ଭାରତର ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ

 ଭାରତର ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ


ନିକୁଞ୍ଜ ବିହାରୀ ସାହୁ 


ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ଗତ ଅକ୍ଟୋବର 21 ତାରିଖ ଦିନ ନିଜର ମହତ୍ତ୍ୱକାଂକ୍ଷୀ ମାନବଯୁକ୍ତ କାର୍ଯ୍ୟକ୍ରମ 'ଗଗନଯାନ'ର ଅଂଶ ସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସମ୍ପାଦନ କରିଛି I ଏହି ପରୀକ୍ଷଣରେ ଇସ୍ରୋର ବୈଜ୍ଞାନିକମାନେ ଗଗନଯାନ କାର୍ଯ୍ୟକ୍ରମର ଏକ ମୁଖ୍ୟ ସୁରକ୍ଷା ପ୍ରଣାଳୀ 'ଯାତ୍ରୀ ପଳାୟନ ବ୍ୟବସ୍ଥା (Crew Escape System) ର ସଫଳ ପରୀକ୍ଷଣ କରିଛନ୍ତି    I ଏହି ବ୍ୟବସ୍ଥା ଅନୁଯାୟୀ  ବାହକଯାନ ରକେଟର ପ୍ରାଥମିକ ଉତ୍ତକ୍ଷେପଣ ଓ ଉଡାଣ ପର୍ଯ୍ୟାୟରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଯାତ୍ରୀବାହି କ୍ୟାପସୁଲକୁ ତୁରନ୍ତ ରକେଟରୁ ଅଲଗା କରି ପୃଥିବୀକୁ ନିରାପଦ ଫେରାଇ ଆଣିହେବ I ଏହା  ମହାକାଶଚାରୀମାନଙ୍କୁ କୌଣସି ଜରୁରୀ କାଳୀନ ପରିସ୍ଥିତିରେ ସହାୟତା ପ୍ରଦାନ କରୁଥିବା ଅଭିଯାନର ଏକ ମୁଖ୍ୟ ସୁରକ୍ଷା ବ୍ୟବସ୍ଥା ଯାହା ପ୍ରକୃତ ପ୍ରକ୍ଷେପଣ ସମୟରେ ସୁଚାରୁ କାର୍ଯ୍ୟକ୍ରମ କରିବା ନିହାତି ଆବଶ୍ୟକ, କାରଣ ଯାନ ସ୍ଥିତ ମହାକାଶଚାରୀଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯାଇ ପାରିବ ନାହିଁ I


ଇସ୍ରୋର ଏହି ପରୀକ୍ଷଣ ଅନୁଯାୟୀ, ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ମାନବ ବିହୀନ ଏକ ଯାତ୍ରୀ କ୍ୟାପସୁଲ ବହନ କରୁଥିବା ଗୋଟଏ ତରଳ ଇଞ୍ଜିନ ଚାଳିତ ଏକ-ପର୍ଯ୍ୟାୟ ବିଶିଷ୍ଟ ରକେଟ 'TV D1' କୁ ଉତକ୍ଷେପଣ କରାଯାଇଥିଲା I ଉତକ୍ଷେପଣର ଠିକ 61.1 ସେକେଣ୍ଡ ପରେ ବାହକ ରକେଟଟି ଭୁପୃଷ୍ଠରୁ  11.9 କି. ମି. ଉଚ୍ଚତାରେ ଥାଇ ମ୍ୟାକ 1.21 (ଶବ୍ଦର ବେଗଠାରୁ ସାମାନ୍ୟ ଅଧିକ) ଅର୍ଥାତ ଘଣ୍ଟା ପ୍ରତି 1200 କି. ମି.  ବେଗରେ ଗତି କରୁଥିଲାବେଳେ ଏହି ଜରୁରୀ କାଳୀନ ସୁରକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରା ଯାଇଥିଲା I

