ପୄଥିବୀ ବାହାରେ ଜୀବନ

                                                                                    ପୄଥିବୀ ବାହାରେ ଜୀବନ

   ନିକୁଞ୍ଜ  ବିହାରୀ ସାହୁ

 

          ଆକାଶରେ ଚିକିମିକି କରୁଥିବା ଅସୁମାରୀ ତାରକା ପ୍ରତିଟି ରାତିରେ ଆମର ଦୄଷ୍ଟି ଆକର୍ଷଣ କରିଥାନ୍ତି I ଏହି ତାରା ଆଲୁଅର ରୋଷଣିରେ ଭିଜୁଭିଜୁ ବେଳେବେଳେ ଆମ ମନରେ ପ୍ରଶ୍ନ ଉଠେ :  ଏହି ତାରାଗୁଡିକ ମଧ୍ୟରୁ କେଉଁଠି  ପୄଥିବୀ ଭଳି ଜୀବନସତ୍ତା ଅଛି କି ?  ଅର୍ଥାତ, ଏ ବିଶା ବିଶ୍ୱରେ ଆମର କେହି ବାହ୍ୟଜାଗତିକ ସାଥୀ ଅଛନ୍ତି କି ?

      ତାରାମାନେ ବସ୍ତବପକ୍ଷରେ ଅତିଶୟ ଉତ୍ତପ୍ତ ହୋଇ ଥିବାରୁ  ସେଠାରେ ଜୀବନର ଉପସ୍ଥିତି ଅସମ୍ଭବ I ତାରାମାନଙ୍କୁ ପ୍ରଦକ୍ଷିଣ କରୁଥିବା ଗ୍ରହଗୁଡିକ କିନ୍ତୁ ବହୁଗୁଣରେ ଭିନ୍ନ I ସେମାନଙ୍କ ମଧ୍ୟରୁ କେତେକ ଜୀବନର ସଙ୍କେତ ଓ ପ୍ରତିଶ୍ରୁତି  ବହନ କରିଥାନ୍ତି I କୌଣସି ଗ୍ରହରେ ଜୀବନର ଉପସ୍ଥିତି ନିମନ୍ତେ ମୂଖ୍ୟ ଆବଶ୍ୟକତା ହେଉଛି ମୄଦୁ ତାପମାତ୍ରା, ଜଳ ଓ ଅମ୍ଳଜାନର ଉପସ୍ଥିତି  ଏବଂ ମାରାତ୍ମକ ଅତିବାଇଗଣି ରଶ୍ମିର ପ୍ରତିହତକାରୀ  ଆସ୍ତରଣ ଓଜୋନ୍ ମଣ୍ଡଳ I ଆମ ଗ୍ରହ  ପୄଥିବୀରେ  ଏ ସମସ୍ତ ଉପାଦାନ  ଉପଲବ୍ଧ ଥିବାରୁ  ସେଠାରେ ଜୀବନର ସଞ୍ଚାର ସମ୍ଭବ ହୋଇଛି I  ଏ ବିଶାଳ ବିଶ୍ୱରେ କୋଟି କୋଟି ତାରା ରହିଛନ୍ତି ଓ ସେମାନଙ୍କ ନିଜସ୍ୱ ଗ୍ରହଜଗତ ମଧ୍ୟ ଥାଇପାରେ I ସେଭଳି କୌଣସି ଏକ ଗ୍ରହରେ ଜୀବନୋପଯୋଗୀ ପରିବେଶ ସୃଷ୍ଟି ହୋଇ ଥିବାର ପରିସ୍ଥିତି ସମ୍ଭାବନା କିଛି ଆଶାତୀତ ନୁହେଁ I

