ଊତ୍ତପ୍ତ ଗ୍ରୀଷ୍ମରୁତୁ

  

ଊତ୍ତପ୍ତ ଗ୍ରୀଷ୍ମରୁତୁ

ନିକୁଞ୍ଜ  ବିହାରୀ ସାହୁ

       ରୁତୁଚକ୍ରର ପଟ୍ଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ I ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର ସକରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ  ସାହି ପିଲାଙ୍କ  ବୁଡାବୁଡି ଖେଳ, ସନ୍ଧ୍ୟାବେଳକୁ ନଦୀକୂଳର ମନଛୁଆଁ ପବନ, ଓ ବିଳମ୍ବିତ ରାତ୍ରି ପ୍ରହର ଯାଏ ଗାଁ ମୁଣ୍ଡ ଖୋଲା ସ୍ଥାନରେ ଲୋକଙ୍କ ଏକାଠି ମେଳ ଇତ୍ୟାଦି ଘଟଣାର ସ୍ମୃତି ଏବବି ଆମ ଗ୍ରାମ୍ୟ ଜୀବନରେ ଉଜ୍ଜୀବିତ I ମାତ୍ର ଘୋର ପରିତାପର ବିଷୟ ଯେ, ପୁର୍ବର ସେ ମୄଦୁ ମଧୁର ଗ୍ରୀଷ୍ମରୁତୁ ଆଉ ନାହିଁ I ଏବେ ଆରମ୍ଭ ହୋଇଛି  ଏକ ଉତ୍ତପ୍ତ ଓ ଦାରୁଣ ଗ୍ରୀଷ୍ମରୁତୁ ଏବଂ ଜନସାଧାରଣ  ପ୍ରଚଣ୍ଡ ଗରମ , ଗୁଳୁଗୁଳି , ଅଂଶୁଘାତ ଓ ଝାଞ୍ଜି ପବନରେ  ଅତିଷ୍ଠ I ଏବେ ବୈଶାଖ ମାସର ପ୍ରାରମ୍ଭରୁ ତାପମାତ୍ରା ପ୍ରାୟ 40 ଡିଗ୍ରୀ ସୀମା ଛୁଇଁଲାଣି I ଗତବର୍ଷ ବିଶ୍ୱସାରା ଜାପାନ୍‍ ରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ  ଦକ୍ଷିଣ ୟୁରୋପ୍ ଏବଂ ଉତ୍ତର ଆଫ୍ରିକାରେ ତାପମାତ୍ରା  ସମସ୍ତ ପୂର୍ବ ରେକର୍ଡକୁ ଭଙ୍ଗ କରିଥିଲାବେଳେ ଇଟୀଲୀର କେତେକ ସ୍ଥାନରେ 47 ଡିଗ୍ରୀ ସୀମାରେ ପହଞ୍ଚିଥିଲା I

       ଏହି ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି  ପାଇଁ  ମୂଖ୍ୟତଃ ବିଶ୍ୱ ତାପନ ପ୍ରଭାବକୁ ଦାୟୀ କରା ଯାଉଛି ଯାହା ଚଳିତ ଶତାବ୍ଦୀର ସବୁଠାରୁ ବଡ ପରିବେଶୀୟ ସଙ୍କଟ ରୂପେ ମୁଣ୍ଡ ଟେକିଛି I  IPCC  ର  ଏକ ରିପୋର୍ଟ ଅନୁଯାୟୀ  ଆମର ଗ୍ରହ ବିଗତ ଶତାବ୍ଦୀରେ 0.6%  ଉତ୍ତପ୍ତ ହୋଇଛି ଏବଂ ଆଗମୀ 2100 ଖ୍ରୀଷ୍ଟାବ୍ଦ ବେଳକୁ ତାପମାତ୍ରା 2.4 ରୁ 4.8 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୄଦ୍ଧି ପାଇବାର ଆଶଙ୍କା କରାଯାଏ I

