ବିମାନ ଦୁର୍ଘଟଣାର କାରଣ ଖୋଜିବ ବ୍ଲାକ ବକ୍ସ Black Box
ବିମାନ ଦୁର୍ଘଟଣାର କାରଣ ଖୋଜିବ ବ୍ଲାକ ବକ୍ସ
ନିକୁଞ୍ଜ ବିହାରୀ ସାହୁ
ଏବେ ଭାରତର ଏକ ବୋଇଂ ଡ୍ରିମଲାଇନର୍ 787-8 ବିମାନ ଅହମ୍ମଦାବାଦଠାରେ ଦୁର୍ଘଟାଣାଗ୍ରସ୍ତ ହୋଇଛି I ଏଥିରେ ଆରୋହୀ 241 ଜଣ ଯାତ୍ରୀଙ୍କ ମୄତ୍ୟୁ ଘଟିଛି I ରନ ୱେ ରୁ ଉତ୍ଥାନର ମାତ୍ର 60 ସେକେଣ୍ଡରୁ କମ୍ ସମୟ ମଧ୍ୟରେ ବିମାନକୁ ଉପଯୁକ୍ତ ଉତ୍ଥାନ (Lift) ନମିଳିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣା ପଡିଛି I ଏହା ବିଶ୍ୱ ବିମାନ ଦୁର୍ଘଟଣାର ଏକ ମର୍ମନ୍ତୁଦ ଉଦାହରଣ I ଏବେ ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି ଏବଂ ଏ ସଂକ୍ରାନ୍ତରେ ଚୂଡାନ୍ତ ବିବରଣୀ ଆଗାମୀ ତିନି ମାସ ମଧ୍ୟରେ ପ୍ରକାଶ ପାଇବ ବୋଲି ଜଣା ପଡିଛି I ଅନ୍ୟ ଏକ ଘଟଣାକ୍ରମରେ ବିମାନର ବହୁପ୍ରତୀକ୍ଷିତ ବ୍ଲାକ୍ ବକ୍ସ ମିଳି ଯାଇଥିବାରୁ ଏହାର ତଥ୍ୟକୁ ଭିତ୍ତିକରି ଆଗାମୀ ଦିନରେ ବିମାନ ଦୁର୍ଘଟଣାର ଅନେକ ରହସ୍ୟ ଉଦଘାଟନ ହୋଇ ପାରିବ ବୋଲି ଆଶା କରାଯାଉଛି I ଏହି ବ୍ଲାକ୍ ବକ୍ସର ତଥ୍ୟକୁ ନୂଆଦିଲ୍ଲୀ ସ୍ଥିତ ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର୍ (DFDR) ଏବଂ କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ପ୍ରୟୋଗଶାଳା ବିଶ୍ଳେଷଣ କରିବ I
ତେବେ ପ୍ରଶ୍ନ ଉଠେ : ଏହି ବ୍ଲାକ୍ ବକ୍ସ କ’ଣ ? ଏହା କାର୍ଯ୍ୟ କରେ କିପରି ? ବିମାନ ଦୁର୍ଘଟାଣାର ଅନୁସନ୍ଧାନରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ କିପରି ?
ବ୍ଲାକ୍ ବକ୍ସ କ’ଣ?
