ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଜଳପଥ: ହର୍ମୁଜ ପ୍ରଣାଳୀ STRAIT OF HORMUZ

 


ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ  ଜଳପଥ: ହର୍ମୁଜ ପ୍ରଣାଳୀ

ନିକୁଞ୍ଜ ବିହାରୀ ସାହୁ


     ସଂପ୍ରତି ୨୦୨୬ ମଧ୍ୟପ୍ରାଚ୍ୟ ବିବାଦର ଘନଘଟା ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଇରାନ୍ ଦ୍ୱାରା ଧମକ ଏବଂ ଆକ୍ରମଣ ଜାରି ରହିଛି । ଫଳରେ ଏହି ମାର୍ଗ ଦେଇ ଯାତାୟାତରେ ପ୍ରାୟ ୯୭ ପ୍ରତିଶତ ହ୍ରାସ ଘଟି ବିଶ୍ୱ ତୈଳ ଯୋଗାଣରେ ଗୁରୁତର  ବାଧା ସୃଷ୍ଟି ହେବା ସାଙ୍ଗକୁ ବିଶ୍ୱ ବଜାରରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି । ଏହାର ପ୍ରଭାବ ଭାରତ ଉପରେ ପଡି ଆମ ଦେଶରେ ବିଶେଷକରି ରନ୍ଧନ ଗ୍ୟାସର ଘୋର ଅଭାବ ପରିଲକ୍ଷିତ ହୋଇଛି ଏବଂ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ୍ନ ହୋଇଛନ୍ତି । ତେବେ ଆମେ ଏଠାରେ ପ୍ରସ୍ନ ଉଠେ: ଏହି ହର୍ମୁଜ ପ୍ରଣାଳୀ କ’ଣ, କେଉଁଠାରେ ଅବସ୍ଥିତ  ଏବଂ ଏହା ବାଣିଜ୍ୟିକ ଦୄଷ୍ଟିକୋଣରୁ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ।

      ହର୍ମୁଜ ପ୍ରଣାଳୀ (Strait of Hormuz) ପଶ୍ଚିମରେ ପାରସ୍ୟ ଉପସାଗର ଏବଂ ଦକ୍ଷିଣପୂର୍ବରେ ଓମାନ ଉପସାଗର ତଥା ଆରବ ସାଗର  ମଧ୍ୟରେ ଅବସ୍ଥିତ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଭାରତ ମହାସାଗରକୁ ପ୍ରଶାନ୍ତ ମହାସାଗର ସହିତ ସଂଯୋଗ କରୁଥିବା ମାଲାକ୍କା ପ୍ରଣାଳୀ ପରେ  ହର୍ମୁଜ୍ ପ୍ରଣାଳୀ  ବିଶ୍ୱ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଜଳପଥ । ଏହି ପ୍ରଣାଳୀ  ଇରାନ୍ ଏବଂ ଓମାନ୍ ଦେଶ ମଧ୍ୟରେ ବିସ୍ତୄତ ଏକ ସଂକୀର୍ଣ୍ଣ ଜଳପଥ, ଯାହା ଦେଇ ବିଶ୍ୱର ଏକ-ପଞ୍ଚମାଂଶ ପେଟ୍ରୋଲିୟମ୍ ତୈଳ ଜାହାଜ ଦ୍ୱାରା ପରିବହନ ହୋଇଥାଏ। ପେଟ୍ରୋଲିୟମ୍  ତୈଳ ସମୄଦ୍ଧ ମଧ୍ୟପ୍ରାଚ୍ୟର ଉପସାଗରୀୟ ଦେଶଗୁଡିକରୁ  ଭାରତକୁ ରନ୍ଧନ ଗ୍ୟାସ୍ (ଏଲ.ପି.ଜି.) ଏବଂ ତୈଳ ଆମଦାନୀ ପାଇଁ ଏହି ପଥ  ଏକ ଜୀବନରେଖା ସଦୄଶ। 

