ଆମ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟର ଭୂମିକା ANTIOXIDANTS
ଆମ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟର ଭୂମିକା
ନିକୁଞ୍ଜ ବିହାରୀ ସାହୁ
ଆଜିକାଲି ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍ ଚର୍ଚ୍ଚା ହେଉଛି । କିଛି ଡାକ୍ତର ଲୋକଙ୍କୁ ନିୟମିତ ଆଣ୍ଟି ଅକ୍ସିଡାଣ୍ଟ ଖାଇବାକୁ ପରାମର୍ଶ ଦେଉଛନ୍ତି। କିଛି ଔଷଧ କମ୍ପାନୀ ମଧ୍ୟ ଭିଟାମିନ୍ ଭଳି ବିଭିନ୍ନ ମେଡ଼ିସିନରେ ଆଣ୍ଟିଅକ୍ସିଡାଣ୍ଟ ପଦାର୍ଥ ମିଶ୍ରଣ କରି ଚଢା ଦରରେ ବଜାରରେ ବିକ୍ରି କରୁଛନ୍ତି ଯାହା ରୋଗୀଙ୍କ ମହଲରେ ବେଶ ଆଦୃତ ଲାଭ କରିଛି। ତେବେ ପ୍ରଶ୍ନ ଉଠେ :ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର ପାଇଁ କେତେ ଆବଶ୍ୟକ, ଏସବୁ ତତ୍ତ୍ୱ ଶରୀରକୁ ମିଳିବ କିପରି?
ଆଣ୍ଟିଅକ୍ସିଡାଣ୍ଟ ହେଉଛି ଏକ ପ୍ରକାରର ରାସାୟନିକ ପଦାର୍ଥ ଯାହା ଆମ ଶରୀରରେ ନିରନ୍ତର ଉତ୍ପନ୍ନ ହେଉଥିବା ମୁକ୍ତ ମୂଳକ (Free radicals) ଗୁଡିକୁ ନଷ୍ଟ କରି ଶରୀରକୁ ସୁରକ୍ଷିତ ରଖିଥାଏ। ଏହାଦ୍ୱାରା ଅକାଳ ବାର୍ଦ୍ଧକ୍ୟ, ଦୁରାରୋଗ୍ୟ ତଥା ଦୀର୍ଘାସ୍ଥାୟୀ ବ୍ୟାଧି ଯଥା କର୍କଟ ରୋଗ, ମଧୁମେହ,, ହୃଦୟ ରୋଗ, ବୟସ ହେତୁ କେନ୍ଦ୍ରୀୟ ମୁକୁରିକାର ଅବକ୍ଷୟ ଜନିତ ଚକ୍ଷୁ ରୋଗ (Age Related Macular Degeneration) ଓ ଅଲଝିମରସ୍ ରୋଗ (Alzheimer’s disease) ରୁ ମୁକ୍ତି ମିଳେ।
ମୁକ୍ତ ମୂଳକ କଣ?
ମୁକ୍ତ ମୂଳକ ଏକ ପ୍ରକାରର ରାସାୟନିକ ପଦାର୍ଥ ଯାହା ଶରୀରର ନିଜସ୍ୱ ଚୟାପଚୟ ପ୍ରକ୍ରିୟା (Metabolic processes) ରେ ନିରନ୍ତର ସୃଷ୍ଟି ହେଉଥାଏ। ଶରୀରର କିଛି ମୁକ୍ତ ମୂଳକ ମଧ୍ୟ ବିଭିନ୍ନ ପାରିପାର୍ଶ୍ଵିକ କାରକ ଯଥା ଧୁମପାନ, ବାୟୁ ପ୍ରଦୂଷଣ ଏବଂ ଅତିବାଇଗଣି ରଶ୍ମିର ସଂସ୍ପର୍ଶ ଫଳରେ ଜାତ ହୁଏ। ଏହା ଅଯୁଗ୍ମକ (Unpaired) ଇଲେକଟ୍ରନ୍ ବିଶିଷ୍ଟ ଅଣୁ ଯାହା ରାସାୟନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ, ସକ୍ରିୟ ଏବଂ ଅସ୍ଥାୟୀ। ସେଗୁଡିକର ମାତ୍ରା ଶରୀରରେ ବୃଦ୍ଧି ପାଇଲେ ସେଗୁଡିକ ଜୀବନ୍ତ କୋଷିକାମାନଙ୍କୁ ଆକ୍ରମଣ କରି ସେଥିରେ ଥିବା ଡି.ଏନ.ଏ. (DNA)କୁ ନଷ୍ଟ କରି ଦିଅନ୍ତି। ଫଳରେ ଶରୀର ଦୁର୍ବଳ ହୋଇଯାଇ ଉପରୋକ୍ତ ବ୍ୟାଧିମାନଙ୍କର ପ୍ରାଦୁର୍ଭାବ ଘଟେ। ଏଭଳି ପରିସ୍ଥିତିକୁ ଜାରକତ୍ୱ ଚାପ (Oxidative Stress) କହନ୍ତି।
ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ରକ୍ଷା କରେ କିପରି?
ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଏକ ପ୍ରକାର ରାସାୟନିକ ପଦାର୍ଥ ଯାହା ଶରୀରରେ ସ୍ୱତଃ ସୃଷ୍ଟି ହୋଇଥାଏ। କିଛି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ବାହ୍ୟ ଉତ୍ସରୁ ଯଥା ଆମେ ଖାଉଥିବା ଖାଦ୍ୟ, ଫଳମୁଳ, ପନିପରିବା ଇତ୍ୟାଦିରେ ମହଜୁଦ ଥାଏ। ଆଣ୍ଟିଅକ୍ସିଡାଣ୍ଟର ଅଣୁ ଶରୀରରେ ସୃଷ୍ଟି ହେଉଥିବା ମୁକ୍ତ ମୂଳକର ଅଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ସେଗୁଡିକୁ ନିଜର ଇଲେକଟ୍ରନ୍ ପ୍ରଦାନ କରିଵା ପୂର୍ବକ ସେଗୁଡିକର ଇଲେକଟ୍ରନ୍ ସଂଖ୍ୟାକୁ ଯୁଗ୍ମକ (Paired) ଅବସ୍ଥାକୁ ଆଣି ସେଗୁଡିକୁ ଉଦାସୀନତା (Neutralization) କରିଥାଏ। ଫଳରେ ଶରୀରରେ ମୁକ୍ତ ମୂଳକର ମାତ୍ରା ହ୍ରାସ ପାଇବା ଦ୍ୱାରା ସେଗୁଡିକ କୋଷିକାମାନଙ୍କର ବିଶେଷ କ୍ଷତି ସାଧନ କରି ପାରନ୍ତି ନାହିଁ। ସେଥିପାଇଁ ଆଣ୍ଟିଅକ୍ସିଡାଣ୍ଟକୁ ମଧ୍ୟ ‘ମୁକ୍ତମୂଳକ ଭକ୍ଷକ’ (Free radical Scavengers) ବୋଲି କୁହାଯାଏ।
ଆଣ୍ଟିଅକ୍ସିଡାଣ୍ଟର ନାମ ଓ ପ୍ରକାରଭେଦ
କିଛି ଭିଟାମିନ୍ ଯଥା A, C E ଜଣାଶୁଣା ଆଣ୍ଟିଅକ୍ସିଡାଣ୍ଟ ଅଟନ୍ତି। କିଛି ଉଦ୍ଭିଦ ଜାତ ରାସାୟନିକ ପଦାର୍ଥ (Phytochemicals) ଯଥା କ୍ୟାରୋଟିନଏଡସ୍ (Carotinoids) ର ବିଟା କ୍ୟାରୋଟିନ (Beta Carotine), ଲାଇକୋପିନ୍ Lycopene (ଯାହା ରଙ୍ଗ ବେରଙ୍ଗର ପନିପରିବା ଯଥା ବିଲାତି ବାଇଗଣ ଇତ୍ୟାଦିରେ ଥାଏ ), ଲୁଟିନ୍ Lutein (ଯାହା କୋବି ଜାତୀୟ ଏକ ମାଉଁସିଆ ସବୁଜ ପରିଵା କେଲ୍ Kale ରେ ଥାଏ), ଏବଂ ଫ୍ଲାଭୋନୋଏଡସ୍ (Flavonoids) ଯଥା ହେସ୍ପେରେଟିନ୍ Hesperetin (ଯାହା ଲେମ୍ବୁ ଜାତୀୟ ଖଟା ଲାଗୁଥିବା ସାଇଟ୍ରସ୍ ଫଳରେ ଥାଏ), ଆନ୍ଥ୍ରୋସ୍ୟାନିନ୍ସ୍ Anthocyanins (ଯାହା ବ୍ଲୁ ବେରି, ଲାଲ ରଙ୍ଗର କୋବି ଓ ଅଙ୍ଗୁରରେ ଥାଏ ), କ୍ୱେର୍ସେଟିନ୍ Quercetin (ଯାହା ପିଆଜ, ଅଙ୍ଗୁର, କୋଳି, ଚେରି, ବ୍ରକୋଲି ଏବଂ ଖଟା ଲାଗୁଥିବା ଫଳରେ ଥାଏ) ଏବଂ କ୍ୟାଟେଚିନସ୍ Catechins (ଯାହା ସବୁଜ ଚା, କୋଳି ଏବଂ କୋକୋରେ ଥାଏ) ରେ ମଧ୍ୟ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଉପଲବ୍ଧ ଥାଏ।
