ଫଳପ୍ରଦ ଆଣ୍ଟିବାୟୋଟିକ୍ ପଦାର୍ଥର ବିକାଶ ANTIBIOTIC
ଫଳପ୍ରଦ ଆଣ୍ଟିବାୟୋଟିକ୍ ପଦାର୍ଥର ବିକାଶ
ନିକୁଞ୍ଜ ବିହାରୀ ସାହୁ
ଏବେ କିଛି ବ୍ୟାଧି ସୄଷ୍ଟିକାରୀ ବ୍ୟାକ୍ଟେରିଆଙ୍କ ପ୍ରଚଳିତ ଜୀବାଣୁନାଶକ ଔଷଧ ବା ଆଣ୍ଟିବାୟୋଟିକ୍ (Antibiotic) ପ୍ରତି ପ୍ରତିରୋଧକଶୀଳତା ବୄଦ୍ଧି ପାଇଛି I ଫଳରେ ଡାକ୍ତରଙ୍କ ପକ୍ଷରେ ଏଭଳି ଔଷଧ-ପ୍ରତିରୋଧୀ ବ୍ୟାକ୍ଟେରିଆଙ୍କ ଦ୍ୱାରା ସଂକ୍ରମିତ ରୋଗର ଚିକିତ୍ସା କରିବା କଷ୍ଟକର ହୋଇପଡୁଛି I ଏହାର ମୁକାବିଲା ନିମନ୍ତେ ଏବେ ବୈଜ୍ଞାନିକମାନେ ନୂତନ ଆଣ୍ଟିବାୟୋଟିକ୍ ତତ୍ତ୍ୱର ସନ୍ଧାନ କରିବାକୁ ପ୍ରୟାସ ଚଳାଇଛନ୍ତି ଯାହା ଏଭଳି ବ୍ୟାକ୍ଟେରିଆଙ୍କ ପ୍ରତିହତ ପାଇଁ ଫଳପ୍ରଦ ଭାବେ କାର୍ଯ୍ୟ କରିବ I ଏ କ୍ଷେତ୍ରରେ କିଛି ଅନାମଧେୟ ଭାଇରସ୍ ପ୍ରତିଶ୍ରୁତି ବହନ କରିଥାନ୍ତି I ଗବେଷଣାରୁ ଜଣା ପଡିଛି ଯେ, ଏହି ଭାଇରସ୍ ଙ୍କ କିଛି ପ୍ରୋଟିନ୍ ବ୍ୟାକ୍ଟେରିଆର କୋଷ ଭିତ୍ତି (Cell wall) ନିର୍ମାଣ ପାଇଁ ଆବଶ୍ୟକ ମୁରଜେ (MurJ) ନାମକ ଏକ ପ୍ରମୁଖ ପ୍ରୋଟିନକୁ ଅକ୍ଷମ କରିଦିଏ, ଯାହା ଦ୍ୱାରା ଘଟଣାକ୍ରମେ ବ୍ୟାକ୍ଟେରିଆର ମୄତ୍ୟୁ ଘଟେ । ଉଚ୍ଚ-ବିଭେଦନଶୀଳ ଅଣୁବୀକ୍ଷଣ ଛବିରୁ ଜଣାଯାଏ ଯେ, ଏହି ଭାଇରସ୍ ପ୍ରୋଟିନଗୁଡ଼ିକ ବ୍ୟାକ୍ଟେରିଆ ଶରୀର ମଧ୍ୟରେ ମୁରଜେ ପ୍ରୋଟିନକୁ ଅଚଳ କରି ଗୋଟିଏ ସ୍ଥାନରେ ବନ୍ଦୀ କରିଦିଏ, ଯାହା ଦ୍ୱାରା ବ୍ୟାକ୍ଟେରିଆର କୋଷଭିତ୍ତି ନିର୍ମାଣ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହୋଇ ତା’ର ମୄତ୍ୟୁ ଘଟେ । ଉଲ୍ଲେଖନୀୟ ଭାବରେ, ଅଲଗା ଅଲଗା ଭାଇରସ୍ ନିଜର ପୃଥକ ପ୍ରୋଟିନ ବିକଶିତ କଲେ ସୁଦ୍ଧା ସବୁ ପ୍ରୋଟିନ୍ ଅନୁରୂପ ପଦ୍ଧତିରେ ବ୍ୟାକ୍ଟେରିଆର ପ୍ରୋଟିନ ‘ମୁରଜେ’କୁ ଅବରୋଧ କରିଥାନ୍ତି