ଉତ୍ତରକାଶୀ ସୁଡଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲଜିର ପ୍ରୟୋଗ

                                  ଉତ୍ତରକାଶୀ ସୁଡଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲଜିର ପ୍ରୟୋଗ

 

ନିକୁଞ୍ଜ ବିହାରୀ ସାହୁ

            ଇତ୍ତି ମଧ୍ୟରେ ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଅଟକି ରହିଥିବା ସମୁଦାୟ 41 ଜଣ ନିର୍ମାଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ପାରିଛି I ଏହି ସଫଳତାର କାହାଣୀର ପଛରେ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ  ଅବଦାନ ରହିଥିଲାବେଳେ ଏଥିରେ ମଧ୍ୟ ପ୍ରୟୋଗ କରା ଯାଇଥିବା କିଛି ଅତ୍ୟାଧୁନିକ ଟେକନୋଲଜି ବା ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଭୂମିକା ରହିଛି ଯାହା ସମ୍ପର୍କରେ ନିମ୍ନରେ ସୂଚନା ଦିଆଗଲା :

 ଅଗର ଡ୍ରିଲିଙ୍ଗ ମେସିନ

     ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ମାଟି ଖୋଲି ଏକ 800 ମି.ମି. ବ୍ୟାସର ଷ୍ଟିଲ୍ ପାଇପ୍ ବିଛାଇବା ନିମନ୍ତେ ଉଦ୍ଧାରକାରୀ ଦଳ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା I ଏହି କଠିନ କାର୍ଯ୍ୟକୁ ବାସ୍ତବତାରେ ରୂପାୟନ କରିବା ପାଇଁ ଏକ 'ଅଗର' ମେସିନ କୁ କାର୍ଯ୍ୟରେ ନିୟୋଜିତ କରା ଯାଇଥିଲା I

            ମାଟିକୁ ସମ୍ପୂର୍ଣ୍ଣ ନକାଢ଼ି ଟ୍ରେଞ୍ଚ୍ ବିହୀନ ଭାବରେ  ସିଧା ସିଧା ଭୁସାମନ୍ତର ଭାବେ ଖୋଳି ତା' ମଧ୍ୟରେ ପାଇପ୍ ଭର୍ତ୍ତି କରିବା ପାଇଁ ଏହି ମେସିନ୍ ସାଧାରଣତଃ କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରା ଯାଇଥାଏ I ଏହାର ଡ୍ରିଲ୍ ବିଟ୍ ସଦୃଶ ଏକ ଶକ୍ତ ଖୋଦନ ଅଗ୍ର ଥାଏ ଯାହାକୁ 'ଅଗର' କହନ୍ତି I ଏଥିରେ ମଧ୍ୟ ଥାଏ  ପେଚ କିମ୍ବା ସ୍କୄ ଭଳି ଏକ କୁଣ୍ଡଳାକାର ବ୍ଲେଡ଼୍ ବ୍ୟବସ୍ଥା ଏବଂ ଖୋଳା ଗର୍ତ୍ତ ମଧ୍ୟରେ ପାଇପ୍କୁ ପୁରାଇ ଆଗକୁ ଠେଲିବା ପାଇଁ ହାଇଡ୍ରଲିକ ବ୍ୟବସ୍ଥା I ପ୍ରଥମେ ଶକ୍ତିଶାଳୀ ମୋଟର୍ ଦ୍ୱାରା ଅଗରକୁ ଘୂରାଇ ଘୂରାଇ ମାଟି କିମ୍ବା ପଥର ଚଟାଣରେ କଣା କରାଯାଏ I ତା'ପରେ ଘୁର୍ଣ୍ଣାୟମାନ କୁଣ୍ଡଳାକାର ବ୍ଲେଡ଼୍ ଦ୍ୱାରା ଏହି ଗର୍ତ୍ତକୁ ଆବଶ୍ୟକତା ମାପ ଅନୁଯାୟୀ ଚଉଡା କରାଯାଏ I ଗର୍ତ୍ତ ଖୋଳିବା ଦ୍ୱାରା ନିର୍ଗତ ମାଟିକୁ ଘୂରାଇ ଘୂରାଇ ପଦାକୁ ବାହାର କରାଯାଏ I ପରିଶେଷରେ, ଖୋଳା ଯାଇଥିବା ଗାତ ମଧ୍ୟରେ ପାଇପ୍କୁ ଠେଲି ଭର୍ତ୍ତି କରାଯାଏ I ଗୋଟିଏ ପାଇପ୍ ଗର୍ତ୍ତରେ  ଭର୍ତ୍ତି ହେଲା ପରେ ପୁଣି ଅନ୍ୟ ଏକ ପାଇପ୍କୁ ଭର୍ତ୍ତି କରାଯାଏ I ଏଭଳି ଅଗର୍ ମେସିନକୁ ସାଧାରଣତଃ ଖଣି ଖାଦାନ କାର୍ଯ୍ୟରେ କିମ୍ବା ମାଟି ତଳେ ଟେଲିଫୋନ କେବୁଲ ବିଛାଇବା କାର୍ଯ୍ୟରେ ବ୍ୟବହୃତ କରା ଯାଇଥାଏ I