          ମାତ୍ର ଆମେ ଏପର୍ଯ୍ୟନ୍ତ ଦୂରବୀକ୍ଷଣ ଯନ୍ତ୍ରରେ ବିଶ୍ୱର କୌଣସିଠାରେ ଜୀବନ୍ତ ପ୍ରାଣୀମାନଙ୍କୁ ବିଚରଣ କରୁଥିବାର ଦେଖିନାହୁଁ I ମହାଶୂନ୍ୟକୁ ଯାଇଥିବା  ମହାକାଶଚାରୀମାନେ  ମଧ୍ୟ କୌଣସି  ଜୀବନ୍ତ ପ୍ରାଣି କିମ୍ବା ବାହ୍ୟଜାଗତିକ ଯାନର ସଂସ୍ପର୍ଶରେ ଆସି ଥିବାର ବିବରଣୀ  ମିଳିନାହିଁ I ଅତୀତରେ ଅନେକ ବିଚିତ୍ର ଉଡନ୍ତା ଥାଳିଆ ଭଳି ରହସ୍ୟମୟ  ବସ୍ତୁସବୁ ଆମ ଆକାଶରେ ଘୂରି ବୁଲୁଥିବାର ଲୋକମୁଖରୁ ଶୁଣା ଯାଇଛି I  କେହି କେହି ଏହି ଉଡନ୍ତା ଥାଳିଆଗୁଡିକୁ କୌଣସି ବୁଦ୍ଧିମାନ ବାହ୍ୟଜାଗତିକ ବାସିନ୍ଦାଙ୍କ ଦ୍ୱାରା ପ୍ରେରିତ ଯାନ ବୋଲି ବର୍ଣ୍ଣନା କରିଛନ୍ତି I ମାତ୍ର ବାସ୍ତବପକ୍ଷରେ, କେତେକ ଉଡନ୍ତା ଥାଳିଆ କପୋଳକଳ୍ପିତ ହୋଇଥିଲାବେଳେ ଆଉ କେତେକଙ୍କ ରହସ୍ୟ ଏପର୍ଯ୍ୟନ୍ତ ଉଦଘାଟିତ ହୋଇପାରି ନାହିଁ I

          ଆମେ ବାହ୍ୟଜାଗତିଉକ ଜୀବନସତ୍ତାର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବାର ଏକମାତ୍ର  ଦୄଷ୍ଟାନ୍ତ ହେଉଛି ଏକ ଉଲକାଖଣ୍ଡ ଯାହା 1996 ମସିହାରେ  ବରଫାବୄତ୍ତ  ଆଣ୍ଟାର୍କ୍ଟିକା ମହାଦେଶରୁ ଆବିଷ୍କୄତ ହୋଇଛି I ଏହାର ନାମ ରଖା ଯାଇଛି ALH 84001 I  ଏହି ଉଲକାଖଣ୍ଡଟି ମଙ୍ଗଳ ଗ୍ରହରୁ ଆସିଛି ବୋଲି ବିଶ୍ୱାସ କରା ଯାଉଛି I  ବୈଜ୍ଞାନିକମାନେ  ଏହାର ପଥରସନ୍ଧିରୁ  କିଛି ଜୈବିକ ଅଣୁର ସନ୍ଧାନ ପାଇଛନ୍ତି ଯାହା କୌଣସି ପୁରାତନ ଅଣୁଜୀବର ଅବଶେଷ ବୋଲି  ମନେ କରା ଯାଉଛି I  ଏହା ସତ୍ୟ ହୋଇଥିଲେ ମଙ୍ଗଳ ଗ୍ରହରେ କିଛି ଅନ୍ନୁନତ ଜୀବନସତ୍ତାର ବିକାଶ ଘଟିଛି ବୋଲି ବିଶ୍ୱାସ କରିବାକୁ ହେବ I  ଲାଲ ରଙ୍ଗର  ଏହି ଗ୍ରହଟି ଅନେକାଂଶରେ ଆମ ପୃଥିବୀ ଭଳି I ପୃଥିବୀ ଭଳି ଏହାର ବାୟୁମଣ୍ଡଳ ରହିଛି ଏବଂ ଏଠାରେ ଦିନରାତି ଓ  ରୁତୁଚକ୍ରର ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ I  ଏହାର  ଦୁଇ ମେରୁର ବରଫାବୄତ ଶୄଙ୍ଗରେ ପ୍ରଚୁର ଜଳ ବରଫ ଆକାରରେ ଜମାଟ ବାନ୍ଧି ରହି ଥିବାର ସୂଚନା ମିଳେ I ଜୀବନସତ୍ତାର ସ୍ପଷ୍ଟ ପ୍ରତିଶ୍ରୁତି ବହନ କରୁଥିବା  ଏ ଗ୍ରହଟିକୁ ପ୍ରକୄତ ଅନୁସନ୍ଧାନ ନିମନ୍ତେ  ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ତରଫରୁ ବିଗତ 1976 ମସିହାରେ ଭାଇକିଙ୍ଗ ନାମକ ଦୁଇଟି ମହାକାଶଯାନ ପ୍ରେରଣ କରା ଯାଇଥିଲା I ମାତ୍ର ଭାଇକିଙ୍ଗର ଅନୁସନ୍ଧାନରୁ ଗ୍ରହଟିରେ ଜୀବନସତ୍ତା ଉପସ୍ଥିତିର କୌଣସି ସଙ୍କେତ ମିଳି ନଥିଲା I

              କେବଳ ମଙ୍ଗଳ ନୁହେଁ; ଆମ ସୌରଜଗତର ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ଜୀବନସତ୍ତା ଉପସ୍ଥିତିର ସମ୍ଭାବନା ଅତିଶୟ କ୍ଷୀଣ I ବୁଧ, ଶୁକ୍ର ଭଳି ଗ୍ରହଗୁଡିକ ସୂର୍ଯ୍ୟର ଅତି ନିକଟରେ ଥିବାରୁ ସେଗୁଡିକର ତାପମାତ୍ରା ଅଧିକ ଏବଂ ସେଭଳି ପ୍ରଚଣ୍ଡ ତାପମାତ୍ରାରେ ଜୀବନ ବଞ୍ଚିବା ସମ୍ଭବପର ନୁହେଁ I ଅନ୍ୟପକ୍ଷରେ,  ବୃହସ୍ପତି, ଶନି, ୟୁରାନସ, ନେପଚ୍ୟୁନ୍ ଭଳି ବହିଃଗ୍ରହଗୁଡିକ  ବିଶାଳକାୟ ଗ୍ୟାସୀୟ ଦାନବ ଅଟନ୍ତି I ବୄହସ୍ପତି  ଗ୍ରହ ମୂଖ୍ୟତଃ ହାଇଡ୍ରୋଜେନ୍ ଗ୍ୟାସ୍ ରେ ଗଢା ଯାହା ଜୀବନୋଯୋଗୀ ନୁହେଁ I  ନିଜ ଅକ୍ଷ ଚାରିପଟେ ଦ୍ରୁତ ଘୂର୍ଣ୍ଣନ ହେତୁ ଏହାର ବାୟୁମଣ୍ଡଳ ମଧ୍ୟରେ ସର୍ବଦା ଦୂରନ୍ତ ଓ ଅଶାନ୍ତ ଝଡମାନ ସୄଷ୍ଟି  ହୋଇଥାଏ I ସୁତରାଂ ଏଭଳି ପରିସ୍ଥିତିରେ ଏଠାରେ ଜୀବନ ବଞ୍ଚିବା ସମ୍ଭବ ନୁହେଁ I  ସେହିପରି  ଶନି, ୟୁରାନସ, ନେପଚ୍ୟୁନ୍ ଭଳି ଅନ୍ୟ ଗ୍ରହଗୁଡିକ ସୂର୍ଯ୍ୟଠାରୁ ଅତି ଦୂରରେ ଅବସ୍ଥିତ ଥିବାରୁ ସେଠାକାର ତାପମାତ୍ରା ଅତି କମ୍ ଏବଂ ଶୂନ୍ୟ ଡିଗ୍ରୀରୁ ଅନେକ ତଳେ I ସେଗୁଡିକର ଶ୍ୱାସରୁଦ୍ଧକାରୀ ବିଷାକ୍ତ ବାୟୁମଣ୍ଡଳ ମଧ୍ୟରେ ମଧ୍ୟ ଜୀବନ ବଞ୍ଚିବା ସମ୍ଭବପର ନୁହେଁ I ଏବେ ଆମ ପୄଥିବୀର ଏକମାତ୍ର ଉପଗ୍ରହ ତଥା ମହାକାଶରେ ଆମର ପଡୋଶୀ ଚନ୍ଦ୍ର ଉପରେ ଦୄଷ୍ଟିପାତ କରିବା I ଚନ୍ଦ୍ରର ବାୟୁମଣ୍ଡଳ ନାହିଁ I ଏହାର ମଧ୍ୟ ଓଜୋନ୍ ମଣ୍ଡଳ ନଥିବାରୁ ଏହା ପୄଷ୍ଠରେ ମହାକାଶରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମି ସିଧାସଳଖ ପଡିଥାଏ I ଚନ୍ଦ୍ରରେ ମଧ୍ୟ ଜୀବନ ବଞ୍ଚିବା ପାଇଁ ଏକ ମୂଖ୍ୟ ଉପଦାନ ଜଳ ଉପଲବ୍ଧ ନୁହେଁ I ନିଜ ଅକ୍ଷ ଚାରିପଟେ ମନ୍ଥର ଘୂର୍ଣ୍ଣନ ହେତୁ ଚନ୍ଦ୍ରର ଦିନ ଓ ରାତିର ତାପମାତ୍ରା ମଧ୍ୟରେ ପ୍ରଚଣ୍ଡ ତାରତମ୍ୟ ଦେଖିବାକୁ ମିଳେ I ସୁତରାଂ ଏଭଳି ପ୍ରତିକୂଳ  ପରିସ୍ଥିତିରେ ଚନ୍ଦ୍ରରେ ଜୀବନ ବଞ୍ଚିବା ସମ୍ଭବପର ନୁହେଁ  I