ଇତିହାସ ଓ ନାମକରଣ 

  ଏହି ପ୍ରଣାଳୀର ନାମକରଣ ସମ୍ପର୍କରେ ଅନେକ ମତବାଦ ରହିଛି ।  ଗତ ଦଶମରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଐତିହାସିକ  ‘ଓର୍ମୁଜ’ ସାମ୍ରାଜ୍ୟ  ଏଠାରେ ଗଢି ଉଠିଥିଲା ।  ଓର୍ମୁଜ ସମ୍ଭବତଃ ଏକ  ପାର୍ସି ଶବ୍ଦ ‘ହର୍ମୋଘ’ ର  ଅପଭ୍ରଂଶ ଯାହାର ଅର୍ଥ ‘ଖଜୁରୀର ଦେଶ’।  ସୁତରାଂ ଏକ ମତବାଦ ଅନୁଯାୟୀ ଏହି ‘ହର୍ମୋଘ’ ଶବ୍ଦରୁ ହିଁ ପ୍ରଣାଳୀର  ‘ହର୍ମୁଜ’ ନାମକରଣ ହୋଇଥିବାର ବିଶ୍ୱାସ କରାଯାଏ।  ଷୋଡଶରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଏହି ପ୍ରଣାଳୀ ବିଦେଶୀ ପର୍ତ୍ତୁଗୀଜମାନଙ୍କ ନିୟନ୍ତ୍ରଣରେ ରହିଥିଲା ।  

ଅଦ୍ୱିତୀୟ ଭୌଗଳିକ ସ୍ଥିତି

   ଏହି ପ୍ରଣାଳୀଟି 167 କିମି ଲମ୍ବ ଏବଂ  55 ରୁ 95 କିମି ପ୍ରସ୍ଥ ବିଶିଷ୍ଟ ଏକ ସଂକୀର୍ଣ୍ଣ ଜଳପଥ  ଯାହା ଉତ୍ତରରେ ଥିବା ଇରାନକୁ ଦକ୍ଷିଣସ୍ଥ ଆରବୀୟ ଉପଦ୍ୱୀପରେ ଥିବା ଓମାନର ମୁସାଣ୍ଡାମ ସହିତ  ସଂଯୋଗ କରେ। ଏହାର ଉତ୍ତର ଉପକୂଳରେ ଆର୍ଥିକ ଏବଂ ସାମରିକ ଗୁରୁତ୍ୱ ବିଶିଷ୍ଟ ଏକ ଇରାନୀ ବନ୍ଦର ‘ବନ୍ଦର ଆବାସ’ ଅବସ୍ଥିତ।  ଏହି ପ୍ରଣାଳୀ ନିକଟରେ ଅନେକ  ଇରାନୀ ଦ୍ୱୀପପୁଞ୍ଜ ଜଥା  କେଶ୍ମ, ହୋରମୁଜ୍, ହେଙ୍ଗାମ ଏବଂ ଲାରାକ ଅବସ୍ଥିତ। ସଂଯୁକ୍ତ ଆରବ ଏମିରେଟ୍ସ ସୀମା ମଧ୍ୟ ଏହି ପ୍ରଣାଳୀ ନିକଟରେ ଅର୍ଥାତ  ମୁସାଣ୍ଡାମ ଉପଦ୍ୱୀପର ଉଭୟ ପାର୍ଶ୍ୱରେ ପ୍ରଣାଳୀର ସଂକୀର୍ଣ୍ଣ ବିନ୍ଦୁଠାରୁ  ପ୍ରାୟ 65 ରୁ 80 କିମି ଦୂରତା ମଧ୍ୟରେ ବିସ୍ତୄତ । ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ପଞ୍ଚମ ନୌବାହିନୀ 1995 ମସିହାଠାରୁ ଅନତି ଦୂରସ୍ଥ ବାହାରିନ୍ ଠାରେ ଅବସ୍ଥାପିତ ଏବଂ ଏହା ମୂଖ୍ୟତଃ ପ୍ରଣାଳୀରେ ଜାହାଜଗୁଡିକୁ  ସୁରକ୍ଷିତ ଯାତ୍ରା  ସୁନିଶ୍ଚିତ କରିବାରେ ଭୂମିକା ଗ୍ରହଣ କରିଥାଏ।