ଆଣ୍ଟିଅକ୍ସିଡାଣ୍ଟଗୁଡିକୁ ସମୁଦାୟ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା ଜଳରେ ଦ୍ରବଣୀୟ ଓ ସ୍ନେହସାର (Fats) ରେ ଦ୍ରବଣୀୟ। ଜଳରେ ଦ୍ରବଣୀୟ ଆଣ୍ଟିଅକ୍ସିଡାଣ୍ଟ ସବୁର ଉଦାହରଣ ହେଲା ଭିଟାମିନ୍ C, ଫେନୋଳିକ୍ ଏସିଡ, କ୍ୟାଟେଚିନସ୍ ଇତ୍ୟାଦି ଏବଂ ସ୍ନେହସାରରେ ଦ୍ରବଣୀୟ ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ହେଲେ ଭିଟାମିନ୍ A, E, କ୍ୟାରୋଟିନଏଡସ୍ ଇତ୍ୟାଦି।
ଆଣ୍ଟିଅକ୍ସିଡାଣ୍ଟ ଖାଇବାର ଵିଧି
ଆମକୁ କେବଳ ଗୋଟିଏ କିମ୍ବା ଦୁଇଟି ଆଣ୍ଟିଅକ୍ସିଡାଣ୍ଟ ଖାଇଲେ ଚଳିବ ନାହିଁ, ବରଂ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଶାଇ ସେବନ କରିବାକୁ ପଡିବ। ଏହାର ଏକ ଉଦାହରଣ ନିମ୍ନରେ ଦିଆ ଯାଇପାରେ: ଆଣ୍ଟିଅକ୍ସିଡାଣ୍ଟ ରୂପେ ଜଣାଥିବା ଭିଟାମିନ C ର ଅଣୁ ନିଜର ଏକ ଇଲେକଟ୍ରନ ଗୋଟିଏ ମୁକ୍ତ ମୂଳକକୁ ପ୍ରଦାନ ପୂର୍ବକ ତାହାକୁ ଉଦାସୀନ କରି ନିଜେ ନିଷ୍କ୍ରିୟ ହୋଇଯାଏ। ସେତେବେଳେ, ଅନ୍ୟ ଗୋଟିଏ ଆଣ୍ଟିଅକ୍ସିଡାଣ୍ଟ ହେସ୍ପେରେଟିନ୍ ଭିଟାମିନ C ସହିତ ରାସାୟନିକ ପ୍ରତିକ୍ରିୟା କରି ତା’କୁ ପୁଣି ସକ୍ରିୟ ଅବସ୍ଥାକୁ ଆଣେ। ତେଣୁ ଉତ୍ତମ ଫଳାଫଳ ନିମନ୍ତେ ଆମକୁ ଭିଟାମିନ୍ C ଥିବା ଖାଦ୍ୟ ସହିତ ହେସ୍ପେରେଟିନ୍ ଥିବା ଖାଦ୍ୟକୁ ମିଶାଇ ଖାଇବାକୁ ପଡିବ I
କୌଣସି ଗୋଟିଏ ଖାଦ୍ୟରେ ସମସ୍ତ ଆଣ୍ଟିଅକ୍ସିଡାଣ୍ଟ ପଦାର୍ଥ ନଥାଏ। ତେଣୁ ଅଧିକାଂଶ ଆଣ୍ଟିଅକ୍ସିଡାଣ୍ଟ ପାଇବା ନିମନ୍ତେ ଆମକୁ ବହୁବିଧ ଖାଦ୍ୟ ଯଥା ଫଳମୁଳ , ପନିପରିବା, କୋଳି ଇତ୍ୟାଦି ଖାଇବାକୁ ପଡିବ। ଆହୁରି ମଧ୍ୟ, କୃତ୍ରିମ ସଂଶ୍ଳେଷିତ ଉତ୍ସ ପରିବର୍ତ୍ତେ ପ୍ରାକୃତିକ ଉତ୍ସରୁ ଆହରିତ ଆଣ୍ଟିଅକ୍ସିଡାଣ୍ଟ ସେବନ କଲେ ଭଲ।
କିଛି ଆଣ୍ଟିଅକ୍ସିଡାଣ୍ଟକୁ ଆମକୁ ନିୟମିତ ଖାଇବାକୁ ହୋଇଥାଏ। ଉଦାହରଣ ସ୍ୱରୂପ ଭିଟାମିନ C ଜଳରେ ଦ୍ରବଣୀୟ ହୋଇଥିବାରୁ ତାହା ସ୍ନେହସାରରରେ ଦ୍ରବଣୀୟ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟଙ୍କ ଭଳି ଶରୀରରେ ଜମା ହୋଇ ଦୀର୍ଘ କାଳ ରହେ ନାହିଁ। ତେଣୁ ଆମକୁ ନିୟମିତ ଭିଟାମିନ C ଥିବା ଖାଦ୍ୟକୁ ଭୋଜନରେ ଅନ୍ତର୍ଭୁକ୍ତ କରିବାକୁ ପଡିବ।
ଆଣ୍ଟିଅକ୍ସିଡାଣ୍ଟର ଉତ୍ସ
