ଅଦୃଶ୍ୟ ମଣିଷ

 


ଅଦୃଶ୍ୟ ମଣିଷ


ନିକୁଞ୍ଜ ବିହାରୀ ସାହୁ

 


         'ଅଦୄଶ୍ୟ ମଣିଷ' ପ୍ରସିଦ୍ଧ କଳ୍ପ ବିଜ୍ଞାନୀ କଥାଶିଳ୍ପୀ ଏଚ. ଜି. ୱେଲସଙ୍କ ଦ୍ୱାରା ରଚିତ ଏକ ଅମର ଉପନ୍ୟାସ I ଏଥିରେ ଏକ ମଣିଷକୁ ବୈଜ୍ଞାନିକ ଉପାୟରେ ଅଦୃଶ୍ୟ କରାଗଲେ ସମାଜରେ ବଞ୍ଚି ରହିବା ପାଇଁ କି ସୁବିଧା ଅସୁବିଧା ହେବ ସେ ସମ୍ପର୍କରେ ସୂଚନା ଦିଆଯାଇଛି I ଉପନ୍ୟାସଟିର ରଚନାକାଳ : 1897 I 


    ଗ୍ରିଫିନ୍ ନାମକ ଜଣେ ତରୁଣ ଉତ୍ସାହୀ ବୈଜ୍ଞାନିକ ଗୋଟିଏ ମଣିଷକୁ କିପରି ବୈଜ୍ଞାନିକ ଉପାୟରେ ଅଦୃଶ୍ୟ କରିହେବ ସେ ସମ୍ପର୍କରେ ଗବେଷଣା ଆରମ୍ଭ କରେ I ସେ ଏପରି ଏକ ରାସାୟନିକ ପଦାର୍ଥ ଆବିଷ୍କାର କଲେ ଯାହାକୁ ଔଷଧ ରୂପେ  ସେବନ କଲେ ଶରୀରର ପ୍ରତିସରଣାଙ୍କ କମି ବାୟୁର ପ୍ରତିସରଣାଙ୍କ ସଙ୍ଗେ ସମାନ ହୋଇ ଶରୀର ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ I  ସେ ପ୍ରଥମେ ନିଜର ଏହି ଆବିଷ୍କାରକୁ ସଫଳତାର ସହ ଏକ ବିରାଡି ଉପରେ ପ୍ରୟୋଗ କଲେ I  ତା'ପରେ, ସେ ଏହି😘 ଆବିଷ୍କାରକୁ ନିଜ ଉପରେ ପ୍ରୟୋଗ ଲରି ନିଜକୁ ସମ୍ପୂର୍ଣ୍ଣ ଅଦୃଶ୍ୟ କରିଦିଏ I ନିଜକୁ ଅଦୄଶ୍ୟ କରି ପାରିଥିବାରୁ ପ୍ରଥମେ ସେ  ଭାରି ଖୁସି ଅନୁଭବ କରେ I


          ପରେ, ସେ ହୄଦୟଙ୍ଗମ କରେ ଯେ, ଏକ ଅଦୃଶ୍ୟ ମଣିଷ ପାଇଁ ସମାଜରେ ଚଳିବା ଏକ କଷ୍ଟକର ବ୍ୟାପାର ; କାରଣ ଜଣେ ସାଧାରଣ ମଣିଷ ଭଳି ତା'କୁ  ମଧ୍ୟ ଖାଇବା ପିଇବାକୁ ପଡିବ ତଥା ଜୀବନର ଅନ୍ୟାନ୍ୟ ମୌଳିକ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ I   ତେଣୁ ସେ ନିଜକୁ ପୁଣି ଦୃଶ୍ୟ କରିବା ପାଇଁ ଗବେଷଣା ଆରମ୍ଭ କରେ I  ଏଥିପାଇଁ ସେ ନିଜର ଶରୀରକୁ ସମ୍ପୂର୍ଣ୍ଣ ରୂପେ ଢାଙ୍କି ନିଜକୁ ଦୃଶ୍ୟ କରେ ଏବଂ  ପଶ୍ଚିମ ସସେକ୍ସ ଅଞ୍ଚଳର ଆଇପିଙ୍ଗ ନାମକ ଏକ ଛୋଟିଆ ଗାଁର ପନ୍ଥଶାଳାରେ ଘର ଭଡା ନେଇ କିଛି ଦିନ  ଅବସ୍ଥାନ କରେ I  ସେଠାରେ ସେ କାହା ସହିତ ମିଳାମିଶା ନକରି ଅତି ନିଭୄତ ଭାବରେ କିଛି କାଚ ବୋତଲ ଓ ରାସାୟାନିକ ପଦାର୍ଥ ନେଇ ଗବେଷଣା ଆରମ୍ଭ କରେ I  ସମୟକ୍ରମେ, ସେହି ଗାଁର ଲୋକମାନେ ଏହି ବିଚିତ୍ର ଆଗନ୍ତୁକର କାର୍ଯ୍ୟକଳାପ ଉପରେ ଘୋର ସନ୍ଦେହ ପ୍ରକାଶ କରି ତା'କୁ ଏକ ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ କରନ୍ତି I ପାନ୍ଥଶାଳାର ମାଲିକିଆଣୀ  ତା'କୁ ବାକି ଥିବା ଘରଭଡା ପଇସା  ପଇଠ କରିବାକୁ ବାଧ୍ୟ କରି ତା'ର ଅସଲ ପରିଚୟ ଦାବୀ କରନ୍ତି I  ଗାଁ ଲୋକମାନେ ମଧ୍ୟ ତା'କୁ  ଧରି ପୋଲିସରେ ଜମା ଦେବା ପାଇଁ ଉଦ୍ୟମ  କରନ୍ତି I 