ସୁଗମ ଜଳମାର୍ଗ

    ଏହି ପ୍ରଣାଳୀ ଦେଇ  ମାଲବାହୀ  ତୈଳ ଜାହାଜଗୁଡ଼ିକର ସୁଗମ ପ୍ରବେଶ ଓ ପ୍ରସ୍ଥାନ ଯାତ୍ରା  ନିମନ୍ତେ 3 କି.ମି. ପ୍ରସ୍ଥ ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର ଜାହାଜମାର୍ଗର ବ୍ୟବସ୍ଥା ଅଛି ଏବଂ ନିରାପଦ ଯାତାୟତ ବ୍ୟବସ୍ଥା ସୁନିଶ୍ଚିତ କରିବା  ପାଇଁ 5 କି.ମି. ପ୍ରସ୍ଥର ଏକ  ବଫର ଜୋନ ଏ ଦୁଇ ମାର୍ଗକୁ ପୄଥକ କରିଥାଏ । ଏହି ଜାହାଜମାର୍ଗ ଗୁଡ଼ିକ ମୁଖ୍ୟତଃ ଓମାନି ଏବଂ  ଇରାନି କ୍ଷେତ୍ରୀୟ ଜଳସୀମାରେ ଅବସ୍ଥିତ ଥିଲେ ସୁଦ୍ଧା  ସେଗୁଡ଼ିକ ମିଳିତ ଜାତିସଂଘର ସମୁଦ୍ର ଆଇନ ସମ୍ବନ୍ଧୀୟ  ସମ୍ମିଳନୀ (UNCLOS) ଭଳି ଆନ୍ତର୍ଜାତୀୟ  ବୁଝାମଣାର ବ୍ୟବସ୍ଥା  ଅନୁଯାୟୀ ନିୟନ୍ତ୍ରିତ। ଇରାନ୍ ସାଧାରଣତଃ  ଜାହାଜମାର୍ଗର  ଉତ୍ତରରେ ଥିବା ପ୍ରଣାଳୀକୁ ନିୟନ୍ତ୍ରଣ କରୁଥିଲାବେଳେ  ପ୍ରଣାଳୀର ଦକ୍ଷିଣସ୍ଥ ଭାଗ ପଡୋଶୀ ଦେଶ  ଓମାନ୍ ଅଧୀନରେ ରହିଥାଏ । ଇରାନର ଯଦିଓ ଏହି ପ୍ରଣାଳୀରେ ଜାହାଜ ପରିବହନ ବ୍ୟବସ୍ଥାରେ ବାଧା ସୃଷ୍ଟି କରିବାର କ୍ଷମତା ରହିଛି, ତଥାପି ପ୍ରଣାଳୀର ଅଧିକାଂଶ ଭାଗ ତୈଳ ଟ୍ୟାଙ୍କରଗୁଡ଼ିକର ସୁଗମ ଯାତାୟାତ ଦୄଷ୍ଟିକୋଣରୁ  ଯଥେଷ୍ଟ ଗଭୀର (200 ରୁ 330 ଫୁଟ) ହୋଇ ଥିବାରୁ  ପ୍ରଣାଳୀର  ସମ୍ପୂର୍ଣ୍ଣ ଓସାରକୁ ଦୀର୍ଘଦିନ   ଅବରୋଧ କରିବାରେ ଇରାନର ସାମର୍ଥ୍ୟ ସୀମିତ । ତଥାପି, ସଦ୍ୟ 2026 ଇରାନ-ଇସ୍ରାଏଲ ସଂଘର୍ଷ ମଧ୍ୟରେ, ଇରାନର କେବଳ ଧମକ ଜନିତ ବିପଦର ଆଶଙ୍କା ହିଁ ଏହି ପ୍ରଣାଳୀ ଦେଇ  ଅଧିକାଂଶ ବାଣିଜ୍ୟିକ ଯାତାୟାତକୁ ହ୍ରାସ କରିଛି ।

