ଧୂମକେତୁ ଓ ଲଞ୍ଜାତାରା
ଧୂମକେତୁ ଓ ଲଞ୍ଜାତାରା
ନିକୁଞ୍ଜ ବିହାରୀ ସାହୁ
ସୂର୍ଯ୍ୟଠାରୁ ପୄଥିବୀ ଦୂରତାର ପ୍ରାୟ ଦେଢ ଲକ୍ଷ ଗୁଣ ବ୍ୟବଧାନରେ ପ୍ଲୁଟୋ ଗ୍ରହର କକ୍ଷପଥ ବାହାରେ ମହାକାଶରେ ବିଦ୍ୟମାନ ଏକ ବିରାଟ ଶୂନ୍ୟସ୍ଥାନ I ଏହା ଆମଠାରୁ ନିକଟତମ ନକ୍ଷତ୍ରର ପ୍ରାୟ ଏକ-ତୄତୀୟାଂଶର ଦୂରତା I ଚତୁପାର୍ଶ୍ୱର ପୂଂଜୀଭୂତ ବହଳ ଅନ୍ଧକାର ଓ ତାପମାତ୍ରାଡ ଶୂନ୍ୟ ଡିଗ୍ରୀ ସେଲସିୟସ୍ରୁ ବହୁତ ତଳେ I ଆକାଶର ଅନେକ ତାରକାଙ୍କ ମଧ୍ୟରୁ ସ୍ପଷ୍ଟ ବାରି ହୋଇ ପଡେ ଦୂରସ୍ଥ ଏକ ପୀତ ବର୍ଣ୍ଣର ତେଜୀୟାନ ନକ୍ଷତ୍ର -ସୂର୍ଯ୍ୟ I ଏଠାରୁ ସୂର୍ଯ୍ୟ କଦାପି ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର ରୂପେ ପ୍ରତିଭାତ ହୁଏ ନାହିଁ ; ବରଂ ଲୁବ୍ଧକ ଓ ଅଗସ୍ତ୍ୟ ତାରକା ଅଧିକ ଉଜ୍ଜ୍ୱଳ ଜଣା ପଡନ୍ତି I ସୂର୍ଯ୍ୟର ମାଧ୍ୟାକର୍ଷଣ ବଳ ଏଠାରେ ଅତିଶୟ ଶିଥିଳ I ମହାକାଶର ଏପରି ଏକ ବିଚିତ୍ର ଅଞ୍ଚଳରେ ସୂର୍ଯ୍ୟର କ୍ଷୀଣ ମାଧ୍ୟାକର୍ଷଣ ବନ୍ଧନରେ ଲାଖି ରହି ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣାୟମାନ ଲକ୍ଷ ଲକ୍ଷ କ୍ଷୁଦ୍ର ବରଫଖଣ୍ଡ I ପାଖାପାଖି ଏକ ଯାତ୍ରୀବାହୀ ବିମାନର ବେଗରେ ଧାବମାନ ଏହି ଖଣ୍ଡଗୁଡିକୁ ସୂର୍ଯ୍ୟର ପରିକ୍ରମା କରିବା ନିମନ୍ତେ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗିଥାଏ I ଏଗୁଡିକ ସୌରଜଗତର ସୄଷ୍ଟିର ଆରମ୍ଭରୁ ହିଁ ତିଷ୍ଠି ରହିଛନ୍ତି I ସମୟର ପ୍ରବାହ ପରିବର୍ତ୍ତନ କରି ପାରିନି ଏଗୁଡିକରେ ଥିବା ପଦାର୍ଥର ଆଦିମ ଓ ମୌଳିକ ରୂପକୁ I
ସୌରଜଗତର ଏହି ଉପାନ୍ତ ଅଞ୍ଚଳ ଅପେକ୍ଷାକୃତ ଶାନ୍ତ ଓ ଘଟଣା ବିହୀନ I ମାତ୍ର କୋଟି କୋଟି ବର୍ଷର ସମୟ ଅନ୍ତରାଳରେ ଥରେ କେବେ ଆମ ନୀହାରିକାର କେନ୍ଦ୍ର ଚାରିପଟେ ନକ୍ଷତ୍ରଗୁଡିକରେ ଅନିୟମିତ ଗତି ହେତୁ କୌଣସି ନିକଟତମ ତାରକା ଏହି ଅଞ୍ଚଳର ପାଖ ଦେଇ ଚାଲିଗଲେ ନିଜର