ନିଜେ ତିଆରି କର : ବାୟୁ ତାପମାନ ଯନ୍ତ୍ର

 

                             ନିଜେ ତିଆରି କର : ବାୟୁ ତାପମାନ ଯନ୍ତ୍ର

ନିକୁଞ୍ଜ  ବିହାରୀ ସାହୁ

 

        ତାପମାତ୍ରା ମାପିବା ନିମନ୍ତେ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ତାପମାନ ଯନ୍ତ୍ରରେ ଏକ ତାପ ସମ୍ବେଦୀ  ପଦାର୍ଥ (Themometric substance) ଥାଏ  ଯାହାର ତାପ ପ୍ରୟୋଗ ଦ୍ୱାରା କିଛି ଭୌତିକ ଧର୍ମର ପରିବର୍ତ୍ତନ  ଘଟେ ଏହି ଭୌତିକ ପରିବର୍ତ୍ତନକୁ ମାପି  ତାପମାତ୍ରାର ସୂଚନା ମିଳିପାରେ I ତାପ ସମ୍ବେଦୀ  ପଦାର୍ଥର ପ୍ରକାର  ଅନୁସାରେ ତାପମାନ ଯନ୍ତ୍ରକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ,  ଯଥା ତରଳ , ଗ୍ୟାସୀୟ , ଧାତୁଯୁଗ୍ମ (Bimetal) , ତାପଯୁଗଳ (Thermocouple), ବୌଦ୍ୟୁତିକ ପ୍ରତିରୋଧକୀୟ (Electrical Resistance) ଇତ୍ୟାଦି ଇତ୍ୟାଦି I କୌଣସି ତରଳ ତାପମାନ  ଯନ୍ତ୍ରରେ ତାପ ପ୍ରୟୋଗ  ଦ୍ୱାରା ତରଳର ଆୟତନରେ ପରିବର୍ତ୍ତନ ଘଟୁଥିଲାବେଳେ  ଗ୍ୟାସୀୟ ତାପମାନ ଯନ୍ତ୍ରରେ   କିନ୍ତୁ ଏକ ଗ୍ୟାସର ଆୟତନ କିମ୍ବା ଚାପ ବଦଳି ଥାଏ ତାପ ପ୍ରୟୋଗ ଫଳରେ  ଧାତୁଯୁଗ୍ମର ବିଚିତ୍ର ଧର୍ମ ହେତୁ ଏହା ବଙ୍କେଇ ଯାଇ ତାପମାତ୍ରାର ସୂଚନା ଦିଏ ଏବଂ ଏକ ତାପଯୁଗଳ ତାପମାନ ଯନ୍ତ୍ରରେ ତାପ ପ୍ରୟୋଗ ଦ୍ୱାରା  ତାପଯୁଗଳରେ ବିଦ୍ୟୁତ ବିଭବ ସୄଷ୍ଟି ହୁଏ ସେହିପରିବୈଦ୍ୟୁତିକ ପ୍ରତିରୋଧକ ତାପମାନ ଯନ୍ତ୍ରରେ ତାପ ପ୍ରୟୋଗ ଫଳରେ ପଦାର୍ଥର  ବୈଦ୍ୟୁତିକ ପ୍ରତିରୋଧକର ପରିବର୍ତ୍ତନ ଘଟି ପ୍ରବାହିତ ବିଦ୍ୟୁତ ସ୍ରୋତ ଦ୍ୱାରା ତାପମାତ୍ରାର ସୂଚନା ମିଳେ I  ବୈଜ୍ଞାନିକ ଗାଲିଲିଓ ପ୍ରଥମେ ବାୟୁକୁ ଏକ  ତାପସମ୍ବେଦୀ ପଦାର୍ଥ ରୂପରେ ବ୍ୟବହାର କରି ଏକ ଗ୍ୟାସୀୟ ତାପମାନ  ଯନ୍ତ୍ର ନିର୍ମାଣ କରିଥିଲେ I   ଆମେ ଏଠାରେ ଏକ ବାୟୁ  ଚାଳିତ ତାପମାନ ଯନ୍ତ୍ରର ନିର୍ମାଣ  ସମ୍ପର୍କରେ ଆଲୋଚନା କରିବା I

 ଆବଶ୍ୟକୀୟ ଉପକରଣ

  ରବର ଠିପି ଥିବା ଏକ କାଚ ବୋତଲ (ବଡ ଇଂଜେକସନ୍ ଶିଶି  ହେଲେ ଚଳିବ), ସରୁ ଓ ଲମ୍ବା (ପ୍ରାୟ 1 ଫୁଟ ଲମ୍ବା) କାଚ ନଳୀ, ବିକର କିମ୍ବା କାଚ ଗ୍ଲାସ୍, ମହମବତୀ, ଦିଆସିଲି, ଲୁହାକଣ୍ଟା, ସେଲୋଟେପ୍, ଧଳା କାଗଜ, ପେନସିଲ୍ , ବରଫ, ସୂତା କପଡା