ବାଣିଜ୍ୟିକ ମହତ୍ତ୍ୱ

      ବିଶ୍ୱ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ ରପ୍ତାନିର ପ୍ରାୟ 20 ପ୍ରତିଶତରୁ ଅଧିକ ଭାଗ ଏହି ପ୍ରଣାଳୀ ଦେଇ ପରିବହନ ହୁଏ।  ଏହି ପଥ  ତୈଳ ସମୄଦ୍ଧ ବିଭିନ୍ନ ଉପସାଗରୀୟ ଦେଶ ଯଥା  ଇରାନ, ଇରାକ, କୁୱେତ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀର ରପ୍ତାନି ନିମନ୍ତେ  ପ୍ରାଥମିକ ଜଳମାର୍ଗ ରୂପେ କାର୍ଯ୍ୟ କରେ ।  ଅବଶ୍ୟ  ସଂଯୁକ୍ତ ଆରବ ଏମିରେଟ୍ସ ଏହାର ଅଧିକାଂଶ ତୈଳ ରପ୍ତାନିକୁ ଓମାନ୍ ଉପସାଗରରେ ଥିବା ନିଜର ଫୁଜୈରାହ ଅଞ୍ଚଳ ଦେଇ ସ୍ଥାନାନ୍ତର କରିବାର କ୍ଷମତା ରଖିଥାଏ । ଯଦିଓ ଏହି ରପ୍ତାନିର ପ୍ରାୟ ଚାରି-ପଞ୍ଚମାଂଶ ଭାଗ ଏସିଆ ମହାଦେଶର ଦେଶଗୁଡ଼ିକୁ, ବିଶେଷକରି ଚୀନ୍, ଭାରତ, ଜାପାନ ଏବଂ ଦକ୍ଷିଣ କୋରିଆକୁ ପଠାଯାଏ, ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକର ମୂଲ୍ୟର ସ୍ୱଳ୍ପ ନମନୀୟତା କାରଣରୁ  ଏହି ଯୋଗାଣର ପରିମାଣ ବିଶ୍ୱବ୍ୟାପୀ ତୈଳ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଗୁରୁତର  ପ୍ରଭାବିତ କରିଥାଏ। 

ବିବାଦ 

     ଅତୀତରେ ଏହି ପ୍ରଣାଳୀରେ ମାଲିକାନା ନେଇ ସ୍ଥାନୀୟ ଦେଶ ଓ ବାହ୍ୟ ଶକ୍ତିମାନଙ୍କ ମଧ୍ୟରେ   ଅନେକ ବିବାଦ ଓ ସଂଘର୍ଷ   ଘଟିଛି ।  ଗତ ୧୯୮୪ ମସିହାରେ, ଇରାନ୍-ଇରାକ ସଂଘର୍ଷ ସମୟରେ, ପରସ୍ପର ବିରୋଧୀ ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକ ନିଜ ନିଜର ତୈଳ ମାଲବାହୀ ଜାହାଜ ଉପରେ ଆକ୍ରମଣ କରିଥିଲେ । ଇରାନ୍ ମଧ୍ୟ କୁୱେତ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ତଥାକଥିତ ‘ଟ୍ୟାଙ୍କର୍ ଯୁଦ୍ଧ’ରେ ୧୦୦ ରୁ ଅଧିକ ମାଲବାହୀ ଜାହାଜ ଆକ୍ରମଣର ଶିକାର ହୋଇଥିଲେ । ଉପସାଗରୀୟ ଅଞ୍ଚଳରେ ତୈଳ ମାଲବାହୀ ଜାହାଜଗୁଡ଼ିକର ନିରାପଦ ପଥ ସୁନିଶ୍ଚିତ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନେକ ପଶ୍ଚିମ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଦୄଶ୍ୟପଟକୁ ଆସି  ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଚଳିତ  ଶତାବ୍ଦୀରେ ମଧ୍ୟ  ଇରାନ ଏବଂ ଆମେରିକୀୟ ନୌସେନା ଏହି ପ୍ରଣାଳୀରେ ଅନେକ ଥର  ମୁହାଁମୁହିଁ ପରିସ୍ଥିତିର ସମ୍ମୁଖୀନ୍ନ  ହୋଇଛନ୍ତି।

