ଖରା ଦିନେ ଥଣ୍ଡା ରହିବାର ପାରମ୍ପାରିକ ଉପାୟ

 


ଖରା ଦିନେ ଥଣ୍ଡା ରହିବାର ପାରମ୍ପାରିକ ଉପାୟ


ନିକୁଞ୍ଜ  ବିହାରୀ ସାହୁ


      ରୁତୁଚକ୍ରର ପଟ୍ଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ I ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର ସକରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ  ସାହି ପିଲାଙ୍କ  ବୁଡାବୁଡି ଖେଳ, ସନ୍ଧ୍ୟାବେଳକୁ ନଦୀକୂଳର ମନଛୁଆଁ ପବନ, ଓ ବିଳମ୍ବିତ ରାତ୍ରି ପ୍ରହର ଯାଏ ଗାଁ ମୁଣ୍ଡ ଖୋଲା ସ୍ଥାନରେ ଲୋକଙ୍କ ଏକାଠି ମେଳ ଇତ୍ୟାଦି ଘଟଣାର ସ୍ମୃତି ଏବବି ଆମ ଗ୍ରାମ୍ୟ ଜୀବନରେ ଉଜ୍ଜୀବିତ I ମାତ୍ର ଘୋର ପରିତାପର ବିଷୟ ଯେ, ପୁର୍ବର ସେ ମୄଦୁ ମଧୁର ଗ୍ରୀଷ୍ମରୁତୁ ଏବେ ଆଉ ନାହିଁ I ଏବେ ଆରମ୍ଭ ହୋଇଛି  ଏକ ଉତ୍ତପ୍ତ ଓ ଦାରୁଣ ଗ୍ରୀଷ୍ମରୁତୁ I ପ୍ରାୟ 45 ଡିଗ୍ରୀ ପାଖାପାଖିର ତାପମାତ୍ରା, ପ୍ରଚଣ୍ଡ ଗରମ , ଗୁଳୁଗୁଳି , ଅଂଶୁଘାତ ଓ ଝାଞ୍ଜି ପବନରେ  ଅତିଷ୍ଠ ଆଜିର ସାଧାରଣ ଜନଜୀବନ I  ଗରମରୁ ରକ୍ଷା ପାଇବା ପାଇଁ ଯେତେ ଯାହା କଲେ ସୁଦ୍ଧା  ଫଳ ମିଳୁ ନାହିଁ I  ଆମେ ଏଠାରେ ଆମ ଗାଁ ଗହଳିରେ ପ୍ରଚଳିତ ଖରାଦିନେ ଥଣ୍ଡା ରହିବାର  କିଛି ସରଳ ଓ ପାରମ୍ପାରିକ ପଦ୍ଧତି ଉପରେ ଆଲୋଚନା କରିବା :


1. ଖରାଦିନେ ମାଟି କାନ୍ଥ ଓ ନଡା ଛପର ଘରେ ବାସ କରିବା ଆରାମ ଦାୟକ I ମାଟି ଓ ନଡା ତାପର ଭଲ କୁପରିବାହୀ ପଦର୍ଥ ହୋଇ ଥିବାରୁ  ଏହାକୁ ଭେଦ କରି ବାହାରର ତାପ ସହଜରେ ଘର ଭିତରେ ପ୍ରବେଶ କରି ପାରେ ନହିଁ I ସୁତରାଂ  ଏଭଳି ଘର ଖରାଦିନେ ବେଶ୍ ଥଣ୍ଡା ଓ ଆରାମଦାୟକ ଜଣାପଡେ I ଅନ୍ୟପକ୍ଷରେ, ଟିଣ, ଆଜବେଷ୍ଟସ୍‍ କିମ୍ବା କଙ୍କ୍ରିଟ୍ ରେ ତିଆରି କୋଠାଘର ତାପର ଭଲ ସୁପରିବହୀ ପଦାର୍ଥ ହୋଇ ଥିବାରୁ ଏଭଳି ଘର ଖରାଦିନେ ଗରମ ଓ ଅସ୍ୱଶ୍ତିକର ଜଣାପଡେ I 


2.  ଘରର ମୂଖ୍ୟ ଛାତ ତଳେ ବାଉଁଶବତା , ମାଟି, କାଠପଟା କିମ୍ବା ଥର୍ମୋକଲ୍ ଭଳି ପଦାର୍ଥରେ ଅନ୍ୟ ଏକ ଛାତ   (ଆଟୁ) ନିର୍ମାଣ କରିବା ଉଚିତ I  ଏହାଦ୍ୱାରା ଛାତ ଦେଇ ପ୍ରବେଶ କରୁଥିବା ତାପ  ପ୍ରତିହତ ହୋଇ ଘରଟା ଟିକିଏ ଥଣ୍ଡା ଜଣା ପଡେ I 

