ରକେଟ ଚଢି, ଜହ୍ନ ରାଇଜକୁ ଯିବାରେ ଉଡି
ରକେଟ ଚଢି, ଜହ୍ନ ରାଇଜକୁ ଯିବାରେ ଉଡି
ନିକୁଞ୍ଜ ବିହାରୀ ସାହୁ
ଅଗଷ୍ଟ 23 ତାରିଖ, ସନ୍ଧ୍ୟା 5ଟା 43 ମିନିଟ ସମୟ: ବେଙ୍ଗାଲୁରୁ ସ୍ଥିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ ଇସ୍ରୋର କଣ୍ଟ୍ରୋଲ ରୁମ୍ ରେ ଏକ ଉତ୍କଣ୍ଠା ଓ ଆବେଗପୂର୍ଣ୍ଣ ମୁହୂର୍ତ୍ତ I ଭାର୍ତତର ଅନ୍ତରୀକ୍ଷଯାନ ଚନ୍ଦ୍ରଯାନ -3 ଅନ୍ତରୀକ୍ଷରେ ଦୀର୍ଘ 41 ଦିନ କାଳ ଯାତ୍ରା କଲା ପରେ ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଅବତରଣ କରିବାକୁ ଯାଉଛି I ଅଭିଯାନର ସବୁଠାରୁ କଠିନ ଓ ଜଟିଳ 'ପାୱାର ଡିସେଣ୍ଟ' ଅବତରଣ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥାଏ I କୋଡିଏ ମିନିଟ କାଳର ଏହି ସ୍ୱୟଂଚାଳିତ ଧୀର-ଅବତରଣ ପ୍ରକ୍ରିୟା ବୈଜ୍ଞାନିକମାନଙ୍କ ପାଇଁ ଏକ ଅଗ୍ନିପରୀକ୍ଷାର ବେଳ ତଥା ଘଡିସନ୍ଧି ମୁହୂର୍ତ୍ତ ଯାହା ସାଧାରଣତଃ '20 ମିନିଟ ର ଆତଙ୍କ କାଳ' ନାମରେ ପରିଚିତ I
ଚନ୍ଦ୍ରପୃଷ୍ଠରେ ଏହି ଧୀର-ଅବତରଣ ସୋପାନ ଅଭିଯାନର ସବୁଠାରୁ କଠିନ ଓ ଜଟିଳ ପ୍ରକ୍ରିୟା I ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ପ୍ରଚଣ୍ଡ ବେଗରେ ତ୍ୱରାନିତ ହୋଇ ଚନ୍ଦ୍ରପୄଷ୍ଠ ଆଡକୁ ଦୂରନ୍ତ ଛୁଟି ଯାଉଥିଲାବେଳେ ସଠିକ ସମୟରେ ସଠିକ ଇଂଜିନ୍ କାର୍ଯ୍ୟକ୍ଷମ କରି ଯାନର ଅଗ୍ରଗାମୀ ବେଗ ହ୍ରାସ କରିବା ଆବଶ୍ୟକ I ନହେଲେ , ଯାନଟି ଚନ୍ଦ୍ରପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ ଏବଂ ସାରା ଅଭିଯାନ ବ୍ୟର୍ଥ ପାଲଟି ଯିବ I ଧୀର ଅବତରଣର ଏହି ପ୍ରଯୁକ୍ତିଗତ ଜଟିଳତା ହେତୁ ହିଁ ଏ କ୍ଷେତ୍ରରେ ଏପର୍ଯ୍ୟନ୍ତ ବୁଶ୍ୱର ମାତ୍ର ଏକ-ତୄତୀୟାଂଶ ଉଦ୍ୟମ ସଫଳ ହୋଇଛି ଏବଂ ପୁର୍ବରୁ ଭାରତର ଚନ୍ଦ୍ରଯାନ-2 ଅଭିଯାନ ମଧ୍ୟ ଅସଫଳ ରହିଛି I ଅବତରଣ ସମୟରେ ଚନ୍ଦ୍ରଯାନ-3 ର ତୀବ୍ର ବେଗକୁ ହ୍ରାସ କରିବା ନିମନ୍ତେ ଯାନଟିରେ 800 ନିଉଟନ୍ ସଂଘାତ ବଳ ପ୍ରଦାନ କରି ପାରୁଥିବା ସମୁଦାୟ ଚାରୋଟି ଇଂଜିନର ବ୍ୟବସ୍ଥା ରହିଛି I
