ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?

                                              


 

 

 

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?


 ନିକୁଞ୍ଜ ବିହାରୀ ସାହୁ

  

        ଆମେରିକୀୟ କମ୍ପାନୀ ବୋଇଙ୍ଗ୍ ର  ଷ୍ଟାରଲାଇନର୍ଅନ୍ତରୀକ୍ଷ ଯାନରେ  ଇଣ୍ଟରନେସେନାଲ ସ୍ପେସ୍ ଷ୍ଟେସନ୍ ଯାତ୍ରା କରିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ  ମହିଳା ମହାକାଶଚାରୀ  ସୁନିତା ଉଇଲିୟମସ୍ ତଥା ଅନ୍ୟ ଜଣେ ସହ-ମହାକାଶଯାତ୍ରୀ ବୁଚ୍ ୱିଲମୋରଙ୍କ  ପୄଥିବୀ ପ୍ରତ୍ୟାବର୍ତ୍ତନ ନେଇ ଘୋର ଅନିଶ୍ଚିତତା ପ୍ରକାଶ ପାଇଛି I  ସେମାନେ  ଗତ ଜୁବ୍ 5 ତାରିଖ  ରାତି 8ଟା 22 ମିନିଟ ସମୟରେ ଆଟଲାସ୍ V ରକେଟ ଜରିଆରେ  ମହାକାଶକୁ ଯାତ୍ରାକରି ପୄଥିବୀକୁ ପ୍ରଦକ୍ଷିଣ କରୁଥିବା ସ୍ପେସ୍ ଷ୍ଟେସନ୍ ସହିତ ମିଳିତ ହୋଇଥିଲେ  I ତାଙ୍କର ଯାନ  ପର ଦିନ ଅର୍ଥାତ 6 ତାରିଖରେ   ସ୍ପେସ୍ ଷ୍ଟେସନ୍ ଠାରେ ରାତି 9ଟା 45 ମିନିଟ ସମୟରେ ପହଞ୍ଚିବାର ଥିଲା I ମାତ୍ର ହିଲିୟମ୍ ଲିକ୍ ଘଟି ଯାନର ସମୁଦାୟ 28 ଥ୍ରଷ୍ଟର୍ ରୁ  5ଟି ରେ ତ୍ରୁଟି ପରିଲକ୍ଷିତ ହେବାରୁ ସେମାନେ କଷ୍ଟେମଷ୍ଟେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ପ୍ରାୟ  ଦେଢ ଘଣ୍ଟା କାଳ ବିଳମ୍ବ ଘଟିଥିଲା (ସେମାନେ ପ୍ରକୄତରେ ରାତି 11ଟା  3 ମିନିଟ ସମୟରେ ପହଞ୍ଚିଥିଲେ) I  ଥ୍ରଷ୍ଟର୍ ସଠିକ ରୂପେ କାର୍ଯ୍ୟକ୍ଷମ ନହେବାରୁ ସେଗୁଡିକର ତାପମାତ୍ରା ଅହେତୁକ ଭାବେ  ବୃଦ୍ଧି ପାଇବାରେ ଲାଗିଥିଲା ; ଫଳରେ ଯାନର ତାପନିରିଧକ ଟେଫଲୋନ୍ ଆବରକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଥିଲା ଯାହା ପ୍ରତ୍ୟାବର୍ତ୍ତନ ସମୟରେ ବାୟୁମଣ୍ଡଳ ମଧ୍ୟରେ ଘର୍ଷଣ ଜନିତ ପ୍ରଚଣ୍ଡ  ତାପମାତ୍ରାରୁ ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇଥାଏ ଆହୁରି ମଧ୍ୟ,  ଯାନରୁ ନିର୍ଗତ ଗ୍ୟାସ୍ ର ବେଗ ହ୍ରାସ ପାଇ ଏହାର ଦିକ୍-ଚାଳନା ଓ ନିୟନ୍ତ୍ରଣ  ଗୁରୁତର ପ୍ରଭାବିତ ହୋଇଥିଲା I ସୁତରାଂ ନାସା ଷ୍ଟାରଲାଇଅର୍ ର ସେହି ଫେରନ୍ତା  ଅନ୍ତରୀକ୍ଷ ଯାନରେ ମହାକାଶଚାରୀ ମାନଙ୍କୁ ଫେରାଇ ଆଣିବା ନିମନ୍ତେ କୌଣସି ରିସ୍କ  ନନେଇ  ସେମାନଙ୍କ ପୄଥିବୀ ପ୍ରତ୍ତ୍ୟାବର୍ତ୍ତନ ଯାତ୍ରା ସାମୟିକ  ପାଇଁ ସ୍ଥଗିତ ରଖିଥିଲା I ଫଳରେ ସେ ଦୁହେଁ ମହାକାଶଚାରୀ ସେହି ଦିନଠୁଁ ଏବେ ସୁଦ୍ଧା ସ୍ପେସ୍ ଷ୍ଟେସନ୍ ରେ ଅଟକି ରହିଛନ୍ତି ଏବଂ ଏଇ ବର୍ଷ ସେମାନଙ୍କୁ ପୄଥିବୀ ଫେରାଇ ଆଣିବାରେ ନାସା ନିକଟରେ କୌଣସି ମହାକାଶଯାନ କିମ୍ବା ଯୋଜନା ନାହିଁ I

