ଦୁଇଟି କମ୍ବଳ

 


 

 ଦୁଇଟି କମ୍ବଳ

ନିକୁଞ୍ଜ ବିହାରୀ ସାହୁ

 

    ମୁନା ଯାତ୍ରା ଦେଖିବା ପାଇଁ ମାମୁଁଘରକୁ ଯାଇଥାଏ I  ସେଦିନ ଯାତ୍ରା ଦେଖି ଫେରିଲା ବେଳକୁ ବହୁତ ଡେରି ହୋଇ ଯାଇଥାଏ I ଶୀତ ରାତିI ଖାଇ ସାରି ଶୋଇବାଘରକୁ ଯାଇ ଦେଖେ ତ ଶେଯରେ ଦୁଇଟା ପତଳା ଲମ୍ବଳ ପଡିଛିI ସେଦିନ ଭାରି ଥଣ୍ଡା ପଡି ଥିବାରୁ ମୁନା ସେ ଦୁଇଟା  କମ୍ବଳ ବ୍ୟବହାର ନକରି ପାଖରେ ଥିବା ଗୋଟିଏ ମୋଟା କନ୍ଥା ଘୋଡେଇ ହୋଇ ଶୋଇଲା I

 ହେଲେ ଶୀତରୁ ରକ୍ଷା ମିଳିଲା ନାହିଁ I ବାହାରେ ବହୁତ ଥଣ୍ଡା ପଡି ଥିବାରୁ ମୁନାକୁ ଭାରି ଶୀତ ଲାଗିଲା I ଥଣ୍ଡାରେ ତା'କୁ ଭଲ ନିଦ ହେଲା ନାହିଁ I ସେ ଶୋଇ ନପାରି ଖଟରେ ବାରମ୍ବାର କଡ ଲେଉଟାଇଲା I

     ରାତି ଅଧ ହୋଇ ସାରିଥାଏ I ଖଟର କଟକଟ ଶବ୍ଦ ଶୁଣି ମାମୁଁ  ଶୋଇବାଘରକୁ ପଶି ଆସି ଦେଖନ୍ତି ତ ମୁନା ନଶୋଇ ଚେଇଁଛି I  ମାମୁଁ  ଆଶ୍ଚର୍ଯ୍ୟ ହୋଇ ମୁନାକୁ ପଚାରିବାରୁ ଶୀତରେ ତା'କୁ ନିଦ ହେଉ ନାହିଁ ବୋଲି ମୁନା କହିଲା I

   ମାମୁଁ କହିଲେ, 'ମୁଁ ତୋତେ ଘୋଡେଇ ହୋଇ ଶୋଇବା ପାଇଁ ଦୁଇଟା ପତଳା କମ୍ବଳ ଦେଇଥିଲି I ତୁ ସେ ଦୁଇଟାକୁ ଏପର୍ଯ୍ୟନ୍ତ ବ୍ୟବହାର କରିନୁ କାହିଁକି ?'

ମୁନା କହିଲା , 'ଏତେ ଥଣ୍ଡା ଯେ ମୋଟା କନ୍ଥାଟା ଶୀତ ରଖି ପାରୁନି ; ପତଳା କମ୍ବଳ ଦୁଇଟା କାମ ଦେବ କିପରି?'

ଏକଥା ଶୁଣି ମାମୁଁ କହିଲେ, 'ତୁ ମୋ କଥା ମାନ I ତୁ ମୋଟା କମ୍ବଳ ଛାଡି ପତଳା କମ୍ବଳ ଦୁଇଟା ଘୋଡେଇ ହୋଇ ଶୋଅ I କାଲି ସକାଳେ ମୋତେ କହିବୁ I'

