ଭାରତର ସୌର ଅଭିଯାନ
ଭାରତର ସୌର ଅଭିଯାନ
ନିକୁଞ୍ଜ ବିହାରୀ ସାହୁ
ଗତ ସେପ୍ଟେମ୍ବର 2 ତାରିଖ ,
ସମୟ ଅପରାହ୍ନ 12 ଟା 53 ସମୟ I ଇସ୍ରୋର
ବେଙ୍ଗାଲୁରୁ ସ୍ଥିତ କଣ୍ଟ୍ରୋଲ୍ ରୁମ୍ ରେ ଏକ ଉତ୍କଣ୍ଠା ଓ ଉଦବେଗ ପୂର୍ଣ୍ଣ ମୁହୂର୍ତ୍ତ
I ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ ଏଲ୍-1 ଉପଗ୍ରହକୁ ବହନ କରୁଥିବା
ରକେଟ୍ ପି.ଏସ୍.ଏଲ୍.ଭି. ସି-57 ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ
ଉତକ୍ଷେପଣ କେନ୍ଦ୍ରରୁ ନିର୍ଦ୍ଧାରିତ ଯୋଜନାମତେ ଅନ୍ତରୀକ୍ଷକୁ ଯIତ୍ରା କରିଛି I ଉତକ୍ଷେପଣର 1 ଘଣ୍ଟା 3 ମିନିଟ ସମୟ ଅତିବାହିତ ହୋଇ ସାରିଥାଏ
I ଏତିକିବେଳେ ବାହକ ରକେଟଯାନରୁ ଆଦିତ୍ୟ ଉପଗ୍ରହ
ବିଛିନ୍ନ ହୋଇ କକ୍ଷପଥରେ ଅବସ୍ଥାପିତ
ହେବା କଥା I ଏହା ଅଭିଯାନର
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ଏଥି ନିମନ୍ତେ ଉଚ୍ଚକୋଟୀର ଜ୍ଞାନକୌଶଳ ଓ
ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଆବଶ୍ୟକ I ବିଶ୍ୱ ସାରା ଅବସ୍ଥିତ ବିଭିନ୍ନ
ଟ୍ରାକିଙ୍ଗ୍ କେନ୍ଦ୍ରରେ ଆଦିତ୍ୟକୁ ନିରନ୍ତର ଠାବ କରା ଯାଉଥାଏ I ବେଳେବେଳେ
ଆଦିତ୍ୟ ଟ୍ରାକିଙ୍ଗ୍ ପରିସରରୁ ବାହାରକୁ ଚାଲିଯାଇ ରାଡାର୍ ପରଦାରୁ କ୍ଷେଣିକ ପାଇଁ ଅନ୍ତର୍ହିତ ହୋଇ ଯାଉଥାଏ I ମାତ୍ର ସେତେବେଳେ ସମସ୍ତଙ୍କ ନଜର କେନ୍ଦ୍ରିତ ଥିଲା ସୁଦୂର ପ୍ରଶାନ୍ତ ମହାସାଗର
ମଧ୍ୟସ୍ଥ ଫେଞ୍ଚ୍ ଗାୟାନା ଦ୍ୱୀପପୁଂଜ ସ୍ଥିତ 'କୁରୁ' ଟ୍ରାକିଙ୍ଗ୍ କେନ୍ଦ୍ର ଉପରେ ; କାରଣ, ସେହି କେନ୍ଦ୍ର ହିଁ ଆଦିତ୍ୟ ମୂଳଯାନରୁ ସଫଳତାର ସହିତ
ବିଛିନ୍ନ ହୋଇ କକ୍ଷରେ ଅବସ୍ଥାପିତ ହେବାର
ସୁସମ୍ବାଦ ପ୍ରଦାନ କରିବ I
ଏତିକିବେଳେ ଇସ୍ରୋର ଟେଲିମେଟ୍ରି ଓ ଟ୍ରାକିଙ୍ଗ୍ ଦାୟିତ୍ୱରେ ଥିବା ନିର୍ଦ୍ଦେଶକ ମହାଶୟ
ଦୄପ୍ତ କଣ୍ଠରେ ଘୋଷଣା କଲେ, 'କୁରୁ କେନ୍ଦ୍ରରୁ ଶୁଭ ସମ୍ବାଦ ଆସିଛି: ସେପାରେସନ୍
ସକ୍ସେସଫୁଲ୍, ଅର୍ଥାତ ଆଦିତ୍ୟ ସଫଳତାର ସହିତ ମୂଳଯାନରୁ ଅଲଗା ହୋଇ କକ୍ଷରେ ଅବସ୍ଥାପିତ
ହୋଇ ଯାଇଛି ଏବଂ ଅଭିଯାନର ଲକ୍ଷ୍ୟ ପୂରଣ ହୋଇଛି I' ଏହା ପରେ ଇସ୍ରୋର ଅଧ୍ୟକ୍ଷ ଏସ୍.
ସୋମନାଥ ଏବଂ ଆଦିତ୍ୟ ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶିକା ନିଗର ସାଜି ଘୋଷଣା କଲେ ଯେ, ଆଦିତ୍ୟ ସଫଳତାର ସହିତ ମୂଳଯାନରୁ
ବିଛିନ୍ନ ହୋଇ ପୄଥିବୀ ଚାରିପଟେ ଏକ 235 କି.ମି.
ସର୍ବନିମ୍ନ ଦୂରତା ଓ 19500 କି.ମି. ସର୍ବାଧିକ
ଦୂରତା ବିଶିଷ୍ଟ ଅଣ୍ଡାକୃତି କକ୍ଷପଥରେ ଅବସ୍ଥାପିତ ହୋଇଛି I ଏହା
କିଛି ଦିନ ପୄଥିବୀକୁ ପରିକ୍ରମା କଲାପରେ ଅନ୍ତରୀକ୍ଷରେ ସୂର୍ଯ୍ୟ ଆଡକୁ ଦୀର୍ଘ 4ମାସ କାଳ ଯାତ୍ରା କରି 'ଲାଗ୍ରାଂଜ ଏଲ୍-1' ବିନ୍ଦୁ ନିକଟରେ ପହଞ୍ଚିବ
ଏବଂ ସେହି ସ୍ଥାନରୁ ରହି ନିଜର ବୈଜ୍ଞାନିକ
ଉପକରଣ ଜରିଆରେ ସୂର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବ
I
ଏହି ଅଭିଯାନ ପାଇଁ ଖର୍ଚ୍ଚ ହେବ 378 କୋଟି ଟଙ୍କା I ତେବେ ପ୍ରଶ୍ନ ହେଉଛି, ଭାରତ ଭଳି ଏକ ବିକାଶଶୀଳ
ରାଷ୍ଟ୍ର ପକ୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ୟାସ୍ ର ଏକ ଜଳନ୍ତା ପିଣ୍ଡୁଳା ସୁଦୂର 'ସୂର୍ଯ୍ୟ' ନିମନ୍ତେ ଏକ ଅଭିଯାନ ପଠାଇବାର ଉଦ୍ଦେଶ୍ୟ
କ'ଣ?