            ଏହା ବୈଶ୍ୱିକ ପାଣିପାଗ ଓ ଜଳବାୟୁ ବ୍ୟବସ୍ଥାରେ ଘୋର ପରିବର୍ତ୍ତନ ଆଣି ଦେଇଛି ଯାହାର ପରିଣାମ ଏବେ ଦେଖିବାକୁ ମିଳିଲାଣି I  ହିମବାହସବୁରେ ବରଫ ବିଗଳନ   ଏବଂ ତଜ୍ଜନିତ ସମୁଦ୍ର ପତ୍ତନର ବୄଦ୍ଧି, ଅନିୟମିତ ବୄଷ୍ଟିପାତ, ଛନ୍ଦହରା ମୌସୁମୀ , ଦାରୁଣ ଗ୍ରୀଷ୍ମପ୍ରବାହ  ତଥା କ୍ରାନ୍ତିମଣ୍ଡଳୀୟ ଘୂର୍ଣ୍ଣିଝଡର ସଂଖ୍ୟା ବୄଦ୍ଧି ଭଳି  ଚରମ ପାଣିପାଗ ଅବସ୍ଥାର ପ୍ରବଳତା , କୃଷି ଉତ୍ପାଦର ପରିମାଣ ହ୍ରାସ ତଥା ଡେଙ୍ଗୁ ମେଲେରିଆ ଭଳି ବାହକ ଜନିତ ସଂକ୍ରାମକ ରୋଗର ସଂଖ୍ୟା ବୃଦ୍ଧି ଆଦି ଘଟଣା ଏହାର ପରିଣାମ I  ବିଶ୍ୱ ତାପନର ଏକ ସଦ୍ୟତମ ଉଦାହରଣ ହେଉଛି ଦୁବାଇରେ ଘଟିଥିବା ନାହିଁ ନଥିବା ବନ୍ୟା :  ଦୁବାଇ ଚିରାଚରିତ ଭାବେ  ସ୍ୱଳ୍ପ ବୃଷ୍ଟିପାତ ତଥା ଶୁଷ୍କ ମରୁ ଜଲବାୟୁ ନିମନ୍ତେ ଜଣାଶୁଣା I ମାତ୍ର ନିକଟରେ ଏଠାରେ ପ୍ରବଳ ବୄଷ୍ଟିପାତ ଘଟି ଜଳ ନିଷ୍କାସନ ଅଭାବରୁ ସହରର ଭିତ୍ତିଭୂମି ବ୍ୟବସ୍ଥା ଗୁରୁତର କ୍ଷତିଗ୍ରସ୍ତ ହୋଇଛି ଓ କିଛି ଲୋକଙ୍କର ମଧ୍ୟ ମୄତ୍ୟୁ ଘଟିଛି I

       ବିଶ୍ୱ ତାପନ ବିଶ୍ୱସାରା ଲୋକଙ୍କ ଜୀବନ ଓ ଜୀବିକାକୁ ଗୁରୁତର ପ୍ରଭାବିତ କରିଛି I ମାଲଡିଭିସ୍ ଦେଶର ଲୋକଙ୍କୁ ସମୁଦ୍ର ପତ୍ତନ ବୄଦ୍ଧି ଯୋଗୁଁ ନିଜର ଭିଟାମାଟି ଛାଡି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତତରିତ କରିବାକୁ ପଡୁଛି; ନିଜେର୍  ନଦୀର ଜଳରୁ ମାଛମାନେ ବିଲୁପ୍ତ ହୋଇ ଯିବାରୁ  ମତ୍ସ୍ୟଜୀବିମାନଙ୍କର ଜାଲ ଆଉ ମାଛରେ ଭରୁନାହିଁ , ତଥା ବନ୍ୟା ଓ ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ବଙ୍ଗଳାଦେଶରେ ସ୍ତ୍ରୀଲୋକମାନଙ୍କୁ ପାନୀୟ ଜଳ ସଂଗ୍ରହ ନିମନ୍ତେ ମାଇଲ୍ ମାଇଲ୍ ବାଟ ପାଦରେ ଚାଲିଚାଲି ଯିବାକୁ ପଡୁଛି I ଏପରିକି ଜୀବଜନ୍ତୁମାନେ ମଧ୍ୟ ବିଶ୍ୱ ତାପନର ବଳୟରୁ ମୁକ୍ତ ନୁହନ୍ତି I  ଉତ୍ତର ମେରୁରେ ବରଫ ବିଗଳନ କାରଣରୁ ମେରୁ ଭାଲ୍ଲୁ ଚାଲିବା ପାଇଁ ଚଟାଣ ମିଳୁ ନାହିଁ , ଭାରତର ସୁନ୍ଦରବନର  ହେନ୍ତାଳ ଅରଣ୍ୟର ଅବକ୍ଷୟ ଯୋଗୁଁ ମହାବଳ ବାଘ ମଧ୍ୟ ବିଲୁପ୍ତିର ଦ୍ୱାରଦେଶରେ, ଉତ୍ତର ଆଟଲାଣ୍ଟିକ ମାହାସାଗରର ତିମି ମାଛ ନିଜର ଚିରାଚରିତ ଖାଦ୍ୟ ପ୍ଲାଙ୍କଟନ୍ ଅଭାବରୁ ଏବେ ସଙ୍କଟାପନ୍ନ ଏବଂ ଇଣ୍ଡୋନେସିଆରେ ଜଙ୍ଗଲ ନିଆଁ ଯୋଗୁଁ ଉରାଙ୍ଗ ଉଟାଙ୍ଗ ବାନରାକାୟ ଜୀବର ସ୍ଥିତି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଲାଣି  I 