          ସୁତରାଂ ବାହ୍ୟଜାଗତିକ ଜୀବନସତ୍ତା ଅନୁସନ୍ଧାନ ନିମନ୍ତେ ଆମକୁ ସୁଦୂର ତାରା ରାଇଜର ଅନ୍ୟ ଗ୍ରହ ଜଗତକୁ ଦୃଷ୍ଟିପାତ କରିବାକୁ ପଡିବ I  ତେବେ ପ୍ରଶ୍ନ ହେଉଛି : ଆମେ କ’ଣ ଏପର୍ଯ୍ୟନ୍ତ ଅନ୍ୟ କୌଣସି ତାରାରେ ଗ୍ରହଜଗତ ଥିବାର ନିର୍ଦ୍ଦିଷ୍ଟ  ପ୍ରମାଣ ପାଇ ସାରିଲେଣି I ନାସା ଦ୍ୱାରା ଅନ୍ତରୀକ୍ଷକୁ ପ୍ରେରଣ କରା ଯାଇଥିବା କେପଲାର୍ ଦୂରବୀକ୍ଷଣ ଯନ୍ତ୍ର ଇତି ମଧ୍ୟରେ ଏଭଳି କିଛି ତାରକାଙ୍କ  ସନ୍ଧାନ ପାଇଛି ଯାହାଙ୍କ ଚାରିପଟେ ପ୍ରକାଣ୍ଡ ଗ୍ୟାସୀୟ ବାଦଲ ଘେରି ରହିଥିବାର ଦେଖା ଯାଉଛି I ଏହି ଗ୍ୟାସୀୟ ବାଦଲ ସମୟକ୍ରମେ ଥଣ୍ଡା ହୋଇ ତାରାଗୁଡିକରେ ଗ୍ରହଜଗତ ସୄଷ୍ଟି କରିବ ବୋଲି ବିଶ୍ୱାସ କରାଯାଏ I ଆଉ ଏଭଳି କିଛି ଗ୍ରହରେ  ଘଟଣାକ୍ରମେ  ଅନୁକୂଳ ପରିବେଶ ସୄଷ୍ଟି ହୋଇ  ଜୀବନସତ୍ତା ବିକଶିତ ହେବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି I