            ଉତ୍ତରକାଶୀଠାରେ ପ୍ରଥମେ 9 ଟନ୍ ଓଜନର ଏକ 35 ଅଶ୍ୱକ୍ଷମତା ବିଶିଷ୍ଟ ଦେଶୀ ଅଗର ମେସିନ ବ୍ୟବହାର କରା ଯାଇଥିଲା I ମାତ୍ର ପରେ ଜଣା ପଡିଲା ଯେ, ଏହାର କାର୍ଯ୍ୟ  ସମ୍ପାଦନ ପ୍ରକ୍ରିୟା ଅତିଶୟ ମନ୍ଥର ଏବଂ ଏହା ଘଣ୍ଟାକୁ ମାତ୍ର 1 ମିଟର ଗଭୀରତାର ଗର୍ତ୍ତ ଖୋଲି ପାରୁଛି I ତେଣୁ ଖୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶ୍ରମିକମାନଙ୍କୁ ଜଲଦି ଉଦ୍ଧାର କରିବା ନିମନ୍ତେ   ଅନ୍ୟ ଏକ 25 ଟନ୍ ଓଜନର 175 ଅଶ୍ୱକ୍ଷମତା ବିଶିଷ୍ଟ ଭାରି ଆମେରିକୀୟ ଅଗର ମେସିନ୍ କୁ କାର୍ଯ୍ୟରେ ନିୟୋଜିତ କରା ଯାଇଥିଲା I ଏହି ମେସିନ୍ ଏତେ ବିଶାଳକାୟ ଥିଲା ଯେ ଏହାକୁ ଏକକାଳୀନ କାର୍ଯ୍ୟକ୍ଷେତ୍ରକୁ ସ୍ଥାନାନ୍ତରିତ କରିବା ସମ୍ଭବପର ନଥିଲା I ସୁତରାଂ ଏହାକୁ ତିନି ଖଣ୍ଡରେ ବିଭକ୍ତ କରି ବାୟୁସେନାର ସ୍ୱତନ୍ତ୍ର ପରିବହନ ବିମାନ ଜରିଆରେ ଇନ୍ଦୋରରୁ ନୂଆଦିଲ୍ଲୀ ଦେଇ ଡେରାଡୁନକୁ ସ୍ଥାନାନ୍ତରିତ କରାଯାଇଥିଲା ଯେଉଁଠାରୁ ସ୍ଥଳପଥରେ ଟ୍ରକ୍ ଦ୍ୱାରା ବୋହି ସୁଡ଼ଙ୍ଗ ନିକଟକୁ ଅଣାଯାଇଥିଲା ଏବଂ ଅଭିଜ୍ଞ କାରିଗରଙ୍କ ଦ୍ୱାରା ପୁଣି ଯୋଡି ଦିଆ ଯାଇଥିଲା I

