ଚନ୍ଦ୍ରରେ ଜଳ
ଚନ୍ଦ୍ରରେ ଜଳ
ନିକୁଞ୍ଜ ବିହାରୀ ସାହୁ
ପ୍ରଖ୍ୟାତ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ 1609 ମସିହାରେ ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ର ଜରିଆରେ ଚନ୍ଦ୍ରକୁ ନିରୀକ୍ଷଣ ପୂର୍ବକ ଏହା ପଷ୍ଠର ପର୍ଯ୍ୟବେକ୍ଷଣ କରିଥିଲେ I ସେ ଚନ୍ଦ୍ରପୄଷ୍ଠରେ ଅନେକ ବିସ୍ତୀର୍ଣ୍ଣ ଅନ୍ଧକାରାଛନ୍ନ ଅଞ୍ଚଳ ଲକ୍ଷ୍ୟ କରିଥିଲେ I ସେସବୁକୁ ସେ ଚନ୍ଦ୍ରର ସମୁଦ୍ର ବୋଲି ଧରି ନେଇଥିଲେ I ଏବେ ଜଣା ପଡିଛି ଯେ, ଚନ୍ଦ୍ରରେ କୌଣସି ଜଳପୂର୍ଣ୍ଣ ସମୁଦ୍ର ନାହିଁ; ବରଂ ଏହା ଏକ ଶୁଖିଲା ବାଲୁକାମୟ ମରୁଭୂମି I ଚନ୍ଦ୍ରରେ ଜଳର ଉପସ୍ଥିତି ସମ୍ପର୍କରେ ବହୁ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ରହି ଆସିଥିଲେ ସୁଦ୍ଧା ଜଳର ଉପସ୍ଥିତିକୁ ପ୍ରମାଣ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ I ସର୍ବପ୍ରଥମେ 1990 ମସିହାରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ଉପଗ୍ରହ 'କ୍ଲିମେଣ୍ଟାଇନ୍' ଏକ ମହାକାଶଯାନ ଚନ୍ଦ୍ର ପୄଷ୍ଠରେ ଜଳ ଅଣୁର ଉପସ୍ଥିତିର ସୂଚନା ପ୍ରଦାନ କରିଥିଲା I ପରବର୍ତ୍ତୀ ସମୟରେ, ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ ଇସ୍ରୋର ଏକ ଉପଗ୍ରହ 'ଚନ୍ଦ୍ରଯାନ -1' ଚନ୍ଦ୍ରରେ ଜଳ ଅଣୁ ଉପସ୍ଥିତିର ପ୍ରମାଣ କରିଥିଲା I
ଇତି ମଧ୍ୟରେ, ମିଳିଥିବା କିଛି ଚାଞ୍ଚଲ୍ୟକର ତଥ୍ୟରୁ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ମତବାଦକୁ ସମର୍ଥନ ମିଳିଛି I ବିଗତ 1970 ମସିହାରେ, ଯୁକ୍ତରାଷ୍ଟ୍ର ଆମେରିକାର 'ଆପୋଲୋ' ଚନ୍ଦ୍ର ଅଭିଯାନ ସମୟରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରୁ କାଚ ଭଳି ଦିଶୁଥିବା କିଛି ବିଚିତ୍ର ଗୋଡି ସଂଗ୍ରହ କରି ପୄଥିବୀକୁ ଆଣିଥିଲେ I ଏହି ଗୋଡିସବୁର ବ୍ୟାସ 0.1 ମି.ମି. ରୁ 0.4 ମି.ମି. ମଧ୍ୟରେ ସୀମିତ ଥିଲା I ଏଗୁଡିକ ପ୍ରାୟ 300 କୋଟିରୁ ଉର୍ଦ୍ଧ୍ୱ ବର୍ଷ ପୂର୍ବେ ଚନ୍ଦ୍ରର ଆଗ୍ନେୟଗିରିରୁ ନିର୍ଗତ ଉତ୍ତପ୍ତ ଲାଭାର ଶୀତଳିକରଣ ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହୋଇ ଥିବାର ଅନୁମାନ କରାଯାଏ I 2009 ମସିହାରେ, ଯୁକ୍ତରାଷ୍ଟ୍ର ଆମେରିକାର ଦଳେ ବୈଜ୍ଞାନିକ 'ସେକେଣ୍ଡାରି ଆୟନ ମାସ୍ ସ୍ପେକ୍ଟ୍ରୋଗ୍ରାଫି' କୌଶଳ ଅବଲମ୍ବନ କରି ଏହି ଗୋଡିସବୁର ରାସାୟନିକ ଉପାଦାନ ଓ ଗଠନକୁ ଯାଞ୍ଚ କରିଛନ୍ତି I ପରୀକ୍ଷାରୁ ଏସବୁ ମଧ୍ୟରେ ଜଳୀୟ ଅଣୁ ସମେତ କିଛି ଉଦବାୟୀ ପଦାର୍ଥ (ଯାହା କମ୍ ତାପମାତ୍ରାରେ ବାଷ୍ପୀଭୂତ ହୁଏ) ଆବଦ୍ଧ ହୋଇ ରହି ଥିବାର ସନ୍ଧାନ ମିଳିଛି I ବୈଜ୍ଞାନିକମାନେ ଏ ଦିଗରେ ଅଧିକ ଗବେଷଣା କରି ଏକ ନୂତନ ମତବାଦ ଉପସ୍ଥାପନ କରିଛନ୍ତି ଯାହା ଦ୍ୱାରା ଚନ୍ଦ୍ର ଅତୀତରେ ଜଳୀୟ ଅବସ୍ଥାରୁ ସୄଷ୍ଟି ହୋଇଥିବାର ମତବାଦକୁ ସମର୍ଥନ ମିଳିଛି I ଏପରିକି, ଆମ ପୄଥିବୀର ଉପର ମ୍ୟାଣ୍ଟେଲ୍ ରେ ଜଳର ମାତ୍ରା 150 ପି.ପି.ଏମ୍. ହୋଇଥିଲାବେଳେ ଚନ୍ଦ୍ର ମ୍ୟାଣ୍ଟେଲ୍ ରେ ଜଳର ମାତ୍ରା ଯଥେଷ୍ଟ ଅଧିକ ଏବଂ ଏପରିକି କେଇ ହଜାର ପି.ପି.ଏମ୍. ହୋଇ ଥାଇପାରେ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି I
ପରବର୍ତ୍ତୀ ଡିସେମ୍ବର 2020 ମସିହାରେ , ଚାଇନାର ଏକ ମହାକାଶଯାନ ଚେଞ୍ଜ୍ -5 ଚନ୍ଦ୍ରପୄଷ୍ଠରେ ଅବତରଣ କରି ସେଠାରୁ କାଚ ଭଳି ଦିଶୁଥିବା ଏହି ଗୋଡିର ଆଉ କିଛି ନମୁନା ସଂଗ୍ରହ କରି ପୄଥିବୀକୁ ଆଣିଥିଲା I ଏହି ଗୋଡିସବୁର ବୈଜ୍ଞାନିକ ବିଶ୍ଳେଷଣ ଦ୍ୱାରା ଦ୍ୱାରା ଚନ୍ଦ୍ରପୄଷ୍ଠରେ 300 ମିଲିୟନ୍ ରୁ 270 ବିଲିୟନ୍ ଟନ୍ ପରିମାଣର ଜଳର ବିଶାଳ ଭଣ୍ଡାର ଗଛିତ ଥାଇପାରେ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି I
ମାତ୍ର ଏହା ଚନ୍ଦ୍ର ସୃଷ୍ଟି ସମ୍ପର୍କୀୟ ଅନ୍ୟ ଏକ ଜଣଶୁଣା 'ସଂଘର୍ଷ ତତ୍ତ୍ୱ' ମତବାଦକୁ ବିରୋଧ କରୁଛି I ସଂଘର୍ଷ ତତ୍ତ୍ୱ ମତବାଦ ଅନୁଯାୟୀ, ଅତୀତରେ ପୃଥିବୀ ସହିତ ମଙ୍ଗଳ ଭଲି କୌଣସି ଗ୍ରହର ସଂଘର୍ଷ ଘଟିବାରୁ ପୃଥିବୀର କିଛି ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ଛିଟିକି ପଡିଥିଲା