3. ଖରା ସାମାନ୍ୟ ଟାଣ ହେବା ମାତ୍ରେ ଘରର କବାଟ, ଝରକା ସବୁ ବନ୍ଦ କରିଦେବା ଉଚିତ I ଘରର ଫାଙ୍କ ସ୍ଥାନ ସବୁ ଅଖାରେ ବୁଜି ଦେବା ଆବଶ୍ୟକ I ଏହାଦ୍ୱାରା  ବାହାରର ବିକିରିତ ତାପରଶ୍ମି ଘର ଭିତରକୁ ପ୍ରବେଶ କରିପାରେ ନାହିଁ I ଘର ଭିତରେ ବାୟୁ ସଞ୍ଚଳନ ପାଇଁ ପଂଖା ଚଳେଇବା ଉଚିତ I 


4. ଖଟ , ଗଦି, ମସିଣା , ବେଡସିତ୍ ଆଦି ତାପର କୁପରିବାହୀ ବସ୍ତୁ ହୋଇ ଥିବାରୁ  ଏସବୁ ସାମଗ୍ରୀ ବ୍ୟବହାର କଲେ ଶରୀରର ତାପ ସହଜରେ ବାହାରକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ I  ସୁତରାଂ  ଖରାଦିନେ, ଏସବୁର ବ୍ୟବହାର ନକରି ସିଧାସଳଖ ଭୂଇଁ ଉପରେ ଶୋଇଯିବା ଭଲ I ଏହାଦ୍ୱାରା ଶରୀରର ତାପ ଭୂଇଁକୁ ସ୍ଥାନାନ୍ତରିତ ହେବାରୁ ଥଣ୍ଡା ଓ ଆରାମ ଲଗେ I 


5.  ମାଟି ପାତ୍ର ଯେପରି ସୋରେଇ, ମାଠିଆ କିମ୍ବା ଘୁମରେ ଥିବା ପାଣି ପିଇବା ଉଚିତ I ଏଭଳି ପାତ୍ରର ପାଣି ଧାତବ ପାତ୍ରର ପାଣିଠାରୁ ଥଣ୍ଡା, କାଲୁଆ ଓ ଆରାମଦାୟକ ହୋଇଥାଏ I ମାଟିପାତ୍ରର ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ଦେଇ ଜଳ ପଦାକୁ ଝରି ଆସେ, ଯାହା ସମୟକ୍ରମେ ପାତ୍ରରୁ ତାପ ସଂଗ୍ରହ କରି ବାଷ୍ପ ହୋଇ ଚାଲିଯାଏ I ଏହି କ୍ରମାଗତ  ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା ହିଁ ପାତ୍ରରେ ଥିବା ଜଳ ଥଣ୍ଡା ଓ ସୁଶୀତଳ ରହିଥାଏ I ଖରାଦିନେ ଫିଲଟରରୁ ପରିଷ୍କୄତ ପାଣି ନେଇ  ମାଟି ପାତ୍ରରେ ଥଣ୍ଡା କରି ପିଇବା ଉଚିତ I


6. ଖରାଦିନେ ଜଳୀୟ ଅଂଶ ଯୁକ୍ତ ଖାଦ୍ୟ ଯେପରି ପଖାଳଭାତ,  କାକୁଡି, ତରଭୁଜ, ଦହିପାଣି, ତାଳସଜ ଇତ୍ୟାଦି ଖାଇବା ଦରକାର I ଏହାଦ୍ୱାରା ଶରୀରର ଜଳୀୟ ପରିମାଣ ବୄଦ୍ଧି ପାଇଥାଏ I ସମୟକ୍ରମେ,  ଏହି ଜଳୀୟ ଅଂଶ  ଝାଳ ରୂପରେ ପଦାକୁ ନିଷ୍କ୍ରାନ୍ତ ହୁଏ I ଏହି ଝାଳର ବାଷ୍ପୀଭବନ ପ୍ରକ୍ରିୟା ଯୋଗୁ ହୁଁ ଶୀତଳତା ସୃଷ୍ଟି ହୁଏ I 


