ଗ୍ରହାଣୁ ଧୂଳିରେ ଜୀବନର ଜାତକ

  

 

ଗ୍ରହାଣୁ ଧୂଳିରେ ଜୀବନର ଜାତକ

ନିକୁଂଜ ବିହାରୀ ସାହୁ

 

        ସେପ୍ଟେମ୍ବର 24 ତାରିଖ, ସମୟ ସକାଳ 8ଟା 42 ମିନିଟ: ଆମେରିକାର ଉଟା  ମରୁଭୂମିସ୍ଥ  ସେନାର ଟେଷ୍ଟ୍ ଏବଂ ଟ୍ରେନିଙ୍ଗ୍ ରେଂଜ୍ ରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ I ସେତେବେଳକୁ ସୁଦୂର 'ବେନୁ' ଗ୍ରହାଣୁରୁ ଆସିଥିବା ଏକ 45 କି.ଗ୍ରା. ଓଜନର   କ୍ୟାପସୁଲ୍ ପୄଥିବୀର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ଅବତରଣ ନିମନ୍ତେ ଘଣ୍ଟା ପ୍ରତି 44,500 କି.ମି. ବେଗରେ ଦୂରନ୍ତ ଗତିରେ ଛୁଟି ଯାଉଥାଏ I  ତୁରନ୍ତ ଏହାର ବେଗ ହ୍ରାସ କରିବା ନିମନ୍ତେ ଏଥି ସହିତ ସଂଲଗ୍ନ ଦୁଇଟି ପାରାସ୍ୟୁଟ୍କୁ ଖୋଲି ଦିଆଗଲା I କାର୍ଯ୍ୟରତ ବୈଜ୍ଞାନିକମାନେ ଆଗ୍ରହର ସହିତ ପ୍ରତୀକ୍ଷା କରିଥା'ନ୍ତି କ୍ୟାପସୁଲଟି ଭୂମି ସ୍ପର୍ଶ କରିବା ମାତ୍ରେ ଏଥିରେ ସ୍ଥାନିତ ଏକ ନମୁନାକୁ  ନିରାପଦ ଭାବରେ ଉଦ୍ଧାର କରିବା ପାଇଁ I ରାଡାର୍ ଓ ଅବଲୋହିତ ତରଙ୍ଗ ବ୍ୟବସ୍ଥା ଜରିଆରେ ଦୄଷ୍ଟିସୀମା ବାହାରେ ଥିବା ଏହି କ୍ୟାପସୁଲ୍କୁ କ୍ରମାଗତ ଟ୍ରାକିଙ୍ଗ୍ କରା ଯାଉଥାଏ I ହଠାତ ଦୂର ଦିଗବଳୟରେ ଏକ କମଳା ରଙ୍ଗର ଛାୟା ଦୄଶ୍ୟ ହେଲା ଯାହା ପ୍ରକୄତରେ ଥିଲା ସେହି ବହୁପ୍ରତୀକ୍ଷିତ କ୍ୟାପସୁଲ୍ I ପରିଶେଷରେ, କ୍ୟାପସୁଲଟି ଘଣ୍ଟା ପ୍ରତି ମାତ୍ର 18 କି.ମି. ବେଗରେ ମରୁଭୂମିର ଏକ କାଦୁଆ ସ୍ଥାନରେ  ଅବତରଣ କଲା I ଏଥି ସହିତ ଘୋଷଣା ଦାୟିତ୍ୱରେ ଥିବା ଜଣେ ଘୋଷକଙ୍କ ମାଇକ୍ ଗର୍ଜି  ଉଠି ସୂଚନା ଦେଲା, 'ଟଚ୍ ଡାଉନ୍ ସକ୍ସେସ୍ଫୁଲ୍' ଅର୍ଥାତ, କ୍ୟାପସୁଲଟି ସଫଳତାର ସହିତ ଭୂମି ସ୍ପର୍ଶ କରିଛି I