   ବିଗତ ୨୦୨୫ ଜୁନ୍ ମାସରେ ଇରାନ୍-ଇସ୍ରାଏଲ୍ ୧୨ ଦିନିଆ ସଂଘର୍ଷ ସମୟରେ ଆମେରିକା ଇରାନର ପରମାଣୁ ପ୍ରତିଷ୍ଠାନଗୁଡିକ ଉପରେ ଆକ୍ରମଣ କରିଥିଲା ।  ଏହି ପରିପ୍ରେକ୍ଷୀରେ  ଇରାନରେ ୨୦୨୦ ନିର୍ବାଚନ ପରଠାରୁ  କଠୋରପନ୍ଥୀମାନଙ୍କ କରାୟତରେ ଥିବା  ସଂସଦ ଇରାନର ସଶସ୍ତ୍ର ବାହିନୀକୁ ଏହି ପ୍ରଣାଳୀ ଅବରୋଧ କରିବାକୁ ଦୄଢ ସୁପାରିଶ  କରିଥିଲା। ମାତ୍ର ସେତେବେଳେ ଇରାନ୍ ତରଫରୁ  ଏହି ପ୍ରଣାଳୀକୁ ବନ୍ଦ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ  କରାଯାଇ ନଥିଲା, କାରଣ ଏଥିପାଇଁ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ଅନୁମୋଦନ ଆବଶ୍ୟକ ଥିଲା ଏବଂ ମାତ୍ର ଦୁଇ ଦିନ ମଧ୍ୟରେ  ସଂଘର୍ଷ ଶେଷ ହୋଇ ଯାଇଥିଲା ।  ତଥାପି ଇରାନୀ  ସଂସଦର ଏହି ପଦକ୍ଷେପ ବିଶ୍ୱବ୍ୟାପୀ ତୈଳ ମୂଲ୍ୟ ବୃଦ୍ଧିର ଆଶଙ୍କା  ସୃଷ୍ଟି କରିଥିଲା ​​ଏବଂ କ୍ରମବର୍ଦ୍ଧିଷ୍ଣୁ ଉତ୍ତେଜନା ଦୄଷ୍ଟିରୁ  କିଛି ତୈଳ ମାଲବାହୀ ଜାହାଜ ଏହି ପ୍ରଣାଳୀପଥ ଏଡାଇ ପଛକୁ ଫେରି ଆସିଥିଲେ।

ସାଂପ୍ରତିକ ପରିସ୍ଥିତି

      ଏବ କିନ୍ତୁ ପରିସ୍ଥିତି ବଦଳି ଯାଇଛି । ସଂପ୍ରତି ମାର୍ଚ୍ଚ ୨୦୨୬ ଇରାନ-ଇସ୍ରାଏଲ  ସଂଘର୍ଷ ଆରମ୍ଭ ହେବା ସଙ୍ଗେ ସଙ୍ଗେ, ଇରାନ ନିଜର ପ୍ରତିଶୋଧମୂଳକ ରଣନୀତିର ଏକ ପ୍ରମୁଖ ଅଂଶ ସ୍ୱରୂପ ଏହି ପ୍ରଣାଳୀ ଦେଇ ଜାହାଜ ଚଳପ୍ରଚଳକୁ ଅବରୋଧ  କରିବା ପାଇଁ ଘୋଷଣା କରିଛି । ଏହାର ଫଳ ସ୍ୱରୂପ, ସଂଘର୍ଷ ଆରମ୍ଭ ହେବା ମାତ୍ରେ ହିଁ ଏହି ପ୍ରଣାଳୀ ଦେଇ ଜାହାଜ ଯାତାୟାତ ସଂଖ୍ୟା ଆଶାତୀତ ହ୍ରାସ ପାଇଛି । ପରବର୍ତ୍ତୀ ସମୟରେ, ଇରାନୀ ସୈନ୍ୟମାନେ ବିଦେଶୀ ଜାହାଜ ଉପରେ ଆକ୍ରମଣ କରିବା ଏବଂ ଆମେରିକାର ଅଧିକାରୀଙ୍କ ବୟାନ ଅନୁଯାୟୀ, ଇରାନୀ ନୌସେନାର ବୁଡ଼ାଜାହାଜ ଦ୍ୱାରା  ମାଇନ୍  ବିଛାଇବା ଯୋଗୁଁ ଏହି ପଥ ଦେଇ ଜାହାଜ ଚଳାଚଳ ଆହୁରି  ପ୍ରଭାବିତ ହୋଇଛି ।  ଫଳରେ ସଂଘର୍ଷର  ଅଳ୍ପ  କିଛି ଦିନ ମଧ୍ୟରେ ହିଁ ପାରସ୍ୟ ଉପସାଗରରେ ଯୋଗାଣ ଶୃଙ୍ଖଳା ବାଧାବ୍ରାପ୍ତ ହୋଇ  ବିଶ୍ୱ ବଜାରରେ ପେଟ୍ରୋଲିୟମ ତୈଳ ଏବଂ  ପ୍ରାକୃତିକ ଗ୍ୟାସ, ସାର, ଆଲୁମିନିୟମ୍ ପରି ଗୁରୁତ୍ୱପୂର୍ଣ୍ଣ ଧାତୁ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି । ଏହାର ପ୍ରଭାବରେ ପ୍ରଣାଳୀର ପୂର୍ବରେ ଥିବା ଭାରତ ସମେତ ଏସିଆର ଅନେକ  ଦେଶରେ ବିଶେଷକରି ଇନ୍ଧନ ଓ ରୋଷେଇ ଗ୍ୟାସ୍ ର ଘୋର  ଅଭାବ ପରିଲକ୍ଷିତ ହୋଇଛି । 