I ସୁତରାଂ ଏହି ଆବିଷ୍କାର ଆଗାମୀ ଦିନରେ ଏକ ନୂତନ ଓ ଫଳପ୍ରଦ ଆଣ୍ଟିବାୟୋଟିକ୍ ପଦାର୍ଥ ବିକାଶ ଦିଗରେ ସମ୍ଭାବନା ବହନ କରିବ ବୋଲି ଆଶା କରାଯାଏ I ଗବେଷଣାର ଏହି ଫଳାଫଳ ଗତ ଫେବୃଆରୀ 26 ତାରିଖର 'ନେଚର' ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଗବେଷଣାର ସୂତ୍ରଧର ଥିଲେ ଯୁକ୍ତରାଷ୍ଟ୍ର ଆମେରିକର କାଲଟେକର ବିଲ୍ କ୍ଲେମନ୍ସ ଗବେଷଣାଗାରରେ କାର୍ଯ୍ୟରତ ଜଣେ ସ୍ନାତକ ଛାତ୍ର ୟାନଚେଙ୍ଗ ଏଭଲିନ୍ ଲି ।
ନୂତନ ଆଣ୍ଟିବାୟୋଟିକ୍ସ ତତ୍ତ୍ୱ ବିକାଶର ଆବଶ୍ୟକତା
ବ୍ୟାକ୍ଟେରିଆ ଶୀଘ୍ର ବିବର୍ତ୍ତିତ ହୋଇ ନୂଆ ରୂପରେ ଆତ୍ମପ୍ରକାଶ କରିଥାଏ I ସେମାନଙ୍କର ଏହି ଅଭୂତପୂର୍ବ ଅନୁକୂଳନଶୀଳତା ସାର୍ବଜନୀନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଘୋର ସମସ୍ୟା ସୄଷ୍ଟି କରିଛି I ଉପରୋକ୍ତ ଗବେଷଣାର ସହଗବେଷକ କ୍ଲେମନ୍ସ କୁହନ୍ତି ଯେ, "ବିବର୍ତ୍ତନ ପ୍ରକ୍ତିୟା ପ୍ରକୄତିର ଏକ ଶକ୍ତିଶାଳୀ କାରକ; ତେଣୁ ବ୍ୟାକ୍ଟେରିଆର ଆଣ୍ଟିବାୟୋଟିକ୍ସ ପ୍ରତିରୋଧ କ୍ଷମତା ଦ୍ରୁତ ବିକଶିତ ହେଉଛି। ଏହାର ଅର୍ଥ ହେଉଛି, ଆମେ ବର୍ତ୍ତମାନ ଏପରି ଜୀବାଣୁ ସହିତ ମୁକାବିଲା କରୁଛୁ ଯାହା ଆମ ପାଖରେ ଥିବା ସମସ୍ତ ଔଷଧ ପ୍ରତି ପ୍ରତିରୋଧକଶୀଳ; ଅର୍ଥାତ ଆମର କୌଣସି ଔଷଧ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରେ ନାହିଁ ।" କେବଳ ଆମେରିକାରେ, ପ୍ରତିବର୍ଷ ହଜାର ହଜାର ଲୋକ ଆଣ୍ଟିବାୟୋଟିକ୍-ପ୍ରତିରୋଧୀ ଜୀବାଣୁଙ୍କ ସଂକ୍ରମଣରୁ ମୃତ୍ୟୁବରଣ କରିଥାନ୍ତି ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ ଏହାର ମୁକାବିଲା ପାଇଁ ଆଗାମୀ ଦିନରେ ନୂତନ ଆଣ୍ଟିବାୟୋଟିକ୍ସ ପଦାର୍ଥର ସନ୍ଧାନ କରିବାର ଜରୁରୀ ଆବଶ୍ୟକତା ରହିଛି ।" ପ୍ରଚଳିତ ଔଷଧସବୁ ବ୍ୟାକ୍ଟେରିଆ ବିପକ୍ଷରେ ପ୍ରଭାବଶାଳୀତା ହରାଇବା ଦୄଷ୍ଟିକୋଣରୁ, ଗବେଷକମାନେ ବ୍ୟାକ୍ଟେରିଆ ଶରୀରର ଏପରି କିଛି ନୂତନ ଦୁର୍ବଳ ବିନ୍ଦୁ ଖୋଜୁଛନ୍ତି ଯେଉଁଠାରେ ନୂତନ ଔଷଧ ପ୍ରୟୋଗ କରି ସେମାନଙ୍କୁ ପ୍ରତିହତ ପାରିବ ।
ନୂତନ ଲକ୍ଷ୍ୟସ୍ଥଳୀ
ଏ କ୍ଷେତ୍ରରେ ଏକ ସହଜସାଧ୍ୟ କୌଶଳ ହେଉଛି ବ୍ୟାକ୍ଟେରିଆର କୋଷଭତ୍ତି ଗଠନ କରୁଥିବା ଏକ କଠୋର ଉପାଦାନ ପେପ୍ଟିଡୋଗ୍ଲାଇକାନ୍ (Peptidoglycan) ନିର୍ମାଣ ପାଇଁ ବ୍ୟବହୄତ କ୍ରିୟାପଥକୁ ପ୍ରତିହତ କରିବା । ଏହି ପ୍ରକ୍ରିୟାକୁ ‘ପେପ୍ଟିଡୋଗ୍ଲାଇକାନ୍ ଜୈବସଂଶ୍ଳେଷଣ କ୍ରିୟାପଥ’ କୁହାଯାଏ I ଏହା ବୈଜ୍ଞାନିକମାନଙ୍କ ପାଇଁ ବିଶେଷ ଭାବରେ ଆକର୍ଷଣୀୟ; କାରଣ ପେପ୍ଟିଡୋଗ୍ଲାଇକାନ୍ ପ୍ରୋଟିନ୍ କେବଳ ବ୍ୟାକ୍ଟେରିଆଠାରେ ହିଁ ମିଳିଥାଏ, ମାନବ କୋଷରେ ନୁହେଁ। କ୍ଲେମନ୍ସ ଉଲ୍ଲେଖ କରିଛନ୍ତି ଯେ, "ପେପ୍ଟିଡୋଗ୍ଲାଇକାନ୍ ହେଉଛି ବ୍ୟାକ୍ଟେରିଆର ଅନନ୍ୟ ବୈଶିଷ୍ଟ୍ୟ, ଯାହା ଏହାକୁ ବୈଜ୍ଞାନିକମାନଙ୍କ ପାଇଁ ଏକ ଆକର୍ଷଣୀୟ ଆଣ୍ଟିବାୟୋଟିକ୍ ଲକ୍ଷ୍ୟସ୍ଥଳୀରେ ପରିଣତ କରିଥାଏ।"
ପ୍ରଚଳିତ ଅନେକ ଆଣ୍ଟିବାୟୋଟିକ୍ ପଦାର୍ଥର କାର୍ଯ୍ୟପ୍ରଣାଳୀ ଏହି ପଥକୁ ବ୍ୟାହତ କରିବା ପଦ୍ଧତି ଉପରେ ପର୍ଯ୍ୟବେସିତ । ଗତ 1928 ମସିହାରେ ବୈଜ୍ଞାନିକ ଆଲେକଜାଣ୍ଡାର ଫ୍ଲେମିଂଙ୍କ ଦ୍ୱାରା ଆବିଷ୍କୃତ ବିଶ୍ୱର ସର୍ବପ୍ରଥମ ଆଣ୍ଟିବାୟୋଟିକ୍ ଔଷଧ ‘ପେନିସିଲିନ୍’ ବ୍ୟାକ୍ଟେରିଆ ଶରୀରରେ ପେପ୍ଟିଡୋଗ୍ଲାଇକାନ୍ ଉତ୍ପାଦନର ଏକ ଶେଷ ପର୍ଯ୍ୟାୟକୁ ଅବରୋଧ ଦ୍ୱାରା କାର୍ଯ୍ୟ କରିଥାଏ । ଆମୋକ୍ସିସିଲିନ୍ ଭଳି ଆଣ୍ଟିବାୟୋଟିକ୍ ଔଷଧ ମଧ୍ୟ ଅନୁରୂପ ପଦ୍ଧତିରେ କାର୍ଯ୍ୟ କରେ।
ବ୍ୟାକ୍ଟେରିଆର ସୁରକ୍ଷା ପ୍ରୋଟିନ୍ ବଳୟ
ବ୍ୟାକ୍ଟେରିଆର ସୁରକ୍ଷା ପ୍ରୋଟିନ୍ ବଳୟ ତିନୋଟି ଅତ୍ୟାବଶ୍ୟକୀୟ ପ୍ରୋଟିନ୍ ଯଥା ଏମ୍ ରେ (MraY) , ମୁରଜି (MurG) ଏବଂ ମୁରଜେ (MurJ) କୁ ନେଇ ଗଠିତ । ଏହି ପ୍ରୋଟିନ୍ ସବୁ ବ୍ୟାକ୍ଟେରିଆର ଅନ୍ତଝିଲ୍ଲୀ ଦେଇ ପେପ୍ଟିଡୋଗ୍ଲାଇକାନ୍ ନିର୍ମାଣ ପ୍ରକ୍ରିୟାକୁ ପରିଚାଳିତ କରନ୍ତି I ଏହି ପ୍ରୋଟିନଗୁଡ଼ିକ ବାହ୍ୟଝିଲ୍ଲୀ ବାହାରେ କୋଷଭିତ୍ତି ଗଠନ କରିବା ପାଇଁ ଆବଶ୍ୟକ ଉପାଦାନଗୁଡ଼ିକୁ ପରିବହନ କରିବାରେ ସାହାଯ୍ୟ କରନ୍ତି । ଯଦି ଏଗୁଡିକ ମଧ୍ୟରୁ କୌଣସି ଗୋଟିଏ ପ୍ରୋଟିନ୍ ଅକାମୀ ହୋଇଯାଏ, ତେବେ ପେପ୍ଟିଡୋଗ୍ଲାଇକାନ୍ ଉତ୍ପନ୍ନ ହୋଇପାରେ ନାହିଁ ଏବଂ ଘଟଣାକ୍ରମେ ବ୍ୟାକ୍ଟେରିଆର ମୄତ୍ୟୁ ଘଟେ I ସୁତରାଂ ଏହି ବ୍ୟବସ୍ଥା ହିଁ ନୂତନ ଆଣ୍ଟିବାୟୋଟିକ୍ ଔଷଧର କାର୍ଯ୍ୟକାରିତା ପାଇଁ ବୈଜ୍ଞାନିକମାନଙ୍କର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳୀ ରୂପେ ସାବ୍ୟସ୍ତ ହୋଇଥାଏ । ଯଦିଓ ଗବେଷକମାନେ ଏହି ପ୍ରୋଟିନଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ କିଛିଟା ଅବଗତ, ଏ କ୍ଷେତ୍ରରେ ମଧ୍ୟ ଅନେକ ତଥ୍ୟ ରହସ୍ୟାବୄତ୍ତ ହୋଇ ରହିଛି I
ଏବେକାର କୌଣସି ଅନୁମୋଦିତ ଔଷଧ ବ୍ୟାକ୍ଟେରିଆର ଏହି ତିନୋଟି ପ୍ରୋଟିନ ଗଠନକୁ ସିଧାସଳଖ ପ୍ରତିହତ କରେ ନାହିଁ । ତଥାପି, କ୍ଲେମନ୍ସ କୁହନ୍ତି ଯେ, ଭବିଷ୍ୟତରେ ଏପରି ପଦ୍ଧତି ବିକାଶର ସମ୍ଭାବନା ଅଛି । ସେ କହନ୍ତି, "ଆମେ ଜାଣୁ ଯେ ଆମେ ପ୍ରକୃତିରୁ କିମ୍ବା ରାସାୟନଗାରରେ ସଂଶ୍ଳେଷିତ କିଛି ସୂକ୍ଷ୍ମ ଅଣୁର ସନ୍ଧାନ କରି ପାରିବା, ଯାହା ବ୍ୟାକ୍ଟେରିଆ ଶରୀରର ଏହି ପ୍ରୋଟିନଗୁଡ଼ିକର ଗଠନକୁ ପ୍ରତିହତ କରି ପାରିବ I” ଉତ୍ସାହଜନକ ଭାବରେ, ସଦ୍ୟତମ ଆବିଷ୍କାରରୁ ଜଣା ପଡିଛି ଯେ ବ୍ୟାକ୍ଟେରିଆମାନଙ୍କୁ ଆକ୍ରମଣ କରୁଥିବା ବ୍ୟାକ୍ଟେରିଓଫେଜ (Bacteriophage) ଭାଇରସ୍ ଗୁଡିକ ବ୍ୟାକ୍ଟେରିଆର ପ୍ରତିରକ୍ଷା ବଳୟ ଭେଦକରି ଏହି ନୂତନ ପଦ୍ଧତିର ସୂତ୍ରଧର ହୋଇ ପାରିବେ I