  ଆସ ତିଆରି କରିବା

 1.     ବୋତଲରୁ  ରବର ଠିପି କାଢି ଠିପି ମଧ୍ୟଭାଗରେ ଲୁହାକଣ୍ଟାରେ ଏକ ସରୁ ଛିଦ୍ର କର I

2.      ଏହି ଛିଦ୍ର ଦେଇ କାଚ ନଳୀକୁ ଠିପି ମଧ୍ୟରେ ପ୍ରବେଶ କରାଅ  ଯେପରି ନଳୀ ଓ ଛିଦ୍ର ମଧ୍ୟରେ କୌଣସି ଫାଙ୍କ ନରହିବ I

3.     ବୋତଲର ଠିପି ଲଗେଇ ଦିଅ I କାଚନଳୀ  ଅଳ୍ପ କିଛି ଅଂଶ ବୋତଲ ମଧ୍ୟରେ ରହିବା ଆବଶ୍ୟକ ଏବଂ ଅବଶିଷ୍ଟ ଅଂଶ  ବୋତଲ ବାହାରେ ରହିବା ଉଚିତ I

4.      ବୋତଲକୁ ଏବେ ଓଲଟା  ଏକ ଷ୍ଟାଣ୍ଡ କିମ୍ବା ଟେବୁଲରେ ଦୄଢ଼ ଭାବରେ ବାନ୍ଧି ଦିଅ I

5.     ଏବେ ଆସ, ନଳୀ ମଧ୍ୟରେ କିଛି ରଙ୍ଗୀନ  ଜଳ ପ୍ରବେଶ କରାଇବା I  ଏହି ରଙ୍ଗୀନ ଜଳ ହିଁ  ଆମ ତାପମା  ଯନ୍ତ୍ରରେ ସୂଚକ ତରଳ  ରୂପେ କାର୍ଯ୍ୟ କରି ତାପମତ୍ରାର ସୂଚନା କରିବ I ଏଥି ନିମନ୍ତେ,  କାଚଗ୍ଲାସ୍ରେ କିଛି ଜଳ ନିଅ  ଓ ସେଥିରେ କିଛି କାଳି ମିଶାଇ ରଙ୍ଗୀନ କର I

6.      ମହମବତୀ ଜାଳି ବୋତଲକୁ ଟିକେ ଗରମ କର ଯେପରି  ସେଥିରୁ କିଛି ବାୟୁ ବାହାରି ଯିବ I

7.      ଜଳ ଥିବା ଗ୍ଲାସ୍ କୁ ନେଇ  ବୋତଲ ତଳେ ରଖ ଯେପରି ନଳୀର ମୁହଁ ରଙ୍ଗୀନ ଜଳ ମଧ୍ୟରେ ବୁଡି ରହିବ I ବୋତଲ ଥଣ୍ଡା ହେଲେ ତାମଧ୍ୟରେ ଆଂଶିକ ଶୂନ୍ୟତା ସୃଷ୍ଟି ହୋଇ  ତାମଧ୍ୟକୁ କିଛି ରଙ୍ଗୀନ ଜଳ ପ୍ରବେଶ କରିବ I  ବାସ୍, ଆମର ବାୟୁ ତାପମାନ ଯନ୍ତ୍ରଟି ତିରି ହୋଇଗଲା I ଏବେ , ପ୍ରକୄତ ଗଣନା ନିମନ୍ତେ ନଳୀକୁ ଅଂଶାଙ୍କନ କରିବା I

8.      ଖଣ୍ଡିଏ ଧଳା କାଗଜ ନେଇ ଏହାକୁ ସେଲୋଟେପ୍ ଦ୍ୱାରା  ନଳୀ ଉପରେ ଲଗାଇ ଦିଅ I

9.     ବୋତଲ ଚାରିପଟେ  କିଛି ବରଫ କପଡାରେ ଗୁଡାଇ ରଖ I  କାଚନଳୀ ମଧ୍ୟରେ ରଙ୍ଗୀନ  ଜଳସ୍ତମ୍ଭର ସ୍ଥାନ ବଦଳି ଯିବ I ଏହି ସ୍ଥାନରେ କାଗଜ ଉପରେ ପେନସିଲ୍ ଦାଗଟିଏ ଦେଇ ‘0’ ବୋଲି ଲେଖ I ଏହା ସେଲସିୟସ୍ ତାପକ୍ରମରେ  ଡିଗ୍ରୀ ଏକକରେ ଜଳର ହିମାଙ୍କ  (Freezing Point) ସୂଚନା କରିବ I

