ଚନ୍ଦ୍ରକୁ ଧକ୍କା ଦେବ ଗ୍ରହାଣୁ ASTEROID TO HIT MOON
ଚନ୍ଦ୍ରକୁ ଧକ୍କା ଦେବ ଗ୍ରହାଣୁ
ନିକୁଞ୍ଜ ବିହାରୀ ସାହୁ
ଅନ୍ତରୀକ୍ଷରେ ଅନେକ ଗ୍ରହାଣୁ ଘୂରି ବୁଲୁଛନ୍ତି I ସେଭଳି କେତେକ ଗ୍ରହାଣୁ ଅତୀତରେ ପୄଥିବୀରେ ଜୀବନ ସଞ୍ଚାର କରିଥିଲାବେଳେ ଅନ୍ୟ କିଛି ଗ୍ରହାଣୁ ଆମ ପାଇଁ ବିପଦର କାରଣ ହୋଇଥାନ୍ତି I ଏକ ଚାଞ୍ଚଲ୍ୟକର ଖବର ଅନୁଯାୟୀ , ଏବେ ଏକ ଗ୍ରହାଣୁ ବିପଦପୂର୍ଣ୍ଣ ଭାବେ ଆମର ପଡୋଶୀ ଚନ୍ଦ୍ର ଆଡକୁ ଅଗ୍ରସର ହେଉଛି ଓ ଏହା ଆଗାମୀ 2032 ମସିହା ଡିସେମ୍ବର ମାସରେ ଚନ୍ଦ୍ରକୁ ଧକ୍କା ଦେବ ବୋଲି ଆଶଙ୍କା ପ୍ରକାଶ କରା ଯାଉଛି I ଏହି ଗ୍ରହାଣୁର ନାମ 2004 YR 4 I ଏହାର ବ୍ୟାସ ପ୍ରାୟ 60 ମିଟର ଯାହା ଏକ ବିରାଟ ଆଟ୍ଟାଳିକା ସଦୃଶ I ଏହାର ସଘର୍ଷରେ ଚନ୍ଦ୍ର ପୃଷ୍ଠରେ 1 କି.ମି. ଓସାରର ଏକ ଗର୍ତ୍ତ ସୄଷ୍ଟି ହେବ I ଏହି ସଂଘାତରେ ନିର୍ଗତ ଶକ୍ତି 6 ନିୟୁତ ଟନ୍ ଟି.ଏନ୍.ଟି. ସଙ୍ଗେ ତୁଳନୀୟ ଯାହା ହିରୋସୀମା ଉପରେ ପଡିଥିବା ପରମାଣୁ ବୋମାର ଶକ୍ତିଠାରୁ 400 ଗୁଣ ଅଧିକ I ଏହି ବିପୁଳ ଶକ୍ତିର ନିର୍ଗତ ଫଳରେ ଚନ୍ଦ୍ର ପୃଷ୍ଠ ଅସମ୍ଭବ ଭାବେ ଥରି ଉଠିବ ଏବଂ ଏହା ଝଲସାଏ ଅଲୁଅ ଆକାରରେ ପୄଥିବୀକୁ ଦୄଶ୍ୟ ହେବ I ଏହି ବିରଳ ଦୄଶ୍ୟ ଉତ୍ତର ଆମେରିକା, ହଂକଂ ଓ ହାୱାଲି ଭଳି କିଛି ସ୍ଥାନରେ ଦୃଶ୍ୟ ହେବ I ଏହା ଚନ୍ଦ୍ର ଇତିହାସର ବିଗତ 5000 ବର୍ଷ ମଧ୍ୟରେ ସବୁଠାରୁ ବଡ ମହାକାଶୀୟ ଆଘାତ ଜନିତ ଘଟଣା ହେବ I ଏହି ସଂଘାତରେ ଚନ୍ଦ୍ର ପୄଷ୍ଠରୁ ଅନେକ ଶିଳାଖଣ୍ଡ ନିର୍ଗତ ହୋଇ ଉଲକାପିଣ୍ଡ ରୂପରେ ମହାକାଶକୁ ନିକ୍ଷିପ୍ତ ହେବ I ଏହି ଉଲକାପିଣ୍ଡସବୁ ପୃଥିବୀ ଚାରିପଟେ ପ୍ରଦକ୍ଷିଣରତ କୄତ୍ରିମ ଉପଗ୍ରହଗୁଡିକ ପ୍ରତି ଘୋର ବିପଦ ବହନ କରିବେ ବୋଲି ଆଶଙ୍କା ପ୍ରକାଶ କରାଯାଏ I