ବ୍ୟାକ୍ଟେରିଓଫେଜ୍ ଭାଇରସ୍ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି
ବ୍ୟାକ୍ଟେରିଓଫେଜ୍ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍। ବଞ୍ଚିବା ପାଇଁ, ସେମାନଙ୍କୁ ଏକ ବ୍ୟାକ୍ଟେରିଆ କୋଷରେ ପ୍ରବେଶ କରି ନିଜର ପ୍ରତିକୃତି ଗଠନ ପୂର୍ବକ ଅନ୍ୟ ବ୍ୟାକ୍ଟେରିଆଙ୍କୁ ସଂକ୍ରମିତ କରିବା ନିମନ୍ତେ ପଦାକୁ ନିର୍ଗତ ହେବା ଆବଶ୍ୟକ । ଏହି ଭାଇରସ୍ କୁ ପଦାକୁ ବାହାରିବା ପାଇଁ ହେଲେ ବ୍ୟାକ୍ଟେରିଆ କୋଷଭିତ୍ତି ଗଠନର ମୂଖ୍ୟ ଉପାଦାନ ପେପ୍ଟିଡୋଗ୍ଲାଇକାନ୍ ସ୍ତର ଅତିକ୍ରମ କରିବା ଜରୁରୀ । ବୈଜ୍ଞାନିକମାନେ ଏବେ ଏଭଳି କିଛି ସୂକ୍ଷ୍ମ ଭାଇରସ୍ ଅଧ୍ୟୟନ କରୁଛନ୍ତି ଯାହା ଏକକ ଷ୍ଟ୍ରାଣ୍ଡ ବିଶିଷ୍ଟ ଡି.ଏନ.ଏ. କିମ୍ବା ଆର.ଏନ.ଏ. ଅଣୁରେ ଗଠିତ । ଏହି ଭାଇରସ୍ ମାନଙ୍କର କ୍ଷୁଦ୍ର ଓ ପ୍ରଭାବଶାଳୀ ଜିନୋମ୍ ଥାଏ ଯାହା ବ୍ୟାକ୍ଟେରିଆକୁ ସହଜରେ ବିନାଶ କରିବାରେ ସହାୟକ ହୋଇଥାଏ ।
ଭାଇରସ୍ ପ୍ରୋଟିନ୍ ଯାହା ବ୍ୟାକ୍ଟେରିଆ ପ୍ରୋଟିନ୍ ମୁରଜେକୁ ଅକ୍ଷମ କରେ
ବ୍ୟାକ୍ଟେରିଓଫେଜ୍ ଭାଇରସ୍ ବ୍ୟାକ୍ଟେରିଆକୁ ବିନାଶ କରିବା ପାଇଁ ନିଜର ସିଙ୍ଗଲ୍-ଜିନ୍ ଲାଇସିସ୍ ପ୍ରୋଟିନ୍ (Sgls) ନାମକ ଏକ ବିଶେଷ ପ୍ରୋଟିନ୍ ଉପରେ ନିର୍ଭର କରେ। ଲି ଏବଂ କ୍ଲେମନ୍ସ ଏହି ପ୍ରୋଟିନର ଭୂମିକା ଉପରେ ଗୁରୁତ୍ୱ ଦେଇଛନ୍ତି ଯାହା ବ୍ୟାକ୍ଟେରିଆର ପ୍ରମୁଖ କୋଷଭିତ୍ତି ଗଠନରେ ସହାୟକ ପ୍ରୋଟିନ୍ ‘ମୁରଜେ’ କୁ ଟାର୍ଗେଟ କରି କାର୍ଯ୍ୟକରେ। ମୁରଜେ ମୂଖ୍ୟତଃ ଏକ ଫ୍ଲିପେସ୍ (Flippase) ପ୍ରୋଟିନ୍ ଭାବରେ କାର୍ଯ୍ୟ କରେ ଯାହା ମୂଖ୍ୟତଃ କୋଷଭିତ୍ତି ଗଠନର ଏକ ମୂଖ୍ୟ ଉପାଦାନ ଫସ୍ଫୋଲିପିଡର (Phosphilipid) ଅଣୁକୁ କୋଷଝିଲ୍ଲୀ (Cell Membrane) ର ଦୁଇ ସ୍ତର ଦେଇ ପରିବହନ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା କୋଷ ମଧ୍ୟରୁ ପେପ୍ଟିଡୋଗ୍ଲାଇକାନ୍ ନିର୍ମାଣର ଉପାଦାନକୁ କୋଷଝିଲ୍ଲୀ ଦେଇ ପରିବହନ କରେ ଯାହା ଦ୍ଵାରା ସେଗୁଡ଼ିକ ବର୍ଦ୍ଧନଶୀଳ ତରୁଣ ଜୀବକୋଷର କୋଷଭିତ୍ତି ଗଠନରେ ଭାଗ ନେଇ ପାରନ୍ତି । ସେମାନଙ୍କ ଗବେଷଣାରୁ ଆହୁରି ମଧ୍ୟ ସୂଚନା ମିଳେ ଯେ Sgls ବ୍ୟତୀତ ଅନ୍ୟ ଦୁଇଟି ଅସମ୍ପର୍କିତ ପ୍ରୋଟିନ୍ ଯଥା SglM ଓ SglPP7 ମଧ୍ୟ ବ୍ୟାକ୍ଟେରିଆର ମୁରଜେ ପ୍ରୋଟିନକୁ ଅବରୋଧ କରି ଏହାକୁ ମାରିଦିଏ ।
ଏହି ପ୍ରକ୍ରିୟା ବୁଝିବା ପାଇଁ, ବୈଜ୍ଞାନିକ ଲି କାଲଟେକ୍ର ‘ବେକମ୍ୟାନ୍ ଇନଷ୍ଟିଚ୍ୟୁଟ୍ ବାୟୋଲୋଜିକାଲ୍ ଆଣ୍ଡ୍ କ୍ରାୟୋଜେନିକ୍ ଟ୍ରାନ୍ସମିସନ୍ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପି’ ଗବେଷଣା କେନ୍ଦ୍ରରେ କ୍ରାୟୋ-ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପି ପଦ୍ଧତି ପ୍ରୟୋଗ କରିଥିଲେ । ମୁରଜେ ଭଳି ଫ୍ଲିପେସ୍ ର ଅଣୁଗୁଡ଼ିକ କୋଷଝିଲ୍ଲୀରେ ସ୍ଥାୟୀ ନିର୍ଗମ ଦ୍ୱାର ସୄଷ୍ଟି ନକରି ପେପ୍ଟିଡୋଗ୍ଲାଇକାନ୍ ନିର୍ମାଣର ଉପାଦାନ ଅଣୁଗୁଡିକୁ କୋଷଝିଲ୍ଲୀର ପ୍ରତ୍ୟେକ ପାର୍ଶ୍ୱରେ ଥର ଥର କରି ସଂସ୍ପର୍ଶରେ ଆଣିଥାଏ । ଯେତେବେଳେ ମୁରଜେ କୋଷ ଭିତରେ ବାହକ ପଦାର୍ଥ ସଙ୍ଗେ ଯୁକ୍ତ ହୋଇ ବନ୍ଧନ କରିଥାଏ, ସେତେବେଳେ ଏହା ସଂଯୋଜିତ ଅଣୁକୁ ବାହାର ପାର୍ଶ୍ୱରେ ନିର୍ମୁକ୍ତ କରିବା ପାଇଁ ନିଜର ଆକାର ପରିବର୍ତ୍ତନ କରେ। ବୈଜ୍ଞାନିକ ଲି ଲକ୍ଷ୍ୟ କରିଥିଲେ ଯେ, ଯେ ଉଭୟ SglM ଏବଂ SglPP7 ପ୍ରୋଟିନ୍ ମୁରଜେରେ ଏକ ଖାଲୁଆ ଅଂଶ ସହିତ ସଂଲଗ୍ନ ହୋଇଥାନ୍ତି ଯାହା ଏହାର ପରିବହନ ପାଇଁ ଆବଶ୍ୟକ ସଂରଚନାତ୍ମକ ପରିବର୍ତ୍ତନକୁ ପ୍ରତିହତ କରେ । ଗବେଷଣାରୁ ସ୍ପଷ୍ଟ ହୋଇଗଲା ଯେ ଏହି Sgls ପ୍ରୋଟିନ୍ ଦ୍ୱୟ ମୁରଜେ ସହିତ ବାହାରପଟୁ ସଂଯୁକ୍ତ ହୋଇ ତାହାକୁ ଗୋଟିଏ ସ୍ଥାନରେ ବନ୍ଦୀ କରି ଦିଅନ୍ତି I ଗବେଷକମାନେ ନିଜର ଏହି ସନ୍ଧାନ ଦ୍ୱାରା ଉତ୍ସାହିତ; କାରଣ ମୁରଜେ ପ୍ରୋଟିନର ବାହ୍ୟ-ମୁଖୀ ଅଂଶ ହିଁ ବାହ୍ୟ ପରିବେଶର ସଂସ୍ପର୍ଶରେ ଆସିଥାଏ ଯାହା ଦ୍ୱାରା ଏହାକୁ ନୂତନ ଲକ୍ଷ୍ୟସ୍ଥଳୀ ହିସାବରେ ଗ୍ରହଣ କରି ଉପଯୁକ୍ତ ଔଷଧ ପ୍ରୟୋଗ ଦ୍ୱାରା ସହଜରେ ଟାର୍ଗେଟ କରା ଯାଇ ପାରିବ ।
ଗବେଷକ ଦଳ ବିଶ୍ୱାସ କରନ୍ତି ଯେ, ଯେହେତୁ ବ୍ୟାକ୍ଟେରିଓଫେଜ୍ ଭାଇରସ୍ ଦ୍ରୁତ ନୂଆ ନୁଆ ରୂପରେ ବିବର୍ତ୍ତିତ ହୋଇଥାଏ , Sgls ପ୍ରୋଟିନ୍ ବହନ କରୁଥିବା ଆହୁରି ଅନେକ ପ୍ରଜାତିର ବ୍ୟାକ୍ଟେରିଓଫେଜ୍ ଭାଇରସ୍ ମଧ୍ୟ ସନ୍ଧାନ ମିଳିବାର ଆଶା କରା ଯାଉଛି ଯେଉଁ ମାନଙ୍କ ଜରିଆରେ ବ୍ୟାକ୍ଟେରିଆମାନଙ୍କୁ ସହଜରେ ମୁକବିଲା କରିହେବ I ଏହି ବ୍ୟାକ୍ଟେରିଓଫେଜ୍ ଭାଇରସ୍ ଗୁଡିକୁ ଗବେଷଣାଗାରରେ ପୄଥକ କରିବା ସହଜସାଧ୍ୟ ହୋଇ ଥିବାରୁ ଏମାନଙ୍କ ଜିନୋମ୍ ର ଅଧ୍ୟୟନ ଦ୍ୱାରା ବ୍ୟାକ୍ଟେରିଆ ଶରୀରରେ ଆଣ୍ଟିବାୟୋଟିକ୍ସ ପଦାର୍ଥ ପ୍ରୟୋଗ ନିମନ୍ତେ ନୂତନ ଆକ୍ରମଣସ୍ଥଳୀର ସନ୍ଧାନ ମିଳି ପାରିବ ବୋଲି ବୈଜ୍ଞନିକମାନେ ଆଶା ବାନ୍ଧିଛନ୍ତି I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର
ଫୋନ୍ : 8018708858
The Sambad Kalika dtd 17.03.26:
https://drive.google.com/file/d/1vHx9DkG8TMpVp7q8Nu2x7BHOoA1ZzqUt/view?usp=sharing
Comments
Post a Comment