ସ୍ୱପ୍ନ ଓ ସାଧନାର ପ୍ରତୀକ କଳ୍ପନା ଚାୱଲା

                                                            ସ୍ୱପ୍ନ ଓ ସାଧନାର ପ୍ରତୀକ କଳ୍ପନା  ଚାୱଲା

ନିକୁଞ୍ଜ ବିହାରୀ ସାହୁ

 

         ଗତ 2003 ମସିହା ଫେବ୍ରୁଆରୀ ମାସରେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ଏକ ଅନ୍ତରୀକ୍ଷ ଯାନ 'କଲମ୍ବିଆ' ଅନ୍ତରୀକ୍ଷରୁ ପୃଥିବୀ ପ୍ରତ୍ୟାବର୍ତ୍ତନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ଥିବା ସମସ୍ତ ମହାକାଶଯାତ୍ରୀଙ୍କ ମୄତ୍ୟୁ ଘଟିଥିଲା I ଏହି ଯାତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଭାରତୀୟ ମହିଳା କଳ୍ପନା ଚାୱଲା ଯେ ଅଭିଯାନର ଫ୍ଲାଇଟ୍ ଇଂଜିନିୟର ଦାୟିତ୍ୱ ତୁଲାଉଥିଲେ I କଳ୍ପନାଙ୍କ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ତା'ଙ୍କୁ ଏବେ ଅନେକ ସମ୍ମାନ ଓ ସ୍ୱୀକୄତି ମିଳିଲାଣି I  ଆମେରିକା ସରକାର ତା'ଙ୍କ ନାମରେ ଏକ କ୍ଷୁଦ୍ରଗ୍ରହକୁ ନାମିତ କରିଛନ୍ତି. ଭାରତ ସରକାର ମଧ୍ୟ ତା'ଙ୍କ ସ୍ମୄତିରେ ନିଜର ଏକ ପାଣିପାଗ ଉପଗ୍ରହକୁ ନାମିତ କରିବା ସହିତ ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଛନ୍ତି I

ଧୂଳିମାଟିରୁ ମହାକାଶ କନ୍ୟା

      ଏତେ ବଡ ପ୍ରତିଭାର ଅଧିକାରିଣୀ କଳ୍ପନାଙ୍କ କୌଣସି ପ୍ରତିଷ୍ଠିତ ପୃଷ୍ଠଭୂମି ନଥିଲା I  ସେ ହରିଆଣା ରାଜ୍ୟର  ଏକ ଅନାମଧେୟ ସହର କର୍ଣ୍ଣାଲରେ ଏକ କୃଷିଭିତ୍ତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ I ସେ ସେଠାକାର ଏକ ସାଧାରଣ ହିନ୍ଦୀ ମାଧ୍ୟମ ବିଦ୍ୟାଳୟରେ ମାଧମିକ ଶିକ୍ଷାଲାଭ କରିଥିଲେ. ପରେ, ପଂଜାବ ଇଂଜିନିୟରିଙ୍ଗ୍ କଲେଜାରେ ଯୋଗଦାନ କରି ବିମାନ ଚାଳନା ବିଜ୍ଞାନରେ ସ୍ନାତକ ଅର୍ଜନ କରିଥିଲେ I ପରିବାରବର୍ଗଙ୍କ ରକ୍ଷଣଶୀଳ  ଆଭିମୁଖ୍ୟରେ ଦବି ନଯାଇ ସେ ଉଚ୍ଚ ଶିକ୍ଷା ନିମନ୍ତେ ଆମେରିକା ଯାତ୍ରା କରିଥିଲେ I  ସେଠାକାର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟୟନ କରି ସେହି ବିମାନ ଚାଳନା ବିଷୟରେ ପି.ଏଚ. ଡି. ଅର୍ଜନ କରିଥିଲେ I

     ପିଲାଦିନୁ ତାଙ୍କର ଉଚ୍ଚ ଆଶା ଥିଲା ଓ ସୁଦୂରର ଆକର୍ଷଣ ତଥା ଅନ୍ତରୀକ୍ଷର ଆହ୍ୱାନ ତାଙ୍କୁ ଅଭିଭୂତ କରୁଥିଲା I ସେ ନାସାର ମହାକାଶଚାରୀ ଚୟନ ପରୀକ୍ଷାରେ ଭାଗ ନେଇ ବିଶ୍ୱର ବହୁ ନାମୀ ପ୍ରତିଯୋଗୀଙ୍କୁ ପଛରେ ପକାଇ  ପ୍ରଥମ ପ୍ରଚେଷ୍ଟାରେ ହିଁ କୄତକାର୍ଯ୍ୟ ହୋଇଥିଲେ I ସେ ଭଲ କରି ଜାଣିଥିଲେ, ମହାକାଶରେ ଜଣେ ମହାକାଶଚାରୀର ଜୀବନ ଏକ ପାଣି ଫୋଟକା ସଦୄଶ I ତଥାପି ସେ ଜାଣିଶୁଣି ଏପରି ଏକ ଅନୁଶ୍ଚିତ ଭବିଷ୍ୟତ ବାଛି ନେଇଥିଲେ I