            ଏହି ମେସିନ୍ ଘଣ୍ଟାକୁ 5 ମିଟର ଲମ୍ବର ଗାତ ଖୋଲି ତା' ମଧ୍ୟରେ ପାଇପ ଭର୍ତ୍ତି କରିବାରେ ସକ୍ଷମ ଥିଲା I ସାଧାରଣ ଅଗର ମେସିନ୍ ଖୋଦନ କିମ୍ବା ମୄତ୍ତିକା ନିଷ୍କାସନ ପ୍ରକ୍ରିୟା ନିମନ୍ତେ ପାଣି ବ୍ୟବହାର କରୁଥିଲାବେଳେ ଏହି ଆମେରିକୀୟ ଅଗର୍ ମେସିନ୍ କିନ୍ତୁ ବିନା ପାଣିରେ ଶୁଷ୍କ ପ୍ରକ୍ରିୟାରେ ନିଜର କାର୍ଯ୍ୟ ସମ୍ପାଦନ କରିଥାଏ I  ପରିସ୍ଥିତି ଅନୁକୂଳ ରହିଲେ ଏହା ଆବଶ୍ୟକୀୟ 60 ମିଟର ଲମ୍ବ ଗର୍ତ୍ତକୁ ମାତ୍ର 12 ଘଣ୍ଟାରେ ଖୋଳି ପାରିବ ବୋଲି ଆଶା କରା ଯାଉଥିଲା I ମାତ୍ର ବାସ୍ତବକ୍ଷେତ୍ରରେ ଖୋଳାପଥରେ ଟାଣ ପଥର ଓ ଲୁହା ରଡ଼ ପଡିବାରୁ ଏହାର ଖୋଦନ ସମୟ ଯଥେଷ୍ଟ ବିଳମ୍ବିତ ହୋଇଥିଲାଏହି ଶକ୍ତିଶାଳୀ ମେସିନ୍ ନିର୍ଦ୍ଧାରିତ 60 ମିଟର ଲମ୍ବରୁ 46.4 ମିଟର ଗାତ ଖୋଳି ଦ୍ରୁତଗତିରେ ଆଗେଇ ଯାଉଥିଲାବେଳେ ଟାଣ ପଥର, କଂକ୍ରିଟ ଚଟାଣ ଓ ଲୁହା ରଡ୍ ପଡିବାରୁ ଏହାର  ବ୍ଲେଡ଼୍ ଗୁରୁତର କ୍ଷତିଗ୍ରସ୍ତ ହୋଇ ମାଟି ମଧ୍ୟରେ ଅଟକି ଯାଇଥିଲା I ଫଳରେ ଏହି ମେସିନ୍ କୁ ପରିତ୍ୟାଗ କରି ଅବଶିଷ୍ଟ ପ୍ରାୟ 13 ମିଟର ଖୋଦନ କାର୍ଯ୍ୟକୁ ହାତ ଦ୍ୱାରା କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା I

            ସୁତରାଂ ଏହି ଅଗର୍ ମେସିନ୍ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରି ନପାରିଥିଲେ ସୁଦ୍ଧା ଏହା ସମୁଦାୟ ଖୋଳାପଥର  ତିନି-ଚତୁର୍ଥାଂଶ ମାର୍ଗ ଖୋଳି ପରବର୍ତ୍ତୀ ଉଦ୍ଧାରକାର୍ଯ୍ୟକୁ ଯେ ଯଥେଷ୍ଟ ସୁଗମ କରି ଦେଇଥିଲା ଏଥିରେ ସନ୍ଦେହ ନାହିଁ I