    ୟୁଟା ମରୁଭୂମିରେ କ୍ୟାପସୁଲଟିକୁ ଉଦ୍ଧାର କରିବା ପାଇଁ ଅବତରଣସ୍ଥଳୀ ନିକଟରେ ପ୍ରସ୍ତୁତ ହୋଇ ରହିଥିଲେ ଅଭିଯାନ ଓ ସାମରିକ ବାହିନୀର ଉଦ୍ଧାରକାରୀ ଦଳ,ଚାରୋଟି ହେଲିକପ୍ଟର୍ ତଥା ଅନ୍ୟ ସହାୟକ ଯାନସବୁ  I ଉଦ୍ଧାରକାରୀ ଦଳ ସଙ୍ଗେସଙ୍ଗେ କ୍ୟାପସୁଲର ଅବତରଣସ୍ଥଳୀ ନିକଟକୁ ଛୁଟିଯାଇ କ୍ୟାପ୍ସୁଲଟିକୁ ଠାବକରି  ଉଦ୍ଧାର କଲେ I ସେମାନେ କାଳ ବିଳମ୍ବ ନକରି  କ୍ୟାପ୍ସୁଲ୍ ଚାରିପଟେ ଏକ ସ୍ୱତନ୍ତ୍ର ସଫା କପଡା ଢାଙ୍କି ତା'କୁ ଗୋଟିଏ  ହେଲିକପ୍ଟରରେ ଝୁଲାଇ  ନିକଟସ୍ଥ ଏକ ଅସ୍ଥାୟୀ 'କ୍ଲିନ୍ ରୁମ୍'କୁ ସ୍ଥାନନ୍ତରିତ କରାଇଲେ I ମାତ୍ର ବୈଜ୍ଞାନିକମାନେ ଖୋଜୁଥିଲେ ଏହି  କ୍ୟାପସୁଲ ମଧ୍ୟରେ ସୁରକ୍ଷିତ ଥିବା ଥିବା କିଛି ଦୁର୍ଲଭ ପଦାର୍ଥର ନମୁନାକୁ ଯାହା ସୁଦୂର 'ବେନୁ' ଗ୍ରହାଣୁରୁ ସଂଗୄହୀତ ହୋଇଥିଲା I ପରବର୍ତ୍ତୀ ସମୟରେ ଏହି ନମୁନାକୁ ପୄଥକ କରାଯାଇ ସ୍ୱତନ୍ତ୍ର ବିମାନ ଜରିଆରେ ଆକାଶମାର୍ଗରେ ହ୍ୟୁଷ୍ଟନ୍ ସ୍ଥିତ ଜନସନ୍ ଅନ୍ତରୀକ୍ଷ ଉଡ୍ଡାଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରା ଯାଇଥିଲା I ସେଠାରେ  ଏହି ନମୁନାର ପ୍ରାୟ 75% ଭାଗ ସଂରକ୍ଷିତ କରି ରଖାଯାଇ ବାକି ନମୁନାକୁ ନେଇ ଆଗାମୀ ଦୁଇ ବର୍ଷ ମଧ୍ୟରେ ଗବେଷଣାଗାରରେ କଠୋର ପରୀକ୍ଷା ନିରୀକ୍ଷା ତଥା ବିଶ୍ଳେଷଣ କରାଯିବ I ନାସାର ସୂଚନା ମୁତାବକ, କ୍ୟାପସୁଲରେ ପ୍ରାୟ 250 ଗ୍ରାମ୍ ଓଜନର ନମୁନା ରହିଛି ଯାହା ବୈଜ୍ଞାନିକମାନଙ୍କ ଇପ୍ସିତ ପରୀକ୍ଷା ସମ୍ପାଦନ  ନିମନ୍ତେ ଯଥେଷ୍ଟ I  

  ଏହି ଅଭିଯାନରେ ଖର୍ଚ୍ଚ ହୋଇଥିଲା 100 କୋଟି ଡଲାର I   ତେବେ ପ୍ରଶ୍ନ ଉଠେ : ସେହି କ୍ୟାପସୁଲ୍ ମଧ୍ୟରେ କ'ଣ ଦୁର୍ଲଭ ପଦାର୍ଥ ରହିଥିଲା ଯାହା ପାଇଁ ସାରା ବିଶ୍ୱ ଘୋର ଆଗ୍ରହର ସହିତ ପ୍ରତୀକ୍ଷା କରି ରହିଥିଲା ଏବଂ ଏହାର ବିଶ୍ଳେଷଣ ଦ୍ୱାରା  ସମଗ୍ର ମାନବଜାତି ପାଇଁ କି  ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ ହୋଇ ପାରିବ?