ପ୍ରଥମେ, ଯାନଟି ଚନ୍ଦ୍ରପୃଷ୍ଠରୁ 25 କି.ମି. ଉଚ୍ଚତାରେ ଥିବା ସମୟରେ 'ରଫ୍ ବ୍ରେକିଙ୍ଗ' ପ୍ରକ୍ରିୟା ଆରମ୍ଭ କରାଗଲା I ସେତେବେଳେ ଯାନର ବେଗ ଥିଲା 1680 ମି. ସେକେଣ୍ଡ ପ୍ରତି I ପ୍ରାୟ 11 ମିନିଟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହି ବିକ୍ରମ ଅବତରକର ଉଚ୍ଚତାକୁ ଚନ୍ଦ୍ରପୄଷ୍ଠରୁ ମାତ୍ର 7.4 କି.ମି. ଦୂରତା ପର୍ଯ୍ୟନ୍ତ ହ୍ରାସ କରାଯିବା ସହିତ ବେଗକୁ 7.4 ମିଟର ସେକେଣ୍ଡ ପ୍ରତି ମୂଲ୍ୟକୁ ମନ୍ଦିତ କରାଗଲା I ଏହା ପରେ ଦ୍ୱିତୀୟ ସୋପାନ ଆରମ୍ଭ କରାଗଲା ଯାହା ଥିଲା 'ଅଲ୍ଟିଚ୍ୟୁଡ ହୋଲ୍ଡିଙ୍ଗ' ପ୍ରକ୍ରିୟା I ଏହି ସୋପାନକୁ 10 ସେକେଣ୍ଡ ପାଇଁ ଚାଲୁ କରାଗଲା ଏବଂ ବିକ୍ରମ ଅବତରକର ଉଚ୍ଚତାକୁ 7.4 କି.ମି. ରୁ 6.8 କି.ମି. ପର୍ଯ୍ୟନ୍ତ ହ୍ରାସ କରାଗଲା I ପରବର୍ତ୍ତୀ 3 ମିନିଟ ସମୟ ମଧ୍ୟରେ ଯାନର ଉଚ୍ଚତାକୁ କ୍ରମଶଃ 800 ମିଟର ପର୍ଯ୍ୟନ୍ତ ହ୍ରାସ କରାଗଲା I ତା'ପରେ ତୄତୀୟ 'ଫାଇନ୍ ବ୍ରେକିଙ୍ଗ୍' ପର୍ଯ୍ୟାୟକୁ 175 ସେକେଣ୍ଦ ପାଇଁ ଚାଲୁ କରାଯାଇ ବିକ୍ରମକୁ ସମ୍ପୂର୍ଣ୍ଣ ଭୁଲମ୍ବ ରୂପେ ଅବସ୍ଥାପିତ କରାଗଲା ଏବଂ ଏହି ଅବସ୍ଥାରେ ଯାନର ଉଚ୍ଚତା ଚନ୍ଦ୍ରପୃଷ୍ଥରୁ ମାତ୍ର 1 କି.ମି. ରହିଗଲା I ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟୟରେ ବିକ୍ରମ ଚନ୍ଦ୍ରପୄଷ୍ଠର ମାତ୍ର 150 ମିଟର ଦୂରତାରେ ଥିଲାବେଳେ ଯାନର ବେଗକୁ ସମ୍ପୂର୍ଣ୍ଣ ଶୂନ୍ୟ କରି ଦିଆଗଲା ଏବଂ ଯାନଟି ଚନ୍ଦ୍ରପୃଷ୍ଠ ଉପରେ 38 ସେକେଣ୍ଡ ପାଇଁ ନିଶ୍ଚଳ ଭାବେ ଝୁଲନ୍ତା ଅବସ୍ଥାରେ ଲାଖି ରହିଲା I ଏହି ସ୍ଥିତିରେ ଯାନକୁ ସାମାନ୍ୟ ଗତିଶୀଳ କରି ଚନ୍ଦ୍ରପୄଷ୍ଠର ମାତ୍ର 10 ମିଟର ଉଚ୍ଚତାକୁ ଅଣାଗଲା I ପରିଶେଷରେ, ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଆଗତପ୍ରାୟ: ଯାନଟି ପରବର୍ତ୍ତୀ 9 ସେକେଣ୍ଡ ସମୟ ମଧ୍ୟରେ ଶେଷ 10 ମିଟର ଦୂରତା ଅତିକ୍ରମ କରି ଚନ୍ଦ୍ରମାଟିକୁ 6 ଟା 03 ମିନିଟ ସମୟରେ ସୁରକ୍ଷିତ ଭାବେ ସ୍ପର୍ଶ କଲା I ଚନ୍ଦ୍ରଯାନର ଚନ୍ଦ୍ରମାଟିରେ ଧୀର ଅବତରଣର ଏହି ସଫଳତାରେ ଇସ୍ରୋର ବୈଜ୍ଞାନିକମନଙ୍କ ମଧ୍ୟରେ ବିପୁଳ ଉଦ୍ଦୀପନା ଖେଳି ଯାଇଥିଲା I ଉପସ୍ଥିତ ବୈଜ୍ଞାନିକମାନଙ୍କ ମଧ୍ୟରେ ଥିଲେ ଇସ୍ରୋର ଅଧ୍ୟକ୍ଷ ଏସ. ସୋମନାଥ, ଅଭିଯାନର ମିର୍ଦ୍ଦେଶକ ପି. ବିରମୁଥୁବେଲ , ଅଭିଯାନର ଉପନିର୍ଦ୍ଦେଶିକା କେ. କଳ୍ପନା ଏବଂ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ଶହଶହ କର୍ମଚାରୀ I
ପରେ, ଚନ୍ଦ୍ରପୄଷ୍ଠରୁ ଅବତରଣ ଆଘାତ ଜନିତ ନିର୍ଗତ ଧୂଳି ବସି ଯିବାରୁ ବିକ୍ରମ ଅବତରକର ଗୋଟିଏ ଫାଟକ ଖୋଲି ଏକ ଆନତତଳ ଜରିଆରେ 'ପ୍ରଜ୍ଞାନ' ରୋଭରକୁ ଚନ୍ଦ୍ରମାଟି ଉପରକୁ ଗଡାଇ ଦିଆ ଯାଇଥିଲା I ଏହା 6ଟି ଚକା ବିଶିଷ୍ଟ ଭ୍ରମଣଶୀଳ ଏକ ଚକଲଗା ଗାଡି ଯାହା ଆଗାମୀ 14 ଦିନ ପାଇଁ ଚନ୍ଦ୍ରପୄଷ୍ଠରେ ଗଡି ଗଡି ନିଜର ବୈଜ୍ଞାନିକ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରମାଟିର ରାସାୟନିକ ଗଠନ ଓ ସଂରଚନା ଅନୁଧ୍ୟାନ କରିବ I ଏହା ଚନ୍ଦ୍ରପୃଷ୍ଠକୁ ଆସିବା ମାତ୍ରେ ନିଜର ସୌରଫଳକଗୁଡିକୁ ଖୋଲି ସୂର୍ଯ୍ୟାଲୋକରୁ ଶକ୍ତି ଆହରଣ କରିବା ଆରମ୍ଭ କରିଥିଲା I ଏହାର ଚନ୍ଦ୍ରପୄଷ୍ଠରେ ସେକେଣ୍ଡ ପ୍ରତି ଅଧ ସେ.ମି. ବେଗରେ ଗଡିଗଡି ନିଜର 12 ଦିନର ସ୍ୱଳ୍ପ ଜୀବନକାଳ ମଧ୍ୟରେ ସମୁଦାୟ ଅଧ କି.ମି. ଦୂରତା ଅତିକ୍ରମ କରିବ I ଏହା ନିଜର କ୍ୟାମେରା ଜରିଆରେ ଚନ୍ଦ୍ରପୄଷ୍ଠର ଫଟୋ ଉତ୍ତୋଳନ କରି ବିକ୍ରମ ଅବତରକକୁ ପ୍ରେରଣ କରିବ ଯାହା ଚନ୍ଦ୍ରକକ୍ଷରେ ଘୂରୁଥିବା ଚନ୍ଦ୍ରଯାନ-2 ଅର୍ବିଟର ଜରିଆରେ ଭୂପୄଷ୍ଠରେ ଥିବା ଇସ୍ରୋ କାର୍ଯ୍ୟାଳୟକୁ ପ୍ରେରଣ କରିବ I ଇତି ମଧ୍ୟରେ ଇସ୍ରୋ ଚନ୍ଦ୍ରଯାନର ଅବତରକ ଓ ରୋଭର ଦ୍ୱାରା ଚନ୍ଦ୍ରପୄଷ୍ଠରେ ଉତ୍ତୋଳିତ ଏଭଳି କିଛି ଦୁର୍ଲଭ ଫଟୋ ଓ ଭିଡିଓ ଜାରି କରିଛି I