 ଦକ୍ଷ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ

            ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ସହିତ ଏକ ଦକ୍ଷ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରିବା ଥିଲା ଉଦ୍ଧାରକାର୍ଯ୍ୟ ଦିଗରେ ଏକ ବିରାଟ ଆହ୍ୱାନ ; କାରଣ ମାଟି ମଧ୍ୟରେ ରେଡ଼ିଓ ତରଙ୍ଗର ଗତି ଅତି କମ୍ ଥିବାରୁ ପ୍ରଚଳିତ ୱାକି-ଟକି ସଂଚାର ବ୍ୟବସ୍ଥା ସଠିକ କାର୍ଯ୍ୟ କରୁ ନଥିଲା ଏବଂ ସୁଡ଼ଙ୍ଗ ମୁହଁରେ ପ୍ରାପ୍ତ ସିଗନାଲ୍ ଅତିଶୟ କ୍ଷୀଣ ଥିଲା I ଏହି ସମସ୍ୟାକୁ ସୁଧାରିବା ପାଇଁ ଏକ 'ଜଳ ତଳ ଯୋଗାଯୋଗ ବ୍ୟବସ୍ଥା (Underwater Communication System)' ପ୍ରୟୋଗ କରା ଯାଇଥିଲା I ଏହି ବ୍ୟବସ୍ଥାକୁ ସାଧାରଣତଃ ସମୁଦ୍ର କିମ୍ବା ନଦୀରେ  ଜଳର ତଳଭାଗରେ  ବୁଡାଳିମାନଙ୍କ  ଦ୍ୱାରା ବାର୍ତ୍ତା ବିନିମୟ କରିବା କ୍ଷେତ୍ରରେ ପ୍ରୟୋଗ କରାଯାଏ I ଏହି ବ୍ୟବସ୍ଥାରେ  କଥା କହିବା ପାଇଁ ଏକ ବିଶେଷ ପ୍ରକାରର ମାଇକ୍ରୋଫୋନ ବ୍ୟବହାର କରାଯାଏ ଯାହାର ନାମ ହାଇଡ୍ରୋଫୋନ I ଏହା ଏକ 'ପିଜୋ' ବ୍ୟବସ୍ଥା ମାଧ୍ୟମରେ ବକ୍ତାର ଧ୍ୱନି ତରଙ୍ଗକୁ ବିଦ୍ୟୁତ ତରଙ୍ଗରେ ରୂପାନ୍ତରିତ କରେ ଯାହା 60, 120 କିମ୍ବା 150 ମିଟର ଲମ୍ବର ତାର ଦେଇ ଅନ୍ୟ ବୁଡାଳିଙ୍କ ପାଖରେ କିମ୍ବା  ଜଳପୃଷ୍ଠ ଉପରେ ଥିବା କଣ୍ଟ୍ରୋଲ ରୁମରେ ପହଞ୍ଚେ I ଉତ୍ତରକାଶୀଠାରେ ରାଜ୍ୟ ଆପଦା ପ୍ରଶମନ ବଳ (ଏସ୍.ଡି,ଆର୍.ଏଫ୍. SDRF) ର ବୈଜ୍ଞାନିକମାନେ ଏହି ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରି ପ୍ରଥମଥର ପାଇଁ ଏହାକୁ ବାୟୁ ମାଧ୍ୟମରେ ଏକ ସୁଡ଼ଙ୍ଗ ପରିସ୍ଥିତିରେ ସଫଳତାର ସହ ପ୍ରୟୋଗ କରିଥିଲେ I ଫଳରେ ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ସହିତ ଏକ ଦକ୍ଷ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରାଯାଇ ପାରିଥିଲା I ନଭେମ୍ବର 23 ତାରିଖ ଦିନ ଉତ୍ତରାଖଣ୍ଡର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପୁଷ୍କର ସିଂହ ଧାମି ଏହି ବ୍ୟବସ୍ଥା ଜରିଆରେ ଶ୍ରମିକମାନଙ୍କ ସହିତ ପ୍ରଥମେ ବାର୍ତ୍ତାଳାପ କରି ପଚାରି ଥିଲେ  'ମୁଁ ପୁଷ୍କର ସିଂହ ଧାମି କହୁଛି ; ଆପଣମାନେ କିପରି ଅଛନ୍ତି?' ଅଟକିଥିବା ଶ୍ରମିକମାନେ ଏହାର ଉତ୍ତର ଦେଇଥଲେ ଯାହା ଏହି ବ୍ୟବସ୍ଥା ମାଧ୍ୟମରେ ସ୍ପଷ୍ଟ ଶୁଣାଯାଇ ପାରିଥିଲା I

