ଓଜୋନ୍ ସୁରକ୍ଷା, ଜୀବନ ରକ୍ଷା

 


                                                           


ଓଜୋନ୍ ସୁରକ୍ଷା, ଜୀବନ ରକ୍ଷା 


ନିକୁଞ୍ଜ ବିହାରୀ ସାହୁ 


                ଆମ ପୃଥିବୀ ଗ୍ରହରେ ଜୀବନ ସଂଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଉର୍ଦ୍ଧ୍ଵ ବାୟୁମଣ୍ଡଳରେ ଥିବା ଓଜୋନ୍ ମଣ୍ଡଳ I ଏହା ମହାକାଶରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମିକୁ ଶୋଷିନେଇ ଏକ ଛତା ସଦୃଶ ଆମ ଜୀବମଣ୍ଡଳକୁ ସୁରକ୍ଷା ପ୍ରଦାନ କରିଥାଏ I ଆମ ସୌରମଣ୍ଡଳର ଅନ୍ୟ କୌଣସି ଜୀବନୋପଯୋଗୀ ପିଣ୍ଡ ଯଥା ମଙ୍ଗଳ ଗ୍ରହ କିମ୍ବା ଚନ୍ଦ୍ରରେ ଓଜୋନ୍ ମଣ୍ଡଳ ନଥିବାରୁ ସେଠାରେ ଜୀବନ ବଂଚିବା ଅସମ୍ଭବ I 


             ଅନ୍ତରିକ୍ଷରୁ ସମୁଦାୟ ତିନି ପ୍ରକାରର ଅତିବାଇଗଣି ରଶ୍ମି ପୃଥିବୀରେ ଆପତିତ ହୋଇଥାଏ I ସେଥି ମଧ୍ୟରୁ ସବୁଠାରୁ ମାରାତ୍ମକ ଏବଂ କ୍ଷତିକାରକ ରଶ୍ମି ହେଉଛି ଅତିବାଇଗଣି ରଶ୍ମି ‘ଖ’ I ଏହାର ତରଙ୍ଗଦୈର୍ଘ୍ୟ ପରିସର ହେଉଛି 280 ରୁ 315 ନାନୋମିଟର I ଏହା ପ୍ରାଣୀ ଶରୀରର ଜୀବନ୍ତ କୋଷର ଡିଏନଏ (ଯାହା ଜୀବର ସମସ୍ତ ଗୁଣାବଳୀର ବାହକ) କୁ ନଷ୍ଟ କରିଦେବା ସହିତ ଚର୍ମରେ ‘ମେଲାନୋମା’ କର୍କଟ ରୋଗ ଏବଂ ଚକ୍ଷୁରେ ମୋତିଆବିନ୍ଦୁ ରୋଗ ସୃଷ୍ଟି କରିଥାଏ I ଏହା  ଶରୀରର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ କରିଦିଏ I ଏହା ମଧ୍ୟ ଉଦ୍ଭିଦରେ ଅଭିବୃଦ୍ଧି ହାର ତଥା ଫୁଲ ଓ ଫଳ ଧରିବାର ଧାରାକୁ ଗୁରୁତର ପ୍ରଭାବିତ କରିଥାଏ I ଏହାର କୁପ୍ରଭାବ କେବଳ ସ୍ଥଳଭାଗରେ ସୀମିତ ନୁହେଁ,  ଏହା ସମୁଦ୍ରରେ ସାମୁଦ୍ରିକ ଖାଦ୍ୟଶୃଙ୍ଖଳର ମୂଳାଧାର ଫାଇଟୋପ୍ଲାଙ୍କଟନ ଅଣୁଜୀବକୁ ମଧ୍ୟ ନଷ୍ଟ କରିଥାଏ ଯାହା ଫଳରେ ସାରା ସାମୁଦ୍ରିକ ଜୀବନ ଗୁରୁତର ପ୍ରଭାବିତ ହୋଇଥାଏ I ମାତ୍ର ଆମ ବାୟୁମଣ୍ଡଳରେ ଥିବା ଓଜୋନ୍ ସ୍ତର ଏକ କବଚ ସଦୃଶ ଏହି ଅତି-ମାରାତ୍ମକ ରଶ୍ମିକୁ ଶୋଷିନେଇ ସମଗ୍ର ଜୀବଜଗତକୁ ରକ୍ଷା କରିଥାଏ I ସୁତରାଂ ଆମ ବାୟୁମଣ୍ଡଳରେ ଓଜୋନ୍ ସ୍ତରର ଉପସ୍ଥିତି ଆମ ପାଇଁ ପ୍ରକୃତିର ଏକ ବରଦାନ ସଦୃଶ I