 

     ଏହି ପରିବର୍ତ୍ତିତ ପରିସ୍ଥ୍ତିତିରେ ଷ୍ଟାରଲାଇନର୍  ଯାନର ଫେରନ୍ତା ଯାତ୍ରାକୁ ପରିବର୍ତ୍ତିତ କରାଯାଇଛି I  ତାହା ଏବେ  ସ୍ପେସ୍ ଷ୍ଟେସନ୍ ରୁ ବିଛିନ୍ନ  ହୋଇ ବିନା ମହାକାଶଯାତ୍ରୀ ତଥା ବିନା ଚାଳକରେ (ଅର୍ଥାତ ଅଟୋ ପାଇଲଟିଙ୍ଗ କୌଶଳ  ଜରିଆରେ) ପୃଥିବୀ ପ୍ରତ୍ୟାବର୍ତ୍ତନ କରିବ I  ପରବର୍ତ୍ତୀ ସମୟରେ, ମହାକାଶରେ ଅଟକି ରହିଥିବା ଯାତ୍ରୀମାନଙ୍କୁ  ଶିଳ୍ପପତି ଏଲାନ୍ ମସ୍କ୍ ଙ୍କ ସ୍ପେସ୍ ଏକ୍ସ୍  କମ୍ପାନୀର ଏକ ସ୍ୱତନ୍ତ୍ର  ଯାନ କ୍ରୁ ଡ୍ରାଗନ୍-9 ଜରିଆରେ ପୃଥିବୀକୁ ଫେରାଇ ଆଣିବାର ଯୋଜନା କରା ଯାଉଛି I ଏହି ଅଭିଯାନ ନିମନ୍ତେ ଉକ୍ତ ଯାନର ଗଠନକୁ ପୁନର୍ବିନ୍ୟାସ କରା ଯାଇଛି I ଏବେ ଏଥିରେ, ଚାରି ଜଣ ମହାକାଶଚାରୀଙ୍କ  ପରିବର୍ତ୍ତେ କେବଳ ଦୁଇ ଜଣ ଯାତ୍ରୀ (ଜଣେ ଆମେରିକୀୟ ଓ ଅନ୍ୟ ଜଣେ ରୁଷୀୟ) ରହିବେ ଏବଂ ଆଉ ଦୁଇଟି ଆସନକୁ ଖାଲି ଛଡାଯିବ ଯାହା ସ୍ପେସ୍ ସ୍ଟେସନ୍ ରେ ଅଟକି ରହିଥିବା ଦୁଇ ଯାତ୍ରୀଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ନିମନ୍ତେ ବ୍ୟବହାର କରାଯିବ ଏହି ଯାନକୁ ଏଇ ସେପ୍ଟେମ୍ବର ମାସରେ  ମହାକାଶ ଷ୍ଟେସନ୍ଅଭିମୁଖେ ଅନ୍ତରୀକ୍ଷକୁ ପ୍ରେରଣ କରାଯିବ I ଏହା ସମୟକ୍ରମେ ସ୍ପେସ୍  ଷ୍ଟେସନ୍ ସହିତ ମିଳିତ ହୋଇ ଆଗାମୀ 2025 ମସିହା ଫେବ୍ରୁଆରୀ ବେଳକୁ ଅଟକି ରହିଥିବା ଦୁଇ ମହାକାଶଚାରୀଙ୍କୁ  ସଙ୍ଗରେ ନେଇ ପୄଥିବୀ ଫେରିବ ବୋଲି ଆଶା କରାଯାଏ I