7 ଅଧିକ ଗରମ ଲାଗିଲେ ଦେହରେ ପାଣି ବୋଳି ହୋଇ ପଂଖା ପବନରେ ଦଣ୍ଡେ ବସିଯିବା ଉଚିତ I  ଏହାଦ୍ୱାରା ଶରୀରରୁ ପାଣିର ଦ୍ରୁତ ବାଷ୍ପୀଭବନ ଘଟି ଅଧିକ ଶୀତଳତା ସୃଷ୍ଟି ହୁଏ I 


8. ଚିକ୍କଣ ଧଳା ରଙ୍ଗ, ମଳିନ କଳାରଙ୍ଗ ତୁଳନାରେ କମ୍ ତାପ ଶୋଷଣ କରିଥାଏ I ସୁତରାଂ ଖରାଦିନେ ରଙ୍ଗ ବେରଙ୍ଗର ପୋଷାକ ପରିବର୍ତ୍ତେ  ଧଳା ରଙ୍ଗର ପତଳା, ଚିକ୍କଣ ଓ ସଫା ପୋଷକ (ଯେପରି ଧୋତି) ପରିଧାନ କରିବା ଉଚିତ I ପୁନଶ୍ଚ, ଘର ଭିତରେ ପଶୁଥିବା ତାପ ରଶ୍ମିକୁ ପ୍ରତିହତ କରିବା ପାଇଁ  ଘର ବାହାର ପଟ କାନ୍ଥରେ ଚିକ୍କଣ ଧଳା ରଙ୍ଗ ( ଯେପରି ଏନାମେଲ୍ ରଙ୍ଗ)  ବୋଳି ଦେବା  ଉଚିତ I 


9. ଖରାଦିନେ ମାତ୍ର ଗୋଟିଏ ଓଳି ରୋଷେଇ କରି  ଶୀଘ୍ର ତାପର ଉତ୍ସ ନିଆଁକୁ ଲିଭେଇ ଦେବା ଉଚିତ I   ସେହି ଭାତକୁ ପଖାଳ କରି ଦିନସାରା ଖାଇବା ଭଲ I  


10. ଖରାଦିନେ ସକାଳେ ଥରେ ଗାଧୋଇବା ବ୍ୟତୀତ ସନ୍ଧ୍ୟାବେଳେ ଆଉ ଥରେ ନଦୀ କିମ୍ବା ଗଡିଆ ପାଣିରେ  ଭଲକରି ବୁଡି ସ୍ନାନ କରିବା ଉଚିତ I ଜଳରେ କିଛି ସମୟ ବୁଡି ରହିଲେ , ଶରୀରରୁ ତାପ ପରିବହନ ଜରିଆରେ ଜଳକୁ ସ୍ଥାନାନ୍ତରିତ ହୁଏ I  ପୁଣି, ଗାଧୋଇବା ଦ୍ୱାରା ଦିନବେଳେ ଦେହରେ ଜମିଥିବା ମଇଳା ଧୋଇ ହୋଇଯିବା ଦ୍ୱାରା ଶରୀରର ସ୍ୱେଦଗ୍ରନ୍ଥୀସବୁ ଉନ୍ମୁକ୍ତ  ହୋଇ ଯାଆନ୍ତି I ଫଳରେ ଶରୀରରୁ ଭଲ ଝାଳ ନିର୍ଗତ  ହୁଏ ଯାହା ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା ଶୀତଳତା ସୄଷ୍ଟିକରେ I  ଆହୁରି ମଧ୍ୟ, ଗାଧୋଇ ସାରି ପଦାକୁ ଅସିଲେ, ଦେହରେ ଜମିଥିବା ଜଳ ଦ୍ରୁତ  ବଷ୍ପୀଭବନ ହେବାରୁ ଶରୀରକୁ ବେଶ୍ ଶୀତଳ ଓ ଅରାମ ଜଣାପଡେ I 


11. ଘର ଭିତରେ ପଶୁଥିବା ବିକିରିତ ତାପରଶ୍ମିକୁ ପ୍ରତିହତ କରିବା ନିମନ୍ତେ ଅଗଣାରେ ଓଦା ଅଖା କିମ୍ବା ବେଣାଚେରରେ ତିଆରି ମସିଣା ଟାଙ୍ଗି ସେଥିରେ ସମୟ ସମୟରେ ପାଣି ସିଞ୍ଚନ କରିବା ଉଚିତ I 