 ଏଣ୍ଡୋସ୍କୋପିକ କ୍ୟାମେରା ଜରିଆରେ ଛବି ଉତ୍ତୋଳନ

    ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ଛବି ଦୀର୍ଘ 10 ଦିନ ପରେ ନଭେମ୍ବର 21 ତାରିଖ ଦିନ ସାରା ଦୁନିଆ ପ୍ରଥମକରି ଏକ ଏଣ୍ଡୋସ୍କୋପିକ ବ୍ୟବସ୍ଥା ଜରିଆରେ ଦେଖିଥିଲା I ଏହି ବ୍ୟବସ୍ଥା ପ୍ରୟୋଗ କରି ସଧାରଣତଃ ଜଣେ ଡାକ୍ତର ରୋଗୀ ଶରୀର ମଧ୍ୟରେ ଏକ ନରମ ନଳୀ ପୁରାଇ ଆଭ୍ୟନ୍ତରିଣ ଅଙ୍ଗପ୍ରତ୍ୟଙ୍ଗକୁ ଦେଖି ଯାଞ୍ଚ କରିଥା'ନ୍ତି I ନଳୀର ଅଗ୍ରଭାଗରେ ଏକ କ୍ୟାମେରା ଖଞ୍ଜାଥାଏ ଯାହା ସମ୍ମୁଖସ୍ଥ  ବସ୍ତୁର ଫଟୋ ଗ୍ରହଣ କରି ଆଲୋକରଶ୍ମିକୁ ନଳୀ ଦେଇ ଡାକ୍ତରଙ୍କ ନିକଟକୁ ପ୍ରେରଣ କରେ I ନଳୀ ମଧ୍ୟରେ ଆଲୋକରଶ୍ମିର ସମ୍ପୂର୍ଣ୍ଣ ପ୍ରତିଫଳନ ଧର୍ମ ହେତୁ ନଳୀଟି ଆକୃତିରେ ବଙ୍କାଟଙ୍କା ହୋଇଥିଲେ ସୁଦ୍ଧା ଆଲୋକରଶ୍ମି ସର୍ବଦା ନଳୀ  ମଧ୍ୟରେ ଗତିକରି ଡାକ୍ତରଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ  ହୁଏ ଏବଂ ଡାକ୍ତର ପଦାରେ ଥାଇ ରୋଗୀ ଶରୀରର ଆଭ୍ୟନ୍ତରିଣ  ଅଙ୍ଗପ୍ରତ୍ୟଙ୍ଗ ସ୍ପଷ୍ଟ ଦେଖି ପାରନ୍ତିଏହି ନଳୀ ଅଗ୍ରଭାଗରେ ଏକ ଏଲ୍..ଡି. ବତୀ ସଂଲଗ୍ନ ଥାଏ; ଫଳରେ ଏହି ଉପକରଣ ଜରିଆରେ ଅନ୍ଧାରରେ ମଧ୍ୟ ଫୋଟୋ ଗ୍ରହଣ କରିହୁଏ  I

     ଉତ୍ତରକାଶୀଠାରେ ଏହିପରି ଏକ ଏଣ୍ଡୋସ୍କୋପିକ ନଳୀକୁ ଖାଦ୍ୟପଦାର୍ଥ ପଠାଯିବା ପାଇଁ ଉଦ୍ଦିଷ୍ଟ 6 ଇଞ୍ଚ ବ୍ୟାସର ପାଇପ ମଧ୍ୟରେ ପୁରାଯାଇ ଅଟକି ଥିବା ଶ୍ରମିକମାନଙ୍କର ଫୋଟୋ ଦେଖି ହେଉଥିଲା I