    ଏଥିରେ ଗ୍ରିଫିନ୍  ନିଜେ ପିନ୍ଧିଥିବା ପୋଷାକ  ଖୋଲିଦେଇ ନିଜକୁ ଅଦୃଶ୍ୟ କରି ଖସି ପଳାଇଯାଏ I  ମାତ୍ର ସେ ପାନ୍ଥଶାଳାରେ ନିଜ ଗବେଷଣାର କଷ୍ଟଲବ୍ଧ କିଛି ତଥ୍ୟ ଲେଖାଥିବା ଏକ ଟିପାଖାତା ଛାଡି ଯାଇଥିବାରୁ ତା'କୁ ସଂଗ୍ରହ କରିବା ପାଇଁ ପ୍ରବଳ ଉଦ୍ୟମ କରେ I  


     ଅଦୄଶ୍ୟ ହୋଇ ଥିବାରୁ ଗ୍ରିଫିନ୍ ସମାଜ ପାଇଁ ଏକ ବଡ ବିପଦ ରୂପେ ମୁଣ୍ଡ ଟେକେ I  ସେ ନିକଟସ୍ଥ ଏକ ସହର ଷ୍ଟୋୱେ ପଳାୟନ କରି ସେଠାରେ ଚୋରୀ କରିବା ସହିତ ଲୋକଙ୍କୁ ମାରଧର ଆଦି ଦୁଷ୍କର୍ମ କରିବା କାର୍ଯ୍ୟରେ ନିଜକୁ ଲିପ୍ତ ରଖେ I ଶେଷରେ, ସେ ଥକିଯାଇ ନିଜର ଜଣେ ପୁରୁଣା କଲେଜ ସହପାଠୀ କେମ୍ପ୍  ଘରେ ପହଞ୍ଚି କିଛି ଖାଦ୍ୟ ଓ ପୋଷାକ ପାଇଁ ତା'କୁ ଅନୁରୋଧ କରେ I ସେ ନିଜର ଅଦୃଶ୍ୟତାର ସୁଯୋଗ ନେଇ  ସମାଜରେ ଆତଙ୍କ ଖେଳାଇବାର ଯୋଜନା ପ୍ରକାଶ କରି ସେ ଦିଗରେ କେମ୍ପ୍ ର ସାହାଯ୍ୟ ପ୍ରାର୍ଥନା କରେ I ମାତ୍ର ସେଥିରେ କେମ୍ପ୍ ରାଜି ନହୋଇ ସେହି ଅଦୃଶ୍ୟ ମଣିଷକୁ ପୋଲିସ୍ ରେ ଧରାଇ ଦେବା ପାଇଁ  ଏକ ଗୁପ୍ତ ଯୋଜନା କରେ I 