ଯେତେବେଳେ କୌଣସି ବିମାନ ଦୁର୍ଘଟଣା ଘଟେ, ତା’ର କାରଣ ଜାଣିବା ପାଇଁ ବିଶ୍ୱର ସମସ୍ତ ବିମାନ ଅନୁସନ୍ଧାନକାରୀ ସଂସ୍ଥାଗୁଡିକର ମୁଖ୍ୟ ଧ୍ୟାନ ଥାଏ ବିମାନର ବ୍ଲାକ୍ ବକ୍ସ ଉପରେ। ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ନିୟମ ଅନୁସାରେ କୌଣସି ବିମାନରେ ବ୍ଲାକ ବକ୍ସ ସ୍ଥାନିତ ହେବା ନିହାତି ଜରୁରୀ I ଏହା ଅତ୍ୟାଧୁନିକ ବିମାନ ଉଡ୍ଡାଣ ବିଜ୍ଞାନର ଏକ ଅବିଭାଜ୍ୟ ଉପକରଣ I ଏହା ଦୁର୍ଘଟଣା ସଂକ୍ରାନ୍ତୀୟ ବହୁ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅଗ୍ରାଧିକାରୀ ଭିତ୍ତିରେ ବିମାନ ଚାଳନା ନିୟମ ଓ ସୁରକ୍ଷା ମାନଦଣ୍ଡ ପ୍ରସ୍ତୁତିରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ମାନବ ଜନିତ ତ୍ରୁଟି ସମ୍ପର୍କରେ ସଠିକ ସୂଚନା ଦେଇଥାଏ ଯାହା ଭବିଷ୍ୟତରେ ଏଭଳି ଦୁର୍ଘଟଣା ରୋକିବା ଦିଗରେ ସହାୟକ ହୋଇଥାଏ।
ବ୍ଲାକ୍ ବକ୍ସ ଦୃଢ଼ ଭାବରେ ତିଆରି ଏକ ଅତ୍ୟାଧୁନିକ ଯନ୍ତ୍ର, ଯାହା ବିମାନ ଉଡ଼ାଣ ସମୟର ସମସ୍ତ ତଥ୍ୟ ଓ କକପିଟରେ ହେଉଥିବା ପାଇଲଟଙ୍କ କଥାବାର୍ତ୍ତାକୁ ରେକର୍ଡ କରେ। ଏହି ତଥ୍ୟ ବିମାନ ଚାଳନା, ତ୍ରୁଟି, ଓ ଅନ୍ୟାନ୍ୟ ଯାନ୍ତ୍ରିକ ଅନୁସନ୍ଧାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବ୍ଲାକ୍ ବକ୍ସର ମୂଖ୍ୟତଃ ଦୁଇଟି ଅଂଶ ଥାଏ, ଯାହା ନିମ୍ନରେ ସୂଚନା ଦିଅଗଲା :
1. ଫ୍ଲାଇଟ ଡାଟା ରେକର୍ଡର Flight Data Recorder (FDR):
ଏହା ଏକ ଇଲେକ୍ଟ୍ରୋନିକ ଉପକରଣ ଯାହା ବିମାନର ଯେକୌଣସି ବିଭାଗକୁ ପ୍ରେରିତ ଇଲେକ୍ଟ୍ରୋନିକ ସଙ୍କେତକୁ ନିରବଛିନ୍ନ ଭାବେ ରେକର୍ଡ କରି ରଖିଥାଏ I ଏହାଦ୍ୱାରା ଉଡାଣର ପ୍ରତିଟି ମୁହୂର୍ତ୍ତରେ ବିମାନର ଉଚ୍ଚତା, ବେଗ, ଚାଳନା ଦିଗ, ଗତିପଥ, ବ୍ରେକିଂ ସିଷ୍ଟମ, ଇଞ୍ଜିନ୍ ଭଳି ଅଂଶରୁ ଗୄହୀତ ଏକାଧିକ ଯାନ୍ତ୍ରିକ ତଥ୍ୟ ପ୍ରତି ମିନିଟ୍ ଅନୁସାରେ ଜଣାପଡେ। ଏଥିରେ ତଥ୍ୟ କ୍ରମାଗତ ଭାବେ 17 ରୁ 25 ଘଣ୍ଟା ସମୟ ପର୍ଯ୍ୟନ୍ତ ରେକର୍ଡିଙ୍ଗ ହୋଇ ରହିପାରେ I