   ରୋବଟର ସର୍ବେକ୍ଷେଣ

    ଏହି ଉଦ୍ଧାର ଅଭିଯାନରେ ରାଷ୍ଟ୍ରୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡି.ଆର୍.ଡି..- DRDO)ଙ୍କ ତରଫରୁ ଦୁଇଟି ରୋବଟ୍ କୁ ମଧ୍ୟ ଖୋଳା ଯାଉଥିବା 800 ମି.ମି. ପାଇପ୍ ମଧ୍ୟରେ କାର୍ଯ୍ୟରେ ଲଗା ଯାଇଥିଲା I ମନୁଷ୍ୟର ପହଞ୍ଚ ବାହାରେ ଥିବା ବିପଦ ସଙ୍କୁଳ ସ୍ଥାନରେ ପ୍ରବେଶ କରି ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବା କୌଣସି ରୋବଟ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ I ଏହି ଦୁଇଟି ରୋବଟ୍ ପାଇପ୍ ମଧ୍ୟରେ ପ୍ରବେଶ କରି ନିଜର ସେନ୍ସର୍ ଓ କ୍ୟାମେରା ଜରିଆରେ ସୁଡ଼ଙ୍ଗ ମଧ୍ୟସ୍ଥ ଭୂମିରୂପର ସୂଚନା ପ୍ରଦାନ ତଥା ଖୋଳାଯିବା ସ୍ଥାନର ଚୟନ ଇତ୍ୟାଦି ସମ୍ପର୍କୀୟ ସମସ୍ତ ତଥ୍ୟ ଓ ଫଟୋଚିତ୍ର ସଂଗ୍ରହ ପୂର୍ବକ ସୁଡ଼ଙ୍ଗ ବାହାରେ ଥିବା ବିଶେଷଜ୍ଞମାନଙ୍କ ନିକଟକୁ ନିୟମିତ ପ୍ରେରଣ କରୁଥିଲେ I ଫଳରେ ଉଦ୍ଧାରକାରୀ ଦଳକୁ ନିଜର ଆଗାମୀ କର୍ମପନ୍ଥା ନିରୂପଣ କରିବା ବେଶ୍ ସହଜସାଧ୍ୟ ହେଉଥିଲା I

 ଡ୍ରୋନ୍ ର ଉଡ୍ଡାଣ

    ଖୋଳା ଯାଉଥିବା ସୁଡ଼ଙ୍ଗ ମଧ୍ୟରେ ଘଟୁଥିବା କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା ପାଇଁ ବେଙ୍ଗାଲୁରୁ ସ୍ଥିତ ସ୍କ୍ୱାର୍ଡନ୍ ଇନଫ୍ରା ମାଇନିଙ୍ଗ୍ ପ୍ରାଇଭେଟ୍ ଲିମିଟେଡ୍  କମ୍ପାନୀଙ୍କ ତରଫରୁ ଏକ ଡ୍ରୋନ୍ ର ପ୍ରୟୋଗ କରା ଯାଇଥଲା I ଏହି ଡ୍ରୋନ୍ ଖୋଳାଯାଉଥିବା ପାଇପ୍ ମଧ୍ୟରେ ଉଡି ଉଡି ନିଜର ସେନସର୍ ଓ କ୍ୟାମେରା ଜରିଆରେ ପାଇପ୍  ତଥା ମାଟି ଭିତରର ପରିସ୍ଥିତି ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ଅବଗତ କରାଉଥିଲା I ଫଳରେ ଉଦ୍ଧାରକାରୀ ଦଳକୁ ନିଜର ଆଗାମୀ କର୍ମପନ୍ଥା ନିରୂପଣ କରିବା ସହଜସାଧ୍ୟ ହୋଇଥିଲା I

       ସାରା ଉଦ୍ଧାରକାର୍ଯ୍ୟରେ ଟେକନୋଲଜିର  ଭରପୁର ପ୍ରୟୋଗ ହୋଇଥିଲେ ସୁଦ୍ଧା ଶେଷ ଚଉଦ, ପନ୍ଦର ମିଟର ଗର୍ତ୍ତ ମୂଷା ଗାତିଆମାନେ (Rat Miners) ହାତରେ ପାରମ୍ପାରିକ ଉପକରଣ ଦ୍ୱାରା ଖୋଳି ଦୁର୍ଗତ ଶ୍ରମିକମାନଙ୍କ ପାଖରେ ପହଞ୍ଚି ଥିବାରୁ ଏ ମହା ଅଭିଯାନରେ ସେମାନଙ୍କ ଭୂମିକାକୁ ମଧ୍ୟ ଅସ୍ବୀକାର କରାଯାଇ ନପାରେ I

           

                                                                                                                                    ଏଜୁକେଶନ୍ ଅଫିସର୍

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ

ଫୋନ୍: 8917637974

To read the  same article published in The Dharitri dated 11. 2.23 and 18,12.23 , please click the following link :

https://dharitriepaper.in/m/451885/6576483f34864

and

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