ଏହା ଥିଲା ଇସ୍ରୋର ବୈଜ୍ଞାନିକମାନଙ୍କ ପାଇଁ ଏକ ଉଦବେଗ ଓ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ, କାରଣ ଏହି ପରୀକ୍ଷଣ ସଫଳ ନହେଲେ ବହୁ ଆକାଂକ୍ଷିତ ଗଗନଯାନ କାର୍ଯ୍ୟକ୍ରମ ବିଳମ୍ବିତ କିମ୍ବା ସ୍ଥଗିତ ହୋଇଯିବ I ସୌଭାଗ୍ୟକ୍ରମେ, 'ଯାତ୍ରୀ ପଳାୟନ ବ୍ୟବସ୍ଥା'ଟି ନିର୍ଦ୍ଧାରିତ ଯୋଜନା ମତେ କାର୍ଯକ୍ଷମ ହୋଇ ମୂଳଯାନରୁ ଅଲଗା ହୋଇଗଲା I ପୁଣି, ଏହି ବ୍ୟବସ୍ଥାଟି ଭୁପୃଷ୍ଠଠାରୁ 16.9 କି. ମି. ଉର୍ଦ୍ଧ୍ଵରେ ଥିଲାବେଳେ ଏଥିରୁ ଯାତ୍ରୀବାହୀ କ୍ୟାପସୁଲଟି ବିଛିନ୍ନ ହୋଇଗଲା I ଯାତ୍ରୀ କ୍ୟାପସୁଲଟି ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ତ୍ୱରାନ୍ୱିତ ବେଗରେ ଖସୁଥିଲାବେଳେ ଏଥି ସହିତ ସଂଲଗ୍ନ ପାରାସୁଟ କିମ୍ବା ଆକାଶଛତାଗୁଡିକ ଗୋଟିକ ପରେ ଗୋଟିଏ ଖୋଲିବା ଆରମ୍ଭ କରିଥିଲା I ଫଳରେ କ୍ୟାପସୁଲର ବେଗ ମନ୍ଦିତ ହୋଇ ଏହା ସୁରକ୍ଷିତ ଭାବେ ଧୀରଗତିରେ  ବଙ୍ଗୋପ ସାଗରରେ ପତନ ହୋଇଥିଲା I ସେଠାରେ ପୂର୍ବରୁ ସଜାଗ ରହିଥିବା ନୌସେନାର ବୁଡାଳିମାନେ ସଙ୍ଗେ ସଙ୍ଗେ ସମୁଦ୍ରରୁ କ୍ୟାପସୁଲଟିକୁ ଉଦ୍ଧାର କରିଥିଲେ I ପରୀକ୍ଷଣର ଏ ସମସ୍ତ ପର୍ଯ୍ୟାୟ ଯୋଜନା ମୁତାବକ ଅତି ନାଟକୀୟ ଭଙ୍ଗୀରେ ସମ୍ପାଦିତ ହୋଇଥିଲା I ଏ ସଫଳତାରେ ଇସ୍ରୋର ବୈଜ୍ଞାନିକମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା I ଇସ୍ରୋର ଅଧ୍ୟକ୍ଷ ଏସ. ସୋମନାଥ ଦୃପ୍ତ କଣ୍ଠରେ ଘୋଷଣା କଲେ ଯେ ଇପ୍ସିତ 'TV D1' ପରୀକ୍ଷଣ ସଫଳ ହୋଇଛି ଏବଂ ଅଭିଯାନର ସମସ୍ତ ଲକ୍ଷ୍ୟ ହାସଲ ହୋଇଛି I


 ଇସ୍ରୋର 'ଗଗନଯାନ' କାର୍ଯ୍ୟକ୍ରମ ଏକ ମାନବଯୁକ୍ତ ଅଭିଯାନ ହୋଇ ଥିବାରୁ ଏହାର ପ୍ରକ୍ଷେପଣ ପୂର୍ବରୁ ମହାକାଶଯାତ୍ରୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ନିହାତି ଜରୁରୀ I ଯାନକୁ ସଠିକ ରୂପେ ଉତକ୍ଷେପଣ କରି ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ ପୂର୍ବକ ଯାତ୍ରୀମାନଙ୍କୁ ନିରାପଦ ରୂପେ ପୃଥିବୀ ଫେରାଇ ଆଣିବା ଅଭିଯାନର ପ୍ରମୁଖ ଲକ୍ଷ୍ୟ I ଏହା ଏକ କଠିନ ଓ ଜଟିଳ ପ୍ରକ୍ରିୟା ହୋଇ ଥିବାରୁ ଏ କ୍ଷେତ୍ରରେ ଅନେକ ପ୍ରଯୁକ୍ତିଗତ ଆହ୍ୱାନ ରହିବା ସାଙ୍ଗକୁ ଅଭିଯାନର ପଦେ ପଦେ ତ୍ରୁଟି ଘଟିବାର  ସମ୍ଭାବନା ରହିଛି I ସୁତରାଂ ଏହି ଭଳି କିଛି ଅବାଂଛିତ ତ୍ରୁଟି ଦେଖାଗଲେ ଅଭିଯାନକୁ ତୁରନ୍ତ ସ୍ଥଗିତ କରି ଯାତ୍ରୀମାନଙ୍କୁ ନିରାପଦ  ରୂପେ ପୃଥିବୀକୁ  ଫେରାଇ    ଆଣିବା ଅଭିଯାନର ଏକ ପ୍ରମୁଖ ସୁରକ୍ଷା  ବ୍ୟବସ୍ଥା I ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏହି ସୁରକ୍ଷା  ବ୍ୟବସ୍ଥା ସଠିକ  ଓ ସୁଚାରୁରୂପେ କାର୍ଯ୍ୟ କରିବା ନିହାତି ଆବଶ୍ୟକ I ଏହି ଦୃଷ୍ଟିରୁ ଇସ୍ରୋର ସଦ୍ୟତମ 'ଯାତ୍ରୀ ପଳାୟନ ବ୍ୟବସ୍ଥା' ପରୀକ୍ଷଣକୁ ଆଗାମୀ 'ଗଗନଯାନ' ମାନବଯୁକ୍ତ କାର୍ଯ୍ୟକ୍ରମର ଏକ ପ୍ରମୁଖ  ପ୍ରସ୍ତୁତି ସୋପାନ ରୂପେ ବିଚାର କରା ଯାଉଛି I ମାନବଯୁକ୍ତ ଅଭିଯାନର ପ୍ରକୃତ ପ୍ରକ୍ଷେପଣ ପୂର୍ବରୁ ଏହି ଭଳି ଆଉ କିଛି ସୁରକ୍ଷା  ବ୍ୟବସ୍ଥାର ପରୀକ୍ଷଣ ସମ୍ପାଦନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆ ଯାଇଛି I


ଏହି ଅଭିଯାନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ  ଆଗାମୀ 2024 ମସିହାରେ ସମ୍ପାଦନ କରାଯିବ ଯେତେବେଳେ ଇସ୍ରୋ ତରଫରୁ ନିଜସ୍ୱ ରକେଟ ଜରିଆରେ ମହାକାଶକୁ ଏକ ମାନବ ବିହୀନ କ୍ୟାପସୁଲ ପ୍ରେରଣ କରି ନିରାପଦ ଭାବେ ପୃଥିବୀକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ I ଏହି ଅଭିଯାନରେ କୌଣସି ମାନବ ଅନ୍ତର୍ଭୁକ୍ତ ନଥିଲେ ସୁଦ୍ଧା ଏଥିରେ ମଣିଷର ପ୍ରତୀକ 'ବ୍ୟୋମିତ୍ର' ନାମକ ଏକ ମହିଳା ରୋବଟ ସ୍ଥାନିତ ହେବ I ଏହି ପରୀକ୍ଷଣ ସଫଳ ହେଲେ ଇସ୍ରୋ ପକ୍ଷରେ ମହାକାଶକୁ ମନୁଷ୍ୟ ପ୍ରେରଣ ନିମନ୍ତେ ଏକ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ ହେବ ଏବଂ ଆଗାମୀ 2025 ମସିହା ବେଳକୁ ଇସ୍ରୋ ଦ୍ୱାରା ଏକ ନିଜସ୍ୱ ରକେଟ ଜରିଆରେ ତିନି ଜଣ ଭାରତୀୟ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପ୍ରେରଣ କରି 400 କି ମି. ଉଚତା ବିଶିଷ୍ଟ ଏକ ନିମ୍ନ ପୃଥିବୀୟ କକ୍ଷ (Low Earth Orbit)ପଥରେ ଅବସ୍ଥାପିତ  କରାଯିବ I ଏହି ମହାକାଶଚାରୀମାନଙ୍କ ମଧ୍ୟରେ ଜଣେ ମହିଳା ଯାତ୍ରୀ ମଧ୍ୟ ସ୍ଥାନିତ ହୋଇ ପାରନ୍ତି I ସେମାନେ ମହାକାଶରେ ତିନି ଚାରି ଦିନ ଅବସ୍ଥାନ କରି ସେଠାକାର ଭାରଶୂନ୍ୟ ଅବସ୍ଥାରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ସମ୍ପାଦନ କଲା ପରେ ପୃଥିବୀ ପ୍ରତ୍ୟାବର୍ତନ କରି ବଙ୍ଗୋପ ସାଗର କିମ୍ବା ଭାରତ ମହାସାଗରରେ ଧୀର ଅବତରଣ କରିବେ I


ସୁତରାଂ ମାନବ ମହାକାଶଚାରୀଙ୍କୁ ନିଜସ୍ୱ ଯାନରେ ମହାକାଶକୁ ପ୍ରେରଣ କରି ନିରାପଦରେ ପୃଥିବୀକୁ ଫେରାଇ ଆଣିବା ଯେକୌଣସି ଦେଶ ପାଇଁ ଏକ ବିରାଟ  ଆହ୍ୱାନ ଏବଂ ଏ କ୍ଷେତ୍ରରେ ଉଚ୍ଚକୋଟୀର ଜ୍ଞାନକୌଶଳ ଓ ପ୍ରଯୁକ୍ତିଗତ ପାରଦର୍ଶିତା ଆବଶ୍ୟକ I ଏ ଦୃଷ୍ଟିରୁ ଇସ୍ରୋର ମାନବଯୁକ୍ତ 'ଗଗନଯାନ' ଅଭିଯାନ ବାସ୍ତବତାରେ ରୂପାୟନ ହେଲେ ଏହା ସମଗ୍ର ଦେଶ ପାଇଁ ଯେ ଏକ ଶ୍ରେଷ୍ଠ ଉପଲବ୍ଧି ହେବ ଏଥିରେ ସନ୍ଦେହ ନାହିଁ I ଏହି ଅଭିଯାନ ସଫଳ ହେଲେ ଆମ ଦେଶ ରୁଷିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ଚାଇନା ପରେ ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କ୍ଷେତ୍ରରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହେବ I


ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ

ଫୋନ : 8917637974




To read the same article published in The Samaja dated 30.10.23, please click the following link :


Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