2. କକପିଟ ଭଏସ୍ ରେକର୍ଡର Cockpit Voice Recorder (CVR):
ଏହି ଯନ୍ତ୍ର ବିମାନର କକପିଟ୍ ମଧ୍ୟରେ ହେଉଥିବା କଥାବାର୍ତ୍ତା, ନିର୍ଗତ ଧ୍ୱନି, ବିପଦ ସଙ୍କେତ ଏବଂ ପାଇଲଟ୍ ଓ ସହପାଇଲଟ୍ ଙ୍କ ଆଲୋଚନାକୁ ରେକର୍ଡ କରିଥାଏ। ଏଥିରେ ତଥ୍ୟ କ୍ରମାଗତ ଭାବେ 2 ଘଣ୍ଟା ସମୟ ପର୍ଯ୍ୟନ୍ତ ରେକର୍ଡିଙ୍ଗ ହୋଇ ରହିପାରେ I
ବ୍ଲାକ୍ ବକ୍ସରେ ଏ ଦୁଇଟି ଯାକ ଯନ୍ତ୍ରାଂଶକୁ କେବଳ ଗୋଟିଏ ଉପକରଣରେ ମଜବୁତ ଭାବେ ଖଞ୍ଜା ଯାଇଥାଏ I
ଇତିହାସ
ଜଣେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡକ୍ଟର ଡେଭିଡ୍ ୱାରେନ୍ (୧୯୨୫-୨୦୧୦) ବିଶ୍ୱର ପ୍ରଥମ ଫ୍ଲାଇଟ୍ ରେକର୍ଡର୍ ଯନ୍ତ୍ର ବିକଶିତ କରିଥିଲେ। ସେ ୧୯୫୩ ମସିହାରେ ମେଲବୋର୍ଣ୍ଣରେ ‘ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତି ସଂଗଠନ’ର ଏରୋନଟିକାଲ୍ ଗବେଷଣା ପ୍ରୟୋଗଶାଳା (ARL) ରେ କାର୍ଯ୍ୟ କରୁଥିବା ସମୟରେ ଏକ ଉପକରଣ ପରିକଳ୍ପନା କରିଥିଲେ ଯାହା ବିମାନ ଉଡାଣ ସମୟର ତଥ୍ୟ କେବଳ ଯାନ୍ତ୍ରିକ ପାଠ୍ୟାଙ୍କରେ ପ୍ରଦାନ କରିବ ନାହିଁ ; ବରଂ କକପିଟରେ ଶୁଣା ଯାଉଥିବା ଧ୍ୱନି ଗୁଡ଼ିକୁ ମଧ୍ୟ ରେକର୍ଡ କରି ରଖି ପାରିବ। ସୂଚନାଯୋଗ୍ୟ ଯେ, ତାଙ୍କର ପିତା ଅତୀତରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରେଇ ଥିଲେ; ତେଣୁ ସେ ବିମାନର ସୁରକ୍ଷା ବ୍ୟବସ୍ଥା ବିକଶିତ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ I ସେ ପରବର୍ତ୍ତୀ ବର୍ଷ ‘ବିମାନ ଦୁର୍ଘଟଣାର ତଦନ୍ତରେ ସହାୟକ ଉପକରଣ’ ଶୀର୍ଷକ ଏକ ସନ୍ଦର୍ଭ ପ୍ରକାଶ କରିଥିଲେ।
ୱାରେନ୍ ୧୯୫୬ ମସିହାରେ "ଦି ARL ଫ୍ଲାଇଟ୍ ମେମୋରୀ ୟୁନିଟ୍" ନାମକ ଏକ ଫ୍ଲାଇଟ ଡାଟା ରେକର୍ଡର Flight Data Recorder (FDR) ଉପକରଣର ପ୍ରତିକୄତି ନିର୍ମାଣ କରିଥିଲେ ଏବଂ ୧୯୫୮ ମସିହାରେ ସେ ପ୍ରଥମ ଏକୀକୄତ FDR/CVR ଏକକ ନିର୍ମାଣ କରିଥିଲେ। ଏହି ଉପକରଣକୁ ନାଗରିକ ବିମାନର ଉଡାଣକୁ ଧ୍ୟାନରେ ରଖି ଦୁର୍ଘଟଣା ପରବର୍ତ୍ତୀ ପରୀକ୍ଷା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା I ବିଶ୍ୱର ଅନେକ ପ୍ରମୁଖ ବିମାନ କର୍ତ୍ତୃପକ୍ଷ ପ୍ରଥମେ ଏହି ଉପକରଣରେ ଆଗ୍ରହୀ ନଥିଲେ I କିନ୍ତୁ ୧୯୫୮ ମସିହାରେ ବ୍ରିଟିଶ ଏୟାର ପଞ୍ଜିକରଣ ବୋର୍ଡର ସଚିବ ସାର୍ ରବର୍ଟ ହାର୍ଡିଂହାମ୍ ARL ପରିଦର୍ଶନ କରିଥିଲେ ଏବଂ ଡେଭିଡ୍ ୱାରେନଙ୍କ ସହ ପରିଚିତ ହୋଇଥିଲେ। ସେ ୱାରେନ୍ ଙ୍କ ଏହି ଉଦ୍ଭାବନର ଗୁରୁତ୍ୱକୁ ଅନୁଭବ କରି ସେଥିରେ ପ୍ରଭାବିତ ହୋଇଥିଲେ ଏବଂ ୱାରେନଙ୍କୁ ବ୍ରିଟେନରେ ଏହି ପ୍ରତିକୄତି ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ।
ୱାରେନଙ୍କୁ ବାୟୁବାହିତ ପର୍ଯ୍ୟାୟରେ ଏକ ପ୍ରତିକୄତି ବିକଶିତ କରିବାରେ ସାହାଯ୍ୟ କରିବା ପାଇଁ ARL ଏକ ଇଞ୍ଜିନିୟରିଂ ଦଳକୁ ନିଯୁକ୍ତ କରିଥିଲା। ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଲେନ୍ ସିଅର, ୱାଲି ବୋସୱେଲ ଏବଂ କେନ୍ ଫ୍ରେଜରଙ୍କୁ ନେଇ ଗଠିତ ଏହି ଦଳ ଏକ କାର୍ଯ୍ୟକ୍ଷମ ଡିଜାଇନ୍ ବିକଶିତ କରିଥିଲା I ଏଥିରେ ଏକ ଅଗ୍ନି-ପ୍ରତିରୋଧୀ ଏବଂ ଆଘାତ-ପ୍ରତିରୋଧୀ ବାକ୍ସ, ଗୋଟିଏ ଯନ୍ତ୍ରରେ ହିଁ ବିମାନ ଉଡ୍ଡାଣର ପାଠ୍ୟାଙ୍କ ଏବଂ ଧ୍ୱନିକୁ ଏନକୋଡିଂ ଏବଂ ରେକର୍ଡ କରିବା ପାଇଁ ଏକ ନିର୍ଭରଯୋଗ୍ୟ ବ୍ୟବସ୍ଥା ଏବଂ ଏକ ଭୂମି-ଆଧାରିତ ଡିକୋଡିଂ ଉପକରଣ ଅନ୍ତର୍ଭୁକ୍ତ ଥିଲା। ଏପରି ARL ସିଷ୍ଟମକୁ ମିଡଲସେକ୍ସର ଏକ ବ୍ରିଟିଶ କମ୍ପାନୀ ଏସ.ଆଇ. ଡାଭାଲ ଆଣ୍ଡ ସନ୍ସ ଲିମିଟେଡ୍ (SI Davall & Sons Ltd) ନିର୍ମାଣ କରିଥିଲା I ଏହାକୁ ନିଜର ଆକାର ଏବଂ ଉଜ୍ଜ୍ୱଳ ଲାଲ ରଙ୍ଗ ଯୋଗୁଁ ‘ରେଡ୍ ଏଗ୍’ ନାମ ଦିଆ ଯାଇଥିଲା। ପରବର୍ତ୍ତୀ 1965 ମସିହାରେ ଏଥିରେ ଥିବା ଏକକଗୁଡ଼ିକୁ ପୁନଃ ଡିଜାଇନ୍ କରାଯାଇଥିଲା ଏବଂ ଦୁର୍ଘଟଣା ପରେ ତଥ୍ୟର ସଫଳ ପୁନରୁଦ୍ଧାରର ସମ୍ଭାବନା ବୃଦ୍ଧି କରିବା ପାଇଁ ଏହାକୁ ବିମାନର ପଛଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା।
ବ୍ଲାକ୍ ବକ୍ସ କ’ଣ ପ୍ରକୃତରେ କଳା ରଙ୍ଗର?