ସୌରଜଗତର ସୄଷ୍ଟି

     ଆମ ସୌରଜଗତର ସୄଷ୍ଟି ମନୁଷ୍ୟ ପାଇଁ ସଦାସର୍ବଦା ଏକ ରହସ୍ୟ ରୋମାଞ୍ଚଘେରା ପ୍ରସଙ୍ଗ ହୋଇ ରହି ଆସିଛି I  ସୂର୍ଯ୍ୟ ଓ ଗ୍ରହମାନେ ସୃଷ୍ଟି ହେଲେ କିପରି ? ସୄଷ୍ଟିର ପ୍ରାରମ୍ଭରେ ପଦାର୍ଥର ରୂପରେଖ ଥିଲା କିପରି ? ପୄଥିବୀରେ ଜଳ ଓ ଜୀବନ ଆସିଲା କେଉଁଠୁ ? ଏହି ସବୁ ପ୍ରଶ୍ନର ଉତ୍ତର  ନିମନ୍ତେ ଆମେରିକୀୟ ଅନ୍ତରୀକ୍ଷ ପ୍ରତିଷ୍ଠାନ ନାସାର ଏକ ଅଭିଯାନ 'OSIRIX-REx' ଗତ 2016 ମସିହା ସେପ୍ଟେମ୍ବର 8 ତାରିଖରେ ଅନ୍ତରୀକ୍ଷକୁ ଯାତ୍ରାରମ୍ଭ  କରିଥିଲା I ଏହା 2018 ମସିହା ଡିସେମ୍ବର 3 ତାରିଖ ଦିନ ଆମ ଗ୍ରହାଣୁ ବଳୟର ଏକ କ୍ଷୁଦ୍ର ଗ୍ରହାଣୁ 'ବେନୁ' ନିକଟରେ ପହଞ୍ଚି ନିଜର ଯନ୍ତ୍ରାବଳି ଜରିଆରେ ଦୁଇ ବର୍ଷ କାଳ ବେନୁର ପୃଷ୍ଠଦେଶକୁ ଲକ୍ଷ୍ୟ କରିଥିଲା I ଏହା 2020 ମସିହା ଅକ୍ଟୋବର 20 ତାରିଖରେ ବେନୁର ଅତି ପାଖରେ ପହଞ୍ଚି ନିଜର 11 ଫୁଟ ଲମ୍ବର ଏକ 'ଭ୍ୟାକୁମ୍ ଦଣ୍ଡ' ଉପକରଣ ଜରିଆରେ ଭେନୁ ନିକଟରୁ କିଛି ଧୂଳିକଣା ନମୁନା ସଂଗ୍ରହ କରିଥିଲା I  ଯାନଟି  2021 ମସିହା 10 ତାରିଖରେ ନିଜର ପ୍ରପଲସନ୍ ବ୍ୟବସ୍ଥା ଫାୟାରିଙ୍ଗ୍ ପୂର୍ବକ ଏହି ବିଚିତ୍ର ଓ ବିରଳ ପଦାର୍ଥକୁ ପୄଥିବୀରେ ପହଞ୍ଚାଇବାର  ଦୁର୍ବାର ଲକ୍ଷ୍ୟ ନେଇ ପୄଥିବୀ ଆଡକୁ ଦୀର୍ଘ 190 କୋଟି କି.ମି. ଦୂରତାର ଯାତ୍ରା ଆରମ୍ଭ କରିଥିଲା I ପ୍ରକ୍ଷେପଣର ଦୀର୍ଘ 7 ବର୍ଷ ପରେ ଏହି ଯାନଟି ଗତ  2023 ମସିହା ସେପ୍ଟେମ୍ବର 24 ତାରିଖ ଦିନ 'ବେନୁ' ରୁ ଏହି ଧୂଳି ଓ ମାଟିର  ବିରଳ ନମୁନା ଆଣି ପୄଥିବୀରେ ପହଞ୍ଚାଇବାରେ ସକ୍ଷମ ହୋଇଛି  I ଏହି ନମୁନାରୁ 450 କୋଟି ବର୍ଷ ପୂର୍ବେ ଆମ ସୌରଜଗତ ସୄଷ୍ଟିର କିଛି ଅଜ୍ଞାତ ଓ ଅସମାହିତ ପ୍ରସଙ୍ଗ ଉପରେ  ଆଲୋକପାତ ହୋଇ ପାରିବ ବୋଲି ଆଶା କରାଯାଏ I

            ଏହି ଅଭିଯାନର ସବୁଠାରୁ ଉଲ୍ଲେଖନୀୟ ଦିଗ  ହେଉଛି ଯେ, ନମୁନା ଥିବା କ୍ୟାପସୁଲ୍  ବହନ କରୁଥିବା ଅନ୍ତରୀକ୍ଷ ଯାନଟି ପୄଥିବୀରେ ଅବତରଣ ନକରି ନମୁନାକୁ ଏକ ପାରସୁଟ୍ ଜରିଆରେ ପୄଥିବୀରେ ପହଞ୍ଚାଇବାରେ ସକ୍ଷମ ହୋଇଛି I ପୄଥିବୀପୃଷ୍ଠରୁ ପ୍ରାୟ 1 ଲକ୍ଷ କି.ମି. ଦୂରତା ଉର୍ଦ୍ଧ୍ୱରେ ରହି ଭାରତୀୟ ସମୟ ଅପରାହ୍ନ 4ଟା 12 ମିନିଟ ସମୟରେ ଯାନଟି କ୍ୟାପସୁଲ୍କୁ ପୄଥିବୀ ଅଭିମୁଖେ ବିଛିନ୍ନ କରିଥିଲା, ଯାହା ପ୍ରାୟ ଦୀର୍ଘ 4ଘଣ୍ଟା କାଳ  ମହାଶୂନ୍ୟ ଓ ବାୟୁମଣ୍ଡଳ ମଧ୍ୟରେ  ଯାତ୍ରାକରି ରାତି 8ଟା 23 ମିନିଟ ସମୟରେ ୟୁଟା ମରୁଭୂମିରେ ପାରାସୁଟ୍ ଜରିଆରେ ନିରାପଦ ଅବତରଣ କରିଥିଲା I ଏହା ପରେ  ମୂଳ ଅନ୍ତରୀକ୍ଷ ଯାନଟି ନିଜର ଇଂଜିନ୍କୁ ପୁନଃ  ଫାୟାରିଙ୍ଗ୍ କରି ଗ୍ରହାଣୁ ବଳୟର ଅନ୍ୟ ଏକ  ସୁଦୂର ଗ୍ରହାଣୁ 'ଏପୋଫିସ୍' ଅଭିମୁଖେ ନୂତନ ଅନୁସନ୍ଧାନ ନିମନ୍ତେ ଯାତ୍ରା ଆରମ୍ଭ କରି ଦେଇଥିଲା ଯେଉଁଠି ଏହା ଆଗାମୀ 2029 ମସିହାରେ ପହଞ୍ଚିବ I  

         ବେନୁ ଗ୍ରହାଣୁର ନମୁନାର ବିଶ୍ଳେଷଣ ଜରିଆରେ ବୈଜ୍ଞାନିକମାନଙ୍କୁ  ସୄଷ୍ଟିର ପ୍ରାରମ୍ଭ କାଳରେ ଘଟିଥିବା ସୌରଜଗତ ଜନ୍ମ ତଥା ଆମ ଗ୍ରହ ପୄଥିବୀରେ ଜୀବନର ଅଭ୍ୟୁଦୟ କିପରି ହୋଇଥିଲା ସୂଚନା ମିଳିବ I  ଆହୁରି ମଧ୍ୟ, ଏହା ଦ୍ୱାରା ପୄଥିବୀ ଅଭିମୁଖେ ସମ୍ଭାବ୍ୟ ସଂଘର୍ଷପଥରେ ଅଗ୍ରସର ହେଉଥିବା  କିଛି ଗ୍ରହାଣୁଙ୍କ ସମ୍ପର୍କରେ ମଧ୍ୟ ଜାଣିବା ପାଇଁ ସୁଯୋଗ ମିଳିବ I  ଏପରି କିଛି ବିପଜ୍ଜନକ ଗ୍ରହାଣୁର ସନ୍ଧାନ ମିଳିଲେ ସେମାନଙ୍କୁ ଯଥେଷ୍ଟ ପୂର୍ବରୁ ଠାବକରି ତଥା  ପୄଥିବୀରେ ଧକ୍କା ଜନିତ  ବିପଦ ଘଟାଇବା ପୂର୍ବରୁ ସେଗୁଡିକୁ  ଶକ୍ତିଶାଳୀ ରକେଟ୍ ଦ୍ୱାରା ଆଘାତ ପୂର୍ବକ ଧ୍ୱଂସ କରି ପାରିଲେ ଯାଇ ଆମର ଗ୍ରହ ପୄଥିବୀକୁ ସୁରକ୍ଷିତ ରଖିହେବ I ସୁତରାଂ ସୁଦୂର ଗ୍ରହାଣୁଙ୍କ କ୍ଷେତ୍ରରେ ଏଭଳି  କଠିନ ଓ ଉଚ୍ଚ ଜ୍ଞାନକୌଶଳଯୁକ୍ତ  କାର୍ଯ୍ୟକୁ ବାସ୍ତବତାରେ ରୂପାୟନ  କରିବା ପାଇଁ ହେଲେ ଆମକୁ ସେମାନଙ୍କ ଗଠନ, କ୍ରମବିକାଶ ତଥା ଅନ୍ତରୀକ୍ଷରେ ଅବସ୍ଥାନ ଓ ଗତି ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସମ୍ୟକ ତଥା ନିରନ୍ତର  ଜ୍ଞାନ ଆହରଣ କରିବାକୁ ପଡିବ I