ବିକଳ୍ପ ପଥ

ହରମୁଜ୍ ସମୁଦ୍ର ପ୍ରଣାଳୀକୁ ଏଡ଼ାଇ ପ୍ରଚଳିତ କେତେକ ମୁଖ୍ୟ ବିକଳ୍ପ  ମାର୍ଗ ହେଲା ସ୍ଥଳଭାଗରେ ଯାଇଥିବା  ପାଇପଲାଇନ୍ ଯେପରି  ଲୋହିତ ସାଗରକୁ ସଂଯୋଗ କରୁଥିବା ସାଉଦି ଆରବର ପୂର୍ବ-ପଶ୍ଚିମ ପାଇପଲାଇନ୍, ଫୁଜାଇରାହକୁ ସଂଯୋଗ କରୁଥିବା ଆବୁଧାବି ଅଶୋଧିତ ତୈଳ ପାଇପଲାଇନ୍ ଏବଂ ଇରାନର ଗୋରେ-ଜାସ୍କ ପାଇପଲାଇନ୍ । ବିକଳ୍ପ  ସମୁଦ୍ର ମାର୍ଗଗୁଡ଼ିକ ଅତ୍ୟନ୍ତ ଦୀର୍ଘ ଏବଂ ସେଗୁଡିକ ଆଫ୍ରିକାର ଦକ୍ଷିଣ ଉପକୂଳରେ ଉତ୍ତମାଶା ଅନ୍ତରୀପ ଦେଇ ବିସ୍ତୄତ ।  ମାତ୍ର  ସମୟ, ଖର୍ଚ୍ଚ  ଏବଂ ଭିତ୍ତିଭୂମି ପ୍ରତିବନ୍ଧକ ଯୋଗୁଁ ଏହି ବିକଳ୍ପ ମାର୍ଗଗୁଡ଼ିକ ହରମୁଜ୍ ପ୍ରଣାଳୀ ଦେଇ ପରିବାହିତ ବିପୁଳ ସାମଗ୍ରୀର  ଦୈନିକ ପରିମାଣକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ । ସେହି ପାଇପଲାଇନଗୁଡ଼ିକ ମଧ୍ୟରୁ ଅନେକକୁ ମରାମତି ଏବଂ ଉନ୍ନତିକରଣ  ଆବଶ୍ୟକତା ଅଛି କିମ୍ବା ସେଗୁଡିକରେ ଯୋଗାଣ ଅଞ୍ଚଳର ରାଜନୈତିକ, ଅର୍ଥନୈତିକ କିମ୍ବା ଭୂ-ରାଜନୈତିକ ସମସ୍ୟା ଯୋଗୁଁ ବନ୍ଦ ଅଛି।

       ହର୍ମୁଜ ପ୍ରଣାଳୀ ନିଜର ଅଦ୍ୱିତୀୟ ଭୌଗୋଳିକ ଅବସ୍ଥିତି, ଅତ୍ୟାବଶ୍ୟକୀୟ  ପରିବାହିତ ସାମଗ୍ରୀ ଏବଂ ଭୂ-ରାଜନୈତିକ ଚିତ୍ରପଟ୍ଟ ଦୄଷ୍ଟିକୋଣରୁ  ଭାରତ ଏବଂ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷା ତଥା ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ । ସୁତରାଂ  ଆଗାମୀ ଦିନରେ ଯେ ଏହି ପ୍ରଣାଳୀ ବିଭିନ୍ନ ସ୍ଥାନୀୟ ରାଷ୍ଟ୍ର ତଥା ବାହ୍ୟଶକ୍ତିଙ୍କ  ପାଇଁ ଏକ ପ୍ରମୁଖ  ରଣନୈତିକ ଜଳପଥ ହୋଇ ରହିବ, ଏଥିରେ ସନ୍ଦେହ ନାହିଁ ।

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର

ଫୋନ୍ : 8917637974





Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ଭାରତର ପ୍ରତିରକ୍ଷା କବଚ ଏସ୍. 400/ S 400