ଏୟାରବସ୍ ୱେବସାଇଟ୍ ଅନୁଯାୟୀ, ଡେଭିଡ୍ ୱାରେନଙ୍କ ଉଦ୍ଭାବନର ବହୁ ପୂର୍ବରୁ, ଜଣେ ଫରାସୀ ଇଞ୍ଜିନିୟର ଫ୍ରାଙ୍କୋଇସ୍ ହୁସେନଟ୍ 1930 ଦଶକରେ ଏକ ଡାଟା ରେକର୍ଡିଂ ସିଷ୍ଟମ୍ ବିକଶିତ କରିଥିଲେ। ତାଙ୍କ ଡିଭାଇସ୍ କିଛି ସେନ୍ସର ବ୍ୟବହାର କରି ଉଡ଼ାଣ ସମ୍ପର୍କୀୟ ପ୍ରାୟ ଦଶଟି ବିବରଣୀ ଏକ ଫଟୋଗ୍ରାଫି ଫିଲ୍ମର ପଟ୍ଟି ଉପରେ ପ୍ରକ୍ଷେପଣ କରି ଲିପିବଦ୍ଧ କରିଥିଲା। ଏହି ଫିଲ୍ମକୁ ଏକ ଆଲୋକ ନିରୋଧୀ ପାତ୍ର ମଧ୍ୟରେ ସଂରକ୍ଷିତ କରି ରଖା ଯାଇଥିଲା। ଏହାର ଆଲୋକ-ନିରୋଧୀ ନିର୍ମାଣଶୈଳୀ ହେତୁ ପାତ୍ରଟିକୁ ସେତେବେଳେ ‘କଳା ବାକ୍ସ’ ବା ‘ବ୍ଲାକ୍ ବକ୍ସ’ ବୋଲି କୁହା ଯାଉଥିଲା।
ବ୍ଲାକ୍ ବକ୍ସର ରଙ୍ଗ କଦାପି କଳା ନୁହେଁ; ବରଂ ଏହା ଉଜ୍ଜ୍ୱଳ କମଳା ରଙ୍ଗର ହୋଇଥାଏ। ଏହି ଆକର୍ଷକ ରଙ୍ଗ ଦୁର୍ଘଟଣାସ୍ଥଳୀରେ ଏହାକୁ ସହଜରେ ଖୋଜିବାକୁ ସହାୟକ ହୋଇଥାଏ । ଏହି ଯନ୍ତ୍ରଟି ସାଧାରଣତଃ ବିମାନର ପଶ୍ଚାତଭାଗରେ ଖଞ୍ଜା ଯାଇଥାଏ; କାରଣ ଦୁର୍ଘଟଣା ସମୟରେ ବିମାନର ପଛ ଅଂଶ ସାଧାରଣତଃ ଅପେକ୍ଷାକୃତ ସୁରକ୍ଷିତ ରହିଥାଏ। ଏହାକୁ ଦୁର୍ଘଟଣା ଜନିତ ପ୍ରଚଣ୍ଡ ଆଘାତ (3400 g), ଉଚ୍ଚ ତାପମାତ୍ରା (1000°C) ଓ ଜଳଭାଗ ଭଳି ପ୍ରତିକୂଳ ପରିସ୍ଥିତି ସହନ କରି ଯଥେଷ୍ଟ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ମଜବୁତ କରି ନିର୍ମାଣ କରା ଯାଇଥାଏ। ଏହି ଯନ୍ତ୍ରଟି ଉଡାଣ ସମ୍ବନ୍ଧୀୟ ତଥ୍ୟଗୁଡିକୁ ଧ୍ୱନି ଓ ସଙ୍କେତ ରୂପରେ ସଞ୍ଚିତ ରଖିଥାଏ। ଯେତେବେଳେ ବିମାନ ଦୁର୍ଘଟଣା ଘଟେ, ଦୁର୍ଘଟଣାର କାରଣ ଜାଣିବା ପାଇଁ ବ୍ଲାକ୍ ବକ୍ସକୁ ଖୋଜାଯାଏ ଏବଂ ସେଥିରେ ସଞ୍ଚିତ ତଥ୍ୟକୁ ଅନୁଧ୍ୟାନ ଓ ବିଶ୍ଳେଷଣ କରାଯାଏ।
ବ୍ଲାକ୍ ବକ୍ସ ଏକ ଛୋଟ ଉପକରଣ ହେଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ଏହାର ଭୂମିକା ଅପାର। ବିମାନ ଦୁର୍ଘଟଣା ପରେ ଏହାର କାରଣକୁ ଖୋଜିବା ପାଇଁ ବ୍ଲାକ୍ ବକ୍ସ ଏକ ମୂକସାକ୍ଷୀ ରୂପେ କାର୍ଯ୍ୟ କରିଥାଏ। ଏହା ବିମାନ ଚାଳନା ସୁରକ୍ଷା ବ୍ୟବସ୍ଥାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ତେବେ ସାଂପ୍ରତିକ ପରିସ୍ଥିତିରେ ବ୍ଲାକ ବକ୍ସର ଉଦ୍ଧାର ଦ୍ୱାରା ଦୁର୍ଘଟଣାଗ୍ରସ୍ତ ବୋଇଂ ଡ୍ରିମଲାଇନର୍ 787-8 ବିମାନ ଦୁର୍ଘଟଣାର ରହସ୍ୟ ଉଦଘାଟନ ହୋଇ ପାରିବ ବୋଲି ଆଶା କରାଯାଏ I
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ଫୋନ୍ : 8917637974
Comments
Post a Comment