    ଅନ୍ତରୀକ୍ଷରୁ ଆମ ପୄଥିବୀରେ ବେତାର ତରଙ୍ଗ ନିରବଛିନ୍ନ ବର୍ଷଣ  ହେଉଅଛି I ମାତ୍ର ସେଗୁଡିକ କୌଣସି ଦୂର ତାରକାର ବୁଦ୍ଧିମାନ ଜୀବନସତ୍ତା ପ୍ରେରିତ  ଇଛାକୄତ ସଙ୍କେତ ପରିବର୍ତ୍ତେ ପ୍ରାକୃତିକ ତରଙ୍ଗ ବୋଲି ଜଣା ଯାଇଛି I  ଆମେ କୌଣସି ତାରାର ଗ୍ରହଜଗତରେ ଜୀବନସତ୍ତାର ସନ୍ଧାନ ପାଇଲେ ସେମାନଙ୍କ ସହିତ ସଙ୍ଗେସଙ୍ଗେ  ଯୋଗଯୋଗ କରି ପାରିବା ନାହିଁ ; କାରଣ ଆମର ସଙ୍କେତ ସେଠାରେ ପହଞ୍ଚିବା ପାଇଁ କିଛି ସମୟ ଲାଗିବ I ଉଦାହରଣ ସ୍ୱରୂପ 100 ଆଲୋକବର୍ଷ ଦୂରତାରେ ଥିବା ଏକ ତାରାରେ ଆମର ବେତାର ସଙ୍କେତ ପହଞ୍ଚିବା ପାଇଁ 100 ବର୍ଷ ସମୟ ଲାଗିବ ଏବଂ ସେମାନଙ୍କର ଉତ୍ତର ଆମ ନିକଟରେ ପହଞ୍ଚିବା ପାଇଁ ଆଉ 100 ବର୍ଷ ସମୟ ବିତିଯିବ I ଆହୁରି ମଧ୍ୟ, ଫଳପ୍ରଦ ବାର୍ତ୍ତା ବିନିମୟ ନିମନ୍ତେ ଉଭୟ ପ୍ରେରକ ଓ ଗ୍ରାହକଙ୍କ ନିକଟରେ ପରସ୍ପର ଅନୁକୂଳ ଯୋଗଯୋଗ ବ୍ୟବସ୍ଥା ଉପଲବ୍ଧ ହେବା ଆବଶ୍ୟକତା ରହିଛି I  

     ସୁତରାଂ ବାହ୍ୟଜାଗତିକ ଜୀବନସତ୍ତା ଅନ୍ୱେଷଣରେ ଆମର ଅନୁସନ୍ଦିତ୍ସା ଜାରି ରହିଛି I  ସମ୍ଭବତଃ ଆମେ ହିଁ ଏ ବିଶାଳ ବିଶ୍ୱରେ ଜଣାଥିବା ଏକମାତ୍ର ଜୀବନ୍ତ ପ୍ରାଣୀ I  ଆମେ ଏପର୍ଯ୍ୟନ୍ତ ଏ ବିଶାଳ ବିଶ୍ୱରେ  ଆମ ବାହ୍ୟଜଗତିକ ସାଥୀଟିଏ ଖୋଜି ପାଇ ନାହେଁ !

ଏଜୁକେଶନ୍ ଅଫିସର

                                                                            ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                    ଭୁବନେଶ୍ୱର

                                                                                                  ଫୋନ୍ : 801870885


Dharitri 23.02.26

https://drive.google.com/file/d/1aSaWjURIAxVIySvSmwA3-o5XIKp_OBEU/view?

usp=sharing







Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ଭାରତର ପ୍ରତିରକ୍ଷା କବଚ ଏସ୍. 400/ S 400