ମାଧ୍ୟାକର୍ଷଣ ବଳ ଦ୍ୱାରା ଉକ୍ତ ବରଫଖଣ୍ଡଗୁଡିକୁ ଠେଲି ଦିଏ I ତନ୍ ମଧ୍ୟରୁ କେତେକ ସୂର୍ଯ୍ୟର କ୍ଷୀଣ ମାଧ୍ୟାକର୍ଷଣ ବନ୍ଧନରୁ ମୁକ୍ତ ହୋଇ ଗଭୀର ବିଶ୍ୱକୁ ଧାବିତ ହୁଅନ୍ତି ଓ ଆଉ କେବେ ଫେରି ନଥା'ନ୍ତି I ଅନ୍ୟ କେତେକ ଖଣ୍ଡର ଗତି କିନ୍ତୁ ଭିନ୍ନ ପ୍ରକାରର I ସେଗୁଡିକ ଆମ ସୌରଜଗତର ଅଭ୍ୟନ୍ତର ଆଡକୁ ମୁହାଁଇ ଥା'ନ୍ତି- ପ୍ରଥମେ ଧୀର ମନ୍ଥର ବେଗରେ ଓ ସମୟକ୍ରମେ ଦ୍ରୁତରୁ ଅତି ଦ୍ରୁତ ବେଗରେ I ଏଇମାନେ ହିଁ ହେଲେ ଧୂମକେତୁ I ଏହି ଅବସ୍ଥାରେ ଧୂମକେତୁ କହିଲେ କେବଳ ଏକ ବରଫଖଣ୍ଡକୁ ହିଁ ବୁଝାଇ ଥାଏ ଯାହା ପରବର୍ତ୍ତୀ ସମୟରେ ଏହାର ଏକ କ୍ଷୁଦ୍ର ଅଙ୍ଗର ରୂପ ନିଏ I ଏହାକୁ ସାଧାରଣତଃ 'ନାଭିକେନ୍ଦ୍ର (Nucleus)' କହନ୍ତି ଯାହା ସାଧାରଣ କ୍ଷେତ୍ରରେ 1 ରୁ 10 କି.ମି. ଦୂରତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରେ I
କ୍ରମେ ଦୂରସ୍ଥ ସେହି ପୀତ ବର୍ଣ୍ଣର ନକ୍ଷତ୍ର ଅଧିକରୁ ଅଧିକ ଉଜ୍ଜ୍ୱଳ ହୋଇ ଉଠେ I ଧୂମକେତୁଟିର ନିରନ୍ଧ୍ର ଅନ୍ଧକାର ପୃଷ୍ଠଦେଶ ଏବେ ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ଉଦ୍ଭାସିତ ହୁଏ I ସୂର୍ଯ୍ୟର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ସୂର୍ଯ୍ୟର ପ୍ରଚଣ୍ଡ ତାପମାତ୍ରାରେ ବରଫଖଣ୍ଡସବୁ ବିଗଳିତ ଓ ବାଷ୍ପାୟିତ ହୋଇ ଉଠନ୍ତି I ଧୂମକେତୁର ଅଭ୍ୟନ୍ତରରୁ ଅଚାନକ ଏକ ଶକ୍ତିଶାଳୀ ଉଦଗୀରଣ ନିର୍ଗତ ହୁଏ ଯାହା ଅସଂଖ୍ୟ ଧୂଳିକଣା ଓ ବରଫ ସ୍ଫଟିକକୁ ଆକାଶରେ ବହୁ ଦୂର ପର୍ଯ୍ୟନ୍ତ କ୍ଷେପଣ କରେ I କହିବା ବାହୁଲ୍ୟ ଯେ, ଧୂମକେତୁର କ୍ଷୀଣ ମାଧ୍ୟାକର୍ଷଣ କ୍ଷେତ୍ର ମଧ୍ୟରେ ଏକ ଶିଥିଳ ଫୁତ୍କାର ମଧ୍ୟ ପଦାର୍ଥକୁ ବହୁ ଦୂର ପର୍ଯ୍ୟନ୍ତ ଉର୍ଦ୍ଧ୍ୱରେ ପ୍ରେରିତ କରିପାରେ I