            ଆମ ବାୟୁମଣ୍ଡଳର ନିମ୍ନ ଷ୍ଟ୍ରାଟୋମଣ୍ଡଳରେ ଭୁପୃଷ୍ଠରୁ ପ୍ରାୟ 15 ର 35 କି.ମି.  ଉଚ୍ଚତାରେ ଏହି ଓଜୋନ୍ ମଣ୍ଡଳ ଅବସ୍ଥିତ I ଏହି ମଣ୍ଡଳ ମୁଖ୍ୟତଃ ଓଜୋନ୍ ଗ୍ୟାସରେ ଗଢା I ଏହାର ହାରାହାରି ମୋଟେଇ ଡବସନ୍ ମାପକ ପଦ୍ଧତିରେ ମାତ୍ର 3 ମିଲିମିଟର I  ଏହି ମୂଲ୍ୟ ସର୍ବଦା ସ୍ଥିର ନରହି ଋତୁ ଅନୁସାରେ କମ ବେଶୀ ହୋଇଥାଏ I


            ଓଜୋନ୍ ଏକ ଇଷତ ନୀଳବର୍ଣ୍ଣର ତଥା ତୀବ୍ର ଗନ୍ଧଯୁକ୍ତ ଗ୍ୟାସ I ଏହା ଜଳରେ ସାମାନ୍ୟ ମାତ୍ରାରେ ଦ୍ରବଣୀୟ I ଏହି ଗ୍ୟାସ କୁ 1840 ମସିହାରେ ଜଣେ ଜର୍ମାନୀ ରାସାୟନବିତ ଖ୍ରୀଷ୍ଟିଆନ ଫ୍ରେଡରିକ ସ୍କୋନବିନ ଆବିଷ୍କାର କରିଥିଲେ I ଏହା ସାଧାରଣତଃ ଏକ ବିଷାକ୍ତ ଗ୍ୟାସ ଏବଂ ଭୁପୃଷ୍ଠରେ ଏକ ବାୟୁ ପ୍ରଦୂଷକ ପଦାର୍ଥ ରୂପେ ଜଣା I ଏହାକୁ ପାନୀୟଜଳ ବୋତଲ ପ୍ରସ୍ତୁତିରେ ଜଳକୁ ଜୀବାଣୁମୁକ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ I ଏହା ଭୁପୃଷ୍ଠରେ ଏକ ଵିଷାକ୍ତ ଗ୍ୟାସ ହୋଇଥିଲାବେଳେ ଉର୍ଦ୍ଧ୍ଵ ବାୟୁମଣ୍ଡଳରେ କିନ୍ତୁ ଆମ ପାଇଁ ଏକ ବରଦାନ ସଦୃଶ କାର୍ଯ୍ୟ କରେ I ସେଠାରେ, ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣି ରଶ୍ମିର ପ୍ରଭାବରେ ଅମ୍ଳଜାନର ଅଣୁ ଭାଙ୍ଗିଯାଇ ଅମ୍ଳଜାନର ପରମାଣୁରେ ପରିଣତ ହୁଏ I ଏହି ଅମ୍ଳଜାନର ପରମାଣୁ ଅମ୍ଳଜାନର ଅଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ଓଜୋନର ଅଣୁ ଗଠନ କରେ I ଏକ ଓଜୋନ୍ ଅଣୁର ଆଣବିକ  ବସ୍ତୁତ୍ବ ହେଉଛି 48 ଯାହା ଗୋଟିଏ ଅମ୍ଳଜାନର ଅଣୁଠାରୁ ପ୍ରାୟ ଦେଢ଼ ଗୁଣ ଭାରି I କୌଣସି ଅମ୍ଳଜାନର ଅଣୁରେ ଦୁଇଟି ପରମାଣୁ ରହିଥିଲାବେଳେ ଗୋଟିଏ ଓଜୋନ୍  ଅଣୁ ଅମ୍ଳଜାନର ସମୁଦାୟ ତିନୋଟି ପରମାଣୁରେ ଗଢ଼ା I