10.ବରଫ କାଢି ନେଇ  ଏବେ ବୋତଲକୁ ହାତରେ ମୁଠାଇ କିଛି ସମୟ ଧରି ରଖ  I ଶରୀରର ତାପମାତ୍ରା (ପ୍ରାୟ 37 ଡିଗ୍ରୀ ସେଲସିୟସ୍) ରେ ବାୟୁର ଆୟତନର ପ୍ରସାରଣ ଘଟିବାରୁ ନଳୀ ମଧ୍ୟରେ ରଙ୍ଗୀନ ଜଳ ସ୍ତମ୍ଭର ପତ୍ତନ ବଦଳି ଯିବ I ରଙ୍ଗୀନ ଜଳ ନିର୍ଦ୍ଦେଶ କରୁଥିବା ସ୍ଥାନର କାଗଜ ଉପରେ ‘37’  ଲେଖ I

11.ପୁଣି, ‘0’ ଓ ‘37’ ତାପମାତ୍ରା ଦ୍ୱୟର ମଧ୍ୟବର୍ତ୍ତୀ ସ୍ଥାନକୁ 37 ସମାନ ଅଂଶରେ ବିଭକ୍ତ କରି କାଗଜ ଉପରେ  ପେନସିଲରେ ଦାଗ ଦିଅ I ପ୍ରତି କ୍ଷୁଦ୍ର ଭାଗ  ସେଲସିୟସ୍ ତାପକ୍ରମରେ 1 ଡିଗ୍ରୀ ତାପମାତ୍ରାର ସୂଚକ  ହେବ I ଏହି ପଦ୍ଧତିକୁ ଅନୁସରଣ କରି ନଳୀକୁ ସେଲସିୟସ୍  ଏକକରେ  37 ଡିଗ୍ରୀ ପରେ ମଧ୍ୟ 100 ଡିଗ୍ରୀ ପର୍ଯ୍ୟନ୍ତ ଅଂଶାଙ୍କନ କରିଯାଅ I

 ଆସ ପରୀକ୍ଷା କରିବା

    କୌଣସି ତାପ ଉତ୍ସର ତାପମାତ୍ରା ଜାଣିବା ପାଇଁ ତାପଉତ୍ସକୁ ଆମ ତାପମାନ ଯନ୍ତ୍ରର ସଂସ୍ପର୍ଶରେ ଆସିବା ପାଇଁ ଦିଅ I ତାପ ଉତ୍ସ ଓ ତାପମାନ ଯନ୍ତ୍ରର ତାପମାତ୍ରା ସମାନ ହେବା ଯାଏ  ଅପେକ୍ଷା କର I ନଳୀ ମଧ୍ୟରେ ରଙ୍ଗୀନ ଜଳର ସ୍ଥାନ ଅନୁସାରେ ଅଂଶାଙ୍କିତ କାଗଜରୁ  ପରୀକ୍ଷିତ ବସ୍ତୁର ତାପମାତ୍ରା ପଢ I

   ଆମେ ଦୈନନ୍ଦିନ ଜୀବନରେ ସଂସ୍ପର୍ଶରେ ଆସୁଥିବା କେତେକ ସାଧାରଣ ତାପମାତ୍ରାର ମୂଲ୍ୟ  ସେଲସିୟସ୍ ତାପକ୍ରମରେ ନିମ୍ନରେ ଦିଆଗଲା :

 

 ସୁସ୍ଥ ଶରୀରର ସାଧାରଣ ତାପମାତ୍ରା : 370C

ପ୍ରବଳ ଜ୍ୱରରେ ଶରୀରର ତାପମାତ୍ରା : 40.5 0C

ପ୍ରଚଣ୍ଡ ଖରାଦିନର ତାପମାତ୍ରା : 460C

ଜଳର ସ୍ଫୁଟନାଙ୍କର ତାପମାତ୍ରା : 1000C

ଶୀତରୁତୁର ଏକ ଥଣ୍ଡାଦିନର ତାପମାତ୍ରା : 250C

ମହମର ଗଳନାଙ୍କର ତାପମାତ୍ରା : 680C

ଚା’ର ତାପମାତ୍ରା : 800C

ଆଇସକ୍ରିମ୍ ର ତାପମାତ୍ରା : -5 0C ରୁ 100C

ଶୀତଦିନେ ଗାଧୋଇବା ନିମନ୍ତେ ଉଷୁମ ଜଳର ତାପମାତ୍ରା : 45 0C

 

 

ଏଜୁକେଶନ୍ ଅଫିସର

                                                                            ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,

                                                                                    ଭୋପାଲ

                                                                         ଫୋନ୍ : 8018708858



 

 

 

 To read an article on the same topic published in The Pilanka Dharitri dated 31.08.24, pl click the link given below: https://dharitriepaper.in/m/498177/66d20c9dcbeae


or

https://drive.google.com/file/d/1H-jgN5nPTCTblRXxuTNOKX96oP6X5SQn/view?usp=sharing




 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