ଏହି ଗ୍ରହାଣୁର ମଧ୍ୟ ପୄଥିବୀ ସହିତ ସଂଘର୍ଷ ହେବାର ଆଶଙ୍କା ରହିଛି; ଅବଶ୍ୟ ଏହି ସମ୍ଭାବନା ବହୁତ କ୍ଷୀଣ I ସେଥିପାଇଁ ଆମ ଦୄଶ୍ୟମାନ ଅନ୍ତରୀକ୍ଷରେ ଏହି ଗ୍ରହାଣୁର ଆଗମନ ବୈଜ୍ଞାନିକମାନଙ୍କ ମହଲରେ ଘୋର ଉଦବେଗ ସଞ୍ଚାର କରିଛି I ଆମ ପୄଥିବୀକୁ ମଧ୍ୟ ଅତୀତରେ ଅନେକ ଉଲକା ଓ ଗ୍ରହାଣୁ ପିଣ୍ଡ ଆଘାତ କରିଛନ୍ତି; ମାତ୍ର ପୄଥିବୀର ବାୟୁମଣ୍ଡଳ ଥିବାରୁ ସେଥିରେ ଘଷି ହୋଇ ଖସୁଥିବା ପିଣ୍ଡଗୁଡିକ ଜଳି ଯାଆନ୍ତି ଏବଂ କେବଳ ପାଉଁଶ ରୂପରେ ପୄଥିବୀପୄଷ୍ଠରେ ପଡିଥାନ୍ତି I ମାତ୍ର ଚନ୍ଦ୍ରର କୌଣସି ବାୟୁମଣ୍ଡଳ ନଥିବାରୁ ଛୋଟଛୋଟ ପିଣ୍ଡଗୁଡିକ ଚନ୍ଦ୍ର ପୄଷ୍ଠରେ ପହଞ୍ଚି ପାରନ୍ତି ଏବଂ ସେଠାରେ ପିଟିହୋଇ ଯଥେଷ୍ଟ କ୍ଷତି ସାଧନ କରି ପାରନ୍ତି I
ଏହି ଗ୍ରହାଣୁକୁ 2004 ମସିହା ଡିସେମ୍ବର 27 ତାରିଖରେ ଚିଲିର ଏକ ପର୍ଯ୍ୟବେକ୍ଷଣାଗାରରେ ଆଟଲାସ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ଅବିଷ୍କାର କରା ଯାଇଥିଲା I ଏହି ଗ୍ରହାଣୁଟି ବର୍ତ୍ତମାନ ସୂର୍ଯ୍ୟ ପଛପଟରେ ଅଛି ଓ ସୂର୍ଯ୍ୟର ଉଜ୍ଜ୍ୱଳ ଆଲୋକରେ ଏହାକୁ ଦେଖି ହେଉ ନାହିଁ I ଏଭଳି ଏକ ସ୍ଥାନରେ ଭୂପୄଷ୍ଠସ୍ଥ ଦୂରବୀକ୍ଷଣ ଯନ୍ତ୍ର ପକ୍ଷରେ ଗ୍ରହାଣୁକୁ ଦେଖିବା ସମ୍ଭବପର ନୁହେଁ ଏବଂ ସେଥିପାଇଁ ମହାକାଶର ଏଭଳି ଅଭାବନୀୟ ଏଭଳି ସ୍ଥାନକୁ ‘ଅନ୍ଧତ୍ୱ ଇଲାକା’ ବୋଲି କୁହାଯାଏ I ସୁତରାଂ ଗ୍ରହାଣୁଟିର ଏଭଳି ଅଜ୍ଞାତବାସ ପାଇଁ ଏହା ଏବେ ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟାବୄତ୍ତ ହୋଇ ରହିଛି ଏବଂ ବୈଜ୍ଞାନିକମନେ ଏହାର