 ଅନ୍ତରୀକ୍ଷର ଆହ୍ୱାନ

ସେ ନାସା ଦ୍ୱାରା ମନୋନୀତ ହୋଇ  1997 ମସିହାରେ କଲମ୍ବିଆ ଅନ୍ତରୀକ୍ଷ ଯାନରେ ପ୍ରଥମକରି ମହାକାଶକୁ ଯାତ୍ରା କରିଥିଲେ I ସେତେବେଳେ ସେ ମହାକାଶରେ 16 ଦିନ ଅବସ୍ଥାନ କରି ପୄଥିବୀକୁ 252 ଥର ପରିକ୍ରମା କରିଥିଲେ I ତାଙ୍କର ଅସାଧାରଣ ପ୍ରତିଭାରେ ମୁଗ୍ଧ ହୋଇ  ନାସା ତାଙ୍କୁ ଆଉ ଥରେ ମହାକାଶଯାତ୍ରା ନିମନ୍ତେ ଆମନ୍ତ୍ରଣ କରିଥିଲା I କଳ୍ପନା 2003 ମସିହା ଜାନୁଆରୀ 16 ତାରିଖରେ ସେହି କଲମ୍ବିଆ ଯାନରେ ଦ୍ୱିତୀୟ ଥର ଅନ୍ତରୀକ୍ଷ ଯାତ୍ରା କରିଥିଲେ  ଯାନର ସବୁଠାରୁ ଗୁରିତ୍ତ୍ୱପୂର୍ଣ୍ଣ ଭୂମିକା  ଫ୍ଲାଇଟ୍ ଇଂଜିନିୟର  ଦାୟିତ୍ୱ ବହନ କରି . ତାଙ୍କର17 ଦିନ କାଳ ମହାକାଶ ରହଣି ମଧ୍ୟରେ ସେ ଭାରଶୂନ୍ୟ ଅବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ସମ୍ପାଦନ କରିଥିଲେ I  ମାତ୍ର ତାହା ତାଙ୍କର ଶେଷ ଯାତ୍ରା ହୋଇ ରହିଗଲା I ସମଗ୍ର ମାନବ ଜାତିର ସମୃଦ୍ଧିପୂର୍ଣ୍ଣ ଭବିଷ୍ୟତ ପାଇଁ ସେ ନିଜର ଓ ନିଜ ପରିବାରର ବର୍ତ୍ତମାନକୁ ଉତ୍ସର୍ଗ କରିଦେଲେ I

   ବିଦେଶରେ ଥାଇ ମଧ୍ୟ କଳ୍ପନା ଭାରତର ସମସ୍ତ ବନ୍ଧୁବାନ୍ଧବ ଓ ଶିକ୍ଷାନୁଷ୍ଠାନ ସହିତ  ସକ୍ରିୟ ଭାବେ ଜଡିତ ଥିଲେ I ତା'ଙ୍କ ଉଦ୍ୟମରେ ତାଙ୍କ ବିଦ୍ୟାଳୟର ଦୁଇ ଜଣ ମେଧାବୀ  ବିଦ୍ୟାର୍ଥୀ ପ୍ରତି ବର୍ଷ ଆମେରିକାର ନାସା କାର୍ଯ୍ୟାଳୟକୁ ପରିଦର୍ଶନରେ ଯିବାର ସୁଯୋଗ ଲାଭ କରୁଥିଲେ I ସେ ନିଜର ଇଛା ଓ ଅଧ୍ୟବସାୟ ଦ୍ୱାରା ଧୂଳିମାଟିର ଜଣେ ସାଧାରଣ ମଣିଷରୁ ମହକାଶ କନ୍ୟା ପାଲଟି ଗଲେ I ସେ ଦେଖାଇଗଲେ, ମହତ୍ତପୂର୍ଣ୍ଣ ଉପଲବ୍ଧି ପାଇଁ ଆଭିଜାତ୍ୟ କିମ୍ବା ପୄଷ୍ଠଭୂମିର ବିଶେଷ ଆବଶ୍ୟକତା ନାହିଁ, ବରଂ ଲୋଡା ସପ୍ନ ଓ ସାଧନା I 

  

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

                                                                                                                                   ଭୋପାଳ




 

ସ୍ୱପ୍ନ ଓ ସାଧନାର ପ୍ରତୀକ : କଲ୍ପନା ଚାୱଲା

ଏହି ଲେଖାଟିକୁ pdf ଫାଇଲ ରେ ପଢିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ ଓ ଲେଖାଟିକୁ ପଢି ନିଜର ମତାମତ ଦିଅନ୍ତୁ :

https://tinyurl.com/Kalpana-Chawala

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଇତିହାସ ରଚିବ ଚନ୍ଦ୍ରଯାନ-3