ତେବେ ଚନ୍ଦ୍ରଯାନ-3 ର ଏହି ସଫଳ ଅଭିଯାନ ପରେ ମନରେ ପ୍ରଶ୍ନ ଉଠେ : ଏ ଦିଗରେ ଆମର ପରବର୍ତ୍ତୀ ଲକ୍ଷ୍ୟ କ'ଣ ହେବ I ଚନ୍ଦ୍ରଯାନ-3 ଅଭିଯାନ ମୂଳତଃ ଅନ୍ତରୀକ୍ଷରେ ଏକ ମାନବ ରହିତ କାର୍ଯ୍ୟକ୍ରମ I ଏହି ଅଭିଯାନ ଜରିଆରେ କେବଳ କିଛି ବୈଜ୍ଞାନିକ ଯନ୍ତ୍ରାବଳିକୁ ଚନ୍ଦ୍ରପୄଷ୍ଠରେ ସୁରକ୍ଷିତ ରୂପେ ସ୍ଥାନିତ କରାଯାଇ ପାରିଛି I ଏହି ଯନ୍ତ୍ରାବଳି ଚନ୍ଦ୍ରପୃଷ୍ଠରେ ରହି ଆପେ ଆପେ କାର୍ଯ୍ୟ କରିବେ ଏବଂ ସେଗୁଡିକୁ ପୄଥିବୀକୁ ଫେରାଇ ଆଣିବାର ଆବଶ୍ୟକତା ନାହିଁ I ଏହି ଉପଲବ୍ଧିଠାରୁ ଅଧିକ ଉଚ୍ଚକୋଟୀର ଉପଲବ୍ଧି ହେବ ଚନ୍ଦ୍ରକୁ ମନୁଷ୍ୟ ପ୍ରେରଣ କରି ପୄଥିବୀକୁ ନିରାପଦ ରୂପେ ଫେରାଇ ଆଣିବା କାର୍ଯ୍ୟକ୍ରମ I ଏହା କୌଣସି ମନୁଷ୍ୟ ବିହୀନ ଅଭିଯାନଠାରୁ ଯଥେଷ୍ଟ ଜଟିଳ ଓ କଠିନ ପ୍ରକ୍ରିୟା ଏବଂ ଏ ଦିଗରେ ପଦେ ପଦେ ବିପଦ ରହିଛି I ପ୍ରଥମତଃ, ଚନ୍ଦ୍ରପୄଷ୍ଠରେ ସୂଚାରୂ ରୂପେ ଧୀର-ଅବତରଣ କରି ନପାରିଲେ ଯାନଟି ଚନ୍ଦ୍ରମାଟିରେ ପିଟି ହୋଇ ନଷ୍ଟ ହୋଇଯିବ ଏବଂ ଏଥିରେ ଥିବା ମନୁଷ୍ୟ ମହାକାଶଚାରୀମାନଙ୍କ ମୃତ୍ୟୁ ଘଟିବ I ଦ୍ୱିତୀୟତଃ, ମହାକାଶଚାରୀମନଙ୍କୁ ସୁରକ୍ଷିତ ରୂପେ ପୄଥିବୀ ଫେରାଇ ଆଣିବାକୁ ପଡିବ I ଏଥି ନିମନ୍ତେ ଫେରନ୍ତା ପଥରେ ଯାନକୁ ପୄଥିବୀର ବାୟୁମଣ୍ଡଳ ମଧ୍ୟରେ ପୁନଃପ୍ରବେଶ କରିବାକୁ ପଡିବ I ଏହି ସମୟରେ ଯାନଟି ପୄଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ପ୍ରଚଣ୍ଡ ଗତିରେ ଛୁଟି ଯାଉଥିଲାବେଳେ ବାୟୁମଣ୍ଡଳର ଘର୍ଷଣ ହେତୁ ଯାନର ତାପମାତ୍ରା ବୄଦ୍ଧି ପାଇ ନିମିଷେକ ମଧ୍ୟରେ ପ୍ରାୟ 3000 ଡିଗ୍ରୀ ସେଲସିୟସରେ ପହଞ୍ଚି ଥାଏ ଯେଉଁ ତାପମାତ୍ରାରେ ଲୁହା ସମେତ ଅଧିକାଂଶ ଧାତୁ ତରଳି ଯିବେ I ଏହି ପ୍ରଚଣ୍ଡ ତାପମାତ୍ରାକୁ ସହନ କରିବା ନିମନ୍ତେ ଯାନର ବାହାରପଟେ ସ୍ୱତନ୍ତ୍ର ତାପନିରୋଧକ ଟାଇଲମାନ ଖଂଜା ଥାଏ ଯାହା ଯାନ ସମେତ ଯାନସ୍ଥିତ ମହାକାଶଚାରୀମାନଙ୍କୁ ରକ୍ଷାକରେ I ଏହି ପ୍ରଚଣ୍ଡ ତାପମାତ୍ରାରୁ ଯାନ ତଥା ମହାକାଶଚାରୀମାନଙ୍କୁ ରକ୍ଷା କରିବା ବିଶ୍ୱର ଯେକୌଣସି ଅନ୍ତରୀକ୍ଷ ସଙ୍ଗଠନ ପାଇଁ ଏକ ବିରାଟ ପ୍ରଯୁକ୍ତିଗତ ଆହ୍ୱାନ ଏବଂ ଏଥି ନିମନ୍ତେ ଉଚ୍ଚକୋଟୀର ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହିଛି I ବାୟୁମଣ୍ଡଳରେ ପୁନଃପ୍ରବେଶର ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ଅତୀତର ଅନେକ ଅଭିଯାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାନସ୍ଥିତ ମହାକାଶଚାରୀଙ୍କ ମୄତ୍ୟୁ ଘଟିଛି I ଏ ପ୍ରସଙ୍ଗରେ ଗତ 2003 ମସିହାରେ ଆମେରିକୀୟ ଅନ୍ତରୀକ୍ଷ ସଙ୍ଗଠନ ନାସାର ଏକ ସଟଲ୍ ଯାନ 'କଲମ୍ବିଆ'ର ପୄଥିବୀ ପ୍ରତ୍ୟାବର୍ତ୍ତନ ସମୟରେ ଦୁର୍ଘଟଣା କଥା ସ୍ମରଣ କରା ଯାଇପାରେ ଯେଉଁଥିରେ ଭାରତୀୟ ବଂଶୋଦ୍ଭବ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ସମେତ ସମସ୍ତ ସାତଜଣ ଆରୋହୀଙ୍କ ଅନ୍ତରୀକ୍ଷରେ ଦାରୁଣ ମୃତ୍ୟୁ ଘଟିଥିଲା I
ସୁତରାଂ ଆମେ ଚନ୍ଦ୍ରଯାନ-3 ସଫଳତାରେ ଆତ୍ମହରା ନହୋଇ ଚନ୍ଦ୍ରକୁ କିପରି ନିକଟ ଭବିଷ୍ୟତରେ ଭାରତୀୟ ମହକାଶଚାରୀ ଥିବା ଏକ ଅଭିଯାନ ପଠାଇବା ଚିନ୍ତା କରିବା କଥା I ଏହା ପୁର୍ବରୁ ଚନ୍ଦ୍ରକୁ କେବଳ ଯୁକ୍ତରାଷ୍ଟ୍ର ଆମେରିକା ମନୁଷ୍ୟ ଥିବା ଅଭିଯାନ ପ୍ରେରଣ କରି ପାରିଛି I ରୁଷିଆ ପୂର୍ବରୁ ମହାକାଶକୁ ଅନେକ ମନୁଷ୍ୟ ଥିବା ଅଭିଯାନ ପ୍ରେରଣ କରିଥିଲେ ସୁଦ୍ଧା ଚନ୍ଦ୍ରକୁ ଏପର୍ଯ୍ୟନ୍ତ କୌଣସି ମନୁଷ୍ୟଯୁକ୍ତ ଅଭିଯାନ ପ୍ରେରଣ କରି ନାହିଁ I ଏବେ ଚାଇନା ଆମ ସହିତ ତୀବ୍ର ପ୍ରତିତ୍ୱନ୍ତିତା କରି ଅନ୍ତରୀକ୍ଷ ଅନ୍ୱେଷଣ କ୍ଷେତ୍ରରେ ଆମଠାରୁ କେଇ ପାଦ ଆଗରେ ଅଛି I ଚାଇନା ଗତ 2003 ମସିହାରେ ନିଜର ସେଂଝଉ-5 ମହାକାଶଯାନ ଜରିଆରେ ବିଶ୍ୱର ତୄତୀୟ ରାଷ୍ଟ୍ର ରୂପେ ଅନ୍ତରୀକ୍ଷକୁ ମନୁଷ୍ୟ ପ୍ରେରଣ କରି ସାରିଛି I ଆମର ମନୁଷ୍ୟ ଥିବା