            ମାତ୍ର ଘୋର ପରିତାପର ବିଷୟ ଯେ, କିଛି ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁଁ ଆମର ଏହି ରକ୍ଷାକାରୀ କବଚ ଓଜୋନ୍ ମଣ୍ଡଳ ଏବେ କ୍ଷତିଗ୍ରସ୍ତ ହୋଇ ଏହାର ବିସ୍ତୀର୍ଣ୍ଣ ଅଂଚଳରେ ଓଜୋନ୍ ନଷ୍ଟ ହୋଇ ଗଲାଣି କିମ୍ବା ଓଜୋନ ସ୍ତର ପତଳା ହୋଇ ଗଲାଣି I ଏହାକୁ ‘ଓଜୋନ୍ ସ୍ତରରେ ଛିଦ୍ର’ ବୋଲି କୁହାଯାଉଛି I  ଓଜୋନ୍ ସ୍ତରରେ ଏହିଭଳି ଏକ ବିଶାଳ ଛିଦ୍ର ଵିଗତ 1985 ମସିହାରେ ଦଳେ ବ୍ରିଟିଶ ବୈଜ୍ଞାନିକ ଆଣ୍ଟରକ୍ଟିକା ମହାଦେଶ ଉପରେ ଆବିଷ୍କାର କରିଛନ୍ତି I ଫଳରେ ଏଭଳି ଛିଦ୍ର ଦେଇ ମହାକାଶରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମି ସିଧାଦଳଖ ଆମ ଜୀବମଣ୍ଡଳରେ ପ୍ରବେଶ କରି ଜୀବଜଗତର ଘୋର କ୍ଷତି ସାଧନ କରୁଛି I ଏହାର ପରିଣାମ ସ୍ୱରୂପ, ବିଶ୍ୱରେ ବିଗତ ଦିନମାନଙ୍କରେ ଚର୍ମକର୍କଟ ଓ ମୋତିଆଵିନ୍ଦୁ ରୋଗର ପ୍ରାଦୁର୍ଭାବ ବଢିଛି I


         ଓଜୋନ୍ ସ୍ତରର ଏଭଳି କ୍ଷୟକ୍ଷତି ପାଇଁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଫ୍ରିଜ, ଏୟାର କଣ୍ଡିସନର ଇତ୍ୟାଦି ଉପକରଣରେ ବ୍ୟବହୃତ ‘କ୍ଲୋରୋଫ୍ଲୋରୋକାର୍ବନ’ ନାମକ ଏକ ପଦାର୍ଥ ମୁଖ୍ୟତଃ ଦାୟୀ I ଏହି ପଦାର୍ଥକୁ ମଧ୍ୟ ବଡି  ଡିଓଡୋରାଣ୍ଟ ଭଳି  ଏରୋସଲ ସ୍ପ୍ରେ ଇତ୍ୟାଦିରେ ଗ୍ୟାସୀୟ ପଦାର୍ଥକୁ ଠେଲି ପଦାକୁ ନିର୍ଗତ କରିବା ପାଇଁ ‘ପ୍ରପେ୍ଲାଣ୍ଟ’ ରୂପରେ ବ୍ୟବହାର କରାଯାଏ I ଏହା ଛଡା ଅଗ୍ନି ନିର୍ବାପକ ଯନ୍ତ୍ରରେ ବ୍ୟବହାର କରାଯାଉଥିବା ହ୍ୟାଲୋନ୍ ନାମକ ଏକ ପଦାର୍ଥ ତଥା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଦ୍ରାବକ ରୂପେ ବ୍ୟବହାର କରାଯାଉଥିବା କାର୍ବନ ଟେଟ୍ରାକ୍ଲୋରାଇଡ଼ ପଦାର୍ଥ ମଧ୍ୟ ଓଜୋନ୍     ସ୍ତରରେ କ୍ଷତି ପହଞ୍ଚାଇ ପାରେ I ଏଭଳି ସମସ୍ତ ପଦାର୍ଥକୁ ‘ଓଜୋନ୍ ଵିନଷ୍ଟକାରୀ ପଦାର୍ଥ’ ବୋଲି କୁହାଯାଏ I 