 

      ନାସା ନିକଟରେ ଅଡୁଆର ଖିଅ ଲମ୍ବି ଲମ୍ବି ଯାଉଛି ! ଷ୍ଟାରଲାଇନର୍ ଯାନଟି  ସ୍ପେସ୍ ଷ୍ଟେସନ୍ ର ଡକିଙ୍ଗ ପୋର୍ଟ୍ ସହିତ ଅତି ବେଶୀରେ 90 ଦିନ ପର୍ଯ୍ୟନ୍ତ ସଂଯୁକ୍ତ ହୋଇ ରହି ପାରିବ I କାରଣ, ଉଦ୍ଧାରକାରୀ କ୍ରୁ ଡ୍ରାଗନ୍ ଯାନ ପୄଥିବୀରୁ ଯାଇ ସିଧାସଳଖ  ସ୍ପେସ୍ ଷ୍ଟେସନର ସେହି ପୋର୍ଟ ସହିତ ହିଁ  ସଂଲଗ୍ନ  ହେବ I  ଏହା ମଧ୍ୟରେ 60 ରୁ ଉର୍ଦ୍ଧ୍ୱ ଦିନ ସମୟ ଅତିବାହିତ ହୋଇ ଗଲାଣି I ଆହୁରି ମଧ୍ୟ, ସ୍ପେସ୍ଏକ୍ସ୍ ର କ୍ରୁ ଡ୍ରାଗନ୍ ଉତକ୍ଷେପଣରେ ଏକ ମାସ ସମୟ ବିଳମ୍ବ ଘଟି ସାରିଲାଣି I ଏହି ସବୁ କାରଣ ଯୋଗୁଁ  ମହାକାଶରେ ଅଟକି ରହିଥିବା  ମହାକାଶଚାରୀଙ୍କ ପୄଥିବୀ ଫେରିବା  ସମୟ ନିର୍ଘଣ୍ଟରେ ଅନିଶ୍ଚିତତା ପ୍ରକାଶ ପାଇଛି I ଏହା ମଧ୍ୟରେ ନାସା ସୁରକ୍ଷା କାରଣରୁ  ଅଟକି ରହିଥିବା ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନର ତାରିଖକୁ ତିନି ଥର ଗଡାଇ  ସାରିଲଣି I

 

      ନାସାର ଏହି ଯୋଜନା ସଫଳ ହେଲେ ଏହା ଅନ୍ତରୀକ୍ଷ ଯାତ୍ରା କ୍ଷେତ୍ରରେ କୌଣସି ଅଭିଯାନରେ  ଏକକାଳୀନ  ଦୁଇଟି ଯାନ ବ୍ୟବହାର  କରିବା ଦୄଷ୍ଟିରୁ  ଏକ ଇତିହାସ ରଚନା କରିବ I ସାଧାରଣତଃ ଯେଉଁ ଯାନ ମହାକାଶଚାରୀଙ୍କୁ ନେଇ  ଅନ୍ତରୀକ୍ଷ ଯାଇଥାଏ ସେହି ଯାନ ହିଁ ମହାକାଶଚାରୀଙ୍କୁ ନେଇ ପୄଥିବୀ ପ୍ରତ୍ୟାବର୍ତ୍ତନ କରିଥାଏ I ମାତ୍ର ଏ କ୍ଷେତ୍ରରେ, ମହାକାଶଚାରୀଙ୍କୁ ନେଇ ଷ୍ଟାରଲାଇନର୍ଯାନ ଯାଇଥିଲାବେଳେ ସେମାନଙ୍କୁ ପୃଥିବୀକୁ ଫେରାଇ ଆଣିବାରେ ଅନ୍ୟ ଏକ ମହାକାଶ ଯାନ ସ୍ପେସ୍ ଏକ୍ସ୍ ର କ୍ରୁ ଡ୍ରାଗନ୍ର ସହାୟତା ନିଆଯିବ I ଗୋଟିଏ ଅଭିଯାନ କ୍ଷେତ୍ରରେ ଦୁଇଟି ପୄଥକ ଯାନର ବ୍ୟବହାର ଯୋଗୁଁ ଏହା ମହାକାଶ ଅଭିଯାନ କ୍ଷେତ୍ରରେ ଏକ ବିରଳ ରେକର୍ଡ ସୄଷ୍ଟି କରିବ I