         ଗିଗତ 2003 ମସିହାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ୟୁରୋପରେ  ସମୁଦାୟ 35,000 ଲୋକଙ୍କ ମୄତ୍ୟୁ ଘଟିଥିଲାବେଳେ  ଏକାକୀ ଫ୍ରାନ୍ସ୍ ରେ 15,000 ଲୋକଙ୍କ ପ୍ରାଣହାନୀ ଘଟିଥିଲା I ଆମ ଦେଶରେ ବିଶ୍ୱ ତାପନ  ପ୍ରଭାବରୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ କୄଷି, ଜଙ୍ଗଲ, ମତ୍ସ୍ୟଚାଷ ଭଳି ଜଳବାୟୁ ସ୍ପର୍ଶକାତର କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ 70 କୋଟି ଲୋକ ସିଧାସଳଖ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଏ I

          ବିଶ୍ୱ ତାପନର ପ୍ରଭାବ ଆମ ରାଜ୍ୟ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି I  ଲଘୁଚାପ, ଘୂର୍ଣ୍ଣିଝଡ ଏବଂ ଅବପାତ ଜନିତ ବୄଷ୍ଟିପାତ ଏବେ ଆମ ରାଜ୍ୟବାସୀଙ୍କ ପାଇଁ ଏକ ସାଧାରଣ ଘଟଣା ପାଲଟି ଗଲାଣି I ଏଭଳି ଅଦିନିଆ ଓ ଅନିୟମିତ  ବୄଷ୍ଟିପାତ ଫଳରେ ଚାଷୀମାନେ ଗୁରୁତର କ୍ଷତିଗ୍ରସ୍ତ ହେଉଛନ୍ତି I ଲୋକଙ୍କ ପ୍ରାଣ ପ୍ରବାହିକା ନଦୀ ଏବେ ଶୁଖିଲା ଓ ସମ୍ଭାବନାଶୂନ୍ୟା I  ବିଗତ 1998 ମସିହାରେ ଘଟିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ ତଥା 1999 ମସିହାର ପ୍ରବଳ ଘୂର୍ଣ୍ଣିଝଡରେ  ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଦିଶାରେ ଶତାଧିକ ଲୋକଙ୍କର ପ୍ରାଣହାନୀ ଘଟିଥିଲା I ଲଗାଣ ବନ୍ୟା ଏବଂ ମରୁଡି  ରାଜ୍ୟ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଥିଲାବେଳେ  ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି I ଇତ୍ତି ମଧ୍ୟରେ, ସମୁଦ୍ର ରାଜ୍ୟ ପାଇଁ ଏକ ବଡ ବିପଦ ରୂପେ ମୁଣ୍ଡ ଟେକିଛି I ବଙ୍ଗୋପ ସାଗର ଏବେ ଦ୍ରୁତ ଗତିରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି  ଏବଂ ଅନେକ  ଗାଁ ତଥା ଉର୍ବର ଜମି ଏହାର କରାଳ ଗର୍ଭ ମଧ୍ୟରେ ବିଲୀନ ହୋଇ ଗଲାଣି I ଏହାଦ୍ୱାରା ରାଜ୍ୟ ଅର୍ଥନୀତି ତଥା ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି I

