ଶୀତଦିନେ ଉଷୁମ ରହିବାର ଉପାୟ

  

 

ଶୀତଦିନେ ଉଷୁମ ରହିବାର ଉପାୟ

ନିକୁଞ୍ଜ ବିହାରୀ ସାହୁ

ଉଷୁମ କିଏ : ମୋଟା ନା ପତଳା କମ୍ବଳ?

     ଶୀତଦିନେ ଗୋଟିଏ ମୋଟା କମ୍ବଳ ପରିବର୍ତ୍ତେ  ଦୁଇଟି ପତଳା କମ୍ବଳ ଘୋଡେଇ ଶୋଇଲେ ଅଧିକ ଉଷୁମ ଜଣାପଡେ I ପ୍ରକୃତରେ, ଦୁଇଟି କମ୍ବଳ ମଧ୍ୟରେ ବାୟୁର ଏକ ସ୍ତର ଚାପି ହୋଇ ରହିଥାଏ I  ବାୟୁ ତାପର ଏକ ଭଲ କୁପରିବାହୀ ପଦାର୍ଥ I  ତେଣୁ ଦୁଇଟି ଅଲଗା କମ୍ବଳ କ୍ଷେତ୍ରରେ ଏକ ଅଧିକ ତାପ କୁପରିବାହୀ ମାଧ୍ୟମ 'ବାୟୁ' ରହିଥାଏ I ଫଳରେ ଶରୀରରୁ ତାପ ଏହି କୁପରିବାହୀ ମାଧ୍ୟମ ଅତିକ୍ରମ କରି ସହଜରେ ପଦାକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ ଓ ଶରୀରକୁ ବେଶ୍ ଉଷୁମ ଜଣାପଡେ I

 ନଡା ଛପର ମାଟିଘର ଅଧିକ ଉଷୁମ ଲାଗେ କାହିଁକି ?

     ଶୀତଦିନେ ନଡା ଛପର ମାଟିଘର କୋଠାଘର ତୁଳନାରେ ଉଷୁମ ଜଣାପଡେ I ମାଟି ତାପର କୁପରିବାହୀ ପଦାର୍ଥ ହୋଇଥିବାରୁ  ଘର ଭିତରର ତାପ ପଦାକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ  ଏବଂ  ଶୀତଦିନେ ଏଭଳି ଘର ବେଶ୍ ଉଷୁମ ରହିଥାଏ I ଅନ୍ୟପକ୍ଷରେ, କୋଠାଘରର କଙ୍କ୍ରିଟ ଛାତ ତାପର ଭଲ ସୁପରିବାହୀ ପଦାର୍ଥ ହୋଇ ଥିବାରୁ ଏହି ମାଧ୍ୟମ ଦେଇ ପଦାକୁ ତାପର କ୍ରମାଗତ ଅପଚୟ ଘଟୁଥାଏ I ଫଳରେ ଏଭଳି ଘର ଶୀତଦିନେ ଶୀତଳ ଓ ଅଶ୍ୱସ୍ତିକର ଜଣାପଡେ I

 ବରଫଘର ଇଗଲୁ ଉଷୁମ କାହିଁକି?

     ଉତ୍ତରମେରୁ ଅଞ୍ଚଳରେ, ବିଶେଷକରି ଗ୍ରୀନଲାଣ୍ଡ ଦେଶରେ, ବାସ କରୁଥିବା ଇନୁଇଟ୍ (ଏସ୍କିମୋ) ସମ୍ପ୍ରଦାୟର ଲୋକମାନେ ରହିବା ପାଇଁ ବରଫରେ ଘର ତିଆରି କରିଥା'ନ୍ତି I  ଏହାର ନାମ  ଇଗ୍ଲୁ I ଇଗଲୁ ବରଫରେ ତିଆରି ହେଲେ ସୁଦ୍ଧା ଏହି ବରଫଘର ମଧ୍ୟରେ ଉଷୁମ ରହିଥାଏ ଏବଂ ଏସ୍କିମୋ ପରିବାର ଏହି ଘର ମଧ୍ୟରେ ସାରା ଶୀତରୁତୁଟା ଆରାମରେ ବିତାଇ ଦିଏ I ପ୍ରକୄତରେ, ବରଫ ତାପର ଏକ କୁପରିବାହୀ ପଦାର୍ଥ I ଫଳରେ ଇଗଲୁ ଘର ଭିତରର ତାପ ବରଫ ଆସ୍ତରଣ ଭେଦକରି  ପଦାକୁ ଯାଇପାରେ ନାହିଁ ଏବଂ ଘରର ତାପ ସେହି ଘର ଭିତରେ ହିଁ ଆବଦ୍ଧ ହୋଇ ରହିଯାଏ I ସୁତରାଂ ଏଭଳି ଘର ବରଫରେ ତିଆରି ହେଲେ ସୁଦ୍ଧା ଉଷୁମ ରହିଥାଏ I

 ପକ୍ଷୀମାନେ ନିଜର ପରକୁ ଫୁଲାନ୍ତି କାହିଁକି ?

    ଶୀତପ୍ରଧାନ ଦେଶର ପକ୍ଷୀମାନେ ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ନିମନ୍ତେ ନିଜର ପରକୁ ଥଣ୍ତ ସାହାଯ୍ୟରେ ଖୁମ୍ପି ଖୁମ୍ପି ଫୁଲାଇ ଥା'ନ୍ତି I ଫଳରେ ସେମାନଙ୍କ ପର ମଧ୍ୟରେ ଯଥେଷ୍ଟ ଫାଙ୍କ ସ୍ଥାନ ସୄଷ୍ଟି ହୁଏ ଯାହା ମଧ୍ୟରେ କିଛି ବାୟୁ ଚାପି ହୋଇ ରହିଯାଏ I ଏହାଦ୍ୱାରା ପକ୍ଷୀର ଶରୀର ଚାରିପଟେ ବାୟୁର ଏକ କୁପରିବାହୀ ଆସ୍ତରଣ ଘେରି ରହେ ଯାହା ଏହାର ଶରୀରରୁ ପଦାକୁ ତାପ ଅପଚୟ ରୋକିଥାଏ I ଫଳରେ ଏହି ପକ୍ଷୀମାନେ ଶୀତଦିନର ପ୍ରଚଣ୍ଡ ଶୀତ ସହି ବଞ୍ଚିଯାଇ ପାରନ୍ତି I

 

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ



To read the same article published in Dharitri dated 13.01.24, please click the link given below: http://tinyurl.com/Shitadine

 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