          ଏହି ପଦାର୍ଥସବୁ ମେରୁ ଅଂଚଳର ପବନର ଭଉଁରୀରେ ଘୁରି ଘୁରି ଉର୍ଦ୍ଧ୍ଵକୁ ଉଠି ନିମ୍ନ ଷ୍ଟ୍ରାଟୋମଣ୍ଡଳରେ ଥିବା ଓଜନସ୍ତର ସହିତ ମିଳିତ ହୋଇଥାଏ I ଏହା ସେଠାରେ  ପଡୁଥିବା ତୀବ୍ର ଅତିବାଇଗଣି ରଶ୍ମିର ପ୍ରଭାବରେ ବିଭାଜିତ ହୋଇ  କ୍ଲୋରିନର  ମୁକ୍ତମୂଳକ ( Free Chlorine radical) ନିର୍ଗତ କରେ I କ୍ଲୋରିନର  ଗୋଟିଏ ମୁକ୍ତମୂଳକ ଓଜୋନ୍ ର ଏକ ଅଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ଓଜୋନ୍ ଅଣୁକୁ ଅମ୍ଳଜାନର ଅଣୁରେ  ପରିଣତ କରେ I ଏହିପରି ଭାବରେ ଓଜୋନ୍ ସ୍ତରରେ ଓଜୋନ୍ କ୍ଷୟ ଘଟିଥାଏ I ଏହି ପ୍ରକ୍ରିୟାରେ କ୍ଲୋରିନର ମୁକ୍ତମୂଳକଟି ବିନଷ୍ଟ ନହୋଇ ପୁଣି ନିର୍ଗତ ହୋଇ ଏକ କ୍ଷୁଧିତ ଦାନବ ସଦୃଶ ଅନ୍ୟ ଏକ ଓଜୋନ୍ ଅଣୁକୁ ଆକ୍ରମଣ କରି ନଷ୍ଟ କରିଥାଏ I ହିସାବରୁ ଦେଖା ଯାଇଛି ଯେ, କ୍ଲୋରିନର  ଗୋଟିଏ ମୁକ୍ତମୂଳକ ଷ୍ଟ୍ରାଟୋମଣ୍ଡଳରେ ନିଜର ଦୀର୍ଘ ଜୀବନକାଳ ମଧ୍ୟରେ ପ୍ରାୟ 1 ଲକ୍ଷ ଓଜୋନ୍ ଅଣୁକୁ ଆକ୍ରମଣ କରି ନଷ୍ଟ କରିଥାଏ I 


   ଓଜୋନ୍ ସ୍ତରର ଏଭଳି ଅବକ୍ଷୟରେ ଘୋର ଉଦବେଗ ପ୍ରକାଶ କରି  1987 ମସିହାରେ ବିଶ୍ୱର ତୁଙ୍ଗ ଜନନେତାମାନେ କାନାଡ଼ାର ସହର ମଣ୍ଟ୍ରିଲଠାରେ ଏକ ଶିଖର ସମ୍ମିଳନୀରେ ମିଳିତ ହୋଇଥିଲେ I ସେମାନେ ଏକ ରାଜିନାମା ସ୍ଵାକ୍ଷର କରି ବିଶ୍ୱରେ ସମସ୍ତ ଓଜୋନ୍ ଵିନଷ୍ଟକାରୀ ପଦାର୍ଥର ଉତ୍ପାଦନ,ବ୍ୟବହାର ତଥା ଆମଦାନୀକୁ ନିଷିଦ୍ଧ କରିବା ସହିତ ସେସବୁ ପଦାର୍ଥକୁ ବାୟୁମଣ୍ଡଳରେ ଜମା କରିବାର ସମସ୍ତ ମନୁଷ୍ୟକୃତ କାର୍ଯ୍ୟକଳାପକୁ ବାରଣ କରିଛନ୍ତି I