ମହତ୍ତ୍ୱାକାଂକ୍ଷୀ 'ଗଗନଯାନ' କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟସୀମାଠାରୁ ବିଳମ୍ବରେ ଚାଲିଛି ଏବଂ ଆଗାମୀ 2024 ମସିହାର ଶେଷ ବେଳକୁ ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କିଛି ଭାରତୀୟ ମହାକାଶଚାରୀ ମହାକାଶଯାତ୍ରା କରିବେ ବୋଲି ଆଶା କରାଯାଏ I ଆମର ଏହି ଅଭିଯାନ ସଫଳ ହେଲେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଚନ୍ଦ୍ରକୁ ମନୁଷ୍ୟ ପଠାଇ ସେଠାରେ ଭାରତର ଏକ ସ୍ଥାୟୀ ଘାଟୀ ନିର୍ମାଣ କଥା ଚିନ୍ତା କରି ପାରିବା I
ସଂପ୍ରତି ପରିବେଶୀୟ ପ୍ରଦୂଷଣ ତଥା ଜଳବାୟୁ ପରିବର୍ତ୍ତନ ଜନିତ କାରଣରୁ ଆମର ସୁନ୍ଦର ଗ୍ରହ ପୄଥିବୀ ଏବେ ଅବକ୍ଷୟମୁଖୀ ଓ ଧ୍ୱଂସପଥର ଯାତ୍ରୀ I ଏହି ଧାରା ଅବ୍ୟାହତ ରହିଲେ ଦିନ ଅସିବ, ଆମର ପୄଥିବୀ ଆଉ ଜୀବନୋପଯୋଗୀ ହୋଇ ରହିବ ନାହିଁ I ସୁତରାଂ ଏହି ବିଶାଳ ବିଶ୍ୱରେ ମନୁଷ୍ୟଜାତିକୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ପୄଥିବୀ ଛାଡି ଅନ୍ୟ ଗ୍ରହ ଗ୍ରହାନ୍ତରରେ ସୁରକ୍ଷିତ ରାଇଜର ସନ୍ଧାନ କରିବାକୁ ପଡିବ I ଆଉ ସେ କ୍ଷେତ୍ରରେ , ଆମର ପଡୋଶୀ ଚନ୍ଦ୍ର ହେବ ଆମର ପ୍ରଥମ ଲକ୍ଷ୍ୟସ୍ଥଳୀ I ଦିନ ଆସିବ, ଯେବେ ପୄଥିବୀରୁ ନିୟମିତ ସଟଲ ଯାନମାନ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଏବଂ ସେଥିରେ ବସି ଦଳଦଳ ପୁରୁଷ ଓ ସ୍ତ୍ରୀ ଚନ୍ଦ୍ର ଯାତ୍ରା କରି ଜହ୍ନ ରାଇଜରେ ନିଜର ଘରସଂସାର ଗଢିବେ I ଭାରତର ଚନ୍ଦ୍ରଯାନ ଅଭିଯାନ ଆମର ସେହି ସୁଦୂର ଓ ଦୁର୍ବାର ଲକ୍ଷ୍ୟକୁ ବାସ୍ତବରେ ରୂପାୟିତ କରିବା ଉଦ୍ୟମରେ ଏକ ପଦକ୍ଷେପ ମାତ୍ର I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ଫୋନ୍ : 8917637974
To read the same article published in The Dharitri dtd 04.09.23 please click the following link :
Comments
Post a Comment