ଏହାଛଡା ରାଜଧାନୀରେ ଅଣଜରୁରୀ କାର୍ଯ୍ୟରେ ପ୍ରବେଶ କରୁଥିବା ଟ୍ରକ୍ ଗୁଡିକର ଗତିବିଧି ଉପରେ ମଧ୍ୟ ନିଷେଧାଦେଶ ଲାଗୁ କରାଯାଇଥିଲା I ଏ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ପଦାରେ ଖେଳକୁଦ କ୍ରିୟା ଉପରେ ନିଷେଦ୍ଧାଦେଶ ଜାରି କରିବା ସହିତ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶମତେ ପ୍ରଦୁଷଣ ନିରୋଧ ସଂକ୍ରାନ୍ତୀୟ ‘ପର୍ଯ୍ୟାୟଭୁକ୍ତ ପ୍ରତିକ୍ରିୟା କାର୍ଯ୍ୟପନ୍ଥା ଯୋଜନା GRAP (Graded Response Action Plan)’ ର ନିୟମାବଳିକୁ ଅଧିକ କଠୋର କରିଛନ୍ତି।
କୌଣସି ସ୍ଥାନୀୟ ଅଞ୍ଚଳର ବାୟୁର ଗୁଣବତ୍ତା ବାୟୁରେ ଭାସମାନ ସୂକ୍ଷ୍ମ କଣିକା ପଦାର୍ଥ (Suspended Particulate Matter-SPM)ର ଉପସ୍ଥିତିର ମାତ୍ରା ଉପରେ ନିର୍ଭରଶୀଳ I ଚଳିତ ଶୀତଋତୁରେ ଦିଲ୍ଲୀର ବାୟୁମଣ୍ଡଳରେ ସବୁଠାରୁ ବିପଜ୍ଜନକ ଭାସମାନ କଣିକା ପଦାର୍ଥ-2.5 (SPM-2.5) ର ହାରାହାରି ମୂଲ୍ୟ 200 ମାଇକ୍ରୋଗ୍ରାମ/ଘନ ମିଟର ଅଙ୍କ ଉପରେ ଅବସ୍ଥାନ କରୁଛି ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଧାଯ୍ୟ ନିରାପଦ ସ୍ତରଠାରୁ ପ୍ରାୟ 15 ଗୁଣ ଅଧିକ I ଏହି କଣିକାସବୁ ଏତେ ସୂକ୍ଷ୍ମ ଯେ ଏହା ସହଜରେ ଶ୍ୱାସନଳୀ ମଧ୍ୟରେ ପ୍ରବେଶକରି କୋଷିକା ମାନଙ୍କୁ ଅବରୋଧ କରି ପାରନ୍ତି । ଏପରି ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଦିନକୁ 50ଟି ସିଗାରେଟର ଧୂମପାନ କରିବା ସଙ୍ଗେ ସମାନ I ଦିଲ୍ଲୀର ଏଭଳି ବାୟୁମଣ୍ଡଳୀୟ ଅବସ୍ଥାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ହିଟଲରଙ୍କ କୁଖ୍ୟାତ ମୄତ୍ୟୁ ଶିବିର (Hitler’s Death Camp) ସହିତ ତୁଳନା କରାଯାଉଛି ଯେଉଁଠି ହଜାର ହଜାର ଇହୁଦୀଙ୍କୁ ନିର୍ଦ୍ଦୟ ଭାବେ ରୁଦ୍ଧ କୋଠରୀ ମଧ୍ୟରେ ବନ୍ଦୀ କରି ବିଷାକ୍ତ ଗ୍ୟାସ୍ ପ୍ରୟୋଗ ଜରିଆରେ ହତ୍ୟା କରାଯାଇଥିଲା I
ଦିଲ୍ଲୀରେ ପ୍ରତି ବର୍ଷ ଶୀତ ରୁତୁର ପ୍ରାରମ୍ଭରେ ନିମ୍ନ ତାପମାତ୍ରା ଯୋଗୁଁ ବାୟୁପ୍ରବାହର ବେଗ ହ୍ରାସ ପାଉଥିବାରୁ ବାୟମଣ୍ଡଳରେ ପ୍ରଦୁଷକ ପଦାର୍ଥସବୁ ସଞ୍ଚାଳିତ ହୋଇନପାରି ବାୟୁ ପ୍ରଦୁଷଣର ଏପରି ଚରମ ଦୂରବସ୍ଥା ପରିଲକ୍ଷିତ ହୋଇଥାଏ I ଏଥିପାଇଁ ଆଖପାଖର ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତିକେନ୍ଦ୍ରସବୁରୁ ଉତ୍ସର୍ଜିତ କଣିକା ପଦାର୍ଥ , ନିର୍ମାଣ ସ୍ଥଳୀସବୁରୁ ନିର୍ଗତ ଧୂଳି ଓ ଗୁଣ୍ଡ , ଗାଡିମଟରରୁ ନିଷ୍କାସିତ ଧୂଆଁ ତଥା ଆବର୍ଜନାର ଖୋଲା ଦହନ ଦ୍ୱାରା ନିର୍ଗତ ପାଉଁଶ ଦାୟୀ I ଏ କ୍ଷେତ୍ରରେ ଏକ ବଡ କାରକ ହେଲା ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାର କୄଷକମାନଙ୍କର ଶସ୍ୟ ଅମଳ ପରେ ଅବଶେଷସବୁକୁ ଜମିରେ ପୋଡି ଦେବା ଦ୍ୱାରା ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ବିପୁଳ କଣିକା ପଦାର୍ଥ I ଆହୁରି ମଧ୍ୟ, ଏ ସମୟରେ ଦୀପାବଳି ପର୍ବ ପଡୁଥିବାରୁ ଲୋକେ ବାଣ ଫୁଟାଇବା ଦ୍ୱାରା ସେଥିରୁ ନିର୍ଗତ ଧୂଆଁ ଓ କଣିକା ପଦାର୍ଥ ବାୟୁ ପ୍ରଦୁଷଣର ମାତ୍ରାକୁ ତ୍ୱରାନିତ କରିଥାଏ I ଚଳିତ ବର୍ଷ ଦୀପାବଳୀରେ ଦିଲ୍ଲୀ ସରକାର ଫୋଟକା ଫୁଟାଇବାର ନିୟମରେ କୋହଳ କରିଥିବାରୁ ଦୀପାବଳି ରାତିରେ ଲୋକଙ୍କ ବିପୁଳ ଫୋଟକା ବ୍ୟବହାର ଦ୍ୱାରା ବାୟୁ ପ୍ରଦୂଷଣର ମାତ୍ରା ଆଶାତୀତ ବୃଦ୍ଧି ପାଇ ବାୟୁ ଗୁଣବତ୍ତା ସୂଚକାଙ୍କ 488 ମୂଲ୍ୟ ଅର୍ଥାତ ‘ଅତି ଗୁରୁତର -ଜରୁରୀ’ ସ୍ଥିତିରେ ପହଞ୍ଚି ଯାଇଥିଲା।
କୌଣସି ସ୍ଥାନର ‘ବାୟୁ ଗୁଣବତ୍ତା ସୂଚକାଙ୍କ (AQI)’ ମାନ 0 ରୁ 50 ମୂଲ୍ୟ ମଧ୍ୟରେ ରହିଲେ ‘ଉତ୍ତମ (Good)’, 51 ରୁ 100 ମଧ୍ୟରେ ରହିଲେ ‘ସନ୍ତୋଷଜନକ (Satisfactory)’, 100 ରୁ 200 ମଧ୍ୟରେ ରହିଲେ ‘ମୄଦୁ (Moderate)’, 201 ରୁ 300 ମଧ୍ୟରେ ରହିଲେ ‘ଖରାପ (Poor)’, 301 ରୁ 400 ମଧ୍ୟରେ ରହିଲେ ‘ଅତି ଖରାପ (Very Poor)’, 401 ରୁ 500 ମଧ୍ୟରେ ରହିଲେ ‘ଗୁରୁତର (Severe)’ ଏବଂ 500 ରୁ ଉର୍ଦ୍ଧ୍ୱରେ ରହିଲେ ‘ଅତି ଗୁରୁତରଯୁକ୍ତ ଜରୁରୀ (Severe Plus Emergency)‘ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଏ I ଚଳିତ ଦୀପାବଳି ପରଠାରୁ ଦିଲ୍ଲୀର ‘ବାୟୁ ଗୁଣବତ୍ତା ସୂଚକାଙ୍କ’ ମାନର ଅଧୋଗତି ଘଟି କ୍ରମାଗତ ଭାବେ ‘ଖରାପ', 'ଅତି ଖରାପ’ ତଥା 'ଗୁରୁତର' ଶ୍ରେଣୀ ମଧ୍ୟରେ ଅବସ୍ଥାନ କରୁଛି ଏବଂ ଆଗାମୀ ଦିନରେ ଆହୁରି ଏହା ଆହୁରି ଶୋଚନୀୟ ଅବସ୍ଥା ପ୍ରାପ୍ତ ହୋଇ ‘ଅତି ଗୁରୁତର ଜରୁରୀ' ସ୍ଥିତି ଆଡକୁ ଗତି କରିବାର ଆଶଙ୍କା ପ୍ରକାଶ ପାଉଛି I ଏପରି ବିଷାକ୍ତ ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ କ୍ଷତିକାରକ ଏବଂ ଏହାଦ୍ୱାରା ବିଶେଷକରି ବୟସ୍କମାନେ ବିଭିନ୍ନ ଶ୍ୱାସ ଜନିତ ବ୍ୟାଧି ଯଥା ଆଜମା, ବ୍ରୋଙ୍କାଇଟିସ, ନିଉମୋନିଆ ଏବଂ ଫୁସଫୁସ୍ କର୍କଟ ରୋଗର ଶିକାର ହେବାର ଆଶଙ୍କା ରହିଛି I ଏପରିକି, ଏଭଳି ବାୟୁର ସ୍ୱଳ୍ପ ମାତ୍ରାରେ ଗ୍ରହଣ ଦ୍ୱାରା ସୁସ୍ଥ ଓ ତରୁଣ ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ପ୍ରତିକୁଳ ପ୍ରଭାବ ପରିଲକ୍ଷିତ ହୋଇପାରେ। ଏବେ ଏକ ସଦ୍ୟ ଗବେଷଣାରୁ ଜଣା ପଡିଛି ଯେ, ଏଭଳି ବାୟୁ କେବଳ ଶରୀରର ଶ୍ୱାସତନ୍ତ୍ରକୁ ପ୍ରଭାବିତ କରେ ନାହିଁ, ବରଂ ଚକ୍ଷୁ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇ ଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର ଏକ ସର୍ବେକ୍ଷେଣରୁ ଜଣାଯାଏ ଯେ, ଦିଲ୍ଲୀ ବାୟୁ ପ୍ରଦୁଷଣ ଦୄଷ୍ଟିକୋଣରୁ ବିଶ୍ୱର ପ୍ରଥମ 10ଟି ପ୍ରଦୁଷିତ ସହରମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ବାୟୁ ପ୍ରଦୁଷଣ ଯୋଗୁଁ ଦିଲ୍ଲୀରେ ବର୍ଷକୁ ପ୍ରାୟ 10,500 ଲୋକ ମୄତ୍ୟୁମୁଖରେ ପଡନ୍ତି I ଦିଲ୍ଲୀରେ ବାୟୁ ପ୍ରଦୁଷଣ ଜନିତ ସମସ୍ୟା ନଥିଲେ ଦିଲ୍ଲୀବାସୀ ଅଧିକ 9 ବର୍ଷ କାଳ ବଞ୍ଚିପାରନ୍ତେ ବୋଲି ଏକ ରିପୋର୍ଟରୁ ଜଣାଯାଏ I ନିକଟରେ ଆନ୍ତର୍ଜାତୀୟ ଗବେଷଣା ସଂସ୍ଥା ଲାନ୍ସେଟ (Lancet) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡେ ଯେ, ଏକାକୀ 2019 ମସିହାରେ ଦିଲ୍ଲୀରେ ବାୟୁ ପ୍ରଦୁଷଣ କାରଣରୁ ପ୍ରାୟ 17,500 ବ୍ୟକ୍ତିଙ୍କ ମୄତ୍ୟୁ ଘଟିଛି I ବାୟୁ ପ୍ରଦୁଷଣ ଯୋଗୁଁ ଦିଲ୍ଲୀରେ ବିଶେଷକରି ଶିଶୁ ଓ ମହିଳାମାନଙ୍କ ମଧରେ ଶ୍ୱାସ ଜନିତ ବ୍ୟାଧିମାନର ପ୍ରାଦୁର୍ଭାବ ଘଟୁଛି I ବାୟୁ ପ୍ରଦୁଷଣ ଯୋଗୁଁ ଦିଲ୍ଲୀରେ ଶୀତଦିନେ ସ୍ୱଳ୍ପ ଦୄଶ୍ୟତା ହେତୁ ସଡକ ଦୁର୍ଘଟଣା ସଂଖ୍ୟା ଆଶାତୀତ ବୄଦ୍ଧି ପାଉଥିବାର ମଧ୍ୟ ଜଣାଯାଏ I ଆହୁରି ମଧ୍ୟ, ଭାରତୀୟ ପାଣିପାଗ ବିଭାଗ (Indian Meteorological Department –IMD) ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷେଣରୁ ଜଣାପଡେ ଯେ, ବାୟୁ ପ୍ରଦୁଷଣ ଯୋଗୁଁ ଦିଲ୍ଲୀରେ 1988 ମସିହା ପରଠାରୁ ଶୀତଦିନର ସର୍ବାଧିକ ତାପମାତ୍ରା କ୍ରମଶଃ ହ୍ରାସ ପାଇବାରେ ଲାଗିଛି I ଅନ୍ୟ ଏକ ସର୍ବେକ୍ଷଣ ଅନୁଯାୟୀ, ଦିଲ୍ଲୀ ବିଶ୍ୱର ସର୍ବାଧିକ ବାୟୁ ପ୍ରଦୂଷିତ ସହର I ସର୍ବାଧିକ ବାୟୁ ପ୍ରଦୂଷଣ ତାଲିକାରେ ପଡୋଶୀ ଦେଶ ପାକିସ୍ତାନ ଓ ବଙ୍ଗଳାଦେଶର ତିନୋଟି ସହର ଯଥା ଲାହୋର , କରାଚୀ ଓ ଢାକା ରହିଥିଲାବେଳେ ଆମ ଦେଶର ଅନ୍ୟ ଦୁଇଟି ସହର ଯଥା ମୁମ୍ବାଇ ଓ କୋଲକାତା ରହିଛନ୍ତି I
ଇତି ମଧ୍ୟରେ ଆମ ଓଡ଼ିଶାରେ ମଧ୍ୟ ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ଦୀପାବଳି ପରଠାରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧିପାଇ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ 'ସନ୍ତୋଷଜନକ' ଓ ‘ମୄଦୁ’ ସ୍ତରରୁ ଖସି ଆସି ଏବେ ‘ଖରାପ' ଶ୍ରେଣୀରେ ପହଞ୍ଚିଲାଣି ଏବଂ ଶିଳ୍ପ ନଗରୀ ଅନୁଗୁଳ ଓ ତାଳଚେରର ଅବସ୍ଥା ଆହୁରି ଶୋଚନୀୟ ରହିଛି I ଯାନବାହନର ସଂଖ୍ୟାରେ ଆଶାତୀତ ବୃଦ୍ଧି, ପୁରୁଣା ଗାଡି ମଟରର ବହୁଳ ଚଳପ୍ରଚଳ, ଆଖପାଖରେ ଥିବା ଇଟା ଭାଟି ସବୁରୁ ନିର୍ଗତ ଧୂଆଁ ଓ ପାଉଁଶ ଏବଂ ରାସ୍ତାଘାଟ, ନିର୍ମାଣସ୍ଥଳୀ ଓ କବାଡିଖାନାସବୁରୁ ନିର୍ଗତ ବିପୁଳ ଧୂଳି ଓ ଗୁଣ୍ଡ ଦ୍ୱୈତ ନଗରୀରେ ବାୟୁ ପ୍ରଦୂଷଣ ବୃଦ୍ଧିର ମୂଖ୍ୟ କାରଣ ବୋଲି ଜଣା ଯାଇଛି I ଚି଼କାଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବାୟୁ ଗୁଣବତ୍ତା ସୂଚକାଙ୍କର ଏକ ଆକଳନରୁ ଜଣାପଡେ ଯେ, ରାଜଧାନୀ ଭୁବନେଶ୍ୱରର ବାୟୁର ଗୁଣବତ୍ତା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁସାରେ ରହିଲେ ଭୁବନେଶ୍ୱରର ବାସିନ୍ଦା ଆଉ 2.7 ବର୍ଷ କାଳ ଅଧିକ ବଞ୍ଚି ପାରନ୍ତେ !