  ମୁନା ମାମୁଁଙ୍କ କଥା ମାନି ମୋଟା କନ୍ଥଟା ଛାଡି ପତଳା କମ୍ବଳ ଦୁଇଟିକୁ ଘୋଡେଇ ହୋଇ ଶୋଇଲା I ମାମୁଁ ଘରୁ ବାହାରି ଗଲେ I  କିଛି ସମୟ ପରେ ମୁନାକୁ ସତକୁସତ ଭାରି ଉଷୁମ ଲାଗିଲା I ଉଷୁମରେ କେତେବେଳେ  ନିଦ ଲାଗି ଯାଇଛି ତା'କୁ ଜଣା ନାହିଁ I

 ତା'ପର ଦିନ ମାମୁଁଙ୍କ ଡାକରେ ମୁନା ପ୍ରକୄତିସ୍ଥ ହୋଇ ଉଠିଲାବେଳକୁ ଚାରି ଆଡେ ଖରା ପଡିଲାଣି I ମାମୁଁ ତାକୁ ଜଲଦି ଜଲଦି ନିତ୍ୟକର୍ମ ସାରି ଜଳଖିଆ କରିବାକୁ କହିଲେ I ହେଲେ ମୁନା ମନେମନେ ଅନ୍ୟ କ'ଣ ଭାବୁଥିଲା I ତାକୁ ଅନ୍ୟମନସ୍କ ଦେଖି ମାମୁଁ ଆଉ ଥରେ ଶଯ୍ୟା ତ୍ୟାଗ କରିବାକୁ କହିଲେ I ମୁନା କହିଲା , 'ଯାଉଛି ମାମୁଁ I ହେଲେ ଆପଣ ମୋର ସନ୍ଦେହ ପ୍ରଥମେ ଦୂର କରନ୍ତୁ I  ମୋତେ କୁହନ୍ତୁ, ପ୍ରଚଣ୍ଡ ଥଣ୍ଡାକୁ ଯେତେବେଳେ ମୋଟା କନ୍ଥାଟା ରୋକି ପାରିଲାନି, ଦୁଇଟି ପତଳା କମ୍ବଳ କାମ ଦେଲା କିପରି ?'

        ମାମୁଁ ହସିହସି କହିଲେ , 'ବୁଝାଇ କହୁଛି ଶୁଣ I ପତଳା କମ୍ବଳ ଦୁଇଟା ମଧ୍ୟରେ ବାୟୁର ଏକ ସ୍ତର ଚାପି ହୋଇ ରହିଥାଏ I ବାୟୁ ତାପର ଏକ ଭଲ କୁପରିବାହୀ ପଦାର୍ଥ I ସୁତରାଂ ଶରୀରର ତାପ ବାୟୁ ସ୍ତର ଭେଦ କରି ପଦାକୁ ଯାଇପାରେ ନାହିଁ ଏବଂ ଶରୀର ମଧ୍ୟରେ ହିଁ ରହିଯାଏ I ଫଳରେ ଆମକୁ ବେଶ୍‍ ଉଷୁମ ଓ ଆରାମ ଜଣାପଡେ I  ମାତ୍ର ମୋଟା କନ୍ଥା କ୍ଷେତ୍ରରେ ସେପରି କୌଣସି ବାୟୁସ୍ତର ନଥିବାରୁ ତାହା  ଶରୀରର ଉଷ୍ମତା ଧରି ରଖିବା ପାଇଁ ସମର୍ଥ ହେଲା ନାହିଁ I'

     ମାମୁଁଙ୍କ ଉତ୍ତରରେ ମୁନା ସବୁ ବୁଝି ପାରିଥିଲା I ଏତିକିବେଳେ ମାଇଁଙ୍କ ପାଟି ଶୁଣି ମୁନା ତରବର ହୋଇ ଶଯ୍ୟା ତ୍ୟାଗ କଲା I ହେଲେ ପତଳା କମ୍ବଳ ଦୁଇଟିର ଅସଲ ରହସ୍ୟ ବୁଝି ପାରି ଥିବାରୁ ତା' ମନ ଭାରି ଖୁସି ଥାଏ ସେଦିନ I

 

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ




 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