ରହସ୍ୟମୟ ଗ୍ରହାଣୁ ବେନୁ

  ଗତ 1999 ମସିହାରେ ଆମ ସୌରମଣ୍ଡଳରେ ମଙ୍ଗଳ ଓ ବୄହସ୍ପତି ଗ୍ରହ ମଧ୍ୟରେ ବିଦ୍ୟମାନ ଗ୍ରହାଣୁ ବଳୟରେ ଆବିଷ୍କାର କରାଯାଇଥିବା ଏହି କ୍ଷୁଦ୍ର ଗ୍ରହାଣୁଟି ପ୍ରତି 6 ବର୍ଷରେ ଥରେ ପୄଥିବୀର ନିକଟବର୍ତ୍ତୀ ହୋଇଥାଏ I ଏହା ଦେଖିବାକୁ ଆକାରରେ ଏକ ନଟୁ ସଦୃଶ I  ଏହା ଏତେ ଛୋଟ ଯେ ଏହାର ବ୍ୟାସ ମାତ୍ର ଅଧ କିଲୋମିଟର ପରିମିତ I ନିଜ କକ୍ଷପଥରେ  ସୂର୍ଯ୍ୟଠାରୁ ଏହାର ହାରାହାରି ଦୂରତା 16.8 କୋଟି କିଲୋମିଟର ଏବଂ ଏହା ସୂର୍ଯ୍ୟକୁ ଥରେ ପରିକ୍ରମା କରିବା ପାଇଁ  ପ୍ରାୟ 1.2 ବର୍ଷ ସମୟ ନେଇଥାଏ I ଏହା ମାତ୍ର 4.3 ଘଣ୍ଟା ସମୟ ଅନ୍ତରାଳରେ ନିଜ ଅକ୍ଷ ଚାରିପଟେ ଏକ ସମ୍ପୂର୍ଣ୍ଣ ଘୂର୍ଣ୍ଣନ ସମାପ୍ତ କରିଥାଏ; ସୁତରାଂ ଏହାର ଦିନ ଓ ରାତିର ଅବଧି ପ୍ରାୟ ଦୁଇ ଦୁଇ ଘଣ୍ଟା I ଏହାର ଜନ୍ମ ପ୍ରାୟ 4.5 କୋଟି ବର୍ଷ ପୂର୍ବେ ହୋଇଥିଲା I ଏହା ଗ୍ରହାଣୁ ବଳୟର   କୌଣସି ବଡ କାର୍ବନ୍ ଯୁକ୍ତ ଗ୍ରହାଣୁ ଭାଙ୍ଗିଯିବା ଦ୍ୱାରା ତା'ର ଭଗ୍ନାବଶେଷରୁ  ସୃଷ୍ଟି ହୋଇଥିବାର ବିଶ୍ୱାସ କରାଯାଏ I  ଏହାର ପୄଷ୍ଠଦେଶ ଅତ୍ୟନ୍ତ ରୁକ୍ଷ ଓ ବନ୍ଧୁର ଯାହା କେବଳ  ଶିଳା ଓ ପଥର ଦ୍ୱାରା ଢଙ୍କା I ଏହାର ସବୁଠାରୁ ବଡ ପଥରର ଲମ୍ବ 72 ଫୁଟ I ଗ୍ରହାଣୁଟିର ସ୍ୱଳ୍ପ ମହାକର୍ଷଣ ବଳ ହେତୁ ଏହାର କୌଣସି   ବାୟୁମଣ୍ଡଳ ଧାରଣର ସାମର୍ଥ୍ୟ  ନାହିଁ I ଏହାର ଦିନ ସମୟରେ ସର୍ବାଧିକ ତାପମାତ୍ର 116 ଡିଗ୍ରୀ ସେଲସିୟସ୍ ହୋଇଥିଲାବେଳେ ରାତି ସମୟର ସର୍ବନିମ୍ନ ତାପମାତ୍ରା -100 ଡିଗ୍ରୀ ସେଲସିୟସ୍ I ସୌରଜଗତର ଜନ୍ମ ତଥା ପୄଥିବୀରେ ଜୀବନସୄଷ୍ଟିର ପ୍ରାରମ୍ଭ କାଳରେ ଥିବା କିଛି ଜୈବିକ ଅଣୁ ସମୟର କରାଳ ସ୍ରୋତରେ ପରିବର୍ତ୍ତିତ ନହୋଇ  ଅକ୍ଷତ ରୂପରେ ଏହି ବେନୁ ଗ୍ରହାଣୁରେ ଏବେବି  ବିଦ୍ୟମାନ ଥିବାର ବିଶ୍ୱାସ କରାଯାଏ I