ସୂର୍ଯ୍ୟ ଆମର ସୌରଜଗତର ପ୍ରାଣକେନ୍ଦ୍ର I ସୂର୍ଯ୍ୟରୁ ଆସୁଥିବା ଆସୁଥିବା ଆଲୋକ ଓ ଉତ୍ତାପ ଆମ ପୄଥିବୀରେ ପ୍ରବେଶକରି ଜୀବନ ବଞ୍ଚିବା ପାଇଁ ଏକ ସୁହନୀୟ ବାତାବରଣ ସୄଷ୍ଟି କରେ I ସୂର୍ଯ୍ୟ ଏକ ତାରା ଯାହା 450 କୋଟି ବର୍ଷ ପୂର୍ବେ ଧୂଳି ଓ ଗ୍ୟାସ୍ ର ଗୋଟିଏ ପ୍ରକାଣ୍ଡକାୟ ବାଦଲରୁ ଜନ୍ମ ହୋଇଥିଲା I ସୂର୍ଯ୍ୟର ନିଜସ୍ୱ ଶକ୍ତି ଉତ୍ସ ରହିଛି I ଏହା ମୂଖ୍ୟତଃ ହାଇଡ୍ରୋଜେନ୍ ଗ୍ୟାସ୍ ରେ ଗଢା I ଏହାର କେନ୍ଦ୍ର ଏକ ବିରାଟ ପରମାଣୁ ରିଆକ୍ଟର ସଦୄଶ I ଅଭ୍ୟନ୍ତରର ପ୍ରଚଣ୍ଡ ତାପମାତ୍ରାରେ ହାଇଡ୍ରୋଜେନର ନାଭିକମାନ ଏକ ତାପ-ନାଭିକୀୟ ସଂଯୋଜନ ପ୍ରକ୍ରିୟା ଜରିଆରେ ପରସ୍ପର ସହିତ ସଂଯୋଜିତ ହୋଇ ହିଲିୟମ୍ ର ନାଭିକସବୁ ସୄଷ୍ଟି କରିଥା'ନ୍ତି ଏବଂ ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ଉତ୍ପନ୍ନ ହୋଇ ଚତୁପାର୍ଶ୍ୱକୁ ଉତ୍ସର୍ଜନ ଘଟେ I ନିର୍ଗତ ଶକ୍ତି ସହିତ ମଧ୍ୟ ବହୁ ଶକ୍ତିମନ୍ତ ଚାର୍ଜିତ କଣିକାମାନଙ୍କର ଉତ୍ସର୍ଜନ ଘଟିଥାଏ I ଏହି ଶକ୍ତି ଓ କଣିକାସବୁ ଅନ୍ତରୀକ୍ଷରେ ଚତୁପାର୍ଶ୍ୱକୁ ଅନେକ ଦୂର ସଞ୍ଚରିତ ହୋଇଥା'ନ୍ତି ଓ ଆମ ସୌରଜଗତକୁ ବହୁଭାବରେ ପ୍ରଭାବିତ କରିଥା'ନ୍ତି I ସୂର୍ଯ୍ୟ ଏକ ମଧ୍ୟବୟସ୍କ ନକ୍ଷତ୍ର ଏବଂ ଏହା ମହାକାଶରେ ଆହୁରି 450 କୋଟି ବର୍ଷ କାଳ ବଞ୍ଚି ରହିବ I
ସୂର୍ଯ୍ୟର ବାୟୁମଣ୍ଡଳ ବୈଜ୍ଞାନିକମାନଙ୍କ
ପାଇଁ ସଦାସର୍ବଦା ଏକ ଅସମାହିତ ରହସ୍ୟ ହୋଇ ରହି ଆସିଛି I ପୄଥିବୀରୁ ଦୄଶ୍ୟମାନ ସୂର୍ଯ୍ୟବିମ୍ବକୁ
ଆମେ ସାଧାରଣତଃ 'ଆଲୋକ ମଣ୍ଡଳ' ବୋଲି କହିଥାଉ
ଯାହାର ତାପମାତ୍ରା ପ୍ରାୟ 5500 ଡିଗ୍ରୀ ସେଲସିୟସ୍ I ଏହାକୁ