ଦିଲ୍ଲୀକୁ ପ୍ରତି ବର୍ଷ ହଜାର ହଜାର ପ୍ରବାସୀ ବ୍ୟକ୍ତି କାମଧନ୍ଦା ତଥା ଜୀବିକା ଅନ୍ୱେଷଣରେ ଆସୁଥିବାରୁ ରାଜଧାନୀର ଜନସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି I ବିପୁଳ ଧୂଳି ନିର୍ଗତ ହେଉଥିବା ନିର୍ମାଣସ୍ଥଳୀଗୁଡିକର ଅନିୟନ୍ତ୍ରିତ କାର୍ଯ୍ୟକଳାପ, ଶିଳ୍ପ ଜନିତ ଉତ୍ସର୍ଜନ ଏବଂ ଜୀବାଶ୍ମ ଇନ୍ଧନ (ବିଶେଷକରି କୋଇଲା) ଭିତ୍ତିକ କାରଖାନାର ସଂଖ୍ୟା ବୄଦ୍ଧି ଫଳରେ ରାଜଧାନୀର ପ୍ରଦୂଷଣ ସ୍ତର କ୍ରମାଗତ ବଢିବାରେ ଲାଗିଛି I ପୁନଶ୍ଚ, ନାଗରିକମାନଙ୍କର ଜୀବନ ଧାରଣର ମାନରେ ଉନ୍ନତି ଘଟୁଥିବାରୁ ଦିଲ୍ଲୀରେ କାର୍ ବିକ୍ରି ସଂଖ୍ୟାରେ ମଧ୍ୟ ଆଶାତୀତ ବୄଦ୍ଧି ଘଟିଛି I ଦିଲ୍ଲୀରେ ପଂଜୀକୄତ 1 କୋଟିରୁ ଉର୍ଦ୍ଧ୍ୱ ମଟରଗାଡି ଦୈନିକ ମହାନଗରୀର ରାଜରାସ୍ତାରେ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ପ୍ରତି ରାତିରେ ପଡୋଶୀ ରାଜ୍ୟମାନଙ୍କରୁ ଡିଜେଲ୍ ଧୂଆଁ ନିର୍ଗତ କରୁଥିବା ଶହ ଶହ ଟ୍ରକ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରି ରାଜଧାନୀରେ ପ୍ରବେଶ କରିଥା’ନ୍ତି I
ଏଭଳି ଉତ୍କଟ ସଙ୍କଟର ପ୍ରତିକାର ସ୍ୱରୂପ ଦିଲ୍ଲୀକୁ ଆଗାମୀ ଦିନରେ ଦୀର୍ଘସୂତ୍ରୀ ସମାଧାନର ପନ୍ଥା ଗ୍ରହଣ କରିବାକୁ ପଡିବ I ଛତୁ ଭଳି ଫୁଟୁଥିବା ନିର୍ମାଣସ୍ଥଳୀଗୁଡିକର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ପ୍ରଦୁଷଣକାରୀ ଶିଳ୍ପସଂସ୍ଥାଗୁଡିକୁ ସହର ବାହାର ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଉଚିତ I ଗାଡିମଟରଗୁଡିକରୁ ନିର୍ଗତ ଉତ୍ସର୍ଜନକୁ ନିୟମିତ ରୂପେ ତଦାରଖ କରାଯିବା ଆବଶ୍ୟକ ଏବଂ ପୁରୁଣା ଓ ପ୍ରଦୁଷଣଯୁକ୍ତ ଯାନବାହାନକୁ ପ୍ରତ୍ୟାହାର କରାଯିବା ଉଚିତ I ପଡୋଶୀ ରାଜ୍ୟର କୄଷକମାନଙ୍କୁ ଶସ୍ୟ ଅମଳ ପରେ ଜମିରେ ଶସ୍ୟର ଅବଶେଷ ସମୂହକୁ କିପରି ନିରାପଦ ପରିବେଶପ୍ରିୟ ପଦ୍ଧତିରେ ନଷ୍ଟ କରାଯାଇ ପାରିବ, ସେ ସମ୍ପର୍କରେ ସଚେତନ କରାଯିବା ଦରକାର I ଆହୁରି ମଧ୍ୟ, ମହାନଗରୀର ସମସ୍ତ ପ୍ରଦୁଷଣ-ପ୍ରବଣ ଡିଜେଲ୍ ଇଞ୍ଜିନ୍ ଯଥା ପୂରୁଣା ଜେନେରେଟର୍ ଓ ପମ୍ପସେଟ୍ କୁ ଉଛେଦ କରି ପରିବେଶୀୟ ବୈଧାନିକ ମାନକ ସ୍ତର ଅନୁଯାୟୀ ନିମ୍ନ ଉତ୍ସର୍ଜନ ବିଶିଷ୍ଟ ଦକ୍ଷ ଉପକରଣ ବ୍ୟବହାର କରାଯିବା ଆବଶ୍ୟକ I ପରିଶେଷରେ, କଠିନ ଆବର୍ଜନାସବୁର ଦହନ ଦ୍ୱାରା ପରିବେଶକୁ ବିପୁଳ କଣିକା ପଦାର୍ଥ ନିର୍ଗମନ ହେଉଥିବାରୁ ସେଗୁଡିକର ସୂଚାରୁ ପରିଚାଳନା ଓ ପ୍ରବନ୍ଧନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ଉଚିତ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୁବନେଶ୍ୱର
ଫୋନ୍ : 8018708858
Sakala Sindura dated 30.11.25:
https://drive.google.com/file/d/1VQZ0bhzTRV8MY4bZW8fA_bFMWaxARUul/view?usp=sharing


Comments
Post a Comment