 3.5x1015 ଡିଗ୍ରୀ ସେଲସିୟସ୍ ତାପମାତ୍ରାର ଏକ ଝୋଳ

     ଆମର ବିଶ୍ୱ 1380 କୋଟି ବର୍ଷ ପୂର୍ବେ 'ବିଗ୍ ବ୍ୟାଙ୍ଗ୍' ନାମକ ଏକ ବିଶାଳ  ବିସ୍ଫୋରଣ ଦ୍ୱାରା  ସୃଷ୍ଟି ହୋଇଥିଲା ବୋଲି ବୈଜ୍ଞାନିକମାନଙ୍କ ମତ I ସେତେବେଳେ ବିଶ୍ୱ  ଅତ୍ୟନ୍ତ ଉତ୍ତପ୍ତ ଓ ଅତିଶୟ ଘନ ପିଣ୍ଡ  ରୂପରେ  ରହିଥିଲା ଏବଂ  ପଦାର୍ଥର ସଂରଚନା ଓ ରୂପରେଖ ଏବେଠାରୁ ବହୁ ଗୁଣରେ ଭିନ୍ନ ଥିଲା I ବିଗ୍ ବ୍ୟାଙ୍ଗ୍ ର ମାତ୍ର 10-12 ସେକେଣ୍ଡ ସମୟ ପରେ ପଦାର୍ଥ କ୍ୱାର୍କ, ଗ୍ଲୁଅନ୍ ଓ ଇଲେକ୍ଟ୍ରନ୍ ଭଳି ଅନ୍ୟ କଣିକା ସମୂହର ଏକ ବିଚିତ୍ର ଘନ ତରଳିକୄତ ଅବସ୍ଥାରେ ଥିଲା I ସେତେବେଳେ ଏହି ବିଚିତ୍ର ଝୋଳର ତାପମାତ୍ରା ଥିଲା   3.5x1015 ଡିଗ୍ରୀ ସେଲସିୟସ୍ I  ଏହାର 10-6 ସେକେଣ୍ଡ ପରେ ଅବପରମାଣବିକ କଣିକାସବୁ ଯେପରି ପ୍ରୋଟୋନ୍ ଓ ନିଉଟ୍ରନ୍ ମାନ ସୃଷ୍ଟି ହେଲେ ଏବଂ ଏହାର ଆଉ 3 ମିନିଟ୍ ପରେ  ତାପମାତ୍ରା 1015 ଡିଗ୍ରୀ ସେଲସିୟକୁ ଖସି ଆସିବାରୁ ଏହିସବୁ କଣିକା ପରସ୍ପର ସହିତ ସଂଯୋଜିତ ହୋଇ ପରମାଣୁର ପ୍ରଥମ ନିଉକ୍ଲିୟସ୍ ଜନ୍ମ ନେଲା I ବିଗ୍ ବ୍ୟାଙ୍ଗ୍ ର 3,00,000 ବର୍ଷ ପରେ ତାପମାତ୍ରା 60,000 ଡିଗ୍ରୀ ସେଲସିୟସ୍ ଥିଲାବେଳେ ପ୍ରଥମ 'ପରମାଣୁ' ସୄଷ୍ଟି ହେଲା I ଏହାର ଆଉ 1 ଅୟୁତ କୋଟି ବର୍ଷ ପରେ ନିହାରିକାମାନ ସୃଷ୍ଟି ହେଲେ I ପୁଣି, ନୀହାରିକାରୁ ତାରାଗଣ ଏବଂ ତାରାରୁ ଗ୍ରହ ଓ ଗ୍ରହାଣୁ ସମୂହ ଜନ୍ମ ନେଲେ I ଘଟଣାକ୍ରମେ,  ପ୍ରାୟ 450 କୋଟି ବର୍ଷ ତଳେ, ଆମର ସୌରଜଗତ ସୄଷ୍ଟି ହୋଇ ପୃଥିବୀ ଭଳି କିଛି ଅଦ୍ୱିତୀୟ ଗ୍ରହରେ ଜୀବନର ସୂତ୍ରପାତ ହେଲା ଏବଂ ଏହିପରି ଭାବରେ ଆମର ଦୄଶ୍ୟମାନ ବିଶ୍ୱ ବିକଶିତ ହେଲା I