ଲାଗି ସୂର୍ଯ୍ୟର 'ବାୟୁମଣ୍ଡଳ' ପରିବ୍ୟାପ୍ତ I ସୌର ବାୟୁମଣ୍ଡଳର ପ୍ରଥମ ସ୍ତରର ନାମ 'ବର୍ଣ୍ଣ ମଣ୍ଡଳ' ଏବଂ ଏହାକୁ ଲାଗି ବିଦ୍ୟମାନ 'କିରୀଟ ମଣ୍ଡଳ' ବା 'କରୋନା' I ବେଳେବେଳେ ସୂର୍ଯ୍ୟର ପୄଷ୍ଠଦେଶ ଅତ୍ୟନ୍ତ ଅସ୍ଥିର ଓ ଅଶାନ୍ତ ହୋଇ ଉଠେ I ସୂର୍ଯ୍ୟପୄଷ୍ଠରେ ତୀବ୍ର ଚୁମ୍ବକୀୟ କ୍ଷେତ୍ରମାନ କେନ୍ଦ୍ରିତ ହୋଇ ଶକ୍ତିଶାଳୀ
ବିଦ୍ୟୁତ-ଚୁମ୍ବକୀୟ ଝଡମାନ ସୃଷ୍ଟି କରେ ଯାହା ବହୁଭାବରେ ଅନ୍ତରୀକ୍ଷର
ପାଣିପାଗ ଓ ଜଳବାୟୁକୁ ପ୍ରଭାବିତ କରେ I ଏହାର ପ୍ରଭାବରେ ସୂର୍ଯ୍ୟପୄଷ୍ଠର ଅନେକ ସ୍ଥାନରେ
ତାପମାତ୍ରା ଦ୍ରୁତ ହ୍ରାସ ପାଏ ଯାହା କଳା କଳା
ଦାଗ ଆକାରରେ ପୄଥିବୀକୁ ଦୄଶ୍ୟ ହୁଏ I ଏହାକୁ 'ସୌର କଳଙ୍କ' କହନ୍ତି
I ସୂର୍ଯ୍ୟ ଏକ କମାଣ ଭଳି
ମହାକାଶକୁ ଅନବରତ ବିପୁଳ ସଂଖ୍ୟକ ଚାର୍ଜିତ କଣିକାମାନ ବର୍ଷଣ କରିଚାଲେ ଯାହାକୁ ସାଧାରଣତଃ 'ସୌର
ପବନ' କହନ୍ତି I ଏହି କଣିକାମାନ ମହାଶୂନ୍ୟରେ ବହୁ ଦୂର ଗତି କରି
ପୄଥିବୀରେ ପହଞ୍ଚିଥା'ନ୍ତି I ସୂର୍ଯ୍ୟର
ସକ୍ରିୟତା ସମୟରେ ଏହି ଚାର୍ଜିତ କଣିକାମାନଙ୍କ ପ୍ରଭାବରେ ମେରୁ ରାଇଜରେ ବିଚିତ୍ର ଆଲୁଅମାନ
ଦେଖାଯାଏ ଯାହାକୁ 'ମେରୁ ଆଲୁଅ' ବା 'ଅରୋରା' କହନ୍ତି I ଏହି
କଣିକାମାନଙ୍କ ପ୍ରଭାବରେ ପୄଥିବୀସ୍ଥିତ
ବୈଦ୍ୟୁତିକ ଶକ୍ତିକେନ୍ଦ୍ରଗୁଡିକରେ 'ସହଜ ପରିପଥ' ବା 'ସର୍ଟ
ସର୍କିଟ୍' ଅବସ୍ଥା ସୄଷ୍ଟି ହୋଇ
ବୈଦ୍ୟୁତିକ ଉପକରଣ ସବୁ ନଷ୍ଟ ହୋଇଯାଏ ଯାହା କିଛି ବର୍ଷ ତଳେ କାନାଡାର କୁଇବେକ୍ ସହରରେ
ପରିଲକ୍ଷିତ ହୋଇଥିଲା I ଏହି ସୌରପବନର ପ୍ରଭାବରେ ମଧ୍ୟ କକ୍ଷସ୍ଥ କୃତ୍ରିମ ଉପଗ୍ରହସବୁର ବିଦ୍ୟୁତଯୋଗାଣ
ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥାଏ I ସୂର୍ଯ୍ୟପୄଷ୍ଠରୁ ମଧ୍ୟ ଉତ୍ତପ୍ତ ପଦାର୍ଥର ବିଶାଳ ପିଣ୍ଡମାନ ଅନ୍ତରୀକ୍ଷକୁ ଛିଟିକି ପଡି ସୌର ଅନଳଶିଖାମାନ ସୄଷ୍ଟି କରେ I ଆହୁରି ମଧ୍ୟ, ଏହି ସମୟରେ ସୂର୍ଯ୍ୟର କିରୀଟ ମଣ୍ଡଳରୁ
ପ୍ଲାଜମା ପଦାର୍ଥର ବିଶାଳକାୟ ପିଣ୍ଡମାନ ମହାକାଶକୁ ନିର୍ଗତ ହୋଇଥାଏ ଯାହାକୁ 'କିରୀଟ-ମଣ୍ଡଳୀୟ ପଦାର୍ଥ ଉତ୍ସର୍ଜନ' କହନ୍ତି I ଗତ କିଛି ବର୍ଷ ପୂର୍ବେ ଏହିପରି ଏକ ବିଶାଳ ଉତ୍ସର୍ଜନ ପୄଥିବୀର ଅତି ନିକଟ ଦେଇ ଚାଲି ଯାଇଥିଲା ଏବଂ ଏହାର
ପ୍ରଭାବରୁ ଆମ ପୄଥିବୀ ଅତି ଅଳ୍ପକେ ବର୍ତ୍ତି ଯାଇଥିଲା I
ସୁତରାଂ ପୃଥିବୀରେ ଜୀବନକୁ ବଞ୍ଚେଇ
ରଖିବା ପାଇଁ ହେଲେ ଏହାର ପ୍ରାଣକେନ୍ଦ୍ର ସୂର୍ଯ୍ୟକୁ ନିରନ୍ତର ତଥା ଗଭୀର ଅଧ୍ୟୟନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି I ସୂର୍ଯ୍ୟରେ
ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ରମାନ ସୃଷ୍ଟି ହୁଏ କିପରି ଏବଂ ଏହା ଅନ୍ତରୀକ୍ଷର ପାଣିପାଗ ଓ
ଜଳବାୟୁକୁ ପ୍ରଭାବିତ କରେ କିପରି ? ଏହାର
କିରୀଟମଣ୍ଡଳରେ ଅତ୍ୟଧିକ ତାପମାତ୍ରା କେନ୍ଦ୍ରୀଭୂତ ହୁଏ କିପରି? ସୂର୍ଯ୍ୟରୁ ବେଳେବେଳେ
ପ୍ଲାଜମାର ବିଶାଳକାୟ ପିଣ୍ଡମାନ ଛିଟିକି ପଡନ୍ତି କାହିଁକି ଏବଂ ସେଥିରୁ ଆମ ପୄଥିବୀକୁ
ସୁରକ୍ଷିତ ରଖିହେବ କିପରି ଇତ୍ୟାଦି ଇତ୍ୟାଦି ପ୍ରଶ୍ନର ଉତ୍ତର ଖୋଜିବା ନିହାତି ଆବଶ୍ୟକ I
ସୂର୍ଯ୍ୟ ରାଇଜର ଏହିସବୁ ଅସମାହିତ
ରହସ୍ୟର ଉଦଘାଟନ କରିବା ନିମନ୍ତେ ଆଦିତ୍ୟ ଉପଗ୍ରହରେ ସମୁଦାୟ 7ଟି ବୈଜ୍ଞାନିକ ଉପକରଣ ସ୍ଥାନିତ
ଅଛି I ଏଥିରୁ 4ଟି
ଉପକରଣ ଲାଗ୍ରାଂଜ ବିନ୍ଦୁ ଏଲ୍ -1 ଠାରେ ରହି ସିଧାସଳଖ ସୂର୍ଯ୍ୟକୁ ପର୍ଯ୍ୟବେକ୍ଷଣ
କରୁଥିଲାବେଳେ ଅନ୍ୟ 3ଟି ଉପକରଣ ସେହି ସ୍ଥାନରେ ଘଟୁଥିବା ସୂର୍ଯ୍ୟ ବିକିରଣର ପ୍ରଭାବ ,
ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନ ଓ ଚାର୍ଜିତ କଣିକାସବୁର ପରିମାଣ ଇତ୍ୟାଦିକୁ ଅଧ୍ୟୟନ କରିବ I ସୂର୍ଯ୍ୟ ଓ