     ସୁତରାଂ ଯାହା ଥିଲା ମାତ୍ର  8 ଦିନ କାଳର ଏକ ସଂକ୍ଷିପ୍ତ  ଅଭିଯାନ ତାହା ଏବେ ପ୍ରଯୁକ୍ତିଗତ ତ୍ରୁଟି ଜନିତ କାରଣରୁ ଦୀର୍ଘମାସ ପର୍ଯ୍ୟନ୍ତ ସଂପ୍ରସାରିତ ହେବାକୁ ଯାଉଛି I ତେବେ ପ୍ରଶ୍ନ ହେଉଛି:  ଅଟକି ରହିଥିବା ମହାକାଶଚାରୀଙ୍କ ରହଣିସ୍ଥଳୀ ସ୍ପେସ ଷ୍ଟେସନ୍ ରେ ଏତେ ଦିନ ପାଇଁ ଖାଦ୍ୟ , ପାନୀୟ ଜଳ, ଔଷଧ  ଆଦି ଅତ୍ୟାବଶ୍ୟକୀୟ ପଦାର୍ଥ  ମହଜୁଦ ଅଛି କି ? ଉତ୍ତରଅଛିବୋଲି ଧରାଯିବ; କାରଣ ନିୟମିତ ସମୟ ବ୍ୟବଧାନରେ ଉଭୟ ରୁଷିଆ ଓ ଆମେରିକାର ମହାକାଶଯାନ ଗୁଡିକ ପୄଥିବୀରୁ ବିଭିନ୍ନ ଯୋଗାଣ ସାମଗ୍ରୀ ନେଇ ସ୍ପେସ୍ ଷ୍ଟେସନ୍ ସହିତ ସଂଲଗ୍ନ  ହୋଇଥାନ୍ତି I ନିକଟରେ ରୁଷିଆର ଏକ ମାଲବାହୀ ଯାନ ପ୍ରୋଗ୍ରେସ୍-28 ବୈକାନୁର କେନ୍ଦ୍ରରୁ ଉତକ୍ଷେପଣ ହୋଇ ପ୍ରାୟ 3 ଟନ୍ ଓଜନର ଖାଦ୍ୟସାମଗ୍ରୀ ଓ ଯନ୍ତ୍ରପାତି ନେଇ ସ୍ପେସ୍ ଷ୍ଟେସନ୍ ରେ ପହଞ୍ଚିଛି I ସେହିପରି ସ୍ପେସ୍-ଏକସ୍ କମ୍ପାନୀର ଅନ୍ୟ ଏକ ଯାନ ସିଗ୍ନସ୍ନିଜର  ଫାଲ୍କନ୍ -9 ରକେଟ ଜରିଆରେ  ଫ୍ଲୋରିଡାର କାନାଭେରାଲ କେନ୍ଦ୍ରରୁ ଜାନୁଆରୀ 30 ତାରିଖରେ ଉତକ୍ଷେପଣ ହୋଇ ପ୍ରାୟ 8200 ପାଉଣ୍ଡ ଓଜନର ଖାଦ୍ୟସାମଗ୍ରୀ, ପାନୀୟ ଜଳ , ଔଷଧ ଓ ଯନ୍ତ୍ରପାତି ନେଇ ସ୍ପେସ୍ ଷ୍ଟେସନ୍ରେ ସଂଲଗ୍ନ  ହୋଇଛି I  ସେଗୁଡିକ ଫେରିଲା ପଥରେ ସ୍ପେସ୍ ଷ୍ଟେସନ୍ ରୁ ସଂଗୄହୀତ  ଯାତ୍ରୀମାନଙ୍କ  ବର୍ଜ୍ୟବସ୍ତୁ ଓ  ଆବର୍ଜନା ସାଙ୍ଗରେ ଧରି ପୄଥିବୀକୁ ଫେରିବେ I ଫେରନ୍ତା ଯାତ୍ରାବେଳେ ଏହି ଆବର୍ଜନାସବୁକୁ ପୄଥିବୀକୁ ନଆଣି ମହାକାଶରେ ନିରାପଦ ଭାବେ ଫିଙ୍ଗି ଦିଆଯିବ ଯାହା ସମୟକ୍ରମେ ପୃଥିବୀ ଆଡକୁ ଗତିକରି ପୃଥିବୀର ବାୟୁମଣ୍ଡଳ ଜନିତ ଘର୍ଷଣରେ ସମ୍ପୂର୍ଣ୍ଣ ଜଳିଯିବ I ମହାକାଶଚାରୀମାନଙ୍କ ସୁଖଦ ରହଣି ନିମନ୍ତେ ସ୍ପେସ୍ ସ୍ଟେସନ୍ ରେ ଜିମ୍ ସମେତ ଅନେକ ସୁବିଧା ଉପଲବ୍ଧ ଅଛି I ଏହି ଜିମ୍ ରେ ସେମାନେ ନିୟମିତ ବ୍ୟାୟାମ କରି ନିଜ ଶରୀରକୁ ଫିଟ୍ ରଖି ପାରିବେ I ସ୍ପେସ୍ ଷ୍ତେସନ୍ ରେ ମଧ୍ୟ ଟେଲିଭିଜନ୍ର ସୁବିଧା ରହିଛି ଯେଉଁଥିରେ ସେମାନେ ନିଜ ମନମୁତାବକ ଚଳଚ୍ଚିତ୍ର  ଦେଖି ପାରିବେ I ଏହାଛଡା ସେଠାରେ ମଧ୍ୟ ମ୍ୟୁଜକ୍ ସିଷ୍ଟମ୍ , ଡିଭିଡି ପ୍ଲେୟାର୍ , ୱାଇ ଫାଇ ଜରିଆରେ ଇଣ୍ଟରନେଟ୍ ପ୍ରଦାନ  ତଥା ଡିଜିଟାଲ  ଲାଇବ୍ରେରୀର  ମଧ୍ୟ ସୁବିଧା ଅଛି ଯାହା ଦ୍ୱାରା ମହାକାଶଯାତ୍ରୀମନେ ମହାକାଶରେ ଦୀର୍ଘ ଦିନ ରହଣିକାଳ ମଧ୍ୟରେ ନିଜର ମାନସିକ ସ୍ୱାସ୍ଥ୍ୟ ବଜାୟ ରଖି ପାରିବେ I