     ମାତ୍ର ଇତି ମଧ୍ୟରେ ଆମ ପୄଥିବୀରେ  ପାଣିପାଗ ଜଳବାୟୁର ପରିବର୍ତ୍ତନ  ତଥା ଟେକଟୋନିକ ପ୍ରକ୍ରିୟା ଆଦି କାରଣରୁ ସୄଷ୍ଟି ଆରମ୍ଭର ସେହି ଆଦିମ ପଦାର୍ଥର ରୂପରେଖ ବହୁମାତ୍ରାରେ ପରିବର୍ତ୍ତିତ ହୋଇ ସାରିଲାଣି ଏବଂ ଏବେକାର ଏହି ପଦାର୍ଥ ଜରିଆରେ ବିଶ୍ୱ ସୄଷ୍ଟିର ସେହି ସୁଦୂର ମୁହୂର୍ତ୍ତକୁ ଦୄଷ୍ଟିପାତ କରିବା ସମ୍ଭବ ନୁହେଁ I ଆଉ ଏହା ହିଁ ହେଉଛି ଆମ ସୌରଜଗତ ସୄଷ୍ଟି ରହସ୍ୟର ଉଦଘାଟନ କ୍ଷେତ୍ରରେ ଏକ ମୂଖ୍ୟ ସମସ୍ୟା I ମାତ୍ର ଏବେବି କିଛି  ସୁଦୂର ମହାକାଶୀୟ ପିଣ୍ଡରେ ଅନ୍ତରୀକ୍ଷର ଆଶାତୀତ ଶୀତଳତମ ତାପମାତ୍ରାରେ ପଦାର୍ଥ ପାରମାଣବିକ ସ୍ତରରେ ବିଘଟିତ ନହୋଇ ସୃଷ୍ଟି ସମୟର ସେହି ପ୍ରାଚୀନ ଓ ଆଦିମ ଅବସ୍ଥାରେ ଅଟକି ରହି ଥିବାର ବିଶ୍ୱାସ କରାଯାଏ I

     ନାସାର ସଦ୍ୟତମ ଅଭିଯାନ ଆଗାମୀ ଦିନରେ 'ବେନୁ' ଗ୍ରହାଣୁରୁ ଆସିଥିବା ସେଭଳି କିଛି ଦୁର୍ଲଭ ପଦାର୍ଥର ବିଶ୍ଳେଷଣ ଜରିଆରେ ବିଶ୍ୱ ତଥା ସୌରଜଗତ ସୄଷ୍ଟିର ପ୍ରାରମ୍ଭକାଳର  ସେହି ଅଭାବନୀୟ ଇତିହାସକୁ ଦୄଷ୍ଟିପାତ ସଙ୍ଗେ ସଙ୍ଗେ ଆମ ଗ୍ରହ ପୄଥିବୀରେ ଜଳ ଓ ଜୀବନର ସୄଷ୍ଟି ସମ୍ପର୍କରେ ଥିବା ରହସ୍ୟ ବଳୟର ପର୍ଦ୍ଦାଫାସ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ I        

ଏଜୁକେଶନ୍ ଅଫିସର୍

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ



  To read the same article published in the Daritri dtd 2.10.23 and 16.10.23 , please click the following link:


and



To read the same article published in The Sakala dtd 12.10.23, pl click the following link:

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