     ତେବେ ପ୍ରତିକାର କଣ? ଆମକୁ ଆମ ପୃଥିବୀରେ ଜୀବଜଗତର ସୁରକ୍ଷା ଦୃଷ୍ଟିକୋଣରୁ ଆମର ପ୍ରାକୃତିକ ରକ୍ଷାକବଚ ଓଜୋନ୍ ସ୍ତରର ସୁରକ୍ଷା କରିବାକୁ ପଡିବ I ଆମକୁ ଦୈନନ୍ଦିନ ଜୀବନରେ ଓଜୋନ୍ ଵିନଷ୍ଟକାରୀ ପଦାର୍ଥର ବ୍ୟବହାରକୁ ହ୍ରାସ କରିବା ସହିତ ସେଗୁଡିକ ବ୍ୟବହୃତ ହେଉଥିବା ଫ୍ରିଜ, ଏସି, ବଡି ସ୍ପ୍ରେ ଭଳି ଆରାମଦାୟକ ତଥା ବିଳାସପୁର୍ଣ୍ଣ ଉପକରଣ ଓ ସାମଗ୍ରୀର ବ୍ୟବହାରକୁ ମଧ୍ୟ ସୀମିତ କରିବାକୁ ପଡିବ I  ଆମକୁ ଆଗାମୀ ଦିନରେ ଓଜୋନ୍ ଵିନଷ୍ଟକାରୀ ପଦାର୍ଥ ପରିବର୍ତ୍ତେ ପରିବେଶପ୍ରିୟ ତଥା ଓଜୋନ ରକ୍ଷାକାରୀ ନୂତନ ପଦାର୍ଥ ସନ୍ଧାନ କରିବାକୁ ହେବ I ଏ ସମସ୍ତ କ୍ଷେତ୍ରରେ ଆମର ଉଦ୍ୟମ ବ୍ୟକ୍ତିଗତ ସ୍ତରରୁ ହିଁ ଆରମ୍ଭ ହେବା ଉଚିତ I ବ୍ୟକ୍ତିସ୍ତରର ଛୋଟିଆ ଛୋଟିଆ ପଦକ୍ଷେପ ଦ୍ୱାରା ସାମୁହିକ ସ୍ତରରେ ବିଶାଳ ଯୋଗଦାନ ଘଟି ଓଜୋନ ସୁରକ୍ଷା ଦିଗରେ ଆଖିଦୃଶିଆ ଏକ ବିପ୍ଳବ ସୃଷ୍ଟି କରିହେବ I ‘ବିଶ୍ବ ପାଇଁ ଚିନ୍ତନ, ସ୍ଥାନୀୟ ଭାବେ ଉଦ୍ୟମ’ ଆମର ମୂଳମନ୍ତ୍ର ହେବା ଉଚିତ I ସୁତରାଂ ଆମ ପୃଥିବୀରେ ଓଜୋନ୍ ସ୍ତରର ମହତ୍ୱ, ମନୁଷ୍ୟକୃତ କାର୍ଯ୍ୟକଳାପ ଦ୍ୱାରା ଏହାର ବିନଷ୍ଟ ତଥା ଏହି ଧାରାରେ ପରିବର୍ତ୍ତନ ଆଣି ଓଜୋନ୍ ସୁରକ୍ଷା ଦିଗରେ ଆଗାମୀ ଦିନରେ ଆମର ଆଭିମୁଖ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସେପ୍ଟେମ୍ବର 16 ତାରିଖକୁ ବିଶ୍ୱ ସ୍ତରରେ ଆନ୍ତର୍ଜାତୀୟ ଓଜୋନ୍  ଦିବସ ରୂପେ ପାଳନ କରାଯାଉଛି I


     ଚଳିତ 2024 ବର୍ଷର ବିଶ୍ୱ ଓଜୋନ ଦିବସ ପାଳନର ବିଷୟ ହେଉଛି, 'ମଣ୍ଟ୍ରିଲ ରାଜିନାମା: ଜଳବାୟୁ ନିମନ୍ତେ କାର୍ଯ୍ୟକ୍ରମର ଆହ୍ୱାନ' I ଓଜୋନ ସ୍ତରର ସୁରକ୍ଷା ନିମନ୍ତେ ବୈଶ୍ବିକ କ୍ଷେତ୍ରରେ ମଣ୍ଟ୍ରିଲ ରାଜିନାମା ଏକ ସର୍ବପ୍ରଥମ ତଥା  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ଏହି ରାଜିନାମାର ସୁପାରିଶ ଅନୁସାରେ କାର୍ଯ୍ୟକରି ଅବକ୍ଷୟମୁଖୀ ଓଜୋନ ସ୍ତରର ସୁରକ୍ଷା  ସାଙ୍ଗକୁ ଆମ ପରିବର୍ତ୍ତନଶୀଳ  ଜଳବାୟୁର ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରି ଆମ ଗ୍ରହରେ ଜୀବନ ବଞ୍ଚିବାର ମୂଳଦୁଆକୁ  ସୁଦୃଢ କରିବାର ଆବଶ୍ୟକତାକୁ ଜନମାନସରେ ପ୍ରତିବିମ୍ବିତ କରିବା ଏହି ବର୍ଷର   ବିଶ୍ୱ ଓଜୋନ ଦିବସ ପାଳନର ମୂଳ ଲକ୍ଷ୍ୟ I


ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର 

ଭୋପାଳ 


 




 My article on the above topic published in The Dharitri on 16.09.24




or
Click the link given below: 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