    ଗ୍ରିଫିନ୍ ଏହା ଜାଣିପାରି କେମ୍ପ୍ ଉପରେ ଅତର୍କିତ ଆକ୍ରମଣ କରେ I  ମାତ୍ର ସ୍ଥାନୀୟ ଲୋକେ କେମ୍ପ୍ ର ସହାୟତା କରି ଅଦୃଶ୍ୟ ମଣିଷର ଆକ୍ରମଣର ମୁକାବିଲା ପୂର୍ବକ ତା'କୁ ଧରିବାକୁ ସକ୍ଷମ ହୁଅନ୍ତି ଓ ଘଟଣାକ୍ରମେ ତା'କୁ ପିଟିପିଟି ମାରି ଦିଅନ୍ତି I  ମୃତ୍ୟୁ ପରେ ତା' ଶରୀରର ଅଦୄଶ୍ୟତା ଧର୍ମ ଲୋପ ପାଇ  ଗ୍ରିଫିନର ସ୍ଥୂଳ ଶରୀର ଦୃଶ୍ୟ ହୁଏ I ଏହିପରି ଭାବରେ ଏକ ଅଦ୍ଭୁତ ଅଦୄଶ୍ୟ ମଣିଷ ଉପରେ ଆଧାରିତ ଏହି ରୋମାଞ୍ଚକର ଉପନ୍ୟାସଟିର  ପରିସମାପ୍ତି ଘଟେ !


ବୈଜ୍ଞାନିକ ବିଶ୍ଳେଷଣ


      ଆଲୋକରଶ୍ମି କେବଳ ଗୋଟିଏ ମାଧ୍ୟମରେ ଗତି କରୁଥିବା ପର୍ଯ୍ୟନ୍ତ ଏକ ସରଳରେଖାରେ ଯାଉଥାଏ I ମାତ୍ର ଏହା ଗୋଟିଏ ମାଧ୍ୟମରୁ ଯାଇ ଅନ୍ୟ ମାଧ୍ୟମରେ  ପ୍ରବେଶ କଲେ 'ପ୍ରତିସରଣ' ଧର୍ମ ହେତୁ  ମୂଳ ଦିଗରୁ ବଙ୍କେଇ ଯାଏ I ମାତ୍ର ଉଭୟ ମାଧ୍ୟମର ପ୍ରତିସରଣାଙ୍କ ସମାନ ହେଲେ ଆଲୋକରଶ୍ମି  ନିଜର ସରଳରୈଖୀୟ ଗତି ଅବ୍ୟାହତ ରଖେ ଏବଂ ମାଧ୍ୟମଦ୍ୱୟ ସ୍ଥୂଳ ଭାବର ପୄଥକ ହେଲେ ସୁଦ୍ଧା ଆଲୋକରରଶ୍ମିର ସଞ୍ଚରଣ ପାଇଁ କେବଳ ଗୋଟିଏ ମାଧ୍ୟମ ସଦୃଶ ଆଚରଣ କରେ I  ଏହି ତତ୍ତ୍ୱକୁ ବୁଝିବା ପାଇଁ ଏକ ସରଳ ପରୀକ୍ଷା କରା ଯାଇପାରେ:


       ଗୋଟିଏ  କାଚ ବିକରରେ କିଛି ଗ୍ଲିସେରିନ୍ ତରଳ ନେଇ ସେଥିରେ ଗୋଟିଏ କାଚର ପ୍ରିଜିମ୍ ବୁଡାଇ ରଖନ୍ତୁ I ଦେଖିବେ, ଗ୍ଲିସେରିନ୍ ମଧ୍ୟରେ ପ୍ରିଜିମ୍ ର ଉପସ୍ଥିତି ଆଦୌ ବାରି ହେବ ନାହିଁ  ଏବଂ ପ୍ରିଜିମ୍ ଟି ଗ୍ଲିସେରିନ୍ ମଧ୍ୟରେ ସମ୍ପୂର୍ଣ୍ଣ ଅଦୄଶ୍ୟ ହୋଇଗଲା ଭଳି ଜଣା ପଡିବ !  ଏଠାରେ  ଗ୍ଲିସେରିନ୍ ର ପ୍ରତିସରଣାଙ୍କ ( 1.46) ଏବଂ ପ୍ରିଜିମ୍ କାଚ (କ୍ରାଉନ୍ ଗ୍ଲାସ୍) ର ପ୍ରତିସରଣାଙ୍କ (1 .52) ପାଖାପାଖି ସମାନ ମୂଲ୍ୟର ହୋଇ ଥିବାରୁ ଉଭୟ ପଦାର୍ଥ ଆଲୋକରଶ୍ମି ପାଇଁ କେବଳ ଗୋଟିଏ ମାଧ୍ୟମ ସଦୄଶ  ଆଚରଣ କରନ୍ତି  ଏବଂ ଗ୍ଲିସେରିନ୍ ମଧ୍ୟରେ ପ୍ରିଜିମ୍  ଅଦୃଶ୍ୟ ହୋଇଗଲା ପରି ଭ୍ରମ ଧାରଣା ସୃଷ୍ଟି ହୁଏ I


 ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

 ଭୋପାଳ












Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