 

   ସୁନୀତା ଓ ୱିଲମୋର୍ ମହାକାଶରେ ନିଜର ସଂପ୍ରସାରିତ ରହଣିକାଳ ମଧ୍ୟରେ ଫାଙ୍କା ନବସି  ମହାକାଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରିବା ସହିତ ସ୍ପେସ୍ ଷ୍ଟେସନ୍ ର ରକ୍ଷଣାବେକ୍ଷଣ କାର୍ଯ୍ୟରେ  ସହାୟତା ପ୍ରଦାନ କରିବେ I ଏ ପରୀକ୍ଷାଗୁଡିକ ମଧ୍ୟରେ ମହାକାଶର ଭାରଶୂନ୍ୟ ପରିସ୍ଥିତିର  ଶରୀରର ସହନଶୀଳତା ତଥା ମହାକାଶରେ ଦୀର୍ଘ ଦିନ ରହଣିର ଜୀବନ ଉପରେ ପ୍ରଭାବ   ଇତ୍ୟାଦି  ଅନୁଧ୍ୟାନ ସାମିଲ ହେବ ଯାହା ପରବର୍ତ୍ତୀ ସମୟରେ ମହାକାଶରେ ମଣିଷର ସ୍ଥାୟୀ ବସତି ସ୍ଥାପନର ଯୋଜନାରେ ସହାୟକ ହେବ I ପୂର୍ବରୁ ସୁନୀତାଙ୍କର ମହାକାଶରେ 300ରୁ ଉର୍ଦ୍ଧ୍ୱ ଦିନ ଅବସ୍ଥାନ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିବାର ଦୀର୍ଘ ଅନୁଭୂତି ରହିଛି

 

                                                                                 ଏଜୁକେଶନ୍ ଅଫିସର

                                                                                  ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

                                                                                    ଭୋପାଳ

                                                                                         

    

       To read the same article published in the The Sakala dated 16.09.24 , pl click the following link : 

 

 

 



The Nitidin dated 26.09.24

https://drive.google.com/file/d/1rYiKc3TZxieEKq8MxiSmhgfwBaIr_ghg/view?usp=sharing

                                                                                         

 


    

 

 

 


Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