12. ତାପ କୌଣସି ପଦାର୍ଥ ମଧ୍ୟରେ ତରଙ୍ଗ ରୂପରେ ସ୍ଥାନାନ୍ତରିତ ହୋଇଥାଏ I କଙ୍କ୍ରିଟ୍ ମଧ୍ୟରେ ଏହି ତରଙ୍ଗର ଗତି ବାସ୍ତବପକ୍ଷରେ ଅତି ମନ୍ଥର ହୋଇ ଥିବାରୁ ଦିନବେଳେ ଗୃହୀତ ତାପ କୋଠାଘରର କଙ୍କ୍ରିଟ୍ ଛାତ ଭେଦକରି ରାତି ସମୟରେ ଘର ଭିତରେ ପ୍ରବେଶ  କରିଥାଏ I ଫଳରେ ରାତିବେଳେ ଏଭଳି ଘରେ  ଶୀତଳତା ନିମନ୍ତେ ଯେତେ ଯାହା କଲେ ସୁଦ୍ଧା  ଥଣ୍ଡା ମିଳେ ନାହିଁ I  ଏଭଳି ଗରମରୁ ରଷା ପାଇବା ପାଇଁ ହେଲେ   ରାତି ସମୟରେ ଘର ଭିତରେ ନଶୋଇ  ପଦାରେ ମୁକ୍ତ ଆକାଶ ତଳେ ଶୋଇଯିବା ବରଂ ଭଲ I  

13. ଗଛ ବିକିରିତ ତାପରଶ୍ମିକୁ ଶୋଷି ନେଉ ଥିବାରୁ  ଘର ଚାରିପଟେ  ଛାୟାପ୍ରଦ , ଝଙ୍କାଳିଆ ଗଛ ଲଗାଇବା ଭଲ I 


   ଶୀତଳତା ଆହରଣ ନିମନ୍ତେ ଏହିସବୁ ଉପାୟ ନିଶ୍ଚିତ, ଶସ୍ତା, ସୁଲଭ ତଥା ପାରମ୍ପାରିକ ଭାବେ ଆମର ଅତି ପ୍ରିୟ I ଏସ୍ବୁ ପଦ୍ଧତି ମଧ୍ୟ ବିଜ୍ଞାନ ସମ୍ମତ, ପରିବେଶପ୍ରିୟ ଓ ପ୍ରଦୁଷଣ ବିହୀନ I ଏବେ ଶୀତଳତା ସୃଷ୍ଟି ନିମନ୍ତେ ଫ୍ରିଜ୍ , କୁଲର୍, ଏସି ଆଦି ଅନେକ କୄତ୍ରିମ ଉପକରଣ ଉପଲବ୍ଧ ହୋଇଥିଲେ ହେଁ ସେଥିରୁ ଆହରିତ ଶୀତଳତା ବାସ୍ତବପକ୍ଷରେ ଥଣ୍ଡା ସୄଷ୍ଟି କରେ ନାହିଁ I ଏସବୁ ଉପକରଣ କେବଳ ଗୋଟିଏ ଜାଗାରୁ ଥଣ୍ଡା କାଢି ନେଇ ଅନ୍ୟ ଜାଗାରେ ଜମା କରନ୍ତି I ଯେପରି, ଫ୍ରିଜ୍ ନିଜ ଭିତରୁ ଥଣ୍ଡା କାଢି ନେଇ ଘର ଭିତରେ ଜମା କରେ ; ଫଳରେ ଘର ଭିତରଟା ଗରମ ଲାଗେ I ସୁତରାଂ ଏସବୁ ଉପକରଣରୁ ଚିରସ୍ଥାୟୀ ଥଣ୍ଡା ମିଳେ ନାହିଁ I ଏହି ପରିପ୍ରେକ୍ଷୀରେ ଶୀତଳତାର ସନ୍ଧାନ ଆମ ପାଇଁ ସତେ ଯେପରି ଅସରନ୍ତି ମୄଗତୄଷ୍ଣାର ଜଳ ପାଲଟି ଯାଇଛି I ସୁତରାଂ ଆଗାମୀ ଦିନରେ ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ବୋଧହୁଏ ଗାଁ ଗହଳିର ସେହି ପାରମ୍ପାରିକ ପଦ୍ଧତିକୁ ପୁଣି ଫେରି ଯିବାକୁ ପଡିବ I 


 ଏଜୁକେଶନ୍ ଅଫିସର୍

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ


To read the same article published in The Dharitri dated 10.06.24, please click the following link : https://dharitriepaper.in/m/486401/66664f9fd4f4d










Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