ବସ୍ତୁତ୍ୱ, ଆକାର ଓ କକ୍ଷପଥ ସମ୍ପର୍କରେ ଅନଭିଜ୍ଞ ଅଟନ୍ତି I ଏହା ଆଗାମୀ ଫ୍ରେବ୍ରୁଆରୀ ମାସରେ ସୂର୍ଯ୍ୟର ପଶ୍ଚାତଭାଗରୁ ବାହାରିଲା ପରେ ଅନ୍ତରୀକ୍ଷରେ ଅବସ୍ଥାପିତ ଜେମ୍ ୱେବ୍ ଦୂରବୀକ୍ଷଣ ଯନ୍ତ୍ରରେ ଅତି ସ୍ୱଳ୍ପ ସମୟ ପାଇଁ ଦୄଶ୍ୟହେବ I ଏହାକୁ ପୁଣି ଆଉଥରେ ଆଗାମୀ 2028 ମସିହାରେ ଦେଖିହେବ, ମାତ୍ର ସେତେବେଳେ ଏହା ଚନ୍ଦ୍ରର ଅତି ନିକଟବର୍ତ୍ତୀ ହୋଇଥିବାରୁ ଏହାକୁ ପ୍ରତିହତ କରିବା ନିମନ୍ତେ ବେଶୀ କିଛି ପଦକ୍ଷେପ ଗ୍ରହଣ କରିହେବ ନାହିଁ I ଏହାହିଁ ହେଉଛି ଏହି ଗ୍ରହାଣୁ ସମ୍ପର୍କୀୟ ସବୁଠାରୁ ବଡ ବିପଦ !
ତେବେ ଆମ ଦୃଶ୍ୟମାନ ଅନ୍ତରୀକ୍ଷରେ ଏଭଳି ଏକ ବିପଦ ସଙ୍କୁଳ ପିଣ୍ଡର ଆବିର୍ଭାବ ଯେ ଚନ୍ଦ୍ର ଓ ପୃଥିବୀ ପାଇଁ ଘୋର ବିପଦ ସୄଷ୍ଟି କରିଛି ଏଥିରେ ସନ୍ଦେହ ନାହିଁ I ସେଥିପାଇଁ ବୈଜ୍ଞାନିକମାନେ ଏବେଠୁ ଗ୍ରହାଣୁଟିକୁ ଠାବ କରି ବଡ କିଛି ବିପଦ ଘଟେଇବା ପୂର୍ବରୁ ମହାକାଶରେ ନଷ୍ଟ କରିଦେବା ପାଇଁ ଯୋଜନା କରୁଛନ୍ତି I ଏଥିପାଇଁ ଗୋଟିଏ ଉପାୟ ହେଉଛି: 2029 ରୁ 2031 ମସିହା ମଧ୍ୟରେ ଅନ୍ତରୀକ୍ଷକୁ ଏକ ପରମାଣୁ ଚାଲିତ ରକେଟ୍ ପ୍ରେରଣ କରି ଗ୍ରହାଣୁକୁ ଅଘାତ ପୂର୍ବକ ଏହାର ପଥକୁ ବିକ୍ଷେପିତ କରି ସଂଘର୍ଷକୁ ସମ୍ପୂର୍ଣ୍ଣ ଏଡାଇ ଦେଇହେବ କିମ୍ବା ଏହାକୁ ଖଣ୍ଡ ବିଖଣ୍ଡିତ କରି ଚନ୍ଦ୍ର ସହିତ ସଂଘାତର ତୀବ୍ରତାକୁ ଯଥେଷ୍ଟ ହ୍ରାସ କରାଯାଇ ପାରିବ I ଅତୀତରେ ଚେଲ୍ୟାବିନ୍ସକ ନାମକ ଏକ ଉଲକାପିଣ୍ଡ ଅତର୍କିତ ଭାବେ ଆମ ବାୟୁମଣ୍ଡଲରେ ପ୍ରବେଶକରି ଧନଜୀବନର ବ୍ୟାପକ କ୍ଷତି ସାଧନ କରିଥିଲା ଏବଂ ଏହି ଦାଗ ଏବେବି ଆମ ମନରୁ ଲିଭି ନାହିଁ I ଆମେ ଏହା ସମ୍ପର୍କରେ ନିମ୍ନରେ ଆଲୋଚନା କରିବା :