         ଏକ ଆକଳନରୁ ଜଣାପଡେ ଯେ, ବିଗତ ଶିଳ୍ପ ବିପ୍ଳବ ପରଠାରୁ ଆମ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ମାତ୍ରା 11% ବୄଦ୍ଧି ପାଇଥିଲାବେଳେ ଅନ୍ୟ ଏକ ମୂଖ୍ଯ ସବୁଜଘର ବାଷ୍ପ  ମିଥେନ୍ ର ମାତ୍ରା ଆଶାତୀତ  ଭାବେ 149% ବଢିଛି I ଏଭଳି ପରିପ୍ରେକ୍ଷୀରେ, ବିଶ୍ୱ ସମୁଦାୟକୁ ବିଶ୍ୱ ତାପନର ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ  ନିଜର ସବୁଜଘର ବାଷ୍ପ ଉତ୍ସର୍ଜନ ମାତ୍ରା ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ I

       ଏହି ପ୍ରସଙ୍ଗକୁ ଆଖି ଆଗରେ ରଖି ବିଶ୍ୱର ନେତାମାନେ ଅତୀତରେ ଅନେକ ଜଳବାୟୁ ଶିଖର ସମ୍ମିଳନ୍ନୀରେ ମିଳିତ ହୋଇଛନ୍ତି I ବିଶେଷକରି, ଶିଳ୍ପୋନ୍ନତ ଦେଶମାନଙ୍କର ଉତ୍ସର୍ଜନ ମାତ୍ରା ହ୍ରାସ କରିବାରେ ଅନିଛୁକତା ହେତୁ ଗତ 1992 ର ରିଓ ସମ୍ମିଳନ୍ନୀ,  1995 ର କ୍ୱିଟୋ ରାଜିନାମା, 2009 ର କୋପେନ୍ ହ୍ୟାଗେନ୍ ସନ୍ଧିପତ୍ର, 2015 ର ପ୍ୟାରିସ୍ ଚୁକ୍ତିନାମା, 2021 ର ଗ୍ଲାସଗୋ ଜଳବାୟୁ ବୁଝାମଣା ପତ୍ର ତଥା 2023 ର ଦୁବାଇ ଚୁକ୍ତି ଇତ୍ୟାଦିରୁ ଆଖିଦୄଶିଆ  ସଫଳତା ମିଳି ପାରି ନାହିଁ I ସୁତରାଂ ବିଶ୍ୱ ତାପନର ପ୍ରଭାବକୁ ହ୍ରାସ କରି ଜଳବାୟୁ ପରିବର୍ତ୍ତନର ବେଗ  ମନ୍ଦିତ କରିବା ନିମନ୍ତେ ଆମକୁ ତୁରନ୍ତ ଓ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ I ତେବେ ଯାଇ, ପୂର୍ବର ହଜିଲା ବସନ୍ତ ଓ ବିଲୁପ୍ତ କୋଇଲିର କୁହୂତାନ ପୁଣି ଫେରି ଆସିବ ଓ ଗ୍ରୀଷ୍ମ  ଅପରାହ୍ନ ଝିଙ୍କାରୀର କଣ୍ଠ ସଙ୍ଗୀତରେ ପୁଣି ଗୁଞ୍ଜରିତ ହେବ I

 

ଏଜୁକେଶନ୍ ଅଫିସର୍

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

                                                                                                              ଭୋପାଳ                                                                                                           ଫୋନ୍ : 8917637974

 

 


 To read the  same article published in The Nitidin dated 22.05.24, please click the following  link:

https://drive.google.com/file/d/1LR6ovC7j_MXSEm9nfgW-BwWH7U6V0bu5/view?usp=sharing :

 To read the  same article published in The Sakala dated 24.06.24, please click the following  link:

https://drive.google.com/file/d/1oY3Vfz7EADRqRDQevIKmmZCEmMblz-BW/view?usp=sharing

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?