ପ୍ରଚଣ୍ଡ ସୂର୍ଯ୍ୟତାପ ଜନିତ ପ୍ରକ୍ରିୟାରେ ଧୂମକେତୁର କଠିନ ପୄଷ୍ଠରେ ଏବେ ଫାଟ ସୄଷ୍ଟି ହୋଇ ପୂର୍ବୋକ୍ତ ପ୍ରକ୍ରିୟାସବୁ ବହୁଗୁଣିତ ହୋଇଯାଏ I ଏପର୍ଯ୍ୟନ୍ତ ଶାନ୍ତ ଓ ସୁପ୍ତ ଥିବା ପିଣ୍ଡଟି ଅଚାନକ ଅଥୟ ଓ ଅସ୍ଥିର ହୋଇ ଉଠେ I ପରେ ପରେ, ଏହାର ସମସ୍ତ ଦିଗକୁ ନିରବଛିନ୍ନ ଶକ୍ତିଶାଳୀ ଉଦଗୀରଣମାନ ଛୁଟି ଯାଇ ଚତୁପାଶ୍ୱରେ ଧୂଳି ଓ ଗ୍ୟାସର ଏକ ପ୍ରକାଣ୍ଡକାୟ ବାଦଲ ସୃଷ୍ଟି କରେ I ଧୂମକେତୁଟିର ନିର୍ମଳ ଓ ନିର୍ମେଘ ଆକାଶ ଏବେ ଧୂମାଭ ଓ ବିବର୍ଣ୍ଣ ରୂପ ଧାରଣ କରେ I ଏହି ବାଦଲରେ ଥିବା ଅସଂଖ୍ୟ ଧୂଳିକଣା ଓ ବରଫ ସ୍ଫଟିକ ସୂର୍ଯ୍ୟାଲୋକକୁ ପ୍ରତିଫଳନ ତଥା ଅତି-ବାଇଗଣି ରଶ୍ମିକୁ ଦୃଶ୍ୟମାନ ଆଲୋକରେ ରୂପାନ୍ତରିତ କରିବା ଦ୍ୱାରା ଖାଲି ଆଖିକୁ ଏକ ଉଜ୍ଜ୍ୱଳ ଆଲୋକମେଞ୍ଚା ଆକାରରେ ଦୃଶ୍ୟ ଦିଏ I ଏହି ଆଲୋକମେଞ୍ଚାକୁ ସାଧାରଣତଃ 'କୋମା (Coma)' କହନ୍ତି ଯାହା ଧୂମକେତୁଟିର ଦ୍ୱିତୀୟ ଅବୟବ I ଏକ କୋମା ବ୍ୟାସରେ ସାଧାରଣତଃ ଏକ ଲକ୍ଷ କିଲୋମିଟର ପରିବ୍ୟାପ୍ତ ହୋଇପାରେ I
ପରେ ଜଣାପଡେ ଯେ, ଉଦଗୀରଣ ଯେଉଁ ଦିଗରୁ ନିର୍ଗତ ହେଲେ ସୁଦ୍ଧା ଯେପରି କୌଣସି ଅଦୄଶ୍ୟ ବଳ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଦିଗରେ ଠେଲି ହୋଇ ବଙ୍କେଇ ଯାଉଛି I ଏହା ପ୍ରକୄତରେ ସୂର୍ଯ୍ୟାଲୋକର ବିକିରଣ ଚାପ (Radiation Pressure) ଜନିତ ବଳ I ଆଧୁନିକ ବିଜ୍ଞାନର ତତ୍ତ୍ୱ ଅନୁସାରେ, ଆଲୋକ ଅନେକ ଶକ୍ତିମନ୍ତ କଣିକା 'ଫୋଟନ୍ (Photon)'ର ସମାହାର I ଗୋଟିଏ ଫୋଟନ୍ କୌଣସି କଣିକାକୁ ଏକ ବିଲିୟାର୍ଡ ବଲ୍ ସଦୃଶ ଆଘାତ କରି ଫେରି ଆସିଲେ କଣିକା ଉପରେ ଏକ ଯାନ୍ତ୍ରିକ ବଳ ପ୍ରୟୋଗ ହୋଇଥାଏ ଏବଂ କଣିକାଟି ଅତିଶୟ ହାଲୁକା ହୋଇଥିଲେ ଏହି ବଳର ପ୍ରଭାବରେ ବିସ୍ଥାପିତ ହୁଏ I ତୀବ୍ର ସୂର୍ଯ୍ୟରଶ୍ମିର ଫୋଟୋନ୍ ଜନିତ ଏହି ପ୍ରଚଣ୍ଡ ବଳ କୋମାର ଧୂଳିକଣାସବୁକୁ ସୂର୍ଯ୍ୟର ବିପରୀତ ପାର୍ଶ୍ୱରେ ବହୁ ଦୂର ପର୍ଯ୍ୟନ୍ତ ଠେଲି ନିଏ I ଏହି ଧୂଳିକଣାଗୁଡିକ ସୂର୍ଯ୍ୟାଲୋକକୁ ପ୍ରତିଫଳନ ତଥା ଅତିବାଇଗଣି ରଶ୍ମିକୁ ଦୃଶ୍ୟମାନ ଆଲୋକରେ ପରିଣତ କରିବା ଦ୍ୱାରା ଏକ ଦୀର୍ଘ ଆଲୋକିତ ପଥ ଆକାରରେ ଦୃଶ୍ୟ ଦିଏ I ଏହା ଧୂମକେତୁଟିର ତୃତୀୟ ତଥା ସବୁଠାରୁ ଦର୍ଶନୀୟ ଅବୟବ ଯାହାକୁ ସାଧାରଣତଃ 'ଲାଞ୍ଜ (Tail)' କହନ୍ତି I ଏକ ଲାଞ୍ଜ ସାଧାରଣତଃ ଆକାଶରେ 10 କୋଟି କିଲୋମୋଟର ଦୂରତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରେ I
ଧୂମକେତୁଟି ଖାଲି ଆଖିକୁ ଏବେ ଏକ ବିଚିତ୍ର ଆକୃତି ରୂପେ ପ୍ରକଟିତ ହୁଏ I ଏକ ପ୍ରଜ୍ଜ୍ୱଳିତ ଆଲୋକମେଞ୍ଚା ଓ ସେଥିରୁ ପ୍ରସରି ଆକାଶବକ୍ଷରେ ଲମ୍ବି ଯାଇଥିବା ଏକ ବିଚିତ୍ର ଧୂମାୟିତ ଆଲୋକର ପଥ ଜନମନକୁ ଆକର୍ଷଣ କରେ I ଲାଂଜ ଥିବାରୁ ଧୂମକେତୁଟି ଏବେ 'ଲଞ୍ଜାତାରା' ନାମରେ ପରିଚିତ ହୁଏ I
କୌଣାସି ଲଞ୍ଜାତାରାର ସାଧାରଣତଃ ଦୁଇ ପ୍ରକାରର ଲାଞ୍ଜ ପରିଲକ୍ଷିତ ହୁଏ I ପୂର୍ବୋକ୍ତ ଧୂଳିର ଲାଂଜ (Dust Tail) ଟି ସୂର୍ଯ୍ୟାଲୋକ ଜନିତ ବଳ ଦ୍ୱାରା ବିକ୍ଷେପିତ ହୋଇ ବକ୍ରାକୃତି ରୂପ ଧାରଣ କରେ I ମାତ୍ର ଧୂଳିକଣା ବ୍ୟତୀତ ଧୂମକେତୁରେ ଥିବା ମଧ୍ୟ ଅସଂଖ୍ୟ ଗ୍ୟାସୀୟ କଣିକା ସୂର୍ଯ୍ୟର ପ୍ରଚଣ୍ଡ ତାପମାତ୍ରାରେ ଇଲେକ୍ଟ୍ରନ୍ ରହିତ ହୋଇ ଆୟନ ଅବସ୍ଥାରେ ରହିଥା'ନ୍ତି I ଉକ୍ତ ଗ୍ୟାସୀୟ କଣିକାସବୁ ପ୍ରହଣ୍ଡ ସୌରରଝଡରେ ଉଡିଯାଇ ଧୂମକେତୁର ଏକ ଦ୍ୱିତୀୟ ଲାଞ୍ଜ (Gas Tail or Ion Tail) ସୄଷ୍ଟି କରନ୍ତି I ଏହା ଖାଲି ଆଖିକୁ ସଳଖ ଓ ସିଗାରେଟ୍ ଧୂଆଁ ସଦୃଶ ବିକ୍ଷିପ୍ତ ଦେଖାଯାଏ I
ସୂର୍ଯ୍ୟକୁ ପରିକ୍ରମା କରିବା ପରେ ପରେ ଲଂଜାତାରାଟି ନିଜ କକ୍ଷପଥରେ କ୍ରମଶଃ ଦୂରକୁ ଚାଲିଯାଏ ଏବଂ ଆନ୍ତର୍ଗହୀୟ ଶୀତଳତାରେ ଏହାର ପୂର୍ବୋକ୍ତ ପ୍ରକ୍ରିୟାସବୁ ସ୍ତିମିତ ହୋଇଯାଏ I ଫଳରେ ଏହାର ଲାଂଜ ଓ କୋମା ଆକାରରେ ଦ୍ରୁତ ହ୍ରାସପାଇ ଶେଷରେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଏ ଏବଂ ଖାଲି ଆଖୁକୁ ଆଉ ଦୄଶ୍ୟ ହୁଏ ନାହିଁ I ଲଂଜାତାରାଟି ପୁଣି ଫେରିଯାଏ ନିଜର ଚିରାଚରିତ ବାସସ୍ଥଳୀ ସୌରଜଗତ ଉପାନ୍ତର ସେହି ସୁଦୂର ଥଣ୍ଡା ଓ ନିରନ୍ଧ୍ର ଅଞ୍ଚଳକୁ I ଏଭଳି ଧୂମକେତୁ ଆମ ସୌରଜଗତକୁ ସାଧାରଣତଃ 100 ବର୍ଷରୁ ଉର୍ଦ୍ଧ୍ୱ ସମୟାନ୍ତରରେ ଆସୁଥିବାରୁ ସେମାନଙ୍କୁ 'ଦୀର୍ଘ ଆବର୍ତ୍ତୀକାଳ' ବିଶିଷ୍ଟ ଧୂମକେତୁ (Long Period Comets) କହନ୍ତି I ଅତୀତରେ 1811, 1843, 1861 ଓ 1882 ରେ ଦେଖା ଯାଇଥିବା ଅତ୍ୟୁଜ୍ଜ୍ୱଳ ଧୂମକେତୁସବୁ ତଥା 1858 ର ଡୋନାତି ( Donati) , 1910 ର ଦିବାଲୋକରେ ଦୃଶ୍ୟମାନ ଲଞ୍ଜାତାରା,1965 ର ଇକେୟା-ସେକି ( Ikeya-Seki) ଏବଂ 1976 ର ୱେଷ୍ଟ୍ (West) ଏହି ଶ୍ରେଣୀର ଅନ୍ତର୍ଭୁକ୍ତ I ମାତ୍ର ଅନ୍ୟ କେତେକ ପିଣ୍ଡ ନିଜ କକ୍ଷପଥରେ ଗ୍ରହରାଜ ବୃହସ୍ପତିର ପାଖ ଦେଇ ଯିବାବେଳେ ଏହା ନିଜର ପ୍ରଚଣ୍ଡ ମାଧ୍ୟାକର୍ଷଣ ବଳରେ ଧୂମକେତୁକୁ ଆକର୍ଷଣ କରି ତା'ର ଗତିପଥ କୁ ଯଥେଶ୍ଟ ସଙ୍କୁଚିତ କରେ I ଧୂମକେତୁଟି ନିଜ କକ୍ଷପଥରେ ଅନେକ ଥର ଏଭଳି ଆକର୍ଷଣ ବଳର ସମ୍ମୁଖୀନ୍ନ ହେଲେ ଏହାର ଗତି କ୍ରମେ ମନ୍ଥର ପାଲଟି ଯାଏ ଓ ଆଉ ଦୂରକୁ ଯାଇ ନପାରି ପାଖରୁ ଅର୍ଥାତ ନେପଚ୍ୟୁନ୍ ଗ୍ରହ ନିକଟରୁ ଫେରି ଆସେ I ଏଭଳି ଧୂମକେତୁ ଆମ ଆକାଶକୁ 100 ବର୍ଷରୁ କମ୍ ସମୟାନ୍ତରରେ ଆସୁ ଥିବାରୁ ଏଗିଡିକୁ 'ସ୍ୱଳ୍ପ ଆବର୍ତ୍ତୀ କାଳ ' ବିଶିଷ୍ଟ ଧୂମକେତୁ (Short Period Comets) କହନ୍ତି I ଧୂମକ୍ତୁ ଏଙ୍କେ (Encke), କପଫ୍ (Kopff), ସ୍ୱାସମାନ୍ - ୱାଚମାନ୍ (Schwassmann–Wachmann) ତଥା ବହୁ ଚର୍ଚିତ ହ୍ୟାଲି (Halley) ଲଂଜାତାରାଟି ଏହି ଶ୍ରେଣୀର ଅଟନ୍ତି I
ସୁତରାଂ ଦୁର ଅନ୍ତରୀକ୍ଷର ଅନାମଧେୟ ଧୂମକେତୁଟି ଯେ ଘଟଣାକ୍ରମେ ଆମ ଆକାଶରେ ଏକ ଦର୍ଶନୀୟ ଓ ବହୁଚର୍ଚିତ ଲଞ୍ଜାତାରା ରୂପରେ ଆତ୍ମପ୍ରକାଶ କରେ, ଏହା ବିସ୍ମୟକର ନୁହେଁ କି ?
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
Comments
Post a Comment