ଆଣ୍ଟିଅକ୍ସିଡାଣ୍ଟର ସବୁଠାରୁ ଭଲ ଉତ୍ସ ହେଉଛି ଆମେ ଖାଉଥିବା ଖାଦ୍ୟ। ଆମ ଆହାରରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକାର ପନିପରିବା, ଫଳମୁଳ , ପୂର୍ଣ୍ଣାଙ୍ଗ ଶସ୍ୟଦାନା (Whole grains) ଯଥା ଅକାଣ୍ଡିଆ ଚାଉଳ, ଶିମ୍ବ ଜାତୀୟ ଖାଦ୍ୟ, ଲେମ୍ବୁ ଜାତୀୟ ଖଟା ଲାଗୁଥିବା ଫଳ, କୋଳି ଓ ନଟସ୍ (Nuts) ଇତ୍ୟାଦିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। କିଛି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ସବୁଜ ଚା, କଫି ଏବଂ ଚକୋଲେଟ ପ୍ରସ୍ତୁତିରେ ବ୍ୟବହୃତ ‘କୋକୋ’ ପଦାର୍ଥରେ ଥାଏ। ଅଲଗା ଅଲଗା ରଙ୍ଗର ଫଳ ଓ ପନିପରିବା (ଯଥା ଲାଲ, କମଳା, ହଳଦୀ, ଶାଗୁଆ, ନୀଳ ଓ କଳା) ରେ ଭିନ୍ନ ଭିନ୍ନ ଆଣ୍ଟିଅକ୍ସିଡାଣ୍ଟ ଥା’ନ୍ତି। ସୁତରାଂ ଆମ ଭୋଜନରେ ଅଲଗା ଅଲଗା ରଙ୍ଗର ଫଳ ଓ ପନିପରିବା ଅନ୍ତର୍ଭୁକ୍ତ କଲେ ଆମେ ଅଧିକାଂଶ ଆଣ୍ଟିଅକ୍ସିଡାଣ୍ଟ ପ୍ରାପ୍ତ ହୋଇ ପାରିବା । ସେଥିପାଇଁ ଇଂରାଜୀରେ କୁହା ଯାଇଛି ‘Eat Rainbow’, ଅର୍ଥାତ ସବୁ ରଙ୍ଗର ଖାଦ୍ୟ ଖାଆନ୍ତୁ। ଆହୁରି ମଧ୍ୟ, ଏସବୁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ବ୍ୟତୀତ ଅନ୍ୟ ଉପାଦେୟ ପୋଷକ ଗୁଣ ଯଥା ତନ୍ତୁ (Edible Fibres) ବହୁଳତା, ସ୍ୱଳ୍ପ ପରିପୃକ୍ତ ସ୍ନେହସାର (Saturated fats), ସ୍ୱଳ୍ପ କୋଲେଷ୍ଟେରୋଲ (Cholesterol) ଏବଂ ପ୍ରଚୁର ଭିଟାମିନ ଓ ମିନେରାଲ ଉପଲବ୍ଧ ଥାଏ। ସୁତରାଂ ଏସବୁ ଖାଦ୍ୟ ନିୟମିତ ରୂପେ ଆମ ଭୋଜନରେ ଖାଇଲେ ଆମେ ଶରୀରର ଆଣ୍ଟିଅକ୍ସିଡାଣ୍ଟ ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ପୋଷକତତ୍ତ୍ୱର ଆବଶ୍ୟକତା ମଧ୍ୟ ମେଣ୍ଟାଇ ପାରିଵା ଏବଂ ଶରୀରକୁ ସୁସ୍ଥ ଓ ନିରାମୟ ରଖି ପାରିବା ।
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର
ଫୋନ୍ : 8917637974
Bigyana Diganta Dec 25 Special issue:
https://drive.google.com/file/d/169EBlE0gx9GiIUK5YQEyGaV8pFMLOK4k/view?usp=sharing
The Dharitri dated 22.12.22
Link : https://drive.google.com/file/d/1yX8_xydtTaPSHuNNZDtDLQ62SMWP738J/view?usp=sharing



Comments
Post a Comment