I ପରବର୍ତ୍ତୀ ସମୟରେ, ଏହି ଖଣ୍ଡସବୁ ପରସ୍ପର ସହ ସଂଯୋଜିତ ହୋଇ ଚନ୍ଦ୍ର ଭଳି ବିଶାଳକାୟ ପିଣ୍ଡମାନ ସୃଷ୍ଟି କଲେ I ଚନ୍ଦ୍ରରେ ଅତୀତରେ ଜଳ ଥିଲେ, ଉକ୍ତ ସଂଘର୍ଷରୁ ଉତ୍ପନ୍ନ ପ୍ରଚଣ୍ଡ ତାପମାତ୍ରାରେ ଚନ୍ଦ୍ରକୁ ଗଠନ କରିଥିବା ଖଣ୍ଡଗୁଡିକରେ ଥିବା ଜଳ ସମେତ ବିଭିନ୍ନ ଉଦବାୟୀ ପଦାର୍ଥ କେବେଠୁଁ ବାଷ୍ପୀଭୂତ ହୋଇ ଯିବଣି ବୋଲି ଆଶଙ୍କା କରାଯାଏ I ମାତ୍ର ଅନ୍ୟ କିଛି ବୈଜ୍ଞାନିକଙ୍କ ମତରେ, ଏହି ମତବାଦ କିଛି କାରଣରୁ ଚନ୍ଦ୍ର ସୄଷ୍ଟି ସମ୍ପର୍କୀୟ 'ସଂଘର୍ଷ ତତ୍ତ୍ୱ' ମତବାଦକୁ ବିରୋଧ କରୁନାହିଁ I ପ୍ରଥମତଃ, ଚନ୍ଦ୍ରକୁ ସୃଷ୍ଟି କରିଥିବା କୌଣସି ଖଣ୍ଡ ସଂଘର୍ଷର ପରବର୍ତ୍ତୀ କାଳରେ ଅତି ଶୀଘ୍ର ସୄଷ୍ଟି ହୋଇଥିଲେ ସେଥିରେ କିଛି ଜଳୀୟ ଅଣୁ ଆବଦ୍ଧ ହୋଇ ରହିଯିବା ସମ୍ଭବପର I ଦ୍ୱିତୀୟତଃ, ସଂଘର୍ଷକାରୀ ପିଣ୍ଡର କିଛି ଅଂଶ ପୄଥିବୀ ସହିତ ସିଧାସଳଖ ଧକ୍କା ହୋଇ ନଥିଲେ ସୁଦ୍ଧା ଅପେକ୍ଷାକୃତ ଶୀତଳ ତାପମାତ୍ରାରେ ରହିଥିବାରୁ ସେଥିରେ କିଛି ଜଳୀୟ ଅଣୁର ଉପସ୍ଥିତି ଆଶାତୀତ ନୁହେଁ I ତୄତୀୟରେ, ଚନ୍ଦ୍ର ସୄଷ୍ଟି ହେଲା ପରେ, ଜଳ ଥିବା ଅନ୍ୟ କୌଣସି ବାହ୍ୟଜାଗତିକ ବସ୍ତୁ (ଯଥା ଗ୍ରହାଣୁ କିମ୍ବା ଉଲକା) ଚନ୍ଦ୍ରପୃଷ୍ଠରେ ପିଟି ହେବା ଦ୍ୱାରା ସେଥିରେ ଥିବା ଜଳ ଚନ୍ଦ୍ରକୁ ସ୍ଥାନନ୍ତରିତ ହୋଇଥାଇପାରେ I
ତେବେ ଚନ୍ଦ୍ର ସୄଷ୍ଟି ସମ୍ପର୍କରେ ବିବାଦ ଏବେ ସୁଦ୍ଧା ଲାଗି ରହିଛି ଏବଂ ଏ ସମ୍ପର୍କରେ କୌଣସି ମତବାଦକୁ ସମର୍ଥନ କିମ୍ବା ପ୍ରତ୍ୟାଖାନ କରିବା ପାଇଁ ଆମ ନିକଟରେ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ I ଏହି ଚିର-ରହସ୍ୟମୟ ପ୍ରସଙ୍ଗ ଉପରେ ଆଲୋକପାତ କରିବା ନିମନ୍ତେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା 2009 ମସିହାର୍ରେ ଚନ୍ଦ୍ରକୁ ଏକ ଯାନ 'ଲୁନାର କ୍ରେଟ୍ର୍ ଅବଜର୍ଭେସନ୍ ଆଣ୍ଡ୍ ସେସ୍ନ୍ସିଙ୍ଗ୍ ସାଟେଲାଇଟ୍ (LCROSS)' ପ୍ରେରଣ କରିଥିଲା ଯାହା ଚନ୍ଦ୍ରପୄଷ୍ଠରେ ଅବତରଣ କରି ସେଠାରେ ଜଳର ଉପସ୍ଥିତି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୄଥିବୀକୁ ପ୍ରେରଣ କରିଛି I ଏହି ଉପଗ୍ରହର ସନ୍ଧାନ ଅନୁଯାୟୀ, ଚନ୍ଦ୍ର ପୂର୍ବରୁ ବିଶ୍ୱାସ କରା ଯାଉଥିବା ଥିବା ଏକ ଶୁଷ୍କ, ଧୂଳିଆ ମରୁଭୁମି ନୁହେଁ; ବରଂ ଏହାର ସ୍ଥାୟୀ ରୂପେ ଅନ୍ଧକାରାଛନ୍ନ ଅଞ୍ଚଳର କିଛି ଗଭୀର ଗହ୍ୱର ତଳରେ ପ୍ରଚୁର ଜଳ ବରଫ ଆକାରରେ ଜମାଟ ବାନ୍ଧି ରହିଛି I ଏହା ଆଗାମୀ ଦିନରେ ଚନ୍ଦ୍ର ଅଭିଯାନରେ ମହାକାଶଚାରୀମାନଙ୍କ ନିମନ୍ତେ ଏକ ମରୁ ଉଦ୍ୟାନ ସଦୃଶ ସାବିତ ହୋଇ ପାନୀୟ ଜଳର ଚାହିଦା ପୂରଣ କରିବା ସହିତ ରକେଟ ଇନ୍ଧନ ନିର୍ମାଣରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି I
ତେବେ ପ୍ରଶ୍ନ ଉଠେ : ଚନ୍ଦ୍ରପୄଷ୍ଠରେ ଏବେ ତରଳ ଜଳରାଶି ଅଛି କି ? ଉତ୍ତର: ସମ୍ଭବତଃ 'ନାହିଁ' I ତେବେ ଅତୀତରେ ପ୍ରାୟ 350 ରୁ 400 କୋଟି ବର୍ଷ ପୂର୍ବେ ଚନ୍ଦ୍ରର ଜଳୀୟବାଷ୍ପ ଭରା ଏକ ମୋଟା ବାୟୁମଣ୍ଡଳ ଥିଲା ଏବଂ ଏହି ଅବସ୍ଥାରେ ଚନ୍ଦ୍ରପୄଷ୍ଠରେ ପ୍ରଚୁର ପରିମାଣରେ ତରଳ ଜଳରାଶି ଉପସ୍ଥିତ ଥିବାର ଅନୁମାନ କରାଯାଏ I ଏବେ ହୁଏତ ଏହା ଚନ୍ଦ୍ରପୄଷ୍ଠର ପ୍ରଚଣ୍ଡ ତାପମାତ୍ରାରେ ସମ୍ପୂର୍ଣ୍ଣ ବାଷ୍ପ ହୋଇ ଗଲାଣି କିମ୍ବା ଏହାର ସ୍ଥାୟୀ ଅନ୍ଧକାରାଛନ୍ନ ଅଞ୍ଚଳର କିଛି ଗଭୀର ଗହ୍ୱର ତଳର ଉଷୁମ ଓ ଚାପଯୁକ୍ତ ଅବସ୍ଥାରେ ଜଳ ତରଳ ରୂପରେ ଗଛିତ ହୋଇ ରହି ଥିବାର ଅନୁମାନ କରାଯାଏ I
ଏଜୁକେଶନ୍ ଅଫିସର୍
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
To read the same article published in The Dharitri dated 01.04.24, please click the following link :
https://drive.google.com/file/d/1ofdYPGV-9j_j0EYxJxiFEDe-L7heSw1r/view?usp=sharing
To read the same article published in The Bigyana Diganta , Sept 2024 issue , please click the following link :
https://drive.google.com/file/d/1xYbUVU0wGjSMm5kTFz0drkvvN4tmeWAi/view?usp=sharing
Comments
Post a Comment