ଚେଲ୍ୟାବିନ୍ସକ ଉଲକାପିଣ୍ଡ (ChelyabInsk meteor)
2013 ମସିହା ଫ୍ରେବ୍ରୁଆରୀ 15 ତାରିଖରେ ରୁଷିଆର ୟୁରାଲ୍ ଅଞ୍ଚଳରେ ଏକ ବଡ ଉଲକାପିଣ୍ଡ ଖସିଥିଲା I ଏହା ଚେଲ୍ୟାବିନ୍ସକ ଉଲକାପିଣ୍ଡ ନାମରେ ଜଣାଶୁଣା I ଏହାର ବ୍ୟାସ ଥିଲା 60 ଫୁଟ ଏବଂ ଓଜନ ଥିଲା 9100 ଟନ୍ I ଏହା ପୄଥିବୀର ବାୟୁମଣ୍ଡଳରେ ମାତ୍ର 18 ଡିଗ୍ରୀ କୋଣରେ ଅଚାନକ ପ୍ରବେଶ କରି ଆକାଶରେ 19.2 କି.ମି. ଭଳି ଦୂରନ୍ତ ବେଗରେ ଛୁଟି ଯାଇଥିଲା I ବାୟୁମଣ୍ଡଳର ପ୍ରଚଣ୍ଡ ଘର୍ଷଣ ଓ ତଜ୍ଜନିତ ଉତ୍ପନ୍ନ ତାପରେ ଏହା ଜଳି ଉଠିଥିଲା ଏବଂ ଏଥିରୁ ନିର୍ଗତ ଆଲୁଅ ସୂର୍ଯ୍ୟଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା ଯାହା 100 କି.ମି. ଦୂର ପର୍ଯ୍ୟନ୍ତ ଦୄଶ୍ୟ ହୋଇଥିଲା I ଏହା ଭୂପୄଷ୍ଠରୁ ପ୍ରାୟ 30 କି.ମି. ଉଚ୍ଚତାରେ ବିସ୍ଫୋରିତ ହୋଇଥିଲା I ଏହା ଏକ ଉଜ୍ଜ୍ୱଳ ଆଲୋକମେଞ୍ଚା ରୂପରେ ଦୄଶ୍ୟ ହେବା ସଙ୍ଗେ ସଙ୍ଗେ ପ୍ରଚଣ୍ଡ ଧୂଳି ଓ ଗ୍ୟାସ୍ ନିର୍ଗତ କରିଥିଲା ଯାହା ବାୟୁମଣ୍ଡଳର 26 କି.ମି. ଅଭ୍ୟନ୍ତରକୁ ଭେଦ କରି ଯାଇଥିଲା I ଏଥିରୁ ନିର୍ଗତ ଅଧିକାଂଶ ଶକ୍ତି ବାୟୁମଣ୍ଡଳ ଦ୍ୱାରା ଅବଶୋଷିତ ହୋଇ ଯାଇଥିଲା ଯାହା ଶକ୍ତିଶାଳୀ ସକୱେଭ୍ ତରଙ୍ଗ ଆକାରରେ ସଞ୍ଚାରିତ ହୋଇଥିଲା I ବାୟୁମଣ୍ଡଳରେ ପ୍ରବେଶ ପୂର୍ବରୁ ଉଲକାପିଣ୍ଡର ଗତିଜ ଶକ୍ତି 400 ରୁ 500 ଟି.ଏନ୍.ଟି. ବିସ୍ଫୋରକ ପାଦାର୍ଥର ର କ୍ଷମତା ସଙ୍ଗେ ସମାନ ଥିଲା ଯାହା 30 ଟି ହିରିସୀମା ବୋମାର ଶକ୍ତି ସଙ୍ଗେ ସମକକ୍ଷ ଥିଲା I ଏହାର ଉତ୍ପତ୍ତିସ୍ଥଳ ସୂର୍ଯ୍ୟର ଅତି ପାଖରେ ଥିବାରୁ ଏହାକୁ ସୂର୍ଯ୍ୟର ତେଜ ମଧ୍ୟରେ ଆରମ୍ଭରୁ ଠାବ କରି ହୋଇନଥିଲା ଏବଂ ଏହିଭଳି ଉଲକାଟି ଅତ୍ୟନ୍ତ ଅତର୍କିତ ଭାବେ ବାୟୁମଣ୍ଡଳରେ ପ୍ରବେଶ କରିଥିଲା I ଫଳରେ ଏହାକୁ ଆକାଶରେ ପ୍ରତିହତ କରିବା ପାଇଁ ବୈଜ୍ଞାନିକମାନଙ୍କ ପକ୍ଷରେ ଯଥେଷ୍ଟ ସମୟ ନଥିଲା I ଏହାର ପ୍ରଭାବରେ ଚତୁପାର୍ଶ୍ୱସ୍ଥ ଛଅଟି ସହରର ସମୁଦାୟ 7200ଟି କୋଠାଘର କ୍ଷତିଗ୍ରସ୍ତ ହୋଇଥିଲା ଏବଂ 1491 ଜଣ ଲୋକ ଆଘାତପ୍ରାପ୍ତ ହୋଇଥିଲେ I
କୌଣସି ଗ୍ରହାଣୁ କିମ୍ବା ଉଲକା ପୄଥିବୀର ଜୀବନ ପ୍ରତି ଯଥେଷ୍ଟ ବିପଦ ବହନ କରିଥାଏ I ଆଜିଠୁ ପ୍ରାୟ 6.5 କୋଟି ବର୍ଷ ପୂର୍ବେ ଏକ ବିଶାଳ ଗ୍ରହାଣୁ ପୄଥିବୀ ସହିତ ସଘର୍ଷ ହେବା ଫଳରେ ଡାଇନୋସରମାନଙ୍କ ସମୂହ ମୄତ୍ୟୁ ଘଟିଥିଲା I 2004 YR 4 ଗ୍ରହାଣୁଟି ଚେଲ୍ୟାବିନ୍ସକ ଉଲକାପିଣ୍ଡ ପରି ଏପର୍ଯ୍ୟନ୍ତ ଦୄଶ୍ୟ ହୋଇ ପାରି ନାହିଁ, ଯେହେତୁ ଏହାର ଉତ୍ପତ୍ତିସ୍ଥଳ ସୂର୍ଯ୍ୟର ତେଜୋଦୀପ୍ତ ଅଞ୍ଚଳ ମଧ୍ୟରେ ରହିଛି I ସୁତରାଂ ବୈଜ୍ଞାନିକମାନେ ଏହାକୁ ଗଭୀର ଭାବେ ଅଧ୍ୟୟନ କରିପାରି ନାହାନ୍ତି I ସେଥିପାଇଁ ଏହାକୁ ଆକାଶରେ ପ୍ରତିହତ କରି ଚନ୍ଦ୍ର ତଥା ପୃଥିବୀକୁ ସୁରକ୍ଷିତ ରଖିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଆହ୍ୱାନ ପାଲଟି ଯାଇଛି I
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର-751013
ଫୋନ୍ : 8917637974
The Nitidin dated 06.01.26:https://drive.google.com/file/d/1ydPZE_MklVN0E7scgMglzrOIKVXhzNxy/view?usp=sharing
The Dharitri dated 12.11.26:
https://drive.google.com/file/d/1FWCWVPUD-Q1ewwEVZ-z_sxVwmSXs2Qw5/view?usp=sharing


Comments
Post a Comment