ପୄଥିବୀ ମଧ୍ୟରେ ସମୁଦାୟ 5ଟି ଲାଗ୍ରାଂଜ ବିନ୍ଦୁ ରହିଛି ଯେଉଁଠାରେ ପୃଥିବୀ ଓ ସୂର୍ଯ୍ୟର
ମାଧ୍ୟାକର୍ଷଣ ବଳ ପରସ୍ପରବୁ ପ୍ରତିହତ କରି ଶୂନ୍ୟ ପରିଣାମୀ ବଳ ସୄଷ୍ଟି ହୋଇଥାଏ I ଫଳରେ ଏହି ବିନ୍ଦୁମାନଙ୍କରେ କୌଣସି ଉପଗ୍ରହକୁ ସ୍ଥାନିତ କରାଗଲେ ତାହା ଏଭଳି ଶୂନ୍ୟ ମାଧ୍ୟାକର୍ଷଣ ପରିସର
ମଧ୍ୟରେ ଅତି ସହଜରେ ଅବସ୍ଥାପିତ ହୋଇ ରହିପାରେ
ଏବଂ ମହାଶୂନ୍ୟରେ ଯାନର ସନ୍ତୁଳନ ସ୍ଥିତି ବଜାୟ ରଖିବା ପାଇଁ ଅତି ସ୍ୱଳ୍ପ ଇନ୍ଧନ ଖର୍ଚ୍ଚ ହୁଏ I ମାତ୍ର ଲାଗ୍ରାଂଜ ବିନ୍ଦୁ ଏଲ୍ -1 ର
କଥା ନିଆରା: ଏହା ପୄଥିବୀଠାରୁ ସୂର୍ଯ୍ୟର ମାତ୍ର ଏକ-ଶତାଂଶ ଦୂରତାରେ
ଅବସ୍ଥିତ I ଅନ୍ୟ ଲାଗ୍ରାଂଜ ବିନ୍ଦୁମାନଙ୍କଠାରୁ ପୄଥିବୀରୁ ଏହା ନିକଟତର ହୋଇ ଥିବାରୁ କମ୍ ଇନ୍ଧନ ଖର୍ଚ୍ଚରେ ମହାକାଶର ଏହି ସ୍ଥାନକୁ
ପୃଥିବୀରୁ ଏକ ଉପଗ୍ରହ ପ୍ରେରଣ କରି ଅବସ୍ଥାପିତ କରାଇବା ସହଜ I ପୁଣି,
ଏହି ସ୍ଥାନରେ ସବୁବେଳେ ଦିନ ହୋଇଥାଏ , ଅର୍ଥାତ କେବେହେଲେ ରାତି ଆସେ
ନାହିଁ I ସୁତରାଂ ଏଠାରେ ରହିଲେ ନିରବଛିନ୍ନ ଭାବରେ ଦିନରାତି ସୂର୍ଯ୍ୟକୁ ଦେଖି ହୁଏ I
ସୁତରାଂ ସୂର୍ଯ୍ୟକୁ ଅଧ୍ୟୟନ କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ଏବଂ ଆମର ଆଦିତ୍ୟ ଉପଗ୍ରହ ମହାଶୂନ୍ୟର ଏହି ଅଭାବନୀୟ
ସ୍ଥାନରେ ରହି ସୂର୍ଯ୍ୟକୁ ନିରୀକ୍ଷଣ
କରିବ I
ଭାରତର ଆଦିତ୍ୟ ଏଲ୍-1 ସୌର
ଅଭିଯାନ ସୌର ରାଇଜର ଏଭଳି କିଛି ରହସ୍ୟ ଓ
ରୋମାଞ୍ଚଘେରା ପ୍ରସଙ୍ଗ ଉପରେ ଆଲୋକପାତ କରିବ
ବୋଲି ଅଶା କରାଯାଏ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ଫୋନ୍ : 8917637974
Comments
Post a Comment